Unknown

 

 

 

 

 

 

 

 

 

 

 

ଶିକାର ଓ ଶିକାରୀ

(ଦ୍ଵିତୀୟ ଭାଗ)

ଶ୍ରୀ ଗଦାଧର ରାୟ

 

ନିଜ କଥା

 

ମୁଁ ଖୁବ୍ କମ୍ ବୟସରୁ ଜଙ୍ଗଲକୁ ଯିବା ଓ ଶିକାର କରିବାରେ ମାତିଯାଇଥିଲି । ମୁଁ ଯେତେବେଳେ ଶିକାର କରୁଥିଲି ସେତେବେଳେ ଭାବି ନଥିଲି ଯେ ଦିନେ ମୋତେ ଏ ବହି ଲେଖିବାକୁ ପଡ଼ିବ । ତା’ ନ ହେଲେ ଜଙ୍ଗଲ ଗାଥାକୁ ମୁଁ ଅଧିକ ଧ୍ୟାନର ସହିତ ଶିକ୍ଷା କରିଥାନ୍ତି । ଯାହାହେଉ, ମୋର ଦୀର୍ଘ ୫୦ ବର୍ଷର ଅଭିଜ୍ଞତାରୁ ମୁଁ ଯେତିକି ମାନସପଟରେ ସଞ୍ଚୟ କରିପାରିଛି ସେଇ ସ୍ମୃତିକୁ ସମ୍ବଳକରି ବର୍ତ୍ତମାନ ଲେଖିଚାଲିଛି । ଏଥିରେ କିଛି ଭୁଲ୍‍ଭ୍ରାନ୍ତି ଥାଇପାରେ । ସେଥିପାଇଁ ସୁଧୀ ପାଠକଗଣ ମୋତେ କ୍ଷମା ଦେବେ ବୋଲି ଆଶା କରେ । ଶିକାର ମନୁଷ୍ୟର ଆଦିମ ଜୀବିକା । ସଭ୍ୟ ହେଲା ପରେ ମଧ୍ୟ, ଅନ୍ୟାନ୍ୟ ଅନେକ ଆଦିମ ପ୍ରବୃତ୍ତି ଭଳି, ଜଙ୍ଗଲର ପଶୁପକ୍ଷୀ ମାରି ଖାଇବାର ଲାଳସା ମନୁଷ୍ୟଠାରେ ଏବେବି ଦେଖାଯାଏ । ଅବଶ୍ୟ ବାଘ ଭାଲୁ ପ୍ରଭୃତି ହିଂସ୍ରଜନ୍ତୁଙ୍କୁ ଆତ୍ମରକ୍ଷା ଦୃଷ୍ଟିରୁ ବା ଗୃହପାଳିତ ପଶୁଙ୍କର ସୁରକ୍ଷାପାଇଁ ମରାଯାଇଥାଏ ।

ଯାହାକୁ କହନ୍ତି ଅଗନାଅଗନି ବନସ୍ତ, କାଉକୋଇଲିର ରାବ ନାହିଁ–ଠିକ୍ ସେହିପରି ଜଙ୍ଗଲ ଆମ ପଟିଆ ଅଞ୍ଚଳରେ ଥିଲା, ମୁଁ ଯେତେବେଳେ ଶିକାର କରୁଥିଲି । ହରିଣ ସମ୍ବର ପ୍ରଭୃତିଙ୍କ ସଂଖ୍ୟା କଥା ଛାଡ଼, ବାଘ, ଚିତାବାଘ ପ୍ରଭୃତି ମଧ୍ୟ ବହୁସଂଖ୍ୟାରେ ବାସ କରୁଥିଲେ । ଚିତାଗୁଡ଼ାକ ତ ସାଲୁବାଲୁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ମୁଁ ନିର୍ଭୟରେ ଜଙ୍ଗଲକୁ ଯାଉଥିଲି । ଶହ ଶହ ସ୍ତ୍ରୀପୁରୁଷ, ବାଳକବାଳିକା ଜଙ୍ଗଲକୁ ଯାଉଥିଲେ ଏବଂ କାମ ଶେଷ କରି ନିର୍ବିଘ୍ନରେ ଘରକୁ ଫେରୁଥିଲେ । ବାଘ ମନୁଷ୍ୟର ଶତ୍ରୁ ନୁହେଁ । ସମସ୍ତେ ଅବସ୍ଥାର ଦାସ ଏକଥା କେହି ଅସ୍ଵୀକାର କରିପାରିବେ ନାହଁ । କ୍ୱଚିତ୍ ଗୋଟାଏ ବାଘ ମଣିଷଖିଆରେ ପରିଣତ ହୋଇପଡ଼େ ଅବସ୍ଥାଚକ୍ରରେ ପଡ଼ି । ଏହା ବୋଲି ସବୁ ବାଘଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଚିତ ନୁହେଁ । ମୁଁ ବହୁବାର ବାଘ ହାବୁଡ଼ରେ ପଡ଼ିଛି । କିନ୍ତୁ ସେମାନେ ମୋତେ ଦେଖି ବେଶ୍ ଭଦ୍ରଲୋକ ଭଳି ତାଙ୍କ ବାଟରେ ଚାଲିଯାଆନ୍ତି । ଯେଉଁ ବାଘ ଶିକାର ଉପରେ ମହଜୁଦ ଥିବ କିମ୍ବା ଆହତ ହୋଇଥିବ କିମ୍ୱା ଯାହା ସାଙ୍ଗରେ ଛୁଆ ଥିବେ, ତାକୁ ବିରକ୍ତ କଲେ ସେ ମଣିଷ ମାରିପାରେ । କିନ୍ତୁ ତା’ ବୋଲି ତାକୁ ମଣିଷଖିଆ କୁହାଯାଇ ନ ପାରେ । ବାଘ ଭଗବାନ୍‍ଙ୍କର ଏକ ଅନବଦ୍ୟ ସୃଷ୍ଟି ଏବଂ ଜଙ୍ଗଲର ଏକ ଅତ୍ୟାବଶ୍ୟକ ପ୍ରାଣୀ । ଏହାର ବିଲୋପ ଏକ ଅପୂରଣୀୟ କ୍ଷତି ।

ଆଜିକାଲି ଯୁଆଡ଼କୁ ଚାହିଁଲେ ଜଙ୍ଗଲ ଓ ବନ୍ୟ ଜୀବଜନ୍ତୁ ଦ୍ରୁତ ଲୋପ ପାଇଯାଉଛନ୍ତି । ଏହା ମୋର ପ୍ରାଣରେ ଘୋର ଆଘାତ ଦେଉଅଛି । ସୁଖ ଓ ଆଶ୍ୱାସନାର କଥା, ବନ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସରକାର ଏବେ ସ୍ଵତନ୍ତ୍ର ଆଇନ ମାନ କରିଛନ୍ତି । ଆମ ଓଡ଼ିଆ ଭାଷାରେ ଶିକାର ସମ୍ବନ୍ଧୀୟ ଶିକାର କୌଣସି ପୁସ୍ତକ ନଥିଲା କହିଲେ ଚଳେ । ମୋର “ଶିକାର ଓ ଶିକାରୀ”–୧ମ ଭାଗ ପୁସ୍ତକଟି ପ୍ରକାଶ ହେବା ପରେ ପାଠକମାନଙ୍କର ବେଶ୍ ଆଦର ପାଇଲା । କିନ୍ତୁ ଚାହିଦା ତୁଳନାରେ ଏଖଣ୍ଡିକ ଆଦୌ ଯଥେଷ୍ଟ ନୁହେଁ । ତରୁଣ ପାଠକମାନଙ୍କ ଶିକାର ସମ୍ବନ୍ଧରେ ବିଶେଷ କୌତୁହଳ ଥିବା ମୁଁ ଭଲଭାବରେ ହୃଦୟଙ୍ଗମ କରିପାରିଥିଲି । ତା’ପରେ “ସମାଜ”, “ପ୍ରଜାତନ୍ତ୍ର” ଓ “ପୌରୁଷ”ର ଶ୍ରଦ୍ଧେୟ ସମ୍ପାଦକମାନେ ଅଧିକ ଶିକାର କଥା ଲେଖିବାକୁ ମୋତେ ବାରବାର ଉତ୍ସାହିତ କରିବାକୁ ଲାଗିଲେ । କେବଳ ଉତ୍ସାହବାଣୀ ଶୁଣାଇ ନିରସ୍ତ ହୋଇନାହାନ୍ତି, ଲେଖାପାଇଁ ମୋତେ ପାରିତୋଷିକ ପ୍ରଦାନ କରି ସମ୍ମାନିତ ମଧ୍ୟ କରିଛନ୍ତି । ଏସବୁ ଏଡ଼ିଦେବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ମୁଁ ପୁଣି କଲମ ଧରିବାକୁ ବାଧ୍ୟ ହେଲି ।

ଗୌରବ, ପାରିଜାତ, ଆ’ ଜହ୍ନମାମୁଁ, ବାଇଚଢ଼େଇ, ଉପହାର, ଆଲୋକ, ଶିଶୁସଂସାର, ଛାତ୍ରସାଥୀ, ମନପବନ ଓ ଉତ୍ତରାପଥ ପ୍ରଭୃତି ପତ୍ରିକାର ସମ୍ପାଦକ ମହାଶୟମାନେ, କେତେକ ପାଠାଗାର ଓ ବହୁ ଶିକାରପ୍ରେମୀ ପାଠକ ମୋତେ ଚିଠି ଲେଖି ଯେଉଁ ଉତ୍ସାହ ଓ ପ୍ରେରଣା ଯୋଗାଇଛନ୍ତି ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏ ପୁସ୍ତକଟିର ପ୍ରକାଶରେ ସେମାନଙ୍କର ଯଥେଷ୍ଟ ଅବଦାନ ଅଛି ବୋଲି ମୁଁ ସ୍ଵୀକାର କରୁଛି ।

ବିଶ୍ଵବିଖ୍ୟାତ ଶିକାରୀ ଜିମ୍ କାରବେଟଙ୍କ ଭାଷାରେ “ଶିକାର ଗପଗୁଡ଼ିକ ସବୁଦିନ ସତେଜ, ବାରମ୍ବାର ଶୁଣିଲେ ମଧ୍ୟ ତାହା ପୁଣି ଉପଭୋଗ କରିହୁଏ ।’’ ସେହି କାରଣରୁ ଏ ପୁସ୍ତକଖଣ୍ଡି ସର୍ବସାଧାରଣରେ ଆଦୃତ ହେବ ବୋଲି ମୁଁ ଆଶା କରେ । ମୋର ସୁଯୋଗ୍ୟ ଗ୍ରନ୍ଥ ଶ୍ରୀମାନ ନିଶାମଣି ତ୍ରିପାଠୀ ଏହି ପୁସ୍ତକଟିର ସଂକଳନ ଓ ସମ୍ପାଦନା ଭାର ସ୍ୱଇଚ୍ଛାରେ ଗ୍ରହଣ କରିଥିବାରୁ ଓ ସାଥୀପ୍ରକାଶନର ସ୍ଵତ୍ଵାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ପୁସ୍ତକ ପ୍ରକାଶନର ଭାର ନେଇଥିବାରୁ ମୁଁ ସେ ଉଭୟଙ୍କୁ ଅନ୍ତରର ଧନ୍ୟବାଦ ଜଣାଉଛି ।

ମୋର କନ୍ୟାପ୍ରତିମା ‘କୁନା’ (କୁମାରୀ ଗୋମତୀ) ପାଣ୍ଡୁଲିପି ଲେଖିବାରେ ମୋତେ ଯେଉଁ ସାହାଯ୍ୟ କରିଛି ମୁଁ ଆଜୀବନ ଭୁଲିପାରିବି ନାହିଁ । ତାକୁ ମୁଁ ମୋର ଆନ୍ତରିକ ଆଶୀର୍ବାଦ ଜଣାଉଛି ।

ପଟିଆ

ଲେଖକ

ତା ୧୫।୫।୭୪

 

Image

 

ଉତ୍ସର୍ଗ

 

ଆଜି ଏ ବୃଦ୍ଧ ବୟସରେ ଅତୀତ ସ୍ମୃତିକୁ ଘାଣ୍ଟି ଶିକାର କାହାଣୀ ଲେଖିବାରେ ଯାହାଙ୍କଠାରୁ ମୁଁ କ୍ରମାଗତ ପ୍ରେରଣା ଓ ଉତ୍ସାହ ପାଇଆସୁଛି, ସେହି ମୋର ପରମ ହିତାକାଂକ୍ଷିଣୀ, ‘ପୌରୁଷ’ ପତ୍ରିକାର ସୁଯୋଗ୍ୟା ସମ୍ପାଦିକା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ହସ୍ତରେ ‘ଶିକାର ଓ ଶିକାରୀ’–ଦ୍ଵିତୀୟ ଭାଗ ପୁସ୍ତକ ଖଣ୍ଡିକ ଗଭୀର କୃତଜ୍ଞତାର ନିଦର୍ଶନସ୍ୱରୂପ ଅର୍ପଣ କଲି ।

 

ଗଦାଧର ରାୟ

Image

 

ସୂଚୀପତ୍ର

 

୧.

ଶିକାରୀର ଭାଗ୍ୟ

୨.

ହଳଦିଆଗଡ଼ରେ ଶିକାର

୩.

ଦୁର୍ଦ୍ଦାନ୍ତ ଶିକାରୀ ମୋହନ

୪.

ଏ ପାର ନ ହେଲେ ସେ ପାର

୫.

ଚୁଡ଼ଙ୍ଗ ଜଙ୍ଗଲରେ ଶିକାର

୬.

ଜଙ୍ଗଲ ସ୍ମୃତି

୭.

ଅପ୍ରତ୍ୟାଶିତ ଶିକାର

୮.

ଡୁମ୍ଫା ବାଦ୍ୟ ଓ ଆଡ଼ି ଶିକାର

୯.

ଖୋଜ ଧରି ଶିକାର କରିବା

୧୦.

ଚିତା ବାଘ କବଳରେ ଗାଈ

୧୧.

ଦନ୍ତା ବାର୍‍ହା-ଅଜଗର ଲଢ଼େଇ

୧୨.

ଖେଳରୁ କାଳ

୧୩.

ହାତୀ ଉପରୁ ଶିକାର

୧୪.

ହରିଣ ଶିକାର

୧୫.

ଖଲ୍ଲିକୋଟରେ ଶିକାର

୧୬.

ଖଣ୍ଡପଡ଼ା ଜଙ୍ଗଲରେ ଶିକାର

୧୭.

ଖୁରାଣ୍ଟି ଶିକାର

୧୮.

ପାହୁଆ ଝିଙ୍କ

୧୯.

ବାଘ ମୁହଁରୁ ବଞ୍ଚିଗଲି

୨୦.

ଘାଉଆ ବାଘ

୨୧.

ଜଙ୍ଗଲରେ ଗୋଟିଏ କାଳରାତ୍ରି

୨୨.

ଗୁଳି ନ ଚଳାଇ ଶିକାର

୨୩.

ବନ୍ଧୁକ ନିଶା

୨୪.

ଗୋଟିଏ ନିଷ୍ଫଳ ଦିନ

୨୫.

ଏକ ସ୍ମରଣୀୟ ଅଭିଯାନ

୨୬.

ଜଙ୍ଗଲରେ ଏକ ହାସ୍ୟମୟୀ ରଜନୀ

୨୭.

ସାବାସ୍ ଭଅଁରା

Image

 

ଶିକାରୀର ଭାଗ୍ୟ

 

ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ କି ଏକାଦଶୀ ତିଥି । ରାଜବାଟି ସନ୍ନିକଟ ଏକ ବକୁଳ ଉଦ୍ୟାନରେ ବସନ୍ତ ରାସ ଉତ୍ସବ ଅନୁଷ୍ଠିତ ହେଉଥାଏ । ଏସବୁ ରାଜୁଡ଼ାମାନଙ୍କର ସିଦ୍ଧି-ବିଧି । ଏହି ଉପଲକ୍ଷେ ଦକ୍ଷିଣୀ ସଙ୍ଗୀତ ନାଚର ମଧ୍ୟ ବ୍ୟବସ୍ଥା ହୋଇଥାଏ । ସେଦିନ ମୁଁ ନାଚ ଦେଖିବାକୁ ଯାଇଥିଲି । ବନ୍ଧୁଗହଣରେ ବସି ନାଚ ଦେଖୁଛି, ଏହି ସମୟରେ ଆମର ରାଜାସାହେବ ସଦଳବଳେ ଶିକାରରୁ ଫେରି ସେହିଠାରେ ଉପସ୍ଥିତ ହେଲେ । ରାଜବାଟିକୁ ଫେରିବା ରାସ୍ତାରେ ବକୁଳବନ । ତେଣୁ ସେଠାରେ ସେ ଅବସର ବିନୋଦନ ପାଇଁ କିଛି ସମୟ ରହିଗଲେ ।

 

ପଟିଆ ଜଙ୍ଗଲରେ ‘କନିଆରୀ ଖୁଣ୍ଟି’ ନାମକ ବନ୍ଧ ଅଛି । ଏହି ବନ୍ଧରେ ପ୍ରାୟ ବର୍ଷସାରା ପାଣି ରହେ । ପଟିଆ ଜଙ୍ଗଲ, ଚନ୍ଦକା ରିଜର୍ଭ ଜଙ୍ଗଲ ଲଗାଏତ ପ୍ରାୟ ଏକଶହ ବର୍ଗମାଇଲ ଅଞ୍ଚଳରେ ଏହା ଏକମାତ୍ର ଜଳାଧାର, ଯେଉଁଥିରେ କି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀ ତୃଷା ନିବାରଣ କରି ଜୀବନଧାରଣ କରନ୍ତି । ଏହି ବନ୍ଧର ଭୌଗୋଳିକ ଓ ଐତିହାସିକ ତଥ୍ୟ ମୁଁ ମୋର ‘ଶିକାର ଓ ଶିକାରୀ’ ପ୍ରଥମ ଭାଗରେ ଉଲ୍ଲେଖ କରିଅଛି । ତେଣୁ ସେ ବିଷୟରେ ଚର୍ଚ୍ଚା କରିବା ଅନାବଶ୍ୟକ । ରାଜାସାହେବଙ୍କର ଶିକାର ସକାଶେ ଏଠାରେ ଗୋଟିଏ ସୁଦୃଢ଼ ମଞ୍ଚା ପ୍ରସ୍ତୁତ ହୁଏ । ପଟା ଦିଆଯାଇ ସୁନ୍ଦର ଆରାମଦାୟକ ଓ ନିରାପଦ କରାଯାଇଥାଏ ସେ ମଞ୍ଚା । ରାଜାସାହେବ ସେଦିନ ଉକ୍ତ ମଞ୍ଚାରେ ବସି ଶିକାର କରିବାକୁ ଯାଇଥିଲେ । ଚୈତ୍ର ମାସରେ ଚଇତିଆଳି ପବନ ବହେ । ଅନବରତ ଚତୁର୍ଦ୍ଦିଗରୁ ବାୟୁ ପ୍ରବାହିତ ହେଲେ, ବନ୍ୟ ପ୍ରାଣୀ ଜଙ୍ଗଲର ନିଘଞ୍ଚ ନିଭୃତ କୋଣରେ ନିଜକୁ ଲୁକ୍କାୟିତ ରଖନ୍ତି । ସେ ସମୟରେ ଚଲାବୁଲା କରିବା ଓ ଜଳପାନ କରିବା ସକାଶେ ଖୋଲା ସ୍ଥାନକୁ ବାହାରନ୍ତି ନାହିଁ । ଏହି ଦୁଃସମୟଟା ସେମାନଙ୍କ ପକ୍ଷରେ ମହା ଭୀତପ୍ରଦ । କାରଣ ଚତୁର୍ଦ୍ଦିଗରୁ ବେଗରେ ପବନ ବହୁଥିବାରୁ ଶତ୍ରୁର ସନ୍ଧାନ ପାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼େ । ତେଣୁ ସେମାନେ ସର୍ବଦା ସଶଙ୍କ ଭାବରେ ଆତ୍ମଗୋପନ କରି ରହନ୍ତି । ଆତ୍ମରକ୍ଷା କରିବା ବିଷୟରେ ପବନ ସେମାନଙ୍କ ପକ୍ଷରେ ବିଶେଷ ସହାୟକ ହୁଏ । ପ୍ରତ୍ୟେକ ବନ୍ୟପ୍ରାଣୀଙ୍କର ଶ୍ରବଣ ଓ ଘ୍ରାଣଶକ୍ତି ଅତି ପ୍ରଖର । ତା’ ନ ହୋଇଥିଲେ ସେମାନଙ୍କର ଜୀବନଧାରଣ ସମ୍ଭବ ହେଉ ନ ଥାନ୍ତା । ସେଦିନ ସନ୍ଧ୍ୟା ସମୟରୁ ପବନର ବେଗ ବଢ଼ିଯାଇଥିଲା । ସୁତରାଂ ରାଜାସାହେବ ଶିକାରରେ ବିଫଳ ମନୋରଥ ହୋଇ ଫେରିଲେ । ସେତେବେଳକୁ ରାତି ସାଢ଼େ ଦଶ ।

 

କେତେକ ପାଗଯୋଗ ଉପରେ ଶିକାରର ସଫଳତା ନିର୍ଭର କରେ । କି ପ୍ରକାର ପାଗ ଶିକାର ପକ୍ଷରେ ଅନୁକୂଳ ବା ପ୍ରତିକୂଳ ତାହା ପ୍ରାୟ ପ୍ରତ୍ୟେକ ଶିକାରୀ ଜାଣନ୍ତି । ସେ ସବୁ ବିସ୍ତୃତ ବର୍ଣ୍ଣନା କରି ପ୍ରବନ୍ଧର କଳେବର ବୃଦ୍ଧି କରିବାକୁ ମୁଁ ଇଚ୍ଛା କରୁନାହିଁ । ଚଇତିଆଳି ପବନ ବହୁଥିବାରୁ ମୁଁ ଏବେ କେତେଦିନ ହେଲା ଶିକାରକୁ ଯିବା ବନ୍ଦ କରିଦେଇଛି ।

 

ସେଦିନ ରାଜାସାହେବ ମୋତେ ଶିକାରକୁ ଯିବା ସକାଶେ ବାଧ୍ୟ କଲେ । ତାଙ୍କର ଯୁକ୍ତି–ପବନ ସ୍ତମ୍ଭିତ ହୋଇଗଲାଣି । ଏବାର ଜନ୍ତୁ ପାଣିକୁ ଗଡ଼ିବେ । କିନ୍ତୁ ନାଚ-ଗାନର ଆସର ଛାଡ଼ିବାକୁ ମୁଁ ଏକାନ୍ତ ନାରାଜ । ଅପରନ୍ତୁ ଶିକାର ମିଳିବାର ସମ୍ଭାବନା ମଧ୍ୟ ନାହିଁ । ‘ରାଜା ଗୋଜା’-। ତା’ପରେ ସେ ମୋର ପିତୃବ୍ୟ ତାଙ୍କର ଆଦେଶ ପାଳନ କରିବା କର୍ତ୍ତବ୍ୟ । ନିତାନ୍ତ ଅନିଚ୍ଛାସତ୍ତ୍ୱେ ମୁଁ ସେ ସ୍ଥାନ ତ୍ୟାଗ କଲି ।

 

ମୁଁ ଘରକୁ ଆସି ଭୋଜନ ପରେ ବାରଣ୍ଡାରେ ଶୋଇଗଲି । ଯୁକ୍ତି କରି ବିଷୟଟାକୁ ଭାବିଲି–ଶିକାରକୁ ଯିବି ନାହିଁ । ରାଜା ପଚାରିଲେ କିଛି ବାହାନା ଦେଖାଇ କହିଦେବି । କିନ୍ତୁ ବାହାନା ଦେଖାଇ ଠକିବାଟା ବିବେକାନୁମୋଦିତ ହେଲା ନାହିଁ । ତା’ପରେ ମୁଁ ଗରମ ଅନୁଭବ କଲି । ସତକୁ ସତ ସେତେବେଳକୁ ପବନ ନିସ୍ତବ୍ଧ ହୋଇଯାଇଥିଲା । ଆଖିକୁ ନିଦ ଆସିଲା ନାହିଁ । ପୁନର୍ବାର ଭାବିଲି–ଯାଉଛି, ପାଣିକୂଳରେ ଥଣ୍ଡା ହେବ, ମୁଁ ମଜାରେ ଶୋଇବି, ମୋର ସାଥୀ ସଜାଗ ରହି ଦେଖୁଥିବେ । ଶିକାରର କିଛି ସୂଚନା ପାଇଲେ ମୋତେ ସଚେତ କରାଇଦେବେ ।

 

ଶେଷରେ ଶେଷୋକ୍ତ ଯୁକ୍ତି ସିଦ୍ଧାନ୍ତ କଲି । ମୋ ପରି ବାଣୁଆ (ଶିକାରସାଥୀ) ବିନଙ୍କୁ ଡାକିବାମାତ୍ରେ ସେ ଅତି ଉତ୍ସାହର ସହ ବାହାରିପଡ଼ିଲେ । ବିନଙ୍କର ଶିକାର ନିଶା ଓ ଶିକାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟ ମୁଁ ମୋର ପୂର୍ବ ପ୍ରବନ୍ଧରେ ଲେଖିଛି । ତେଣୁ ଏଠାରେ ତାହାର ପୁନରାଲୋଚନା ଅନାବଶ୍ୟକ । ମଞ୍ଚା ନିକଟରେ ଉପସ୍ଥିତ ହେଲୁ । ପ୍ରଥମେ ବିନ ମଞ୍ଚା ଉପରକୁ ଉଠିଗଲେ । ଏଇଟା ଶିକାରୀଙ୍କର ନିୟମ । ନିଜର ନିରାପତ୍ତା ଅପେକ୍ଷା ସାଥୀଙ୍କର ନିରାପତ୍ତା ଦେଖିବା ଶିକାରୀଙ୍କର କର୍ତ୍ତବ୍ୟ । ମୁଁ ବିନଙ୍କ ହାତକୁ ବନ୍ଧୁକ, ବ୍ୟାଗ୍ ଆଦି ବଢ଼ାଇ ଦେଇ ଉପରକୁ ଉଠି ମଞ୍ଚ ଭିତରେ ପ୍ରବେଶ କରିବାକୁ ଉଦ୍ୟତ–ଏହି ସମୟରେ ବିନ ମୋର ପାଦରେ ମୃଦୁ ଆଘାତ କରି ଶିକାରର ସୂଚନା ଦେଲେ । ବିଶେଷ ଆବଶ୍ୟକ ନ ହେଲେ ଆମେ ଜଙ୍ଗଲରେ କଥାବାର୍ତ୍ତା କରୁନାହିଁ । ମୁଁ ଚରମ ସାବଧାନତା ଅବଲମ୍ବନପୂର୍ବକ ଆସ୍ତେ ଯାଇ ମଞ୍ଚା ଉପରେ ଉପସ୍ଥିତ ହେଲି-। ଦେଖିଲି, ମସ୍ତ ମସ୍ତ ଦୁଇଟି ହରିଣ ଶିଙ୍ଘାଳ ପାଣିକୂଳରେ ପାଖାପାଖି ଛିଡ଼ା ହୋଇଛନ୍ତି । ଅପୂର୍ବ ସେ ଦୃଶ୍ୟ ।

 

ମୁଁ ନିଶ୍ଚଳ ଭାବରେ ବସିଥାଏଁ । ଶିଙ୍ଘାଳ ଦୁଇଟି କାନ ଟେକି, ବାମକୁ ଦକ୍ଷିଣକୁ ଦୃଷ୍ଟି ଫେରାଇ ବାରୁଥାନ୍ତି–କୌଣସି ବିପଦର ଆଶଙ୍କା ଅଛି କି ନାହିଁ । ଯେତେବେଳେ ସେମାନଙ୍କର ସମସ୍ତ ଶଙ୍କା ଦୂର ହୋଇଯିବ, ସେତେବେଳେ ଯାଇ ସେମାନେ ଜଳପାନ କରିବେ । ମୁଁ ସେପର୍ଯ୍ୟନ୍ତ ଅଚଳ ଭାବରେ ବସିଥାଏଁ । ୩।୪ ମିନିଟ ପରେ ସେମାନେ ଜଳପାନ କରିବା ଆରମ୍ଭ କଲେ । ମଞ୍ଚା ଉପରକୁ ଉଠିବା ସମୟରେ ମୁଁ ବନ୍ଧୁକ ଖାଲି କରିଦେଇଥିଲି । ପୁଣି କାର୍ତ୍ତୋସ ଭରିବାର ସୁଯୋଗ ମୋତେ ମିଳି ନଥିଲା । ଏଥର ବନ୍ଧୁକରେ କାର୍ତ୍ତୋସ ଭରିନେଲି ।

 

ସେମାନେ ଟିକିଏ ପାଣି ପିଉଥାନ୍ତି ପୁଣି ବେକ ଟେକି ଚତୁର୍ଦ୍ଦିଗରେ ଦୃଷ୍ଟି ଫେରାଇ ନିଅନ୍ତି । କୌଣସି ପ୍ରାଣୀ ତୃଷାର୍ତ୍ତ ହୋଇ ଜଳପାନ କରୁଥିବା ସମୟରେ ଗୁଳି କରିବା ଶିକାରୀଧର୍ମର ବିରୁଦ୍ଧାଚରଣ । ତେଣୁ ଜଳପାନ ଶେଷ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥାଏ । ସେମାନେ ରହି ରହି ଆକଣ୍ଠ ଜଳପାନ କଲେ ମୁଁ ଯେତେବେଳକୁ ବନ୍ଧୁକ ଛାତିରେ ଭିଡ଼ି ନିଶାଣ ଲଗାଇ ପ୍ରସ୍ତୁତ । ନିର୍ମଳ ଚନ୍ଦ୍ରାଲୋକରେ ବନ୍ଧୁକର ଫ୍ରଣ୍ଟ ସାଇଟ୍ (ମାଛି) ପରିଷ୍କାର ଦେଖାଯାଉଥାଏ-। ଇଞ୍ଚେ ହେଲେ ଲକ୍ଷ୍ୟ ଏପଟସେପଟ ହେବାର ନୁହେଁ । ସେମାନେ ତୁଷା ନିବାରଣ କରିସାରି ଯେତେବେଳେ ଆସ୍ତେ ପଛକୁ ପାଦ ଫେରାଇଲେ, ମୁଁ ଗୋଟିକର ଡାହାଣ କାନର ଏକଇଞ୍ଚ ତଳକୁ ଲକ୍ଷ୍ୟକରି ଘୋଡ଼ା ଟିପିଦେଲି । ଦୁଇଟିଙ୍କ ମୁଣ୍ଡ ଏକ ଲାଇନରେ ଥିଲା । ତେଣୁ ଦୁଇଟିଯାକ ଶିଙ୍ଘାଳ ଛଟ୍‍ଛାଟ୍ ଟଳିପଡ଼ିଲେ । ଲବେମାତ୍ର ମୃତ୍ୟୁ ଯନ୍ତ୍ରଣା ଭୋଗିବାକୁ ଅବସର ମିଳିନାହିଁ । ଏହାକୁ କହନ୍ତି ଶିକାରୀର ଭାଗ୍ୟ ।

 

ଆମେ ଆମର ଅନାୟାସଲବ୍‍ଧ ବିଜୟରେ ଆଶାତୀତ ଆନନ୍ଦ ଲାଭ କଲୁ । କିନ୍ତୁ ସମସ୍ୟା–ଏତେ ବଡ଼ ବଡ଼ ଜାନୁଆର ଦୁଇଟାକୁ କିପରି ପାଣି କୂଳରୁ ଅପସାରିତ କରିବାକୁ ହେବ-? ବହୁ ଶ୍ରମ ସ୍ଵୀକାରପୂର୍ବକ କୌଣସି ପ୍ରକାରେ ବନ୍ଧ ତଳକୁ ଗଡ଼ାଇନେଲୁ । ରୁମ୍ ରକ୍ତ ପଡ଼ିଥିବା ସ୍ଥାନକୁ ଧୋଇ ସଫା କରିବାକୁ ପଡ଼ିଲା । କାରଣ ରୁମ୍, ରକ୍ତ ଦେଖି, ଗନ୍ଧ ବାରି ଅନ୍ୟ ପ୍ରାଣୀ ସତର୍କ ହୋଇଯିବେ । ଜଳପାନ କରିବେ ନାହିଁ । ସେତେବେଳକୁ ରାତି ଦୁଇଟା । ଆଉ ଘରକୁ ଫେରିବା ପ୍ରଶ୍ନ ନାହିଁ । ପାଗଟା ଶିକାର ପକ୍ଷରେ ବେଶ୍ ଅନୁକୂଳ । କେଜାଣି ଭାଗ୍ୟରେ ଥିଲେ ବାଘଟାଏ ଯୁଟିଯାଇପାରେ । ଆଶାର ତ ସୀମା ନାହିଁ । ଆମେ ଏକାନ୍ତ ଆଶାୟୀ ହୋଇ ପୁଣି ମଞ୍ଚା ଉପରକୁ ଉଠି ଧ୍ୟାନ ଲଗାଇ ବସିଗଲୁ ।

 

ଋତୁରାଜ ବସନ୍ତ ସମୟ । ଜ୍ୟୋତ୍ସ୍ନାବିଧୌତ ରଜନୀ । ମନମୁଗ୍ଧକର ପରିବେଶ । ଚତୁର୍ଦ୍ଦିଗ ନୀରବ ନିଶ୍ଚଳ । ଗଛର ପତ୍ରଟିଏବି ହଲୁ ନାହିଁ । ଛୁଞ୍ଚିଟିଏ ପଡ଼ିଲେ ବାରି ହୋଇଯିବ । ଏପରି ପରିସ୍ଥିତି ଶିକାରୀଙ୍କ ପକ୍ଷରେ ଯେତିକି ସୁବିଧାଜନକ, ସେତିକି ଅସୁବିଧାକର ମଧ୍ୟ । ଏ ଅବସ୍ଥା ଶିକାରର ଗତିବିଧି ଶିକାରୀଙ୍କ ନିକଟରେ ଅତି ସହଜରେ ଧରା ପକାଇଦିଏ । ଅନ୍ୟ ପକ୍ଷରେ ଠିକ୍ ତା’ର ଓଲଟା–ଶିକାରୀଙ୍କର ହଲଚଲ, ମଶା ହୁରୁଡ଼େଇବା, ଦୀର୍ଘଶ୍ଵାସ ପକାଇବା ଆଦି ଶିକାରକୁ ଜଣାଇ ସତର୍କ କରାଇଦିଏ । ଅନୁକୂଳ ପବନ ବହୁଥିଲେ ଶିକାରୀଙ୍କୁ ଏସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ । ଆମେ ଏହି ଅସ୍ୱସ୍ତିକର ପରିସ୍ଥିତିରେ ଅତି ସତର୍କତା ଅବଲମ୍ବନପୂର୍ବକ ବସିଥାଉ ।

 

କିଛି ସମୟ ପରେ ଦୁଇଟି ବେଲଭଙ୍ଗା ନେଉଳ ନିଃଶଙ୍କ ଚିତ୍ତରେ ଆସି ଜଳପାନ କରି ଚାଲିଗଲେ । ନୀରବତା ମଧ୍ୟରେ ଆହୁରି କିଛି ସମୟ ଅତିବାହିତ ହୋଇଗଲା । ଏହି ସମୟରେ ରକ୍ତଜମାଟକରା ବୃଂହିତ ଧ୍ଵନି ଶୁଣି ଆମେ ତ୍ରସ୍ତ ହୋଇଗଲୁ । ଏହି ଶବ୍ଦ ରିଜର୍ଭ ଜଙ୍ଗଲର ଭରତପୁର ଅଞ୍ଚଳରେ ହେବାର ଅନୁମିତ ହୁଏ । ଆମ ପାଖରୁ ସେ ସ୍ଥାନର ଦୂରତ୍ଵ ଏକ ମାଇଲରୁ କିଛି ଅଧିକ ହେବ । ବିନଙ୍କର ବିଚାର–ହାତୀ ନିଶ୍ଚୟ ପାଣି ଖାଇବାକୁ ଆସିବ । ବିପଦର ସମ୍ଭାବନା ଅଛି । ଅତଏବ ଶୀଘ୍ର ଏ ସ୍ଥାନ ତ୍ୟାଗ କରି ଚାଲିଯିବା । ମୁଁ ଜାଣେ, ବିପଦର ଆଶଙ୍କା ଅଛି । କିନ୍ତୁ ଶିକାରରେ ବିପଦ ନଥିଲେ ଆନନ୍ଦ ମିଳନ୍ତା ନାହିଁ । କବିଙ୍କ ଭାଷାରେ କହିବାକୁ ଗଲେ, ‘ଯହିଁରେ ନିହିତ ଯେତିକି ସୁଖ, ତହିଁ ପ୍ରଚ୍ଛନ୍ନଟି କେତିକି ଦୁଃଖ ।’ ବିପଦକୁ ମୁଣ୍ଡ ଉପରେ ନେଇ ହାତୀକୁ ଦେଖିବା ଇଚ୍ଛା ବଳବତୀ ହୋଇଉଠିଲା ।

 

ପରମ ଉତ୍ସୁକଭାବେ ହାତୀର ଆଗମନ ଅପେକ୍ଷାରେ ବସିଛୁ, ଏହି ସମୟରେ ଟିଟ୍ଟିଭ ପକ୍ଷୀର ଘନଘନ ଚିତ୍କାର ହାତୀ ଆଗମନର ସ୍ପଷ୍ଟ ସୂଚନା ଦେଲା । ମିନିଟ ୧୫।୨୦ ଯାଇଛି କି ନାହିଁ ବନର ଗହନରେ ଡାଳପତ୍ର ଭାଙ୍ଗିବାର ଶବ୍ଦ ଶୁଣାଗଲା । ଏତେବେଳେ ମୁଁ ଟିକିଏ ସୁଯୋଗ ପାଇଲି । ମୋର ପାଦକୁ ଟିକିଏ ଆରାମ ଦେବା ସକାଶେ କଡ଼ ଲେଉଟାଇ ଦର୍ଶନ ଅଭିଳାଷରେ ପ୍ରସ୍ତୁତ ହୋଇ ରହିଲି । ବେଶି ସମୟ ଅପେକ୍ଷା କରିବାକୁ ପଡ଼ିନାହିଁ । ହଠାତ ଏକ ବିରାଟକାୟ ମତ୍ତମାତଙ୍ଗ ସମ୍ମୁଖରେ ଉଭା । ଆମର ମଞ୍ଚାଠାରୁ ମାତ୍ର ପଚିଶ ଗଜ ଦୂରରେ । ତା’ର କାନ ଦୁଇଟି ଠିଆ ଆଉ ଗନ୍ଧ ବାରିବାକୁ ଶୁଣ୍ଢ ଉଚ୍ଚ କରି ଉଠାଇଛି । ଦାନ୍ତ ଦୁଇଟି ଚମତ୍କାର । ନିର୍ଭୀକ ଦୃପ୍ତ ଭଙ୍ଗୀରେ ଛିଡ଼ା ହୋଇଛି ସେ । ତା’ର ଧୂସର ରଙ୍ଗର ଦେହରେ ଚକ୍‍ଚକ୍ କରୁଛି ଦାନ୍ତ ଦୁଇଟା । ଅପୂର୍ବ ସ୍ଵାସ୍ଥ୍ୟର ଅଧିକାରୀ ମଧ୍ୟ । ନିର୍ମଳ ଚନ୍ଦ୍ରାଲୋକରେ ଅବିସ୍ମରଣୀୟ ସେ ଛବି ।

 

ହାତୀଙ୍କର ଶ୍ରବଣଶକ୍ତି ଓ ଘ୍ରାଣଶକ୍ତି ଅତି ପ୍ରଖର । ଅଳ୍ପ ସମୟ ପୂର୍ବରୁ ସେ ସ୍ଥାନରେ ଗୁଳି ଫାୟାର ହୋଇଛି । ବାରୁଦର ଗନ୍ଧ ସେ ନିଶ୍ଚୟ ପାଇଥିବ । ଜଳପାନ କରିବାକୁ ନ ଆସି ସ୍ଥିର ଭାବରେ ବନ୍ଧ ଉପରେ ଠିଆ ହୋଇଥାଏ । ଦୁଇ ତିନି ମିନିଟ ପରେ ସେ ସ୍ତବ୍ଧତା ବିଦୀର୍ଣ୍ଣ କରି ଏକ ତୀକ୍ଷ୍ଣ ପ୍ରଚଣ୍ଡ ଶବ୍ଦ କଲା । ସମସ୍ତ ବନଭୂମିଟା କମ୍ପି ଉଠିଲା ସେ ଶବ୍ଦରେ । ସେଥି ସଙ୍ଗେ ସଙ୍ଗେ ଡାଳପତ୍ର ଭାଙ୍ଗି ସବେଗେ ଦୌଡ଼ିବାର ଶବ୍ଦ । ସାମାନ୍ୟତମ ଶବ୍ଦ ଯେପରି ନ ହୁଏ ସେଥିପାଇଁ ମୁଁ ନିଃଶ୍ୱାସ ବନ୍ଦ କରି ବସିଛି । ଜାଣୁଛି, ପାର୍ଶ୍ୱରେ ବିନଙ୍କର ଅବସ୍ଥା ତଥୈବଚ । ପ୍ରାୟ ଦଶ ମିନିଟ ପରେ ଦୁଇଟି ଅଳ୍ପବୟସ୍କ ମାଈ ହାତୀ ଆସି ହାଜର । ତିନି ମୂର୍ତ୍ତିଯାକ କାନ ଠିଆକରି, ଶୁଣ୍ଢ ଉଠାଇ ଏକ ଲାଇନ୍‍ରେ ସ୍ଥିରଭାବେ ଦଣ୍ଡାୟମାନ । ମନେକର ଯେପରି ସର୍କସରେ ରିଙ୍ଗ୍ ମାଷ୍ଟର ହାତୀ ଖେଳ ଦେଖାଉଛନ୍ତି । ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ଏହିପରି ଆଟେନସନ୍ ଅବସ୍ଥାରେ କଟିଲା ।

 

ଏହା ଆମ ପକ୍ଷରେ ଏକ ମାରାତ୍ମକ ପରିସ୍ଥିତି । ଯଦି କୌଣସି ପ୍ରକାରରେ ଆମର ଅବସ୍ଥିତି ସେମାନଙ୍କର ନିକଟରେ ଧରାପଡ଼ିଯାଏ, ତେବେ ଆକ୍ରମଣ ହେବା ସୁନିଶ୍ଚିତ । ସରକାରଙ୍କ ବିନାନୁମତିରେ ହାତୀ ଉପରକୁ ଗୁଳି କରିବା ବେଆଇନ । ତା’ ନ ହେଲେ ଚିନ୍ତାର ବିଷୟ ନଥିଲା । ଭାଗ୍ୟର କଥା, ସେମାନଙ୍କ ମନରୁ ସମସ୍ତ ଶଙ୍କା ଅବିଳମ୍ବେ ଦୂରୀଭୂତ ହୋଇଗଲା । ମାଈ ହାତୀ ଦୁଇଟି ଧୀରେ ଧୀରେ ଆସି ଜଳରେ ପ୍ରବେଶ କଲେ । ତାଙ୍କ ପଛରେ ଦନ୍ତାହାତୀ । ଆକଣ୍ଠ ଜଳପାନ କଲା ପରେ ଆନନ୍ଦରେ ବିଭୋର ହୋଇ ଜଳକ୍ରୀଡ଼ାରେ ମାତିଗଲେ-। ପରସ୍ପର ଶୁଣ୍ଢ ଛନ୍ଦାଛନ୍ଦି ପାଣି ଫିଙ୍ଗାଫିଙ୍ଗି ହୋଇ କ୍ରୀଡ଼ାରେ ମତ୍ତ ଥାଆନ୍ତି । ଅପୂର୍ବ ସେ ଦୃଶ୍ୟ-

 

ବାଘ ଜଙ୍ଗଲର ରାଜା; କିନ୍ତୁ ହାତୀ ଜଙ୍ଗଲର ଲକ୍ଷ୍ମୀ । ହସ୍ତୀଦଳ ଜଙ୍ଗଲର ଶୋଭା ବଢ଼ାନ୍ତି । ହାତୀଦାନ୍ତ ଜଙ୍ଗଲ ବିଭାଗର ଗୋଟିଏ ପ୍ରଧାନ ଆୟ । ଗଜଦନ୍ତ ଅତି ମୂଲ୍ୟବାନ୍ ବସ୍ତୁ । ହାତୀମାନେ ସଙ୍ଗପ୍ରିୟ । ସେଥିପାଇଁ ସେମାନେ ଦଳବଦ୍ଧ ଭାବରେ ବାସ କରନ୍ତି । କିନ୍ତୁ ବାଘ ସଙ୍ଗପ୍ରିୟ ନୁହେଁ । ତେଣୁ ସେ ଏକାକୀ ବାସ କରେ । ସେ ନିଜ ଅଞ୍ଚଳରେ ଅନ୍ୟ ବାଘର ପ୍ରବେଶକୁ ଆଦୌ ବରଦାସ୍ତ କରେ ନାହିଁ । ଏଣୁକରି ନିଜ ଅଧିକାର ସାବ୍ୟସ୍ତ କରିବାକୁ ଯାଇ ଯୁଦ୍ଧଂ ଦେହି ଡାକରା ଦେବାକୁ ପଛଘୁଞ୍ଚା ଦିଏ ନାହିଁ । ସେମାନଙ୍କର ଯୁଦ୍ଧଭୂମିର ଚିହ୍ନରୁ ଲେଖକ ଏହାର ଯଥେଷ୍ଟ ପ୍ରମାଣ ପାଇଛନ୍ତି । ବାଘ ଏକପତ୍ନୀକ ପ୍ରାଣୀ, କିନ୍ତୁ ହାତୀ ବହୁପତ୍ନୀକ ।

 

ଜଙ୍ଗଲରେ ଗୋଟିକିଆ ହାତୀ ବୁଲୁଥିବାର ମଧ୍ୟ ଦେଖାଯାଏ । ତାହାର କାରଣ ସେ ଦଳରୁ ବିତାଡ଼ିତ ହୋଇଅଛି । ଦଳର କୌଣସି ପୁରୁଷ ହାତୀ ସ୍ତ୍ରୀ ହାତୀ ପ୍ରତି ଆକୃଷ୍ଟ ହେଲେ ତାହା ଦଳପତିର ସହ୍ୟ ହୁଏ ନାହିଁ । ଦଳପତି ପ୍ରଥମେ ତାକୁ ସାବଧାନ କରାଇଦିଏ । ଏଥିରେ ଅବଜ୍ଞା କଲେ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ଘୋଷଣା ହୋଇଯାଏ । ଯୁଦ୍ଧରେ ଯେ ପରାଜିତ ହୁଏ, ସେ ଦଳଚ୍ୟୁତ ହୋଇ ଏକାକୀ ଜୀବନଯାପନ କରେ । ମାତ୍ର ସେ ଭିତରେ ଭିତରେ ଶକ୍ତି ସଞ୍ଚୟ କରି ପରବର୍ତ୍ତୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥାଏ ।

 

ବେଳେବେଳେ କୌଣସି ହାତୀ ଉଚ୍ଛୃଙ୍ଖଳ ଓ ଉଦ୍ଧତ ହେବାର ଦେଖାଯାଏ । ସେ ସମୟରେ ଲୋକେ ତାକୁ ଦୁଷ୍ଟ ବା ପାଗଳା ହାତୀ ବୋଲି ଆଖ୍ୟା ଦେଇଥାନ୍ତି । ଦୁଷ୍ଟ ହାତୀ ସମ୍ଵନ୍ଧରେ ଯେ ସବୁ କଥା ଶୁଣାଯାଏ ସେଥିରେ କିନ୍ତୁ ମୋର ଭିନ୍ନମତ ଅଛି । ଯେକୌଣସି ପୁରୁଷ ହାତ ବର୍ଷ ମଧ୍ୟରେ କିଛିଦିନ ଉନ୍ମତ୍ତ ହୋଇଥାଏ । ସେତେବେଳେ ତାକୁ କୁହାଯାଏ ମତ୍ତହସ୍ତୀ । ସେ ସମୟରେ ସେ ଟିକିଏ ଖିଟିଖିଟିଆ ସ୍ୱଭାବର ହୋଇଥାଏ । ତା’ର ମୁଣ୍ଡର ଦୁଇପାଖେ କାନପାଖରେ ଦୁଇଟି ଛୋଟ ଛୋଟ ଛିଦ୍ର ଅଛି । ସେଥିରୁ ଏହି ସମୟରେ ଘନ ତରଳ ପଦାର୍ଥ ନିଃସୃତ ହୁଏ । ଏହାକୁ ‘ମଦ-ବାରି’ ବୋଲି ଲୋକେ କହିଥାନ୍ତି । ମଦମତ୍ତ ହାତୀର ତଡ଼ା ଖାଇ ସ୍ଥାନୀୟ ଲୋକେ ତାକୁ ପାଗଳା ବା ଦୁଷ୍ଟ ହାତୀ କହନ୍ତି । କିନ୍ତୁ ଅଳ୍ପଦିନ ଭିତରେ ତାହାର ଏ ଅବସ୍ଥା କଟିଯାଏ । ସେତେବେଳେ ସେ ପୁଣି ସ୍ଵାଭାବିକ ହୋଇଉଠେ । ଆଉ ପ୍ରକୃତରେ ଯେ ଦୁଷ୍ଟ ସେ ଚିରକାଳ ଦୁଷ୍ଟ । ଏପରି ହାତୀର ସନ୍ଧାନ ପାଇଲେ ତାକୁ ସଙ୍ଗେସଙ୍ଗେ ମାରିଦେବା ଉଚିତ ।

 

ହାତୀମାନେ ଘୋର ସନ୍ଦେହୀ । କାଳେ କେଉଁଠି ବିପଦ ଅଛି କି ? କୌଣସି ସ୍ଥାନରେ ସାମାନ୍ୟତମ ବ୍ୟତିକ୍ରମ ଦେଖିଲେ ତାହା ତନ୍ନତନ୍ନ କରି ଅନୁସନ୍ଧାନ ନ କରି ଛାଡ଼ନ୍ତି ନାହିଁ । ସେମାନେ ଯେପରି ସନ୍ଦେହୀ ସେହିପରି ପ୍ରତିହିଂସା ପରାୟଣ ମଧ୍ୟ । କେହି କେବେ ତାଙ୍କୁ ପ୍ରତାରଣା କରିଥିଲେ, ସେ ତାହା ପରିଶୋଧ ନ କରି ନିରସ୍ତ ହୁଅନ୍ତି କାହିଁ ।

 

ଦନ୍ତାହାତୀ ଯାହାକୁ ହତ୍ୟା କରେ, ଅତି ନିର୍ମମ ଓ ନିଷ୍ଠୁରଭାବେ ହତ୍ୟା କରେ । ଫୁଟବଲକୁ ହେଡ଼୍‍ କଲା ପରି କୌଣସି ପ୍ରାଣୀକୁ ଧରି ଉପରକୁ ଫିଙ୍ଗିଦେଇ ଦାନ୍ତ ଦେଖାଇଦିଏ । ଫଳରେ ଯାହା ଘଟୁଥିବ ପାଠକେ ଅନୁମାନ କରିପାରୁଥିବେ । ପୁଣି କେବେ ପାଦରେ ଦଳିଚକଟି, କେବେ ପଥରରେ କିମ୍ବା ଗଛରେ ପିଟି ପିଟି ମାରେ । ଏସବୁ କରୁଣ ହତ୍ୟାକାଣ୍ଡ ଦେଖିଲେ ଶରୀର ଶିହରିଉଠେ । ହାତୀ ପ୍ରତି ଭୀଷଣ କ୍ରୋଧ ଓ ଘୃଣା ଜାତ ହୁଏ ।

 

ମୁଁ ଆଗକୁ କହିଛି ହାତୀମାନେ ଦଳବଦ୍ଧ ଭାବରେ ବାସ କରନ୍ତି । ଦଳ ମଧ୍ୟରେ ଯେଉଁ ପୁରୁଷ ହାତୀ ବୟସ୍କ ଏବଂ ବଳବାନ୍ ସେ ଦଳର ନେତା ହୁଏ । ଅନ୍ୟମାନେ ଅତି ବିଶ୍ଵସ୍ତତାର ସହିତ ତା’ର ନେତୃତ୍ଵକୁ ମାନି ଚଳନ୍ତି । ନେତା ଦଳର ସୁରକ୍ଷାପାଇଁ ଦାୟୀ । ତେଣୁ ସେ ସର୍ବଦା ଦଳର ନିରାପତ୍ତା ସକାଶେ ସତର୍କ ଥାଏ ।

 

ସେମାନଙ୍କର ପରସ୍ପର ପ୍ରତି ସାହାଯ୍ୟ ଗୁଣ ସର୍ବଥା ପ୍ରଶଂସନୀୟ । ଦଳ ମଧ୍ୟରୁ କେହି ବିପଦରେ ପଡ଼ିଲେ ଅନ୍ୟମାନେ ନିଜକୁ ବିପଦାପନ୍ନ କରି ଆପ୍ରାଣ ସାହାଯ୍ୟ କରନ୍ତି । ଘନ ଛାୟା ବିଶିଷ୍ଟ ସୁଶୀତଳ ସ୍ଥାନ ଓ ଜଳ ସେମାନଙ୍କର ଏକାନ୍ତ ପ୍ରୟୋଜନ । ଯେଉଁଠି ଏହି ଦୁଇଟି ସୁଲଭ ସେହିପରି ସ୍ଥାନରେ ଏମାନେ ବାସ କରନ୍ତି ।

 

ଆମେ ହାତୀମାନଙ୍କର ଜଳକେଳି ଦୃଶ୍ୟ ଦେଖି ଏକବାରକେ ବିମୋହିତ ହୋଇଗଲୁ । ସେ ସମୟରେ ଆମ ମନରେ କୌଣସି ଭୟ ବା ଆଶଙ୍କା ସ୍ଥାନ ପାଇ ନଥିଲା । ସତ କହିବାକୁ ଗଲେ ସେ ଦୃଶ୍ୟ ଏତେ ମନମୁଗ୍ଧକର ଯେ ଆମେ ନିଜର ସତ୍ତା ହରାଇ ବସିଥିଲୁ । ନିରଙ୍କୁଶ ହାତୀପଲ ଅତ୍ୟନ୍ତ ଉଲ୍ଲାସରେ ଜଳକ୍ରୀଡ଼ା ସମାପ୍ତ କରି ଧୀରସୁସ୍ଥଭାବେ ଚାଲିଗଲେ ଆହା, କି ଅପୂର୍ବ ଦୃଶ୍ୟ ସେ ! ଏପରି ରମଣୀୟ ଦୃଶ୍ୟ କେବେ ନୟନଗୋଚର ହୋଇ ନଥିଲା । ମୁଁ ମୋର ଶିକାରୀ ଜୀବନକୁ ଧନ୍ୟ ମନେକଲି ।

 

ଦୀର୍ଘ ସମୟ ଶ୍ଵାସ ରୋଧ କରି ଏକ ଆସନରେ ବସିବା ଫଳରେ ବଡ଼ କ୍ଳାନ୍ତ ହୋଇପଡ଼ିଥିଲୁ । ଟିକିଏ ଆରାମ ଦେବା ସକାଶେ ପାଦକୁ ପ୍ରସାରଣ କରି ସୁସ୍ଥ ହେଲୁ । ଏତେବେଳେ ଚକ୍ଷୁ ଓ କର୍ଣ୍ଣକୁ ବିରାମ ମିଳିଲା । ବିନ ବଟୁଆ ବାହାର କରି ପାନ ଖାଇଲେ । ମୁଁ ଖଣ୍ଡିଏ ସିଗାରେଟ ଲଗାଇ ସତେଜ ହୋଇଗଲି । ସେତେବେଳକୁ ରାତି ପ୍ରାୟ ସାଢ଼େ ତିନି । ଆଉ କୌଣସି ଜନ୍ତୁ ଆସିବାର ସମ୍ଭାବନା ନଥିଲା । ତେବେ ଶେଷରାତିଟା ନିଦ୍ରାଯାଇ ଅନିଦ୍ରା ଦୋଷଟା ଦୂର କରାଯାଉ । ଆମେ ଦୁହେଁ ମଞ୍ଚା ଉପରେ ଆରାମରେ ଶୋଇଗଲୁ ।

 

ପ୍ରଭାତ ହେଲା । ବିନ କେତେବେଳୁ ଉଠିଲେଣି, ମୋତେ ଆଗୋଚର । ଯେତେବେଳେ ସେ ମୋର ଦେହ ସ୍ପର୍ଶ କରି ଶିକାର ଆଗମନର ସୂଚନା ଦେଲେ ମୁଁ ନିଦ୍ରାଳସରେ ଟିକିଏ ଚଞ୍ଚଳ ହୋଇପଡ଼ିଲି । ତା’ ଫଳରେ ସାମାନ୍ୟ ଶବ୍ଦ ହେଲା । ବାର୍‍ହା ପଲଟା ହୁରୁଡ଼ି ପାଣିକୂଳରୁ ପଳାଇଲେ । ସେଥିପାଇଁ ମନରେ ଶୋଚନା ନଥିଲା । କାରଣ ଗୋଟିଏ ଗୁଳିରେ ତ ଦୁଇଟି ଶିକାର ହୋଇସାରିଛି ।

 

ଆମେ ମଞ୍ଚାରୁ ଓହ୍ଲାଇଲୁ । ପାଣିକୂଳଟା ଟିକିଏ ତଦାରଖ କରିନେବାର କୌତୁହଳ ସମ୍ବରଣ କରିପାରିଲି ନାହିଁ । ଗୋଟିଏ ସ୍ଥାନରେ ଦେଖିଲି ମୋର ଚିରପରିଚିତ ବାଘୁଣୀ ତା’ର ଛୁଆ ଦୁଇଟିଙ୍କ ସହ ପାଣି ଖାଇ ଚାଲିଯାଇଛି । ବାଘୁଣୀ ଖୋଜର ପ୍ରତିଟି ଆଙ୍ଗୁଳିର ଚିହ୍ନ ପର୍ଯ୍ୟନ୍ତ ବର୍ତ୍ତମାନ ମୋର ନଖଦର୍ପଣରେ । ପାଦଚିହ୍ନରେ ଥିବା ପାଣି ଗୋଳିଆ ଥିଲା । ଏଥିରୁ ନିଃସନ୍ଦେହରେ କୁହାଯାଇପାରେ ଯେ, ସେମାନେ ଭୋର ଭୋର ପାଣି ଖାଇଛନ୍ତି । ଛୁଆ ଦୁଇଟି ସାତଆଠ ମାସର ବୋଲି ଅନୁମିତ ହୁଏ । ଛୁଆଦୁଇଟି ଏବେ ମଧ୍ୟ ମାଆର ତତ୍ତ୍ଵାବଧାନରେ ଅଛନ୍ତି-। ସ୍ତନ୍ୟଦାତ୍ରୀ ମାତାକୁ ନିହତ କରି ଦୁଗ୍ଧପୋଷ୍ୟ ଶିଶୁ ଦୁଇଟିଙ୍କୁ ଅନାଥ କରିବାର ବାସନା ମୋର ଏବେବି ମନରେ ସ୍ଥାନ ପାଇନାହିଁ ।

 

ବିନ ଆମର ଅର୍ଜିତ ଶିକାର ଦୁଇଟିକୁ ଜଗିକରି ରହିଲେ । ମୁଁ ଘରକୁ ଫେରି ଶିକାର ଆଣିବାସକାଶେ ଲୋକ ପଠାଇଦେଲି । ରାଜାସ ହେବ ଶିଙ୍ଘାଳ ଦୁଇଟିକୁ ଦେଖି ଖୁବ୍ ଖୁସି ହେଲେ ଏବଂ କହିଲେ, “ଦେଖ ତୁ ଇଚ୍ଛା କରୁ ନଥିଲୁ । ମୁଁ ପଠାଇବାକୁ କିପରି ଶିକାର ହେଲା !” ସେ ପ୍ରଲୋଭିତ ହୋଇ ଶିଙ୍ଘ ଦୁଇଯୋଡ଼ା ରଖିନେଲେ । ବାସ୍ତବିକ ଶିଙ୍ଘଗୁଡ଼ିକ ସ୍ମାରକଯୋଗ୍ୟ ଥିଲା ।

 

ଖୋର୍ଦ୍ଧାର ଜଣେ ଶିକାରୀ ବନ୍ଧୁଙ୍କ ନିକଟକୁ ମୁଁ କିଛି ହରିଣମାଂସ ପଠାଇ ଦେଇଥିଲି । ସେ ମାଂସ ଖାଇ ସୁଆଦିଗଲେ । ଦିନ ଆଠଟା ନ ଯାଉଣୁ ଆସି ଆମ ଘରଠି ହାଜର । କ’ଣ ନା, ଶିକାର କରିବାକୁ ଯିବା । ବଡ଼ ମୁସ୍କିଲ କଥା ହେଲା ଚଇତାଳି ପବନ ସକାଶେ ମୁଁ ଶିକାର କରିବା ଛାଡ଼ିଦେଇଛି । ବନ୍ଧୁଙ୍କର ଏକା ଜିଦ୍, ଯାହାହେଉ ଗୋଟିଏ ଦିନ ଶିକାର କରିବାକୁ ଯିବା । ସେଦିନ ପ୍ରାତଃଭୋଜନ ପରେ ବନ୍ଧୁଙ୍କ ସହିତ ଜଙ୍ଗଲ ଅଭିମୁଖେ ଯାତ୍ରା କଲି ।

 

ଆମେ ଜଙ୍ଗଲର ଅନେକ ଦୂର ପର୍ଯ୍ୟନ୍ତ ଚାଲିଗଲୁ । ଶିକାରର କୌଣସି ସନ୍ଧାନ ମିଳିଲା ନାହିଁ । ବନ୍ଧୁବର କୁକୁଡ଼ା କି ମୟୂରଟାଏ ହେଲେ ମାରିବାପାଇଁ ବ୍ୟାକୁଳ ହୋଇପଡ଼ିଲେ । ମାତ୍ର ତାହାମଧ୍ୟ ଭାଗ୍ୟରେ ଯୁଟିଲା ନାହିଁ । ହଠାତ ମୋର ‘ବାଘ ଖାତ ସୋରା’ କଥା ସ୍ମୃତିରେ ଜାଗ୍ରତ ହେଲା । ନିବିଡ଼ ଜଙ୍ଗଲମଧ୍ୟରେ ଏ ସ୍ଥାନଟି ଅବସ୍ଥିତ । ଏଠାରେ ବର୍ଷାପାଣି କିଛିଦିନ ପାଇଁ କମିଯାଏ । ସ୍ଥାନଟି ବନଲତାଘେରା ନିକାଞ୍ଚନ ସ୍ଥଳ ଯୋଗୁଁ ବନ୍ୟ ପ୍ରାଣୀ ନିର୍ଭୟରେ ଆସି ଜଳପାନ କରନ୍ତି । ଏଇ ଅଳ୍ପଦିନ ଆଗରୁ ଅସରାଏ ବଡ଼ ବର୍ଷା ହୋଇଯାଇଥିଲା । ଯଦି ସେଠାରେ ପାଣି ଥିବ, ତେବେ ଜଗିଲେ ଶିକାର ମିଳିବାର ସମ୍ଭାବନା ଅଛି ।

 

ଆମେ ସିଧାସଳଖ ସେହି ସ୍ଥାନ ଉଦ୍ଦେଶ୍ୟରେ ଚାଲିଲୁ । ଘଟନାସ୍ଥଳରେ ପହଞ୍ଚି ଦେଖିଲି ପାଣି ଖୁବ୍ କମ୍ ଅଛି । ପାଣିକୂଳରେ ବାର୍‍ହା, ହରିଣ, ସମ୍ବର, କୁଟ୍ରା ଆଦିଙ୍କର ଅସଂଖ୍ୟ ପାଦଚିହ୍ନ ବିଦ୍ୟମାନ ଥିଲା ସେଠାରେ ଗୋଟିଏ ରାତି ଜଗି ଭାଗ୍ୟ ପରୀକ୍ଷା କରାଯାଇପାରେ । ପାଣିକୂଳର ଅଦୂରରେ ଗୋଟିଏ ବାଉଁଶ ବୁଦା ଥିଲା । ଆମେ ପ୍ରତିବର୍ଷ ଏହି ବାଉଁଶବୁଦାକୁ ଆମର ଲୁଚି ବସିବା ସ୍ଥାନରୂପେ ବ୍ୟବହାର କରୁ । ତେଣୁ ବସିବା ସ୍ଥାନ ପ୍ରସ୍ତୁତ କରିବାରେ ଅଧିକ ପରିଶ୍ରମ ବା ସମୟ ଲାଗିଲା ନାହିଁ । ତା’ପରେ ଘରକୁ ଫେରିଲୁ ।

 

ଉକ୍ତ ସ୍ଥାନଟା ଆମ ଘର ପାଖରୁ ପ୍ରାୟ ଚାରିମାଇଲ ଦୂର । ବର୍ତ୍ତମାନ ହାତୀଙ୍କ ଉପଦ୍ରବ ଯେପରି, ରାତିରେ ଘରକୁ ଫେରିବା ନିରାପଦ ନୁହେଁ । ତେଣୁ ସେଠାରେ ସାରା ରାତି ପହରା ଦେବାକୁ ହେବ । ସେଥିପାଇଁ ଖାଦ୍ୟପେୟ ଆଦିର ବ୍ୟବସ୍ଥା କରିବାକୁ ପଡ଼ିଲା । ଅପରାହ୍ନ ଦୁଇଟା ସମୟରେ ପୁଣି ଶିକାର ଅଭିଯାନରେ ବାହାରିପଡ଼ିଲୁ । ମୋର ଶିକାରସାଥୀ ବିନ ଆମ ସହିତ ଯୋଗ ଦେଲେ । ଘଟନାସ୍ଥଳରେ ପହଞ୍ଚିବାବେଳକୁ ଚାରିଟା ସମୟ ।

 

ଆମେ ଆସ୍ଥାନ ଜମାଇ ବାଡ଼ରେ ବସିଗଲୁ । ତିନିଜଣ ଲୋକ ବସିବା ସକାଶେ ସ୍ଥାନଟି ଯଥେଷ୍ଟ ପ୍ରଶସ୍ତ ନଥିଲା । ତେଣୁ ଏକ ଅସ୍ଵସ୍ତିକର ପରିସ୍ଥିତିରେ ରାତ୍ରି ଯାପନ କରିବାକୁ ହେବ । ଗୁଳି କରିବା ଦାୟିତ୍ୱ ବନ୍ଧୁଙ୍କ ଉପରେ । ମୁଁ ଖାଲି ଖାଲି ବସି ନାନା ଭାବନାରେ ବୁଡ଼ିଗଲି । ପବନର ବେଗ କ୍ରମେ ବଢ଼ିବାକୁ ଲାଗିଲା । ଶିକାର ଆଶା କ୍ରମେ କ୍ଷୀଣରୁ କ୍ଷୀଣତର ହୋଇଆସୁଛି । ଦିନ ଅବସାନ ହେବାକୁ ଡେରି ନାହିଁ । ଏହି ସମୟରେ ମୟୂର, କୁକୁଡ଼ା ଆଦି ପକ୍ଷୀଙ୍କର ପାଣି ଖାଇବା ସମୟ । କିନ୍ତୁ ଗୋଟିଏ ହେଲେ କପୋତର ସାକ୍ଷାତ ନାହିଁ ।

 

ସୂର୍ଯ୍ୟଦେବ ଅସ୍ତାଚଳରେ ବୁଡ଼ିଗଲେ । କ୍ରମେ ଅନ୍ଧାର ଘୋଟିଆସିଲା ପାଣିକୂଳ ଦେଖାଗଲା ନାହିଁ । ପବନର ବେଗ ବଢ଼ି ଚାଲିଥାଏ । ଚତୁର୍ଦ୍ଦିଗରେ ଖଡ଼ଖଡ଼, ଝରଝର, ସୁ-ସୁ ଶବ୍ଦ-। ସମୟ ସମୟରେ ଦମକା ପବନରେ ଡାଳକୁ ଡାଳ, ବାଉଁଶକୁ ବାଉଁଶ ବାଡ଼େଇ ହେଉଥାଏ-। ଏସବୁ ଶବ୍ଦ ପବନର ନା କୌଣସି ଜନ୍ତୁର ତା’ ସଠିକ କହିବା କଠିନ । ଆମର ଏକମାତ୍ର ଭୟର କାରଣ ଥିଲା ହାତୀ ।

 

ରାତି ନଅଟା ସମୟ । ଚନ୍ଦ୍ରଦେବ ପ୍ରକାଶ ପାଇଲେ । ପାଣିକୂଳ, ବନଲତା ଦୃଷ୍ଟିଗୋଚର ହେଲା । ଆମେ ଟିକିଏ ଆଶ୍ୱସ୍ତ ହେଲୁ । କିନ୍ତୁ ଶିକାରରେ ଯେପରି ମନଯୋଗ ଆକର୍ଷଣ ହେବାର କଥା ସେପରି ହେଲା ନାହିଁ । ମୁଁ ଅନ୍ୟମନସ୍କ ହୋଇପଡ଼ିଲି । ଭାବୁଥାଏ କେତେବେଳେ ରାତି ପାହିବ । ବାଉଁଶକୁ ଆଉଜି ମୁଁ ବେଶ୍ ନିଦଟାଏ ଶୋଇଗଲି । ଏପରି ମୋର ଅଭ୍ୟାସ ଅଛି । ଶିକାର ସମୟରେ ମୁଁ ବସି ନିଦ୍ରା ଯାଇପାରେ । ବଡ଼ ବିରକ୍ତିକର ପରିବେଶ ମଧ୍ୟରେ ରାତି ପାହିଲା ।

 

ସକାଳୁ ଦେଖାଗଲା ଘନ କୁହୁଡ଼ିର ଆସ୍ତରଣରେ ସମସ୍ତ ଜଙ୍ଗଲଟା ଆଚ୍ଛାଦିତ ହୋଇଯାଇଛି । ଶିଶିର ପଡ଼ି ଘାସ ତିନ୍ତିଯାଇଛି । ପବନରେ ଶୀତର ସ୍ପଷ୍ଟ ଶିହରଣ । ଆମେ ପ୍ରଥମେ ସେଠାରେ ନିତ୍ୟକର୍ମ ଶେଷ କରିନେଲୁ । ତା’ପରେ ଆମ ମଧ୍ୟରେ ଏକ ଯୁଦ୍ଧ ମନ୍ତ୍ରଣା ସଭା ବସିଲା । ମୋର ମତ କାନମୁଣ୍ଡା ଆଉଁଶି ଚୁପ୍‍ଚାପ୍ ଘରକୁ ଫେରିଯିବା । ବନ୍ଧୁଙ୍କର ଇଚ୍ଛା, ଜଙ୍ଗଲରେ ସନ୍ଧାନ ଚଳାଇ ଯଥାସାଧ୍ୟ ଚେଷ୍ଟା କରିବା । ବିନଙ୍କର ‘ନ ଯଯୌ ନ ତସ୍ଥୌ’ ଅବସ୍ଥା । ଅବଶେଷରେ ବନ୍ଧୁଙ୍କର ରାୟ ବଜାୟ ରହିଲା ।

 

କୁହୁଡ଼ି ଧୀରେ ଧୀରେ ପତଳା ହୋଇଆସୁଛି । ଆମେ ବନ୍ୟ ପ୍ରାଣୀଙ୍କର ଏକ ଯାତାୟାତ ରାସ୍ତା ଧରି ଚାଲିଛୁ । ଏବାର ଗୁଳି କରିବା ଭାର ମୋ ଉପରେ ପଡ଼ିଲା । କାରଣ ବନ୍ଧୁ ଜଙ୍ଗଲର ବାଟଘାଟ ସମ୍ବନ୍ଧରେ ଅନଭିଜ୍ଞ । ପରନ୍ତୁ ଜଙ୍ଗଲରେ ନିଜ ଦେହକୁ ଛପେଇ ଶିକାରର ପିଛା କରିବାରେ ସେ ଅଭ୍ୟସ୍ତ ନୁହନ୍ତି ମୁଁ ଆଗେ ଆଗେ ଚାଲୁଥାଏ, ସେମାନେ ମୋ’ ଠାରୁ କୋଡ଼ିଏ ହାତ ବ୍ୟବଧାନରେ ଚାଲୁଥାନ୍ତି । ଚତୁର୍ଦ୍ଦିଗରେ ତୀକ୍ଷ୍ଣ ଦୃଷ୍ଟିରଖି, ଧୀର ପଦକ୍ଷେପରେ ଚାଲିଥାଏ । ବେଳେବେଳେ ମୁଁ ଡାଳପତ୍ରର ସଞ୍ଚାଳନ ଶବ୍ଦରେ ଚମକିପଡ଼େ । କୌଣସି ଶିକାର ଆସିଲା କି ? କିନ୍ତୁ କିଛିକ୍ଷଣ ପରେ ମୋର ସେ ଭ୍ରମ ଦୂର ହୋଇଯାଏ । ଜଙ୍ଗଲର ତଳ ଶୁଷ୍କପତ୍ରର ଆସ୍ତରଣରେ ଭରିଯାଇଥିଲା । ଏଣୁ ଖୋଜି ଧରି ପିଛା କରିବା ଏକବାରକେ ଅସମ୍ଭବ-। ରାସ୍ତାଟା ଅଙ୍କାବଙ୍କା, ଉଠାଣି ଗଡ଼ାଣି ଦେଇ ଲମ୍ବିଯାଇଛି । ଦୀର୍ଘ ପଥ ଅତିକ୍ରମ କରିବା ପରେ ଏକ ଦୋଛକି ସ୍ଥାନରେ ପହଞ୍ଚିଲୁ ।

 

ଏ ସ୍ଥାନରୁ ଗୋଟିଏ ରାସ୍ତା ସମକୋଣଭାବେ ପୂର୍ବଦିଗରୁ ପତଳା ଜଙ୍ଗଲ ମଧ୍ୟଦେଇ ଯାଇଛି । ଅନ୍ୟଟି ସିଧାସଳଖ ଘନ ସନ୍ନିବଦ୍ଧ ଜଙ୍ଗଲ ଦେଇ ଯାଇଛି । ସେ ରାସ୍ତାଟା ଏତେ ନିବିଡ଼ ଯେ ସେହିପରି ଅଣ୍ଟା କନକନ କରେ । ଶେଷୋକ୍ତ ରାସ୍ତାରେ ଯିବା ସକାଶେ ବିନ ମତେ ପ୍ରଭାବିତ କଲେ । ତାଙ୍କର ଯୁକ୍ତି–ବନ୍ୟପ୍ରାଣୀ ପବନ ଭୟରେ ବନଗହଳରେ ଲୁଚିଥିବେ, ସାକ୍ଷାତ ମିଳିପାରେ-। ଅନେକ ସମୟରେ ପ୍ରବୀଣ ଶିକାରୀ ମଧ୍ୟ ପରିବାରଙ୍କ କଥାରେ ପ୍ରଭାବିତ ହୋଇଥାନ୍ତି-। ଆଉ ମଧ୍ୟ ଅଭିଜ୍ଞ ସାଥୀଙ୍କର ପରାମର୍ଶ ମାନିନେବା ଶିକାରୀଙ୍କ ପକ୍ଷରେ ଉଚିତ । ଅତଏବ ଆମେ ଉକ୍ତ ନିବିଡ଼ ବନପଥରେ ଅଗ୍ରସର ହେଲୁ ।

 

ଆମେ ନଇଁ ନଇଁ, ବସି ବସି ଚାଲିଥାଉ । ଅର୍ଦ୍ଧାଧିକ ପଥ ଅତିକ୍ରମ କରିବାପରେ ଗୋଟିଏ ସ୍ଥାନରେ ଉପସ୍ଥିତ ହେଲୁ, ଯେଉଁଠାରେ କି ହାତୀର ସ୍ତୂପୀକୃତ ମଳ ଦୃଷ୍ଟିଗୋଚର ହେଲା-। ବାଡ଼ି ମାରି ଦେଖିଲି ଲଣ୍ଡିଗୁଡ଼ାକ ଖୁବ୍ ତଟକା । ସେଥିରୁ ଅନୁମାନ ସେ ମାତ୍ର କେତେ ମିନିଟ ଆଗରୁ ଏ ସ୍ଥାନ ତ୍ୟାଗ କରିଛି । ହାତୀଟା ଯେ ସେ ସ୍ଥାନ ତ୍ୟାଗ କରି ଚାଲିଯାଇଛି ସେଥିପାଇଁ ମୁଁ ତାହାପ୍ରତି ବିଶେଷ କୃତଜ୍ଞ ହେଲି । କାରଣ ଏଠାରେ କଡ଼ ବୁଲେଇବାର ରାହା ନାହିଁ-। ଏପରି ଏକ ସ୍ଥାନରେ ହଠାତ ହାତୀ ସମ୍ମୁଖରେ ପଡ଼ିବା ଘୋର ଦୁର୍ଭାଗ୍ୟର କଥା ହୋଇଥାନ୍ତା ।

 

ମୁଁ ବିରକ୍ତିସୂଚକ ଦୃଷ୍ଟିରେ ବିନଙ୍କୁ ଚାହିଁ ମନେମନେ ଖୁବ୍ ଶୋଧନା ଦେଲି । ବିଶେଷ ପ୍ରୟୋଜନ ନ ହେଲେ ଆମେ କେବେହେଲେ ଜଙ୍ଗଲ ମଧ୍ୟରେ କଥାବାର୍ତ୍ତା କରୁନାହିଁ । ଇଙ୍ଗିତଦ୍ଵାରା ସାଥୀ ଦୁହିଁଙ୍କୁ ସାବଧାନ ରହିବାକୁ ତାଗିଦ୍ କରିଦେଲି । ଏ ଦୁର୍ଗମ ପଥଟା ଅତିକ୍ରମ କରିଗଲେ ମଣିଷ ଆଶ୍ୱସ୍ତିର ନିଃଶ୍ଵାସ ମାରିବ । ଆହୁରି କିଛିଦୂର ଅଗ୍ରସର ହେବାପରେ ଆମେ ଏକ ପତଳା ଜଙ୍ଗଲକୁ ବାହାରି ପଡ଼ିଲୁ । ମୁଁ ଟିକିଏ ଅଣ୍ଟା ସଳଖି ସୁସ୍ଥ ହେଲି । ଅତି ସାବଧାନତା ଅବଲମ୍ବନ ପୂର୍ବକ ଆଗେଇ ଚାଲିଥାଉ । ପବନ କ୍ରମାଗତ ବହି ଚାଲିଥାଏ । ପ୍ରତି ମୁହୂର୍ତ୍ତରେ ଆଶଙ୍କା, ହତୀଟାର ହାବୁଡ଼ରେ ପଡ଼ିଯିବୁ । ଛାତି ଧଡ଼ଧଡ଼ କରୁଥାଏ । ବନ୍ଧୁକଟା ବାଗେଇ ଧରିଲି । ଆହୁରି କିଛି ଦୂର ଯିବାପରେ ଏକ ଘନ ବାଉଁଶବୁଦାଭରା ଅଞ୍ଚଳରେ ପ୍ରବେଶ କଲୁ । ଶିକାରର ଅନୁକୂଳ ଜାଗା ଏଇଟା-

 

କିନ୍ତୁ ଶିକାରର କୌଣସି ସୂଚନା ମିଳିଲା ନାହିଁ । ଆମେ ଆଗେଇ ଚାଲିଛୁ । ହଠାତ ସମ୍ମୁଖଦିଗରୁ ତାଳପତ୍ର ଭାଙ୍ଗିବାର ଶବ୍ଦ ଶୁଣାଗଲା । ଚୁପ୍‍ଚାପ୍ ବସିଗଲୁ ସମସ୍ତେ । ପୁଣି ସେହି ଶବ୍ଦ । ମାତ୍ର କେତେ ପାହୁଣ୍ଡ ଆଗେଇଯାଇ ଦେଖିଲି ମୋର ସମ୍ମୁଖରେ କିଞ୍ଚିତ୍ ଡାହାଣରେ ଗୋଟିଏ ବାଉଁଶ ବୁଦା ଭିତରେ ବାଉଁଶ ପତ୍ର ଖାଇ ଖାଇ ଚାଲିଛନ୍ତି ମାଈ ହାତୀ ଦୁଇଟା । ଆଉ ଦନ୍ତା ହାତୀଟା ବାଉଁଶ ବୁଦା ଆଢ଼ୁଆଳରେ କାନ ଠିଆ କରି, ଶୁଣ୍ଢ ଉଠାଇ ସ୍ଥିର ଭାବରେ ଠିଆ ହୋଇଛି । ମୂର୍ତ୍ତିମାନ ବିଭୀଷିକା ପରି ହାତୀଟାର ନିର୍ଭୟ ଭଙ୍ଗୀ । ମୋ ପକ୍ଷରେ ଏଇ ସମୟଟା ଅନ୍ତକାଳ ପରି ମନେ ହେଉଥିଲା । ସେ ନିଶ୍ଚୟ ଆମର ଆଭାସ ପାଇଛି । ଆମ ପାଖରୁ ତା’ର ଦୂରତ୍ଵ ପ୍ରାୟ ପଚାଶ ଗଜ ।

 

ମୁଁ ନିଶ୍ଚଳ ଭାବରେ ଠିଆ ହୋଇଥାଏ । ହାତୀ ବର୍ତ୍ତମାନ ସନ୍ଦେହ ଦୋଳାରେ ଦୋଳାୟିତ । ଏଭଳି ଅବସ୍ଥାରେ ପଳାୟନ ପନ୍ଥା ଧରି ନିଜକୁ ତା’ ନିକଟରେ ଧରା ଦେବା ନିର୍ବୋଧତା ହେବ । ବନ୍ଧୁକ ଉଠାଇ ଆକ୍ରମଣର ପ୍ରତୀକ୍ଷାରେ ରହିଲି । ସେ ଆକ୍ରମଣ କଲେ ତେଣିକି ମୋତେ ଯାହା ଦିଶିବ ତା’ କରିବି । ଏହି ସମୟରେ ଦମକାଏ ପ୍ରତିକୂଳ ପବନ ଆମର ଭେଦ ଖୋଲିଦେଲା । ସେ ବିନ୍ଦୁମାତ୍ର ଇତସ୍ତତଃ ନ ହୋଇ ଏବଂ କିଛି ମାତ୍ର ଆଭାସ ନ ଦେଇ ମୁହୂର୍ତ୍ତକ ମଧ୍ୟରେ ମୁହଁ ଫେରାଇ ଦୌଡ଼ ଆରମ୍ଭ କରିଦେଲା । ତା’ ପଛେ ପଛେ ମାଈ ହାତୀ ଦୁଇଟା । ସେ ଦୌଡ଼ିବା ସମୟରେ ଏପରି ଏକ ପ୍ରଚଣ୍ଡ ଶବ୍ଦ କଲା ଯେ, ମୋର ପାଦତଳେ ମାଟି ଥରିଉଠିଲା । ବଣବୁଦା ମାଡ଼ି ପଳାଇବାର ଶବ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଣାଯାଉଥାଏ । ଭାଗ୍ୟ ଭଲ, ହାତୀ ଆମକୁ ଆକ୍ରମଣ କରିନାହିଁ । କରିଥିଲେ ବୋଧହୁଏ ଆଜି ମୁଁ ଏ ପ୍ରବନ୍ଧ ଲେଖିବାକୁ ନଥାନ୍ତି । ଯେତେଦୂର ସମ୍ଭବ ସେ ହାତୀଟା ନରପ୍ରଭାବ ସହିତ ବେଶ୍ ପରିଚିତ ।

 

ବିଶ୍ରାମ ସକାଶେ ଆମେ ସେଠାରେ କିଛି ସମୟ ବସିଗଲୁ । ବନ୍ଧୁ ଶିକାର ନ ପାଇ ଖୁବ୍ ହତାଶ ହୋଇପଡ଼ିଲେ । ଏଇସବୁ ହତାଶାପାଇଁ ତ ଶିକାର ଏତେ ଆକର୍ଷଣୀୟ । ପ୍ରତି ଥର ଯଦି ଶିକାରରେ ସାଫଲ୍ୟ ଲାଭ ହୁଅନ୍ତ ତେବେ ଏଥିରେ କୌଣସି ଉତ୍ତେଜନା ନଥାନ୍ତା । ସମସ୍ତେ ଯଦି ଏଇଭାବେ କଥାଟା ବୁଝନ୍ତେ ତେବେ ବଡ଼ ଭଲ ହୁଅନ୍ତା । ବେଳ ସାଢ଼େ ଆଠଟା ହେଲାଣି । ଆଉ ଆଗେଇ ଲାଭ ନାହିଁ । ଫେରିବା ରାସ୍ତା ଧରି ଧୀରେ ଧୀରେ ଅଗ୍ରସର ହେଲୁ ।

 

ରାଢ଼ବା ମୁଣ୍ଡିଆ–ପଟିଆଜଙ୍ଗଲର ଏକ ଛୋଟ ପାହାଡ଼ । ମୁଣ୍ଡିଆର ପୂର୍ବ ଦିଗ ଅଧିତ୍ୟକା ଅଞ୍ଚଳରେ ଉପସ୍ଥିତ ହେଲୁ । ଏ ଅଞ୍ଚଳଟାର ନାମ ‘ଛାଟବର’ । ଏଠାରେ ଗୋଟିଏ ବଡ଼ ବରଗଛ ଅଛି । ଫେରିବା ରାସ୍ତାରେ ଫଳଭରା ଗଛଟା ପଡ଼ିଲା । ସେଥିରୁ ସୁପକ୍ଵ ଫଳ ଝଡ଼ି ତଳେ ପଡ଼ୁଥାଏ । ପାଚିଲା ବରଫଳ ହରିଣ, କୁଟ୍ରା, ବରାହ ଆଦି ପଶୁ ଓ ମୟୂର କୁକୁଡ଼ା ଆଦି ପକ୍ଷୀଙ୍କର ଅତି ସୁମିଷ୍ଟ ଖାଦ୍ୟ । ଗଛମୂଳରେ ପଶୁପକ୍ଷୀଙ୍କର ପାଦଚିହ୍ନ ଦେଖିବାରେ ଆମେ ଲାଗିପଡ଼ିଛୁ, ଅଦୂରରେ ମୟୂରଙ୍କର ଡାକ ଶୁଣାଗଲା । ମୋର ବନ୍ଧୁ ମୟୂରଡ଼ାକରେ ଖୁବ୍ ପ୍ରଲୁବ୍ଧ ହୋଇପଡ଼ିଲେ-। ତାଙ୍କର ବିଚାର–ମୟୂର ନିଶ୍ଚୟ ଫଳ ଖାଇବାକୁ ଆସିବେ । ଏଠାରେ କିଛି ସମୟ ବସି ଚେଷ୍ଟା କରିବା । ମୋର ଅନିଚ୍ଛାସତ୍ତ୍ୱେ ତାହାହିଁ ହେଲା ।

 

ଆମେ ବରଗଛରେ ଚଢ଼ି ବସିଗଲୁ । ମୁଁ ମୟୂର ଶିକାର କରେ ନାହିଁ, କିମ୍ବା ମୟୂର ମାଂସ ଖାଏ ନାହିଁ । ମୋର ମାଆ ମୋତେ ମୟୂର ଶିକାର କରିବାକୁ ବାରଣ କରିଥିଲେ । ତାହାର କାରଣ–ସେ ଭଞ୍ଜବଂଶର ଝିଅ । ଭଞ୍ଜବଂଶୀୟ କ୍ଷତ୍ରିୟମାନେ ମୟୂର ଶିକାର କରନ୍ତି ନାହିଁ କି ମୟୂର ମାଂସ ଖାଆନ୍ତି ନାହିଁ । ମୟୂର ଚନ୍ଦ୍ରିକା ଶିରରେ ଧାରଣ କରନ୍ତି ।

 

ବନ୍ଧୁ ତାଙ୍କର ବନ୍ଧୁକ ଆଣି ନଥିଲେ । ମୋ’ରି ବନ୍ଧୁକଟି ଧରି ଗଛଉପରେ ଗୋଟିଏ ସୁବିଧା ଜାଗାରେ ବସିଗଲେ । ମୁଁ ତାଙ୍କ ପାଖରୁ ଚାରିଫୁଟ ଉପରକୁ ଗୋଟିଏ ଦୋକେନାରେ ବସିଲି । ମୋର ପଶ୍ଚାତ୍‍ ଦିଗରେ ଗୋଟିଏ ମୋଟା ଡାଳରେ ବିନ ବସିଲେ । ମୋର ପରାମର୍ଶ ଅନୁଯାୟୀ ବନ୍ଧୁକର ଡାହାଣ ଚେମ୍ବରରେ ଏଲ. ଜି. ଓ ଅପର ଚେମ୍ବରରେ ଏକ ନମ୍ବର ଛର୍‍ରା ଭରାଗଲା । ସେତେବେଳକୁ ପବନର ବେଗ ଅନେକ ପରିମାଣରେ କମିଯାଇଥିଲା । ମଧ୍ୟେ ମଧ୍ୟେ ମୟୂର ଡାକ ଛାଡ଼ିଥାନ୍ତି । ପକ୍ଵଫଳ ଟୁପ୍‍ଟାପ୍ ଝଡ଼ୁଥାଏ । ଶିକାରର କୌଣସି ସୂଚନା ମିଳୁନାହିଁ । ଏଣେ କ୍ଷୁଧାରେ ପେଟ ଜଳିଲାଣି । ଭଦ୍ରତା ଅନୁରୋଧରେ ବନ୍ଧୁଙ୍କୁ ଏଡ଼ିଦେଇପାରୁନାହିଁ । ମନଟା ତିକ୍ତତାରେ ଭରିଉଠିଲା ।

 

ଅସଂଖ୍ୟ ପକ୍ଷୀ ଗଛଟାରେ ଭରିହୋଇଥାନ୍ତି । ସେମାନଙ୍କର ମଧୁର କଳରବରେ ସ୍ଥାନଟି ମୁଖରିତ ହୋଇଉଠିଥାଏ । ସେମାନଙ୍କର ଅର୍ଦ୍ଧଭକ୍ଷିତ ଫଳ ଓ ମଳ ଆମ ଉପରେ ପଡ଼ୁଥାଏ । ତଥାପି ହଲଚଲ ହେବାର ନୁହେଁ । ପ୍ରାୟ ଅଧଘଣ୍ଟାଏ ସମୟ ଅତିବାହିତ ହୋଇଛି କି ନାହିଁ ଏହି ସମୟରେ ଏକ ମସ୍ତବଡ଼ ହରିଣ ଶିଙ୍ଘାଳ ଦୃଷ୍ଟିଗୋଚର ହେଲା । ସେ ମୋର ସମ୍ମୁଖର କିଞ୍ଚିତ୍ ବାମ ଦିଗରୁ ମନ୍ଦ ମନ୍ଥର ଗତିରେ ଚାଲିଆସୁଛି । ତାହାର ଦୃଷ୍ଟି ବରଫଳ ଉପରେ ନିବଦ୍ଧ ଥାଏ । ରହି ରହି ଫଳ ଖାଇ ଖାଇ ନିଃଶଙ୍କ ଚିତ୍ତରେ ଆଗେଇ ଆସୁଛି । ଶିଙ୍ଘାଳଟା ବନ୍ଧୁଙ୍କ ଚକ୍ଷୁର ଅନ୍ତରାଳରେ ଥିଲା । ତେଣୁ ମୁଁ ଅତି ନିମ୍ନସ୍ଵରରେ ପକ୍ଷୀଙ୍କ ଡାକ ପରି ଡାକିଲି । ବନ୍ଧୁ ଊର୍ଦ୍ଧ୍ଵଦୃଷ୍ଟିରେ ମୋତେ ଚାହିଁଲେ । ମୁଁ ହସ୍ତ ପ୍ରସାରଣ କରି ବନ୍ଧୁକ ନେବାକୁ ସୂଚନା ଦେଲି । ସେ ସତର୍କତାର ସହ ବନ୍ଧୁକ ଉଠାଇଦେଲେ ।

 

ତରତର ହେବାର କୌଣସି କାରଣ ନାହିଁ । ହରିଣଟାର ମନରେ ବିନ୍ଦୁମାତ୍ର ଆଶଙ୍କା ଜାତ ହୋଇନାହିଁ । ସେ ତା’ର ଉଦରପୂର୍ତ୍ତି କରିବାରେ ଲାଗିପଡ଼ିଛି । ମୁଁ ଗୋଟିଏ ଛୋଟ ଡାଳରେ ବନ୍ଧୁକ ଭରା ରଖି ନିଶାଣ ଲଗାଇଲି । ଶିଙ୍ଘାଳର ବାମ ଚଟୁଆକୁ ଲକ୍ଷ୍ୟ କରିଥାଏ । କେହି ପ୍ରଶ୍ନ କରିପାରନ୍ତି ମୁଣ୍ଡକୁ ଲକ୍ଷ୍ୟ ନ କରି ଚଟୁଆ ଉପରକୁ ଲକ୍ଷ୍ୟ କଲି କାହିଁକି ? ଏହାର ଉତ୍ତର ଅତି ସହଜ ।

 

ଶିଙ୍ଘାଳଟା ପଚାଶ ଷାଠିଏ ଗଜ ଦୂରରେ ଥିଲା । ତଥାପି ବନ୍ଧୁକରେ ବୁଲେଟ କାଟ୍ରିଜ ଲୋଡ଼୍ ହୋଇଥିଲେ କଥା ନଥିଲା । ଏଲ. ଜି ଲୋଡ଼୍ ହୋଇଛି । ଏଲ. ଜି. ଗୁଡ଼ାକ ଦୂରକୁ ଖେଳେଇ ହୋଇଯାଏ । ମୁଣ୍ତଟା ଅଳ୍ପ ପରିସର ସ୍ଥାନ । ତେଣୁ ଏଲ. ଜି. ଲାଗି ନ ପାରେ । ଏପରି ସ୍ଥଳେ ଚଟୁଆ ଉପରକୁ ଲକ୍ଷ୍ୟ କରିବା ଠିକ୍ ହେବ । ସୁତରାଂ ଫ୍ରଣ୍ଟସାଇଟ୍ (ମାଛି) ମିଶିଗଲା ସଙ୍ଗେ ସଙ୍ଗେ ଟ୍ରିଗାର ଦବାଇଦେଲି । ଶିଙ୍ଘାଳଟା ଆଣ୍ଠୁମାଡ଼ି ପଡ଼ିଗଲା । ଆମେ ଗଛରୁ ଓହ୍ଲାଇ ତା’ ପାଖରେ ପହଞ୍ଚିବା ପୂର୍ବରୁ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା ।

 

ଦେଖି ଆଶ୍ଚର୍ଯ୍ୟ ହେଲି, ଶିଙ୍ଘାଳର ଚଟୁଆଠାରୁ ପଛ ଫଡ଼ିଆ ପର୍ଯ୍ୟନ୍ତ ଏକ କାଳ୍ପନିକ ସରଳ ରେଖାରେ ଛଅଇଞ୍ଚ ବ୍ୟବଧାନରେ ଗୋଟିଏ ଲେଖାଏଁ ଏଲ. ଜି. ଲାଗିଛି । ଗୋଟିଏ ହେଲେ ଏଲ. ଜି. ବାଦ୍ ଯାଇନାହିଁ । ସମସ୍ତେ ସାଫଲ୍ୟରେ ଉତ୍‍ଫୁଲ୍ଲ ହୋଇଉଠିଲୁ । ଶିକାରୀର ଭାଗ୍ୟ ଏହିପରି ।

 

ଏ ବିଷୟ ଲେଖୁ ଲେଖୁ ଭାବିବାକୁ ଲାଗିଲି ମୋର ଶିକାରୀ ଜୀବନର କଥା । ବହୁବର୍ଷ ମୁଁ ଶିକାରୀ ହିସାବେ ପଟିଆ, ଚନ୍ଦକା, ହଳଦିଆ, ଡମପଡ଼ା, କଲକଳା, ନରସିଂହପୁର ଆଦି ଜଙ୍ଗଲରେ କଟେଇଛି । ପ୍ରଥମେ ଯେତେବେଳେ ମୁଁ ଶିକାର କରେ, ଯେଉଆଡ଼େ ଚାହିଁଲେ କେବଳ ଚିରଶ୍ୟାମଳ ବନରାଜି ଦୃଷ୍ଟିଗୋଚର ହେଉଥିଲା । ବର୍ତ୍ତମାନ ଯେଉଁଠାରେ ନିଉ କ୍ୟାପିଟାଲ ସହର ଛିଡ଼ା ହୋଇଛି, ସେହି ସ୍ଥାନରେ ମୁଁ ବାଘ ମାରିଛି । ଏଠାରେ ଦିନ ଦୁଇପହରେ ବାଘ ମଣିଷ ଖାଉଥିଲା । ମୋ’ରି ଜୀବଦ୍ଦଶା ମଧ୍ୟରେ ଜଙ୍ଗଲ କ୍ଷେତରେ ପରିଣତ ହୋଇଛି, ଜନବହୁଳ ଶିଳ୍ପନଗରୀରେ ରୂପାନ୍ତରିତ ହୋଇଛି । ଘୋର ଦୁଃଖ ଓ ନୈରାଶ୍ୟର କଥା–ଆଜିକାଲି ଯେଉଁଆଡ଼େ ଚାହିଁଲେ ବନ୍ୟ ସମ୍ପଦ ଲୋପ ପାଇବାକୁ ବସିଲାଣି । ଯେପରି ଦେଖାଯାଉଛି ଆଉ କିଛିଦିନ ପରେ ବନ୍ୟ ପଶୁପକ୍ଷୀଙ୍କର ବଂଶ ଲୋପ ପାଇଯିବା କିଛି ଅସମ୍ଭବ ନୁହେଁ ।

Image

 

ହଳଦିଆଗଡ଼ରେ ଶିକାର

 

ପୂର୍ବେ ଆମ ଓଡ଼ିଶାରେ ଅଠରଟି ଗଡ଼ଜାତ ଓ ଛବିଶଟି କିଲାଜାତ ରାଜ୍ୟ ଥିଲା । ସେଥିମଧ୍ୟରେ ପୁରୀ ଜିଲ୍ଲାର ହଳଦିଆଗଡ଼ ଗୋଟିଏ । ଏହି କ୍ଷୁଦ୍ର କିଲାଟି ଗୋଟିଏ ଇତିହାସପ୍ରସିଦ୍ଧ ସ୍ଥାନ । ହଳଦିଆଗଡ଼ର ପ୍ରାକୃତିକ ପରିବେଶ ଅତି ମନୋରମ । ଗଡ଼ଟିର ତିନି ଦିଗରେ ଉଚ୍ଚ ପର୍ବତଶ୍ରେଣୀ ପ୍ରାଚୀର ସଦୃଶ ଘେରି ରହିଛି । ସେଥିମଧ୍ୟରେ ପୁରାଣବର୍ଣ୍ଣିତ ‘ତାଡ଼କୀ’ ମୁଣ୍ଡିଆ ଅନ୍ୟତମ । ଗୋଟିଏ କିମ୍ବଦନ୍ତୀ ଅଛି–ଶ୍ରୀରାମଚନ୍ଦ୍ର ଏହିଠାରେ ‘ତାଡ଼କୀ’ ଅସୁରୁଣୀକୁ ମାରି ବିଶ୍ଵାମିତ୍ରଙ୍କ ଯଜ୍ଞ ରକ୍ଷା କରିଥିଲେ । ତେଣୁକରି ଏହି ପର୍ବତଟି ‘ତାଡ଼କୀ ମୁଣ୍ଡିଆ’ ନାମରେ ନାମିତ ହୋଇଅଛି । ଅଧୁନା ଏହି ପାହାଡ଼କୁ କାଟି ଗଡ଼ମଧ୍ୟରେ ପ୍ରବେଶ କରିବାର ପଥ ନିର୍ମାଣ କରାଯାଇଛି ।

 

ହଳଦିଆରେ ବିସ୍ତୃତ ଜଙ୍ଗଲ ଅଛି । ପୁଣି ସେ ଜଙ୍ଗଲ ଡମପଡ଼ା ଓ ଖୋରଧା ସଂରକ୍ଷିତ ଜଙ୍ଗଲ ସହିତ ସଂଲଗ୍ନ । ଏହି କାରଣରୁ ଏ ଜଙ୍ଗଲରେ ବହୁସଂଖ୍ୟାରେ ବାଘ, ଭାଲୁ, ହାତୀ, ସମ୍ବର, ହରିଣ, ବାର୍‍ହା ଆଦି ବନ୍ୟ ପଶୁ ବାସ କରନ୍ତି । ଜଙ୍ଗଲଟା ପାହାଡ଼ିଆ ଓ ଘନ କଣ୍ଟକିତ ହୋଇଥିବାରୁ ଶିକାର ସମୟରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଆମ ପଟିଆ ଜଙ୍ଗଲଟା ସମତଳ ଭୂମି; ଏଠାରେ ପାଣି ଓ ଖଦାର ସୁଲଭତା ଏବଂ ଖୋଲା ଜାଗା ଥିବା ଯୋଗୁଁ ଶିକାର କରିବାର ସୁବିଧା ଅନେକ । ହଳଦିଆ ଗୋଟିଏ ବଡ଼ ଗ୍ରାମ କହିଲେ ଚଳେ । କେବଳ ରାଜା ଓ ରାଜବଂଶର ଲୋକେ ଏଠାରେ ବାସ କରନ୍ତି । ସେଥିପାଇଁ ଏଠାରେ ଅନେକ ଶିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ କେତେଜଣ ଧୁରନ୍ଧର ମଧ୍ୟ ।

 

ହଳଦିଆର ବର୍ତ୍ତମାନ ରାଜାସାହେବ ବଡ଼ ଶିକାରପ୍ରେମୀ ଲୋକ । ଶିକାରରେ ତାଙ୍କର ବେଶ୍ ଦକ୍ଷତା ମଧ୍ୟ ଅଛି । ସେ ଶିକାର ଗପ ପଢ଼ିବା ସକାଶେ ‘ପୌରୁଷ’ ପତ୍ରିକାର ପ୍ରକାଶନକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ମୁଁ କେବେ ହଳଦିଆ ଗଲେ ସେ ଗାଧୋଇବା ଖାଇବା ଭୁଲି ମୋ ସହିତ ଶିକାର ଗପରେ ମାତିଯାଆନ୍ତି । ରାଜବାଟିରେ ମୋର ଖିଆପିଆର ବନ୍ଦୋବସ୍ତ ହୁଏ । ହଳଦିଆରେ ମୋ ମାମୁଁ ଘର । ପରେ ସେହି ଗ୍ରାମରେ ମୋର ଝିଅ ବିଭା ହେଲା । ଏଣୁକରି ମୁଁ ମଧ୍ୟେ ମଧ୍ୟେ ସେଠାକୁ ଯାଏଁ । ମୋର ଅଜା ସ୍ୱର୍ଗୀୟ ରତ୍ନାକର ଭଞ୍ଜ ଓଡ଼ିଶାରେ ଜଣେ ବିଖ୍ୟାତ ଶିକାରୀ ଥିଲେ । ଏବେ ତାଙ୍କର ନାତି ଶ୍ରୀମାନ ନାରାୟଣ ସେ ଅଞ୍ଚଳର ଜଣେ ଲବ୍‍ଧ ପ୍ରତିଷ୍ଠା ଶିକାରୀ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛି । ମୁଁ ହଳଦିଆକୁ ଗଲେ ପ୍ରିୟ ଶିକାରକୁ ଯାଇଥାଏ ।

 

ଥରକର ଘଟନା–ମେ’ ମାସ । ଗ୍ରୀଷ୍ମାବକାଶ ହୋଇଥାଏ । ଏହି ସମୟରେ ମୁଁ ହଳଦିଆ ଯାଇଥିଲି । ଦିନେ ଖୁବ୍ ଭୋର ଭୋର ନାରାୟଣ ସହିତ ଶିକାରକୁ ବାହାରିପଡ଼ିଲି । ତା’ର ଡବଲ ବାରେଲ ଟୋପିଦାର୍ ବନ୍ଧୁକଟି ମୁଁ ଧରିଲି । ସେ ଗୋଟିଏ ସିଙ୍ଗଲ ବାରେଲ ବନ୍ଧୁକ ଧରିଲା । ମୁଁ ଜ୍ୟେଷ୍ଠ, ପୁଣି ଅତିଥି । ତେଣୁ ଶିକାରରେ ମୋର ଅଗ୍ରାଧିକାର । ମୁଁ ଆଗରେ, ସେ ମୋର ପଛରେ ଚାଲିଛି । କିଛି ଦୂର ଯିବା ପରେ, ହଳେ ସମ୍ବର ଦୃଷ୍ଟିଗୋଚର ହେଲେ । କିନ୍ତୁ ସେମାନେ ବନ୍ଧୁକ ରେଞ୍ଜରେ ଦୂରରେ ଥିଲେ । ଖରାଦିନ । ଶୁଖିଲା ପତ୍ର ଝଡ଼ି ବିଛାଇ ହୋଇଯାଇଛି । ଲେପ୍‍ଟେଇ କରି ଯାଇ ତାଙ୍କୁ ବନ୍ଧୁକର ରେଞ୍ଜ ମଧ୍ୟକୁ ଆଣିବା ସମ୍ଭବ ନୁହେଁ । ମୁଁ ନାରାୟଣକୁ କହିଲି, “ତୁ ଏମାନଙ୍କ ପିଛା ଧରି ଆସ, ମୁଁ ଆଗକାଟି ଯାଉଛି । ଆଉ ସେମାନଙ୍କର ଗତିପଥର ଦିଗ ପରିବର୍ତ୍ତନ ହେଲେ ମୋତେ ସୂଚନା ଦେଉଥିବୁ ।” ମୁଁ ଆଗକାଟି ଚାଲିଥାଏ । ସେ ମଝିରେ, ମଝିରେ ଡାକି ଦେଉଥାଏ—“ପୂର୍ବକୁ ମୁହଁକରି ଯାଉଛନ୍ତି । ଦକ୍ଷିଣକୁ ମୁହଁକରି ଗଲେ ।” ତଦନୁସାରେ ମୁଁ ମୋର ଗତି ବଦଳାଇ ଯାଉଥାଏ । ଦୁଇ ଜାଗାରେ ସେମାନେ ଦୃଷ୍ଟିଗୋଚର ହେଲେ; କିନ୍ତୁ ଗୁଳି କରିବାର ସୁଯୋଗ ପାଇବା ପୂର୍ବରୁ ଖସି ଚାଲିଯାଆନ୍ତି । ମୁଁ ବନ୍ୟଜନ୍ତୁ ଚଳାଚଳ କରୁଥିବା ଏକ ଡଗର ରାସ୍ତାରେ ଚକ୍ଷୁକର୍ଣ୍ଣକୁ ସଜାଗ କରି ଚାଲିଛି । ନାରାୟଣ ଡାକଦେଲା, “ସମ୍ବର ମୁଣ୍ଡିଆ ଆଡ଼କୁ ମୁହାଁଇଲେ, ଦୌଡ଼ୁଛନ୍ତି ।”

 

ମୁଁ ରହି ରହି ସେମାନଙ୍କର ଶବ୍ଦକୁ କାନେଇ କାନେଇ ଚାଲିଛି । ଅଳ୍ପ ସମୟ ପରେ ସେମାନଙ୍କର ଦ୍ରୁତ ପଳାୟନ ଶବ୍ଦ କର୍ଣ୍ଣଗୋଚର ହେଲା । ସେମାନେ ଖଡ଼୍‍ଖାଡ଼୍ ଶବ୍ଦ କରି ମାଡ଼ିଆସୁଛନ୍ତି । ମୁଁ ଗୋଟିଏ ବୁଦା ଆଢ଼ୁଆଳରେ ଛପି ଛିଡ଼ା ହୋଇଗଲି । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ଟ୍ରିଗରରେ ଆଙ୍ଗୁଳି ରଖି ପ୍ରସ୍ତୁତ ଥାଏ । ଏହି ସମୟରେ ଶିଙ୍ଘାଳଟା (ପୁରୁଷ ସମ୍ବର) ଦ୍ରୁତ ବେଗରେ ଡଗର ପାର ହୋଇ ଘନ ବୁଦା ଅନ୍ତରାଳରେ ଅଦୃଶ୍ୟ ହୋଇଗଲା । ତା’ ପଛେ ପଛେ ମାଈ ସମ୍ବରଟା ଡଗରକୁ ବାହାରିପଡ଼ିଲା । ମୁଁ ସଙ୍ଗେ ସଙ୍ଗେ ଟ୍ରିଗର ଦବାଇ ଦେଇଛି । ସମ୍ବରଟା ଆଣ୍ଠେଇପଡ଼ିଲା; କିନ୍ତୁ ପରମୁହୂର୍ତ୍ତରେ ପୁଣି ଉଠିପଡ଼ି ଦ୍ରୁତ ଗତିରେ ଦୌଡ଼ିଲା । ବହୁତ ଦୂର ପର୍ଯ୍ୟନ୍ତ ତା’ର ଖୁରାଶବ୍ଦ ଶୁଣାଯାଉଥାଏ । ଦ୍ରୁତ ପଳାୟନରତ ଜନ୍ତୁ, ପୁଣି ଟାଣ ଚୋଟ–ଦୁଇଟି କାରଣରୁ ମୋର ଗୁଳିଟା ଠିକ୍ ଲକ୍ଷ୍ୟସ୍ଥଳ ଭେଦ କରିପାରିଲା ନାହିଁ ।

 

ଏଣେ ମୋର ଅବସ୍ଥା ବାରଣ୍ଡା ଦିକଡ଼ା । ବନ୍ଧୁକଟି ୩୦ ଇଞ୍ଚ ବା ରେଲ । ସାଧାରଣତଃ ଛୋଟ ଆଡ଼ା ବନ୍ଧୁକଗୁଡ଼ାକ ଟିକିଏ ପିଛା (ଧକା) କରେ । ତା’ପରେ ଟୋପିଦାର ବନ୍ଧୁକର ନିୟମ–ନିର୍ଦ୍ଦିଷ୍ଟ ପରିଣାମର ବାରୁଦ ଓ ଗୁଳି ପ୍ୟାକିଂ କରିବା । ଯଦି ବାରୁଦ ପରିଣାମ ବେଶି ହୁଏ କିମ୍ବା କଠିନ ପ୍ୟାକିଂ ହୁଏ ତେବେ ଟୋପିଦାର ବନ୍ଧୁକଗୁଡ଼ାକ ଶକ୍ତ ଧକା ମାରେ । ପୁଣି ବନ୍ଧୁକରେ ଚୋଟ ଭର୍ତ୍ତି ହୋଇ ଯଦି କିଛିଦିନ ରହିଗଲା, ତେବେ ଆହୁରି ଜୋର୍‍ରେ ପିଛା କରେ । ଏପରି କେତେକ ଶିକାରୀ ଅଛନ୍ତି, ଏ ନିୟମ ଜାଣିବା ସତ୍ତ୍ୱେ ଜାଣିଶୁଣି ଅଯଥା ଗୁଡ଼ାଏ ବାରୁଦ ଖୁନ୍ଦିଥାନ୍ତି । ସେମାନଙ୍କ ମତରେ ଚୋଟ ଟାଣ ହେଲେ ଜନ୍ତୁଟା ଯେମିତି ଟିପ ଉଠାଇବ ନାହିଁ । ଚୋଟ ଟାଣ ହେଲେ ପିଛା ତ କରିବ ନିଶ୍ଚୟ । ତା’ପରେ ଲକ୍ଷ୍ୟ ଠିକ୍ ହୁଏ ନାହିଁ । ଆମ ନାରାୟଣ ତ ଏକ ବଳିଷ୍ଠ ଯୁବକ । ସେ କହେ, “ବନ୍ଧୁକ ଫିଟିଲେ ଯଦି ଛାତିକୁ ନ ଲାଗେ ତେବେ ବନ୍ଧୁକ ମାରିବ କିଆଁ-?” ଏଥିରୁ ଅନୁମାନ, ନାରାୟଣ ଟାଣ ଚୋଟ ଭରିଥିଲା । ଜଲ୍‍ଦିବାଜି କାରଣରୁ ମୁଁ ବନ୍ଧୁକ ଛାତିରେ ଭିଡ଼ିବା ମଧ୍ୟ କୋହଳ ହୋଇଯାଇଥିଲା । ସୁତରାଂ ଫାୟାର କରିବା ସଙ୍ଗେ ସଙ୍ଗେ ମୋ କାନ୍ଧରେ ଏତେ ଜୋର୍‍ରେ ଧକା ଲାଗିଲା ଯେ, ମୁଁ ହତଜ୍ଞାନ । ମୋ ଆଖିକୁ ଅନ୍ଧାର ଦିଶିଲା-। ମୁଁ ପଡ଼ୁ ପଡ଼ୁ ରକ୍ଷା ପାଇଗଲି । ବସିପଡ଼ି ବେଦନା ଦୂର କରୁଛି, ନାରାୟଣ ଆସି ପହୁଞ୍ଚିଲା-

 

ସେ ମୋର ଅବସ୍ଥା ଦେଖି ଟିକିଏ ଦୁଃଖିତ ଓ ଲଜ୍ଜିତ ହେଲା । କିଛି ସମୟ ପରେ ମୁଁ ଟିକିଏ ସୁସ୍ଥ ହେଲି । ବନ୍ଧୁକର ଡାହାଣ ନଳାଟି ଖାଲି ହୋଇଯାଇଥିଲା । ମୋର ପରାମର୍ଶରେ ସେ ଚୋଟ ଭରିନେଲା । ତା’ପରେ ମାଡ଼ ସ୍ଥାନଟା ତଦାରଖ କରିବା କଥା । ମାଡ଼ ସ୍ଥାନରେ କେତେଗୁଡ଼ିଏ କଟାରୁମ ଓ ଉପୁଡ଼ା ରୁମ ପଡ଼ିଥିଲା । ୨।୪ ବିନ୍ଦୁ ରକ୍ତ ଛିଞ୍ଚାଡ଼ିଲା ପରି ପଡ଼ିଥିଲା । ଗୁଳିଟା ଗୋଟିଏ ବୁଦାରେ ଲାଗି ଡାଳପତ୍ର ଭାଙ୍ଗି ଚାଲିଯାଇଥିଲା ।

 

ପ୍ରଥମେ ଦେଖାଯାଉ, ପଡ଼ିଥିବା ରୁମ । କଟାରୁମ ପଡ଼ିଥିବାରୁ ଜଣାଯାଏ ଯେ, ଗୁଳିଟା ସମ୍ବର ଦେହରେ ଭେଦ କରିନାହିଁ । ସମ୍ବର ଦେହରେ ଗୁଳି ଭେଦ କରିଥିଲେ ଏତେଗୁଡ଼ାଏ ରୁମ ପଡ଼ି ନ ଥାନ୍ତା ।

 

ସୁତରାଂ ଗୁଳିଟା ତା’ର ପିଠି ଉପରେ କାଟିଦେଇ ଚାଲି ଯାଇଛି । ଯାହା ହେଉ ଖଣ୍ଡେ ଦୂର ପିଛା କରି ଦେଖିନେବା ଉଚିତ ହେବ । ସମ୍ବର ଦୁଇଟା ପାହାଡ଼ ଉପରକୁ ଉଠିଲେ । ଏବାର ନାରାୟଣ ଡବଲ ବାରେଲଟା ଧରି ଆଗରେ ଚାଲିଲା । ମୁଁ ପଛେ ପଛେ ଚାଲିଥାଏ । କିଛିଦୂର ଯିବା ପରେ ପାହାଡ଼ ଚଢ଼ିବା ଆରମ୍ଭ କଲୁ । ସ୍ଥାନେ ସ୍ଥାନେ ଗଛପତ୍ରରେ ରକ୍ତର ଦାଗ ଲାଗିଥିବା ଦୃଷ୍ଟିଗୋଚର ହେଲା । ଆମେ ଆସ୍ତେ ଆସ୍ତେ ରକ୍ତ ଚିହ୍ନକୁ ଅନ୍ୱେଷଣ କରି ଉଠୁଥାଉ । ପ୍ରାୟ ୩୦, ୪୦ ଫୁଟ ଉପରକୁ ଉଠିଛୁ–ଆଚାନକ ଭାବରେ ଏକ ଅପ୍ରତ୍ୟାଶିତ ବିପଦର ସମ୍ମୁଖୀନ ହେବାକୁ ପଡ଼ିଲା । ଆମେ ବରାବର ଉପରକୁ ଦୃଷ୍ଟି ରଖି ଚାଲିଥାଉ । ହଠାତ ଭସ୍‍ଭାସ୍ ଶବ୍ଦ ଶୁଣି ଆମେ ବନ୍ଧୁକ ଉଠାଇ ଠିଆ ହୋଇଗଲୁ ।

 

ମାତ୍ର କେତେ ସେକେଣ୍ଡ ପରେ ମସ୍ତବଡ଼ ବାଘ ବାହାରିପଡ଼ିଲା । ସେ ଥିଲା ଆମଠାରୁ ୨୦ ଫୁଟ ଉଚ୍ଚରେ । ମୁଁ ନାରାୟଣକୁ ପଛକୁ ଟାଣି ଆଣି ସାମନାରେ ଠିଆ ହୋଇଗଲି । ଆମ ଦୁହିଁଙ୍କର ବନ୍ଧୁକ ଉଦ୍ୟତ । ଆବଶ୍ୟକମାତ୍ରେ ଗର୍ଜି ଉଠିବ । ବାଘଟା ବିକ୍ରମ ମୂର୍ତ୍ତି ଧାରଣ କରି ଗୋଟିଏ ପଥର ଉପରେ ଠିଆ ହୋଇଥାଏ । କୁରାଳଚକ୍ର ପରି ଆଖି ବୁଲାଇ ତରଙ୍ଗ ତରଙ୍ଗ ହେଉଥାଏ । ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଛି, ତା’ର ଆଦୌ ଆକ୍ରମଣାତ୍ମକ ମନେ ଭାବ ନଥିଲା । ଯଦି ସେ ଆକ୍ରମଣ କରେ, ତା’ର ପ୍ରତିରୋଧ କରିବା ଆମ ପକ୍ଷରେ ଆଦୌ ସମ୍ଭବ ନୁହେଁ । କାରଣ ସେ ୨୦ ଫୁଟ ଉପରୁ ଧାଏଁ କରି ଆସି ଆମମୁଣ୍ଡ ଉପରେ ପଡ଼ିବ । ସଠିକ ଗୁଳି ଚାଳନା କଲେ ମଧ୍ୟ ସେହି ଦଶା । “ମାଇଲେ ମଲି, ନ ମାଇଲେ ମାଲି ।” ସାକ୍ଷାତ ଯମ ସମ୍ମୁଖରେ ଦଣ୍ଡାୟମାନ । ପାଠକେ ଆମର ସ୍ଥିତି ଅନୁମାନ କରନ୍ତୁ । କାଗଜ କଲମରେ ସେତେବେଳର ଅବସ୍ଥା ବର୍ଣ୍ଣନା କରି ପାଠକଙ୍କୁ ଧାରଣା ଦେବା ସମ୍ଭବ ନୁହେଁ । ଏହା କେବଳ ଅନୁଭବ କରିବାର କଥା । ନାରାୟଣ କହୁଥାଏ–ମାର । କିନ୍ତୁ ପରିଣାମ ଯେ କ’ଣ ହେବ ସେ କଥା ମୋଟେ ବିଚାରକୁ ଆଣୁ ନଥାଏ । ଏହିପରି ଭାବରେ ୧୦।୧୫ ମିନିଟ ସମୟ ଅତିବାହିତ ହୋଇଗଲା ।

 

ବାଘ ସାମନାରୁ ପୃଷ୍ଟଭଙ୍ଗ ଦେବା ମାନେ ମୃତ୍ୟୁକୁ ବରଣ କରିବା । ଭାବୁଛି ତେବେ କ’ଣ କରାଯାଇପାରେ ? ବାଘ ହୁଏତ ଭାବୁଥାଏ, କଳା କଳା, ଲମ୍ବାଲମ୍ବା, ଦି’ଟା କ’ଣ ଆଁ କରି ରହିଛନ୍ତି । କିନ୍ତୁ ଊଣା ଅଧିକେ ପ୍ରାୟ ସବୁ ବାଘ ବନ୍ଧୁକ ସହିତ ପରିଚିତ । ଶେଷରେ ତା’ର ସଦ୍‍ବୁଦ୍ଧି ଉଦୟ ହେଲା । ସେ ବିଦ୍ୟୁତ୍ ବେଗରେ ଲମ୍ଫ ପ୍ରଦାନ କରି ପଛକୁ ଫେରିଗଲା । ସାକ୍ଷାତ ଯମ ମୁହଁରୁ ରକ୍ଷା ପାଇ ଟିକିଏ ଆଶ୍ଵସ୍ତ ହେଲୁ । ତା’ପରେ ନାରାୟଣ ମୋତେ ତୀବ୍ର ସମାଲୋଚନା କରିବାକୁ ଲାଗିଲା–ମୁଁ କାହିଁକି ଗୁଳି କରି ନାହିଁ । ତା’ର ଅସୀମ ସାହସ ଓ ଅଦମନୀୟ ବଳ ଅଛି । କିନ୍ତୁ ପରିଣାମ ବିଷୟରେ ସଚେତନ ନୁହେଁ । ମୁଁ ଅପରିଣାମ ବିଷୟରେ ବୁଝାଇଦେଲି । ସେ ଚୁପ୍ ରହିଲା ।

 

ବାଘଟା ସେ ବୁଦା ଭିତରେ କ’ଣ କରୁଥିଲା, ଜାଣିବା ସକାଶେ ମୋର ପ୍ରବଳ ଆକାଂକ୍ଷା ଜାତ ହେଲା । ବେଶି ତ ଦୂର ନୁହେଁ । ଚାଲ ଟିକିଏ ଦେଖିନେବା । ସନ୍ଦେହମୋଚନ ହୋଇଯିବ । ଆମେ ଯାଇ ସେ ବୁଦା ନିକଟରେ ପହଞ୍ଚିଗଲୁ । ବାପ୍‍ରେ ! ଉତ୍କଟ ଗନ୍ଧରେ ନାକ ଫାଟି ପଡ଼ିଲା । ନାରାୟଣ ପାଖରେ ପଶିଲା ନାହିଁ । ନାକରେ ହାତ ଦେଇ ଡିଆଁଟାଏ ମାରି ଦୂରକୁ ଚାଲିଗଲା । କହିଲା “ତମେ ଦେଖି କରି ଚଞ୍ଚଳ ଆସ ।” ମୁଁ ଦେଖିଲି, ନିଘଞ୍ଚ ଆତୁଣ୍ଡି ବୁଦା । ତା’ ଭିତରଟା ପରିଷ୍କାର । ଧୂଳି ଉଠିଯାଇଥିଲା । ବୁଦାର ବାହାରେ ଗୁଡ଼ାଏ ହାଡ଼ ଜମା ହୋଇଥିଲା ମଳମୂତ୍ର କଥା ଛାଡ଼ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳିଲା ଯେ, ବାଘଟା ଏଠାରେ ବହୁତ ଦିନ ହେଲା ପାଲ କରି ରହୁଛି । ଆହତ ସମ୍ବରର ଆଉ ପିଛ। କରିବା ବୃଥା । ଆମେ ସେଦିନ ଶିକାରରେ ବିଫଳ ହୋଇ ମନଦୁଃଖରେ ଘରକୁ ଫେରିଲୁ ।

 

ହଳଦିଆରେ ମୋର ଅଜା ସମ୍ପର୍କୀୟ ଲୋକ ଅନେକ ଅଛନ୍ତି । ଶିକାରରେ ମୋର ବିଫଳତା ଜାଣି ପରିହାସ କରିବାକୁ ଛାଡ଼ିଲେ ନାହିଁ । ଯେପରି ହେଉ ଗୋଟାଏ ଶିକାର କରି ସେମାନଙ୍କୁ ଖୁଆଇବା ନିତାନ୍ତ କର୍ତ୍ତବ୍ୟ ହୋଇପଡ଼ିଲା । ନ ହେଲେ ଆମ ଗାଁର ଓ ମୋର ନାଁ ମୁସୁକି ହୋଇଯିବ । ମୁଁ ମନପ୍ରାଣ ଦେଇ ଲାଗିପଡ଼ିଲି । ମୁଁ ନିଜେ ଯଥାରୀତି ଇଂଲିଶ ବାରୁଦ ଦେଇ ବନ୍ଧୁକରେ ଚୋଟ ଭରିଲି । ଡାହାଣ ନଳାରେ ଗୁଳି ଓ ବାମ ନଳାରେ ଏଲ୍. ଜି. ଚୋଟ ଭରି ରଖିଲି । ପରଦିନ ରାତି ନ ପାହୁଣୁ ଶିକାରକୁ ଯିବାକୁ ହେବ । ନାରାୟଣ ଟିକିଏ ଅଳସୁଆ ପ୍ରକୃତିର ଲୋକ । ମୁଁ ତାକୁ ଉଠାଇଲି । ଅନ୍ଧାର ଥାଉ ବାହାରି ପଡ଼ିଲୁ ।

 

ଆମେ ଜଙ୍ଗଲର ଗଳିକନ୍ଦିରେ ସନ୍ଧାନ ଚଳାଇ ଚାଲିଛୁ । ଦୁଇ ଜାଗାରେ କୁଟା ଓ ଗୋଟିଏ ସ୍ଥାନରେ ଦନ୍ତା ବାର୍‍ହା ଦୃଷ୍ଟିଗୋଚର ହେଲା । କିନ୍ତୁ ଗୁଳି କରିବାର ସୁଯୋଗ ମିଳିଲା ନାହିଁ । ସେତେବେଳକୁ ବୁଲି ବୁଲି ଆମେ ନୟାନ୍ତ । ଗୋଟିଏ ସୁଶୀତଳ ଛାୟାରେ ବସି ସିଗାରେଟ୍ ଲଗାଇଲୁ । ଟିକିଏ ସୁସ୍ଥ ହେବା ପରେ ନାରାୟଣ ପ୍ରସ୍ତାବ ଦେଲା, ଚାଲ ଏ ଗୁଜଡ଼ିଆ ଇଟା ଖଣ୍ଡ ଦେଖି ଫେରିଯିବା । ହଉ ଚାଲ, ଶେଷ ଉଦ୍ୟମ ଚଳାଇ ଭାଗ୍ୟ ପରୀକ୍ଷା କରିନେବା–ମୁଁ କହିଲି । ଏବାର ଅତ୍ୟନ୍ତ ତତ୍ପରତାର ସହିତ ନୂତନ ଉଦ୍ୟମରେ ଲାଗିପଡ଼ିଲୁ । ଘଞ୍ଚ କଣ୍ଡଳିତ ଜଙ୍ଗଲ । ମଝିରେ ଗୋଟିଏ ସରୁ ଡଗର । ଏଇ ଡଗରରେ ଚାଲିଛୁ । କିଛି ଦୂର ଯିବାପରେ ମୋର ଡାହାଣକଡ଼ ଜଙ୍ଗଲରେ ଗୋଟିଏ ମସ୍ତବଡ଼ କୁଟ୍ରା ଦେଖାଗଲା । ଆମ ପାଖରୁ ତା’ର ଦୂରତ୍ୱ ଶହେ ଗଜ ହେବ । ବନଲତା ଗହଳରେ ଛାପି ଛାପିକିଆ ଦେଖାଯାଉଥାଏ । ତାକୁ ବନ୍ଧୁକର ରେଞ୍ଜ ମଧ୍ୟରେ ଆଣିବାକୁ ହେଲେ କିଛିବାଟ ଲେପ୍‍ଟେଇ ଯିବାକୁ ହେବ । ମୋର ଇଚ୍ଛା ହେଲା ନାହିଁ । ଏ ଭାରଟା ମୁଁ ନାରାୟଣ ଉପରେ ନ୍ୟସ୍ତ କରିଦେଲି । ସେ ଡବଲ ବାରେଲଟା ଉଠାଇ ଚାଲିଲା ।

 

ନାରାୟଣ ନଇଁ ନଇଁ, ବସି ବସି, ଦିଖୋଜ ଯାଏଁ, ଟିକିଏ ବସେ । ପୁଣି ଯାଏଁ । କୁଟ୍ରାଟାର ଗତିବିଧି ଯେପରି ହେଉଥାଏ, ସେ ସେହିପରି ନିଜର ଗତି ବଦଳାଇ ଚାଳିଥାଏ । ପୂରା ଅଧଘଣ୍ଟାକ ପରେ ଗୁଳି ଚଳାଇଲା । ମୁଁ ଡାକିଲି କ’ଣ ହେଲା ? ସେ ଉତ୍ତର ଦେଲା, “ପଡ଼ିଛି ଯେ ଏ ଲଟୀ ଭିତରୁ ନେବି କେମିତି ?” ମୁଁ ଯାଇ ତାକୁ ସାହାଯ୍ୟ କଲି । ପଦାକୁ ଆଣିଲୁ । ନାରାୟଣ କହିଲା, “ତୋଟା ବାଟେ ଯିବା ଯେ, ଆମ୍ବ ଖାଇବା । ସେଠାରୁ ଲୋକଙ୍କ ହାତରେ କୁଟ୍ରାଟାକୁ ନେବା ।” ‘ମଳୁ ଖୋଜୁଥିଲା ଯାହା, ବଇଦ କହିଲା ସେଇଆ ।’ ସେତେବେଳକୁ ମୋର ଜଠରାଗ୍ନି ଜଳୁଥିଲା । ମୁଁ ଚାହୁଁଥିଲି କିଛି ଖାଇବା । ତା’ପରେ ଭାର କାନ୍ଧେଇବାରୁ ନିଷ୍ପତ୍ତି ଲଭିବା । ମୋର ଦୁଇଟି ଯାକ ଇଚ୍ଛା ପୂରଣ ହୋଇଗଲା ।

 

ତୋଟା ବେଶି ଦୂର ନୁହେଁ । ଆମେ କୁଟ୍ରାଟାକୁ ନେଇ ତୋଟାରେ ପହଞ୍ଚିଗଲୁ । ସେଠାରେ ୪।୫ ଜଣ ଜଗୁଆଳି ଥିଲେ । ଶିକାର ଦେଖି ସେମାନଙ୍କର ଆନନ୍ଦ କହିଲେ ନ ସରେ । ଭଲ ଭଲ ପାଚିଲା ଆମ୍ବ ଆଣି ଆମ ପାଖରେ ଜମାଇଲେ । ସାଆନ୍ତେ, ଏଇଟା ଚାଖ, ସେଇଟା ଚାଖ । ଏଇଟା ପର୍ବତ ଗଜା, ସେଇଟା ବାର୍‍ହା ବଧିଆ–ଏହିପରି କହୁଥାନ୍ତି । ସହଜେ ତ ମୋର ପେଟ ଜଳୁଥିଲା । ଗୋଟିଏ ଗୋଟିଏ ଚାଖୁ ଚାଖୁ ପେଟ ପୂର୍ଣ୍ଣ ହୋଇଗଲା । ସୁପକ୍ୱ ରସାଳ ଫଳ । ପୁଣି ତୋଟାମାଳରେ ବସି ବାଛି ବାଛି ଖାଇବା ବାସ୍ତବିକ ବଡ଼ ଆନନ୍ଦଦାୟକ ଓ ତୃପ୍ତିକର । ଆମେ ପ୍ରସ୍ଥାନ ଉଦ୍ୟତ । ଏହି ସମୟରେ ଜଣେ ବୟସ୍କ ଲୋକ ମୋତେ କହିଲେ, “ଭଣଜା ସାଆନ୍ତ, ଆମକୁ ଏ ଶିକାରଟା ଦିଅ । ଆମେ ତୋଟାରେ ଭୋଜି କରିବୁ । ନାରାୟଣ ସାଆନ୍ତଙ୍କୁ କହି କହି ଥକିଲୁଣି । ତାଙ୍କ ଦେଇ ହେଲା ନାହିଁ ।” ମୁଁ ନାରାୟଣଙ୍କୁ ଜିଜ୍ଞାସା ନେତ୍ରରେ ଚାହିଁଲି । ସେ କହିଲା, “ତମ ଇଚ୍ଛା, ମତେ କ’ଣ ଚାହୁଁଛ ?” କୁଟ୍ରାଟାକୁ କାଟି ଆମେ ପୁଳାଏ ମାଂସ ଆଣିଲୁ । ବାକିତକ ସେମାନଙ୍କ ପାଇଁ ଛାଡ଼ିଦେଲି । ଭୋଜି ଖାଇବାକୁ ବାରବାର ବିନୀତ ଅନୁରୋଧ ଜଣାଇ ସେମାନେ ରହିଲେ । ଆମେ ଘରକୁ ଫେରିଲୁ ।

 

ତୋଟାମାଳରେ ହାତୀ, ଭାଲୁ ବଡ଼ ଉପଦ୍ରବ କରୁଥାନ୍ତି । ନାରାୟଣ ବନ୍ଧୁକ ଧରି ଜଗାଳିମାନଙ୍କୁ ସାହାଯ୍ୟ ନ କଲେ ଆମ୍ବତକ ଉଜୁଡ଼ିଯିବ । ସେଦିନ ନାରାୟଣ ଓ ମୁଁ ସୂର୍ଯ୍ୟାସ୍ତ ପୂର୍ବରୁ ବାହାରିପଡ଼ିଲୁ । ତୋଟା ଜଗିବା, ଶିକାର ଖେଳିବା ଓ ସେମାନଙ୍କର ସସ୍ନେହ ଅନୁରୋଧ ରକ୍ଷା କରିବା–ଏଇ ତିନୋଟି ଉଦ୍ଦେଶ୍ୟ ଆମର ଥିଲା । ଆମେ ପହଞ୍ଚିଲାବେଳକୁ ରାତି ଘଡ଼ିଏ । ସେତେବେଳକୁ ଅତି ଆନନ୍ଦ ଓ ଉତ୍ସାହର ସହ ରୋଷେଇବାସର ଧୁମ୍ ଲାଗିଛି । ମେମ୍ବରମାନଙ୍କ ମଧ୍ୟରେ ତୋଟାଜଗାଳି, ସେମାନଙ୍କର ଛୋଟ ଛୋଟ ପୁଅଝିଅ ଓ ପ୍ରିୟାପ୍ରୀତି ହୋଇ ସର୍ବମୋଟ ୧୪।୧୫ ଜଣ ଲୋକ । ଭୋଜିର ସାମଗ୍ରୀ ମଧ୍ୟରେ ଖେଚୁଡ଼ି, ମୁଗଡ଼ାଲି, ମାଂସ ତର୍କାରୀ ଓ ପାଚିଲା ଆମ୍ବ । ସାମଗ୍ରୀ ସଂକ୍ଷେପ ହେଲେ କ’ଣ ହେଲା, ବଡ଼ ଉପାଦେୟ ହୋଇଥିଲା । ମୁଁ ବେଶ୍ ଗ୍ରାସେ ଠୁଙ୍କି ଦେଲି । ଖିଆପିଆ ସରିଲାବେଳକୁ ରାତି ୯ଟା ।

 

ଲିଙ୍ଗରାଜ ନାମକ ଜଣେ ଲୋକ ନାରାୟଣର ପରିବାଣୁଆ (ଶିକାରସାଥୀ) । ସେ ଖୁବ୍ ସାହସୀ ଓ ସ୍ନେହୀ ଲୋକ । ତା’ର ଶିକାର ନିଶା ପ୍ରବଳ । ଭୋଜିରେ ଯୋଗ ଦେଇଥିବା ପିଲାଛୁଆ ଓ ବନ୍ଧୁମାନେ ଘରକୁ ଫେରିଯିବାର କଥା । ଏମାନଙ୍କୁ ରାତିରେ ନିରାପଦରେ କିଏ ନେଇ ଘରେ ଛାଡ଼ିବ ? ଏ ଭାର ପଡ଼ିଲା ଲିଙ୍ଗରାଜ ଉପରେ । ସେ ବନ୍ଧୁକଟା ନେଇ ସେମାନଙ୍କୁ ଛାଡ଼ିଦେଇ ଫେରିଆସିଲା । ଯେଉଁ ଗଛ ମୂଳରେ ଭୋଜି ହେଲା, ସେ ଗଛ ଉପରେ ଗୋଟିଏ ନିରାପଦ ଓ ଆରାମଦାୟକ ମଞ୍ଚା ତିଆରି ହୋଇଥିଲା । ମୁଁ ଓ ନାରାୟଣ ମଞ୍ଚାକୁ ଉଠି ଶୋଇଗଲୁ । ଲିଙ୍ଗରାଜ ଓ ଅନ୍ୟମାନେ ଆମ୍ବ ଗୋଟାଇବାକୁ ଚାଲିଗଲେ । ଘୋର ପାଚିଲା ଆମ୍ବ ସୁଲୁସୁଲିଆ ପବନରେ ଖଡ଼୍‍ଖାଡ଼୍ ଦୁମ୍‍ଦାମ୍ ଝଡ଼ୁଥାଏ । ଶୁକ୍ଳପକ୍ଷ ରାତି । ନିର୍ମଳ ଜହ୍ନ ପଡ଼ିଥାଏ । ତୋଟାମାଳରେ ନିଆଳି ଫୁଲଫୁଟି ସୁବାସରେ ଦିଗ ମହକାଉଥାଏ । ନାରାୟଣ ଭୂଇଁ ଶୁଙ୍ଘିଲାମାତ୍ରେ ନିଦ । ମୋତେ ନିଦ ହୋଇ ନ ଥାଏ । ଲିଙ୍ଗରାଜ ଆମରି ମଞ୍ଚାରେ ଶୋଇବାକୁ ଆସିଲା । ଅନ୍ୟମାନେ ଅନ୍ୟ ମଞ୍ଚାରେ ଶୋଇଲେ । ହାତୀଭୟରେ ତଳେ କୁଡ଼ିଆ ନ କରି ଉପରେ ମଞ୍ଚା କରାଯାଇଥିଲା । କେତେବେଳେ ମୁଁ ଗାଢ଼ ନିଦ୍ରାରେ ଶୋଇଯାଇଛି କହିପାରିବି ନାହିଁ ।

 

ଖୁଡ଼୍‍ଖାଡ଼୍, ଭୁସ୍‍ଭାସ୍, ଖସର ଖସର ଶବ୍ଦରେ ହଠାତ ମୋର ନିଦ ଭାଙ୍ଗିଗଲା । ମୁଁ ଆସ୍ତେ ଉଠି ଦେଖେ ତ ପଲେ ହାତୀ, ତଳେ ଥିବା ହାଣ୍ଡି ଡେକଚି ସବୁକୁ ଫୋପଡ଼ା ଫିଙ୍ଗା କରୁଛନ୍ତି; ଗଛମୂଳରେ ଗଦା ହୋଇଥିବା ଗୋଟିଆ ଆମ୍ବକୁ ଖାଇବାରେ ଲାଗିଛନ୍ତି । ମୁଁ ଲିଙ୍ଗରାଜ ଓ ନାରାୟଣକୁ ଉଠାଇଲି । ଆମ୍ଭେମାନେ ନୀରବ ରହି ସେମାନଙ୍କର ଆହାର ବିହାର ଦେଖୁଥାଉ । ମେଘବିମୁକ୍ତ ଚନ୍ଦ୍ରକିରଣରେ ପରିଷ୍କାର ଦେଖାଯାଉଥାଏ । ଏପରି ଏକ ଦୁର୍ଲଭ ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ । ସେମାନଙ୍କ ପଲରେ ଗୋଟିଏ ବୃହତ୍‍କାୟ ଦନ୍ତାହାତୀ ଥିଲା । ନଅଟି ମାଈ ହାତୀ ଓ ସାତୋଟି ଛୁଆ ହାତୀ ଥିଲେ । ସର୍ବମୋଟ ସତର । ଛୁଆଗୁଡ଼ିକର ଉଚ୍ଚତା ୪।୫ ଫୁଟରୁ ବେଶି ହେବ ନାହିଁ । କି କମନୀୟ ରୂପ ! ଦେଖିଲେ ଆଖି ଲାଖି ରହିବ ।

 

ମୁଁ ଅନେକ ସମୟ ଧରି ସେମାନଙ୍କର ସ୍ଵାଧୀନ ଚଳପ୍ରଚଳ ଦେଖି ମୁଗ୍ଧ ହୋଇଗଲି । ଯେତେ ଦେଖିଲେ ନୂଆ ପରି ଲାଗୁଥାଏ । ସେମାନେ ଆସ୍ତେ ଆସ୍ତେ ଆମ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ । ଏହି ସମୟରେ ଆମ୍ବଡ଼ାଳ ଭାଙ୍ଗିବା ଶବ୍ଦ ଶୁଣାଗଲା । ଏହି ଶବ୍ଦରେ ଅନ୍ୟ ମଞ୍ଚାରେ ଥିବା ଜଗୁଆଳିମାନେ ଜାଗରିତ ହୋଇ ଉଠିଲେ । ସେମାନେ ହାହୁଲର କରିବା ସଙ୍ଗେ ସଙ୍ଗେ ଫୋଟକା ଫୁଟାଇ ନିଆଁ ଜଳାଇ ହାତୀଙ୍କୁ ତଡ଼ିବାରେ ଲାଗିଲେ । ଆମେ ଯାଇ ସେମାନଙ୍କ ସଙ୍ଗେ ଯୋଗ ଦେଲୁ । ହାତୀଗୁଡ଼ାଙ୍କୁ ପାହାଡ଼ କାନ୍ଧିଆ ପର୍ଯ୍ୟନ୍ତ ତଡ଼ିଦେଲୁ । ସେହିଠାରେ ଦନ୍ତାହାତୀଟା ଅଚଳ ମହାମେରୁ ଭଳି ଠିଆ ହୋଇଗଲା । ଯେତେ ପାଟିତୁଣ୍ଡ କଲେ, ଟର୍ଚ୍ଚ ଆଲୁଅ ପକାଇଲେ ମଧ୍ୟ ମୋଟେ ଚଙ୍କିଲା ନାହିଁ ।

 

ସେ ବାଁ କଡ଼କୁ ଟିକିଏ ମୁହଁ ବୁଲାଇ ଆମ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାଏ । ଆଗ ବାଁ ଗୋଡ଼ରେ ଡାହାଣ ଖୋଜ ଲଗାଇ ଘଷର ଘଷର କରି କୁଣ୍ଡାଇ ହେଉଥାଏ । ଏଥିରୁ ସ୍ପଷ୍ଟ ବୁଝିପାରିଲି, ସେ ଆକ୍ରମଣ କରିବା ମତଲବରେ ରହିଲାଣି । ମୁଁ ବନ୍ଧୁକ ଧରିଥାଏ । ନାରାୟଣ ଓ ଲିଙ୍ଗରାଜ ଦୁଇଟା ଟର୍ଚ୍ଚ ଲାଇଟ୍ ଧରି ହାତୀଉପରକୁ ପକାଇଥାନ୍ତି । ମୁଁ ବନ୍ଧୁକର ଘୋଡ଼ା ଚଢ଼ାଇ ତା’ର ମୁଣ୍ଡକୁ ଲକ୍ଷ୍ୟ କରିଥାଏ । ମୋର ବିଚାର, ସେ ମୋ ଆଡ଼କୁ ପାଦେ ଅଗ୍ରସର ହେଲେ ଫାୟାର କରିବି, ପରିଶ୍ରମ ଯାହା ହେଉନା କାହିଁକି । ଆଲୁଅ ଅବ୍ୟାହତ ଜଳାଇରଖିବାକୁ ଏବଂ ଅନ୍ୟମାନେ ଗଛ ଉପରେ ଚଢ଼ି ଆତ୍ମରକ୍ଷା କରିବାକୁ ଜଣାଇଦେଲି ।

 

ଲିଙ୍ଗରାଜ ଖାଲି କହୁଥାଏ, “ମୁଣ୍ଡକୁ ଅନେଇ ନିଆଁ କରିଦିଅ ।” ମୁଁ ହାତୀକୁ ଲକ୍ଷ୍ୟ କରି କହୁଥାଏ, “ଚାହିଁଛୁ କ’ଣ ? ଗୋଟିଏ ପାଦ ପଛକୁ ବୁଲିଲେ ତୋର ଛତୁ ଉଡ଼େଇଦେବି ।” ସେ ଟିକିଏ ଆମ ତରଫକୁ କଡ଼ ମୋଡ଼ିଲା । ମୁଁ “କହିଲି, ହାଁ, ହାଁ, ହୁସିଆର !” ଏହିପରି ଭାବରେ ଆମେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ତକାତକି ହୋଇ ରହିଲୁ । ଶେଷରେ ତା’ର ସୁବୁଦ୍ଧି ଉଦୟ ହେଲା । ସେ ଗୋଟାଏ ବୃହତ୍ ଧ୍ଵନି କରି ଦ୍ରୁତ ଗତିରେ ପଳାଇଲା ।

 

ହାତୀଟା ପଳାଇଲା ସତ, କିନ୍ତୁ ଆମର ଭୟ ଦୂର ହୋଇ ନଥାଏ । କାରଣ ଦନ୍ତାଟା ଦଳବଳ ଧରି ଆସି ଆକ୍ରମଣ କରିପାରେ, ଏହା କିଛି ଅସମ୍ଭବ କଥା ନୁହେଁ । ହାତୀଗୁଡ଼ା ଖୁବ୍ ପ୍ରତିହିଂସା ପରାୟଣ ଜନ୍ତୁ । ଭାଗ୍ୟ ଭଲ, ସେ ରାତିରେ ସେମାନେ ଆଉ ତୋଟାକୁ ଫେରିଲେ ନାହିଁ । ଲିଙ୍ଗରାଜ କଥାରେ ମୁଁ ହାତୀକୁ ଗୁଳି କରିଥିଲେ ସେ ନିଶ୍ଚୟ ଆକ୍ରମଣ କରିଥାନ୍ତା । ଆମର ଦଶା କ’ଣ ଯେ ହୋଇଥାନ୍ତା କୁହାଯାଇ ନ ପାରେ । ଟୋପିଦାର ବନ୍ଧୁକରେ ସେ କେବେ ମରି ନ ଥାନ୍ତା କିମ୍ବା ବିଶେଷ ଭାବରେ ଆହତ ମଧ୍ୟ ହୋଇ ନ ଥାନ୍ତା । କେବଳ ତାକୁ ଉତ୍ୟକ୍ତ କରିବା ସାର ହୋଇଥାନ୍ତା । ସେଥିପାଇଁ ମୁଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରି ରହିଲି ।

 

ଏ ଦୁର୍ଘଟନାଟା ଘଟିଯିବା ପରେ ଆମ ଭିତରେ ଟିକିଏ ବେଶ୍ ସରଗରମ ଆଲୋଚନା ହେଲା । ତା’ପରେ ଆମେ ଯେ ଯୁଆଡ଼େ ଶୋଇଗଲୁ । ଖୁବ୍ ଭୋରୁ ଭୋରୁ ଉଠି ମୁଁ ନାରାୟଣ ଓ ଲିଙ୍ଗରାଜକୁ ସଙ୍ଗରେ ଧରି ଶିକାରକୁ ବାହାରି ପଡ଼ିଲି । ପ୍ରଥମେ ତୋଟାମାଳରେ ବୁଲି ଶିକାର ସନ୍ଧାନ ଆରମ୍ଭ କରାଗଲା । କାରଣ ହରିଣ, କୁଟ୍ରା, ବାର୍‍ହା ପାଚିଲା ଆମ୍ବ ଖାଇବା ସକାଶେ ଆସିଥିବା ଖୁବ୍ ସମ୍ଭବ । ଦିବସର ଆଲୋକ ଫୁଟିଉଠିବା ପର୍ଯ୍ୟନ୍ତ ତୋଟାରେ ସନ୍ଧାନ ଚଳାଇ ବ୍ୟର୍ଥ ହେଲୁ । ତା’ପରେ ଜନ୍ତୁଙ୍କର ଚଳପ୍ରଚଳ ରାସ୍ତା ଓ ଚରାଭୂଇଁରେ ତନ୍ନତନ୍ନ କରି ସନ୍ଧାନ ଚଳାଇ ମଧ୍ୟ ଆମକୁ ସଫଳତା ମିଳିଲା ନାହିଁ । ସେତେବେଳକୁ ଦିନ ଆଠଟା ସମୟ । ନିକଟରେ ଗୋଟିଏ ପାର୍ବତ୍ୟ ଝରଣା ଥିଲା । ମୁଁ ନାରାୟଣକୁ ବନ୍ଧୁକ ଦେଇ ଝାଡ଼ା ଫେରିବା ଉଦ୍ଦେଶ୍ୟରେ ଝରଣା ନିକଟକୁ ଚାଲିଗଲି ।

 

ଏଣେ ନାରାୟଣ ଓ ଲିଙ୍ଗରାଜ ସେ ପାଖଆଖରେ ବୁଲୁ ବୁଲୁ କୌଣସି ଜନ୍ତୁର ଡାଳପତ୍ର ଭାଙ୍ଗିବା ଓ ଖୁରା ଶବ୍ଦ ପାଇଲେ । ନାରାୟଣ ସେ ଶବ୍ଦର ଅନୁସରଣ କରି ଚାଲିଲା । ଲିଙ୍ଗରାଜ ସେହିଠାରେ ଥାଏ । ମୁଁ ଶୌଚାଦି କାମ ସାରି ଆସି ଲିଙ୍ଗରାଜ ସହିତ ମିଳିତ ହେଲି । ନାରାୟଣ ଜନ୍ତୁଙ୍କର ପିଛା କରି ଯାଉଥିବା ଖବର ଶୁଣିଲି । ଏପରି ଅବସ୍ଥାରେ ଆମେ ସ୍ୱସ୍ଥାନ ବଦଳାଇବା ଉଚିତ ନୁହେଁ । ଏଇଟା ଶିକାରୀର ନିୟମ ପାଳନ ନ କଲେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇବା ବା ଆହତ ହେବା ଅସମ୍ଭବ ନୁହେଁ । ଏହିପରି କେତେ ଦୁର୍ଘଟନା ଘଟିବାର ନଜିର ଅଛି ।

 

ପ୍ରାୟ ଅଧଘଣ୍ଟାକ ପରେ ଗୁଳିଶବ୍ଦ ଶୁଣାଗଲା । କ’ଣ ହେଲା ଜାଣିବା ସକାଶେ ଆମର ଉତ୍କଣ୍ଠା ବଢ଼ିବାକୁ ଲାଗିଲା । ୧୦।୧୫ ମିନିଟ ଯାଇଛି କି ନାହିଁ, ଏଇ ସମୟରେ ନାରାୟଣର କୁଆଇବା ଶବ୍ଦ (ଶିକାରୀଙ୍କ ଠାର) ଶୁଣାଗଲା । ଏଥିରୁ ସ୍ପଷ୍ଟ ବୁଝିପାରିଲି ଯେ, ଗୁଳିଟା ନିଷ୍ଫଳ ଯାଇନାହିଁ । ଆମେ ଉଲ୍ଲାସ ଚିତ୍ତରେ ବଣବୁଦା ନ ମାନି ସେ ଆଡ଼କୁ ମାଡ଼ିଚାଲିଲୁ । ଘଟନାସ୍ଥଳରେ ପହଞ୍ଚି ଦେଖିଲୁ ମସ୍ତବଡ଼ ସମ୍ବର ଶିଙ୍ଘାଳ ମରି ପଡ଼ିଛି । ସେତେବେଳକୁ ଖରା ଟାଣ ହୋଇଗଲାଣି-। ଏତେ ବଡ଼ ଜାନୁଆରଟାକୁ ନବା କିପରି ? ଆମର ଭାଳେଣି ପଡ଼ିଗଲା । ଶିଙ୍ଘାଳ ଉପରେ ଡାଳପତ୍ର ଘୋଡ଼ାଇ ଦେଇ ତୋଟାକୁ ଫେରି ଆସିଲୁ । ତୋଟାରେ ପହଞ୍ଚି ପ୍ରଥମେ ସୁମିଷ୍ଟ ପାଚିଲା ଆମ୍ବରେ କ୍ଷୁଧା ନିବାରଣ କଲୁ । ତା’ପରେ ଶିଙ୍ଘାଳକୁ ଆଣିବା ଚିନ୍ତା । ତୋଟାରେ ୪।୫ ଜଣ ଲୋକ ଥିଲେ । ଏତିକି ଲୋକରେ ସମ୍ବରଟାକୁ ଉଠାଇ ଆଣିବା ସମ୍ଭବପର ନୁହେଁ । ତେବେ କଟାକଟି କରିଦେଲେ ମାଂସ ବହିଆଣିବା ସହଜ ହେବ । ନାରାୟଣ ଲୋକଙ୍କୁ ନେଇ ଚାଲିଗଲା । ମୁଁ ତୋଟାରେ ବିଶ୍ରାମ ନେଲି ।

ଶିଂଘ, ଛାଲ ବ୍ୟତୀତ ପକ୍କା ତିନି ଭାର ମାଂସ ହେଲା । ଆମେ ଘରେ ପହଞ୍ଚି ସ୍ନାନାଦି ସାରିଲୁ । ମାଂସ ବଣ୍ଟନର ଭାର ମୋ ଉପରେ ନ୍ୟସ୍ତ କରି ନାରାୟଣ ବାହାରକୁ ଚାଲିଗଲା । ବନ୍ଧୁବାନ୍ଧବ, ପ୍ରିୟାପ୍ରୀତି ଓ ପ୍ରତିବେଶୀମାନଙ୍କ ମଧ୍ୟରେ ଯଥେଷ୍ଟ ମାଂସ ବିତରଣ କରି ମଧ୍ୟ ସମସ୍ତଙ୍କଠାରୁ ସନ୍ତୋଷ ଲାଭ କରିପାରିଲି ନାହିଁ । କିଏ କହିଲା, କଲିଜା ଟିକିଏ ତ ଦେଲେ ନାହିଁ; କିଏ କହିଲା, ଫୁଟେନାଁକୁ ଦେଲେ ତ, କିଏ କହିଲା, ଖାଲି କଣ୍ଟା ସାଲୁସାଲୁ । ଯେତେ ଦେଲେବି ପ୍ରଶଂସା ନାହିଁ । ଏଇଟା ମୋର ଅଙ୍ଗେ ନିଭାଇବା କଥା । ସେଥିପାଇଁ ମୁଁ ଗୋଟିଏ ଶିକାର କଲା ପରେ ମୋର ଭାଳେଣି ପଡ଼ିଯାଏ ।

ଗ୍ରୀଷ୍ମଋତୁରେ ଜ୍ୟୋତ୍ସ୍ନାପ୍ଳାବିତ ରଜନୀ ବଡ଼ ଆନନ୍ଦଦାୟକ । ବିଶେଷତଃ ଆମ୍ର କାନନରେ ପରିଭ୍ରମଣ ଅତି ମନମୁଗ୍ଧକର । ତଦୁପରି ଶିକାରୀର ସୁଲଭତା । ମୁଁ ଏ ଲୋଭ ସମ୍ବରଣ କରିପାରିଲି ନାହିଁ; ୩।୪ ଦିନ ହଳଦିଆରେ ରହିଗଲି । ସବୁଦିନ ସନ୍ଧ୍ୟାରେ ତୋଟାକୁ ଯାଏଁ । ରାତିରେ ଘଣ୍ଟାଏ ଦୁଇଘଣ୍ଟା ଶିକାର ସନ୍ଧାନରେ ଯାଏଁ; ପୁଣି ଭୋରରୁ ୯ଟା ପର୍ଯ୍ୟନ୍ତ । ସେଦିନ ରାତ୍ରିଭୋଜନ ପୂର୍ବରୁ ନାରାୟଣ, ଲିଙ୍ଗରାଜ ଓ ମୁଁ ବୁଲିବାକୁ ବାହାରିପଡ଼ିଲୁ । ବନଭ୍ରମଣ ସଙ୍ଗେ ସଙ୍ଗେ ଶିକାର କରିବା ଓ ପାଚିଲା ଆମ୍ବ ଗୋଟାଇବା ଉଦ୍ଦେଶ୍ୟ ଥିଲା । ସନ୍ଧାନ ଚଳାଇ ଚାଲିଛୁ । ବୁଲି ବୁଲି ‘ଗାଈଚିରା’ ଆମ୍ବଗଛ ଆଡ଼କୁ ଅଗ୍ରସର ହେଲୁ । ଏଇଟି ଗଜାଗଛ । ଏଥିରେ ପେନ୍ଥା ପେନ୍ଥା ପାଚିଲା ଆମ୍ବ ଝୁଲୁଥାଏ । ଏହି ଗଛର ଅଦୂରରୁ ଆମେ ସ୍ପଷ୍ଟ ବୁଝିପାରିଲୁ ଯେ, କେହି ଗଛରେ ଚଢ଼ି ଆମ୍ବ ଝାଡ଼ୁଛି । ଚୋର ନିଶ୍ଚୟ । ଆମେ ଅତି ସତର୍କତା ଅବଲମ୍ବନପୂର୍ବକ ଆଗେଇ ଚାଲିଲୁ । ଗଛର ନିକଟବର୍ତ୍ତୀ ହୋଇ ଯାହା ଦେଖିଲୁ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଦୁଇଟା ଶଙ୍ଖପାଟିଆ ଭାଲୁ ଏଡ଼ାଳ ସେଡ଼ାଳ ଡେଇଁ ଆମ୍ବ ଝାଡ଼ୁଛନ୍ତି । ଲିଙ୍ଗରାଜ ଭାଲୁକୁ ଗୁଳି କରିବା ସକାଶେ ମୋତେ ସୂଚନା ଦେଲା । ନିହାତି ଦାୟରେ ନ ପଡ଼ିଲେ ମୁଁ ଭାଲୁ ଶିକାର କରେ ନାହିଁ । ଭାଲୁ ମାରିଲେ କୁଆଡ଼େ କମ୍ପଜର ହୁଏ, ଶୁଣିଛି । ଏଣୁକରି ମୁଁ ଗୁଳି କରିବାକୁ ଇଚ୍ଛା କଲି ନାହିଁ । ନାରାୟଣର ତୋଟା ଉଜାଡ଼ୁଛି । ସେ ମାରିବାକୁ ତୟାର ହୋଇଗଲା । କିନ୍ତୁ ଉପରୋକ୍ତ କାରଣରୁ ମୁଁ ତାକୁ ଗୁଳି କରିବାକୁ ଦେଲି ନାହିଁ । ଫଳରେ ଭାଲୁକୁ ମାରିବା ଭାର ଲିଙ୍ଗରାଜ ଉପରେ ପଡ଼ିଲା । ସେ ଖୁବ୍ ଆଗ୍ରହର ସହ ବନ୍ଧୁକ ଉଠାଇ ଗୋଟିକ ଉପରେ ଗୁଳି ଚଳାଇଦେଲା-। ବାପ୍‍ରେ ! ଘୋର ଗର୍ଜନ କରି ଭାଲୁଟା ଝଡ଼ିପଡ଼ିଲା । ଅନ୍ୟଟି କୁଆଡ଼େ ଗଲା ଯେ, ତା’ର ପତ୍ତା ମିଳିଲା ନାହିଁ । ଆମ୍ବତକ ଗୋଟାଗୋଟି କରି ଫେରିଲୁ ।

ଦିନେ ଆମେ ଖାଇପିଇ ଶୋଇଗଲୁ । ରାତି ବାରଟା କି ଗୋଟାଏ ବେଳକୁ ଉଠି ବାହାରିପଡ଼ିଲୁ । ହରିଣ, କୁଟ୍ରା, ବାର୍‍ହା, ଝିଙ୍କ ତୋଟାମାଳରେ ଚରା କରନ୍ତି । ଏହି ସମୟରେ ଶିକାର କରିବା ଯେପରି ସହଜ, ସେହିପରି ଆଶାଜନକ । ମୁଁ ଚତୁର୍ଦ୍ଦିଗରେ ଦୃଷ୍ଟି ରଖି କାନେଇ କାନେଇ ଧୀର ପଦକ୍ଷେପରେ ଚାଲିଛି । କିଛି ସମୟ ପରେ କଡ଼ର କଡ଼ର ଶବ୍ଦ ଶୁଣାଗଲା । ଏ ଶବ୍ଦଟା ତିନିଶହ ହାତ ଦୂରରୁ ଆସୁଥିଲା । ଝିଙ୍କ ଓ ବାର୍‍ହା ଆମ୍ବ ଟାକୁଆକୁ ଦାନ୍ତରେ କାଟି ଭିତର କୋଇଲିକୁ ଖାଆନ୍ତି । ଝିଙ୍କ ଓ ବାର୍‍ହା ଟାକୁଆ କାଟିବା ଶବ୍ଦରେ ତଫାତ ଅଛି । ଅଭିଜ୍ଞ ଶିକାରୀ ବେଶ୍ ଏ କଥାକୁ ବୁଝିପାରନ୍ତି । ବାର୍‍ହା ଟାକୁଆ କାଟୁଛି ମୁଁ ଏକଥା ଜାଣିପାରିଲି । ମୁଁ ଶବ୍ଦକୁ ଅନୁସରଣ କରି ଚାଲିଲି । ସେ ଯେତେବେଳେ କଡ଼ର କଡ଼ର ଶବ୍ଦ କରି ଟାକୁଆ ଭାଙ୍ଗେ ମୁଁ ଗତି ବଢ଼ାଇ ଅଗ୍ରସର ହୁଏ । ସେ ଯେତେବେଳେ ଭାଙ୍ଗିବା ବନ୍ଦ କରିଦିଏ ମୁଁ ମୋର ଅଗ୍ରଗତି ବନ୍ଦ କରିଦିଏ । ଏହିପରି ଭାବରେ ଯାଇ ଯାଇ ଠିକ୍ ରେଞ୍ଜରେ ପହଞ୍ଚିଗଲୁ । ସେ ଟାକୁଆ ଭାଙ୍ଗୁଥିବାରୁ ତା’ର ମୁଣ୍ଡଟା ହଲୁଥାଏ । ତେଣୁ ମୁଁ ମୁଣ୍ଡକୁ ଲକ୍ଷ୍ୟ ନ କରି ଚଟୁଆ ଉପରକୁ ଲକ୍ଷ୍ୟ କରି ଫାୟାର କରିଦେଲି । ସେ ଦ୍ରୁତ ଗତିରେ କୁଦା ମାରି ପଳାଇଲା । ଗୁଳିଟା ଲାଗିଲା କି ନ ଲାଗିଲା କିଛି ବୁଝାପଡ଼ିଲା ନାହିଁ । ଘାଉଆ ବାର୍‍ହା ଜିଅନ୍ତା ବାଘଠାରୁ ଭୟଙ୍କର । ତେଣୁ ରାତ୍ରିରେ ତା’ର ପିଛା କରିବା ମୂର୍ଖତା ହେବ । ଆମେ ଫେରିଆସି ପୁଣି ଶୋଇଗଲୁ ।

ପ୍ରଭାତ ହେଲା । ତୋଟାଜଗାଳିମାନେ ଆମ୍ବ ଗୋଟେଇବାକୁ ବାହାରିଗଲେ । ସେମାନେ ଫେରିବା ପରେ ଆମକୁ ଉଠାଇଲେ । ସେତେବେଳକୁ ସୂର୍ଯ୍ୟ ପୂର୍ବାକାଶ ରକ୍ତରଞ୍ଜିତ କରି ଉଠିଆସୁଥାନ୍ତି । ସ୍ନିଗ୍‍ଧ ସୁଶୀତଳ ଛାୟା, ମୃଦୁମଳୟ ସମୀରଣ, କୋକିଳର ପଞ୍ଚମ ତାନ ମନପ୍ରାଣରେ ଅପୂର୍ବ ପୁଲକ ଜାତ କରାଉଥାଏ । ଆମେ ପ୍ରାତଃକୃତ୍ୟ ସାରିନେଲୁ । ସୁପକ୍ୱ ସୁମିଷ୍ଟ ରସାଳଫଳ ଯଥେଷ୍ଟ ମହଜୁଦ ଅଛି । ଥାଉ ଖାଇବା ଚିନ୍ତା କ’ଣ ? ଆମେ ବେଶ୍ ସୁସ୍ଥ ସଜାଗ ହୋଇ ଆହତ ବାର୍‍ହାର ପିଛା କରିବାକୁ ବାହାରିପଡ଼ିଲୁ ।

ପ୍ରଥମେ ମାଡ଼ ସ୍ଥାନଟା ଦେଖିନେଲୁ । ଚଟୁଆରୁମ ପଡ଼ିଥିଲା । ସେଗୁଡ଼ିକ ସବୁ ଉପୁଡ଼ା ରୁମ । ଏଥିରୁ ଜଣାଗଲା ଗୁଳିଟା ଠିକ୍ ଲକ୍ଷ୍ୟସ୍ଥଳେ ଭେଦ କରିଛି । ଆମେ ଆଶାୟୀ ହୋଇ ଖୋଜ ଧରି ଚାଲିଲୁ । ମାତ୍ର ପନ୍ଦର କୋଡ଼ିଏ ହାତ ଯାଇଛୁ ରକ୍ତର ଦାଗ ମିଳିଗଲା । ନିଶ୍ଚିତ ଭାବରେ କୁହାଯାଇପାରେ ଯେ ବାର୍‍ହାଟା ମରିଯିବଣି । ତଥାପି ଦନ୍ତା ବାର୍‍ହା, ପୁଣି ଘାଉଆ ହୋଇଛି । ଆମେ ପ୍ରତି ବୁଦା ଉପରେ ଦୃଷ୍ଟି ରଖି ପାଦ ଗଣି ଗଣି ଚାଲୁଛୁ । ଶହେଗଜ ଖଣ୍ଡେ ଅତିକ୍ରମ କରିବା ପରେ ଆମ ଯିବା ବାଟରେ ଏକ ଝଙ୍କା ତୁଣ୍ଡୁପୋଡ଼ା ବୁଦା ପଡ଼ିଲା । ବୁଦାଟାର ଡାହାଣ ପାଖ ମୋଡ଼ରେ ବୁଲିଯିବାକୁ ପଡ଼ିବ । ଏହି ସମୟରେ ଏକ ଅପ୍ରତ୍ୟାଶିତ ଘଟନା ଘଟିଲା ଯାହାକି କାଗଜ କଲମରେ ଲେଖି ପାଠକଙ୍କ ମନରେ ଧାରଣା ଦେବା ସମ୍ଭବ ନୁହେଁ । ଘଟନାଟା ଏପରି ଏକ ଆକସ୍ମିକ ଓ ଭୀତିପ୍ରଦ ଯେ, ଯେ କେହି ହେଲେ ମଧ୍ୟ ସ୍ତମ୍ଭୀଭୂତ ହୋଇଯିବ ।

ଏକ ମସ୍ତବଡ଼ ବାଘ ତୁଣ୍ଡୁପୋଡ଼ା ବୁଦାର ଅପର ପାର୍ଶ୍ୱରୁ ଚାଲିଆସୁଛି । ଆମକୁ ଜଣା ନାହିଁ । ଆମେ ଏ ପାଖରୁ ଯାଉଛୁ । ମୋଡ଼ ମୁଣ୍ଡରେ ବାଘ ସହିତ ମୋର ଅଚାନକଭାବେ ମୁହାଁମୁହିଁ ହୋଇଗଲା । ସେ ଚମକିଯାଇ ଗୋଟିଏ ଭୀଷଣ ଗର୍ଜନ କଲା ଏବଂ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ଗତିରେ କୁଦା ମାରି ଫେରିଗଲା । ବାଘ ଗର୍ଜନ ସଙ୍ଗେ ସଙ୍ଗେ ମୁଁ ମଧ୍ୟ ହାଁ ହାଁ ଚିତ୍କାର କରିଉଠିଲି । ସ୍ୱତଃ ଏପରି ହୋଇଗଲା । ଘଟନାଟା ମାତ୍ର ୨।୪ ସେକେଣ୍ଡ ମଧ୍ୟରେ ଘଟିଯାଇଛି । ବାଘ ମୋ ମୁହଁକୁ ଚାହିଁ ଗର୍ଜନ କଲାବେଳେ ତା’ ପାଟିରେ ଲାଳଗୁଡ଼ାକ ଛିଟିକି ମୋ ମୁହଁଯାକ ହୋଇଗଲା । ସେତେବେଳେ ମୋର କି ଭୟାବହ ଅବସ୍ଥା ଅନୁମାନ କରିପାରୁଥିବେ ।

ଆମେ ତିନିଜଣଯାକ ଥକାମରା ହୋଇ ବସିପଡ଼ିଲୁ । ଯାହାହେଉ ଗୋଟିଏ ମାର୍କଦଶା ଥିଲା, କଟିଗଲା । ଟିକିଏ ବିଶ୍ରାମ ପରେ ଆମେ ପୁଣି ସୁସ୍ଥ ଓ ସତେଜ ହୋଇ ଆମର ଲକ୍ଷ୍ୟ ପଥରେ ଆଗେଇ ଚାଲିଲୁ । ବେଶି ଦୂର ଯିବାକୁ ପଡ଼ିନାହିଁ । ଗୋଟିଏ ବୁଦା ଭିତରେ ବାର୍‍ହାଟା ମରିପଡ଼ିଥିବା ଦୃଷ୍ଟିଗୋଚର ହେଲା । କିନ୍ତୁ ମୋ ମନରେ ବାର୍‍ହା ପ୍ରତି ଆଉ ସ୍ପୃହା ନଥିଲା । ତୋଟା ଜଗାଳିଙ୍କ ଦ୍ୱାରା ବାର୍‍ହାଟା ନେଇ ଘରକୁ ଫେରିଲୁ ।

ସେ ଦିନର ଭୀତିପ୍ରଦ ଘଟନା ଏବେ ମଧ୍ୟ ସ୍ମରଣ କଲେ ଲୋମଟାଙ୍କୁରି ଉଠେ ।

Image

 

ଦୁର୍ଦ୍ଦାନ୍ତ ଶିକାରୀ ମୋହନ

 

ସେ ଅନେକ ଦିନ ତଳର କଥା । ସେତେବେଳକୁ ମୋର ବୟସ ଅଠର କି ଊଣେଇଶ ବର୍ଷ । ଚୈତ୍ରମାସ । ଦିନେ ମୁଁ ଏକାକୀ ଅତି ପ୍ରତ୍ୟୁଷରୁ ଶିକାର ଅଭିଯାନରେ ବାହାରିପଡ଼ିଲି । ପାହାନ୍ତିଆ ଜହ୍ନ । କ୍ଷୀଣ ଆଲୋକ ହେଲେ ମଧ୍ୟ ବଣବୁଦା, ରାସ୍ତାଘାଟ ବେଶ୍ ଦୃଶ୍ୟମାନ ହେଉଥାଏ । ଟିଆ ପକ୍ଷୀର ଡାକ ରାତ୍ରି ଅବସାନର ସୂଚନା ହେଲା । ବସନ୍ତକାଳର ପ୍ରଭାତ । ମୃଦୁମନ୍ଦ ମଳୟାନିଳ ପ୍ରବାହିତ ହେଉଥାଏ । ନିସ୍ତବ୍ଧ ବଣରାଇଜରେ ଟିଆ ପକ୍ଷୀର ପଞ୍ଚମତାନ କର୍ଣ୍ଣ ଗହ୍ୱରରେ ଅମୃତ ଢାଳିବା ପରି ଲାଗୁଥାଏ । କାଳ, ସମୟ ଓ ସ୍ଥାନର ପରିବେଶ ମଣିଷ ମନରେ ପ୍ରଭାବ ବିସ୍ତାର କରେ । ଯଦିଓ ମୋର ଜୀବହିଂସା କରିବା ଉଦ୍ଦେଶ୍ୟ, ତଥାପି ମୋର ମନରେ ଏକ ଅପୂର୍ବ ପବିତ୍ର ଭାବ ଜାଗରିତ ହେଲା । ମନ ଓ ପ୍ରାଣରେ ଏକ ନିର୍ମଳ ଆନନ୍ଦର ଢେଉ ଖେଳିଗଲା-। ମୁଁ ପ୍ରକୃତିର ଏହି କମନୀୟ ଶୋଭାରେ ଉଦ୍‍ବୁଦ୍ଧ ହୋଇ ଧୀରମନ୍ଥର ଗତିରେ ଚାଲିଥାଏ । ଏ ମଧ୍ୟରେ ମୁଁ ପ୍ରାୟ ଏକ ମାଇଲ ପଥ ଅତିକ୍ରମ କରିଚାଲିଣି । କଜଳପାତୀ ଓ ବନ୍ୟ କୁକ୍‍କୁଟ ଦିବସର ଆଗମନୀ ବାର୍ତ୍ତା ଜଣାଇଦେଲେ ।

 

ସେତେବେଳକୁ ମୁଁ ‘କାଳିଆଗଜା’ ନାମକ ସ୍ଥାନରେ ପହୁଞ୍ଚିଗଲିଣି । ମୋର ବିଚାର, ସେଠାରୁ ‘ରାଢ଼ବା ମୁଣ୍ଡିଆ’ ଅଭିମୁଖେ ଅଭିଯାନ ଚଳାଇବି । କାଳିଆଗଜା ଛକଠାରେ ପହୁଞ୍ଚିବାମାତ୍ରେ ଶ୍ରୀରାମଚନ୍ଦ୍ର ରାୟଙ୍କ ସହିତ ସାକ୍ଷାତ ହେଲା । ସେ ମୋର ସମ୍ପର୍କୀୟ ବଡ଼ଭାଇ । ଶିକାରରେ ତାଙ୍କର ବେଶ୍ ସୁନାମ ଅଛି । ଆମ ଦୁହିଁଙ୍କ ମଧ୍ୟରେ ପରାମର୍ଶ ହେଲା, ଏକସଙ୍ଗରେ ରାଢ଼ବା ଅଭିମୁଖେ ଶିକାର ଯାତ୍ରା ଚଲାଇବା । କିଛି ଦୂର ଯିବା ପରେ ରାଢ଼ବା ମୁଣ୍ଡିଆରେ ଚଢ଼ିବା ଆରମ୍ଭ କଲୁ । ରାମନନା ଆଗରେ, ଦଶହାତ ଛାଡ଼ି ମୁଁ ପଛରେ ଚାଲିଥାଏ । ଆମେ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ଚାଲିଥାଉ । କିଛିଦୂର ଅଗ୍ରସର ହେବାପରେ ଦୁଇଟି କୁଟ୍ରା ଆମ୍ୱଡ଼ା ଫଳ ଖାଉଥିବାର ସୂଚନା ମିଳିଲା । ମୁଁ ସେମାନଙ୍କର ଖାଇବା ଶବ୍ଦକୁ ଅନୁସରଣ କରି ପ୍ରାୟ ପଚାଶ ଗଜ ଯାଇଛି; ହଠାତ ସେମାନେ ଆତଙ୍କିତ ହୋଇ ଦୌଡ଼ ପଳାଇଗଲେ । ସେତେବେଳକୁ ଆହୁରି କାଳିଅନ୍ଧାର ଅଛି । ମୁଁ ପ୍ରଥମ ଚେଷ୍ଟାରେ ବିଫଳ ହେବାରୁ ବିଶେଷ ଦୁଃଖିତ ହେଲି । ରାମନନା କହିଲେ, “ଭୀମ ପ୍ରଥମ ଥର ହାରେ । ତା’ପରେ ବିଜୟ ସୁନିଶ୍ଚିତ ।” ଆମେ ଯାଇ ପର୍ବତର ଶୀର୍ଷଦେଶରେ ପହୁଞ୍ଚିଗଲୁ । ଚତୁର୍ଦ୍ଦିଗରେ ଦୃଷ୍ଟି ରଖି ଧୀର ପଦକ୍ଷେପରେ ଚାଲିଛୁ । ହଠାତ ରାମନନା ଅଟକିଗଲେ ମଟରରେ ବ୍ରେକ୍ ଦେଲାଭଳି ।

 

ମୁଁ ନୀରବ ନିଶ୍ଚଳ ରହିବାକୁ ସେ ସତର୍କ କରିଦେଲେ ।

 

ସେ ତାଙ୍କର ବାମ ପାର୍ଶ୍ୱକୁ ବାରବାର ନିରୀକ୍ଷଣ କରିବାରେ ଲାଗିଥାନ୍ତି । ମିନିଟକ ପରେ ଆହୁରି ଦୁଇ ପାହୁଣ୍ଡ ଆଗେଇଯାଇ ପୁଣି ସେହି ଆଡ଼କୁ ଚକିତ ନେତ୍ରରେ ଉଣ୍ଡିବାକୁ ଲାଗିଲେ । ଦୁଇ ମିନିଟ ଗତ ହୋଇଗଲା । ସେ ମୋତେ ସଙ୍କେତଦ୍ଵାରା ନିକଟକୁ ଡାକିଲେ । ମୁଁ ତାଙ୍କ ନିକଟରେ ପହୁଞ୍ଚିଗଲି । ସେ ମୋତେ ଘଟନା ଦେଖିବାକୁ ନିର୍ଦ୍ଦେଶ ଦେଲେ । ଘଟନା ପରେ ମୋର ଦୃଷ୍ଟିପାତ ହେବାମାତ୍ରେ ମୁଁ ଏକବାରକେ ତଟସ୍ଥ ହୋଇଗଲି । ଏକ ମିନିଟ ପରେ ଆମେ ଦୁହେଁ ପ୍ରାୟ ତିରିଶ ଗଜ ପଛକୁ ଫେରିଆସିଲୁ । ଗୋଟିଏ ପଥର ଚକଡ଼ା ଉପରେ ବସି ଘଟନା ସମ୍ବନ୍ଧରେ ସମ୍ଭାବ୍ୟ ଅସମ୍ଭାବ୍ୟ ବହୁ ଆଲୋଚନା ଚାଲିଲା । ମନୁଷ୍ୟ ଓ ବାଘ ମୃତ କି ଜୀବିତ କିଛି ସ୍ଥିର ହୋଇ ପାରିଲା ନାହିଁ ।

 

ଘଟନାଟା ଅଦ୍ଭୁତପୂର୍ବ ଓ ଅଶ୍ରୁତପୂର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ବୋଧହୁଏ ପାଠକ ଘଟନାଟି ବିଶ୍ୱାସ କରିବାକୁ ପ୍ରସ୍ତୁତ ହେବେ ନାହିଁ । ଗୋଟିଏ ପୂର୍ଣ୍ଣବୟସ୍କ ଚିତାବାଘ ଖଣ୍ଡିଏ ପଥର ଚକଡ଼ା ଉପରେ ପୂର୍ବ-ପଶ୍ଚିମ ଭାବରେ ଶୋଇଛି । ଚାରିଗୋଡ଼ ଲମ୍ବେଇ ଡାହାଣ କଡ଼ ମାଡ଼ି ଶୋଇଥାଏ । ଚକ୍ଷୁ ଦୁଇଟି ମୁଦ୍ରିତ । ଚିତାଟା ଅତି ସୁନ୍ଦର ଓ ସ୍ଵାସ୍ଥ୍ୟବାନ । ତା’ ଦେହର ଚମଡ଼ାଟା ଏକବାରକେ ନିଖୁଣ ଓ ଚକ୍‍ଚକ୍ ଦେଖାଯାଉଥାଏ । ଦେଖିଲେ ଆଖି ଲାଖିରହିବ । ଜଣେ ଲୋକ ଖଣ୍ଡିଏ ଧଳା ଚାଦର ଆପାଦମସ୍ତକ ଘୋଡ଼େଇହୋଇ ବାଘର ପେଟ ପାଖରେ ମୁଣ୍ଡ ରଖି ଲମ୍ବାୟମାନ ହୋଇ ପଡ଼ିଛି । ଘଟନାଟି କ’ଣ ହୋଇପାରେ ? କଳ୍ପନାର ଅତୀତ । ଯାହାହେଉ, ସୂର୍ଯ୍ୟୋଦୟ ପରେ ତଥ୍ୟ ଉଦ୍‍ଘାଟନ କରିବାକୁ ହେବ ।

 

ନାନା କଳ୍ପନା ଜଳ୍ପନା ମଧ୍ୟରେ ସମୟ ଅତବାହିତ ହୋଇଗଲା । ପୂର୍ବ ଦିଗରେ ସିନ୍ଦୂରା ଫାଟିଲା । ପାହାଡ଼ ଉପରୁ ସୂର୍ଯ୍ୟୋଦୟର ଅପରୂପ ଛବି ଦେଖିବାର ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଯୁଟେ ନାହିଁ । ଘଞ୍ଚ ଜଙ୍ଗଲର ଶ୍ୟାମଳୀମା ଓ ସୂର୍ଯ୍ୟୋଦୟ ଏତେ କମନୀୟ ହୋଇଥାଏ ଯେ, ସେ ଅପୂର୍ବ ଦୃଶ୍ୟ ମୁଁ ପ୍ରାଣଭରି ଉପଭୋଗ କରିନେଲି । ଏହି ପାହାଡ଼ରେ ପ୍ରଚୁର ମୟୂର ବାସ କରନ୍ତି । ବିଭିନ୍ନ ପକ୍ଷୀଙ୍କର ପ୍ରଭାତୀ କଳରବ ସହିତ ମୟୂରର କେକା ଶବ୍ଦରେ ବନ ମୁଖରିତ ଓ ସଜୀବ ହୋଇଉଠିଲା । ଏସବୁ ପ୍ରତି ମୁଁ ଅଧିକ ସମୟ ଧ୍ୟାନ ଦେଇପାରିଲି ନାହିଁ । ଉକ୍ତ ଦୁର୍ଘଟନାର ତଥ୍ୟ ଅନୁସନ୍ଧାନ ପାଇଁ ଆମେ ବ୍ୟଗ୍ର ହୋଇଉଠିଲୁ ।

 

ଆମେ ଅତି ସାବଧାନତାର ସହ ପାଦ ଗଣି ଗଣି ଅଗ୍ରସର ହେଉଥାଉ । ଯାଇ ଯାଇ ଘଟନାସ୍ଥଳର ଦଶଗଜ ଦୂରରେ ପହଞ୍ଚିଲୁ । ଦିବାଲୋକରେ ଘଟନାଟା ପରିଷ୍କାର ଦେଖାଯାଉଥାଏ-। ଆମେ ତୀକ୍ଷ୍ଣ ଦୃଷ୍ଟିରେ ନିରୀକ୍ଷଣ କରି ଦେଖିଲୁ, ଚିତାଟା ନିଶ୍ଚଳ, ନିଷ୍ପନ୍ଦ । ତା’ର ଶ୍ୱାସକ୍ରିୟା ବନ୍ଦ ହୋଇଯାଇଛି । ଏଥିରେ ଆମର ତିଳେ ହେଲେ ସନ୍ଦେହ ରହିଲା ନାହିଁ ଭୟର କାରଣ ନଥିଲା । ଆମେ ଦ୍ରୁତ ପଦକ୍ଷେପରେ ଚାଲିଲୁ । ଆମର ପାଦଶବ୍ଦରେ ଶାୟିତ ଲୋକଜଣକ ହଠାତ ଉଠିପଡ଼ିଲେ । ଓଃ, ଏ ଯେ ମୋର କୁଟୁମ୍ୱୀୟ ବଡ଼ବାପା ! ରାମନନାଙ୍କର ମାମୁଁ ହିସାବ ହେବେ । ଆମର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ରାମନନା ପଚାରିଲେ, “ମୋହନ ମାମୁଁ, ଇଏ କ’ଣ ?”

 

ମୋହନ କହିଲେ, “ଆରେ ରାମ, କ’ଣ କହିବି ! ମୁଁ ଏଠି ନିଦରେ ଶୋଇଛି । ରାତି ଦୁଇଟା ସମୟ ହେବ । ଏ ଚିତଟା ଗରଗର ଫାଏଁ ଫାଏଁ ହେଲା । ମୁଁ ଚମକିପଡ଼ିଲି । ଆସ୍ତେ ମୁଣ୍ଡ ଟେକି ଦେଖେ ତ, ଚିତାଟା ଡଗର ଉପରେ ମୋ ଆଡ଼କୁ ଅନାଇ ଠିଆ ହୋଇଛି । ଭାବିଲି, ଶଳା ମିଶିବ କି ? ମୁଁ ସେମିତି ଶୋଇରହି ଆସ୍ତେ ବନ୍ଧୁକ ଉଠାଇ ନାଛିଦେଲି । ଗୋଟିକିଆ ଗୁଳିଟା ଠିକ୍ କାନମୁଣ୍ଡାରେ ଲାଗିଲା । ଛଟ୍ କି ଛାଟ୍ କିଛି ହୋଇନାହିଁ । ସଙ୍ଗେ ସଙ୍ଗେ ଟଳି ପଡ଼ିଲା । ତା’ପରେ ତାକୁ ଭିଡ଼ି ଆଣି ମୁଣ୍ଡତଳେ ଦେଇ ଶୋଇଥିଲି ।”

 

ରାମନନା କହିଲେ “ଯାଃ, ଆମେ ତମକୁ ଦେଖି ଏକବାରକେ ଛାନିଆ ହୋଇଗଲୁ । ଭାବିଲୁ, ବାଘ ମଣିଷ ମାରି ଭରପେଟ ଖାଇ ଶୋଇଛି । ତମେ ରାତିଟାରେ ଏଠି ଶୋଇଥିଲ କାହିଁକି ?” ସେ ଚିଡ଼ିଉଠି କହିଲେ, “ତୁ କ’ଣ ନୂଆ କରି ଜାଣିଲୁ ? ମୁଁ ତ ତିନି ତିନି ରାତି ଏଇମିତି ଶୋଇ କଟାଇଛି ।” ସତକଥା, ସେ ଜଙ୍ଗଲକୁ ଗଲେ, ବେଳେବେଳେ ଦୁଇ ତିନିଦିନ ପରେ ଘରକୁ ଫେରନ୍ତି । ତାଙ୍କ ଘରେ କାନ୍ଦବୋବାଳି ପଡ଼ିଯାଏ । ଜଙ୍ଗଲରେ ଖୋଜା ଚାଲେ । ସେ ଜଙ୍ଗଲରେ କ’ଣ ଖାଆନ୍ତି, କିପରି ଚଳନ୍ତି, ବଡ଼ ଆଶ୍ଚର୍ଯ୍ୟର ବିଷୟ । ସେ କହନ୍ତି, ରାସ୍ତାରୁ ଦଶହାତ ଛାଡ଼ି ଜଙ୍ଗଲ ଭିତରେ ଶୋଇଲେ କିଛି ବିପଦ ନାହିଁ । ଖାଇବା ବିଷୟରେ କହନ୍ତି, ‘ଜାମୁ କୋଳି, ନିରେଇଶ କୋଳି, କଣ୍ଟେଇ କୋଳି, ଶିମିଳି କନ୍ଦା, ପାଚିଲା ବେଲ ଖାଏ । କାଙ୍କଡ଼, ମଟେଇ ଓ ମାଂସ ପୋଡ଼ିକରି ଖାଇ ଆନନ୍ଦରେ ରହିଯାଏଁ ।’ କି ଅଦ୍ଭୁତ ଲୋକ !!

 

ମୁଁ ତାଙ୍କ ବିଷୟରେ ଏତେ କଥା କହିଗଲିଣି । କିନ୍ତୁ ଏତେବେଳ ଯାଏଁ ତାଙ୍କର ପରିଚୟଟା ଦେଇନାହିଁ । ତାଙ୍କର ନାମ ଶ୍ରୀ ମୋହନ ରାୟ । ଡାକ ନାମ ମହନି ସାଆନ୍ତ । ଏଇ ମୋହନ ରାୟ ଥରେ ଆଡ଼ି ଶିକାରରେ ମୋତେ ବନ୍ଧୁକ କୁନ୍ଦାରେ ଦି’ କୁନ୍ଦା ବସାଇଥିଲେ । ସେ ଜଣେ ଦୁର୍ଦ୍ଦାନ୍ତ ଶିକାରୀ । ଶିକାରରେ ତାଙ୍କର ଅଦ୍ଭୁତ ସାହସିକତା ବିଷୟରେ ମୁଁ ମୋର ‘ଶିକାର ଓ ଶିକାରୀ’–ପ୍ରଥମ ଭାଗ ବହିରେ କେତୋଟି ଘଟନା ଉଲ୍ଲେଖ କରିଛି ।

 

ଏହାପରେ ଆମର ଶିକାରଯାତ୍ରା ବିଷୟ ଆରମ୍ଭ ହେଉ । ମୋହନ ରାୟ କହିଲେ, “ଆରେ ରାମ, ମୁଁ କାଲି ଦିନ ଚାରିଟାବେଳେ ଗୋଟାଏ ବଡ଼ ଏକୋରା (ଗୋଟିକିଆ ଦାନ୍ତଥିବା) ବାର୍‍ହାକୁ ଘଉଆ କରିଛି । ତା’ର ଆଗଗୋଡ଼ ଦୁଇଟି ଭାଙ୍ଗିଯାଇଛି । ବେଶୀ ଦୂର ଯାଇ ନ ଥିବ । ଚାଲ ତାକୁ ତଡ଼ିବା ।” ଏ ପ୍ରସ୍ତାବରେ ଆମେ ଆନନ୍ଦର ସହ ସମ୍ମତ ହେଲୁ । ସେ ବାଘକୁ ଡାଳପତ୍ରରେ ଆଚ୍ଛାଦାନ କରିଦେଲେ । ଆମେ ବାହାରିପଡ଼ିଲୁ ।

 

ଶ୍ରୀ ରାୟ ଖୋଜ ଧରି ବାର୍‍ହାର ପିଛା କଲେ । ଆମେ ଦୁହେଁ ଆଗ କାଟି ଦୁଇଜାଗାରେ ଛକି ରହିଗଲୁ । ସେ ବାର୍‍ହାକୁ ଦୁଇମଡ଼ା ଉଠାଇଲେ । କିନ୍ତୁ ଗୁଳି କରିବାର ସୁଯୋଗ ପାଇଲେ ନାହିଁ । ସେ ପିଛା କରି କିଛି ଦୂର ଯିବା ପରେ ଦେଖିଲେ, ବାର୍‍ହାଟା ଗୋଟିଏ ଖାଲ ଜାଗାରେ ପଡ଼ିଛି । ସେ ସିଟି ବଜାଇ ତାଙ୍କ ନିକଟକୁ ଯିବା ସକାଶେ ସଙ୍କେତ ଦେଲେ । ରାମନନା ଓ ମୁଁ ଏକତ୍ରିତ ହେଲୁ । ରାମନନା ମୋତେ କଡ଼ା ତାଗିଦ୍ କରିଦେଲେ, ‘ଦେଖ, ବାର୍‍ହାଟାର ଆଘାତ ମାରାତ୍ମକ ନୁହେଁ । ସେ ଖୁବ୍ ଟାଣ ଅଛି । ଘାଉଆ ବାର୍‍ହା ଜିଅନ୍ତା ବାଘଠାରୁ ଅଧିକ ଭୟଙ୍କର । ସାବଧାନରେ ଆଗେଇବ ।’ ଆମେ ଶ୍ରୀ ରାୟଙ୍କ ସହିତ ମିଳିତ ହେଲୁ । ସେ ଆମକୁ ବାର୍‍ହା ପଡ଼ିଥିବା ସ୍ଥାନ ଦେଖାଇଦେଲେ । ଜନ୍ତୁଟା ଲତା ଗୁଳ୍ମ ଆବୃତ ଖାଲ ଜାଗାରେ ପଡ଼ିଥିବାରୁ ସ୍ପଷ୍ଟ ଦେଖା ଯାଉ ନଥିଲା । ତାକୁ ସେ ସ୍ଥାନରୁ ନ ଉଠାଇ ଅନ୍ଧ ଧୁନିଆ ଗୁଳି କରିବା ନିରର୍ଥକ ।

 

ଶ୍ରୀରାୟ ମୋର ଡବଲ ବାରେଲ କାର୍ତ୍ତୋସ ବନ୍ଧୁକଟି ନେଲେ, ମୋର ଇଚ୍ଛା ବିରୁଦ୍ଧରେ, ଏକପ୍ରକାର ଜବରଦସ୍ତି କହିଲେ ଚଳେ । ବଡ଼ବାପା ହିସାବରେ ମୁଁ ଆଉ ଆପତ୍ତି ଉଠାଇବାର ଜୁ ଖଟିଲା ନାହିଁ । ଆମେ ତିନି ଦିଗରେ ଛକି ରହିଗଲୁ । ତା’ପରେ ରାୟ ଗୋଟିଏ ପଥର ତା’ ଉପରକୁ ପକାଇଲେ । ବାପ୍‍ରେ ! ଭୀଷଣ ଗର୍ଜନ କରି ଭୀମବେଗରେ ମିଶିଆସିଲା । ସେ ଦୁହେଁ ଧାଏଁ ଧାଏଁ ଦୁଇ ରାଉଣ୍ଡ ଗୁଳି ଚଳାଇଦେଲେ; କିନ୍ତୁ କାହାରି ଗୁଳି ତା’ ଦେହରେ ଲାଗିଲା ନାହିଁ । ଭାଗ୍ୟ ଭଲ, ବାର୍‍ହାଟା ଗୁଳି ଆବାଜରେ ଭୟ ପାଇ ପଛକୁ ଫେରିଗଲା ।

 

ଏହାପରେ ସେ ଦୁହେଁ ବାର୍‍ହାକୁ ପଛକୁ ତଡ଼ିଲେ । ମୁଁ ଆଗରେ ଛକି ରହିଲି । ଚତୁର୍ଦ୍ଦିଗରେ ଦୃଷ୍ଟି ରଖି ନୀରବ ନିଃଶବ୍ଦ ଭାବରେ ଠିଆ ହୋଇଛି । କେତେ ସମୟ ଗତ ହୋଇଗଲା । ଏହି ସମୟରେ ମୋ ପାଖରୁ ଅନ୍ଦାଜ କୋଡ଼ିଏ ଗଜ ଦୂରରେ ଦାନ୍ତ ଚୋବାଇଲା ଭଳି କଡ଼ର କଡ଼ର ଶୁଣାଗଲା । ଶବ୍ଦଟା କ’ଣ ହୋଇପାରେ ଜାଣିବାପାଇଁ ମୁଁ ବ୍ୟଗ୍ର ହୋଇଉଠିଲି । ମୁଁ ଯଥାସମ୍ଭବ ସତର୍କତା ଅବଲମ୍ବନପୂର୍ବକ ଶବ୍ଦକୁ ଅନୁସରଣ କଲି । ମାତ୍ର ଦଶଗଜ ଅଗ୍ରସର ହୋଇଛି, ଏହି ସମୟରେ ବାର୍‍ହାଟା ଘୋର ଗର୍ଜନ କରି ବିଦ୍ୟୁତ୍ ବେଗରେ ଧାଇଁ ଆସିଲା । ମୁଁ ସାମନାରୁ କଡ଼ପଟକୁ ପଛେଇ ଗଲାବେଳେ ପଡ଼ିଗଲି । ବନ୍ଧୁକଟା ଛିଟିକି ପାଞ୍ଚହାତ ଦୂରରେ ପଡ଼ିଲା । ବାର୍‍ହା ନିକଟ ହୋଇଆସୁଛି । ମୋର ବୁଦ୍ଧି ହଜିଗଲା ମୁଁ ହଠାତ ଉଠିପଡ଼ି ଦୌଡ଼ିଲି । ବାର୍‍ହାଟା ହୁଙ୍କାର ଛାଡ଼ି ପଛ ଦୁଇ ଗୋଡ଼ରେ କୁଦା ମାରି ପଡ଼ିଉଠି ଧାଇଁଛି । ଭାଗ୍ୟକୁ ପାଞ୍ଚଫୁଟ ଉଚ୍ଚର ଗୋଟିଏ ପଥର ହାବୁଡ଼ିଗଲା । ମୁଁ ତା’ ଉପରେ ଚଢ଼ିଗଲି । ବାର୍‍ହା ଆସି ପଥର ପାଖରେ ଦୁମ୍‍ଦାମ୍ ହୋଇ ପଡ଼ିଲା । ଟିକିଏ ଦମ୍ ନେଲା ପରେ କ୍ରୋଧ ଜର୍ଜରିତ ହୋଇ ମୋ ଉପରେ ଚଢ଼ାଉ ଆରମ୍ଭ କରିଦେଲା । ପଥର ଉପରେ ଚଢ଼ିବାକୁ ଚେଷ୍ଟା କରୁଥାଏ । ପ୍ରଚଣ୍ଡ ରାଗରେ ପଥରରେ ଦାନ୍ତ ମାରୁଥାଏ । ସେ ସମୟରେ ତା’ର ଯେଉଁ ନୃସିଂହ ମୂର୍ତ୍ତି ! ଯେ ଦେଖିଛି, ସେ ଏକା ଜାଣେ !! କିନ୍ତୁ ସବୁ ବୃଥା । ଆଗ ଦୁଇଗୋଡ଼ ମୋଟେ କାମ ଦେଉ ନାହିଁ । ଆଉ କରିବି କ’ଣ ? ମୁଁ ସମ୍ପୂର୍ଣ୍ଣ ନିରାପଦ । ଯାହାହେଉ ସାକ୍ଷାତ ଯମସଦୃଶ ଘାଉଆ ବାର୍‍ହା ମୁହଁରୁ ରକ୍ଷା ପାଇଗଲି । ମୋ ହାତରେ ବନ୍ଧୁକ ନାହିଁ । ଆଉ କରିବି କ’ଣ ? ପଥର ଉପରେ ଠିଆ ହୋଇ ବାର୍‍ହାର ନଲକାର ଦେଖୁଥାଏ ।

 

ମୁଁ ଡାକ ଦେଲି, “ରମନନା, ମୁଁ ପଶ୍ଚିମ ଦିଗରେ ଅଛି । ବାର୍‍ହା ମୋ ସାମନାରେ ପଡ଼ିଛି । ତୁମେ ଉତ୍ତର ଦିଗରୁ ଆସ, ଦକ୍ଷିଣ ଦିଗକୁ ଗୁଳି ମାରିବ ।’’ ସେମାନେ ମୋ ଡାକର ଜବାବ ଦେଲେ । ମୁଁ ମୋର ଗାମୁଛାଟା ବାର୍‍ହା ଆଡ଼କୁ ହଲାଇ, ଟାକରା ଫୁଟାଇ ତାକୁ ଅଧିକ ଉତ୍ତ୍ୟକ୍ତ କରାଉଥାଏ । ଟାକରା ଫୁଟାଇବାର ଆଉ ଗୋଟିଏ ଅର୍ଥ ହେଲା, ସାଥୀ ଶିକାରୀମାନେ ମୋର ଏବଂ ବାର୍‍ହାର ଅବସ୍ଥିତି ଜାଣିପାରିବେ । ବାର୍‍ହା ଗାମୁଛାଟା ଧରିବ ବୋଲି ପାଟି ଟାକୁଟାକୁ କରୁଥାଏ । କିଛି ସମୟ ଗତ ହୋଇଗଲା । ଏହି ସମୟରେ ଗୋଟିଏ ବୁଦା ଉପରେ ଭୁଷ୍‍ଭାଷ୍ ହୋଇ ଖଣ୍ଡିଏ ପଥର ପଡ଼ିଲା । ମୁଁ ବୁଝିପାରିଲି, ଏହା ମୋ ପାଖରୁ ବାର୍‍ହାକୁ ଦୂରେଇନେବା ଲାଗି ଶିକାରୀର କୌଶଳ । ବୁଦାଟା ମୋର ପୂର୍ବକୁ ଦଶହାତ ଦୂରରେ ଥିଲା । ବାର୍‍ହାଟା ଏକ ମୁହୂର୍ତ୍ତକେ ସେ ବୁଦା ଉପରକୁ ଝାମ୍ପିପଡ଼ିଲା । ତା’ ସଙ୍ଗେସଙ୍ଗେ ଧାଏଁ ଧାଏଁ ଦୁଇ ରାଉଣ୍ଡ ଗୁଳି । ବାର୍‍ହା କେଁଏଁ ଶବ୍ଦ କରି ବେକ ମୋଡ଼ିଦେଇ ନିଶ୍ଚଳ ହୋଇଗଲା ।

 

ବାଘ ବା ବାର୍‍ହାକୁ ବୋହିଆଣିବା ଆମ ପକ୍ଷେ ସମ୍ଭବ ନୁହେଁ । ରାମନନା ଓ ମୁଁ ଘରକୁ ଫେରିଆସିଲୁ । ରାଜାସାହେବଙ୍କୁ ଅମୂଳଚୂଳ ସମସ୍ତ ଘଟନା ଜଣାଇଦେଲୁ । ଏ ଘଟନା ରାଜାସାହେବ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ଗ୍ରାମରୁ ଲୋକ ପଠାଇଦେଲେ । ଶ୍ରୀରାୟ ବାର୍‍ହା ଓ ବାଘକୁ ନେଇ ଫେରିଲେ । ରାଜାସାହେବ ଚମତ୍କାର ବାଘଛାଲ ପାଇ ଖୁସି ହେଲେ । କିନ୍ତୁ ଆମେ ବାର୍‍ହା ମାଂସ ଖାଇ ସନ୍ତୁଷ୍ଟ ହୋଇପାରିଲୁ ନାହିଁ । କାରଣ ମାଂସଟା ବଡ଼ ସେମଟା ହୋଇଥିଲା ।

Image

 

ଏପାର ନ ହେଲେ ସେପାରେ

 

ପୌଷ ମାସ । ଜଙ୍ଗଲମାଳ ଜମିରେ ପାଚିଲା ଧାନକ୍ଷେତ । ବାର୍‍ହା ଧାନକ୍ଷେତ ଜୁର କରିବାରେ ଲାଗିପଡ଼ିଥାନ୍ତି । ଆଉ କେଇଟା ଦିନରେ ଧାନକଟା ଶେଷ ହୋଇଯିବ । ବାର୍‍ହା ଶିକାର କରିବା ଆଉ ସହଜ ହେବ ନାହିଁ । ମୁଁ ତନାଘନା ଲାଗିପଡ଼ି ଗୋଟିଏ ଏକୋରା ଦନ୍ତା ବାର୍‍ହା ଶିକାର କଲି । ସେଟା ବୋଧହୁଏ ପୌଷ ମାସର ଦ୍ଵିତୀୟ ସପ୍ତାହ । ଏବେ ପ୍ରାୟ ପନ୍ଦର ଦିନ ଗତ ହୋଇଗଲାଣି । ଏ ମଧ୍ୟରେ ମୋ ଭାଗ୍ୟରେ ଶିକାର ଯୁଟିନାହିଁ । ଆଳୁ, ସାରୁ, ବାଇଗଣ ତର୍କାରୀରେ ପୂର୍ବସଞ୍ଚିତ ବାର୍‍ହା ଚର୍ବି ପକାଇ ଯନ୍ତ୍ରକନ୍ତ୍ର ଗୁଜୁରାଣ ମେଣ୍ଟନ କରୁଥାଉ । କିନ୍ତୁ ‘ଡିମ୍ବ ତୁଣ କି ଆଇଁଷରେ ଲେଖା ?’ ସମସ୍ତେ ଜାଣିଥିବେ ଶୀତଦିନରେ ଟିକିଏ ଚିକ୍କଣ ଜିନିଷ ଖାଇବାକୁ ମନ ଲୋଭେ । ସ୍ଵାସ୍ଥ୍ୟ ପକ୍ଷରେ ମଧ୍ୟ ଏହା ବଡ଼ ଉପକାରୀ । ମାଂସପାଇଁ ମନଟା ଖାଲି ଟକଟକ ହେଲା । ପରଦିନ ଶିକାରକୁ ଯିବା ସଂକଳ୍ପ ନେଇ ରାତିରେ ଶୋଇଗଲି । ପାରିଧି ଶିକାରକୁ ଯିବାକୁ ହେଲେ ଅତି ପ୍ରତ୍ୟୁଷରୁ ଶିକାର ଯାତ୍ରା କରିବାକୁ ହୁଏ । ପୁଷମାସର କାଠୁଆ ଜାଡ଼ ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ିବାକୁ ମନ ହେଲା ନାହିଁ । ସୂର୍ଯ୍ୟୋଦୟ ପରେ ଉଠି ଶୀଘ୍ର ଶୀଘ୍ର ନିତ୍ୟକର୍ମ ଶେଷ କରିନେଲି । ମୁଢ଼ିରେ ଆଚାର ତେଲ ଗୋଳାଇ, କୁନ୍ଦଡ଼ି ଭଜା ସହିତ ପ୍ରାତଃଭୋଜନଟା ଶେଷ ହୋଇଗଲା । ଚଢ଼େଇଟା ହେଉନା କାହିଁକି ଆଜି ମାଂସ ଖାଇବାକୁ ହେବ । ପାଞ୍ଚଟି କାଟ୍ରିକ ପକେଟରେ ପକାଇ, ବନବିହାର ସାଥୀ ବନ୍ଧୁକଟି ଧରି ବାହାରିପଡ଼ିଲି । ଉଦ୍ଦେଶ୍ୟ ପକ୍ଷୀ ଶିକାର କରିବା । କାରଣ ଏପରି ସମୟରେ ଅନ୍ୟ ଶିକାର ମିଳିବା ସମ୍ଭବ ନୁହେଁ ।

 

ଆମ ପଟିଆ ଜଙ୍ଗଲରେ ଶିକାର କରିବା ସକାଶେ ଜନ୍ତୁର ସୁଲଭତା ଯେପରି, ଶିକାରଯୋଗ୍ୟ ପକ୍ଷୀଙ୍କର ପ୍ରାଚୁର୍ଯ୍ୟ ମଧ୍ୟ ସେହିପରି । ସେଥିପାଇଁ ମୁଁ ବହୁବାର କହିଆସିଛି, ଆମ ଜଙ୍ଗଲ ଶିକାରୀଙ୍କ ପକ୍ଷରେ ସ୍ଵର୍ଗ । ଅବଶ୍ୟ ସେ ପରିସ୍ଥିତି ଲୋପ ପାଇଯିବାକୁ ବସିଲାଣି । ସ୍ଥଳଚର ପକ୍ଷୀଙ୍କ ମଧ୍ୟରେ ହରଡ଼ ଚଢ଼େଇ, ବଣକୁକୁଡ଼ା ଓ ମୟୂର ପ୍ରଧାନ । ଜଳଚର ପକ୍ଷୀଙ୍କ ମଧ୍ୟରେ ଚକୁଆ, ବତକ, ହଂସରାଳୀ, ବେଙ୍ଗରାଡ଼ି, ସଲାରୀ, କାମ, କାଳ ପ୍ରଧାନ ।

 

ଆମ ଜଙ୍ଗଲରେ ଚାରି ଶ୍ରେଣୀରେ ହରଡ଼ ଚଢ଼େଇ ଅଛନ୍ତି, ଯଥା : ହଳଦିଆ ଗୋଡ଼ା, ନାଲିଗୋଡ଼ା, କାଉଆ ଓ କଜ୍ଜଳା । ହଳଦିଆଗୋଡ଼ା ହରଡ଼ ଚଢ଼େଇଙ୍କ ରଙ୍ଗ ହାଲୁକା ସବୁଜ । ଡେଣାରେ ଧଳାକଳା ମିଶା କେତୋଟି ପର ଥାଏ । ଗୋଡ଼ ଦୁଇଟି ହଳଦିଆ । କଣ୍ଠରେ ସାମାନ୍ୟ ଅଂଶ ଇନ୍ଦ୍ରଧନୁର ରଙ୍ଗ । ଏଗୁଡ଼ିକ ଦେଖିବାକୁ ଖୁବ୍ ସୁନ୍ଦର । ନାଲିଗୋଡ଼ା ହରଡ଼ ଠିକ୍ ହଳଦିଆ ଗୋଡ଼ାଙ୍କ ପରି । ପ୍ରଭେଦ ଏତିକି ଯେ, ଏମାନେ ହଳଦିଆ ଗୋଡ଼ାଙ୍କଠାରୁ ଆକାରରେ ଛୋଟ ଓ ଗୋଡ଼ ଦୁଇଟି ନାଲି । ଏମାନଙ୍କର ବୋବାଳି ଏତେ ମଧୁର ଯେ, ଶୁଣିଲେ ମନ ମୁଗ୍ଧ ହୋଇଯିବ । କାଉଆ ଓ କଜ୍ଜଳା ହରଡ଼ ଆକୃତିରେ ଏକ ପ୍ରକାର, କେବଳ ରଙ୍ଗରେ ସାମାନ୍ୟ ପ୍ରଭେଦ ଅଛି । କଜ୍ଜଳା ହରଡ଼ର ରଙ୍ଗ ଧୂସର । କାଉଆଙ୍କର ରଙ୍ଗ ତା’ ଠାରୁ ଟିକିଏ ଗାଢ଼ । ହଳଦିଆଗୋଡ଼ା ହରଡ଼ଙ୍କ ମାଂସ ଅଧିକ ରୁଚିକର ଓ ସୁସ୍ଵାଦୁ । ହରଡ଼ ଚଢ଼େଇ କେବଳ ଜଙ୍ଗଲର ପାଚିଲା ଫଳ ଖାଆନ୍ତି । ଶସ୍ୟଜାତୀୟ ଦ୍ରବ୍ୟ ଆଦୌ ଖାଆନ୍ତି ନାହିଁ । ଏମାନେ ଖୁବ୍ ତକା । ଏମାନଙ୍କୁ ଶିକାର କରିବା ବଡ଼ କଷ୍ଟ ।

 

‘ପଟିଆ ଦହ’ ବିଷୟ ଅନେକେ ଜାଣିଥିବେ । ତିନି ଦିଗରେ ଚିର ସବୁଜ ଅରଣ୍ୟ ପରିବେଷ୍ଟିତ ଏକ ବୃହତ୍ ଜଳଭାଗ । ଅନ୍ୟ ଦିଗଟି ଘନ ଶ୍ୟାମଳିତ ବିସ୍ତୃତ ଶସ୍ୟକ୍ଷେତ୍ର । ହ୍ରଦଟି ପ୍ରସ୍ଫୁଟିତ ଶ୍ୱେତ ପଦ୍ମ, ରକ୍ତ ପଦ୍ମ ଓ ନାନା ବର୍ଣ୍ଣର କଇଁଫୁଲରେ ଚିର ସୁଶୋଭିତ । ନାନାଜାତିର ଜଳଚର ପକ୍ଷୀ ଏଥିରେ ସନ୍ତରଣ କରୁଥାନ୍ତି । ସେମାନଙ୍କ ସୁମଧୁର କଳରବରେ ଦହଟି ସର୍ବଦା ମୁଖରିତ ଏହି ଦହର ଶୋଭା ବର୍ଣ୍ଣନା କରିବାକୁ ଯାଇ କବିବର ରାଧାନାଥ ଲେଖିଛନ୍ତି, “ପଟିଆ ଦହରୁ ପକ୍ଷୀ ଦଳେ ଦଳେ, ଉଡ଼ି ଆସୁଛନ୍ତି ନଭେ କୋଳାହଳେ ।”

 

ସେଦିନ ମୁଁ ଜଙ୍ଗଲରେ ପ୍ରବେଶ କରି ହରଡ଼ଙ୍କ ସନ୍ଧାନରେ ପ୍ରବୃତ୍ତ ହୋଇଗଲି । ଫଳ ଖାଉଥିବା ସମୟରେ ଗୁଳି କଲେ ଗୋଟିଏ ବା ଦୁଇଟି ହରଡ଼ ପଡ଼ିବେ । କିନ୍ତୁ ଶୀତ ଦିନରେ ସକାଳୁଆ ଅନ୍ୟୂନ ୮।୧୦ଟି ଲେଖାଁ ହରଡ଼ ଗୋଟିଏ ଗୋଟିଏ ବାଉଁଶ ଡେଲଙ୍ଗାରେ ବସି ସୂର୍ଯ୍ୟକିରଣ ଉପଭୋଗ କରନ୍ତି । ଏହି ସୁଯୋଗରେ ଫାୟାର କଲେ ଗୋଟିଏ ଚୋଟରେ ଅନ୍ତତଃ ୪।୬ଟି ପଡ଼ିଯିବେ । ମୁଁ ଏହି ସୁଯୋଗ ପାଇବା ଉଦ୍ଦେଶ୍ୟରେ ଅନ୍ୱେଷଣ କରି ବୁଲୁଛି । କିନ୍ତୁ ହରଡ଼ ଚଢ଼େଇଙ୍କର ସନ୍ଧାନ ପାଇବା ପୂର୍ବରୁ ଦୈବାତ ଗୋଟିଏ କୁକୁଡ଼ା ପଲ ଦୃଷ୍ଟିଗୋଚର ହେଲା-। ଭାବିଲି, ନିଶ୍ଚିତକୁ ଛାଡ଼ି ଅନିଶ୍ଚିତ ପଛରେ ଧାଇଁବା ବିବେକୀ ଲୋକର କାମ ନୁହେଁ । କୁକୁଡ଼ା ପଲଟି ଦଳବଦ୍ଧ ଭାବରେ ମଇଁଷି ଗୋବର ଉଖାରି ପୋକଜୋକ ଖାଉଥିଲେ । ମୁଁ ଅତି ସତର୍କତା ଅବଲମ୍ବନପୂର୍ବକ ନେବେଡ଼ି ନେବେଡ଼ି ଯାଇ ଠିକ୍ ବନ୍ଧୁକର ରେଞ୍ଜ ମଧ୍ୟରେ ପହୁଞ୍ଚିଗଲି । ମୁଁ ଆଣ୍ଠୁ ଉପରେ କହୁଣି ରଖି ନିଶାଣ ଲଗାଇ ବସିଥାଏ । ସେମାନେ ଏକ ଲାଇନ୍ ଉପରେ ଆସିଗଲେ ଫାୟାର କରିବି । ୨।୩ ମିନିଟ ପରେ ମୋତେ ସେ ସୁଯୋଗ ମିଳିଲା । ଫାୟାର କରିବାମାତ୍ରେ ତିନୋଟି ପେଣ୍ଠୀ ଛଟ୍‍ଛାଟ୍ ପଡ଼ିଗଲେ । ଆଉ ସେମାନଙ୍କ ଦଳର ମସ୍ତବଡ଼ ଗଞ୍ଜାଟା ଘାଉଆ ହୋଇ ଲତା ଗହଳରେ କେଉଁଠି ଲୁଚିଗଲା । ସେଟାକୁ ମୁଁ ଖୋଜିବାରେ ଲାଗିପଡ଼ିଲି । ଖୋଜି ଖୋଜି ତା’ ପାଖରେ ପହୁଞ୍ଚିଲାବେଳକୁ ସେ ପଡ଼ିଉଠି ଆଉ ଗୋଟିଏ ଲତା ଗହରେ ପଶିଯାଏ । ଏମିତି ତା’ ପଛରେ ଗୋଡ଼େଇ ଗୋଡ଼େଇ ଥକିପଡ଼ିଲି । ଫେରିଆସିବାକୁ ଇଚ୍ଛା କରୁଛି, ଏହି ସମୟରେ ଜଣେ ଶିକାରୀଙ୍କର କୁଆଇବା ଶବ୍ଦ ଶୁଣାଗଲା ।

 

ଶିକାରୀଙ୍କର ସଙ୍କେତ ଶିକାରୀମାନେ ବୁଝିପାରନ୍ତି । ମୋର ଗୁଳି ଶବ୍ଦ ଶୁଣି କେହି ଶିକାରୀ ମୋର ଉପସ୍ଥିତି ଆବଶ୍ୟକ କରୁଥିବା ମୁଁ ବେଶ୍ ବୁଝିପାରିଲି । ମୁଁ ତଦନୁରୂପ କୁଆଇ ତାହାର ଜବାବ ଦେଲି । କୁଆଇବାକୁ ଲକ୍ଷ୍ୟ କରି ଶିକାରୀ ଦଳଙ୍କ ନିକଟରେ ପହଞ୍ଚିବାକୁ ଡେରି ଲାଗିଲା ନାହିଁ । ସେ ଦଳ ମଧ୍ୟରେ ଜଣେ ଶିକାରୀ ଓ ଚାରିଜଣ ପରିବାଣୁଆ (ଶିକାରୀ ସାଥୀ) ଥିଲେ । ଶିକାରୀ ହେଉଛନ୍ତି ଶ୍ରୀ ଚକ୍ରଧର ରାୟ । ଘଟନାଟା ବୁଝିବାରେ ଜଣାଗଲା, ସେ ଗତ ରାତିରେ ଗୋଟିଏ ବାର୍‍ହାକୁ ଘାଉଆ କରିଛନ୍ତି । ତାକୁ ଖୋଜି ବାହାର କରିବାକୁ ହେବ । ଏଥିରେ ମୋର ସହାୟତା ତାଙ୍କର କାମ୍ୟ । ଆହତ ହିଂସ୍ର ପ୍ରାଣୀକୁ ମାରିବା ଓ ଶିକାରୀଙ୍କୁ ସାହାଯ୍ୟ କରିବା ପ୍ରତ୍ୟେକ ଶିକାରୀଙ୍କର କର୍ତ୍ତବ୍ୟ । କର୍ତ୍ତବ୍ୟ ଅନୁରୋଧରେ ତାଙ୍କ ସହିତ ସହଯୋଗ କରିବାକୁ ବାଧ୍ୟ ହେଲି ।

 

ମୋର ପ୍ରଥମ ପଦକ୍ଷେପ ହେଲା, ମାଡ଼ ସ୍ଥାନଟା ପରୀକ୍ଷା କରିନେବା । ମାଡ଼ ସ୍ଥାନଟା ପରୀକ୍ଷା କରିବାରେ ଆହତ କିନ୍ତୁ ସମ୍ବନ୍ଧରେ ଅନେକ କଥା ଜଣାପଡ଼େ । ଯେପରି ତା’ ଦେହର କେଉଁ ସ୍ଥାନରେ ଗୁଳି ଲାଗିଛି, ତାହା ମାରାତ୍ମକ ହୋଇଛି କି ଜଖମ ହୋଇଛି ଇତ୍ୟାଦି । ମୁଁ ମାଡ଼ ସ୍ଥାନଟା ତନ୍ନତନ୍ନ କରି ଦେଖିଲି । ରକ୍ତ ଓ ରୁମକୁ ଜଣାଗଲା ଗୁଳିଟା ବାର୍‍ହାର ବୁକୁରେ ଲାଗି ଫିଟିଯାଇଛି । ମାତ୍ର ଏକ ଇଞ୍ଚ ଉପରକୁ ଗୁଳି ଲାଗିଥିଲା ତା’ର ଫୁସ୍‍ଫୁସ୍ ଓ ହୃତପିଣ୍ଡକୁ ଆଘାତ କରିଥାନ୍ତି । ବର୍ତ୍ତମାନ ତା’ର ଯଥେଷ୍ଟ ରକ୍ତ ଅଛି । ଏହାର ପିଛା କରିବା ଖୁବ୍ ବିପଜ୍ଜନକ । ଆହତ ଦନ୍ତା ବାର୍‍ହା, ଜିଅନ୍ତା ବାଘଠାରୁ ଅଧିକ ଭୟଙ୍କର ।

 

ଆମେ ଶିକାରୀ ଦୁଇଜଣ ଦଳରେ ବିଭକ୍ତ ହୋଇଗଲୁ । ଚକ୍ରଧର ଓ ସାଥୀ ରକ୍ତ ଓ ଖୋଜଚିହ୍ନି ଧରି ଚାଲିଲେ । ମୁଁ ଶହେଗଜ ତଫାତରେ ଚାଲିଲି । ପ୍ରାୟ ଏକ ଫର୍ଲଙ୍ଗ ଦୂରେ ଅତିକ୍ରମ କରିବା ପରେ ଖୋଜ ଧରି ଯାଉଥିବା ଶିକାରୀଙ୍କ ଦୃଷ୍ଟି ସେ ବାର୍‍ହାଟା ଉପରେ ପଡ଼ିଲା । ବାର୍‍ହାର ଦୃଷ୍ଟି ମଧ୍ୟ ତାଙ୍କ ଉପରେ ଆକର୍ଷିତ ହୋଇଛି । ଶିକାରୀଙ୍କର କ୍ଷିପ୍ରତାର ଅଭାବ ଯୋଗୁଁ ଗୁଳି ଚଳାଇବା ପୂର୍ବରୁ ବାର୍‍ହାଟା ଘୋର ଗର୍ଜନ କରି ତାଙ୍କୁ ତୀବ୍ର ଆକ୍ରମଣ କଲା । ସେ ଧୈର୍ଯ୍ୟର ସହିତ ଆକ୍ରମଣର ମୁକାବିଲା କରିପାରିଲେ ନାହିଁ । ଘୋର ବିପର୍ଯ୍ୟୟ ଘଟିଲା । ଶିକାରୀ ଅନ୍ଧାଧୁନିଆ ତା’ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଦେଲେ । ତା’ପରେ ! ସମ୍ଭାଳେ କିଏ ? ସେ କ୍ରୋଧାନ୍ଧ ହୋଇ ଶିକାରୀଙ୍କ ଉପରକୁ କୁଦି ପଡ଼ିଲା । ଶିକାରୀ ଚିତ୍‍ପଟାଙ୍ଗ ଦେଲେ । ବାର୍‍ହା ତାଙ୍କୁ ଦନ୍ତାଘାତ କରିବାକୁ ଉଦ୍ୟମ, ଏହି ସମୟରେ ସାଥୀ ପରିବାଣୁଆ ଅତି ସାହସର ସହ ବାର୍‍ହା ଥୋମଣିକୁ କଟୁରିରେ ଏକ ବ୍ରହ୍ମପାହାର ବସାଇଦେଲା । ବାର୍‍ହାଟା ଆଉ ଦୁଃସାହସ ନ କରି ଫେରିଗଲା ।

 

କ୍ରୁଦ୍ଧ ବାର୍‍ହାର ଗର୍ଜନ ଶୁଣି ମୋର ଜ୍ଞାନ ହଜିଗଲା । ଏପରି ଏଇ ଦୁର୍ଘଟନା ଘଟିବା ଆଶଙ୍କାରେ ମୁଁ ଅସ୍ଥିର ହୋଇପଡ଼ିଲି । ମୋତେ ବାଟଘାଟ ଦିଶିଲା ନାହିଁ । ମୁଁ ଅମଡ଼ା ମାଡ଼ି ଘଟନାସ୍ଥଳକୁ ଦଉଡ଼ିଲି । କିନ୍ତୁ କଣ୍ଟାଝଣ୍ଟା ମୋର ଅଗ୍ରଗତିରେ ବାଧା ସୃଷ୍ଟି କରୁଥାଏ । ସେଥିପ୍ରତି ଭ୍ରୂକ୍ଷେପ ନ କରି ପଡ଼ିଉଠି ଧାଇଁ ଧାଇଁ ଘଟନାସ୍ଥଳରେ ପହୁଞ୍ଚିଗଲି । ସେତେବେଳକୁ ମୋର ଲୁଗାପଟା ଛିନ୍ନବିଚ୍ଛିନ୍ନ, ଦେହମୁଣ୍ଡ ରକ୍ତସ୍ନାନ ।

 

ମୁଁ ଯାହା ଆଶଙ୍କା କରିଥିଲି ତାହାହିଁ ଘଟିଛି । ପରିବାଣୁଆ ବରଜୁ ପ୍ରଧାନଙ୍କୁ ଧନ୍ୟବାଦ-। ୟାଙ୍କୁ ଯେ କହନ୍ତି ସାଥୀ । ବିପଦବେଳେ ପ୍ରକୃତ ବନ୍ଧୁ ଚିହ୍ନା ପଡ଼େ । ବାଣୁଆ ପରିବାଣୁଆ ଏହିପରି ପରସ୍ପର ସାହାଯ୍ୟ କରିବାରେ ସାର୍ଥକତା ଅଛି । ଆହତ ଶିକାରୀ ଶ୍ରୀ ଚକ୍ରଧର ରାୟ ଉକ୍ତ ବାର୍‍ହାକୁ ଗୁଳି କରି ଆହତ କରିଥିଲେ । ପୁଣି ତାଙ୍କର ଅନ୍ଧାଧୁନିଆ ଗୁଳିଟା ଘାଉଆ ବାର୍‍ହା ଦେହରେ ବାହାବେଣ୍ଟିଆ ହୋଇ ଲାଗିଲା । ଫଳରେ ତା’ର ଆଗଗୋଡ଼ରୁ ଗୋଟିଏ ଭାଙ୍ଗିଗଲା । ସେ ଆଉ ଦ୍ରୁତ ଗତିରେ ଦଉଡ଼ି ଆକ୍ରମଣ କରିପାରିବ ନାହିଁ । ସୁତରାଂ ତା’ଠାରୁ ଅନିଷ୍ଟର ଆଶଙ୍କା କମିଗଲା । ଯେତେ ବିପଦ ଆସୁ ପଛେ ସେ ଦୁଷ୍ଟ ବାର୍‍ହାଟାକୁ ମାରିବାକୁ ହେବ ।

 

ଶିକାରୀ ଚକ୍ରଧରଙ୍କ ଆଘାତ ସେପରି କିଛି ନୁହେଁ । ତଥାପି ସେ ଘାଉଆ ବାର୍‍ହାର ପିଛା କରିବାକୁ ରାଜି ହେଲେ ନାହିଁ । ଡମେଇ ପରିଡ଼ା ପରିବାଣୁଆ ଭାବରେ ଆସିଥିଲେ । ସେ ଶିକାରୀଙ୍କ ସାଥିରେ ଯିବାଆସିବା କରି ବନ୍ଧୁକ ଚଳାଇବା ଶିଖିଯାଇଛନ୍ତି । କେତୋଟି ପକ୍ଷୀ ଶିକାର ମାତ୍ର କରିଛନ୍ତି । ସେ ଚକ୍ରଧରଙ୍କ ବନ୍ଧୁକଟା ଧରି ବାର୍‍ହାର ପିଛା କରିବାକୁ ବାହାରିପଡ଼ିଲେ । ମୁଁ ଶିକାରସାଥୀ ବରଜୁ ପ୍ରଧାନଙ୍କୁ ସଙ୍ଗରେ ଧରି ପିଛା କରିବାରେ ଲାଗିପଡ଼ିଲି । ଡମେଇ ବନ୍ଧୁକଟା ଧରି ପଛେ ପଛେ ଆସୁଥାନ୍ତି । ବାର୍‍ହା ଦେହରୁ ରକ୍ତ ସ୍ରୋତ ବହିଚାଲିଥାଏ । ତେଣୁ ତା’ର ପିଛା କରିବାରେ କୌଣସି ବାଧା ସୃଷ୍ଟି ହେଉ ନଥିଲା । କିଛିଦୂର ଯିବା ପରେ ଗୋଟିଏ କୁକୁଡ଼ାପଲ କର୍ କର୍ ଶବ୍ଦ କରି କୌଣସି ପ୍ରାଣୀର ଉପସ୍ଥିତି ସୂଚନା ଦେଲେ । ଏମାନେ ହେଉଛନ୍ତି ଜଙ୍ଗଲର ସତର୍କ ପ୍ରହରୀ । ଏମାନଙ୍କଠାରୁ ଶିକାରର ଅନେକ ତଥ୍ୟ ମିଳିପାରେ । ଆମେ ସ୍ଥିର କରିନେଲୁ ବାର୍‍ହାଟା ନିକଟରେ ପଡ଼ିଛି । ରକ୍ତ ସଙ୍କେତ ଧରି ଛାଲିଛୁ । କିଛି ଦୂର ଯିବାପରେ ଦେଖିଲି ସେ ଗୋଟିଏ ନିଘଞ୍ଚ କଣ୍ଟକିତ ଜଙ୍ଗଲରେ ପ୍ରବେଶ କରିଛି । ଉକ୍ତ ଜଙ୍ଗଲରେ ପ୍ରବେଶ କରିବା ଆମର ସାଧ୍ୟାତୀତ-। କୁକୁଡ଼ାଙ୍କ ସତର୍କ ବାଣୀରୁ ଜଣାପଡ଼ିଛି ଯେ, ବାର୍‍ହାଟା ଏଇ ନିକଟରେ ଅଛି । ଯେପରି ହେଉ ଯିବାକୁ ହେବ ।

 

ବରଜୁ ପ୍ରଧାନ ଜଙ୍ଗଲ ହାଣି ବାଟ ଫିଟାଇବାରେ ଲାଗିଲେ । ଡମେଇ ଓ ମୁଁ ପଛରେ ଚାଲିଥାଉ । ଅନ୍ଦାଜ ପଚାଶହାତ ଖଣ୍ଡେ ଅତିକ୍ରମ କରି ଯିବା ପରେ ଡମେଇ ଫେରିଯିବାକୁ ବସିଲେ । ତାଙ୍କର ବିଚାର, ଆଗ କାଟି ଛକିକରି ବସିବା । ମୋର ବାରଣ ସତ୍ତ୍ଵେ ସେ ଚାଲିଗଲେ । ମୁଁ ଅନେକ ଦୂର ଅତିକ୍ରମ କରିଗଲିଣି । ଆଉ ୧୦ ହାତ ଖଣ୍ଡେ ପାର ହେଲେ ପଦା ଜଙ୍ଗଲକୁ ବାହାରି ପଡ଼ିବି । ଏହି ସମୟରେ ବନ୍ଧୁକର ଆବାଜ ହେଲା । ତା’ ସଙ୍ଗେ ସଙ୍ଗେ ଡମେଇଙ୍କର ଚିତ୍କାର–“ବାର୍‍ହା ମାରିପକାଇଲା, ଦଉଡ଼ିଆସ !!” ବରଜୁ ଆଉ ମୁଁ କିପରି ଯେ ସେ କଣ୍ଟା ବଣତକ ପାରହେଲୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଦୁର୍ଘଟନାଟା ଆମ ପାଖରୁ ଶହେ ଚକ ଦୂର । ଆମେ ଆପ୍ରାଣ ଚେଷ୍ଟା ଚଳାଇ ଦଉଡ଼ିଲୁ । ଘଟନାର ପନ୍ଦର ଚକ ଦୂରରେ ଥାଇ ଯାହା ଦେଖିଲୁ ଆମର ଜ୍ଞାନ ହଜିଗଲା । ତତ୍‍କ୍ଷଣାତ କିଛି ପ୍ରତିକାର କରିବାକୁ ବୁଦ୍ଧି ସ୍ଫୁରିଲା ନାହିଁ । ଡମେଇ ବାର୍‍ହାର କୋଳ ତଳେ ଚିତ୍‍ପଟାଙ୍ଗ ହୋଇ ପଡ଼ିଛନ୍ତି । ବାର୍‍ହାର ଥୋମଣିକୁ ଦୁଇ ହାତରେ ଜାବୁଡ଼ି ଧରିଥାନ୍ତି । ହାତ ଛାଡ଼ିଦେଲେ ସେ ଦାନ୍ତ ଭୁସି ଚିରିଦେବ । କେତେ ସମୟ ବା ଧରି ରଖିପାରିବେ-? ଶୀଘ୍ର କିଛି ଫଇସଲା କରିବାକୁ ହେବ । ବିଳମ୍ବ ହେଲେ ଗୋଟିଏ ଲୋକ ନିଶ୍ଚିତଭାବେ ମୃତ୍ୟୁ ମୁଖରେ ପଡ଼ିବ । ବରଜୁ ଅଭିଜ୍ଞ ଓ ବୟୋଜ୍ୟେଷ୍ଠ ଲୋକ । ସେ ମୋତେ ଚେତାବନୀ ଦେଲେ–ଚାହିଁଛ କ’ଣ ? ଚଳାଅ ଗୁଳି । ଏପାର ନ ହେଲେ ସେପାର ।

 

ଡମେଇ ବାର୍‍ହାର ଥୋମଣିକୁ ଧରି ମୁଣ୍ଡଟା ଉପରକୁ ଉଠାଇଥାନ୍ତି । ମୁଁ ତାଙ୍କୁ କହିଲି–ମୁଣ୍ଡଟା ପାରିଦିଅ । ସେ ସେହିପରି କଲେ । ମୁଁ କଡ଼ପଟରେ ଥାଇ ବାର୍‍ହାର ଠିକ୍ କାନମୁଣ୍ଡାକୁ ଲକ୍ଷ୍ୟ କରି ଏକ ଶକ୍ତିଶାଳୀ ଗୁଳି ଫାୟାର କରିଦେଲି । ମାତ୍ର ପଚିଶ ହାତ ଦୂରରୁ କି ଲକ୍ଷ୍ୟ ଭ୍ରଷ୍ଟ ହେବାର କଥା ! ଏତେ ନିକଟରୁ ଶକ୍ତିଶାଳୀ ଗୁଳିଟି ବାର୍‍ହାକୁ ଦଶହାତ ଦୂରରେ ଫିଙ୍ଗିଦେଲା । ଡମେଇ ଧଡ଼ପଡ଼ ଉଠି ବାର୍‍ହାର ଚୌଦପୁରୁଷ ଉଦ୍ଧାର କରିବାକୁ ଲାଗିଲେ ।

 

ବିଛାମନ୍ତ୍ର ନ ଜାଣି ସାପଗାତରେ ହାତ ପୂରାଇବା ଫଳ ଡମେଇ ପାଇଲେ । ତାଙ୍କ ଦେହରେ ବାର୍‍ହା ଦାନ୍ତ ଲାଗି ୨।୩ ଜାଗାରେ ସାମାନ୍ୟ କ୍ଷତ ହୋଇଥିଲା । ଯାହାହେଉ ସେ ଏ ଯାତ୍ରାରୁ ବଞ୍ଚିଗଲେ । ଆମ ମଧ୍ୟରୁ ଦୁଇଜଣ ଆହତ ହେଲେ ମଧ୍ୟ ଶେଷରେ ଆମେ ବିଜୟୀ ହେଲୁ-। ବିଜୟଗର୍ବରେ ବାର୍‍ହାକୁ ଧରି ଘରକୁ ଫେରିଲୁ ।

 

ଫେରିବା ବାଟରେ ଆହୁରି ଏକ ଅତି ଆଶ୍ଚର୍ଯ୍ୟଜନକ ଓ କୌତୁହଳପ୍ରଦ ଘଟନା ଘଟିଗଲା । ଘଟନାଟା ନିତାନ୍ତ ଅପ୍ରତ୍ୟାଶିତ । ଆମେ ବାର୍‍ହାକୁ କାନ୍ଧେଇ ଫେରୁଛୁ । ଅନେକ ଦୂର ଆସିବା ପରେ ରାସ୍ତାକଡ଼ରେ ଗୋଟିଏ ଜଉଜଉକା ବୁଦା ପଡ଼ିଲା । ଆମେ ସମସ୍ତେ ସେ ବୁଦାଟା ଅତିକ୍ରମ କରି ଚାଲିଗଲୁ । କିନ୍ତୁ ଆମ ପଂକ୍ତିର ଶେଷ ବ୍ୟକ୍ତିଟି ସେ ବୁଦା ପାଖରେ ପହୁଞ୍ଚିବାମାତ୍ରେ ଏକ ମସ୍ତବଡ଼ ଅଜଗର ସାପ ତା’ ଉପରକୁ ଲମ୍ଫ ପ୍ରଦାନ କଲା । ପରମ ସୌଭାଗ୍ୟର କଥା, ଲୋକଟି ଦେହରେ ଚୋଟ ଲାଗିପାରିଲା ନାହିଁ । ସେ ସାପ ସାପ ବୋଲି ଚିତ୍କାର କରିଉଠିଲା । ମୁଁ କ୍ଷିପ୍ର ବେଗରେ ଫେରିପଡ଼ି ସାପର ମୁଣ୍ଡକୁ ଲକ୍ଷ୍ୟକରି ଗୁଳି ଲାଛିଦେଲି । କିନ୍ତୁ ଗୁଳିଟା ତା’ ଦେହରେ ଲାଗିଲା ନାହିଁ । ସେ ଗତି ବଢ଼ାଇ ଚାଲିଯିବାକୁ ବସିଲା । ଲୋକଟି ହାତରେ ଚିତାଏ ଉଚ୍ଚର ଠେଙ୍ଗା ଥିଲା । ସେ ଦୌଡ଼ିଯାଇ ବସାଇଲା ପାହାର । କେତେ ଯେ ପାହାର ବସାଇଲା ତା’ର ସୁମାରି ନାହିଁ । ସାପଟା ନିଶ୍ଚଳ ହୋଇ ପଡ଼ିରହିଲା । ଆମେ ତାକୁ ମୃତ ଭାବି ଗୋଟିଏ ପଥର ଚକଡ଼ା ଉପରେ ଚକେଇ ରଖିଦେଲୁ । କାହିଁକି ନା ବାର୍‍ହାକୁ କାନ୍ଧେଇ ଆଣିବାରେ ସମସ୍ତେ ଶ୍ରାନ୍ତ କ୍ଳାନ୍ତ । ଆଉ ସାପକୁ ପଚାରେ କିଏ ? ମୋର ବିଚାର, ଉପରବେଳା ଆସି ସାପଟାକୁ ନେଇଯିବା ।

 

ଅଜଗର ସାପର ଅକ୍ଷତ ଚମଡ଼ାଟି ନିଶ୍ଚୟ ମୂଲ୍ୟବାନ୍ ହେବ । ଆଉ ମଧ୍ୟ ଚମଡ଼ାଟି ବିନିମୟ କରିବା ସକାଶେ ଗୋଟିଏ ସୁଯୋଗ ଅଛି । ଛାଲଟି ବିକ୍ରୟ କରି ଲାଭବାନ୍ ହେବା ମୋର ଉଦ୍ଦେଶ୍ୟ ନୁହେଁ । ଚମଡ଼ାର ବିନିମୟରେ ଜୋତା ହଳେ ପାଇବା ମୋର ଅଭିପ୍ରାୟ । ଆମ ପଟିଆ କିଲାର ଚମଡ଼ା ଓ ଶିଙ୍ଘ ଜଣେ ଠିକାଦାର ନିଲାମ ନେଇଥିଲେ । ସେ ନିଶ୍ଚୟ ମୂଲ୍ୟବାନ୍ ଜିନିଷଟି ପାଇବାକୁ ପ୍ରଲୋଭିତ ହେବେ । ମୁଁ ଅପରାହ୍ନ ୪ଟା ସମୟରେ ସାପଟାକୁ ଆଣିବା ସକାଶେ ବାହାରିପଡ଼ିଲି । ବନ୍ଧୁକ ନେବାର ଆବଶ୍ୟକତା ନଥିଲା । ମୋର ଶିକାରସାଥୀ ନବଘନକୁ ସଙ୍ଗରେ ନେଲି । ସେ ଏକ ଶକ୍ତ ପାହାର ଧରିଥାଏ । ମୃତ ସାପକୁ ରଖିଥିବା ସ୍ଥାନରେ ପହୁଞ୍ଚିଗଲୁ । ସାପ କୁଆଡ଼େ ଗଲା !! ଆମେ ଅବାକ ! ଆମେ ପାଖଆଖ ବଣବୁଦା ଧଉଣ୍ଡି ପକାଇଲୁ । ଓହୋ ! ଏଇ ଯେ ସାପ !! ମୁଁ ସଙ୍ଗରେ ବନ୍ଧୁକ ଆଣି ନ ଥିବାରୁ ଘୋର ଅନୁତାପ କଲି । ମୃତ ସାପଟା ଦୁଇଶହ ହାତ ପର୍ଯ୍ୟନ୍ତ ଆସିଲା କିପରି ? ଏହା ତ ବଡ଼ ଆଶ୍ଚର୍ଯ୍ୟର କଥା ! ନବଘନ ତା’ ଉପରକୁ ଶିଳାଖଣ୍ଡ ବୃଷ୍ଟି କରିବାରେ ଲାଗିଲା । ଯେମିତି ସେ ବୁଦା ଭିତରୁ ପଦାକୁ ବାହାରିଛି । ନବଘନ ଚଳାଇଲା ଠେଙ୍ଗା ବୃଷ୍ଟି । ଚମଡ଼ାଟା ନଷ୍ଟ ହୋଇଯିବା କାରଣରୁ ଆଉ ଅଧିକ ପ୍ରହାର କରିବାଟା ମୁଁ ବନ୍ଦ କରିଦେଲି । ସାପଟା ନିଶ୍ଚଳ ହୋଇ ପଡ଼ି ରହିଲା । ଆମେ ଦୁଇଜଣ ତାକୁ କାନ୍ଧେଇ ନବଘନର ଘରଠାରେ ପହଞ୍ଚିଲୁ । ସାପ ଦେଖିବାକୁ ଗୋଟାଏ ଯାତ୍ରା ଲାଗିଗଲା । ତା’ପରେ ନବଘନର ଦାଣ୍ଡପିଣ୍ଡାରେ ସାପକୁ ରଖି ତା’ ଉପରେ ଗୋଟାଏ ଟୋକେଇ ଘୋଡ଼େଇଦେଇ ମୁଁ ଘରକୁ ଫେରିଲି ।

 

ଆମ ଘରଠାରୁ ନବଘନର ଘର ଏକ ଫର୍ଲଙ୍ଗ ଦୂର । ପରଦିନ ସକାଳୁ ସାପ ଚମଡ଼ା ଉତାରିବା ସକାଶେ ଜଣେ ଲୋକକୁ ସାଙ୍ଗରେ ନେଇ ନବଘନ ଘରଠାରେ ପହଞ୍ଚିଲାବେଳକୁ ସେଠାରେ ଗୋଟାଏ ହାଇସ୍କୁଲ ପଡ଼ିଯାଇଛି । ସାପଟା ଗଲା କୁଆଡ଼େ ! ପଞ୍ଝାଏ ଲୋକ ସାପ ଖୋଜିବାରେ ଲାଗିପଡ଼ିଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ! ସାପଟା କ’ଣ ଅମର ଔଷଧି ଖାଇଛି ? ୟା’ ବାରି ତା’ ବାରି ଖୋଜା ଚାଲିଥାଏ । ତିନିଶହ ହାତ ଦୂରକୁ ଚାଲିଯାଇ ଜଣକର ନଡ଼ାଗଦାତଳେ ଶୋଇଥିଲା । ସେତେବେଳେ ମଧ୍ୟ ସେ ଜୀବିତ । ତା’ର ଚଳତ୍‍ଶକ୍ତି ଥିଲା । ତା’ପରେ ଚାଲିଲା ପ୍ରହାର । ସେଠାରୁ ତାକୁ ଉଠାଇଆଣି ଚମଡ଼ା ଉତାରିବା କାମ ଆରମ୍ଭ କରାଗଲା । ଚମଡ଼ା ଉତାରିସାରିବା ପରେ ମଧ୍ୟ ତା’ର ମେରୁଦଣ୍ଡଟା କିଛି ସମୟପାଇଁ ହଲଚଲ ହେଉଥିଲା । ଏହା ମୋ ଜୀବନରେ ଏକ ଅଦ୍ଭୁତ ଘଟନା ।

 

ସାପଟାର ଲମ୍ବ ସାଢ଼େ ବାର ଫୁଟ । ମଝି ଗଣ୍ଡିଟାର ଗୋଲେଇ ପନ୍ଦର ଇଞ୍ଚ ଥିଲା ।

Image

 

ଚୁଡ଼ଙ୍ଗ ଜଙ୍ଗଲରେ ଶିକାର

 

ଅନେକ ଦିନ ତଳର କଥା । ସେତେବେଳେ ମୋର ସାମୟିକ କର୍ମକ୍ଷେତ୍ର ଥିଲା ବାରଙ୍ଗ ଷ୍ଟେସନ ସଂଲଗ୍ନ ଦାଢ଼ା ଗ୍ରାମରେ । ମୁଁ ଷ୍ଟେସନକୁ ପ୍ରାୟ ବୁଲିବା ଉଦ୍ଦେଶ୍ୟରେ ଯାଇଥାଏ । ଏହିପରି ଯିବାଆସିବା ଫଳରେ ଷ୍ଟେସନ କର୍ମଚାରୀମାନଙ୍କ ସହିତ ମୋର ଗୋଟାଏ ସୁସମ୍ପର୍କ ସ୍ଥାପିତ ହୋଇଗଲା । ତତ୍‍କାଳୀନ ବୁକିଂ କ୍ଳର୍କ ଶ୍ରୀ ରଘୁନନ୍ଦନ ଶତପଥୀ ଶିକାରୀ ନୁହନ୍ତି; କିନ୍ତୁ ତାଙ୍କର ଶିକାର ପ୍ରତି ବିଶେଷ ଆଗ୍ରହ । ଏକନାଳିଆ କାର୍ତ୍ତୋସ ବନ୍ଧୁକଟିଏ ତାଙ୍କର ଥିଲା । ଶିକାରକୁ ଯିବା ସକାଶେ ସେ ମୋତେ କେତେବାର ଅନୁରୋଧ କରିଛନ୍ତି । କିନ୍ତୁ ଅନଭିଜ୍ଞ ଲୋକଙ୍କ ସଙ୍ଗେ ଶିକାରକୁ ଯିବା ମୋର ଇଚ୍ଛା ନୁହେଁ । ତେଣୁ ମୁଁ ନାନା ଆଳ ଦେଖାଇ ମନା କରିଦିଏ ।

 

ବାରଙ୍ଗ ଷ୍ଟେସନର ପଶ୍ଚିମରେ ଗଞ୍ଜାମ ଟ୍ରଙ୍କ୍ ରୋଡ଼ ଯାଇଛି । ଏହି ରାସ୍ତାର ପଶ୍ଚିମ ପାଖ ଜଙ୍ଗଲଟା ଚୁଡ଼ଙ୍ଗଗଡ଼ । ପୂର୍ବପାଖଟା ସାରଙ୍ଗଗଡ଼ । ଏ ଦୁଇଟିଯାକ ଗଡ଼ ଓଡ଼ିଶାର ଇତିହାସ ପ୍ରସିଦ୍ଧ ସ୍ଥାନ । କାଳକ୍ରମେ ଏ ଦୁଇଟି ଗଡ଼ର ପତନ ହେଲା । ତାହା ବର୍ତ୍ତମାନ ନିବିଡ଼ ଜଙ୍ଗଲରେ ପରିଣତ ହୋଇ ବାଘ, ଭାଲୁ ଆଦି ବନ୍ୟ ଜନ୍ତୁଙ୍କର କ୍ରୀଡ଼ାକ୍ଷେତ୍ର ହୋଇଛି । ଅଧୁନା “ନନ୍ଦନ କାନନ” ସାରଙ୍ଗ ଗଡ଼ ଜଙ୍ଗଲରେ ଅବସ୍ଥିତ । ଦିନେ ଏହି ସାରଙ୍ଗଗଡ଼ ପଟିଆ କିଲାର ରାଜଧାନୀ ଥିଲା ।

 

ସୌଭାଗ୍ୟର ଦିନ । ସେଦିନ ମୁଁ ଷ୍ଟେସନ ଆଡ଼େ ବୁଲିଯାଇଥିଲି । ରଘୁବାବୁ ଉପସ୍ଥିତ ଥିଲେ । ତାଙ୍କ ସହିତ ମିଷ୍ଟାଳାପରେ ମାତିଗଲି । ହଠାତ ସେ ଶିକାରକୁ ଯିବା ପ୍ରସ୍ତାବ କଲେ । ଶିକାରକୁ ଯିବା ପୂର୍ବରୁ ସେଥିପାଇଁ କେତେକ ପ୍ରସ୍ତୁତି ଦରକାର, ସେ କଥା ସେ କାହୁଁ ଜାଣିବେ । ତାଙ୍କର ଏକାନ୍ତ ଇଚ୍ଛା, ନିହାତି ଘେରାଏ ବୁଲିଆସିବା । ତାଙ୍କର ଏପରି ଆଗ୍ରହାତିଶର୍ଯ୍ୟ ଦେଖି ମୁଁ ଆଉ ମନା କରିପାରିଲି ନାହିଁ । ମୋର ସମ୍ମତି ପାଇ ସେ ପାନ ଚାରିଖଣ୍ଡ ଆଣିବାକୁ ବରାଦ ଦେଲେ । ଏହାପରେ ଅଚାନକଭାବେ ଟୁପ୍ ଟୁପ୍ ହୋଇ ଚାରିଟୋପା ବରକୋଳିଆ ଟୋପା ବର୍ଷିଯାଇ ଛାଡ଼ିଗଲା । ଏଥିରେ ଆଉ ଶିକାର କ’ଣ ହେବ ? କାହିଁକି ନା ପାଣିଖଦାରେ ଜଗିବାର ପ୍ରସ୍ତାବ ଥିଲା ।

 

ତଥାପି ରଘୁବାବୁଙ୍କର ଏକା ଜିଦ୍ । ପାନ ଆସି ପହଞ୍ଚିଲା । ଆମେ ବାହାରିପଡ଼ିଲୁ । ଆମ ସଙ୍ଗରେ ଆପନ୍ନା ନାମକ ଜଣେ ପଏଣ୍ଟସ୍‍ମ୍ୟାନ ମଧ୍ୟ ଗଲା । ସେତେବେଳକୁ ଦିନ ପାଞ୍ଚଟା । ବାଟ ଚାଲିବା, ପାଣିକୂଳରେ ସନ୍ଧାନ ନେବା ଓ ବାଡ଼ (ଲୁଚିକରି ବସିବା ସ୍ଥାନ) ତିଆରି କରିବାରେ ଅନ୍ତତଃପକ୍ଷେ ଘଣ୍ଟାଟାଏ ସମୟ ଲାଗିଯିବ । ବାକି ଅଧଘଣ୍ଟାଏ ସମୟରେ କି ଶିକାର ହେବ ? ମୋତେ ହସ ଲାଗିଲା । ଯାହାହେଉ ବନ୍ଧୁଙ୍କର ତ ମନ ବୋଧ ହୋଇଯିବ ।

 

ଚୁଡ଼ଙ୍ଗ ଜଙ୍ଗଲରେ ଏବେ ମଧ୍ୟ ସ୍ଥାନେ ସ୍ଥାନେ ଗଡ଼ଖାଇ ଓ ପ୍ରାଚୀରର ଭଗ୍ନାବଶେଷ ମୂକସାକ୍ଷୀରୂପେ ବିଦ୍ୟମାନ । ମୋର ପୂର୍ବପରିଚିତ ଏକ ପାଣିପାଖରେ ଆମ୍ଭେମାନେ ପହଞ୍ଚିଗଲୁ । ଏ ସ୍ଥାନଟା ଗଡ଼ଖାଇର ଅଂଶବିଶେଷ । ସେଠାରେ କିଛି ବର୍ଷାପାଣି ଥିଲା । ପ୍ରାୟ ୨୦ଫୁଟ ଉଚ୍ଚର ବନ୍ଧ । ତା’ର ତଳେ ପାଣି । ପାଣିକୂଳଟା ଦେଖିନେଲି । ୨।୩ଟି ହରିଣ କୁଟ୍ରାଙ୍କର ପୁରୁଣା ଖୋଜଚିହ୍ନ ଥିଲା । ଏହା ଉପରେ ଭରସା କରି ବସିବା ମୋର ଇଚ୍ଛା ନୁହେଁ । କିନ୍ତୁ କରାଯାଏ କ’ଣ-? ଅଗତ୍ୟା ବନ୍ଧ ଉପରେ କେତେଖଣ୍ଡ ଡାଳ ଘେରାଇ ଲୁଚିକରି ବସିଗଲି ।

 

ଉକ୍ତ ପାଣିପାଖରୁ ପ୍ରାୟ ଦେଢ଼ଶହ ଗଜ ଦୂରରେ ଆଉ ଠାଏ କିଛି ପାଣି ଥିଲା । ସେଠାକୁ ଯେପରି କୌଣସି ଜନ୍ତୁ ନ ଗଡ଼ନ୍ତି ସେଥିପାଇଁ ସେଠାରେ ରଘୁବାବୁଙ୍କୁ ଆପନ୍ନା ସହିତ ବସି ଗପସପ କରିବାପାଇଁ ନିର୍ଦ୍ଦେଶ ଦେଲି । ସେମାନେ ଚାଲିଗଲେ ଓ ସାମନା ଦିଗରେ ଗୋଟିଏ ଉଚ୍ଚ ସ୍ଥାନରେ ବସିଲେ । ପାଣି ପାଖଟା ଏକବାରକେ ଖୋଲାଜାଗା । କୌଣସି ଜନ୍ତୁ ଆସିଲେ ଅନ୍ତତଃ ଶହେଗଜ ଦୂରରୁ ଦେଖାଯିବ । ତେଣୁ ସତର୍କତା ବିଷୟରେ ମୋର ବିଶେଷ ଗୁରୁତ୍ଵ ଦେବା ଆବଶ୍ୟକ ନଥିଲା ।

 

ସୂର୍ଯ୍ୟ ଦିଗ୍‍ବଳୟରେ ନାନା ବର୍ଣ୍ଣ ବୈଭବ ବିସ୍ତାର କରି ବୁଡ଼ିଗଲେ ମୁଁ ଦେଖିପାରିଲି, ରଘୁବାବୁ ଠିଆ ହୋଇପଡ଼ି ଫେରିବା ଉପକ୍ରମ କରୁଛନ୍ତି । ମୁଁ ତାଙ୍କୁ ସଙ୍କେତଦ୍ଵାରା ଜଣାଇଦେଲି ଆଉ କିଛି ସମୟ ଅପେକ୍ଷା କରିବାକୁ ସେମାନେ ପୁଣି ସ୍ୱସ୍ଥାନରେ ବସିଗଲେ । ମୋର ବିଚାର, ଅନ୍ଧାର ହେବା ପର୍ଯ୍ୟନ୍ତ ବସିରହିବା । ଠିକ୍ ରୁମଲୁଚା ସମୟ । ଦେଖେ ତ ଅପର ପାର୍ଶ୍ଵ ଜଙ୍ଗଲରୁ ଦୁଇଟି ଧୂସୁରା ଧୂସୁରା ଜନ୍ତୁ ବାହାରିପଡ଼ିଲେ । ଅସ୍ପଷ୍ଟ ଆଲୋକ ଓ ଦୂରତା ଯୋଗୁଁ ମୁଁ ସେମାନଙ୍କୁ ଚିହ୍ନିପାରିଲି ନାହିଁ । କିନ୍ତୁ ବନ୍ଧୁକ ଛାତିରେ ଭିଡ଼ି ପ୍ରସ୍ତୁତ ହୋଇଗଲି । ଦେଖୁ ଦେଖୁ ଆସି ପାଣିକୂଳରେ ହାଜର ମାଈ ଅଣ୍ଡିରା ହଳେ ସମ୍ବର ।

 

ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏତେ ଶୀଘ୍ର ଦୁଇଟା ବୃହତ୍‍କାୟ ଜାନୁଆର ପହଞ୍ଚିଯିବେ, ମୁଁ କେବେ କଳ୍ପନା କରି ନଥିଲି । ସମ୍ବର ଶିଙ୍ଘାଳଟା ବେଶି ବୟସର । ତା’ର ଶିଙ୍ଘ ଦୁଇଟା ବିରାଟ ବିରାଟ ଆକାର । ଯେକୌଣସି ମିଉଜିୟମରେ ସ୍ଥାନ ପାଇବାଭଳି ଜିନିଷଟାଏ । ମୋର ବନ୍ଧୁକରେ ଗୁଳି କାର୍ତ୍ତୋସ ଭର୍ତ୍ତି ହୋଇଗଲା । ସେମାନେ ଏକ ଲାଇନରେ ଠିଆ ହୋଇ ପାଣି ଖାଇଲେ । ପାଣି ଖାଇବା ଶେଷପର୍ଯ୍ୟନ୍ତ ମୁଁ ଅପେକ୍ଷାରେ ଥାଏ । ପ୍ରଥମେ ଶିଙ୍ଘାଳ, ପରପାର୍ଶ୍ୱରେ ମାଈଟା ଥିଲା । ମୁଁ ଏକଲୟରେ ନିଶାଣ ଲଗାଇ ଧରିଥାଏ । ସେମାନେ ଆକଣ୍ଠ ଜଳପାନ କରି ଫେରିବା ଉପକ୍ରମ କରୁଛନ୍ତି, ଏହି ସମୟରେ ମୁଁ ଗୁଳି ଚଳାଇଦେଲି । ଶିଙ୍ଘାଳଟା ଉତ୍ତର ଦିଗକୁ ମାଈଟା ପଶ୍ଚିମ ଦିଗକୁ ଦୌଡ଼ି ପଳାଇଲେ । ତାଙ୍କ ଦେହରେ ଗୁଳି ଲାଗିବାର କୌଣସି ସୂଚନା ମିଳିଲା ନାହିଁ ।

 

କୃଷ୍ଣପକ୍ଷ । ସଙ୍ଗେ ସଙ୍ଗେ ଅନ୍ଧାର ଘୋଟିଗଲା । ମୁଁ ହୁଡ଼ି ଉପରେ ଓହ୍ଲାଇ ପାଣିପାଖରେ ପହଞ୍ଚିଲି । ରଘୁବାବୁ ଆସି ମୋ ସହିତ ଯୋଗ ଦେଲେ । ଟର୍ଚ୍ଚ ଲାଇଟ୍ ଯୋଗେ ମାଡ଼ସ୍ଥାନଟା ଦେଖିଲି । ପାଣିରେ ୪।୬ଟା ରୁମ ପଡ଼ିଥିଲା । ଏହା ବ୍ୟତୀତ କୌଣସି ଚିହ୍ନ ମିଳିଲା ନାହିଁ । ମୋର ମନରେ ଘୋର ଦୁଃଖ ଜାତ ହେଲା । କିନ୍ତୁ ମୁଁ ମୁହଁଟାଣ କରି କହିଲି, “ଗୁଳି ନିଶ୍ଚୟ ଲାଗିଛି । ସକାଳୁ ଗୋଟେଇକରି ନେବା ।” ରଘୁବାବୁ ଓ ଆପନ୍ନା ଭଦ୍ରତା ଖାତିରରେ କିଛି କହିଲେ ନାହିଁ ସତ; କିନ୍ତୁ ତାଙ୍କ ମନକଥା ମୋତେ ଅଛପା ରହିଲା ନାହିଁ । ସେମାନେ ଗୁଁ ପୁଁ ହେଉଥାନ୍ତି । ଖାଲି ଘୋଷି ହେଉଥାନ୍ତି, “ଓଃ, କି ଚାନ୍‍ସ !”

 

ପ୍ରକୃତ କଥା । ଏପରି ସୁଯୋଗ କ୍ୱଚିତ୍ ମିଳିଥାଏ । ଅନ୍ଧାର ରାତିରେ ଆମର ଆଉ କିଛି କରିବାର ନଥିଲା । ଫେରିବା ରାସ୍ତା ଧରି ଫେରୁଛୁ । ଆପନ୍ନା ରାସ୍ତାର ଉଭୟ ପାର୍ଶ୍ଵରେ ଟର୍ଚ୍ଚ ପକାଇ ପକାଇ ଚାଲିଥାଏ । ଆମେ ତା’ ପଛେ ପଛେ ଗୋଡ଼ତଳକୁ ଲକ୍ଷ୍ୟ କରି ଚାଲିଥାଉ । ମାତ୍ର ଦୁଇଶହ ଗଜ ଅତିକ୍ରମ କରିଛୁ, ଆପନ୍ନା ହଠାତ ବିଳିବିଳେଇଲା ପରି କହିଉଠିଲା, “ହେଇଟି ପଡ଼ିଛି-।” ମୁଁ ଦୃଷ୍ଟି ଫେରାଇ ଦେଖିଲି; କିନ୍ତୁ ଆଖିକୁ ବିଶ୍ଵାସ କରିପାରିଲି ନାହିଁ । ବାପ୍‍ରେ ! ଏତେବଡ଼ ସମ୍ବର !! ଗୋଟିଏ ପାହାଡ଼ ଭଳି ପଡ଼ିଥାଏ । ଖେଳରେ ଏତେ ବଡ଼ ସାଫଲ୍ୟ ! ମୋର ଆନନ୍ଦ କୁଳେଇଲା ନାହିଁ । ସେତେବେଳର ମନର ଅବସ୍ଥା ଲେଖିବାକୁ ମୋର ଭାଷା ନାହିଁ ।

 

ଆମେ ଯାଇ ଦେଖିଲୁ । ସେ ବାଁ କଡ଼ ମାଡ଼ି ପଡ଼ିଥିଲା । ମୁଁ ତା’ର ଡାହାଣ ପାଖ ଚଟୁଆ ଉପରକୁ ଲକ୍ଷ୍ୟ କରି ଗୁଳି କରିଥିଲି । କିନ୍ତୁ ଗୁଳିଟା ତୃତୀୟ ପଞ୍ଜରା ହାଡ଼ ଭାଙ୍ଗି ଭିତରେ ପଶିଥିଲା । ଏ ସ୍ଥାନରେ ଗୁଳି ଲାଗିଲେ ଫିଟି ବାହାରିଯିବାର କଥା । କିନ୍ତୁ ଏ ସ୍ଥଳରେ କ’ଣ ହେଇଛି ଜାଣିବା ସକାଶେ ମୁଁ ଉତ୍କଣ୍ଠିତ ହୋଇପଡ଼ିଲି । ଆମେ ତିନିଜଣଯାକ ଯଥାସାଧ୍ୟ ଚେଷ୍ଟା କରି ମଧ୍ୟ ତାକୁ ଓଲଟାଇ ପାରିଲୁ ନାହିଁ । ଅଗତ୍ୟା ଫେରିଆସିଲୁ ।

 

ଆମେ ଷ୍ଟେସନ ପାଖରେ ପହଞ୍ଚିଲାବେଳକୁ ଆଠଟା ପାଖାପାଖି । ସେତେବେଳେ ଦ୍ଵିତୀୟ ମହାସମର ଚାଲିଥାଏ । ରେଲୱେ ପୋଲ ଓ ଲାଇନ ଜଗିବା ସକାଶେ ଗୋର୍ଖା ଜଗୁଆଳ ନିଯୁକ୍ତି ହୋଇଥାନ୍ତି । ସେମାନଙ୍କର କ୍ୟାମ୍ପ ବାରଙ୍ଗ ଷ୍ଟେସନରେ ପଡ଼ିଥାଏ । ଏତେବଡ଼ ଜାନୁଆରଟାକୁ ଆଣିବା ବହୁ ଆୟାସସାଧ୍ୟ । ରାସ୍ତାର ସୁବିଧା ନ ଥିବାରୁ ଶଗଡ଼ ଯାଇପାରିବ ନାହିଁ-। ତେବେ କ’ଣ କରାଯାଏ ? ଗ୍ରାମରୁ ଲୋକ ସଂଗ୍ରହ କରିବା ସମୟସାପେକ୍ଷ । ଗୋର୍ଖା ଜଗୁଆଳମାନେ ଏ ଖବର ପାଇବାମାତ୍ରେ ଧୁମ୍‍ଧାମ୍ ଦଶଜଣ ଲୋକ ବାହାରିପଡ଼ିଲେ । ଆମେ ସେମାନଙ୍କୁ ନେଇ ରାତାରାତି ସମ୍ବରଟାକୁ ନେଇଆସିଲୁ । ଦଶଜଣ ଗୋର୍ଖା ଯବାନ ବହୁ କଷ୍ଟରେ ବାର ଜାଗାରେ ଥୋଇ ଥୋଇ ସେଟାକୁ ଆଣିଲେ । ଏଥିରୁ ସହଜେ ଅନୁମେୟ, ସେ ସମ୍ବରଟା କେତେବଡ଼ ହୋଇ ନ ଥିବ !

 

ସମ୍ବରଟାକୁ ପରୀକ୍ଷା କରି ଦେଖିଲି, ଗୁଳିଟା ତା’ର ଡାହାଣ ପଞ୍ଜରାରେ ଲାଗି ବାମପାଖ ପଞ୍ଜରାରେ ଫିଟିଯାଇଛି । ଏ ଗୁଳିଟା ମାଈ ସମ୍ବର ଦେହରେ ଲାଗିଥିବା କିଛି ଅସମ୍ଭବ ନୁହେଁ । ଏପରି କେତେ ଘଟନା ମୁଁ ଅଙ୍ଗେ ଲିଭେଇଛି । ମୋର ମନ ଯାଇ ସେଇଠି ରହିଲା । ସେ ସମ୍ବରଟାର ଖବର ନେବାକୁ ହେବ । ଆନନ୍ଦର ଆତିଶଯ୍ୟରେ ରଘୁବାବୁଙ୍କର ଗୋଡ଼ ତଳେ ଲାଗୁ ନ ଥାଏ । କାରଣ ଏ ସାଫଲ୍ୟ ତାଙ୍କରି ଯୋଗୁଁ ସମ୍ଭବ ହୋଇଛି । ଏଥିପାଇଁ ସେ ବିଶେଷ ଗର୍ବିତ ।

 

ରଘୁବାବୁଙ୍କ ବସାରେ ମାଂସ କଟାକଟି, ରନ୍ଧାବଢ଼ା, ଖିଆପିଆରେ ରାତି ପାହିଲା । ମୋର ମନ ଯାଇ ସେ ମାଈ ସମ୍ବର ପାଖରେ । ମୁଁ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଘଟନାସ୍ଥାନଟି ତଦାରଖ କରିବାକୁ ବାହାରିପଡ଼ିଲି । ମୋ ସାଙ୍ଗରେ ଦାଢ଼ା ଗ୍ରାମରୁ ଦୁଇଜଣ ଲୋକ ଯାଇଥିଲେ । ପାଣିକୂଳଟା ପରିଷ୍କାର ଜାଗା । ଟିକିଏ କିଛି ଆଞ୍ଚୁଡ଼ା ଚିହ୍ନ ହେଲେ ମଧ୍ୟ ବାରିହୋଇ ପଡ଼ିବ । ଗୁଳିଟା ଶିଙ୍ଘାଳ ଦେହରୁ ଫୁଟି ମାଟି ତାଡ଼ି ଚାଲିଯାଇଥାନ୍ତା । କିନ୍ତୁ ସେପରି ଚିହ୍ନ ତ କିଛି ନାହିଁ । ମୁଁ ଉଚ୍ଚ ସ୍ଥାନରୁ ଗୁଳି କରିଥିଲି । ଗୁଳିଟା ଫୁଟିଯାଇ ଶିଙ୍ଘାଳର ଗୋଡ଼ ପାଖରେ ଛିଡ଼ିଥାନ୍ତା । କିନ୍ତୁ ତା’ ତ ହୋଇନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ଗୁଳିଟା ମାଈ ସମ୍ବର ଦେହରେ ଲାଗିରହିଛି ।

 

ସେ ମାଈ ସମ୍ବରଟା ପଳାଇବା ରାସ୍ତାରେ ଖୁରାଚିହ୍ନ ସ୍ପଷ୍ଟ ଉଠିଥିଲା । ଆମେ ସେ ଚିହ୍ନକୁ ଧରି, ତା’ର ସନ୍ଧାନରେ ଆଗେଇ ଚାଲିଲୁ । ପ୍ରାୟ ୫୦।୬୦ ଗଜ ଦୂର ଯିବା ପରେ ଆଉ ଖୁରାଚିହ୍ନ ମିଳିଲା ନାହିଁ । ବୋଧହୁଏ ସେ ଦୌଡ଼ିବା ବନ୍ଦ କରି ଆସ୍ତେ ଚାଲିବାକୁ ଆରମ୍ଭ କରିଛି । ଆମେ ଅନ୍ଧାଧୁନିଆ ଖୋଜୁ ଖୋଜୁ ହଠାତ ରକ୍ତର ଦାଗ ମିଳିଗଲା । ୨୩ ହାତ ଅନ୍ତରରେ ଟୋପା ଟୋପା ହୋଇ ରକ୍ତ ପଡ଼ିଥାଏ ଡାହାଣ ପାଖରେ । ଏଥିରୁ ସ୍ପଷ୍ଟ କୁହାଯାଇପାରେ ଯେ, ଗୁଳିଟା ତା’ ଦେହରୁ ଫୁଟି ବାହାରି ଯାଇନାହିଁ । ଫୁଟିଯାଇଥିଲେ ବାମ ଡାହାଣ ଦୁଇକଡ଼ରେ ରକ୍ତ ପଡ଼ିଥାନ୍ତା । ରକ୍ତର ଧାର ନ ପଡ଼ି ଟୋପା ଟୋପା ହୋଇ ପଡ଼ିବାର କାରଣ ଅଛି । ଗୁଳି ଆଡ଼ତେରଛା ଭାବରେ ଲାଗିଲେ ଏପରି ରକ୍ତସ୍ରାବ ହୁଏ ।

 

ଆମେ ରକ୍ତର ଦାଗ ଧରି ଏକ ଫର୍ଲଙ୍ଗ ଦୂର ଯିବା ପରେ ଦେଖିଲୁ, ଗୋଟିଏ ଜାଗାରେ ଅଡ଼ାଏ ରକ୍ତ ଦଳିଚକଟି ହୋଇଯାଇଥିଲା । ଏଥିରୁ ଅନୁମାନ ସମ୍ବରାଟା ଏଠାରେ କିଛି ସମୟ ଡାହାଣ କଡ଼ ମାଡ଼ି ଶୋଇଥିଲା । ସେ ଅଶକ୍ତ ହୋଇପଡ଼ିଲାଣି । ତା’ର ମୃତ୍ୟୁ ସୁନିଶ୍ଚିତ । ଆମେ ଆଶାୟୀ ହୋଇ ଆଗେଇ ଚାହିଁଲୁ । ପ୍ରାୟ ଅଧ ମାଇଲିଏ ଅତି ଦୁର୍ଗମ ପଥ ଅତିକ୍ରମ କଲା ପରେ ଏକ ଅସମ୍ଭାବିତ ଘଟନା ଘଟିଲା । ଆମ ପାଖରୁ ୨୦ ଗଜ ଦୂରରେ ବାଘର ମୃଦୁ ଗର୍ଜନ ଶୁଣାଗଲା । ଏତ ବଡ଼ ଆଶ୍ଚର୍ଯ୍ୟର କଥା ! ବାଘ ଆମର ସୁରାକ ପାଇଥିଲେ କୁଆଡ଼େ ପଳାନ୍ତା ଯେ ତା’ର ପତ୍ତା ମିଳନ୍ତା ନାହିଁ । ଏଥିରେ କିଛି କାରଣ ନିହିତ ଅଛି । ତେବେ କି କାରଣ ଥାଇପାରେ ? ମୁଁ ସତର୍କ ଦୃଷ୍ଟି ରଖି ଏହିପରି ଭାବୁଛି ସେ ହଠାତ ଦିଖେପା କରି ଡେଇଁ ଆସିଲା । ଅଥଚ ଆମକୁ ଦେଖା ପଡ଼ିନାହିଁ । ଠିକ୍ ଏହି ସମୟରେ ମୋ ସାଥୀ ଭିତରୁ ଜଣେ ଭୀଷଣ ଚିତ୍କାର କରି ଦ୍ରୁତଗତିରେ ଦୌଡ଼ି ପଳାଇଲା । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ଅନ୍ୟ ସାଥୀର ମୁହଁକୁ ଚାହିଁଛି, ସେ ମୋ ମୁହଁକୁ ଚାହିଁଛି ।

 

ସେଟା ବାଘ ନୁହେଁ, ଚିତା । ତା’ର ସ୍ୱରରୁ ଏକଥା ବେଶ୍ ବୁଝିପାରିଲି । ବାଘ ଓ ଚିତାଙ୍କର ସ୍ଵରରେ ତଫାତ ଅଛି । ବାଘ ରହି ରହି ଗୋଟେ ଲେଖାଁ ହେଣ୍ଟାଳ ଛାଡ଼େ । ଏମାନଙ୍କର ସ୍ୱର ଖୁବ୍ ଗମ୍ଭୀର ଏବଂ ଲମ୍ବା । ଆଉ ଚିତାଗୁଡ଼ାକ ଅବିରାମ ହାଉଁ ହାଉଁ ହୁଅନ୍ତି, କରତ ଶବ୍ଦ ପରି-। ଲୋକଟା ଚିତ୍କାର କରିବା ଫଳରେ ଚିତାଟା କୁଆଡ଼େ ପଳାଇଲା ଯେ, ତା’ର ପତ୍ତା ନଥିଲା । ଆମେ ପୁଣି ରକ୍ତର ଦାଗ ଧରି ମାତ୍ର ୨୦।୨୫ ଗଜ ଖଣ୍ଡେ ଗଲୁ । ଘନ ବୁଦା ପରିବେଷ୍ଟିତ ଗୋଟିଏ ଅଳ୍ପ ପରିସର ଖୋଲା ଜାଗାରେ ମାଈ ସମ୍ବରଟା ପଡ଼ିଥିଲା । ଚିତା ତା’ର କୋଳସନ୍ଧାରୁ ଅଳ୍ପ ମାଂସ ଖାଇଛି । ପରୀକ୍ଷା କରି ଦେଖିଲି, ଗୁଳିଟା ତା’ର ଡାହାଣ ଚଟୁଆରେ ଲାଗି ବେକର ବାଁ ପାଖରେ ଟୁମେଇଛି । ମୋର ଅନୁମାନ ସତ୍ୟ ହେଲା । କାଉ ଶାଗୁଣାଙ୍କ ମୁହଁରୁ ରକ୍ଷା କରିବା ସକାଶେ ତାକୁ ଡାଳପତ୍ରରେ ଆଚ୍ଛାଦାନ କରି ଆମେ ବାହୁଡ଼ି ଆସିଲୁ ।

 

ଶୁଣିଲୁ ଭୀତତ୍ରସ୍ତ ହୋଇ ପଳାଇଆସିଥିବା ଲୋକଟି ଏପର୍ଯ୍ୟନ୍ତ ଗ୍ରାମକୁ ଫେରିନାହିଁ । ଏହା ଗ୍ରାମରେ ଗୋଟିଏ ଆଲୋଡ଼ନ ସୃଷ୍ଟି କଲା । ସେ ଲୋକଟା ମରିନାହିଁ କି ମରିବ ନାହିଁ । ଏକଥା ମୁଁ ନିଶ୍ଚିତ ଭାବରେ ଜାଣେ । ଅନର୍ଥକ ସେ ଚିନ୍ତା ମୁଣ୍ଡରେ ପୂରାଇବା ଦରକାର ନଥିଲା । ମୁଁ ଲୋକ ସଂଗ୍ରହ କରି ସମ୍ବରଟାକୁ ଆଣିବାକୁ ପଠାଇଦେଲି । କାଲି ଶିଙ୍ଘାଳର ମାଂସ ତ ସରିନାହିଁ-। ପୁଣି ପ୍ରଚୁର ମାଂସ । ଶୀତଦିନ ହୋଇଥିଲେ ଅବା ଦିନକୁ ଦୁଇଦିନ ରଖି ଖାଇହୁଅନ୍ତା । ଏ ତ ଖରାଦିନ । କ’ଣ ହେବ ? ତେବେ ମାଂସର ଶାକେରା କରିଦେଲେ ଆଠଦିନ ଖଣ୍ଡେ ରହିବ । ଶ୍ରୀମତୀ ରାୟ ହେଉଛନ୍ତି ଦକ୍ଷିଣ ଓଡ଼ିଶାର ଝିଅ । ସେ ମାଂସ ଶାକେରା କରିଜାଣନ୍ତି । ଖାଇବାକୁ ମଧ୍ୟ ଭଲ ପାଆନ୍ତି । ଆମେ ଏଣିକା ଲୋକେ ଏଗୁଡ଼ାକ ଖାଇବାକୁ ଭଲ ପାଉନାହିଁ । ମାଂସରେ ଗୁଡ଼, ତେନ୍ତୁଳି ରସ, ନଡ଼ିଆ, ପିଆଜ ଆଦି ଯଥେଷ୍ଟ ମସଲା ଦେଇ ଶାକେରା କରାଯାଏ । ଶାକେରା କ’ଣ, ଏକ ପ୍ରକାର ମାଂସର ଆଚାର କହିଲେ ଚଳେ ।

 

ଲୋକମାନେ ସେ ସମ୍ବରଟାକୁ ଆଣି ପହଞ୍ଚିଲେ । ସେମାନଙ୍କ ସାଙ୍ଗରେ ସେ ଭୟାଳୁ ଲୋକଟା ମଧ୍ୟ ଆସିଲା । ବୁଝିବାରେ ଜଣାଗଲା, ସେ ଜଙ୍ଗଲର ଗୋଟିଏ ନିଭୃତ ସ୍ଥାନରେ ଲୁଚିଥିଲା । ଏ ଲୋକଙ୍କର ଗହଳି ଚହଳି ଶୁଣି ନିକଟକୁ ଆସିଲା । ସେ ଲୋକଙ୍କର ଟାହୁଲି ଟାପରା ମୁଣ୍ଡପାତି ସହିଯାଉଥାଏ । ମାଂସ ଭାଗରୁ ବଞ୍ଚିତ ହେବ, ନ ହେଲେ ସେ ଏ ସ୍ଥାନରେ ନଥାନ୍ତା । ସମ୍ବରଟାକୁ କାଟିକୁଟି ପୁଳାଏ ମାଂସ ରଖି ବାକିତକ ବନ୍ଧୁବାନ୍ଧବ ପ୍ରିୟାପ୍ରୀତିଙ୍କୁ ବଣ୍ଟାବଣ୍ଟି କରିଦେଲି । ଏକା ଗୁଳିକେ ଦୁଇଟା ଶିକାର । ପୁଣି ମାଂସ ପାଇବା ଲୋଭରେ ଲୋକଙ୍କର ଭୂରି ଭୂରି ପ୍ରଶଂସା । ଏଥିରେ କାହାର ମନ ଆନନ୍ଦ ନ ହେବ !

 

ସମ୍ବରଗୁଡ଼ାକ ମାଟି ଖାଆନ୍ତି । ସେଥିପାଇଁ ସେମାନଙ୍କ ମାଂସ ମାଟିଆ ଲାଗେ । ସେ ମାଂସକୁ ଅଧିକ ପାଣି ଦେଇ କଅଁଳିଆ ଆମ୍ବପତ୍ର ପକାଇ ସିଝାଇ ଦିଆଯାଏ । ସିଝିଗଲା ପରେ ତାକୁ କିଛି ସମୟ ରଖିଦେଲେ ପାଣି ତଳେ ମାଟି ବସିଯାଏ । ଏହି ପ୍ରକ୍ରିୟାରେ ସମ୍ବର ମାଂସରୁ ମାଟି ଛଡ଼ାନ୍ତି । ଏହାପରେ ତର୍କାରୀ କଲେ ମାଟିଆ ଲାଗେ ନାହିଁ । ଗୋଟିଏ କଥା ଅଛି, “ଚୈତ୍ରେ ଚିତ୍ରା” । ଏହାର ଅର୍ଥ ଚୈତ୍ର ମାସରେ ହରିଣ ଓ ସମ୍ବର ମାଂସ ଭଲ ଲାଗେ । ପ୍ରକୃତ, ଶିଙ୍ଘାଳର ମାଂସଟା ବେଶ୍ ନରମ ଓ ଚିକ୍କଣ ହୋଇଥିଲା ।

Image

 

Unknown

ଜଙ୍ଗଲ ସ୍ମୃତି

 

ମୋର ବିଦ୍ୟାଳୟର ଶିକ୍ଷା ସଙ୍ଗେସଙ୍ଗେ ଜଙ୍ଗଲ ଜୀବନର ଶିକ୍ଷା ମଧ୍ୟ ଚାଲିଥାଏ । କୁଟୁମ୍ଵୀୟ ବଡ଼ମାନେ ମୋତେ ବନ୍ଧୁକ ଶିକ୍ଷା ଦେଇଛନ୍ତି । ବାଘ ଭାଲୁପୂର୍ଣ୍ଣ ଜଙ୍ଗଲକୁ ନେଇ ପଶୁ ପକ୍ଷୀଙ୍କର ଚାଲିଚଳନ ଓ ଶିକାର କୌଶଳ ଭଲ ଭାବରେ ଶିକ୍ଷା ଦେବାରେ ତ୍ରୁଟି କରିନାହାନ୍ତି । ଥରକର ଘଟନା, ମୁଁ ବଡ଼ବାପାଙ୍କ ସଙ୍ଗେ ଶିକାରକୁ ଯାଇଥିଲି । ସେ ବନ୍ଧୁକ ଧରି ଆଗେଇ ଚାଲିଥାନ୍ତି ତାଙ୍କର ନିର୍ଦ୍ଦେଶମତେ ମୁଁ ପଛରେ ଚାଲିଥାଏ । ଅନେକ ଦୂର ଯିବାପରେ ଗୋଟାଏ କୁଟ୍ରା ଦୃଷ୍ଟିଗୋଚର ହେଲା, କିନ୍ତୁ ସେ ବହୁତ ଦୂରରେ ଥିଲା । ତା’କୁ ବନ୍ଧୁକର ରେଞ୍ଜରେ ଆଣିବାକୁ ହେଲେ ଆହୁରି ପଚାଶ ଗଜ ଖଣ୍ଡେ ଆଗେଇ ଯିବାକୁ ପଡ଼ିବ । ବଡ଼ବାପା ମୋ ହାତରେ ବନ୍ଧୁକ ଦେଇ ଆଗେଇଯିବାକୁ ନିର୍ଦ୍ଦେଶ ଦେଲେ ଏବଂ ସେ ସେହିଠାରେ ରହିଗଲେ । ମୁଁ କିଛି ଦୂର ଅଗ୍ରସର ହେବାପରେ ବନ୍ଧୁକର ଘୋଡ଼ା ଚଢ଼ାଇ ଭାବିଲି, ରେଞ୍ଜରେ ପହଞ୍ଚିବାମାତ୍ରେ ଫାୟାର କରିବି । ସେତେବେଳେ ଆଉ ଘୋଡ଼ା ଚଢ଼ାଇବାରେ ଅଯଥା ବିଳମ୍ବ ହେବ ନାହିଁ । ମୁଁ ଅତି ସତର୍କତା ଅବଲମ୍ବନ ପୂର୍ବକ ଚାଲିଥାଏ । ଏକମାତ୍ର ଲୟ ଥାଏ କୁଟ୍ରା ଉପରେ । ଯାଉ ଯାଉ ଦୈବାତ ଗୋଟିଏ ଖାଲରେ ଗୋଡ଼ ପଡ଼ିଗଲା । ମୁଁ ବନ୍ଧୁକ ସହ ଗଛ କାଟିଲା ପରି ପଡ଼ିଗଲି ତତ୍‍କ୍ଷଣାତ ବନ୍ଧୁକଟା ଫିଟିଗଲା । ମୁଁ ଉଠିପଡ଼ି ଭୀତତ୍ରସ୍ତ ଭାବରେ ପଛକୁ ଚାହିଁଲି; ଦେଖିଲି, ବଡ଼ବାପା ଦ୍ରୁତ ପଦକ୍ଷେପରେ ମୋ ଆଡ଼କୁ ମାଡ଼ିଆସୁଛନ୍ତି । ସେ ମୋ ପାଖରେ ପହଞ୍ଚିବାମାତ୍ରେ ଠାଏକିନା ମୋ ଗାଲରେ ଏକ ଥାପଡ଼ ଲଗାଇଦେଲେ । କହିଲେ, “ଗୁଳି କଲାବେଳେ ବନ୍ଧୁକର ଘୋଡ଼ା ଚଢ଼ାନ୍ତି କି ଆଗରୁ ଚଢ଼ାଇ ରଖନ୍ତି ?” ମୁଁ ମୋର ଭୁଲ୍ ବୁଝିପାରି ନୀରବ ରହିଲି । ଏହିପରି କେତେବାର ବଡ଼ଙ୍କଠାରୁ ମାଡ଼ ଖାଇ ଜଙ୍ଗଲ ଶିକ୍ଷା ସମ୍ପୂର୍ଣ୍ଣ କରିଛି ।

 

ପ୍ରଥମେ ପ୍ରଥମେ ଶିକାର ବ୍ୟସନ ମୋତେ ପାଗଳ କରିଦେଇଥିଲା । ସେତେବେଳେ କାରଣରେ ହେଉ ବା ବିନା କାରଣରେ ହେଉ ଜଙ୍ଗଲର ପଶୁପକ୍ଷୀଙ୍କ ଉପରକୁ ଗୁଳି କରି ଲକ୍ଷ୍ୟଭେଦ କରିବା ଥିଲା ଏକମାତ୍ର ଉଦ୍ଦେଶ୍ୟ । ବାଘ, ଭାଲୁ, ସମ୍ବର, ହରିଣ ପ୍ରଭୃତି ବହୁ ଶିକାର କଲାପରେ ସେ ନିଶା ଓ ଶିକାରରେ ନାମ କମାଇବା ମୋହ କମିଆସିଲା । ପରବର୍ତ୍ତୀ ଅବସ୍ଥାରେ ଶିକାରନିଶା ପରିବର୍ତ୍ତେ ଜଙ୍ଗଲର ଆକର୍ଷଣ ମୋତେ ଅଧିକ ଭାବରେ ଘୋଟିଗଲା । ଜଙ୍ଗଲର ପଶୁପକ୍ଷୀଙ୍କ ସ୍ଵାଭାବିକ ଜୀବନଯାତ୍ରା । ସମ୍ବନ୍ଧରେ ଅଧିକରୁ ଅଧିକ ଜ୍ଞାନଲାଭ କରିବାକୁ ବିଶେଷ କୌତୁହଳ ଜାତ ହେଲା । ହରିଣ ପଲଟା ଯାଉ ଯାଉ ହଠାତ ଗତିପଥ ବଦଳାଇଲେ କାହିଁକି ? କୌଣସି ପଶୁର ପାଦଚିହ୍ନ ଦେଖି ଜାଣିବା ସେଟା ସ୍ତ୍ରୀ କି ପୁରୁଷ ? ଆକୃତି କେତେବଡ଼ ? ବଣ କୁକୁଡ଼ାଟା ହଠାତ ଚିତ୍କାର କରି ଉଡ଼ିଗଲା କାହିଁକି ? ଟିଟ୍ଟିଭ ପକ୍ଷୀଟା ଘନଘନ ଚିତ୍କାର କରିବାର କାରଣ କ’ଣ ? ଏସବୁ ତଥ୍ୟ ଅନୁଶୀଳନ କରିବାରେ ମୁଁ ଅଧିକ ଆନନ୍ଦ ଲାଭ କଲି । ମୋର ଅନୁମାନ ଯେତେବେଳେ ସତ୍ୟରେ ଉପନୀତ ହୁଏ ସେତେବେଳେ ସତେକି ମୋତେ କୋଟିନିଧି ମିଳିଗଲା, ଏହିପରି ଲାଗେ । ଜଙ୍ଗଲରେ ଜ୍ୟୋତ୍ସ୍ନାପ୍ଳାବିତ ରଜନୀ, ଅନୁଚ୍ଚ ଗିରିମାଳା, ମାଳତି ନିକୁଞ୍ଜ, ବେତସ ବନ, ବଂଶକୁଞ୍ଜ, କୁଳୁକୁଳୁ ଝରଣା, ସୁଶୀତଳ ଛାୟା, ପ୍ରଭାତୀ କଳରବ, ଉଷାକାଳୀନ ସୂର୍ଯ୍ୟୋଦୟ, ସାୟଂକାଳୀନ ଅସ୍ତରାଗ ସର୍ବଦା ମୋର ମାନସପଟରେ ଉଦ୍ଭାସିତ ହୋଇଉଠେ । ଶିକାର ବାହାନାରେ ଜଙ୍ଗଲକୁ ଛୁଟିଯାଏଁ ।

 

ଜଙ୍ଗଲରେ ଉପସ୍ଥିତ ହୋଇ ପଶୁପକ୍ଷୀଙ୍କର କ୍ରୀଡ଼ା, ବନରାଜ୍ୟର ମୁନିମନଲୋଭା ଦୃଶ୍ୟ ଦେଖି ମୁଁ ଘରସଂସାର ସବୁ ଭୁଲିଯାଏଁ । ଯେତେବେଳେ ମୁଁ ସାଂସାରିକ ଜଞ୍ଜାଳରେ ଭାରାକ୍ରାନ୍ତ ହୋଇପଡ଼େ, ସେତେବେଳେ ମୁଁ ବନବିହାରର ଆଶ୍ରୟ ଲୋଡ଼େ । ସେତେବେଳେ ସମୁଦ୍ରର ଢେଉ ପରି କେତେ ଭାବନା ଲହଡ଼ି ଭାଙ୍ଗେ । ସାଂସାରିକ ଜଞ୍ଜାଳ ପରିବର୍ତ୍ତେ ରାଜନୀତି, ସାହିତ୍ୟ, ଦୁଃଖ, ଦାରିଦ୍ର୍ୟ ଆଦି କେତେ ଯେ ଭାବନା ମନରେ ଉଦୟ ହୁଏ ତାହାର ଇୟତ୍ତା ନାହିଁ । ଶେଷରେ କୂଳ କିନାରା କିଛି ନ ପାଇ ପୁଣି ଶିକାରରେ ମନୋନିବେଶ କରେ ।

 

ଅନେକ ସମୟରେ ଜୀବନମରଣର ଝୁଙ୍କି ନେଇ ହିଂସ୍ରଜନ୍ତୁର ପିଛା କରିବାକୁ ହୁଏ ଓ ହିଂସ୍ରଜନ୍ତୁର ଆକ୍ରମଣର ମୁକାବିଲା କରିବାକୁ ପଡ଼େ । ଯେତେବେଳେ ଏସବୁ ସଂଗ୍ରାମରେ ମୁଁ ବିଜୟୀ ହୁଏ, ସେତେବେଳେ ମନରେ ଯେ କି ଅନିର୍ବାଚନୀୟ ଆନନ୍ଦ ଲାଭ କରେ ତାହା ଭାଷାରେ ପ୍ରକାଶ କରିହେବ ନାହିଁ ।

 

ଜଙ୍ଗଲରେ ଭୁୟାଁ, ହାଡ଼ବାଇ, ସଇତାନ ଅଛନ୍ତି–ସେମାନେ ମନୁଷ୍ୟଙ୍କ ଉପରେ ନାନା ପ୍ରକାର ଉପଦ୍ରବ କରନ୍ତି–ଏକଥା କେତେକ ଲୋକଙ୍କଠାରୁ ଶୁଣାଯାଏଁ । ଏ ସବୁ ଗଳ୍ପଗୁଡ଼ିକ ସତ କି ମନଗଢ଼ା ତାହା ଭଗବାନ୍‍ଙ୍କୁଇ ଜଣା । ମୋ ମତରେ ହୁଏତ ସେମାନଙ୍କ ମନର ଭୀତି ବା ଭ୍ରମ ଏହାର କାରଣ ହୋଇପାରେ । ସେମାନେ କଥାଗୁଡ଼ାକ ଏପରି ବନେଇ ଚୁନେଇ ସୁନ୍ଦର ଭାବରେ କହିପାରନ୍ତି ଯେ, ଯେ ଶୁଣିବ ସେ ଚମକି ଉଠିବ । କେତେକ ଶିକାରୀ ଓ ସାଧାରଣ ଲୋକ ଏହାକୁ ଧ୍ରୁବ ସତ୍ୟ ବୋଲି ମନେ କରନ୍ତି । କିନ୍ତୁ ମୁଁ ଏସବୁ କଥାକୁ ନିପଟ ମିଛ ବୋଲି ମନେ କରେ । ଏଥିରେ ମୋର ଆଦୌ ବିଶ୍ଵାସ ନାହିଁ । କେବେ ସୁଯୋଗ ମିଳିଲେ ଏହାର ସତ୍ୟାସତ୍ୟ ପ୍ରମାଣ କରାଯାଇପାରେ । ମନ କଥା ମନରେ ଥାଏ । ଅନେକ ଦିନ ବିତିଗଲା ।

 

ଥରକର ଘଟନା–ପୌଷମାସ । ଜ୍ୟୋତ୍ସ୍ନାବିଧୌତ ରଜନୀ । ବୋଧହୁଏ ଦଶମୀ କି ଏକାଦଶୀ ତିଥି । ସନ୍ଧ୍ୟା ଉତ୍ତୀର୍ଣ୍ଣ ହେବାପରେ ଶିକାରକୁ ଯିବାର ପ୍ରବଳ ବାସନା ଜାତ ହେଲା । ମୁଁ ମୋର ଶିକାର ସାଥୀ ନବଘନ ଓ ନେତ୍ରାନନ୍ଦକୁ ସଙ୍ଗରେ ଧରି ବାହାରିପଡ଼ିଲି । କଥା ହେଲା, ରାତ୍ରି ଭୋଜନ ପୂର୍ବରୁ ଫେରିଆସିବ । କିନ୍ତୁ ଶିକାରୀ ଭିକାରିଙ୍କର ଠିକଣା କ’ଣ ? ଯାଉ ଯାଉ ଯେଉଁଠି ପହଞ୍ଚିଲେ । ଜଙ୍ଗଲରେ କୃଷକମାନେ ରାଶି ଓ ହରଡ଼ ଫସଲ କରିଥାନ୍ତି । ଫଳ ପାଚି ଲୋଟୁଥାଏ । ବାର୍‍ହା, ହରିଣ, ସମ୍ବର ଫସଲ ଖାଇ ଜୁର କରିବାରେ ଲାଗିଥାନ୍ତି । ଏମାନେ ଫସଲ ଖାଇବା ସମୟରେ ଖଣ୍ଡେ ଦୂରରୁ ଶବ୍ଦ ବାରିହୋଇ ପଡ଼ିବ । ଶବ୍ଦ ଶୁଣି ଶିକାରୀ ସତର୍କତା ଅବଲମ୍ବନପୂର୍ବକ ସେମାନଙ୍କୁ ଅନୁସରଣ କଲେ ସାକ୍ଷାତ ମିଳିବା ଖୁବ୍ ସମ୍ଭବପର । ଆମେ କିଆରିକୁ କିଆରି କାନେଇ କାନେଇ ଚାଲିଥାଉ । ଯାଉ ଯାଉ ବହୁଦୂର ପର୍ଯ୍ୟନ୍ତ ଚାଲିଗଲୁ । ସେ ଅଞ୍ଚଳଟାର ନାମ “ଚମ୍ପାଖଲି” । ସେଠାରେ ଗୋଟିଏ ମସ୍ତବଡ଼ ହରଡ଼ କିଆରି । ସେ କ୍ଷେତ୍ରଟିରେ ପ୍ରାୟ ତିନି ଚାରିଦଳ ହରିଣ ଫଳ ଖାଉଥିଲେ । ତେଣୁ ଖର୍‍ଖାର୍, ମଡ଼୍‍ମାଡ଼୍, ଶବ୍ଦରେ ସେ ଅଞ୍ଚଳଟିରେ ଚହଳ ପଡ଼ିଯାଇଥାଏ । ଆମେ ଅରା (ବାଡ଼ାବନ୍ଦି) କଡ଼େ କଡ଼େ ଲୁଚି ଗୁଳି କରିବାର ସୁଯୋଗ ଦେଖୁଥାଉ-। ଅନେକ ସମୟ ପରେ ଏକ ଅପୂର୍ବ ସୁଯୋଗ ମିଳିଲା । ମୁଁ ଅବିଳମ୍ବେ ଏହାର ସଦ୍‍ବ୍ୟବହାର କରିବାକୁ ଛାଡ଼ିଲି ନାହିଁ । ଫାୟାର କରିବା ସଙ୍ଗେ ସଙ୍ଗେ ଏକ ‘ଚମ ଶିଙ୍ଘାଳ’ ଟଳି ପଡ଼ିଲା-

 

‘ଚମ ଶିଙ୍ଘାଳ’ କହିଲେ ବୋଧହୁଏ ଅନେକେ ବୁଝିପାରୁ ନ ଥିବେ । ପୁରୁଷ ହରିଣକୁ ଶିଙ୍ଘାଳ କୁହାଯାଏ । ଶିଙ୍ଘାଳଙ୍କ ମଧ୍ୟରେ କେତେ ଜାତିର ଅଛନ୍ତି । ଗୋଟିଏ ଜାତିର ଶିଙ୍ଘାଳ ଯେତେ ଅଧିକ ବୟସର ହେଲେ ମଧ୍ୟ, ସେମାନଙ୍କର ଶିଙ୍ଘ ବଡ଼ ହୁଏ ନାହିଁ, ସରୁ ଏବଂ ଛୋଟ ହୁଏ-। ଏମାନଙ୍କୁ “ଖାଡ଼ିଆ ଶିଙ୍ଘା’ ଶିଙ୍ଘାଳ କୁହାଯାଏ । ଗୋଟିଏ ଜାତିର ଶିଙ୍ଘାଳଙ୍କର ଶିଙ୍ଘ ମାତ୍ର ଏକଫୁଟରୁ ଅଧିକ ହୁଏ ନାହିଁ । ସେଥିରେ ଶାଖାପ୍ରଶାଖା ମଧ୍ୟ ନ ଥାଏ । ଏମାନଙ୍କୁ ‘ଗୋଜିକାଠିଆ’ ଶିଙ୍ଘାଳ କୁହାଯାଏ । ଆଉ କେତେକ ଶିଙ୍ଘାଳଙ୍କର ଶିଙ୍ଘ ଏକଫୁଟ ବା ଦେଢ଼ଫୁଟରୁ ଅଧିକ ହୁଏ ନାହିଁ । ପୁଣି ତାହା ଚର୍ମଦ୍ଵାରା ଆବୃତ ଥାଏ । ଏହାକୁ କହନ୍ତି ‘ଚମଶିଙ୍ଘାଳ’ । ଆଉ କେତେକଙ୍କର ତିନି ତିନି ଶାଖା ଆଉ ମସ୍ତ ବଡ଼ ବଡ଼ ଶିଙ୍ଘ ଥାଏ । ଏ ଜାତୀୟ ଶିଙ୍ଘାଳଗୁଡ଼ିକ ବୃହତ୍‍କାୟ । ଏ ଜାତୀୟ ଶିଙ୍ଘାଳଙ୍କର ଯେତେବେଳେ ପୁରୁଣା ଶିଙ୍ଘ ଝଡ଼ି ନୂଆ ଶିଙ୍ଘ ବାହାରେ, ତାହା ଚର୍ମଦ୍ଵାରା ଆବୃତ ଥାଏ । ନୂତନ ଶିଙ୍ଘ ପୂର୍ଣ୍ଣାଙ୍ଗପ୍ରାପ୍ତ ହେବାପରେ ଶିଙ୍ଘାଳ ତହିଁରୁ ଆବୃତ ଚର୍ମକୁ ବଡ଼ ଗଛରେ ଘଷି ଛଡ଼ାଇଦିଏ । ଏତଦ୍ଦ୍ୱାରା ସାମାନ୍ୟ ରକ୍ତସ୍ରାବ ହୁଏ । ଶିଙ୍ଘାଳର ଏପରି ଅବସ୍ଥାରେ ଆମେ ତାକୁ ‘ପତାକା ଉଡ଼ା’ ଶିଙ୍ଘାଳ କହିଥାଉ । ଏହି ସମୟରେ ତା’ର ମାଂସ ଖୁବ୍ ଚର୍ବିଯୁକ୍ତ ଏବଂ ସୁସ୍ଵାଦୁ ହୁଏ । ଏକଜାତୀୟ ପ୍ରାଣୀର ଶିଙ୍ଘରେ ଏପରି ବିଭିନ୍ନତା ଦେଖାଯିବା ଏକ ବିଚିତ୍ର କଥା । ଏହି ପ୍ରାଣୀତତ୍ତ୍ଵବିତ୍‍ମାନଙ୍କର ପ୍ରଣିଧାନର ବିଷୟ ।

 

ଏଥର ଅସଲ କଥା ଉପରକୁ ଆସିବା । ଶିଙ୍ଘାଳ ମରି ପଡ଼ିଥିବାର ଦେଖି ମୋ ପରିବାଣୁଆ ଭାରି ଖୁସି ହୋଇଗଲେ । ସେତେବେଳକୁ ରାତି ବାରଟା । ଶିକାର ନ ହେବା ଯାଏଁ ଭୋକ, ଶୋଷ, ଶୀତ, କାକର କିଛି ଜଣା ପଡ଼ୁ ନଥିଲା । ଶିକାର ହସ୍ତଗତ ହେବାପରେ ଜଠରାଗ୍ନି ଜଳିବାକୁ ଲାଗିଲା । ପୁଷମାସିଆ କାଠୁଆ ଜାଡ଼ କାହୁଁ ମାଡ଼ିଆସିଲା । ଆମେ ଶିକାରକୁ ଧରି ଗୋଟିଏ ପାଣିପାଖ ବାଉଁଶବୁଦା ମୂଳରେ ପହଞ୍ଚିଗଲୁ । ଆମର ଏପରି ଶ୍ରାନ୍ତ କ୍ଳାନ୍ତ ଅବସ୍ଥାରେ ୩।୪ ମାଇଲ ପଥ ଘରକୁ ଫେରିବାକୁ ଆମେ ଏକାନ୍ତ ଅକ୍ଷମ । ଅଗତ୍ୟା ରାତିଟା ଜଙ୍ଗଲରେ କଟାଇଦେବାର ନିଷ୍ପତ୍ତି ନେଲୁ । ପ୍ରଥମେ ଦରକାର ଅତଡ଼ାଏ ନିଆଁ । ଆମର ଅଙ୍ଗପ୍ରତ୍ୟଙ୍ଗ ସବୁ ଜଡ଼ ପାଲଟିଯାଇଛି । ପ୍ରଥମେ ତାକୁ ଟିକିଏ ସତେଜ କରିନେବା ଦରକାର ।

 

ମୋର ପ୍ରିୟ ଶିକାରସାଥୀ ନବଘନ ଜଙ୍ଗଲରେ ପଶି ଭୁଷ୍‍ଭାଷ୍ କରି ଶୁଖିଲା କାଠଗୁଡ଼ିଏ ଆଣି ଜମା କରିଦେଲା । ଧୁନି ଲାଗିବାକୁ ଡେରି ହେଲା ନାହିଁ । ହାତଗୋଡ଼ ଟିକିଏ ତାଜା ହେଲାପରେ ଖାଇବା ଚିନ୍ତା ପଡ଼ିଲା । ନବଘନ ଅଣ୍ଟିଏ ହରଡ଼ ଛୁଇଁ ବାହାର କରି କହିଲା–ଆସ ପୋଡ଼ିକରି ଖାଇବା । ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ କେତେବେଳେ ୟାକୁ ସଂଗ୍ରହ କଲା ! ଯାହାହେଉ ଦରକାରବେଳେ ତ କାମରେ ଆସିଲା । ମୁଁ ତାକୁ ପ୍ରଶଂସା ନ କରି ରହିପାରିଲି ନାହିଁ ।

 

ନବଘନ ଏକ ପଞ୍ଚହତା ମରଦ । ଖୁବ୍ ସାହସୀ, ସରଳ ବିଶ୍ୱାସୀ ଏବଂ ଉତ୍ତମ ସଙ୍ଗୀ ମଧ୍ୟ । କିନ୍ତୁ ଲୋକଟା ବଡ଼ ଭୋଜନୀ । ‘ଆହାରେ ଭଲମନ୍ଦ ନାହିଁ, ଯେସ୍ଥାନେ ଯେମନ୍ତ ମିଳାଇ’–ଏ ଉକ୍ତିଟି ସେ ଅକ୍ଷରେ ଅକ୍ଷରେ ପାଳନ କରେ । କଞ୍ଚାମାଂସ ଖାଲି ଟିକିଏ ନିଆଁରେ ସେକିଦେଲେ ତା’ର ତୃପ୍ତିକର ଭୋଜନ ହୋଇଗଲା । ସେ ପୁଣି ଅଳ୍ପ ନୁହେଁ । ଅନ୍ତତଃ ଦୁଇ କିଲୋଗ୍ରାମ ଖଣ୍ଡେ କହିଲେ ଅତ୍ୟୁକ୍ତି ହେବ ନାହିଁ । ତା’ର ଦରପୋଡ଼ା ମାଂସ ଖାଇବା ଦେଖି ମୁଁ ଭାବେ, ଏଇବାର ନବଘନଙ୍କର ଦଫା ଶେଷ ହୋଇଯିବ । କିନ୍ତୁ ତା’ ପରଦିନ ଦେଖିଲାବେଳକୁ ଗୋଟିଏ ପାଚିଲା ପଣସ ଫୁଟକୁ ଫୁଟ ଗିଳି ଚାଲିଛି । ଏଥିରେ କିଏ ଆଶ୍ଚର୍ଯ୍ୟ ନ ହେବ ? ତା’ର ଖାଇବା କଥା ଲେଖିବାକୁ ଗଲେ ସ୍ଵତନ୍ତ୍ର ଗୋଟିଏ ପ୍ରବନ୍ଧ ହୋଇପାରେ । ଏବେ ଏ କଥା ଏତିକିରେ ଥାଉ ।

 

ନାନା ଆଳାପ ଆଲୋଚନା ମଧ୍ୟରେ ହରଡ଼ ଛୁଇଁ ପୋଡ଼ି ଖାଇବାରେ ଲାଗିଲୁ । ଭୋକବେଳେ ଆମ୍ବିଳା ଆମ୍ବ ସୁଆଦ ।’ ମୁଁ ବେଶ୍ ମୁଠାଏ ଖଣ୍ଡେ ଗିଳିଦେଇଗଲି । ସାଥୀ ଦୁଇଜଣ ମାଂସ ପୋଡ଼ିବାକୁ ପ୍ରସ୍ତାବ ଦେଲେ । ଏଥିରେ ମୁଁ ଅମତ ହେବାର କୌଣସି କାରଣ ନଥିଲା । ହରଡ଼ ଛୁଇଁ ଖାଇବାରେ ମୋର କ୍ଷୁଧା ଏକପ୍ରକାର ନିବୃତ୍ତ ହୋଇଗଲା । ନିଆଁ ପାଖରେ ଚେକା ବାନ୍ଧି ଗାଢ଼ ନିଦ୍ରାରେ ଅଭିଭୂତ ହୋଇଗଲି ।

 

କେତେ ସମୟ ଶୋଇଯାଇଛି କହିପାରିବି ନାହିଁ । ଏହି ସମୟରେ ମାଂସ ଖାଇବାକୁ ମୋତେ ଡକରା ପଡ଼ିଲା । ପ୍ରଥମେ ନେତ୍ରାନନ୍ଦ ମାଂସପୋଡ଼ାରୁ ଟିକିଏ ଗୋଟିଏ ପତ୍ରରେ ନେଇ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଥୋଇଦେଇ ଆସିଲା । ସେ ପକ୍କା ଅନ୍ଧବିଶ୍ୱାସୀ । ତା’ପରେ ଆମେ ଭୋଜନ ଆରମ୍ଭ କଲୁ । ମାଂସପୋଡ଼ାଟା ଏପରି ସୁସ୍ୱାଦୁ ହୋଇଥିଲା ଯେ, ଦେଖିଲାବେଳକୁ ପାଟିରୁ ଲାଳ ଗଡ଼ିପଡ଼ୁଛି । ମାଂସପୋଡ଼ାରେ ଲୁଣଲଙ୍କା ଆସିଲା କୁଆଡ଼ୁ ? ମୁଁ ବିସ୍ମିତ ହୋଇ ପଚାରିଲି । ନବଘନ କହିଲା–ପାଖରେ ମଇଁଷିଗୋଠ ପଡ଼ିଛି । ମୁଁ ଟିପା କାନେଇ ଯାଇ ଶିରିଆ ଭୂତିଆଠୁ ମାଗିକରି ଆଣିଲି ।

ମାଂସପୋଡ଼ାର ପ୍ରଣାଳୀ ଜାଣିବାକୁ ବୋଧହୁଏ ପାଠକଙ୍କର ଇଚ୍ଛା ହେଉଥିବ । ତେବେ ଶୁଣନ୍ତୁ–ଶିଙ୍ଘାଳର ଫଡ଼ିଆରୁ କିଛି ମାଂସ ଆଣି ତାକୁ ଛୋଟ ଛୋଟ କରି କାଟି, ଲୁଣଲଙ୍କା ଦେଇ ପତ୍ରପୁଡ଼ାରେ ବନ୍ଧାଗଲା । ସେ ପତ୍ରପୁଡ଼ା ଉପରେ ମାଟି ଚକଟି ବହଳ କରି ବୋଳିଦିଆଗଲା । ଏହି ପୁଡ଼ାକୁ ରଡ଼ ନିଆଁରେ ପୋତି କିଛି ସମୟ ରଖାଗଲା । ଯେତେବେଳେ ମାଟି ସମ୍ପୂର୍ଣ୍ଣ ପୋଡ଼ିଯାଇ ଖଣ୍ଡ ଖଣ୍ଡ ଝଡ଼ିବାକୁ ଆରମ୍ଭ କଲା ଓ ଭିତରର ପତ୍ର କଳା ପଡ଼ିଥିବାର ଦେଖାଗଲା ସେତେବେଳେ ପୁଡ଼ିଆକୁ ନିଆଁରୁ ବାହାର କରି ଅଣାଗଲା । ତେଲ ମସଲା ଦେଇ ପୋଡ଼ିଲେ ତ ଆହୁରି ସ୍ୱାଦୁ ହେବ । ଆମେ ଜଙ୍ଗଲରେ ଅନ୍ୟ ପ୍ରଣାଳୀରେ ମଧ୍ୟ ମାଂସ ପୋଡ଼ି ଖାଉ । ସେସବୁ ଏଠାରେ ଲେଖି ପ୍ରବନ୍ଧର କଳେବର ବୃଦ୍ଧି କରିବା ମୁଁ ଇଚ୍ଛା କରୁନାହିଁ । ପୋଡ଼ାମାଂସଟା ଯେପରି ସୁସ୍ୱାଦୁ, ସେହିପରି ସୁପାଚ୍ୟ ମଧ୍ୟ ।

ସେତେବେଳକୁ ରାତି ତିନିଟା ହେବ । ଆମେ ଖାଇପିଇ ସାରି ହାତ ସେକୁଛୁ । ଏହି ସମୟରେ କେହି ଓଠରେ ଶୁଷୁରି ଦେଲାଭଳି ଶୁଣାଗଲା । ଶିକାରୀମାନେ ଶିକାର ସମୟରେ ଏହିପରି ଶୁଷୁରିଦ୍ଵାରା ସଙ୍କେତ ଦେଇଥାନ୍ତି । ଆମେ ଭାବିନେଲୁ କୌଣସି ଶିକାରୀ ଆମଠାରୁ କିଛି ସଙ୍କେତ ଚାହୁଁଛନ୍ତି । ମୁଁ ଅନୁରୂପ ଶୁଷୁରି ବଜାଇ ଆମର ଅବସ୍ଥିତି ଜଣାଇଦେଲି । ଏହିପରି ୨।୪ବାର ସଙ୍କେତ ବିନିମୟ ହେବାପରେ ଏକବାରକେ ନୀରବ ନିଃଶବ୍ଦ । ପ୍ରାୟ ପନ୍ଦର ମିନିଟ ଗତ ହୋଇଗଲା । ତା’ପରେ ୩।୪ ବାର ଉଚ୍ଚ ସ୍ଵରରେ କୁଆଇବା ଶବ୍ଦ ଶୁଣାଗଲା । ଏ ପୁଣି କ’ଣ ? ଶିକାରୀମାନେ ଶିକାର ସମୟରେ ଏପରି କୁଆଇ ସାଥୀମାନଙ୍କୁ ସଙ୍କେତ ଦେଇଥାନ୍ତି । ହୁଏତ କୌଣସି ଶିକାରୀଦଳରୁ କେହି ପଥବିଭ୍ରାନ୍ତ ହୋଇ ସଙ୍କେତ ଚାହୁଁଛି । ମୁଁ କୁଆଇ ତା’ର ଜବାବ ଦେଲି । କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । ପୁଣି ୧୦।୧୫ ମିନିଟ ନୀରବତାରେ କଟିଗଲା । ଏହା କୌଣସି ମନୁଷ୍ୟର କାମ ନୁହେଁ ଏଥିରେ ଆମେ ନିଃସନ୍ଦେହ । ନବଘନ ଓ ନେତ୍ରାନନ୍ଦର ମତ, ଏହା ହେଉଛି ଭୂୟାଁର କାମ । ଏଥିରେ ମୁଁ ଏକମତ ନୁହେଁ । ଏ ବିଷୟ ନେଇ ଆମ ଭିତରେ ଏକ ତର୍କବିତର୍କ ଚାଲିଥାଏ । ଏହି ସମୟରେ ଏକ ସଦ୍ୟଜାତ ଶିଶୁର କ୍ରନ୍ଦନ ପରି ଶବ୍ଦ ଶୁଣାଗଲା । କିଛି ସମୟ ନୀରବ ରହି ଠିକ୍ ବିରାଡ଼ି ବୋବାଇଲା ଭଳି ଶବ୍ଦ ମାତ୍ର କେତେ ସେକେଣ୍ଡପାଇଁ ଶୁଣାଯାଇଛି । ତା’ପରେ ସବୁ ବନ୍ଦ ।

ଏବାର ନେତ୍ରାନନ୍ଦ ଭୟରେ କାତର ହୋଇପଡ଼ିଲା । ନବଘନର ଭୟ ହେଲେ ମଧ୍ୟ ମୁହଁ ଟାଣ ଛାଡ଼ୁ ନ ଥାଏ । ନିଆଁ ଧୁ-ଧୁ କରି ଜାଳିରେ । ସେ ଦୁହିଁଙ୍କର ମତ–ଭୂୟାଁ ଏପରି ଡରାଉଛି-। ଆହୁରି କେତେ ଉପଦ୍ରବ କରିବ । ମୁଁ ସେମାନଙ୍କୁ ଯେତେ ଆଶ୍ୱାସନା ଦେଲେ ମଧ୍ୟ ତାଙ୍କର ସେଥିରେ ହୃଦ୍‍ବୋଧ ହେଲା ନାହିଁ । କିନ୍ତୁ କରିବେ କ’ଣ ? ବାଘ ଭାଲୁ ହୋଇଛି ଯେ ଦୌଡ଼ି ପଳାଇବେ, ନା ଗଛରେ ଚଢ଼ିଯିବେ ବା ଠେଙ୍ଗାବାଡ଼ି ଧରି ପ୍ରତିରୋଧ କରିବେ ? ସେମାନଙ୍କ ବିଚାରରେ ଭୂୟାଁ ପବନରୂପୀ । ହାଡ଼, ଟେକା ଫିଙ୍ଗିବ । ନ ହେଲେ ହଇଜା କିମ୍ଵା ରକ୍ତବାନ୍ତି କରାଇ ମାରିଦେବ । ଭଲ କଥା ହେଲା ! କରାଯାଏ କ’ଣ ? ସେଦିନକୁ ମୋର ଶିକାର ଜୀବନ ଦଶବର୍ଷ ବିତିଗଲାଣି । ମୁଁ କେବେ ଏପରି ଦୁର୍ଘଟନାର ସମ୍ମୁଖୀନ ହୋଇ ନଥିଲି । ଏଥିରେ ମୁଁ ଆଦୌ ବିବ୍ରତ ନ ହୋଇ ବିଷୟଟି ଗଭୀରଭାବେ ଚିନ୍ତା କରିବାରେ ଲାଗିଲି । ଶବ୍ଦଟା ଆମ ପାଖରୁ ପ୍ରାୟ ତିନିଶହ ଗଜ ଦୂରରେ ହେଉଥିଲା । ମୋର ଯେତେ ଦୂର ସ୍ମରଣ ହେଉଛି, ଶବ୍ଦଟା କୌଣସି ଏକ ଗଛ ଉପରୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଆସୁଥିଲା । ସୁତରାଂ ଏହା କୌଣସି ଏକ ପକ୍ଷୀର ବୋବାଳି ବୋଲି ମୋର ମନେହେଲା । ଯାହାହେଉ ଏ ସନ୍ଦେହ ଦୂର କରିବାରେ ମୁଁ ଦୃଢ଼ପ୍ରତିଜ୍ଞା । ସଙ୍ଗୀମାନଙ୍କୁ ଏ ପ୍ରସ୍ତାବଟି ଦେଲି; କିନ୍ତୁ ସେମାନେ ଏ କାର୍ଯ୍ୟରେ ମୋର ସହାୟତା କରିବାକୁ ଏକାନ୍ତ ନାରାଜ । ତଦାରଖ କାର୍ଯ୍ୟରେ କାହାରି ସାହାଯ୍ୟ ମୁଁ ଦରକାର କରୁ ନଥିଲି । ମାତ୍ର ସାଥୀମାନଙ୍କର ଅନ୍ଧବିଶ୍ୱାସ ଦୂର କରିବାକୁ ହେବ । ସେମାନଙ୍କ ମଧ୍ୟରେ ଅନ୍ତତଃ ଜଣେ ହେଲେ ତଦାରଖ କାର୍ଯ୍ୟରେ ଯୋଗଦେବା ଆବଶ୍ୟକ । ତା’ ନ ହେଲେ ସେମାନେ ମୋ କଥା ବିଶ୍ୱାସ କରିବେ ନାହିଁ-। ଫଳରେ ସେମାନଙ୍କର ଅନ୍ଧବିଶ୍ୱାସ ବଦ୍ଧମୂଳ ହୋଇ ରହିଯିବ । କିନ୍ତୁ ସେମାନଙ୍କ ମଧ୍ୟରୁ କେହିହେଲେ ରାଜି ନୁହନ୍ତି । ବହୁତ ଭଳାଭଳି କରିବା ପରେ ନବଘନ ବନ୍ଧୁକ ଧରି ମୋ ପଛରେ ଚାଲିବା ସର୍ତ୍ତରେ ରାଜି ହେଲା ।

ଏ ସର୍ତ୍ତ ମୋ ପକ୍ଷରେ ଏକ ବିପଦର ବୋଝ । ଅନଭିଜ୍ଞ ଓ ଭୟାର୍ତ୍ତ ଲୋକ ଗୁଳିଭରା ବନ୍ଧୁକ ଧରି ପଛରେ ଚାଲିବା ଏକ ବିପଦର ଘର । ମଣିଷଖିଆ ବାଘର ପିଛା କରିବାଠାରୁ ଏହା ଆହୁରି ଭୟାବହ । ଟିକିଏ ଭାବିବା ପରେ ହଠାତ ଏକ ବୁଦ୍ଧି ଦେଖାଗଲା । ନବଘନର ଅଜ୍ଞାତରେ ମୁଁ ବନ୍ଧୁକର କାର୍ତ୍ତୋସ ଦୁଇଟି ବାହାର କରି ପକେଟରେ ପକାଇଦେଲି । ଖାଲି ବନ୍ଧୁକଟି ନବଘନ ହାତରେ ଦେଇ ଘଟନାସ୍ଥଳକୁ ଲକ୍ଷ୍ୟ କରି ଆଗେଇ ଚାଲିଲି ।

ସାମାନ୍ୟତମ ଶବ୍ଦରେ ନବଘନ ଚମକିପଡ଼ୁଥାଏ । ଘାଉଆ ବାଘ କି ବାର୍‍ହାର ପିଛା କରିବାରେ ସେ ଏପରି କେବେ ଡରେ ନାହିଁ । କିନ୍ତୁ ଏ ଯେ ଭୂତ ! ମୁଁ ୨।୪ ବାର ଶୁଷୁରି ଦେଲି, କୁଆଇଲି; ମାତ୍ର ତାହାର ଜବାବ କିଛି ମିଳିଲା ନାହିଁ । ଯେଉଁ ଗଛ ଉପରୁ ଶବ୍ଦଟା ଆସୁଥିଲା ସେହି ଗଛର ପ୍ରାୟ ତିରିଶ ଗଜ ନିକଟରେ ପହୁଞ୍ଚିଗଲୁ । ସେଇଟା ଏକ ବୃହତ୍ ଶିମିଳି ଗଛ । ସେ ଗଛର ଏକ ଥୁଣ୍ଟା ଡାଳରେ ହୁଁ ହାଁ ଭଳି ଏକ ଜୀବ ସ୍ଥିର ଭାବରେ ବସିଛି । ତାହାର ଉଚ୍ଚତା ପ୍ରାୟ ଦେଢ଼ ଫୁଟ ବା ତା’ଠାରୁ କିଛି ବେଶି ହେବ । ବର୍ଣ୍ଣଟା ଠିକ୍ ବାରି ହେଉ ନ ଥାଏ । ତେବେ ସଫା ଧଳା ନୁହେଁ । ମଇଳା ରଙ୍ଗ ମିଶ୍ରିତ । ମୁହଁଟା ବିଲେଇ ମୁହଁ ପରି । ମୁଁ ନିଶ୍ଚିତ ବୁଝିପାରିଲି ହୁଁ ହାଁ ଭଳି ଏକ ନିଶାଚର ପକ୍ଷୀ ।

ପକ୍ଷୀଟାଏ ଯେ ମନୁଷ୍ୟ ଭଳି ବିଭିନ୍ନ ସ୍ତରରେ ବୋବାଇପାରେ, ଏଇ ମୋର ପ୍ରଥମ ଅଭିଜ୍ଞତା । ପକ୍ଷୀଟାକୁ ମାରି ତା’ର ପୂର୍ଣ୍ଣ ପରିଚୟ ନେବାକୁ ମୁଁ ଇଚ୍ଛା କଲି । ନବଘନ ହାତରୁ ବନ୍ଧୁକଟା ନେଇ ଗୁଳି ଭରିଲାବେଳକୁ ସାମାନ୍ୟ ଶବ୍ଦ ହେଲା । ଏହି ସମୟରେ ପକ୍ଷୀଟା କୁଃ ଶବ୍ଦ କରି ଉଡ଼ିଗଲା । ଏଇ ପକ୍ଷୀଟା ଯେ ଶିକାରୀଙ୍କ ପରି ବୋବାଉଥିଲା ଏଥିରେ ତିଳେ ହେଲେ ସଂଶୟ ରହିଲା ନାହିଁ । ଅନ୍ଧବିଶ୍ୱାସୀ ଲୋକ ବୋଧହୁଏ ଏହିପରି ଶବ୍ଦ ଶୁଣି, ସେ ସମ୍ବନ୍ଧରେ କୌଣସି ତଥ୍ୟ ନ ବୁଝି ଆତଙ୍କିତ ହୋଇପଡ଼ନ୍ତି । ଏହା ସହିତ ଆହୁରି କେତେକ ମନଗଢ଼ା କଥା ଯୋଗ କରି ତାକୁ ଏପରି ଭୟାବହ ଭାବରେ ବର୍ଣ୍ଣନା କରନ୍ତି ଯେ, ସରଳବିଶ୍ୱାସୀ ଭୟାଳୁ ଲୋକ ସେ ସବୁକୁ ଧ୍ରୁବ ସତ୍ୟ ବୋଲି ମନେ କରନ୍ତି । ସେମାନଙ୍କ ମନରେ ଭୂତପ୍ରେତ ଭୟ ଏପରି ବଦ୍ଧମୂଳ ହୋଇଯାଏ ଯେ, ତାହା ଦୂରୀଭୂତ ହେବା ସହଜସାଧ୍ୟ ନୁହେଁ । ଆଉ ମଧ୍ୟ ବର୍ଣ୍ଣନାକାରୀ ବର୍ଣ୍ଣନାର ଚାତୁରୀ ମଧ୍ୟରେ ଅନ୍ୟକୁ ଭୟଭୀତ କରିବା ସଙ୍ଗେ ସଙ୍ଗେ ନିଜର ଗାରିମା ପ୍ରତି ଶ୍ରୋତାଙ୍କର ଧ୍ୟାନ ଆକର୍ଷଣ କରିବା ଅନ୍ୟତମ ଉଦ୍ଦେଶ୍ୟ ।

ଆମର ଆସ୍ଥାନକୁ ପୁଣି ଫେରିଆସିଲୁ । ମୋ କହିବା ଅପେକ୍ଷା ନବଘନ କଥାରେ ନେତ୍ରାନନ୍ଦର ଅଧିକ ବିଶ୍ୱାସ ହେବ । ତେଣୁ ନବଘନ ପ୍ରତ୍ୟକ୍ଷଦର୍ଶୀ ଭାବରେ ସବୁ ବର୍ଣ୍ଣନା କରିଦେଇଗଲା ।

ଶେଷରେ ମୋର ଆମୂଳଚୂଳ ଆଲୋଚନା ଶୁଣି ନେତ୍ରାନନ୍ଦର ଭୟ ଦୂର ହୋଇଗଲା । ତା’ପରେ ଆମେ ସମସ୍ତେ ନିଆଁ ଚାରିପାଖ ବେଢ଼ି ନିଦକରେ ଶୋଇଗଲୁ । ସୂର୍ଯ୍ୟୋଦୟ, ହେବାପରେ ଆମର ବହୁକଷ୍ଟଲବ୍‍ଧ ଶିକାରକୁ ଘେନି ଘରକୁ ଫେରିଲୁ ।

ବୟୋବୃଦ୍ଧ ଅଭିଜ୍ଞ ଲୋକଙ୍କଠାରୁ ବୁଝିବାରେ ଜଣାଗଲା ସେ ପକ୍ଷୀଟା ହେଉଛି “ପକ୍ଷୀ ମଞ୍ଜାରୀ” । ସେ ଏକ ନିଶାଚର ଏବଂ ମାଂସାଶୀ ପକ୍ଷୀ । ବେଙ୍ଗ, ମୂଷା ପ୍ରଭୃତି ଛୋଟ ଛୋଟ ଜୀବ ମାରି ଖାଏ । ବିଭିନ୍ନ ସ୍ୱରରେ ନାନା ପ୍ରକାର ବୋବାଳି ବୋବାଏ । ଏ ପକ୍ଷୀ ବୋବାଇବ ଘୋର ଅଶୁଭସୂଚକ; ଦେଶରେ ହଇଜା, ମହାମାରୀ ପଡ଼ିବା ଓ ବଡ଼ଲୋକଙ୍କ ମୃତ୍ୟୁର ପୂର୍ବାଭାସ ବୋଲି ସେମାନଙ୍କର ଅଭିମତ । ଅନ୍ଧବିଶ୍ଵାସର ଚେର ପ୍ରତ୍ୟକ୍ଷ ଜ୍ଞାନର ସ୍ତରକୁ ମଧ୍ୟ ଭେଦ କରିଛି ।

Image

 

ଅପ୍ରତ୍ୟାଶିତ ଶିକାର

 

ସେତେବେଳେ ଆଶ୍ଵିନ ମାସ । ପୂର୍ଣ୍ଣିମା ଆଉ ଦିନେ ଦୁଇଦିନ ମାତ୍ର ବାକି । ଚାନ୍ଦର ଆଲୋକ ପ୍ରାୟ ଦିନ ପରି ଫୁଟିଉଠିଛି । କୁମାରକୁମାରୀମାନେ ଗୀତର ଲହରୀ ଧରିଛନ୍ତି । ବାଳକବାଳିକାମାନେ ପରସ୍ପର ଡକାହକା ହେଉଛନ୍ତି । ସାରା ଗ୍ରାମଟା ଆନନ୍ଦର ଗୁଞ୍ଜନରେ ଉଛୁଳି ଉଠୁଛି । ଭାବୁଛି, ରାତ୍ରିଭୋଜନର ବ୍ୟବସ୍ଥା କରିବାକୁ କହିବି । ଆଠଟା ବାଜିବ । ଏହି ସମୟରେ ମୋର ପରିବାଣୁଆ ବିନ ଆସି ଉପସ୍ଥିତ । ରାଶିଖଦାରେ ଜଗିବାକୁ ହେବ । ରାଶି ପତ୍ର ଓ ଫୁଲ ହରିଶଙ୍କର ଅତି ପ୍ରିୟ ଖାଦ୍ୟ ।

 

ଶିକାରର ଲୋଭ ଆଦୌ ନୁହେଁ, ଜଙ୍ଗଲର ଆକର୍ଷଣ ମୋତେ ଟାଣିଲା । ଜଙ୍ଗଲରେ ଶାରଦୀୟ ଜ୍ୟୋତ୍ସ୍ନା ଉପଭୋଗ କରିବାର ଜିନିଷ । ଶରତକାଳୀନ ପୁଷ୍ପର ସୁଗନ୍ଧରେ ଚୌଦିଗ ସୌରଭମୟ । କେତେ ଜାତିର ପକ୍ଷୀ ଓ ପଶୁଙ୍କ କଣ୍ଠସ୍ୱରରେ ଜଙ୍ଗଲ ସଙ୍ଗୀତମୁଖର । ମୁଁ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇ ବାହାରିପଡ଼ିଲି ।

 

ସମତଳ ରାଶିକ୍ଷେତ୍ରଟି ତିନି ଚାରି ଏକର ଜମି ଉପରେ ବିସ୍ତୃତ ଥିଲା । କିଆରିର ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଗୋଟିଏ ଝଙ୍କା ବରଗଛ । ଏହି ଗଛର ମୋଟା ଗଣ୍ଡିଟା ଦଶଫୁଟ ଉଚ୍ଚ । ସେଠାରୁ ଚତୁର୍ଦ୍ଦିଗକୁ ବଡ଼ ବଡ଼ ଡାଳ ପ୍ରସାରିତ ହୋଇଯାଇଛି । ସୁତରାଂ ଗଛର ଗଣ୍ଡି ଉପରଟା ବସିବା ସକାଶେ ବେଶ୍ ଆରାମଦାୟକ ସ୍ଥାନ ଥିଲା । ଡାଳପତ୍ର ପରିବେଷ୍ଟିତ ଆବଦ୍ଧ ବାଡ଼ (ଲୁଚିକରି ବସିବା ସ୍ଥାନ) ଠାରୁ ଏ ସ୍ଥାନ ଅତ୍ୟନ୍ତ ତୃପ୍ତିକର । କାରଣ ଚତୁର୍ଦ୍ଦିଗର ଛବି ନୟନଗୋଚର ହେଉଥିଲା । ପତ୍ରପୁଷ୍ପରେ ପଲ୍ଲବିତ ତିଳକ୍ଷେତ୍ର ପବନରେ ଲହଡ଼ି ଭାଙ୍ଗୁଥାଏ । ମୁଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର–

 

“ନିର୍ମଳ ଚନ୍ଦ୍ରମଣ୍ତଳ

ଶରଦେ ବିରାଜି

ଦିଶେ ଯଥା ଦର୍ପକ

ଦର୍ପଣେ ଥିଲା ମାଜି ।”

 

–ପଦଟି ମନେ ମନେ ଆବୃତ୍ତି କରୁଥାଏ ।

 

୫।୭ଟା ଠେକୁଆ କୁଟୁରୁ କୁଟୁରୁ କରି ଘାସ ଟୁଙ୍କିବାରେ ଲାଗି ପଡ଼ିଥାନ୍ତି । ବେଳେବେଳେ ଚେଁ ଚାଁ ହୋଇ ପରସ୍ପର ସଂଗ୍ରାମରେ ବ୍ୟାପୃତ ହୋଇଯାଆନ୍ତି । ଅଦୂରରେ ହରିଣ ଶିଙ୍ଘାଳର ଭେସାରିବା ଶବ୍ଦ ଓ ହରିଣୀମାନଙ୍କର କୁଆଇବା ଶବ୍ଦ ଶୁଣା ଯାଉଥାଏ । ସୁନ୍ଦର ପ୍ରୀତିକର ପରିସ୍ଥିତି । ଅବଶ୍ୟ ସେ ମୁହୂର୍ତ୍ତରେ ମୋର ଶିକାର ଉପରେ କୌଣସି ଆକର୍ଷଣ ନଥିଲା-। ସମୟ ପାଣି ପରି ବହି ଚାଲିଥାଏ ।

 

ରାତି ଏଗାରଟା ପାଖାପାଖି ଦଳେ ହରିଣ ଆସିଲେ ସେମାନେ କିଆରିର ଅନ୍ୟ ପାଖରେ ଥାଆନ୍ତି । ଆମ ପାଖରୁ ସେମାନେଙ୍କର ଦୂରତ୍ଵ ପ୍ରାୟ ଦେଢ଼ଶହ ଗଜରୁ ଊର୍ଦ୍ଧ୍ଵ ହେବ । ଖୋଲା କିଆରି । ଅତି ସ୍ପଷ୍ଟ ଦେଖାଯାଉଥାନ୍ତି । କମନୀୟ ଭଙ୍ଗୀରେ ଲମ୍ଫ ପ୍ରଦାନ କରିବା, ନିର୍ଭୟ ଚିତ୍ତରେ ବିଚରଣ ଓ ତୃଣାସ୍ଵାଦନ କରିବା ଆଦି ପ୍ରୀତିକର ଦୃଶ୍ୟ ଦେଖି ମୁଁ ବିମୋହିତ ହୋଇପଡ଼ିଲି-। ସେ ଦଳଟିରେ ସର୍ବମୋଟ ଚଉଦଟି ହରିଣ ଥିଲେ । ଏକ ଘଣ୍ଟା ଅତିବାହିତ ହୋଇଗଲା । ଅଥଚ ସେମାନେ ବନ୍ଧୁକର ରେଞ୍ଜକୁ ଆସିଲେ ନାହିଁ ।

 

ମୁଁ ଅପେକ୍ଷାରେ ବସିଛି, ଏହି ସମୟରେ ଆଉ ଏକ ହରିଣ ଦଳ ଆସି ସେ କିଆରିରେ ପ୍ରବେଶ କଲେ । ଏମାନେ ମଧ୍ୟ ମୋ ବନ୍ଧୁକ ରେଞ୍ଜରୁ ବାହାରେ । ନୀରବ ଦର୍ଶକ ଭାବରେ ବସିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । କିଛି ସମୟ ପରେ ଦୁଇ ଦଳ ମୁହାଁମୁହିଁ ହେଲେ । ପ୍ରଥମ ଦଳର ଦଳପତି ଆଗେ ସମର ଆହ୍ଵାନ ଦେଲା । ଦ୍ୱିତୀୟ ଦଳର ଅଧିନାୟକ ତାହାର ଜବାବ ଦେବାକୁ ପଶ୍ଚାତ୍‍ପଦ ହେଲା ନାହିଁ । ଶେଷରେ ଦୁହେଁ ଘୋର ମଲ୍ଲଯୁଦ୍ଧରେ ବ୍ୟାପୃତ ହୋଇଗଲେ । ଠେଲାପେଲା ହୋଇ ଶେଷରେ ଅଦୃଶ୍ୟ ହୋଇଗଲେ । ତା’ପରେ ସବୁ ନୀରବ, ନିସ୍ତବ୍ଧ ।

 

ମାଳତିଫୁଲର ଶୀତଳ ସ୍ନିଗ୍‍ଧ ସୁବାସ ବହିଆସୁଥାଏ । ମଝିରେ ମଝିରେ ନିଶାଚର ପକ୍ଷୀ ନୀରବତା ଭଙ୍ଗ କରି ଡାକୁଥାନ୍ତି । ଶିକାରରେ ହତାଶ ହେବାର ପ୍ରଶ୍ନ ନଥିଲା । ମୁଁ ପ୍ରାକୃତିକ ଦୃଶ୍ୟରେ ନିମଗ୍ନ ହୋଇପଡ଼ିଲି । ଏ ମଧ୍ୟରେ ବହୁତ ସମୟ ଅତିବାହିତ ହୋଇଗଲାଣି । ସେଥିପ୍ରତି ମୋର ଧ୍ୟାନ ନ ଥାଏ । ସେତେବେଳକୁ ରାତି ଶେଷ ପ୍ରାୟ । ଚନ୍ଦ୍ର ମ୍ଳାନ ହୋଇ ଶିଖରଚଣ୍ଡୀ ପର୍ବତର ଆଢ଼ୁଆଳରେ ଲୁଚିଯିବାକୁ ବସିଲେଣି । ନିଶାଚର ପକ୍ଷୀ ଯେ ଯାହାର ନୀଡ଼କୁ ଫେରିବାପାଇଁ ତତ୍ପର ହୋଇଉଠିଲେଣି ।

 

ଏହି ସମୟରେ ମଡ଼ମାଡ଼ ଶବ୍ଦ ଶୁଣାଗଲା । ଏହା କୌଣସି ଖୁରା ଥିବା ଜାନୁଆର ଅରା (କ୍ଷେତର ବାଡ଼ାବନ୍ଦି) ମାଡ଼ିବା ଶବ୍ଦ । ତା’ପରେ ପତ୍ର, ଫୁଲ ଟୁଙ୍କିବାର ଶବ୍ଦ ଟୁକ୍-ଟୁକ୍ । କ୍ରମେ ଏହି ଶବ୍ଦ ଆମର ନିକଟବର୍ତ୍ତୀ ହେଲା । ମୋ ସମ୍ମୁଖରେ କିଞ୍ଚିତ୍ ବାମ ଦିଗରେ ହରିଣଟା ଖାଉଥାଏ-। କିନ୍ତୁ ବରଡ଼ାଳ ଆଢ଼ୁଆଳରେ ଥିବାରୁ କିଛି ଦେଖାଗଲା ନାହିଁ । ମୁଁ ଅତି ସତର୍କତା ଅବଲମ୍ବନପୂର୍ବକ ଅର୍ଦ୍ଧ ଦଣ୍ଡାୟମାନ ଅବସ୍ଥାରେ ରହି ଦେଖିଲି ମସ୍ତବଡ଼ ଶିଙ୍ଘାଳ ବନ୍ଧୁକ ରେଞ୍ଜ ମଧ୍ୟରେ ଆସି ପହଞ୍ଚିଗଲାଣି । ବିଳମ୍ବ କଲେ ହୁଏତ ଖସିଯାଇପାରେ । ସେତେବେଳେ ଉତ୍ତେଜନାର ବଶବର୍ତ୍ତୀ ହୋଇପଡ଼ିବାର ପରିଣାମ ପ୍ରତି ମୋର ଲକ୍ଷ୍ୟ ରହିଲା ନାହିଁ । ମୁଁ ସେହିପରି ଅର୍ଦ୍ଧଦଣ୍ଡାୟମାନ ଅବସ୍ଥାରେ ଥାଇ ଶକ୍ତିଶାଳୀ ବୁଲେଟ୍‍ଟି ଫାୟାର କରିଦେଲି ।

 

ଫାୟାର ହେବା ସଙ୍ଗେ ସଙ୍ଗେ ମୁଁ ପଛକୁ ଲେଉଟିପଡ଼ିବା ଉପରେ । ବିନଙ୍କର ଉପସ୍ଥିତ ବୁଦ୍ଧି ଓ ତତ୍ପରତା ଯୋଗୁଁ ମୁଁ ରକ୍ଷା ପାଇଗଲି । ତା’ ନ ହେଲେ ମୋ ଅବସ୍ଥା କ’ଣ ହୋଇଥାନ୍ତା କେ’ ଜାଣେ ? ଜଲ୍‍ଦି ହେବା ଫଳରେ ବନ୍ଧୁକକୁ ଧରିବା କୋହଳ ହୋଇଯାଇଥିଲା । ତେଣୁ ଶକ୍ତିଶାଳୀ ଗୁଳିର ପିଛା ସମ୍ଭାଳିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ବିନା ବୟସ୍କ ଓ ଅଭିଜ୍ଞ ହିସାବରେ ମୋତେ କଡ଼ା ତାଗିଦ୍ କରିବାକୁ ଛାଡ଼ିଲେ ନାହିଁ । ଲଜ୍ଜାରେ ମୋର ମୁଣ୍ଡ ତଳକୁ ନଇଁଗଲା ।

 

ଶିଙ୍ଘାଳ ଦେହରେ ଗୁଳି ଲାଗିଲା କି ନା ବୁଝା ଗଲା ନାହିଁ । ଦିବସର ଆଲୋକ ଫୁଟିଉଠିବାକୁ ଆହୁରି ଘଣ୍ଟାଏ ଡେରି ଅଛି । ବର୍ତ୍ତମାନ ଆଉ କିଛି କରିବାର ନାହିଁ । ରାତ୍ରି ଜାଗରଣଜନିତ କ୍ଳାନ୍ତି ଓ ଅବସାଦ ଦୂର କରିବା ନିମିତ୍ତ ଏତକ ସମୟ କମ୍ ନୁହେଁ । ଆମେ ଗଛଡ଼ାଳକୁ ଆଉଜି ସୁନ୍ଦର ନିଦେ ଲେଖାଏଁ ଶୋଇଗଲୁ । ବିନଙ୍କର କାକନିଦ୍ରା । ସେ ଯେତେବେଳେ ଶୁଅନ୍ତୁ ନା, ଅତି ପ୍ରତ୍ୟୁଷରୁ ନିଶ୍ଚୟ ଉଠିବେ । ମୋର ଠିକ୍ ଓଲଟା । ବିନଙ୍କର ଚେତାବନୀରେ ମୁଁ ଉଠିପଡ଼ିଲି । ସୂର୍ଯ୍ୟ ପ୍ରକାଶ ପାଇବାକୁ ଆହୁରି ଡେରି ଅଛି । ସ୍ପଷ୍ଟ ଆଲୋକ ନ ହେଲେ ମାଡ଼ସ୍ଥାନ ପରୀକ୍ଷା କରିବା ସୁବିଧାଜନକ ନୁହେଁ । ଇତ୍ୟବସରରେ ନିତ୍ୟକର୍ମଟା ସାରିନେବା ଭଲ ହେବ । ନିକଟବର୍ତ୍ତୀ ‘ବାଘକୁଣ୍ଡ’ ପାଖକୁ ଚାଲିଗଲୁ ।

 

‘ବାଘକୁଣ୍ଡ’ର ଏକ ଇତିହାସ ଅଛି । ପଟିଆର ଜଣେ କେହି ରାଜା ଏ କୁଣ୍ଡଟି ନିବିଡ଼ ବନ ମଧ୍ୟରେ ସ୍ଥାପନ କରିଥିଲେ । କୁଣ୍ଡଟି କନ୍ଦା ପଥରରେ ତିଆରି । ଏହାର ଦୈର୍ଘ୍ୟ ଚାରି ଫୁଟ, ପ୍ରସ୍ଥ ଅଢ଼େଇ ଫୁଟ, ଗଭୀର ଦୁଇ ଫୁଟ । ଗ୍ରୀଷ୍ମଋତୁରେ ପାଣି ଦେଇ ବାଘକୁ ମାରିବା ଉଦ୍ଦେଶ୍ୟରେ ଏହା ସ୍ଥାପିତ ହୋଇଥିଲା । ଏଥିରେ ବର୍ଷାପାଣି ଚାରିମାସ ପର୍ଯ୍ୟନ୍ତ ରହେ ।

 

ଆମେ ନିତ୍ୟକର୍ମ ସାରି ମାଡ଼ସ୍ଥାନ ପରୀକ୍ଷା କରି ଦେଖିଲୁ, ଗୁଳି ହରିଣ ଦେହରେ ଲାଗି ବାହାରିଯାଇଛି । ବନ୍ଧୁକ ଧରିବା ତେରଛା ଥିଲା । ଗୁଳିଟି ତିନି ଇଞ୍ଚିଆ ଷ୍ପେରିକ୍ଳ ବଲ । ଏ ଶକ୍ତିଶାଳୀ ଗୁଳିର ଧମକରେ ବନ୍ଧୁକ ଚହଲିଯିବା ସ୍ଵାଭାବିକ । ଫଳରେ ଗୁଳିଟା ୨।୩ ଇଞ୍ଚ ଉପରକୁ ଉଠିଗଲା । ଆଘାତ ସେପରି ସାଂଘାତିକ ନୁହେଁ । ହରିଣଟା କେତେଦିନ ବଞ୍ଚିଯାଇପାରେ-। ଆମେ ରକ୍ତଚିହ୍ନ ଧରି ପିଛା କରିବାରେ ଲାଗିପଡ଼ିଲୁ ।

 

ପ୍ରାୟ ଅଧମାଇଲ ପଥ ଅତିକ୍ରମ କରିବା ପରେ ରକ୍ତର ଦାଗ ଆଉ ମିଳିଲା ନାହିଁ । ଆମେ ଅତି ବ୍ୟସ୍ତତାର ସହିତ ଅଣ୍ଡାଳିହେଉଛୁ, ଏହି ସମୟରେ ହରିଣଟା ଭଡ଼୍‍ଭାଡ଼୍ ହୋଇ ଦୌଡ଼ି ପଳାଇଲା । ଆମ ପାଖରୁ ମାତ୍ର ଦଶଗଜ ଦୂରରେ ପଡ଼ିଥିଲା । ପଡ଼ିବା ସ୍ଥାନରେ ଖଳାଏ ରକ୍ତ ଗଡ଼ିପଡ଼ିଛି । ଏବାର ଆମେ ଅଧିକ ଉତ୍ସାହର ସହ ଖୋଜଚିହ୍ନ ଓ ରକ୍ତର ଦାଗ ଧରି ଅଗ୍ରସର ହେଲୁ ।

 

ଏକ ଫର୍ଲଙ୍ଗ ଯିବା ପରେ ଦେଖିଲି, ଗୋଟିଏ ସ୍ଥାନରେ ହରିଣଟା ଆଣ୍ଠୁମାଡ଼ି ପଡ଼ିଯାଇ ପୁଣି ଉଠିଯାଇଛି । ନଇଁପଡ଼ି ସେ ଜାଗାଟା ମନଯୋଗ ସହକାରେ ଦେଖୁଛି, ଏହି ସମୟରେ ମୋ ଦେହରେ ଆଙ୍ଗୁଳି ସ୍ପର୍ଶ କରି ବିନ ଅତି ନିମ୍ନସ୍ଵରରେ କହିଲେ, “ବାଘ...ବାଘ !” ମୁଁ ତତ୍‍କ୍ଷଣାତ ବନ୍ଧୁକର ଘୋଡ଼ା ଉଠାଇ ପ୍ରସ୍ତୁତ ହୋଇଗଲି । ଆବାକାବା ହୋଇ ଆଖି ବୁଲାଇନେଲି । ଠିକ୍ ମୋର ସମ୍ମୁଖରେ ନଜର ପଡ଼ିଗଲା । ଆମ ପାଖରୁ ମାତ୍ର ୧୫।୨୦ ଗଜ ଦୂର । ବାଘ ଗୋଟିଏ ବୁଦା ଆଢ଼ୁଆଳରେ ଛପିଛି । ତା’ର ମିଟି ମିଟି ଆଖି, କୁଞ୍ଚିତ ନାସିକା, ଖାଡ଼ା ଖାଡ଼ା ନିଶ, ଚମ୍ପା କଦଳୀ ପରି ଦାନ୍ତ ସ୍ପଷ୍ଟ ଦେଖାଯାଉଥାଏ । ସେ ଭୟଙ୍କର ରୂପ ଏବେ ମଧ୍ୟ ମୋର ହୃଦୟପଟରେ ଅଙ୍କିତ ହୋଇରହିଛି । ମୁଁ ବନ୍ଧୁକ ଛାତିରେ ଭିଡ଼ି ପ୍ରସ୍ତୁତ ଥାଏ । ମୋର ବିଚାର, ବାଘ ଆକ୍ରମଣ କରିବାର ସୂଚନା ପାଇଲେ ଫାୟାର କରିବି । ନଚେତ ସେ ମୋ ଉପରୁ ଦୃଷ୍ଟି ଫେରେଇବାମାତ୍ରେ ମୋର ବନ୍ଧୁକ ଗର୍ଜିଉଠିବ । ମୁଁ ତା’ର ଠିକ୍ ମୁଣ୍ଡକୁ ଲକ୍ଷ୍ୟ କରିଥାଏ । ପ୍ରାୟ ପନ୍ଦର ମିନିଟ କାଳ ଆମେ ଏହିପରି ଭାବରେ ତକାତକି ହୋଇ ରହିଲୁ । ଶେଷରେ ସେ ଆଖିପିଛୁଳାକେ ମୁହଁ ଫେରାଇ କୁଦା ମାରିଲା । ମୁଁ ସଙ୍ଗେ ସଙ୍ଗେ ଫାୟାର କଲି । ବାଘଟା ଘୋର ଗର୍ଜନ କରି ଚାଲିଗଲା ।

 

ମାଡ଼ ସ୍ଥାନ ପରୀକ୍ଷା କରି ଦେଖିଲି ମୋର ଶକ୍ତିଶାଳୀ ଗୁଳିଟା ବାଘର ପେଟରେ ଲାଗି ବାହାରିଯାଇଛି । ଆମ ଶିକାରୀଙ୍କ ଭାଷାରେ ଯାହାକୁ କହନ୍ତି ‘ଢୋଲ ଗୁଳି’ ହୋଇଗଲା । ମୁଁ ମୁଣ୍ଡକୁ ଲକ୍ଷ୍ୟ କରିଥିଲି; କିନ୍ତୁ ମୁଣ୍ଡଠାରୁ ପେଟ ପ୍ରାୟ ୫।୬ ଫୁଟ ବ୍ୟବଧାନରେ ଗୁଳି ଲାଗିଲା । ମୁହୂର୍ତ୍ତକ ମଧ୍ୟରେ ବାଘ କୁଦା ମାରିବାର ବେଗ କେତେ ଦୂର ଏଥିରୁ ସହଜରେ ଅନୁମେୟ ।

 

ଗୁଳି ପେଟରେ ଲାଗିଲେ ରକ୍ତକ୍ଷରଣ ଅଧିକ ପରିମାଣରେ ହୁଏ ନାହିଁ । ବୃହଦନ୍ତ୍ରରେ ଛିଦ୍ର ହୋଇଥିବାରୁ ଖାଦ୍ୟରସମିଶ୍ରିତ ରକ୍ତ କ୍ଷରିତ ହେଉଥାଏ । ବାଘର ମୃତ୍ୟୁ ସୁନିଶ୍ଚିତ । ତେବେ ଚବିଶଘଣ୍ଟା ବଞ୍ଚିଯାଇପାରେ । ଆମେ ହରିଣର ଆଶା ତ୍ୟାଗ କରି ବାଘର ପିଛା କରିବାରେ ଲାଗିପଡ଼ିଲୁ । ରକ୍ତ ଓ ରସ ଦୂର ଦୂର ବ୍ୟବଧାନରେ ପଡ଼ିଥାଏ । ତେଣୁ ଆମେ ଆଶାନୁରୂପ ଅଗ୍ରସର ହୋଇପାରିଲୁ ନାହିଁ ।

 

ବହୁ କଷ୍ଟରେ ଦୁଇ ଫର୍ଲଙ୍ଗ ଦୂର ଆଗେଇଯିବା ପରେ ଖଣ୍ଡିଏ ଘଞ୍ଚ ଜଙ୍ଗଲ ପଡ଼ିଲା । ସେତେବେଳକୁ ଦିନ ୧୦ଟା ସମୟ । ଆମେ ନାକେଦମ୍ ହୋଇଗଲୁଣି । ଟିକିଏ ଦମ୍ ନେବାକୁ ସେହିଠାରେ ବସିଗଲୁ । ବିନ ବଟୁଆ ଫିଟାଇ ପାନ ବାହାର କଲେ । ଆମ ମଧ୍ୟରେ ବିଚାର ହେଲା, ଏ ନିଘଞ୍ଚ ବଣ ଖଣ୍ଡକ ଦେଖି ଫେରିଯିବା । ଆମେ ଟିକିଏ ସୁସ୍ଥ ହେବାପରେ ପୁଣି ଅଭିଯାନ ଆରମ୍ଭ କଲୁ । ନଇଁ ନଇଁ ଗଳି ଗଳି ଚାଲିଥାଉ । କଣ୍ଟକାକୀର୍ଣ୍ଣ ଜଙ୍ଗଲ । ପୁଣି ଅବାଟରେ ଯିବାକୁ ପଡ଼ିଲା । ତେଣୁ ଆମର ଅଗ୍ରଗତି ଘୋର ବାଧାପ୍ରାପ୍ତ ହେଉଥାଏ ।

 

କିଛିଦୂର ଯିବା ପରେ ଏକ ଶବ୍ଦ ଶୁଣା ଗଲା । ତାହା କଟୁରି କିମ୍ବା କୁରାଢ଼ିରେ ଗଛ କାଟିବା ଶବ୍ଦ ନୁହେଁ । ଏଥିରେ ଆମେ ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲୁ । ଥରେ ମାତ୍ର ଶବ୍ଦ ହୁଏ, ତା’ପରେ ୨।୩ ମିନିଟ ନୀରବ । ପୁଣି ସେହି ବୃକ୍ଷରେ ଆଘାତ କରିବା ଶବ୍ଦ, ପୁଣି ନୀରବ । ଆମେ ସନ୍ଦିହାନ ଚିତ୍ତରେ ଶବ୍ଦକୁ ଅନୁସରଣ କରି ଚାଲିଲୁ । ଆହତ ବାଘ ହୋଇପାରେ । ଆମ ପାଖରୁ ଶବ୍ଦର ଦୂରତ୍ଵ ଦେଢ଼ଶହ ଗଜ ହେବ । ଆମେ ସତର୍କତା ଅବଲମ୍ବନପୂର୍ବକ ପ୍ରତି ଫୁଟ ଜାଗା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ଧୀରେ ଧୀରେ ଅଗ୍ରସର ହେଲୁ । ବହୁ ଶ୍ରମ ସ୍ଵୀକାର କରିବା ପରେ ଯାଇ ଲକ୍ଷ୍ୟସ୍ଥଳ ଦେଖାଗଲା । ତା’ପରେ ! ଭୀଷଣ ଦନ୍ତ ବାର୍‍ହା !! ତା’ର ଦାନ୍ତ ଦୁଇଟା ଦ୍ୱିତୀୟା ଚାନ୍ଦ ପରି ଚକ୍‍ଚକ୍ ମାରୁଛି ।

 

ବାର୍‍ହା ଗୋଟିଏ ଦୁଇଫୁଟ ଗୋଲେଇର ସିଝୁ ଗଛକୁ ଦାନ୍ତରେ ଆଘାତ କରୁଛି । ଗଛରୁ କ୍ଷୀର ନିର୍ଗତ ହେବାମାତ୍ରେ ଗଛରେ ଦେହକୁ ଘଷୁଛି । ଆମର ସନ୍ଦେହ ଦୂର ହୋଇଗଲା । ଘଟନାଟା ବୁଝିବାରେ କିଛି ବାକି ରହିଲା ନାହିଁ । ବାର୍‍ହା ଗୁଳିବିଦ୍ଧ ହେଲେ, କିମ୍ବା ଅନ୍ୟ ପ୍ରକାରେ ଆହତ ହେଲେ କ୍ଷତସ୍ଥାନରେ ସିଝୁକ୍ଷୀର ଲଗାଇ ଆରୋଗ୍ୟ କରିଦିଏ । ଏକଥା ପୁରାତନ ଶିକାରୀମାନଙ୍କଠାରୁ ଶୁଣିଥିଲି । ବର୍ତ୍ତମାନ ସ୍ଵଚକ୍ଷୁରେ ଦେଖିଲି ।

 

ଶିଙ୍ଘାଳ ଗଲା, ବାଘ ଗଲା । ଶେଷରେ ବାର୍‍ହା ହାବୁଡ଼ରେ ପଡ଼ିଛି । ଆମ ପାଖରୁ ତା’ର ଦୂରତ୍ୱ ମୋଟେ ୨୦।୨୫ ଗଜ । ସେ ଆମର ଟେର ସୁଦ୍ଧା ପାଇନାହିଁ । ମୁଁ ଟିକିଏ ଦମ୍ ନେବା ପରେ ନିଶାଣ ଲଗାଇଲି । ଯେତେବେଳେ ସେ ସ୍ଥିର ଭାବରେ ଠିଆ ହୋଇଗଲା, ମୁଁ ତା’ର କର୍ଣ୍ଣମୂଳକୁ ଲକ୍ଷ୍ୟ କରି ଘୋଡ଼ା ଟିପିଦେଲି । ମୋର ଲକ୍ଷ୍ୟ ଷୋଳଣା ଠିକ୍ ହୋଇଛି । ସେ ସଙ୍ଗେ ସଙ୍ଗେ ସେହିଠାରେ ଟଳିପଡ଼ିଲା । ମୋର ଆନନ୍ଦର ସୀମା ରହିଲା ନାହିଁ ।

 

ପାଖକୁ ଯାଇ ଦେଖିଲୁ କୌଣସି ଶିକାରୀର ଅସଫଳ ଗୁଳିମାଡ଼ରେ ତା’ର କାନର ତଳକୁ ତିନିଇଞ୍ଚ ବ୍ୟବଧାନରେ ଦୁଇଟି କ୍ଷତ ହୋଇଛି । କ୍ଷତ ଦୁଇଟି ଏଲ. ଜି. ମାଡ଼ର ପରିଣାମ । କ୍ଷତରେ ପଚନ କ୍ରିୟା ଆରମ୍ଭ ହୋଇନାହିଁ । ତେଣୁ ଅନୁମାନ, ବେଶିଦିନର ନୁହେଁ । କ୍ଷତର ଗଭୀରତା ଏକ ଇଞ୍ଚ ମାତ୍ର । ବିନ କହିଲେ, “ମୁଁ ଏତେବଡ଼ ବାର୍‍ହା କେବେ ଦେଖି ନଥିଲି । ମାଣ୍ଡିଆ ଓ ବିଆଳି ଧାନ ଖାଇ ଖୁବ୍ ଚିକ୍କଣ ହୋଇଥିବ ।” ବାର୍‍ହା ଚମଡ଼ା ଅଧଇଞ୍ଚରୁ ଏକଇଞ୍ଚ ପର୍ଯ୍ୟନ୍ତ ମୋଟା ହୁଏ । ଶୀତଋତୁରେ ଦେଢ଼ଇଞ୍ଚପର୍ଯ୍ୟନ୍ତ ମୋଟାଥିବାର ମଧ୍ୟ ଦେଖାଯାଇଛି । ବାର୍‍ହା ଚମଡ଼ାକୁ ସାଧାରଣତଃ ‘ବଦ୍ଧ’ କହିଥାନ୍ତି । ସେପରି ଶକ୍ତିଶାଳୀ ଗୁଳି ନ ହେଲେ ବାର୍‍ହା ଚମଡ଼ା ଭେଦ କରି ତା’ର ଶରୀର ଅଭ୍ୟନ୍ତର ପ୍ରଦେଶକୁ ସ୍ପର୍ଶ କରିପାରିବ ନାହିଁ । ମୁଁ ନିଜେ କେତୋଟି ଦନ୍ତା ବାର୍‍ହା ଦେହରୁ ବୁଲେଟ, ଏଲ. ଜି. ହୋଇ ୩।୪ଟି ଲେଖାଁ ବାହାର କରିଛି । ଶୀତଋତୁରେ ସେ ବାର୍‍ହା ବଦ୍ଧ ଓ ମାଂସ ଖାଇଛି, ସେ ଜୀବନରେ କେବେ ଭୁଲିପାରିବ ନାହିଁ । ମାଂସ ଅପେକ୍ଷା ବଦ୍ଧ ଅଧିକ ସୁସ୍ୱାଦୁ ।

 

ମୃତ ବାର୍‍ହାକୁ ଉଠାଇବା ଆମ ପକ୍ଷରେ ଏକାନ୍ତ ଅସମ୍ଭବ । କାଉ, ଶାଗୁଣାଙ୍କ ମୁହଁରୁ ରକ୍ଷା କରିବା ସକାଶେ ତା’ ଉପରେ କେତେଖଣ୍ଡ ଡାଳ ଘୋଡ଼ାଇଦେଇ ଘରକୁ ଫେରିଲୁ । ପରେ ବିନ ଗ୍ରାମରୁ କେତେକ ଲୋକ ନେଇ ବାର୍‍ହା ଆଣିଲେ ।

 

ପାଠକମାନେ ଧରିନେବେଣି ଯେ, ମୁଁ ବାର୍‍ହା ମାଂସ ପାଇ ଆହତ ବାଘ ଓ ଶିଙ୍ଘାଳ କଥା ଭୁଲିଗଲି । କିନ୍ତୁ ଆହତ ବାଘକୁ ନ ମାରିବା ପର୍ଯ୍ୟନ୍ତ ବିଶ୍ରାମ ନେବା ଶିକାରୀର ଧର୍ମ ନୁହେଁ ଏକଥା ମୁଁ ଅକ୍ଷରେ ଅକ୍ଷରେ ପାଳନ କରି ଆସିଛି । ଶିଙ୍ଘାଳ କେତେଦିନ ବଞ୍ଚିଯାଇପାରେ । ମାତ୍ର ବାଘ ଚବିଶ ଘଣ୍ଟାରୁ ଅଧିକ ବଞ୍ଚିବା ସମ୍ଭବ ନୁହେଁ । କାରଣ ଅନ୍ତନଳୀରେ କ୍ଷତ ହୋଇଥିବାରୁ ତାହା ପାଚିବ ଓ ଫୁଲିଯିବ । ପେଟ ଫୁଲିଗଲେ ହୃତପିଣ୍ଡ ଉପରେ ଚାପ ପଡ଼ି ମୃତ୍ୟୁ ସୁନିଶ୍ଚିତ ।

 

ରାତିରେ ଝୁପ୍ ଝୁପ୍ ଅସରାଏ ବର୍ଷା ହୋଇଗଲା । ରକ୍ତର ଦାଗ ମିଳିବ ନାହିଁ । କିନ୍ତୁ ପାଦଚିହ୍ନ ମିଳିପାରେ । ଅତି ପ୍ରତ୍ୟୁଷରୁ ମୁଁ ଏକାକୀ ବାହାରିପଡ଼ିଲି । ସେ ଦିନ ପାଗଟା ଶିକାର ପକ୍ଷରେ ଆଦୌ ଅନୁକୂଳ ନଥିଲା । ଆକାଶ ଘୋର ମେଘାଚ୍ଛନ୍ନ । ମଧ୍ୟେ ମଧ୍ୟେ କୁଣ୍ଡା ଝାଡ଼ିବା ପରି ବର୍ଷା ହେଉଥାଏ । ପୂର୍ବଦିନ ବାଘର ପିଛା କରି ଯେଉଁ ପର୍ଯ୍ୟନ୍ତ ଯାଇଥିଲି ଆଜି ପୁଣି ସେହିଠାରୁ ଆରମ୍ଭ କଲି । ସେ ଅଞ୍ଚଳରେ ଗୋରୁ ଡଗର, ବନ୍ୟ ଜୀବଜନ୍ତୁଙ୍କର ଯାତାୟାତ ରାସ୍ତା, ଲୋକଙ୍କ ବ୍ୟବହୃତ ରାସ୍ତା ଦେଖିଲି । କିନ୍ତୁ ବାଘର କୌଣସି ସନ୍ଧାନ ମିଳିଲା ନାହିଁ ।

 

ସେତେବେଳକୁ ଖୁବ୍ କ୍ଳାନ୍ତ ହୋଇପଡ଼ିଲିଣି । ସୂର୍ଯ୍ୟଦେବଙ୍କର ଦେଖା ଦର୍ଶନ ନାହିଁ । ତେଣୁ ସମୟ ଜାଣିବାର ଉପାୟ ନଥିଲା । ମୁଁ ଘରକୁ ଫେରିବା ଆରମ୍ଭ କଲି । ଆଶ୍ଚର୍ଯ୍ୟର କଥା, ଯେତେ ଚାଲିଲେ ମଧ୍ୟ ବାଟ ସରୁନାହିଁ । ମନରେ ଖିଆଲ ହେଲା, ମୁଁ ବାଟ ଭୁଲିଲି କି ? ତା’ପରେ ଗୋଟିଏ ରାସ୍ତା ଧରି ଯାଉ ଯାଉ ମୋର ପାଦଚିହ୍ନ ଦେଖି ଚମକି ପଡ଼ିଲି । ଆରେ ! ଏ ରାସ୍ତାରେ ତ ମୁଁ ଯାଇଥିଲି । ପୁଣି ଅନ୍ୟ ରାସ୍ତା ଧରିଲି । ସେ ରାସ୍ତାରେ ମଧ୍ୟ ମୋର ପାଦଚିହ୍ନ । ସେ ଅଞ୍ଚଳଟାରେ ଯେଉଁଆଡ଼େ ଗଲେ ମୋରି ପାଦଚିହ୍ନ । ଗୃହାଭିମୁଖେ ଫେରିବା ସମୟରୁ ମୁଁ ଏ ଅଞ୍ଚଳଟାଯାକ ବୁଲୁଛି ।

 

ଗୋଟିଏ ପଥର ଉପରେ ଥକା ହୋଇ ବସିପଡ଼ିଲି । ‘ଭୁଆଁ ବୁଲାଏ’ ବୋଲି ଗୋଟିଏ ପ୍ରବାଦ ଅଛି । ସତେ କ’ଣ ମତେ ଭୁଆଁ ବୁଲାଇଲା ? ମୁଁ ସିଗାରେଟ୍ ଖଣ୍ଡିଏ ଲଗାଇ ଟିକିଏ ସତେଜ ହୋଇଗଲି । ତା’ପରେ ଗଛପତ୍ରରୁ ପାଣି ଆଣି ଆଖିରେ ମୁହଁରେ ଲଗାଇଲି । ଏହାପରେ ମୋର ମସ୍ତିଷ୍କର ଜଡ଼ତା ବହୁ ପରିମାଣରେ ଦୂର ହୋଇଗଲା । ମୁଁ ଦିଗ ନିର୍ଣ୍ଣୟ କରି ଯାତ୍ରା ଆରମ୍ଭ କଲି । ଆଉ କୌଣସି ଭୁଲ୍ ହୋଇନାହିଁ । ଘରେ ଆସି ପହଞ୍ଚିବା ବେଳକୁ ଦିନ ତିନିଟା ।

 

ଏହାପରେ ଦୁଇଦିନ ଝଡ଼ିବର୍ଷା ଲାଗିରହିଲା । ଆଉ ଜଙ୍ଗଲକୁ ଯିବାର ଉପାୟ ନାହିଁ । ଅଗତ୍ୟା ମୁଁ ହାତ ବାନ୍ଧି ରହିଗଲି । ତା’ପରେ ବେଶ୍ ସୁନ୍ଦର ପାଗ ହୋଇଗଲା । ସେଦିନ ମୁଁ ପ୍ରାତଃଭୋଜନ ଶେଷ କରି ବିନଙ୍କ ସହିତ ବାହାରିପଡ଼ିଲି । ବାଘ ବଞ୍ଚିଥିବା ଆଦୌ ସମ୍ଭବପର ନୁହେଁ । ତେଣୁ ଆମେ ନିର୍ଭୟ ଚିତ୍ତରେ ଜଙ୍ଗଲର ଅନ୍ଦିକନ୍ଦିରେ ପ୍ରବେଶ କରି ଅନ୍ୱେଷଣ କରିବାରେ ଲାଗିପଡ଼ିଲୁ । ଆମର ବହୁ ଚେଷ୍ଟା ଶେଷରେ ବିଫଳ ହେଲା । ଆମେ ଫେରିବା ରାସ୍ତାରେ ଗୋଟିଏ ଖୋଲା ଜାଗା ପଡ଼ିଲା । ସେଠାରେ ବିନ ଝାଡ଼ା ଫେରିବାକୁ ଗଲେ । ବର୍ଷାକାଳୀନ ଜଳସ୍ରୋତରେ ସେ ସ୍ଥାନରେ ଗୋଟିଏ ନାଳର ସୃଷ୍ଟି ହୋଇଛି । ନାଳର ସ୍ଥାନେ ସ୍ଥାନେ ପାଣି ଥାଏ । ବିନ ସେଠାରେ ଶୌଚ ହେବାକୁ ଯିବା ସମୟରେ ଦେଖି ମତେ ଡାକ ପକେଇଲେ । ମୁଁ ଯାଇ ଦେଖିଲି, ବାଘ ସେ ନାଳିଭିତରେ ପଡ଼ି ଶଢ଼ିଗଲାଣି । ତା’ ଦେହଯାକ ପୋକ ସାଲୁବାଲୁ ହେଉଛନ୍ତି-। ଚମଡ଼ାଟି ନଷ୍ଟ ହୋଇଯାଇଥିବାରୁ ମନରେ ଘୋର ଦୁଃଖ ଜାତ ହେଲା ପୂର୍ବରୁ ମୁଁ ଅନ୍ୱେଷଣ କାର୍ଯ୍ୟରେ ଏହି ସ୍ଥାନ ପର୍ଯ୍ୟନ୍ତ ଆସିଥିଲି । କିନ୍ତୁ ଖୋଲା ସ୍ଥାନ ବୋଲି ଫେରିଯାଇଥିଲି । ଯାହାହେଉ ବାଘର ନଖ ଦାନ୍ତ ସଂଗ୍ରହ କରି ଘୋର ମନସ୍ତାପରେ ଘରକୁ ଫେରିଲି ।

Image

 

ଡୁମ୍ଫା ବାଦ୍ୟ ଓ ଆଡ଼ି ଶିକାର

 

ସେତେବେଳେ ଆମର ରାଜାସାହେବ ଯୁବକ । ବୟସ ୨୨।୨୩ ମଧ୍ୟରେ । ସଙ୍ଗୀତ ସାହିତ୍ୟର ଚର୍ଚ୍ଚା, ମୃଗୟା ଓ ବନବିହାର ତାଙ୍କର ନିତ୍ୟ ସହଚର ଥିଲା । ଥରକର କଥା । ରାଜାସାହେବ ରଜପର୍ବ ଉପଲକ୍ଷେ ଡୁମ୍ଫା ବାଦ୍ୟ ଓ ଆଡ଼ି ଶିକାର କରିବାର ଇଚ୍ଛା ପ୍ରକାଶ କଲେ । ତଦନୁସାରେ ସଙ୍ଗେ ସଙ୍ଗେ ସମସ୍ତ ବରାଦ ହୋଇଗଲା । ବନବିହାରର ପ୍ରସ୍ତୁତି ହେବାକୁ ଡେରି ଲାଗିଲା ନାହିଁ । କାରଣ ଏ ପ୍ରକାର ଅନୁଷ୍ଠାନରେ ପାତ୍ରମନ୍ତ୍ରୀଙ୍କର ଯଥେଷ୍ଟ ହାତସଫେଇ କରିବାର ସୁବିଧା ଅଛି । ପହିଲି ରଜ ଦିନ ଏହି ଉତ୍ସବ ପାଳିତ ହେବ । ସାମନ୍ତ ପାତ୍ର-ମନ୍ତ୍ରୀ ଓ ବେଠିଆ-ବେଗାରି ସମସ୍ତେ ପ୍ରସ୍ତୁତ । ସେଦିନ ଜଙ୍ଗଲରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହୋଇଗଲା । ଆମ୍ଭେମାନେ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ବାହାରିପଡ଼ିଲୁ । ‘କନିଆରୀ ଖୁଣ୍ଟି’ ବନ୍ଧ ନିକଟରେ ଗୋଟିଏ ଝଙ୍କା ବରଗଛ । ତା’ର ମୂଳରେ ଆମର କ୍ୟାମ୍ପ ପଡ଼ିଲା । ଯୋଗକୁ ସେଦିନ ପାଗଟା ବେଶ୍ ଅନୁକୂଳ ଥିଲା । ମେଘ ଘୋଡ଼ା ଘୋଡ଼ା କରୁଥାଏ । ଖରା ନାହିଁ କି ବର୍ଷା ନାହିଁ । ବଣଭୋଜି ଓ ଶିକାରପାଇଁ ଚମତ୍କାର ପାଗ ମିଳିବା କ୍ଵଚିତ୍ ।

 

‘ଡୁମ୍ଫା’ ଶବ୍ଦଟି ଅଧୁନା ଯୁବଜଗତରେ ବିସ୍ମୟ ସୃଷ୍ଟି କରୁଥିବ । ଏଠାରେ ଡୁମ୍ଫାର ଟିକିଏ ସ୍ପଷ୍ଟୀକରଣ ଦେଲେ ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ । ଆଉ ମଧ୍ୟ ଏହା ସାମନ୍ତବାଦୀ ଯୁଗର ଏକ ଚିତ୍ର । ମୁଁ ମୋର ପ୍ରଥମ ଭାଗ ଶିକାର ବହିରେ ଡୁମ୍ଫାର ସାମାନ୍ୟ ସୂଚନା ଦେଇଛି । ତଥାପି ଏଠାରେ ଆଉଥରେ ଉଲ୍ଲେଖ କଲେ ମଧ୍ୟ ତାହାର ରସ ଊଣା ହେବ ନାହିଁ ବୋଲି ମୋର ମନେହୁଏ । ଏହା ଏକ ପ୍ରକାର ବାଦ୍ୟ । ମଇ ଗଛ କିମ୍ଵା ଶିମିଳି ଗଛର ବକଳରେ ଏହା ତିଆରି ହୁଏ । ଏଥିପାଇଁ ଗଣ୍ଠି ନଥିବା ସିଧାସଳଖ ଗଜା ଗଛ ଆବଶ୍ୟକ । ପ୍ରଥମେ ଗଛ ମୂଳରୁ ଗୋଲ କରି କାଟି ନିଆଯାଏଁ । ପୁଣି ୭।୮ ଫୁଟ ଉପରୁ ଅଗ୍ରଭାଗ ଅଂଶଟି କାଟି ବାଦ୍ କରି ଦିଆଯାଏ । ତା’ପରେ ଗଣ୍ଡିଟିକୁ ଦୋହଲେଇ ଓ ଦଉଡ଼ିଦ୍ଵାରା ବାନ୍ଧି ମୋଡ଼ାଯାଏଁ । ଏପରି କଲେ ଗଛ ଦେହରୁ ବଳ୍‍କଳ ଅଂଶଟି ଗୋଟିଏ ପାଇପ୍ ଆକାରରେ ବାହାରିପଡ଼େ । ଏହାହିଁ ହେଉଛି ‘ଡୁମ୍ଫା’ ।

 

ଡୁମ୍ଫାର ଦୁଇ ମୁଣ୍ଡକୁ ବାନ୍ଧି ପେଟେ ଉଞ୍ଚରେ ଝୁଲାଇ ଦିଆଯାଏ । ଏହାର ଉଭୟ ପାର୍ଶ୍ଵରେ ଦୁଇ ଦଳ ଲୋକ ଛିଡ଼ା ହୋଇ ଦୁଇଖଣ୍ଡି ଲେଖାଏଁ କାଠିରେ ତାଳ ଅନୁସାରେ ବଜାନ୍ତି । ଆଉ ଜଣେ ଲୋକ ଡୁମ୍ଫାର ଗୋଟିଏ ମୁଣ୍ଡକୁ ନିଜ ପେଟରେ ଲଗାଇ ଧରେ । ତାଳ ଅନୁସାରେ ସେ କେତେବେଳେ ପେଟରେ ଲଗାଇଦିଏ ତ, କେତେବେଳେ ଛଡ଼ାଇଦିଏ । ଏପରି କରିବାଦ୍ୱାରା ବାଦ୍ୟରୁ ବିଭିନ୍ନ ପ୍ରକାର ସୁର ଉତ୍ପନ୍ନ ହୁଏ । ବାକ୍ୟ ସହିତ ଗୀତ ମଧ୍ୟ ଚାଲେ । ବୋଧହୁଏ ପାଠକଙ୍କର ଡୁମ୍ଫା ଗୀତ ଶୁଣିବାକୁ ଆଗ୍ରହ ବଳିବଣି । ତେବେ ଶୁଣନ୍ତୁ–

 

ଝାଟିକି କେ ଦେଲା ମାଟି, ଗୋରୀକି କେ ହେଲା ଚନ୍ଦନପାଟୀ ଗୋ,

ମୋର ହୃଦୟ ଯାଉଛି ଫାଟି, ସଜନୀ ଗୋ !

ଚମ୍ପାଗଛ ଧାଡ଼ି ଧାଡ଼ି, ଚମ୍ପାଗଛମୂଳେ ଶୋଇଛି ଗୋରୀ ଗୋ !

ପାକଲା ଗାମୁଛା ପାରି, ସଜନୀ ଗୋ ! ଇତ୍ୟାଦି

 

ପୁଣି ଦୁଇଦଳ ମଧ୍ୟରେ ଶ୍ଳେଷାତ୍ମକ ଗୀତ ମଧ୍ୟ ଚାଲେ । ସେସବୁ ଲେଖିବାର ଏ ସ୍ଥାନ ନୁହେଁ । ରାଜାସାହେବ ଉପସ୍ଥିତ ଥାଇ ବେଶ୍ ଆନନ୍ଦ ଉପଭୋଗ କରୁଥାନ୍ତି । ସେ ଗୋଟିଏ ପକ୍ଷ ଅବଲମ୍ୱନ କରିଥିବାରୁ ଅପର ପକ୍ଷ ତାକୁ ଛଳେଇ ପଦେ ଅଧେ ପକାଇବାକୁ ମଧ୍ୟ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ ।

 

କ୍ୟାମ୍ପ ସ୍ଥାପନ ପରେ ଆମ୍ଭେମାନେ ସାମାନ୍ୟ ଜଳଯୋଗରେ ଆପ୍ୟାୟିତ ହେଲୁ । ତା’ପରେ କେତେଜଣ ଅଭିଜ୍ଞ ବ୍ୟକ୍ତି ବେଠିଆକୁ ନେଇ ଡୁମ୍ଫା ମୋଡ଼ିବାକୁ ଚାଲିଗଲେ । ଡୁମ୍ଫା ଆସିଲା । ଗୀତ ବାଦ୍ୟର ଧୂମ୍ ଛିଡ଼ୁ ଛିଡ଼ୁ ଦିନ ଗୋଟାଏ । ସେତେବେଳକୁ ସମସ୍ତେ ହାଲିଆ ହୋଇପଡ଼ିଥିଲେ । ତା’ପରେ ପଡ଼ିଲା ପଙ୍ଗତ । ରଜାଘର ଖାନା । ଗୋଟିଏ ଚିକ୍କଣିଆ ଖାସି, ଖାଣ୍ଟି ମଇଁଷି ଦୁଧର କ୍ଷୀରୀ, କାନିକା–ଏହିପରି ଆଉ କେତେ କ’ଣ । ସମସ୍ତେ ଭୂରିଭୋଜନ କରି ଯିଏ ଯୁଆଡ଼େ ବିଶ୍ରାମ ଗ୍ରହଣ କଲେ ।

 

କ୍ଷମା କରିବେ । ମୁଁ ଢେଙ୍ଗାନାଳ କଥା ଆଣି ଢିଙ୍କିଶାଳେ ପକାଇଲିଣି । ଆପଣମାନେ ଶିକାର କଥା ଶୁଣିବାକୁ ଉଦ୍‍ବିଗ୍ନ ହୋଇଉଠିବେଣି । ଏଥର ଶୁଣନ୍ତୁ ।

 

ଠିକ୍ ଦିନ ତିନିଟା । ରାଜାସାହେବଙ୍କର ଘନ ଘନ ହୁଇସିଲ ନାଦରେ ବନସ୍ଥଳୀ କମ୍ପିଉଠିଲା । ଯିଏ ଯୁଆଡ଼େ ଥିଲେ ଆସି କ୍ୟାମ୍ପ ପାଖରେ ଠୁଳ ହୋଇଗଲେ । ଆଡ଼ି କରିବାକୁ ହୁକୁମ ହୋଇଗଲା । କେତେଜଣ ଅଭିଜ୍ଞ ଶିକାରୀ ବେଠିଆଙ୍କୁ ନେଇ କାଳି କରିବାକୁ ଚାଲିଗଲେ । ବାକି ପାଞ୍ଚଜଣ ଶିକାରୀ ରହିଗଲେ । ସେମାନଙ୍କ ମଧ୍ୟରେ ମୁଁ ଜଣେ । ରାଜାସାହେବ ଗୋଟିଏ ମଞ୍ଚାରେ ବସିଲେ । ଆମେ ଚାରିଜଣ ଦୁଇ ଶହ ଅଢ଼େଇଶହ ଗଜ ତଫାତରେ ଜଣେ ଲେଖାଁ ଜଗି ରହିଗଲୁ ।

 

ଗୋଟିଏ ଘନ ବାଉଁଶ ବଣ । ଏହି ବଣଖଣ୍ଡକର ପୂର୍ବରେ ଗୋଟିଏ ଶଗଡ଼ ଗୁଳା । ପଶ୍ଚିମରେ ସୋରାଏ ବିଲ । ପୂର୍ବପଟୁ ଜଙ୍ଗଲଟିକୁ ଘେରାଉ କରି ଦିଆଗଲା । ଜନ୍ତୁମାନେ ତଡ଼ା ପାଇ ବିଲକୁ ବାହାରିଲେ ମାଡ଼ ହେବ । ଲୋକମାନେ ବଣବୁଦା ବାଡ଼େଇ ହା-ହୁଲର କରି କାଳି କରିବା ଆରମ୍ଭ କରିଦେଲେ । ଦକ୍ଷିଣରେ ସର୍ବପ୍ରଥମ ରାଜାସାହେବ, ତା’ପରେ ଶ୍ରୀ ମୋହନ ରାୟ, ତା’ପରେ ମୁଁ, ମୋ ପରେ ଆଉ ଦୁଇ ଜଣ ଶିକାରୀ । କିଛି ସମୟ ପରେ ରାଜାସାହେବଙ୍କ ଗୁଳି ଫୁଟିଲା । ସେ କାହାକୁ ଗୁଳି କଲେ ? ଫଳାଫଳ କ’ଣ ହେଲା ଜାଣିବା ସକାଶେ ମୋର ଉତ୍କଣ୍ଠା ବଢ଼ିବାକୁ ଲାଗିଲା । ଆଡ଼ି ଶିକାରରେ ନିଜର ଆସ୍ଥାନ ଛାଡ଼ିବା ବିପଦର ଘର । ତେଣୁ ମୁଁ ସେ ବିଷୟରେ ମୁଣ୍ଡ ନ ଖେଳେଇ ଶିକାର ପ୍ରତି ଧ୍ୟାନ ଦେଲି । ପୁଣି କିଛି ସମୟ ଗତ ହୋଇଗଲା । ଏହି ସମୟରେ ମୋର ବାମ ଦିଗରୁ ଖୁରା ଥିବା ଏକ ଜାନୁଆର ବଣବୁଦା ମାଡ଼ି ଦ୍ରୁତ ଗତିରେ ମାଡ଼ି ଆସୁଥିବାର ସ୍ପଷ୍ଟ ସୂଚନା ପାଇଲି । ମୁଁ ବନ୍ଧୁକ ଛାତିରେ ଭିଡ଼ି, ଘୋଡ଼ା ଚଢ଼ାଇ ଖୋଲା ସ୍ଥାନକୁ ଲକ୍ଷ୍ୟ କରିଥାଏ । ଦୃଷ୍ଟିଗୋଚର ହେବାମାତ୍ରେ ଫାୟାର କରିବି । ଦେଖୁ ଦେଖୁ ଏ ମସ୍ତ ବଡ଼ ହରିଣ ଶିଙ୍ଘାଳ ଖୋଲା ସ୍ଥାନକୁ ବାହାରି ପଡ଼ିଲା । ମୁଁ ତତ୍‍କ୍ଷଣାତ ଫାୟାର କରିଦେଲି । କିନ୍ତୁ ଗୁଳିଟା ତା’ ଦେହରେ ଲାଗିଲା ନାହିଁ । ଏବେ ତ ମୁଁ ଜଲ୍‍ଦିବାଜି ହୋଇପଡ଼ିଲି । ଦ୍ୱିତୀୟରେ ସେ ଦ୍ରୁତ ଗତିରେ ଦୌଡ଼ୁଥିଲା । ଏଥିରେ ଫଳ ଯାହା ହେବାର କଥା ତାହାହିଁ ହେଲା ।

 

ଫାୟାର ତ କରିଦେଲି । ତା’ପରେ ବିନାମେଘେ ବଜ୍ରପାତ । ଦେଖେ ତ ଶ୍ରୀ ମୋହନ ରାୟ ଦ୍ରୁତବେଗରେ ମୋ ଆଡ଼କୁ ମାଡ଼ିଆସୁଛନ୍ତି । ତାଙ୍କର ଉଗ୍ର ମୂର୍ତ୍ତି ଦେଖି ମୁଁ ସ୍ତମ୍ଭୀଭୂତ ହୋଇଗଲି । ସେ ମୋ ପାଖରେ ପହୁଞ୍ଚି କହିଲେ, “ମୋତେ ଛାଡ଼ି ନ ଦେଇ ତୁ କାହିଁକି ଗୁଳି କଲୁ-?” ମୋର ଉତ୍ତରକୁ ଅପେକ୍ଷା ନ କରି, ବନ୍ଧୁକ କୁନ୍ଦାରେ ଦି’କୁନ୍ଦା, ମୋ ବାମବାହୁରେ ବସାଇ ଫେରିଗଲେ । ମୁଁ ଅବାକ । ଶ୍ରୀ ମୋହନ ରାୟ ମୋର ବଡ଼ବାପା । ପୁଣି ସେତେବେଳକୁ ମୋର ବୟସ ପନ୍ଦର କି ଷୋହଳ । ତେଣୁ ତାଙ୍କର ଏତାଦୃଶ ନିଷ୍ଠୁର କାର୍ଯ୍ୟର ବିରୋଧ କରିବାକୁ ମୋର ସାହସ କୁଳେଇଲା ନାହିଁ । କ୍ରୋଧରେ କ୍ଷୋଭରେ ମୁଁ ଅଶ୍ରୁ ବର୍ଷଣ କରିବାକୁ ଲାଗିଲି । ଶିକାରରେ ମୁଁ ମନ ସଂଯୋଗ କରିପାରିଲି ନାହିଁ । ତେଣେ ଜଙ୍ଗଲରେ ପୂରାଦମ୍‍ରେ କାଳି ଚାଲିଥାଏ । ଆଜିର ଏହି ଆଡ଼ି ଶିକାର ଯାହାଙ୍କ ନେତୃତ୍ଵରେ ପରିଚାଳିତ ହେଉଛି ସେ ହେଉଛନ୍ତି ପ୍ରବୀଣ ଶିକାରୀ ଶ୍ରୀ ଗୋପୀନାଥ ରାୟ । ଦୀର୍ଘ ସମୟ ଗତ ହୋଇଗଲା । କୌଣସି ଜନ୍ତୁ ପଦାକୁ ବାହାରିନାହାନ୍ତି । ହଠାତ ଗୋପୀନାଥ ରାୟ ଡାକ ପକାଇଲେ, “ଭେଣ୍ଡିଆ ବାଘୁଟିଏ ଘେର ଭିତରେ ଅଛି । ହୁସିଆର-!” ଏହାପରେ ରାଜାସାହେବଙ୍କର ଏକ ଦେହରକ୍ଷୀ ତୁରନ୍ତ ଆସି ଖବର ଦେଲା, “ଛାମୁଙ୍କର ହୁକୁମ, କେହି କୌଣସି ଜନ୍ତୁ ଉପରକୁ ଗୁଳି କରିବେ ନାହିଁ ।” ଠିକ୍ କଥା, ଗୁଳି ଶବ୍ଦରେ ବାଘଟା ଘେରି ଭାଙ୍ଗି ଚାଲିଯାଇପାରେ । ଆମ୍ଭେମାନେ ହାତ ବାନ୍ଧି ରହିଗଲୁ । ହରିଣ ବାର୍‍ହା, କୁଟ୍ରା ଆଦି ଝପ୍‍ଝାପ୍ ଡେଇଁ ଚାଲିଯାଉଥାନ୍ତି । ଓଃ, କି ସୁନ୍ଦର ଚାନ୍‍ସ ! ମୋର ମନ ଖାଲି ଡହଳ-ବିକଳ ହେଉଥାଏ, କିପରି ଗୁଳି କରିବି । କାହିଁକି ନା, ମୁଁ ନୂଆ ଶିକାରୀ । ମୋଟେ ୨।୪ଟି ଜନ୍ତୁ ଶିକାର କରିଥାଏ । ସତ କହିବାକୁ ଗଲେ ଏବେ ମଧ୍ୟ ମୋ ପକ୍ଷରେ ବନ୍ଧୁକର ଶବ୍ଦ ଯେକୌଣସି ବାଦ୍ୟର ସ୍ଵରଠାରୁ ଅଧିକ କର୍ଣ୍ଣରସାୟନ । ବାରୁଦର ଗନ୍ଧ ମୋ ପକ୍ଷରେ ପ୍ରୀତିକର ।

 

ଲୋକମାନେ ବଣବୁଦା ଭାଙ୍ଗି ତଡ଼ିଆସୁଛନ୍ତି । ଜନ୍ତୁ ମହଲରେ ଘୋର ଆତଙ୍କ ଘୋଟି ଯାଇଥାଏ । ସେମାନେ ପ୍ରାଣବିକଳରେ ଏଣେତେଣେ ଧାଁ-ଦଉଡ଼ ଲଗାଇ ଦେଇଥାନ୍ତି । ଆଡ଼ିର ଘେର ନିକଟରୁ ନିକଟତର ହୋଇଆସୁଥାଏ । ବାଘଟା କେଉଁଠି ଆତ୍ମଗୋପନ କରି ରହିଗଲା । ପଦାକୁ ବାହାରିଲା ନାହିଁ । ତେଣୁ ଘେରକୁ ସଂକୁଚିତ କରି ପ୍ରାଣମୂର୍ଛା ଉଦ୍ୟମ ଚଳାଇଲେ, ବାଘଟା ଯେପରି ଘେର ଭାଙ୍ଗି ଚାଲି ନ ଯାଏଁ । ଲୋକଙ୍କର କୋଳାହଳ ଧ୍ଵନି ତା’ର ଆଉ ବରଦାସ୍ତ ହେଲା ନାହିଁ । ଅବଶେଷରେ ସେ ଜଙ୍ଗଲ ମଧ୍ୟରୁ ବାହାରିପଡ଼ିବାକୁ ବାଧ୍ୟ ହେଲା । ବାଘଟା ରାଜାସାହେବ ଓ ମୋହନ ରାୟଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ବାହାରିଲା । ରାଜାସାହେବ ଗୁଳି କରିବାର ସୁଯୋଗ ପାଇବା ପୂର୍ବରୁ ମୋହନ ରାୟ ଧାଏଁ କରି ଗୁଳି ଚଳାଇଦେଲେ । ପରିଣାମ ଯାହା ହେଉନା କାହିଁକି, ସେ ଶିକାରରେ ରଜା-ଫଜା କାହାରିକୁ ମାନିବା ଲୋକ ନୁହନ୍ତି ।

 

ଓଃ, ଗୁଳିଶବ୍ଦ ସଙ୍ଗେ ସଙ୍ଗେ ବାଘର ଯେଉଁ ରଡ଼ି ! ସତେକି ଆକାଶ ଛଡ଼ିପଡ଼ିବ । ଗଛପତ୍ରରୁ ଉଇମାଟି ଝଡ଼ିପଡ଼ୁଥାଏ । କାଳି କରିବା ବନ୍ଦ ହୋଇଗଲା । ଯେ ଯେଉଁଠି ସିଏ ସେଇଠି ସ୍ତମ୍ଭୀଭୂତ ହୋଇ ରହିଗଲେ । ବାଘ ଗୁଳି ଖାଇବାମାତ୍ରେ ମୋହନ ରାୟଙ୍କ ଉପରେ ଆକ୍ରମଣ ଚଳାଇଦେଲା । ତାଙ୍କର ବନ୍ଧୁକଟି ଟୋପିଦାର ବନ୍ଧୁକ । ଗୋଟିଏ ଚୋଟ ଫାୟାର କରିଦେଲା ପରେ ତାହା ଫୁଙ୍କାନଳ ସଙ୍ଗେ ସମାନ । ସେ ଅନନ୍ୟୋପାୟ ହୋଇ ରାଜାସାହେବଙ୍କ ଆଡ଼କୁ ଦୌଡ଼ିଲେ । ବାଘର ଆଗ ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ଦ୍ରୁତ ବେଗରେ ଦୌଡ଼ିବା ତା’ ପକ୍ଷରେ ସମ୍ଭବ ହେଲା ନାହିଁ । ମାତ୍ର ୧୫।୨୦ ଗଜ ଦୌଡ଼ିଯିବା ପରେ ମୋହନ ଦୈବାତ ପଡ଼ିଗଲେ । ପଡ଼ି ଉଠିଲାବେଳକୁ ବାଘ ତାଙ୍କ ପାଖରେ ପହଞ୍ଚିଗଲାଣି । ସେ ମୁଖବ୍ୟଦାନପୂର୍ବକ କାମୁଡ଼ିବାବେଳକୁ ମୋହନ ବନ୍ଧୁକକୁନ୍ଦାରେ ତା’ ମୁହଁକୁ ଏପରି ଏକ ଧକା ଲଗାଇଲେ ଯେ ବାଘ ୧୦ ହାତ ପଛକୁ ଘୁଞ୍ଚିଗଲା । ଟିକିଏ ଦମ୍ ନେଇ ପୁନର୍ବାର ଆକ୍ରମଣ କଲା । ଏବାର ମଧ୍ୟ ବନ୍ଧୁକକୁନ୍ଦାରେ ଶକ୍ତ ଆଘାତ ପାଇ ପଳେଇଗଲା । ବାଘଟା ପୁନର୍ବାର ତା’ର ସମସ୍ତ ଶକ୍ତି ଖର୍ଚ୍ଚ କରି କୁଦିବାକୁ ଉଦ୍ୟତ, ଏହି ସମୟରେ ରାଜାସାହେବଙ୍କ ଶକ୍ତିଶାଳୀ ରାଇଫଲ୍‍ର ଗୁଳି ଲାଗିଲା ବାଘମୁଣ୍ଡରେ । ବାଘ ମଲା । ମୋହନ ରାୟ ସାକ୍ଷାତ ଯମମୁହଁରୁ ବଞ୍ଚିଗଲେ ।

 

ବାଘକୁ ଗୁଳି ହେବାପରେ ମୁଁ ମୋର ଆସ୍ଥାନରେ ସୁଦୃଢ଼ ହୋଇ ରହିଗଲି । ବାଘ ସହିତ ମୋହନଙ୍କର ହାତାହାତି ଦୃଶ୍ୟ ମୋତେ ସ୍ତବ୍ଧ କରିଦେଲା । ଏହିପରି ତାଙ୍କର ଦୁଃସାହସିକତା ଯୋଗୁଁ ସେ ବହୁବାର ବିପଦର ସମ୍ମୁଖୀନ ହୋଇଛନ୍ତି । ସେ ଜଣେ ଦୁର୍ଦ୍ଦାନ୍ତ ଶିକାରୀ-। ଭୟ ବୋଲି କ’ଣ ସେ ଜାଣନ୍ତି ନାହିଁ । ତାଙ୍କର ଶିକାର ବିଷୟ ଶୁଣିଲେ ପରୀ ରାଇଜର କାହାଣୀ ପରି ଲାଗିବ ।

 

ବାଘକୁ ଗୁଳି କଲା ପରେ ରାଜାସାହେବ ସିଟି ବଜାଇଲେ । ଆମେ ସମସ୍ତେ ଏକତ୍ରିତ ହେଲୁ । ରାଜାସାହେବ ପ୍ରଥମ ଗୁଳିଟି ବାର୍‍ହା ଉପରକୁ କରିଥିଲେ । ମସ୍ତବଡ଼ ଦନ୍ତା ବାର୍‍ହା ମରି ପଡ଼ିଥିଲା । ଦ୍ଵିତୀୟ ଗୁଳିରେ ବାଘ ମଲା । ଆଜି ଶିକାରରେ ରାଜାସାହେବ ବାଘ ମାରି ଅପାର ଯଶ ଲାଭ କଲେ । ଅନ୍ୟମାନେ ବାର୍‍ହା ଶିକାର ପାଇ ପରମ ଆନନ୍ଦିତ ହେଲେ । କେବଳ ମୁଁ ବନ୍ଧୁକକୁନ୍ଦାରେ ମାଡ଼ ଖାଇ ମନଦୁଃଖରେ ଫେରିଲି ।

Image

 

ଖୋଜ ଧରି ଶିକାର କରିବା

 

ଯେତେଦୂର ମନେହୁଏ ସେ ସମୟଟା ଥିଲା ଆଷାଢ଼ମାସର ପ୍ରଥମ ସପ୍ତାହ । ସେଦିନ ପ୍ରଚଣ୍ତ ରୌଦ୍ରତାପରେ ଜୀବସକଳ ଆଉଟ ପାଉଟ ହୋଇପଡ଼ୁଥିଲେ । ଗଛର ପତ୍ରଟିଏବି ଦୋହଲୁ ନଥିଲା । ଭୀଷଣ ଗୁଳୁଗୁଳି । ଦେହରୁ ଗମ୍‍ଗମ୍ ଝାଳ ଝରିପଡ଼ୁଥାଏ । ମଧ୍ୟାହ୍ନ ଭୋଜନରେ ବସି ପଡ଼ିଲି; କିନ୍ତୁ ଯଥେଷ୍ଟ କ୍ଷୁଧା ଥିବାସତ୍ତ୍ଵେ ଖାଇ ହେଲା ନାହିଁ । ଯତ୍ରତତ୍ର ଦି’ଗୁଣ୍ଡା ଖାଇ ଢୋଲେ ପାଣି ପିଇ ଉଠିପଡ଼ିଲି । ତା’ପରେ ବିଛଣା ଧରିଲି । ନିଦ୍ରା ତ ଦୂରର କଥା, ବିଛଣାରେ ସ୍ଥିର ଭାବରେ ପଡ଼ିରହିବା ମଧ୍ୟ ସମ୍ଭବ ହେଲା ନାହିଁ । ବିଞ୍ଚଣା ଘୂରାଇ ବିଛଣାରେ ପଡ଼ିରହିବା ବ୍ୟତୀତ ଅନ୍ୟ ଉପାୟ ନଥିଲା । ପ୍ରାୟ ତିନିଟା ବାଜିଲା । ତଥାପି ପ୍ରଖର କିରଣ ଲେଶମାତ୍ର ମ୍ଳାନ ପଡ଼ିଲା ନାହିଁ । ଏହି ସମୟରେ ପଶ୍ଚିମ ଦିଗରୁ ଅଚାନକ ଏକ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚାହୁଁ ଚାହୁଁ ଘଡ଼ଘଡ଼ି ଚଡ଼ଚଡ଼ି ସହ ଆସରାଏ ପାଣି ଅଜାଡ଼ି ଦେଲା । ଅମୃତର ବାରିଧାରା ବର୍ଷଣରେ ଧରାପୃଷ୍ଠ ଶାନ୍ତ ହେଲା । ବୃକ୍ଷଲତା ଓ ଜୀବଗଣ ସଜୀବ ହୋଇଉଠିଲେ । ଅଧଘଣ୍ଟାକ ମଧ୍ୟରେ ପୁଣି ଆକାଶ ମେଘବିମୁକ୍ତ ହୋଇଗଲା ।

 

ଶିକାରପାଇଁ ଅନୁକୂଳ ପାଗର ଗୁରୁତ୍ଵ ଯଥେଷ୍ଟ ବେଶି । ବର୍ଷା ଛାଡ଼ିଯିବା ପରେ ବନ୍ୟ ଜନ୍ତୁମାନେ ସ୍ଵଭାବତଃ ଆନନ୍ଦରେ ବିହ୍ଵଳ ହୋଇପଡ଼ନ୍ତି । ତେଣୁ ଜଙ୍ଗଲର ନିଘଞ୍ଚ ନିଭୃତ କୋଣରୁ ବାହାରି ଖୋଲା ସ୍ଥାନମାନଙ୍କରେ ବିତରଣ କରନ୍ତି । ଏହାର ଆଉ ଗୋଟିଏ କାରଣ ମଧ୍ୟ ଅଛି । ବର୍ଷା ପରେ ଗଛପତ୍ରରୁ ଟପ୍‍ଟପ୍ ହୋଇ ପାଣି ଝରେ । ଏ ପାଣି ଦେହରେ ପଡ଼ିବା ସେମାନଙ୍କର ସହ୍ୟ ହୁଏ ନାହିଁ । ଏଥିପାଇଁ ଖୋଲା ସ୍ଥାନମାନଙ୍କରେ ଚଲାବୁଲା କରିବାକୁ ବାଧ୍ୟ ହୁଅନ୍ତି । ଏହି ସମୟରେ ଖୋଜ ଧରି ଶିକାର କରିବା ଶିକାରୀଙ୍କ ପକ୍ଷରେ ଏକ ଅପୂର୍ବ ସୁଯୋଗ ।

 

ସବୁ ସମୟରେ ଖୋଜ ଧରି ଶିକାର କରିବା ସମ୍ଭବ ହୁଏ ନାହିଁ । ଖୋଜ ଧରିବାପାଇଁ ପହିଲି ଆଷାଢ଼ଟା ପ୍ରକୃଷ୍ଟ ସମୟ । କାରଣ ଗ୍ରୀଷ୍ମଋତୁରେ ଝଡ଼ିଥିବା ପତ୍ର ଓ ଶୁଖିଲା ଘାସରେ ଉଇ ଲାଗି ସଫା କରିଦେଇଥାନ୍ତି । ବର୍ଷା ପରେ ଜନ୍ତୁଙ୍କର ଖୋଜଚିହ୍ନ ବିରୋଳ ଦେଖାଯାଏ । ପାଦଚିହ୍ନ ମିଳିଗଲେ ଯେ ଶିକାର ମିଳିଯିବ ଏପରି ଭାବିବା ଠିକ୍ ନୁହେଁ । ଏ ପ୍ରକାର ଶିକାରପାଇଁ ଜଙ୍ଗଲର ପ୍ରତ୍ୟେକ ରାସ୍ତାଘାଟ ବିଷୟରେ ଯଥେଷ୍ଟ ଜ୍ଞାନ ଥିବା ଯେପରି ଆବଶ୍ୟକ ସେହିପରି ଖୋଜଚିହ୍ନରେ ପରିଚିତ ଥିବା ମଧ୍ୟ ଏକାନ୍ତ ଆବଶ୍ୟକ । ପାଦଚିହ୍ନ ଧରି ଜନ୍ତୁର ପିଛା କରିବା ଶିକାରୀଙ୍କର ଗୋଟିଏ ଶ୍ରେଷ୍ଠ କଳା । ଏଥିରେ ଶିକାରୀଙ୍କର ଦକ୍ଷତାର ପରିଚୟ ମିଳିଥାଏ । ଏ ପ୍ରକାର ପଦ୍ଧତିରେ ଶିକାରୀଙ୍କୁ ଯେଉଁ ଆନନ୍ଦ ମିଳେ ଅନ୍ୟ କୌଣସି ପ୍ରକାର ପନ୍ଥାରେ ଏପରି ଆନନ୍ଦ ମିଳେ ନାହିଁ ।

 

ସେଦିନ ବର୍ଷା ଛାଡ଼ିଯିବା ପରେ ପରେ ମୁଁ ଶିକାର ଯାତ୍ରାରେ ବାହାରିପଡ଼ିଲି । ଜଙ୍ଗଲ ମଧ୍ୟରେ ପ୍ରବେଶ କରି ଦେଖିଲି, ଚାରିଆଡ଼େ ଜନ୍ତୁଙ୍କର ଖୋଜଚିହ୍ନ ଛିନ୍‍ଛତର ହୋଇ ପଡ଼ିଛି । ପଲ ପଲ ହରିଣ, କୁଟ୍ରା, ସମ୍ବରଙ୍କର ଖୋଜଚିହ୍ନ ପଡ଼ିଥାଏ । ମୁଁ ଆଖୁବାରିରେ ପଶିବା ଭଳି ହେଲି । କେଉଁ ଖୋଜ ଧରି ପିଛା କରିବି ? ଗୋଠଛଡ଼ା ଗୋଟିଏ ବଡ଼ ହରିଣ ଶିଙ୍ଘାଳର ଖୋଜ ଧରି ପିଛା କରିବାରେ ଲାଗିପଡ଼ିଲି । ସେ ବେଶ ଦୂର ଯାଇ ନ ଥିବ । ଏଇ ଟିକକ ପରେ ତା’ର କାନ ଧରି ମାରିବି । ଏଇ ଆଶା ଧରି ମୁଁ ହୃଷ୍ଟଚିତ୍ତରେ ଆଗେଇ ଚାଲିଛି । କିଛି ଦୂର ଯିବା ପରେ ଦେଖିଲି, ଶିଙ୍ଘାଳଟା କୌଣସି ଭୟ ପାଇ ହୁରୁଡ଼ିଯାଇଛି । ଏହା ତାହାର ଖୋଜଚିହ୍ନ ପରିଷ୍କାର ଜଣାଇଦେଉଥିଲା । ଶିଙ୍ଘାଳଟା ହୁରୁଡ଼ି ଯାଇ ନଥିଲେ କେତେବେଳୁ ଗୁଳି ମାରି ସାରନ୍ତିଣି । ତଥାପି ମୁଁ ତା’ର ଅନୁଧାବନ କରି ଚାଲିଥାଏ । ପୁଣି କିଛି ଦୂର ଯିବା ପରେ ଦେଖିଲି, ସେ ଗୋଟିଏ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଛି । ଏପର୍ଯ୍ୟନ୍ତ ଗଛପତ୍ରରୁ ପାଣି ଛାଡ଼ିନାହିଁ । ଶିଙ୍ଘାଳ ସେପରି କୌଣସି ଆତଙ୍କଜନକ ପରିସ୍ଥିତିରେ ପଡ଼ି ନଥିଲେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ନଥାନ୍ତା । ଏହା ତାହାର ଶତ୍ରୁ କବଳରୁ ଆତ୍ମଗୋପନ କରିବାର ସ୍ପଷ୍ଟ ଲକ୍ଷଣ । ସେତେବେଳେ ମୋର ଆଶାର ତାଜ୍‍ମହଲ ରସାତଳଗାମୀ ହେଲା । କିନ୍ତୁ ଶେଷପର୍ଯ୍ୟନ୍ତ ଘଟନାଟା ଅନୁଧ୍ୟାନ କରିବାକୁ ହେବ ।

 

ଘଞ୍ଚ ଜଙ୍ଗଲର ଅପର ପ୍ରାନ୍ତରେ ଗୋରୁ ଡଗର ଅଛି । ମୁଁ କ୍ଷିପ୍ର ଗତିରେ ଆଗ କାଟି ସେ ଡଗର ରାସ୍ତାରେ ପହୁଞ୍ଚିଗଲି । ଶିଙ୍ଘାଳ ଡଗର ରାସ୍ତାକୁ ବାହାରିବା ସମୟରେ ସାକ୍ଷାତ ମିଳିଯାଇପାରେ । ଯଦି ଆଗରୁ ପାର ହୋଇଯାଇଥାଏ, ତେବେ ତା’ର ଖୋଜଚିହ୍ନ ଧରି ଅଗ୍ରସର ହେବି । ମୁଁ ସେ ରାସ୍ତାରେ ପହୁଞ୍ଚି ଚକ୍ଷୁକର୍ଣ୍ଣକୁ ସଜାଗ କରି ଧୀର ପଦକ୍ଷେପରେ ଚାଲିଛି । କେତେକ ଜନ୍ତୁ ଘଞ୍ଚ ଜଙ୍ଗଲରୁ ପଦା ଜଙ୍ଗଲକୁ ପାରି ହୋଇଥିବା ଖୋଜ ଚିହ୍ନ ଦୃଷ୍ଟିଗୋଚର ହେଲା ମୁଁ ସେ ସବୁ ଚିହ୍ନ ଉପରେ ଦୃଷ୍ଟି ନିବଦ୍ଧ କରି ଦେଖୁଛି, ଏହି ସମୟରେ ପାଦ ଜଙ୍ଗଲ ତରଫରେ ଭସ୍‍ଭାସ୍ ଧପ୍‍ଧାପ୍ ଶବ୍ଦ ଶୁଣି ମୁଁ ଟିକିଏ ଅପ୍ରତିଭ ହୋଇପଡ଼ିଲି । ଶବ୍ଦଟା ଠିକ୍ ମୋର ସମ୍ମୁଖ ଦିଗରୁ ଆସୁଥିଲା । ଭାବୁଛି ଶବ୍ଦଟା କ’ଣ ହୋଇପାରେ ? ମୁଁ କୌଣସି ସ୍ଥିରନିଶ୍ଚିତ ହେବା ପୂର୍ବରୁ ହଠାତ ଏକ ମସ୍ତବଡ଼ ବାଘ ମୋ ପାଖରୁ ମାତ୍ର ପାଞ୍ଚହାତ ଦୂରରେ ଧପ୍‍କିନା ପଡ଼ିଲା । ଆଖି ପିଛୁଳାକମାତ୍ରେ ପୁଣି ଏକ କୁଦା ମାରିଲା ଯେ, ଯାଇ ୧୫।୧୬ ହାତ ଦୂରରେ ଜଙ୍ଗଲ ଭିତରେ ପଡ଼ି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

 

ସେତେବେଳେ ମୋ ଆଖିରୁ ଝଲକାଏ ନିଆଁ ଖସିପଡ଼ିଲା । ମୁଁ ଏକବାରକେ ସ୍ତମ୍ଭୀଭୂତ ହୋଇଗଲି । ଯଦିଓ ବାଘଟା ମୋତେ ଆକ୍ରମଣ କରିନାହିଁ କିମ୍ବା କରିବା ତା’ର ମତଲବ ନଥିଲା, ତଥାପି ଅପ୍ରତ୍ୟାଶିତ ଦୁର୍ଘଟନା ପାଇଁ ମୁଁ ପ୍ରସ୍ତୁତ ନଥିଲି । କିଛି ସମୟ ପରେ ମୁଁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲି । ବିଷୟଟା ମନେ ମନେ ଆଲୋଚନା କରିବାକୁ ଲାଗିଲି । ବାଘଟା ନିଶ୍ଚୟ ଅତିମାତ୍ରାରେ ଆତଙ୍କିତ ହୋଇପଡ଼ିଛି । ତା’ ନ ହେଇଥିଲେ ଏପରି ପ୍ରାଣବିକଳରେ ପଳାୟନ ପନ୍ଥା ଧରି ନ ଥାନ୍ତା । କିନ୍ତୁ ସେ ଆତଙ୍କିତ ହେବାର କାରଣଟା ଅମୀମାଂସିତ ରହିଲା ।

 

ତା’ପରେ ପୁଣି ମୁଁ ମୋର ଶିକାରରେ ମନ ସଂଯୋଗ କଲି । ଉକ୍ତ ଶିଙ୍ଘାଳର ଖୋଜ ଚିହ୍ନ ଆଉ ମିଳିଲା ନାହିଁ । ବୋଧହୁଏ ସେ ନିଘଞ୍ଚ ବନଗହଳରେ ଆତ୍ମଗୋପନ କରି ରହିଲା । ଏବାର ମୁଁ ଗୋଟିଏ ପଲ ହରିଣଙ୍କର ଖୋଜଚିହ୍ନ ଧରି ଅଗ୍ରସର ହେଲି । ସେ ପଲଟିରେ ସର୍ବମୋଟ ଚାରୋଟି ହରିଣୀ ଓ ଗୋଟିଏ ହରିଣ ଶିଙ୍ଘାଳ ଥିଲେ । ବହୁ ଖୋଜଚିହ୍ନ ମଧ୍ୟରେ ନିର୍ଦ୍ଦିଷ୍ଟ ଖୋଜଚିହ୍ନକୁ ଧରି ଅଗ୍ରସର ହେବାରେ କେତେକ ବାଧା ସୃଷ୍ଟି ହେଉଥାଏ । ମାତ୍ର ଏକ ଫର୍ଲଙ୍ଗ ଦୂର ଅଗ୍ରସର ହେବାକୁ ମୋତେ ଏକଘଣ୍ଟା ସମୟ ଲାଗିଗଲା ।

 

ଖୋଳ ଧରି ଚାଲିଛି । କିଛିଦୂର ଯିବା ପରେ ପରେ ‘ବଳିଆ’ଙ୍କ କୁଃ...କା ବୋବାଳି ଓ ଖଡ଼୍‍ଖାଡ଼୍‍, ଭଡ଼୍‍ଭାଡ଼୍‍ ଶବ୍ଦ ଶୁଣିବାକୁ ପାଇଲି । ମୋର ହତାଶର ସୀମା ରହିଲା ନାହିଁ । ମୁଁ ବୁଝିବାକୁ ବାକି ରହିଲା ନାହିଁ ଯେ, ମୁଁ ପିଛା କରୁଥିବା ହରିଣ ଦଳରୁ ଗୋଟିକୁ ବଳିଆ ମାରିସାରିଲେଣି । ଘଟନାଟା ତଦନ୍ତ କରିନେବା ଦରକାର । ତେଣୁ ମୁଁ ବୃକ୍ଷଲତାର ଅନ୍ତରାଳରେ ଛପି ଛପି ଶବ୍ଦକୁ ଅନୁସରଣ କରି ଆଗେଇଗଲି । ଘଟନାଟା ମୋର ଦୃଷ୍ଟିଗୋଚର ହେଲା । ବଳିଆମାନେ ମହା ଉଲ୍ଲାସରେ ଭୋଜନରେ ଲାଗିପଡ଼ିଥାନ୍ତି । ସେମାନେ ମୋର ଟେର ସୁଦ୍ଧା ପାଇନାହାନ୍ତି । ମୁଁ ଛପି ରହି ଦେଖୁଥାଏ । ସେ ଦଳଟାରେ ଷୋଳଟା ବଳିଆ ଥିଲେ । ଗୋଟିଏ ମସ୍ତବଡ଼ ମାଈ ମିରିଗକୁ ବେଢ଼ି ଖାଉଛନ୍ତି । ସେତେବେଳେ ତା’ର ଅର୍ଦ୍ଧାଧିକ ମାଂସ ଖାଇ ନିଃଶେଷ କରିସାରିଲେଣି । ସେମାନଙ୍କର ଆହାର ଉପରେ ବାଧା ଜନ୍ମାଇବା ମୋର ମତଲବ ନୁହେଁ । ମୁଁ ଲୁଚିକରି ସେମାନଙ୍କର ଗତିବିଧି ଦେଖୁଥାଏ ।

 

ହରିଣଟା ତଳେ ପଡ଼ିଥାଏ । ବଳିଆମାନେ ତାକୁ ଘେରି ଯାଇ ପୁଳା ପୁଳା କରି ମାଂସ ଖାଉଥାନ୍ତି । ସେମାନେ ଯେପରି ଶ୍ରୀଘ୍ର ଶ୍ରୀଘ୍ର ଖାଉଥାନ୍ତି ଅନ୍ୟ କୌଣସି ମାଂସାଶୀ ଜୀବ ଏପରି ଖାଇପାରିବେ ନାହିଁ । ତାହାର କାରଣ ଏମାନଙ୍କର ଦାନ୍ତ ଅତି ତୀକ୍ଷ୍ଣ । ତା’ ଛଡ଼ା ଏମାନେ କେବଳ ହାଡ଼ରୁ ମାଂସ ଖାଆନ୍ତି, ହାଡ଼ ଚୋବେଇ ଖାଆନ୍ତି ନାହିଁ । ତେଣୁ ସେମାନେ ଖାଇ ଛାଡ଼ିଯାଇଥିବା ଶିକାରରୁ କିଛି ମାଂସ ମିଳିଥାଏ । କେତେକ ଲୋକ ଏ ମାଂସ ନେଇ ଖାଇଥାନ୍ତି ।

 

‘ବଳିଆ’ କହିଲେ ଜଙ୍ଗଲର କୁକୁରଙ୍କୁ ବୁଝାଏ । ଦେଖିବାକୁ ଠିକ୍ ପୋଷା କୁକୁର ପରି । ପୋଷା କୁକୁରଙ୍କର ଆକୃତିରେ ଓ କର୍ଣ୍ଣରେ ବିଭିନ୍ନତା ଅଛି, କିନ୍ତୁ ବଳିଆ କୁକୁର ସମସ୍ତେ ଏକ ଶ୍ରେଣୀର । ଆକୃତିରେ ବର୍ଣ୍ଣରେ ଏକ ପ୍ରକାର । ଏମାନଙ୍କର ବର୍ଣ୍ଣ ଗାଢ଼ କସରା । ଦେହରେ ଛୋଟ ଛୋଟ ରୁମ । ଲାଞ୍ଜରେ ବଡ଼ ବଡ଼ ବାଳ ଥାଏ । ଏମାନଙ୍କ ମଧ୍ୟରେ ପୁରୁଷଗୁଡ଼ାକ ଖୁବ୍ ବଡ଼ ହୁଅନ୍ତି-। ଏମାନେ ଦଳବଦ୍ଧ ଭାବରେ ବାସ କରନ୍ତି । ଦଳ ମଧ୍ୟରେ ଗୋଟିଏ ପୁରୁଷ ବଳିଆ ଦଳର ନାୟକ ଭାବରେ କାର୍ଯ୍ୟ କରେ । ତା’ରି ନିର୍ଦ୍ଦେଶରେ ଦଳର ସମସ୍ତେ ପରିଚାଳିତ ହୁଅନ୍ତି । ଦଳର ଦଳପତି ବା ନାୟକ ଆମ ଅଞ୍ଚଳରେ ‘ନାହାକା’ ନାମରେ କଥିତ ହୁଏ । ଏମାନଙ୍କର ଶିକାର କରିବା କୌଶଳରେ ଏକ ସ୍ୱାତନ୍ତ୍ର୍ୟ ଅଛି । ସାଧାରଣତଃ ଶିକାରୀ ଜନ୍ତୁ ଶିକାରକୁ ଅତର୍କିତ ଆକ୍ରମଣ କରି ମାରିଦିଅନ୍ତି । ତା’ପରେ ଭୋଜନରେ ଲାଗିପଡ଼ନ୍ତି । କିନ୍ତୁ ବଳିଆମାନଙ୍କଠାରେ ଏ ନିୟମର ବ୍ୟତିକ୍ରମ ଦେଖାଯାଏ ।

 

ଏମାନେ ଜନ୍ତୁଙ୍କର ଖୋଜଚିହ୍ନ ଶୁଙ୍ଘି ଶିକାରର ଠାବ କରନ୍ତି । ତା’ପରେ ତାକୁ ତଡ଼ି ଶିକାର କରନ୍ତି । ବଳିଆମାନେ ଶିକାରର ଆଗରୁ ପଛରୁ ଏବଂ ଦୁଇ କଡ଼ରୁ ଛକି ତାକୁ ଘେର ମଧ୍ୟରେ ଆବଦ୍ଧ କରିଦିଅନ୍ତି । ସମସ୍ତେ ବେଢ଼ି ଜୀବନ୍ତ ଜନ୍ତୁଟାର ମାଂସ ପୁଳା ପୁଳା କରି ଖାଇବାରେ ଲାଗନ୍ତି । ତା’ ଦେହରୁ କେତେକ ମାଂସ ଖାଇସାରିବା ପରେ ସେ ଜନ୍ତୁଟାର ମୃତ୍ୟୁ ହୁଏ-। ମାଂସ ଖାଇସାରିବା ପରେ ପୁଣି ଅନ୍ୟ ଶିକାର ସନ୍ଧାନରେ ଛୁଟି ଯାଆନ୍ତି ବଳିଆମାନେ ଅନ୍ୟର ଶିକାର କିମ୍ବା ନିଜେ ଛାଡ଼ିଯାଇଥିବା ଶିକାରକୁ ଛୁଅଁନ୍ତି ନାହିଁ । ଏମାନେ ହରିଣ, ସମ୍ବର, କୁଟ୍ରା, ବାର୍‍ହା ଆଦି ସବୁ ଜନ୍ତୁ ଶିକାର କରିବାରେ ସକ୍ଷମ । ବଳିଆମାନେ କେବଳ ବନ୍ୟ ଜନ୍ତୁ ଶିକାର କରନ୍ତି; ଗୃହପାଳିତ ଜନ୍ତୁଙ୍କୁ ଛୁଅଁନ୍ତି ନାହିଁ । ବାଘ ମଧ୍ୟ ବଳିଆଙ୍କୁ ଡରେ । କାହିଁକି ନା, ଦଳକୁ ବଳ ସରି ନୁହେଁ । ସେଥିସକାଶେ ବାଘ ବଳିଆ ଗନ୍ଧ ପାଇଲେ ବାଟ କାଟେ ।

 

ବାଘ ସେଦିନ ପ୍ରାଣବିକଳରେ ମୋ ପାଖ ଦେଇ ପଳାଇବାର କାରଣ ବଳିଆ ପଲକୁ ଦେଖିବାପରେ ସ୍ପଷ୍ଟ ହୋଇଗଲା । ବଳିଆମାନେ ମନୁଷ୍ୟକୁ ଦେଖିଲେ ଅନ୍ୟାନ୍ୟ ବନ୍ୟ ଜନ୍ତୁ ପରି ଭୀତତ୍ରସ୍ତ ହୁଅନ୍ତି ନାହିଁ । ଆସ୍ତେ ବାଟ ଛାଡ଼ି ଆଡ଼େଇ ଯାଆନ୍ତି । ମନୁଷ୍ୟକୁ କେବେ ଆକ୍ରମଣ କରନ୍ତି ନାହିଁ । ଶୁଣାଅଛି, ଜଙ୍ଗଲରେ ପଥ ବିଭ୍ରାନ୍ତ ପଥିକକୁ ବଳିଆକୁକୁର ବାଟ ଦେଖାଇଦିଅନ୍ତି । ବଳିଆ କୌଣସି ଜଙ୍ଗଲରେ ସ୍ଥାୟୀ ଭାବରେ ବାସ କରନ୍ତି ନାହିଁ । ଯେପରି ହଠାତ ଗୋଟିଏ ଜଙ୍ଗଲରେ ଉପସ୍ଥିତ ହୋଇଯାଇ ହୁଇସ୍ଥୁଲ କରିଦିଅନ୍ତି, ସେହିପରି ଦିନେ ଅଚାନକଭାବେ ଅଦୃଶ୍ୟ ହୋଇଯାଆନ୍ତି । ବଳିଆ ଜଙ୍ଗଲକୁ ଆସିଗଲେ ଜନ୍ତୁମହଲରେ ଘୋର ଆତଙ୍କ ଘୋଟି ଯାଏଁ । ସେମାନେ ମହା ଆତଙ୍କରେ ଆତ୍ମଗୋପନ କରି କାଳ କଟାନ୍ତି । ଏହି ସମୟରେ ଶିକାର ମିଳିବା ଏକବାରକେ ଅସମ୍ଭବ ହୋଇପଡ଼େ । ଶିକାରୀମାନେ ହାତ ବାନ୍ଧି ବସନ୍ତି । ବଳିଆଙ୍କ ପ୍ରତି ମୋର ଗୋଟାଏ ଅହେତୁକ ମୋହ ଅଛି । ମୁଁ କେବେ ତାଙ୍କ ଉପରକୁ ଗୁଳି ଚଳାଏ ନାହିଁ । ସେମାନଙ୍କୁ ଜଙ୍ଗଲରୁ ତଡ଼ିଦେବା ଉଦ୍ଦେଶ୍ୟରେ କେହି କେହି ଶିକାରୀ ଥରେ ଅଧେ ଗୁଳି କରି ହୁରୁଡ଼ାଇ ଦେଇଥାନ୍ତି ।

 

ପ୍ରସଙ୍ଗକ୍ରମେ ମୁଁ ସେଦିନର ଶିକାର କାହାଣୀ ବନ୍ଦ କରି ଏପର୍ଯ୍ୟନ୍ତ ଚାଲିଆସିଲିଣି । ଏବାର ଶୁଣନ୍ତୁ । ବଳିଆପଲ ମାଂସ ଖାଇ ତାଙ୍କ ବାଟରେ ଚାଲିଗଲେ । କିନ୍ତୁ ମୋର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସିଦ୍ଧ ହୋଇନାହିଁ । ମୁଁ ପୁଣି ନୂତନ ଉଦ୍ୟମରେ ଲାଗିପଡ଼ିଲି । ସନ୍ଧାନ ଚଳାଇ ଯାଉ ଯାଉ ଗୋଟିଏ ଗାଡ଼ିଆ ଖୁରୁଙ୍ଗ (ପୁରୁଷ କୁଟ୍ରା) ମୋର ଆଶଙ୍କା ପାଇ ଚିତ୍କାର କରି ଦୌଡ଼ି ପଳାଇଲା । ମୁଁ ଆଶାୟୀ ହୋଇ ତା’ର ପିଛା କରି ଚାଲିଲି । ଖୋଜେ ଖୋଜେ ଯାଉ ଯାଉ ଖଣ୍ଡିଏ ଘଞ୍ଚ ଜଙ୍ଗଲ ପଡ଼ିଲା । ଗଛପତ୍ରକୁ ଏଡ଼ି ଅତି ସାବଧାନତାର ସହ ଚାଲିଥାଏ । ସେ ଜଙ୍ଗଲ ଖଣ୍ତ ଅତିକ୍ରମ କରି ପଦା ଜଙ୍ଗଲକୁ ବାହାରିବାମାତ୍ରେ ଦେଖେ ତ ଏକ ମସ୍ତବଡ଼ ଶଙ୍ଖପାଟିଆ ଭାଲୁ ମୋ ଆଡ଼କୁ ଆକ୍ରମଣାତ୍ମକ ଦୃଷ୍ଟିରେ ଚାହିଁଛି । ମୋ ପାଖକୁ ତା’ର ଦୂରତ୍ୱ କୋଡ଼ିଏ ଗଜ । ସେ ଗୋଟିଏ ହୁଙ୍କା ପାଖରେ ଠିଆ ହୋଇଥିଲା, ଆଉ ହୁଙ୍କା ତାଡ଼ି ଉଇଟାଙ୍କୁ ଖାଉଥିଲା । ମୋର ଉପସ୍ଥିତିରେ ବାଧାପ୍ରାପ୍ତ ହୋଇ ଏପରି କ୍ରୋଧାନ୍ୱିତ ହୋଇଉଠିଛି । ସେ ମୋତେ ଏକ ଦୃଷ୍ଟିରେ ଦଶ ମିନିଟ ପର୍ଯ୍ୟନ୍ତ ଚାହିଁରହିଲା । ଭାବିଲି, ମୋତେ ଆକ୍ରମଣ କରିବ କି ? ମୁଁ ବନ୍ଧୁକ ଉଠାଇ ପ୍ରସ୍ତୁତ ହୋଇଗଲି । ଏହି ସମୟରେ ସେ ମୋ ଆଡ଼କୁ ଚାରିଖୋଜ ମାଡ଼ିଆସିଲା । କିନ୍ତୁ ସେ ଆଉ ଆଗକୁ ନ ବଢ଼ି ଗୋଟିଏ ଗର୍ଜନ ଛାଡ଼ିଲା । ଶେଷରେ ତା’ର ସଦ୍‍ବୁଦ୍ଧି ଉଦୟ ହେଲା । ମୋତେ ଆକ୍ରମଣ ନ କରି ପଛକୁ ଚାହିଁ ଚାହିଁ ବନଗହଳରେ ଲୁଚିଗଲା ।

 

ମୁଁ ମନେ ମନେ ଭାବିଲି, କି ଦୁର୍ଯୋଗରେ ବାହାରିଥିଲି ଯେ ପ୍ରଥମେ ବାଘ, ତା’ପରେ ବଳିଆ, ତା’ପରେ ଭାଲୁର ସମ୍ମୁଖୀନ ହେବାକୁ ପଡ଼ିଲା । ବାଘ, ବଳିଆଙ୍କ ପାଇଁ ଶୋଚନା ନଥିଲା-। କିନ୍ତୁ ଏ ଅମଙ୍ଗୁଳିଆ ଭାଲୁଟା ଦେଖି ମୋର ସମସ୍ତ ଉତ୍ସାହ ମଉଳିଗଲା । କାରଣ ଆମ ଶିକାରୀଙ୍କ ମଧ୍ୟରେ ଗୋଟିଏ ଅନ୍ଧବିଶ୍ୱାସ ରହିଛି ଯେ, ଶିକାର ସମୟରେ ହାତୀ, ଭାଲୁ, ଠେକୁଆ ଦେଖିଲେ ଶିକାରରେ ବିଫଳ ହେବାକୁ ହୁଏ । ତେଣୁ ମୁଁ ନିରୁତ୍ସାହ ଭାବରେ ଉକ୍ତ ଗାଡ଼ିଆ ଖୁରୁଙ୍ଗର ଖୋଜ ଧରି ପିଛା କରିବାରେ ଲାଗିପଡ଼ିଲି । କିଛିଦୂର ଯିବାପରେ ଖୁରୁଙ୍ଗଟା ଦୃଷ୍ଟିଗୋଚର ହେଲା । ସେ ଗୋଟିଏ ଫିରିକ ବୁଦା ଉପରେ ଆଗ ଦି’ଗୋଡ଼ ରଖି ପତ୍ର ଟୁକୁଛି । ମୋ ପାଖରୁ ସେ ତିରିଶ ଗଜ ଦୂରରେ ଥିଲା । ଠିକ୍ ଗୋଟିଏ ଲାଖ ପଟା ଭଳି ଏଥିରେ ଲକ୍ଷ୍ୟଭ୍ରଷ୍ଟ ହେବାର ନୁହେଁ । ମୁଁ ତା’ର ମୁଣ୍ତକୁ ଲକ୍ଷ୍ୟ କରି ଘୋଡ଼ା ଟିପିଦେଲି । ମୋର ଲକ୍ଷ୍ୟ ଷୋଳଣା ଠିକ୍ ହୋଇଛି । ଆଉ ଖୋଜ ଉଠାଇବାର ଜୁ ନାହିଁ । ମାଡ଼େ ମାଡ଼େ ଟଳିପଡ଼ିଲା ।

 

ଗୋଟାଏ ହରିଣ ଶିଙ୍ଘାଳ ବା ସମ୍ବର ଶିଙ୍ଘାଳ ମାରିବା ଆଶା ଧରି ଆସିଥିଲି । ତା’ ହେଲା ନାହିଁ । ନିଷ୍ଫଳ ହୋଇ ଫେରିବା ଅପେକ୍ଷା କୁଟ୍ରାଟିଏ ହେଲେ ମିଳିଗଲା । ଯାହାହେଉ ମୋର ଶିକାରଯାତ୍ରା ସଫଳ ହୋଇଛି ବୋଲି ମନକୁ ସାନ୍ତ୍ୱନା ଦେଇ ଘରକୁ ଫେରିଲି ।

Image

 

ଚିତାବାଘ କବଳରେ ଗାଈ

 

ଆମର ତତ୍‍କାଳୀନ ରାଜାସାହେବ ଥିଲେ ଯୁବକ । ସେ ଯେପରି ରୂପବାନ୍ ସେହିପରି ବଳବାନ୍ ମଧ୍ୟ । ସାହସରେ ଅତୁଳନୀୟ । ସଙ୍ଗୀତ ଓ ସାହିତ୍ୟର ଚର୍ଚ୍ଚା ଓ ମୃଗୟା ତାଙ୍କର ନିତ୍ୟ ସହଚର ସେ ଗୋବରା ଚଢ଼େଇ ଧରି ଲଢ଼େଇ କରିବାରେ ମଧ୍ୟ ବିଶେଷ କୌତୁକୀ । ସେ ଯୁଗ ଥିଲା, ପ୍ରାୟ ସବୁ ରାଜା ଓ ରାଜବିରାଦରମାନେ ନାନାପ୍ରକାର ବ୍ୟସନରେ ମାତି ବୃଥା ସମୟ ନଷ୍ଟ କରୁଥିଲେ । ବର୍ତ୍ତମାନ ସେ ଯୁଗ ଆଉ ନାହିଁ । ପରମ ସୌଭାଗ୍ୟର କଥା, ଏବେ ସେମାନେ ପରିବର୍ତ୍ତିତ ଯୁଗ ସଙ୍ଗେ ତାଳ ମିଶାଇ ଚାଲିବାକୁ ଶିଖିଲେଣି ।

 

ଥରକର ଘଟନା–ରାଜାସାହେବ ଗୋବରା ଚଢ଼େଇ ଧରିବାକୁ ବାହାରିଲେ । ଦୈବାତ ମୁଁ ସେଠାରେ ଉପସ୍ଥିତ ଥିଲି । ତାଙ୍କ ସାଥିରେ ଯିବାକୁ ମୋତେ ଉତ୍ସାହିତ କଲେ । କଙ୍କଡ଼ାକୁ ଗୋଳିପାଣି ଭଳି ମୋତେ ବେଶ୍ ସୁହାଇଲା, କାହିଁକିନା, ବନ୍ଧୁକ ମିଳିବ । ପୁଣି ଫାୟାର କରିବାକୁ ସୁଯୋଗ ମଧ୍ୟ ମିଳିପାରେ । ସେତେବେଳେ ମୋର ବୟସ ଚଉଦ କି ପନ୍ଦର । ମାତ୍ର ଗୋଟିଏ ଦୁଇଟି ଜନ୍ତୁ ଶିକାର କରିଥାଏ । ରାଜାସାହେବ ତାଙ୍କ ୧୨ ବୋର ଡବଲ ବାରେଲ ବନ୍ଧୁକଟି ଧରିଲେ । ମୁଁ ଗୋଟିଏ ଟୋପିଦାର ବନ୍ଧୁକ ଧରିଲି । ଚଢ଼େଇଧରା ଜାଲ ଆଦି ଧରି ଜଣେ ଚାକର ମଧ୍ୟ ଗଲା । ଦିନ ବାରଟା ସୁଦ୍ଧା ଆମେ ଅଭିଯାନ ଆରମ୍ଭ କଲୁ ।

 

‘ବୁଢ଼ କସି ବାରି’ ପର୍ଯ୍ୟନ୍ତ ଯିବାକୁ ହେବ । ଏ ସ୍ଥାନଟା ପଟିଆ ଜଙ୍ଗଲର ସୀମାନ୍ତବର୍ତ୍ତୀ ସ୍ଥାନ । ସେଠାରେ ଚଢ଼େଇଙ୍କ ସକାଶେ ପାଣି ଦିଆଯାଇଥାଏ । ପାଣି ପାଖରେ ଜାଲ ମେଲି ଗୋବରା ଧରାଯିବ । ଅଠା କାଣ୍ଡିଆରେ ମଧ୍ୟ ଗୋବରା ଧରାଯାଏ । ତେବେ ପ୍ରଭେଦ ଏଇ ଯେ କାଣ୍ଡିଆରେ ଯେକୌଣସି ଗୋବରା ଧରା ପଡ଼ିପାରନ୍ତି । ଜାଲରେ ଇଚ୍ଛାନୁସାରେ ବାଛି ବାଛି ଭଲ ଲଢ଼ୁଆ ଗୋବରା ଧରିପାରିବ । ପାଠକେ ଭାବିପାରନ୍ତି ଲଢ଼ୁଆ ଅଲଢ଼ୁଆ କିପରି ଚିହ୍ନିବ ? ଯେ ସେ ବିଷୟରେ କୌତୁକୀ, ସେ ଲଢ଼ୁଆ ଅଲଢ଼ୁଆ ଚିହ୍ନିପାରନ୍ତି । କେଉଁ ସ୍ଥାନର ଗୋବରା ଚଢ଼େଇ ଲଢ଼ୁଆ ଓ ତା’ର ଲକ୍ଷଣ କ’ଣ, ସେ ବିଷୟରେ କୌତୁକୀ ବିଶେଷଜ୍ଞମାନେ କହିଯାଇଛନ୍ତି । ପାଠକଙ୍କ କୌତୁହଳ ଚରିତାର୍ଥ କରିବା ନିମିତ୍ତ ସେଥିରୁ କେତେପଦ ଉଲ୍ଲେଖ କରୁଛି । ପୁରାତନ ପ୍ରବୀଣ ଶିକାରୀ ଓ ଗୋବରା ଚଢ଼େଇ କୌତୁକୀ ଶ୍ରୀ ରାମଚନ୍ଦ୍ର ରାୟଙ୍କଠାରୁ ଏହା ସଂଗ୍ରହ କରିଥିବାରୁ ମୁଁ ତାଙ୍କ ନିକଟରେ ବିଶେଷ ଋଣୀ ।

 

ଗୋବରା ଚଢ଼େଇ କୌତୁକୀ ଶୁଣ,

ଚଢ଼େଇମାନଙ୍କ ଯେତେ ଲକ୍ଷଣ,

ଜାତି, ନୀତି, ରୀତି, ବଳ ପ୍ରଧାନ,

ଏହା ଯେ ଜାଣିବ,

କୌତୁକୀ ବର ଯେ ତାଙ୍କୁ କହିବ ।

 

ସୀମାନ୍ତ ବୀରଭୂମିରୁ ଧରିବ,

ଉତ୍ତମ ଲକ୍ଷଣ ଚିହ୍ନି ରଖିବ,

ପୁଅ ପରା କରି ପ୍ରତିପାଳିବ,

ଭୟ ପରାସ ତା’ ଦେହରୁ ଯିବ,

ସେତେବେଳେ ଯାଇ,

ସଧାଇବ ଦିଷୁ ଭୋକ ରଖାଇ ।

 

ଧର ଏପରି ଯେ ତରକା, ତାକୁ,

ଘାଇ ବାନ୍ଧିଥିବ ତରୁ ମଥାକୁ,

ନ ଛୁଇଁବ କମ୍ପା ଲତା ବସାକୁ,

ଚଉଗଡ଼ି ଫିତାକୁ,

ନଇଲେ କର ପଞ୍ଜରୀ, ଯନ୍ତାକୁ ।

 

କଣ୍ଟେଇକୋଳିଆ, ରୋହିପକ୍ଷୀଆ

ବଡ଼ ଆଖି ବଡ଼ ଥଣ୍ଟରେ,

ଏମନ୍ତ ଚଢ଼େଇ ଯେମନ୍ତ ଲଢ଼ିବ

ଜୀବ ଯିବାଯାଏଁ କଣ୍ଟରେ ।

ଦିଷୁ–ସ୍ଵଳ୍ପ

 

ଛନଛନ କନକନ ଯାହାର,

କରନ୍ତି ବହୁ କଦଳୀ ଆହାର,

ନ ସହନ୍ତି ପୁଣି ଥଣ୍ଟ ପ୍ରହାର,

ବାହାରୁ ବାହାର

କରି କରିବ ଆଖଡ଼ା ବାହାର ।

 

–ଏହିପରି ଅନେକ ଅଛି ।

 

ଆମେ ଜାଲ ବିଛାଇଦେଇ ଲୁଚି ବସିଗଲୁ । ଜଳପାନ କରିବା ଉଦ୍ଦେଶ୍ୟରେ ରଙ୍ଗ ବେରଙ୍ଗର ଅସଂଖ୍ୟ ପକ୍ଷୀ ସେଠାରେ ଏକତ୍ରିତ ହୋଇଥାନ୍ତି । ସେମାନଙ୍କର କଳରବରେ ସ୍ଥାନଟି ମୁଖରିତ ହୋଇଉଠିଥାଏ । ଚଢ଼େଇ ଧରିବା ପ୍ରତି ମୋର କୌଣସି ଆକର୍ଷଣ ନଥିଲା । ଅତି ନିକଟରୁ ପକ୍ଷୀମାନଙ୍କର ରୂପ ରଙ୍ଗ ଦେଖିବା ଓ ସେମାନଙ୍କର ସୁଲଳିତ ସ୍ଵର ଶୁଣିବାରେ ମୁଁ ତନ୍ମୟ ହୋଇପଡ଼ିଲି । କେହି ଡାଳେ ଡାଳେ ନାଚୁଥାଏ ତ କେହି ଗୀତ ଗାଉଥାଏ । କେହି ବୃକ୍ଷର ଫଳଫୁଲ ଖାଇବାରେ ବ୍ୟସ୍ତ । କେହି ପରସ୍ପର କଳି ଝଗଡ଼ାରେ ମାତିଥାଆନ୍ତି । ଆଉ କେହି ପକ୍ଷୀଦମ୍ପତି ପ୍ରେମସମ୍ଭାଷଣରେ ପ୍ରକୃତିର ଉଦ୍ୟାନକୁ ଅମୃତମୟ କରି ତୋଳିଥା’ନ୍ତି । ମୋର ଶିକାରୀ ଜୀବନରେ ବନ୍ଧୁକ ଚଳାଇବା ପୂର୍ବରୁ ‘ବାଟୁଳିଖଡ଼ା’ରେ ପକ୍ଷୀ ଶିକାର କରିବା ଥିଲା ଏକ ଅଧ୍ୟାୟ । ସେ ସମୟରେ ମୁଁ ପକ୍ଷୀମାନଙ୍କ ସମ୍ବନ୍ଧରେ ଯେଉଁ ଅଭିଜ୍ଞତା ଅର୍ଜନ କରିଛି, ତାହା ଏକ ସ୍ୱତନ୍ତ୍ର ପ୍ରବନ୍ଧରେ ଲେଖିବାର ଅଭିଳାଷ ଅଛି । ତେଣୁ ଏଠାରେ ଆଉ ବିଶେଷ କିଛି ଲେଖିବା ଆବଶ୍ୟକ ମନେ କରୁନାହିଁ ।

 

କେତେ ଗୋବରା ଜଳପାନ କରି ଚାଲିଗଲେ । ରାଜାସାହେବ ଜାଲ ଛାଟୁ ନ ଥାନ୍ତି । ଏ ମଧ୍ୟରେ ଦୀର୍ଘ ସମୟ ଗତି ହୋଇଗଲା । ପ୍ରାୟ ଦିନ ୩ଟା ସମୟ । ଗୋଟିଏ ଗୋବରାକୁ ଜାଲ ଛାଟି ଧରିଲେ । ପୁଣି ଜାଲ ବିଛାଇଦେଇ ବସିଛୁ, ଏହି ସମୟରେ ଗୋଟିଏ ଲୋକ ହା-ହୁଲର କରି ଚିତ୍କାର କରିଉଠିଲା । ଆମେ ଶୀଘ୍ର ଶୀଘ୍ର ଉଠାଇନେଇ ତା’ ନିକଟକୁ ଦୌଡ଼ା ଆରମ୍ଭ କରିଦେଲୁ । ଲୋକଟା ଗାଈଆଳ ଗଉଡ଼ । ଆମର ବେଶ୍ ପରିଚିତ । ତା’ର ନାମ ‘ଶାମ ମହାଖୁଡ଼’-। ଆମର ଉପସ୍ଥିତିରେ ତା’ର ଶୋକାବେଗ ଉଛୁଳିପଡ଼ିଲା । କଠଉ ଦି’ଟା ଫୋପାଡ଼ିଦେଇ ରାଜାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଗଲା, ଆଉ ଆରମ୍ଭ କରିଦେଲା କାନ୍ଦଣା–ମୋର ସମ୍ପତ୍ତି ସରିଗଲା, ମଣିମା ! ରକ୍ଷା କରନ୍ତୁ । ରାଜାଙ୍କ ଧମକରେ ସେ ଉଠିପଡ଼ି ପ୍ରକୃତିସ୍ଥ ହେଲା । କହିଲା, “ହଜୁର, ଗୋଟିଏ ବଡ଼ ବାଘ ମୋ ‘ଧୋବଲୀ’ ଗାଈକୁ ମାଡ଼ି ବସିଛି । ମୁଁ ତଡ଼ିବାରୁ କାମୁଡ଼ି ମିଶୁଛି ।” ଶୀଘ୍ର ଘଟନାସ୍ଥଳଟା ଦେଖାଇବା ସକାଶେ ରାଜା ହୁକୁମ ଦେଲେ । ଗଉଡ଼ ଆଗେ ଆଗେ ଯାଇ ଦୂରକୁ ଦେଖାଇଦେଲା । ମହାବଳ ବାଘ ନୁହେଁ, ମସ୍ତବଡ଼ ଚିତା । ସେ ଗାଈ ଉପରେ ମାଡ଼ିବସି ବେକରେ କାମୁଡ଼ି ବସାଇଛି । ଗାଈଟା ପଛ ଦୁଇଗୋଡ଼ ଛାଟି ଛଟ୍‍ପଟ୍ ହେଉଥାଏ । ବାପ୍‍ରେ ! ସେତେବେଳେ ଚିତାର ଯେଉଁ ସଂହାର ମୂର୍ତ୍ତି !! ଦେଖିଲେ କଲିଜା ପାଣି ହୋଇଯିବ ।

 

ରାଇଫଲ ହୋଇଥିଲେ କଥା ନଥିଲା । ସେହିଠାରୁ ଗୁଳି କରି ହୋଇଥାନ୍ତା । କିନ୍ତୁ ରାଜାସାହେବ ସେଦିନ ବନ୍ଧୁକ ନେଇଥିଲେ । ବନ୍ଧୁକ ରେଞ୍ଜ ମଧ୍ୟରେ ତାକୁ ଆଣିବାକୁ ହେଲେ ଆଉ କିଛି ଦୂର ଆଗେଇଯିବାକୁ ହେବ । ରାଜା ଗୋଡ଼ରୁ ଜୋତା ବାହାର କରିଦେଇ ରଖିଲେ । ମୋତେ ଖୁବ୍ ସାହସ ଦେଇ ତାଙ୍କ ପଛେ ପଛେ ଯିବାକୁ କହିଲେ । ଆମେ ଅତି ସତର୍କତା ଅବଲମ୍ବନ ପୂର୍ବକ ଲେପ୍‍ଟି ଲେପ୍‍ଟି ଯାଇ ରେଞ୍ଜ ମଧ୍ୟରେ ପହୁଞ୍ଚିଗଲୁ । ଚିତାର ବେକ ଉପରକୁ ଲକ୍ଷ୍ୟ କରିବାକୁ ରାଜା ମୋତେ ନିର୍ଦ୍ଦେଶ ଦେଲେ; କିନ୍ତୁ ମୋତେ ଦେଖାଯାଉନାହିଁ ବୋଲି ମୁଁ ଜଣାଇଦେଲି । ତା’ପରେ ତାଙ୍କର ନିର୍ଦ୍ଦେଶମତେ ମୁଁ ମୋର ବାମଦିଗକୁ ଟିକିଏ ଘୁଞ୍ଚିଗଲି । ଏବାର ମୋର ସ୍ପଷ୍ଟ ଦୃଷ୍ଟିଗୋଚର ହେଲା । ମୁଁ ଗୋଟିଏ ବୁଦାର ଡାଳରେ ବନ୍ଧୁକ ଭରା ରଖି ନିଶାଣ ଲଗାଇଲି । ବର୍ତ୍ତମାନ ମୁଁ ପ୍ରସ୍ତୁତ । କେବଳ ଫାୟାର ଆଦେଶକୁ ଅପେକ୍ଷା କରିଛି । ଏହା ରାଜାଙ୍କୁ ଜଣାଇଦେଲି । ଏସବୁ କାମ ଚଟ୍‍ଚଟ୍ ସଙ୍କେତଦ୍ୱାରା ହୋଇଗଲା । ଏହାପରେ ରାଜାସାହେବଙ୍କ ତୁଣ୍ତରୁ ‘ଫାୟାର’ ଶବ୍ଦ ନିଃସୃତ ହେବାମାତ୍ରେ ମୁଁ ଟ୍ରିଗର ଦବାଇଦେଲି । ଢୋ ଢୋ ପରେ ପରେ ଦୁଇଟିଯାକ ଚୋଟ ଫୁଟିଲା । ଚିତାଟା ସଙ୍ଗେ ସଙ୍ଗେ ଗାଈଉପରୁ ଗଡ଼ିପଡ଼ିଲା । ସେ ମୁହୂର୍ତ୍ତେ ମାତ୍ର ମୃତ୍ୟୁଯନ୍ତ୍ରଣା ଭୋଗ କରିନାହିଁ ।

 

ବାଘ ପାଖକୁ ଯାଇ ଦେଖିଲୁ, ତା’ର ସୁନ୍ଦର ସ୍ୱାସ୍ଥ୍ୟ । ଦେହଟାର ରଙ୍ଗ ଚମତ୍କାର । ରାଜାସାହେବଙ୍କ ଆନନ୍ଦ କହିଲେ ନ ସରେ । ତାଙ୍କର ଗୁଳିଟି ଚିତାର ଡାହାଣ କାନର ଅଧଇଞ୍ଚ ପଛକୁ ଲାଗିଛି । ମୋର ଗୁଳିଟି କାନ୍ଧର ଏକ ଇଞ୍ଚ ଆଗକୁ ଲାଗିଛି । ମୋର ସଠିକ ଲକ୍ଷ୍ୟ ଦେଖି ରାଜାସାହେବ ଖୁସି ହେଲେ । ଲୋକ ଅଭାବରୁ ବାଘକୁ ସଙ୍ଗରେ ଆଣିବା ସମ୍ଭବ ହେଲା ନାହିଁ । ଗାଈଟା ଜୀବିତ ଥିଲା । ପରେ ଶଗଡ଼ ନେଇ ଗାଈ ଓ ବାଘକୁ ଅଣାଗଲା; କିନ୍ତୁ ଗାଈଟା ୪ଦିନ ପରେ ମରିଗଲା । ସେ ଚିତାର ଛାଲଟିକୁ ରାଜାସାହେବ ଅତି ଆଦରର ସହ ତାଙ୍କ ଆରାମ ଚେୟାର ଉପରେ ପକାଇ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ ।

Image

 

ଦନ୍ତା ବାର୍‍ହା-ଅଜଗର ଲଢ଼େଇ

 

ଅନେକ ଦିନ ତଳର କଥା । ସେତେବେଳେ ପଟିଆରେ ଅଗନାଅଗନି ବନସ୍ତ ଥିଲା । ସେଥିରେ ନାନା ଜାତିର ଅସଂଖ୍ୟ ପଶୁପକ୍ଷୀ ବାସ କରୁଥିଲେ । ସେ ଜଙ୍ଗଲଟା ଶିକାରୀଙ୍କ ପକ୍ଷେ ସ୍ଵର୍ଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମାନନୀୟ ସେନାପତି ସାହେବଙ୍କ ଭାଷାରେ “ଆଜି ଯେତେବେଳେ ମୁଁ ଚାରିଆଡ଼କୁ ଚାହିଁ ଦେଖୁଛି ଯେ ଏ ଜଙ୍ଗଲମାନଙ୍କର ବନ୍ୟ ସମ୍ପଦ ଓ ଜୀବଜନ୍ତୁ ସବୁ ଲୋପ ପାଇଯାଉଛନ୍ତି ଓ ବୃକ୍ଷଲତାମାନେ ଚାହୁଁ ଚାହୁଁ ଲୋପ ପାଉଛନ୍ତି, ମୋର କି ଦୁଃଖ ନ ହେଉଛି ସତେ !”

 

ପୁଷମାସରେ ବାର୍‍ହା ମାଂସର ସ୍ଵାଦ ଯେ ଚାଖିଛି ସେ ଜାଣେ । ସେଥିପାଇଁ ମାଂସର ତୁଳନା କରିବାକୁ ଯାଇ ଆମ ଗାଉଁଲି ଲୋକେ କହିଥାନ୍ତି, ‘ପୁଷମାସିଆ ବାର୍‍ହା ପରି ହୋଇଛି ।’ ପୁଷମାସିଆ ବାର୍‍ହାର ଲୋଭ ସମ୍ବରଣ କରିବା ସହଜ କଥା ନୁହେଁ । ବାର୍‍ହାପଲ ଧାନ କ୍ଷୀର ଢୋକିବାବେଳୁ କ୍ଷେତରେ ଲାଗିଯାଆନ୍ତି । ଚାଷୀକୁଳର ଦୁର୍ଦ୍ଦଶା କହିଲେ ନ ସରେ । ସେମାନଙ୍କର ବିନୀତ ଅନୁରୋଧ ଓ ମାଂସ ଲୋଭରେ ଆମେ ବାର୍‍ହା ଶିକାରକୁ ଯାଉ । ଧାନକ୍ଷେତ ଉପରେ ଜାଗିବା ଅପେକ୍ଷା ସେମାନେ ଧାନ ଖାଇବାକୁ ଆସୁଥିବା ଜଙ୍ଗଲ ରାସ୍ତାରେ ଜଗିଲେ ଶିକାର ମିଳିବାର ସମ୍ଭାବନା ଅଧିକ । ବହୁ ପରିଶ୍ରମ ପରେ ଏଭଳି ଏକ ଡଗର ରାସ୍ତାର ସନ୍ଧାନ ମିଳିଲା । ସେ ଡଗରଟା ହେଉଛି ଗୋଟିଏ ପାହାଡ଼ର ଶହେ ଫୁଟ ଉପରେ ।

 

ସେଦିନ ପୌଷ ପୂର୍ଣ୍ଣିମା । ସନ୍ଧ୍ୟା ପୂର୍ବରୁ ମୁଁ ଓ ମୋର ପରିବାଣୁଆ ନବଘନ ଶିକାରକୁ ବାହାରିପଡ଼ିଲୁ । ଆମେ ଉକ୍ତ ଡଗର ରାସ୍ତା କଡ଼ରେ କରିଥିବା ବାଡ଼ରେ ବସିଲୁ । ପୂର୍ଣ୍ଣିମା ଚନ୍ଦ୍ର ଷୋଳକଳାରେ ଉଦୟ ହେଲେ; କିନ୍ତୁ ଚନ୍ଦ୍ରାଲୋକ ଉପଭୋଗ କରିବାର ସୁଯୋଗ ଆମର ନଥିଲା-। କାରଣ ନିଘଞ୍ଚ ବନଗହଳରେ ଆମେ ବସିଥାଉ । ତିଳତଣ୍ଡୂଳିତ ଜହ୍ନ । ଡଗରରେ ଚାଲିଆସୁଥିବା ଜନ୍ତୁ ସାମନାରୁ ମାତ୍ର ଦୁଇହାତ ଅତିକ୍ରମ କରିଗଲେ ଗଲା । ତେଣୁକରି ଆମେ ଆଖିକାନକୁ ସଜାଗ କରି ବସିଥାଉ । ଜନ୍ତୁଙ୍କର ଚଳପ୍ରଚଳ ରାସ୍ତାରେ ଜଗିକରି ବସିଲେ ସର୍ବଦା ସତର୍କତା ଅବଲମ୍ବନପୂର୍ବକ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ହୁଏ । ତା’ ନ ହେଲେ ‘ମୁଗୁରା ତଳ ମେଲା’ ଭଳି ହେବ ।

 

ଆମ ସାମନାରେ ରାସ୍ତା ଓ ସାମାନ୍ୟ ଖୋଲା ସ୍ଥାନ ବ୍ୟତୀତ ଆଉ କିଛି ଦେଖା ଯାଉ ନ ଥାଏ । ଚତୁର୍ଦ୍ଦିଗ ବଡ଼ ବଡ଼ ପଥର ଓ ନିଘଞ୍ଚ ବୃକ୍ଷଲତାଦ୍ଵାରା ଆବୃତ । ପାହାଡ଼ିଆ ଜନ୍ତୁ, ଯଥା: ଝିଙ୍କ, ବାର୍‍ହା, ଭାଲୁ, ସାପ ପ୍ରଭୃତି ଚଲାବୁଲା ଆରମ୍ଭ କରିଦେଲେ । ଦୁଇଟା ଝିଙ୍କ ଆମ ପାଖରୁ ଅଳ୍ପ ଦୂରରେ କଟର କଟର କରି ଚେରମୂଳ ତାଡ଼ୁଥା’ନ୍ତି । ବାର୍‍ହା ପଲ ଘଁଘାଁ ହୋଇ ଚରା ଆରମ୍ଭ କରିଦେଲେ । ସେମାନେ ଖଡ଼ଖାଡ଼ କରି ପଥର ଗଡ଼େଇ ତା’ ତଳେ ଥିବା ପୋକ ଜୋକ ଖାଉଥିବା ଆମେ ସ୍ପଷ୍ଟ ବୁଝିପାରିଲୁ । କିନ୍ତୁ ଆମକୁ କିଛି ଦେଖା ଯାଉ ନ ଥାଏ । କିଛି ସମୟପାଇଁ ସେଠାରେ ଗୋଟାଏ ଘମାଘୋଟ ଚହଳ ପଡ଼ିଗଲା । ସେମାନେ ଚରା କରି କରି ଦୂରରୁ ଦୂରକୁ ଚାଲିଗଲେ । ତା’ପରେ ଘୋର ନୀରବତା ଘୋଟିଗଲା ।

 

ଏ ମଧ୍ୟରେ ପ୍ରାୟ ଦୁଇଘଣ୍ଟା ଅତିବାହିତ ହୋଇଗଲାଣି । ସେତେବେଳକୁ ମୁଁ କ୍ଳାନ୍ତିରେ ଜଡ଼ସଡ଼ ହୋଇଗଲିଣି । ଏହି ସମୟରେ ଆମର ଉପରଆଡ଼ୁ ଗୋଟିଏ ଛୋଟ ପଥର ଗଡ଼ିଆସିବାର ଶବ୍ଦ ଶୁଣାଗଲା । ଏହା କୌଣସି ଜନ୍ତୁ ଆଗମନର ନିଶ୍ଚିତ ସୂଚନା । ଆମେ ପ୍ରସ୍ତୁତ ହୋଇ ରହିଲୁ । ୧୦।୧୫ ମିନିଟ ଅନ୍ତରରେ ୩।୪ ବାର ପଥର ଗଡ଼ିବା ଶବ୍ଦ ଶୁଣାଯାଉଛି । ତା’ପରେ ସବୁ ଶୂନ୍‍ଶାନ୍ । ଘୋର ନୀରବତା ମଧ୍ୟରେ ପୁଣି ଘଣ୍ଟାଏ କାଳ ଅତିବାହିତ ହୋଇଗଲା-। ମୁଁ ସ୍ଥିର କରିନେଲି, ଆଜି ବାର୍‍ହାପଲ ଅନ୍ୟ ରାସ୍ତାରେ ଚାଲିଗଲେ । ଫେରିଆସିବାକୁ ନବଘନ ସଙ୍ଗରେ ପରାମର୍ଶ କରୁଛୁ, ଏହି ସମୟରେ ଅଚାନକ ଏକ ଅତି ଭୀତିପ୍ରଦ ଆର୍ତ୍ତରବ ଶୁଣାଗଲା । ସେ ଛାତିଥରା ଶବ୍ଦରେ ଆମେ କିଛି ସମୟପାଇଁ ସ୍ଥାଣୁ ପାଲଟିଗଲୁ । ବନରାଇଜ ଥରିଉଠିଲା । ସେ ଶବ୍ଦ ସହିତ ଖଡ଼୍‍ଖାଡ଼୍ ଭଡ଼୍‍ଭାଡ଼୍‍ ଦୁଲ୍‍ଦାଲ୍ ଶବ୍ଦ ମଧ୍ୟ ଶୁଣାଯାଉଥାଏ । ଯେପରି ରୀତିମତ ଏକ ମଲ୍ଲଯୁଦ୍ଧ ଚାଲିଛି ।

 

କିଛି ସମୟ ପରେ ଆମେ କେତେକ ପରିମାଣରେ ପ୍ରକୃତିସ୍ଥ ହେଲୁ । ମୁଁ ନିଶ୍ଚିତ ଭାବରେ ବୁଝିପାରିଲି ଯେ, ସେ ଭୀମରଡ଼ି କରୁଥିବା ଜାନୁଆରଟା ଦନ୍ତା ବାର୍‍ହା । ଦନ୍ତା ବାର୍‍ହା ଓ ମାଈ ବାର୍‍ହାର ଶବ୍ଦରେ ପ୍ରଭେଦ ଅଛି, ତାହା ଶିକାରୀମାନଙ୍କୁ ଅବିଦିତ ନୁହେଁ । ସେ ତାହାର ଶତ୍ରୁ ବାଘ କବଳରେ ପଡ଼ିଛି, ଏଥିରେ ଆମର ତିଳେହେଲେ ସନ୍ଦେହ ରହିଲା ନାହିଁ । ବାର୍‍ହାଙ୍କର ପ୍ରଧାନ ଶତ୍ରୁ ବାଘ । ଏଠାରେ ଆମେ ଏକ ମହାଦ୍ୱନ୍ଦ୍ୱରେ ପଡ଼ିଲୁ । ବାଘ ବାର୍‍ହାକୁ ଧରିଥିଲେ, ସେ ନିଶ୍ଚୟ କ୍ରୁଦ୍ଧ ଗର୍ଜନ କରୁଥାନ୍ତା । ଅନ୍ୟ କୌଣସି ହିଂସ୍ର ପ୍ରାଣୀ ବାର୍‍ହାକୁ ଆକ୍ରମଣ କରିପାରେ, ଏକଥା ଯେତେବେଳେ ଆମର ସ୍ମରଣ ଆସିଲା ନାହିଁ । ବାର୍‍ହାଟା ଯେ ଆକସ୍ମିକଭାବେ କବଳିତ ହୋଇଛି, ତାହା ଘଟନାଚକ୍ରରୁ ସ୍ପଷ୍ଟ ବୁଝାଯାଉଥିଲା । ଏ ସଂଗ୍ରାମ ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ଚାଲିବା ପରେ ଘଟନାଟି ଦେଖିବା ସକାଶେ ଆମର ପ୍ରବଳ ଇଚ୍ଛା ଜାଗ୍ରତ ହେଲା ।

 

ନାମ କମେଇବା ମୋହ କାହାର ନାହିଁ । ମୁଁ ବା ସେଥିରୁ ବାଦ୍ ଯାଆନ୍ତି କିପରି ! ଯଦି ବାଘ ବାର୍‍ହାକୁ ଧରିଥାଏ, ତେବେ ବାଘକୁ ଗୁଳି କରିବାର ଏକ ସୁବର୍ଣ୍ଣ ସୁଯୋଗ ମିଳିପାରେ । ‘ଶୁଖିଲାରେ ବାଳିଆ ପିଟିବା ଭଳି’ ବାଘକୁ ଗୁଳି କରି ନାମ କମେଇବା ଅଭିଳାଷ ଚରିତାର୍ଥ କରିବି-। ଘଟନାସ୍ଥାନଟା ଆମ ପାଖରୁ ୧୫।୨୦ ଗଜରୁ ବେଶି ଦୂର ନୁହେଁ । ବାଘ ଯଦି ତା’ର ଶିକାର ଉପରେ ବାଧାପ୍ରାପ୍ତ ହୋଇ ଆକ୍ରମଣ କରେ ତେବେ ତା’ର ପ୍ରତିରୋଧ ପାଇଁ ଆମ ନିକଟରେ କୌଣସି ଉପାୟ ନଥିଲା । ତଥାପି ମୁଁ ସାହସ କଲି । ଜୀବନମରଣ ସମସ୍ୟା । ଆମେ ସମସ୍ତ ସତର୍କତା ଅବଲମ୍ବନପୂର୍ବକ ଆଗେଇ ଚାଲିଲୁ ।

 

କିଛିଦୂର ଯିବାପରେ ୧୦ଫୁଟ ଉଚ୍ଚରେ ଗୋଟିଏ ପଥର ନିକଟରେ ପହଞ୍ଚିଗଲୁ । ପଥର ଆଢ଼ୁଆଳରେ ରହି ଯାହା ଦେଖିଲୁ ଆଖିକୁ ବିଶ୍ୱାସ କରିହେଲା ନାହିଁ । ଗୋଟାଏ ମସ୍ତବଡ଼ ଅଜଗର ସାପ, ଦନ୍ତା ବାର୍‍ହାର ଥୋମଣିକୁ କାମୁଡ଼ି ଧରି ତା’ ଦେହରେ ଗୋଟିଏ ପରସ୍ତ ଗୁଡ଼େଇ ହୋଇ ପଡ଼ିଲାଣି । ବାର୍‍ହା ତା’ କବଳରୁ ଉଦ୍ଧାର ପାଇବାପାଇଁ ଆପ୍ରାଣ ଚେଷ୍ଟା ଚଳାଇଥାଏ । ଏ ଜୀବନସଂଗ୍ରାମରେ କିଏ କାହାକୁ ଜିଣୁଛି ଦେଖାଯାଉ । ଆମେ ଉକ୍ତ ପଥର ଉପରେ ବସି ସେ ରୋମାଞ୍ଚକର ଦୃଶ୍ୟଟି ଦେଖୁଥାଉ । ସାପଟା ବାର୍‍ହା ଦେହରେ ଗୁଡେ଼ଇ ହୋଇ ତାକୁ କାବୁ କରିବାକୁ ଚେଷ୍ଟା ଚଳାଇଥାଏ । ସୁଯୋଗ ଉଣ୍ଡି ବାର୍‍ହା ସାପକୁ ଦନ୍ତାଘାତ କରିବାକୁ ମଧ୍ୟ ଛାଡ଼ୁନଥାଏ । ବହୁ ଘାତ ପ୍ରତିଘାତ ପରେ ସାପଟା ବାର୍‍ହା ଦେହରେ ଆଉ ଗୋଟିଏ ପରସ୍ତ ଗୁଡ଼େଇ ହୋଇ ତାକୁ ଧରିପକାଇଲା । ଏବାର ବାର୍‍ହା ନିଶ୍ଚେଷ୍ଟ ହୋଇ ଦୀର୍ଘଶ୍ୱାସ ତ୍ୟାଗ କରିବାରେ ଲାଗିଥାଏ । ଆଉ କିଛି ସମୟ ପରେ ସେ ଶ୍ୱାସରୋଧ ହୋଇ ମୃତ୍ୟୁମୁଖରେ ପଡ଼ିବ ।

 

ବାର୍‍ହାର ମୃତ୍ୟୁ ଅନିବାର୍ଯ୍ୟ । ଆଉ ଅଜଗର ବାର୍‍ହାକୁ ଗିଳିଲେ ତା’ର ମଧ୍ୟ ମୃତ୍ୟୁ ନିଶ୍ଚିତ । କାରଣ ଏତେବଡ଼ ବାର୍‍ହା ସାପ ପେଟରେ ନ କୁଳେଇ ତାକୁ ଫଟାଇଦେବ । ସାପଦ୍ଵାରା ଆହତ ବାର୍‍ହା ମାଂସ ଖାଇବା ଆମର ରୁଚିବିରୁଦ୍ଧ । ତେଣୁ ବାର୍‍ହାକୁ ମାରିବାରେ ଲାଭ କ’ଣ ? ଏକା ଚୋଟକେ ଦୁଇଟିଯାକ ପ୍ରାଣୀଙ୍କୁ ମାରିବା ମଧ୍ୟ ସମ୍ଭବ ହୋଇ ନ ପାରେ । ତେବେ ବୃଥାଟାରେ ବାର୍‍ହାକୁ ହତ୍ୟା କରିବା ବିବେକୀର କାର୍ଯ୍ୟ ନୁହେଁ । ଅଜଗର ଉପରେ ମୋର ଭୀଷଣ ରାଗ ଜନ୍ମିଲା । କାରଣ ସେ ଆମର ଆହାର ଉପରେ ପାହାର ବସାଇଲା । ଯଦି ସେ ବାର୍‍ହାଟାକୁ ଧରି ନ ଥାନ୍ତା, ତେବେ ବାର୍‍ହା ଆସି ମୋ ବନ୍ଧୁକ ମୁହଁରେ ବେକ ଦେଖାଇଥା’ନ୍ତା । ଅଜଗରକୁ ମାରି ବାର୍‍ହାକୁ ମୁକ୍ତି ଦେବା ମୁଁ ଶ୍ରେୟଃ ମନେକଲି । ସାପର ମୁଣ୍ଡଠାରୁ ଚାରିଇଞ୍ଚ ତଳକୁ ଲକ୍ଷ୍ୟ କରି ନିଶାଣ ଲଗାଇଲି । ଫ୍ରଣ୍ଟସ ଇଟ୍ (ମାଛି) ମିଶିଯିବା ସଙ୍ଗେ ସଙ୍ଗେ ଟ୍ରିଗର ଦବାଇଦେଲି । ଫାୟାର ହେବାମାତ୍ରେ ଅଜଗରର ନିବିଡ଼ ବନ୍ଧନ ଖୋଲିଗଲା । ସେ ବଣବୁଦା ଭାଙ୍ଗି ମହୀମନ୍ଥନ କରୁଥାଏ । ବାର୍‍ହାଟା ନିର୍ଜୀବ ଭଳି ପଡ଼ି ଦମ୍ ନେଉଥାଏ । କିଛି ସମୟ ପରେ ହଠାତ ଉଠିପଡ଼ି ଦୌଡ଼ି ପଲାଇଲା । ପୁଷୁମାସିଆ ବାର୍‍ହାଟା ହାତରୁ ଖସିଗଲା । ଆମେ ଘୋର ମନସ୍ତାପରେ ଘରକୁ ଫେରିଲୁ ।

 

ପରଦିନ ସକାଳୁ ଲୋକ ପଠାଇ ଅଜଗରଟାକୁ ଅଣାଇଲି । ତା’ ଦେହରେ ବାର୍‍ହାର ଦାନ୍ତ ଲାଗି ୪।୫ଟି ସ୍ଥାନରେ କ୍ଷତ ହୋଇଥିଲା । ସାପଟାର ଲମ୍ବା ସାଢ଼େ ବାରଫୁଟ ଓ ମଝିଗଣ୍ଡିର ମୋଟା ଚଉଦ ଇଞ୍ଚ ଥିଲା । ଏତେ ବଡ଼ ସାପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ସମୟରେ ସାପ ଚମଡ଼ାର ଆବଶ୍ୟକତା ଓ ମୂଲ୍ୟ ସମ୍ବନ୍ଧରେ ଆମର କିଛି ଧାରଣା ନଥିଲା । ତେଣୁ ତାକୁ ଗ୍ରାମର ବାହାରେ ଫିଙ୍ଗିଦେଲୁ ।

Image

 

ଖେଳରୁ କାଳ

 

କେହି କେହି ବନ୍‍ଶୀରେ ମାଛ ଧରନ୍ତି । କେତେକ ଏହାକୁ ବୃତ୍ତି ହିସାବରେ ଧରିନେଇଥାନ୍ତି । ଆଉ କେତେକ ଖେଳ ହିସାବରେ ବନ୍‍ଶୀ ପକାଇ ଆନନ୍ଦ ଉପଭୋଗ କରିଥାନ୍ତି-। ମୁଁ ବନ୍‍ଶୀ ପକାଇ ମାଛ ଧରିବାକୁ ଆଦୌ ପସନ୍ଦ କରେ ନାହିଁ । ତେବେ ନିହାତି କିଛି କାମ ନଥିଲେ ବନ୍ଧୁମାନଙ୍କ ଅନୁରୋଧରେ ଥରେ ଅଧେ ବନ୍‍ଶୀ ପକାଇବାକୁ ଯାଇଥାଏ-

 

ପଟିଆ ଓ ଚନ୍ଦକା ରିଜର୍ଭ ଜଙ୍ଗଲର ମଧ୍ୟସ୍ଥଳରେ ଏକ ବନ୍ଧ ଅଛି । କୃଷକମାନେ ଜଳସେଚନର ସୁବିଧାପାଇଁ ଏ ବନ୍ଧଟି ନିର୍ମାଣ କରିଥିଲେ । ଶିକାରର ସୁବିଧା ସକାଶେ ଆମର ରାଜାସାହେବ ଏହାକୁ ଆଉ ଟିକିଏ ଗଭୀର ଓ ପ୍ରଶସ୍ତ କରିଦେଲେ । ଫଳରେ ଏଠାରେ ବର୍ଷତମାମ୍ ପାଣି ରହେ । ପାଣିର ସୁରକ୍ଷାପାଇଁ ରାଜାସାହେବଙ୍କର କଡ଼ା ତାଗିଦ୍ । ସେଥିପାଇଁ ଏଠାରେ ମାଛ ମାରିବା, ମଇଁଷି ପାଣିରେ ପକାଇବା ଏକବାରକେ ନିଷିଦ୍ଧ । ଦଶ ବର୍ଗମାଇଲ ପରିଧି ମଧ୍ୟରେ ଏହା ଏକମାତ୍ର ଜଳାଧାର । ବନ୍ୟ ପଶୁପକ୍ଷୀ ଏଠାରେ ଜଳପାନ କରି ତୃପ୍ତ ହୁଅନ୍ତି-। ଏଠାରେ ଜଗି ଶିକାର କରିବା ଖୁବ୍ ସହଜ ଓ ସୁବିଧାଜନକ ।

 

ଏ ବନ୍ଧର ମାଛ ସୁସ୍ଵାଦୁ ବୋଲି ଗୋଟିଏ ଖ୍ୟାତି ଅଛି । ଏ ବନ୍ଧର ମାଛ ପାଇବାକୁ ସମସ୍ତେ ଲାଳାୟିତ । ଏଥିରେ ବଡ଼ ମାଛ ରହନ୍ତି ନାହିଁ । କଉ, ମାଗୁର ଓ କେରାଣ୍ଡି ପ୍ରଭୃତି ଛୋଟ ମାଛ ରହନ୍ତି । ମାଗୁର ମାଛଗୁଡ଼ାକ ଖୁବ୍ ବଡ଼ ଓ ଲୋଭନୀୟ । ଦିନକର କଥା, ବୋଧହୁଏ ଜାନୁଆରୀ ମାସ ୨ୟ ସପ୍ତାହ । ସେଦିନ ମୋର କିଛି କାମ ନଥିଲା । ଭାବିଲି, ବନ୍‍ଶୀ ନେଇଗଲେ କିଛି ସମୟ ମାଛ ଧରିବି । ତା’ପରେ ଘଣ୍ଟାଏ ଖଣ୍ଡେ ଜଗିକରି ବସିବି । କାହିଁ କୁଟ୍ରାଟାଏ ହେଲେ ମିଳିଯାଇପାରେ । ଶୀତଋତୁରେ କୁଟ୍ରାଗୁଡ଼ାକ ସକାଳେ ସୂର୍ଯ୍ୟୋଦୟ ପରେ ଓ ଉପରବେଳା ସୂର୍ଯ୍ୟାସ୍ତ ପୂର୍ବରୁ ଜଳପାନ କରିଥାନ୍ତି ।

 

ସେଦିନ ମୁଁ ଖାଇପିଇ ଦିନ ୧୨ଟା ବେଳକୁ ବାହାରିବା ଦେଖି ମୋ ଦାଦିପୁଅ ଭାଇ ରମୁ ମୋ ସାଙ୍ଗେ ଯିବାପାଇଁ ଧୁମ୍ ଲଗାଇଲା । ତା’ର ବୟସ ୧୦।୧୧ବର୍ଷ ହେବ । କଣ୍ଟେଇକୋଳି ଖାଇବା ତା’ର ବିଚାର । ଏ ସମୟରେ କଣ୍ଟେଇକୋଳି ପାଚେ । ପିଲା କ’ଣ ବଡ଼ଙ୍କର ମଧ୍ୟ କଣ୍ଟେଇକୋଳି ଲୋଭ ସମ୍ବରଣ କରିବା ସହଜ ନୁହେଁ । ପିଲାଟାର ଆଗ୍ରହ ଏଡ଼ାଇଦେବାଟା ଭଲ ନୁହେଁ । ବନ୍‍ଶୀଖଡ଼ା ଧରିବା ସକାଶେ ମୋର ମଧ୍ୟ ଜଣେ ଲୋକ ଆବଶ୍ୟକ ଥିଲା । ସୁତରାଂ ଆମେ ଦୁହେଁ ଯାତ୍ରା ଆରମ୍ଭ କଲୁ । ଯିବା ବାଟରେ କଣ୍ଟେଇକୋଳି ପାଚି ଝଡ଼ୁଥାଏ । ଆମେ କଣ୍ଟେଇକୋଳି ଖାଇଖାଇ ଦିନ ଦୁଇଟା ସୁଦ୍ଧା ଉକ୍ତ ବନ୍ଧ ନିକଟରେ ପହଞ୍ଚିଗଲୁ ।

 

ଜାନୁଆରୀ ମାସ । ଶୀତ କମିଆସିଲାଣି । ଖରା ଟାଣ ହୋଇଗଲାଣି । ଦିପହର ସମୟଟା । ଜଙ୍ଗଲର ଚହଳ କମିଯାଇଛି । ଏତେବେଳେ କୌଣସି ଜନ୍ତୁ ପାଣି ଖାଇବାକୁ ଆସିବାର ସମ୍ଭାବନା ନାହିଁ । ମୁଁ ବନ୍ଧୁକଟା ଖୋଳଭିତରୁ ବାହାର ନ କରି ସେମିତି ରଖିଦେଲି । ପାଣିକୁ ଲାଗି ଗୋଟିଏ ଛୋଟ ବୁଦା । ଖରାଦାଉରୁ ରକ୍ଷା ପାଇବାପାଇଁ ସେ ବୁଦାକୁ ଆଢ଼ୁଆଳ କରି ମୋର ଆସ୍ଥାନ ଜମାଇ ବସିଗଲି । ଥୋପ ଗୁନ୍ଥି ପକାଇଲି । ବକଧ୍ୟାନରେ ବସିଥାଏ । ବନ୍‍ଶୀର ଛିପି ଉପରେ ମୋର ଦୃଷ୍ଟି ନିବଦ୍ଧ । ରମୁ ପାଖରେ ବସି ଅଣ୍ଟିରୁ ଗୋଟିଏ ଗୋଟିଏ କୋଳି କୁଡ଼ୁରୁ କୁଡ଼ୁରୁ କରି ଖାଉଥାଏ । ବେଶି ଡେରି ହୋଇନାହିଁ । ମୋ ବନ୍‍ଶୀରେ ଗୋଟିଏ ବଡ଼ ମାଗୁର ଲାଗିଲା । ସେଟା ତିନିଶହ ଗ୍ରାମରୁ କମ୍ ହେବ ନାହିଁ । ତା’ର ଦେହଟା ହଳଦିଗଣ୍ଠି ଦେଖାଯାଉଥାଏ । ଅର୍ଥାତ୍ ମାଛଟା ଖୁବ୍ ଚିକ୍କଣା । ତାକୁ ଦେଖି ମୋ ପାଟିରୁ ଲାଳ ଗଡ଼ିପଡ଼ିଲା । ଭାବିଲି, ଦି’ଗଣ୍ଡା ଖଣ୍ଡେ ହୁଅନ୍ତା କି ! ଏଥର ଅଧିକ ମନଧ୍ୟାନ ଦେଇ ଥୋପ ଗୁନ୍ଥି ଛାଡ଼ିଲି । ଭାଗ୍ୟକୁ ପରେ ପରେ ଛଅଟା ମାଗୁର ପଡ଼ିଲେ । ସେତେବେଳକୁ ଦିନ ୪ଟା ସମୟ ହେବ । ମୁଁ କୁଟ୍ରା ଶିକାର କଥା ଏକବାରକେ ଭୁଲିଯାଇଛି ।

 

ଏହି ସମୟରେ ରମୁ ହଠାତ ଚିତ୍କାର କରିଉଠିଲା, ‘ବାଘ......ବାଘ !’ ମୁଁ ତତ୍‍କ୍ଷଣାତ ଠିଆ ହୋଇପଡ଼ିଲି । ଓଃ ! ସେ ଘଟନାର ବର୍ଣ୍ଣନା ଦେବାକୁ ମୋର ଭାଷା ନାହିଁ । କେବଳ ଭୁକ୍ତଭୋଗୀ ବିନା ଅନ୍ୟ କେହି ସେ ଲୋମହର୍ଷଣକାରୀ ଘଟନା ହୃଦୟଙ୍ଗମ କରିବା ସମ୍ଭବ ହୋଇ ନ ପାରେ । ଦେଖେ ତ ବାଘବାଘୁଣୀ ଦୁଇଟା ଆଗିଲି ପିଛିଲି ହୋଇ ଛିଡ଼ା ହୋଇଛନ୍ତି । ସେମାନଙ୍କ ଦୂରତ୍ୱ ଆମ ପଖରୁ ମାତ୍ର ୧୫ ଗଜ । ସେମାନେ ପଶ୍ଚିମପାଖ ଜଙ୍ଗଲରେ ଗୋଟିଏ ଡଗର ରାସ୍ତାରେ ଛିଡ଼ା ହୋଇଥାନ୍ତି । ଏଣେ ରମୁ ମୋ ପଛପଟେ ଅଣ୍ଟାକୁ ଜାବୋଡ଼ି ଧରି ମୋ ଗୋଡ଼ରେ ଗୋଡ଼କୁ ଛନ୍ଦିଦେଇଥାଏ ଯେ, ମୋର ହଲଚଲ ହେବାର ଉପାୟ ନଥାଏ । ବନ୍ଧୁକଟା ବହୁକଷ୍ଟରେ ତଳୁ ଉଠାଇନେଲି; କିନ୍ତୁ ଖୋଳରୁ ବାହାର କରିବା ସହଜହେଲା ନାହିଁ । ଏଣେ ରମୁ କବଳରୁ ନିଜକୁ ମୁକ୍ତ କରିବି ନା ଖୋଳରୁ ବନ୍ଧୁକ ବାହାର କରି କାର୍ତ୍ତୋସ ଭରିବି ? ଘୋର ବିପଦର ସମ୍ମୁଖୀନ ।

 

ମୁଁ ମୃତ୍ୟୁକୁ ଭୟ କରେ ନାହିଁ । କିନ୍ତୁ ଏପରି ଅସହାୟ ଅବସ୍ଥାରେ ମରିବାକୁ ମୁଁ ପସନ୍ଦ କରେ ନାହିଁ । ଯେ ମୃତ୍ୟୁକୁ ଭୟ କରିବ, ତା’ ପକ୍ଷରେ ବରଂ ଶିକାର ଛାଡ଼ିଦେବା ଭଲ । ଏ ମଧ୍ୟରେ ମୁଁ ବହୁ କଷ୍ଟରେ ବନ୍ଧୁକ ଖୋଳରୁ ବାହାର କରି କାର୍ତ୍ତୋସ ଭରିନେଲି । ପ୍ରାୟ ୧୦ ମିନିଟ ଗତ ହୋଇଗଲାଣି । ତଥାପି ବାଘ ଦୁଇଟା ସେମିତି ନୀରବ ନିଶ୍ଚଳ ହୋଇ ଠିଆ ହୋଇଥାନ୍ତି । ଏଣେ ରମୁ ଚିତ୍କାର କରି ମୋତେ ଦୋହଲଉଥାଏ । କ’ଣ କରିବି ? ମୁଁ ନିରୁପାୟ । ସ୍ପଷ୍ଟ ବୁଝିପାରିଲି, ବାଘଙ୍କର ଆକ୍ରମଣ କରିବା ମତଲବ ନାହିଁ । କିନ୍ତୁ ହାୟ ! ଏ ପୁଣି କ’ଣ ହେଲା ? ମୋ ଆଖିରୁ ଝଲକାଏ ନିଆଁ ଖସିପିଡ଼ିଲା । ଛାତି ଦାଉଁ ଦାଉଁ ଉଠିଲା ପଡ଼ିଲା । ବାଘଟା ଆଗରେ ଥିଲା । ବାଘୁଣୀ ତା’କୁ ଆକ୍ରମଣ କରି ଦିଖୋଜ ଆଗକୁ ଚାଲିଆସିଲା ।

 

ବାଘକୁ ସାମନାସାମନି ଗୁଳି କରିବା ନିତାନ୍ତ ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ । ଏପରି କଲେ ମୃତ୍ୟୁକୁ ବରଣ କରିବା କଥା । ଅନଭିଜ୍ଞ ଏବଂ ଅପରିଣାମଦର୍ଶୀ ଶିକାରୀ ଏପରି ଗୁଳି କରି ମୃତ୍ୟୁକୁ ବରଣ କରିବା ଘଟନା କିଛି ବିରଳ ନୁହେଁ । ତା’ପରେ ରମୁର କବଳରେ ଥାଇ ନିର୍ଭୁଲ ଗୁଳି ଚଳାଇବା ଏକବାରକେ ଅସମ୍ଭବ । “ନିରାଶ୍ରୟଂ ମାଂ ଜଗଦୀଶ ରକ୍ଷ ।” ଆହୁରି ପାଞ୍ଚମିନିଟ ପରେ ବାଘ କ’ଣ ଭାବିଲା, ଗୋଟାଏ ଗର୍ଜନ କରି ପଛକୁ ଫେରିଲା । ତା’ ପଛେ ବାଘୁଣୀ ମଧ୍ୟ । ଯେଉଁ ଡଗରରେ ଆସିଥିଲେ ସେହି ଡଗରରେ ଫେରିବା ସମୟରେ ପଛକୁ ଫେରି ଚାହୁଁଥାନ୍ତି । ଧୀରମନ୍ଥର ଗତିରେ ଯାଇ ଶେଷରେ ଅଦୃଶ୍ୟ ହୋଇଗଲେ । ସେମାନେ ମଣିଷଖିଆ ନୁହଁନ୍ତି । ପୁଣି ଶାନ୍ତିର ଭୋଜନ ପରେ ଆଉ ବୃଥାଟାରେ ନରହତ୍ୟା କରିବାକୁ ବୋଧହୁଏ ଉଚିତ ମନେକଲେ ନାହିଁ । ପରମେଶ୍ଵରଙ୍କ ଅପାର କରୁଣା ବଳରୁ ଆମେ ବଞ୍ଚିଗଲୁ, ନ ହେଲେ ଖେଳରୁ କାଳ ହୋଇଥାନ୍ତା ।

 

ବାଘଙ୍କ ମିଳନଋତୁ ଏକମାତ୍ର ଶେଷ ହୋଇଅଛି । ତେଣୁ ଦୁହେଁ ଏକା ସଙ୍ଗରେ ରହିଯାଇଛନ୍ତି । ତା’ ନ ହେଲେ ବାଘଗୁଡ଼ାକ ସଂଘବଦ୍ଧ ଭାବରେ ରହିବାକୁ ଚାହାନ୍ତି ନାହିଁ । ବୋଧହୁଏ ସେମାନେ ଭରପେଟ ଭୋଜନ କରି ପାଣି ପିଇବାକୁ ଆସିଥିଲେ । ସେହିପରି ତୃଷାର୍ତ୍ତ ହୋଇ ନଥିଲେ ଆମକୁ ଦେଖି ଏତେ ସମୟ ରହି ନ ଥାନ୍ତେ । ତା’ପରେ ତାଙ୍କର ଗତିବିଧିରୁ ଜଣାପଡ଼ୁଥିଲା ଯେ, ସେମାନେ ଯେପରି ଫେରିଯିବାକୁ ପ୍ରସ୍ତୁତ ନୁହନ୍ତି । ବାଘ ଭରପେଟ ଭୋଜନ କରିଥିଲେ ତୃଷା ସମ୍ବରଣ କରିପାରନ୍ତି ନାହିଁ । ସମୟ କ’ଣ ଅସମୟ କ’ଣ, ପାଣିକୁ ଗଡ଼ିପଡ଼ନ୍ତି । ଏପରିକି ଦିନକୁ ଦୁଇବାର ମଧ୍ୟ ପାଣି ଖାଇବାକୁ ଆସନ୍ତି । ଏହା ଆମର ପ୍ରତ୍ୟକ୍ଷ ଅନୁଭୂତିର କଥା-

 

ବାଘ ଦୁଇଟି ଚାଲିଗଲେ ସତ; କିନ୍ତୁ ପୁନରାଗମନର ଯଥେଷ୍ଟ ସମ୍ଭାବନା ଥିଲା । ଏପରି ସୁବର୍ଣ୍ଣସୁଯୋଗ ଶିକାରୀଙ୍କ ଭାଗ୍ୟରେ ଖୁବ୍ କମ୍ ଯୁଟିଥାଏ । କିନ୍ତୁ ମୁଁ ନିରୁପାୟ । ରମୁ ମୋର କାଳ ହେଲା । ଆଉମାତ୍ର ଘଣ୍ଟାଟାଏ ଜଗିକରି ବସିଥିଲେ ବାଘ ମାରି ଯଶ ଲାଭ କରିବାର ସୁଯୋଗ ମିଳିଥାନ୍ତା । ଛାଡ଼, ମଲାଘୋଡ଼ାର ଟାଙ୍କ ମାପି ଲାଭ କ’ଣ ? ରମୁକୁ ଧରି ଶୀଘ୍ର ଫେରିଆସିଲି । ଫେରିବା ବାଟରେ ରମୁକୁ ବାପ ଲୋ ଧନ ଲୋ କହି ବହୁତ ଶିଖାଇଲି ଏ ଘଟନାଟା କାହାରି ଆଗରେ ନ କହିବାପାଇଁ । କାରଣ ଘରର ଅଭିଭାବକମାନେ ବିରକ୍ତ ହେବେ । ସେ ମୋ ଆଗରେ ସୁନା ପିଲାଟି ଭଳି ସବୁ ହଁ ହଁ କଲା । ମୁଁ ଟିକିଏ ଆଶ୍ୱସ୍ତ ହେଲି । କିନ୍ତୁ ଘରେ ପହୁଞ୍ଚିବାମାତ୍ରେ ରମୁର ଶୋକୋଚ୍ଛ୍ଵାସ ଉଛୁଳିପଡ଼ିଲା । ନଈବନ୍ଧ ଭାଙ୍ଗିଗଲେ ଆଉ କି ସମ୍ଭାଳି ହୁଏ-! ରମୁ କାନ୍ଦି କାନ୍ଦି, ମାଆ ବଡ଼ମାଆଙ୍କ ଆଗରେ ସବୁ କହିଲା । ସେମାନଙ୍କର ତାନ ଛିଡ଼ିଲା ମୋ ବଡ଼ବାପାଙ୍କ ଉପରେ । ସେ ବନ୍ଧୁକ ଦେଲାରୁ ସିନା ମୁଁ ଜଙ୍ଗଲକୁ ଯାଉଛି । ସେହିଦିନଠାରୁ ମୋତେ ବନ୍ଧୁକ ଦେବା ବନ୍ଦ ହୋଇଗଲା । ମୁଁ ଘୋର ମନସ୍ତାପରେ ରହିଲି । ମୋର ମନ ଲାଗିଛି-। ପରଦିନ ସକାଳୁ ଯାଇ ବନ୍ଧକୂଳ ତଲାସ କରିନେଲି । ବାଘ ବାଘୁଣୀ ଦୁହେଁଯାକ ପୁଣି ଆସି ପାଣି ଖାଇଛନ୍ତି । କେବଳ ମନସ୍ତାପ ସାର ହେଲା ।

 

ପ୍ରାୟ ମାସେଖଣ୍ଡେ ଗତ ହୋଇଗଲାଣି । ଏ ପର୍ଯ୍ୟନ୍ତ ମୋତେ ବନ୍ଧୁକ ଧରିବାର ଅନୁମତି ମିଳିନାହିଁ । ମନଟା ଖାଲି ଛଟପଟ ହେଉଥାଏ । ଗାଁ ପାଖ ଜଙ୍ଗଲରେ ଅଁଳାଫଳ ପାଚି ଝଡ଼ୁଥାଏ । ମିରିଗ, ଖୁରୁଙ୍ଗ (କୁଟ୍ରା), ଖୁରାଣ୍ଟି ଫଳ ଖାଇବାରେ ଲାଗିଥାନ୍ତି । ଏତେ ସହଜଲଭ୍ୟ ଶିକାରର ଲୋଭ ସମ୍ବରଣ କରିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ମୁଁ ବଡ଼ବାପାଙ୍କୁ ଘଣ୍ଟାକପାଇଁ ବନ୍ଧୁକ ମାଗିଲି । ଅବଶ୍ୟ ଏଥିପାଇଁ ଗଭୀର ଜଙ୍ଗଲକୁ ନ ଯିବା ସକାଶେ ପ୍ରତିଶ୍ରୁତି ଦେବାକୁ ପଡ଼ିଥିଲା । ସେଦିନ ଅପରାହ୍ନ ୩ଟା ସମୟରେ ବନ୍ଧୁକ ନେଇ ଚାଲିଗଲି । ପୂର୍ବରୁ ଖଦାସ୍ଥାନରେ ବାଡ଼ ପ୍ରସ୍ତୁତ ହୋଇଥିଲା । ଗାଁ ପାଖଟା । ପରିବାଣୁଆ ସଙ୍ଗରେ ନେବା ଆବଶ୍ୟକ ନଥିଲା । ମୁଁ ଏକା ଏକା ଯାଇ ବାଡ଼ରେ ବସିଗଲି ।

 

ସୂର୍ଯ୍ୟାସ୍ତ ପରେ ମୋର ଫେରିଆସିବାର କଥା । ଏ ମଧ୍ୟରେ କୁଟ୍ରାଟାଏ କି ଖୁରାଣ୍ଟିଟାଏ ମିଳିଯାଇପାରେ । ଦିନବେଳା ହରିଣ କିମ୍ବା ସମ୍ବର ଫଳ ଖଦା ଉପରକୁ ପ୍ରାୟ ଆସନ୍ତି ନାହିଁ । ଅନତିଦୂରରେ କୁଟ୍ରା ଡାକୁଥାନ୍ତି । ଉତ୍‍ଫୁଲ୍ଲ ହୋଇ ବସିଥାଏ । ଦେଖୁ ଦେଖୁ ଏକ ଘଣ୍ଟା ସମୟ ଅତିବାହିତ ହୋଇଗଲା । ଏହି ସମୟରେ ଏକ ବୃହତ୍‍କାୟ ମିରିଗ ଶିଙ୍ଘାଳ ଫଳଗଛ ମୂଳକୁ ବାହାରି ପଡ଼ିଲା । ଯୁଗପତ୍ ଆନନ୍ଦ ଓ ବିସ୍ମୟରେ ମୁଁ ବିହ୍ଵଳ ହୋଇପଡ଼ିଲି । ଶିଙ୍ଘାଳଟା ମୋର ଦକ୍ଷିଣ ପାର୍ଶ୍ଵରେ ଥିଲା । ମୁଁ ପଶ୍ଚିମ ଦିଗକୁ ଲକ୍ଷ୍ୟକରି ବସିଥିଲି । ଏପରି ଅବସ୍ଥାରେ ଗୁଳି କରିବାର ସୁବିଧା ନାହିଁ । ସେ ଆଉ ଚାରିଖୋଜ ଆଗକୁ ଆସିବା ଅପେକ୍ଷାରେ ରହିଲି । ସେ ରହି ରହି ମୁଣ୍ଡ ଟେକି, କାନ ଠିଆ କରି ନିଶ୍ଚଳ ଭାବରେ ଠିଆ ହୋଇଥାଏ । ଏହାର ଅର୍ଥ, କୌଣସି ବିପଦର ଆଶଙ୍କା ଅଛି କି ନା ସେ ବାରୁଥାଏ । ସେତେବେଳେ ତା’ର ଯେଉଁ ଠାଣି, ଦେଖିଲେ ମନ ମୁଗ୍ଧ ହୋଇଯିବ । ତିନି ତିନି ଶାଖା ଶିଂଘ ଦୁଇଟା ଅତି ଚମତ୍କାର । ସେ ଫଳ ଖାଇ ଖାଇ କ୍ରମେ ଆଗେଇଆସୁଛି । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ପ୍ରସ୍ତୁତ । ଆଉ ଅପେକ୍ଷା କରିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ମୋଡ଼ି ହୋଇ ଦକ୍ଷିଣ ପଶ୍ଚିମ କୋଣରୁ ନିଶାଣ ଲଗାଇଲି । ଏବାର ସେ ଠିକ୍ ବନ୍ଧୁକର ସାମନାରେ ହାଜର । ମୁଁ ତା’ର ଚଟୁଆ ଉପରକୁ ନିଶାଣ ଲଗାଇଥାଏ । ଫ୍ରଣ୍ଟ ସାଇଟ୍ ମିଶିଯିବା ସଙ୍ଗେ ସଙ୍ଗେ ମୁଁ ଟ୍ରିଗର ଦବାଇଦେଲି । ସେ ମାଡ଼େ ମାଡ଼େ ଟଳିପଡ଼ିଲା ।

 

ଶିଙ୍ଘାଳଟା ସେଇଠାରେ ପଡ଼ିରହିଲା । ବିଜୟ ଉଲ୍ଲାସରେ ଦୌଡ଼ି ଦୌଡ଼ି ଘରକୁ ଛୁଟିଆସିଲି । ମୋର ବଡ଼ବାପାଙ୍କୁ ଏ ବିଷୟଟା ଜଣାଇଦେଲି । ତାଙ୍କର ଆନନ୍ଦ କହିଲେ ନ ସରେ-। ସେ କେତେ ଜଣ ଲୋକ ନେଇ ଶିଙ୍ଘାଳଟାକୁ ନେଇଆସିଲେ । ରାଜାସାହେବଙ୍କ ପାଇଁ ଭଲ ଭଲ ମାଂସ ପଠାଇଦିଆଗଲା । ଆମେ କେତେ ଖାଇଲୁ, କେତେ ବାଣ୍ଟିଲୁ । ଏବାର ସମସ୍ତେ ମୋ ଉପରେ ଖୁସି । ଆଉ ମୁଁ ମନଇଚ୍ଛା ବନ୍ଧୁକ ନେବାରେ କୌଣସି କଟକଣା ରହିଲା ନାହିଁ ।

 

ଏ ମଧ୍ୟରେ କେତେ ଦିନ ଗତ ହୋଇଗଲା । ମୁଁ ମଝିରେ ମଝିରେ ଶିକାରକୁ ଯାଏଁ । ଶିକାରର ସେପରି କିଛି ଉଲ୍ଲେଖଯୋଗ୍ୟ ଘଟନା ଘଟିନାହିଁ । ବୋଧହୁଏ ବୈଶାଖମାସର କଥା । ଦିନେ ଜଣେ ମଇଁଷିଆଳ ଆସି କହିଲା, “ବାବୁ ! ଆମ ଜଙ୍ଗଲକୁ ଗୋଟାଏ ବଡ଼ ବାଘ କୋଉଁଠୁ ଆସିଛି । ତାକୁ ମାରୁନା ।” ମୁଁ ପଚାରିଲି, “ତୁ କେମିତି ଜାଣିଲୁ ?” ସେଠୁ ସେ ଆରମ୍ଭ କଲା–“ଏଇ ଦିଦିନ ତଳେ ମ ଦିନ ରତରତ ହଉଚି, ମୁଁ ମଇଁଷିଙ୍କୁ ପାଣିରେ ପକାଇବାକୁ ନଉଥିଲି । ପାଣିକୂଳ ପାଖ ହୋଇଗଲାଣି । ଦେଖେ ତ ମଇଁଷିଗୁଡ଼ାକ ଗର ପାରି ଫଁ ଫଁ ହୋଇ ମେଳ ବାନ୍ଧି ଆଡ଼ି ପତେଇ ଠିଆ ହେଇଚନ୍ତି । ମୁଁ ଭାବିଲି, ବାଘ ଛକିଲାଣି, ଗୋଟାକୁ ତ ମାରିବ । କ’ଣ କରିବି ? ହାଁ ହାଁ କହି ଦଉଡ଼ିଗଲି । ତା’ପରେ ଦେଖିଲାବେଳକୁ ଜବର ବାଘ ପାଣିଆଡ଼ୁ ଉଠିଆସୁଛି । ସମ୍ଭବ ପାଣି ଖାଇବାକୁ ଯାଇଥିଲା । ମୋ ପାଟି ଶୁଣି ଟିକିଏ ଥାକିଯାଇ ଅନେଇଲା । ମୁଁ କହିଲି, “ଶଳା, ହେଡ଼ାଖିଆ, ଅନଉଚୁ କ’ଣ ? ଚୁପ୍ ହେଇ ଚାଲିଯା !’ ତା’ପରେ ସତକୁସତ ବେପରୁଆ ମୁତାବକ ଦୁମ୍‍ଦୁମ୍ ହୋଇ ଚାଲିଗଲା । ଏଇଟା କୁଆଡ଼ୁ ଆସିଲାଣି ! ହଳେପଟେ ମାରିବ । କ’ଣ କରିବା ?”

 

ମୁଁ ତାକୁ ଆଶ୍ଵାସନା ଦେଇ ବିଦା କରିଦେଲି । ମଇଁଷିଆଳ ଜଙ୍ଗଲରେ ବାଘଙ୍କ ସହିତ ବେଶ୍ ପରିଚିତ । ତା’ କଥାରେ ଅବିଶ୍ୱାସ କରିବାର କିଛି ନାହିଁ । ସେହିଦିନଠାରୁ ମୁଁ ବାଘଟାର ସନ୍ଧାନରେ ଲାଗିପଡ଼ିଲି । ଏ ମଧ୍ୟରେ ବାଘ ଗାଇ ମଇଁଷି କରି ୨।୩ଟି ମାରିସାରିଲାଣି । ଏସବୁ ମଢ଼ରେ ଜଗିବାର ସୁଯୋଗ ମୋତେ ମିଳିନାହିଁ । ପାଗ ଭଲ ଥିଲେ ଏବଂ ନିରାପଦ ସ୍ଥାନ ହୋଇଥିଲେ ନିଜେ ରାଜାସାହେବ ଶିକାରକୁ ଯାଆନ୍ତି । ଅନ୍ୟ କାହାରିକୁ ଅନୁମତି ମିଳେ ନାହିଁ । ବାଘ ମରିବା କ’ଣ ଏତେ ସହଜ ? ସେ ଘଣ୍ଟାଏ ବା ଅତିବଡ଼ ଦୁଇଘଣ୍ଟା ବସି ଚାଲିଆସନ୍ତି । ତା’ପରେ ବାଘ ଅସି ନିର୍ଭୟରେ ଭରପେଟ ଭୋଜନ କରି ଚାଲିଯାଏ । ଏଥିଭିତରେ କେତେଦିନ ଚାଲିଗଲା । ଜ୍ୟେଷ୍ଠମାସର ପ୍ରଥମ ସପ୍ତାହ । ଦିନେ ଅପରାହ୍ନରେ ଝଡ଼ତୋଫାନ ସହ ଅସରାଏ ପ୍ରବଳ ବର୍ଷା ହୋଇଗଲା । ପବନ ବନ୍ଦ ହେଲାବେଳକୁ ସନ୍ଧ୍ୟା ଆଗତପ୍ରାୟ । ପରଦିନ ସକାଳୁ ଶିକାରକୁ ଯିବାର ସଂକଳ୍ପ ନେଇ ଶୋଇଗଲି । ଅନୁକୂଳ ପାଗ ଶିକାର ପକ୍ଷରେ ବଡ଼ ସହାୟକ ହୁଏ-। ବର୍ଷା ହୋଇଯାଇଥିବାରୁ ମାଟି ନରମ ହୋଇଯାଇଛି । ଜନ୍ତୁଙ୍କର ପାଦଚିହ୍ନ ବିରୋଳ ଉଠିବ-। ଖୋଜଚିହ୍ନକୁ ଧରି ଶିକାର କରିବାରେ ସେପରି ପ୍ରଚୁର ଆନନ୍ଦ ମିଳେ, ସେହିପରି ସଫଳତା ସମ୍ବନ୍ଧରେ ମଧ୍ୟ ନିର୍ଭରଯୋଗ୍ୟ ।

 

ସେଦିନ ମୁଁ ମୋର ପରିବାଣୁଆ ଦୁଇଜଣଙ୍କୁ ସଙ୍ଗରେ ଧରି ପ୍ରଭାତ ହେବା ପୂର୍ବରୁ ଶିକାର ଅଭିଯାନରେ ବାହାରିପଡ଼ିଲି । କିଛିଦୂର ଯିବାପରେ ଗୋଟିଏ ମସ୍ତବଡ଼ ଶିଙ୍ଘାଳ ହରିଣ ଆମକୁ ଦେଖି ହୁରୁଡ଼ି ପକାଇଲା । ଏଥିରେ ଆମର ଦୁଃଖ କରିବାର କିଛି ନାହିଁ । ବରଂ ଏହା ଆମ ପକ୍ଷରେ ଗୋଟିଏ ସୁଯୋଗ । କାହିଁକି ନା, ଆମକୁ ତଟକା ଖୋଜ ମିଳିଗଲା । ଯିବ କୁଆଡ଼େ । ଏଇ ଖଣ୍ଡେ ଦୂରରେ ତାକୁ କାନ ଧରି ମାରିବୁ । ଆମେ ବେପରୁଆ ଭିତରେ ଖୋଜ ଧରି ଚାଲିଛୁ । ପ୍ରାୟ ଏକ ଫର୍ଲଙ୍ଗ ଯିବାପରେ ଖଣ୍ଡିଏ ଗଭୀର ଜଙ୍ଗଲ ପଡ଼ିଲା । ଆହୁରି କିଛିଦୂର ଆଗେଇଯିବା ପରେ ଶିଙ୍ଘାଳର ଖୋଜଚିହ୍ନ ମିଳିଲା ନାହିଁ । ବଡ଼ ଆଶ୍ଚର୍ଯ୍ୟର କଥା । ଆଉ ଗଲା କୁଆଡ଼େ ? ଆମେ ତିନିଜଣଯାକ ଫାଙ୍କ ଫାଙ୍କ ହୋଇ ଶିଙ୍ଘାଳ ଖୋଜ ଦେଖିବାରେ ବ୍ୟସ୍ତ । ଏହି ସମୟରେ ଗୋଟିଏ ବାଘ ଅଚାନକଭାବେ ଗର୍ଜନ କରି ମିଶିଆସିଲା । ଏପରି ଅପ୍ରତ୍ୟାଶିତ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ ନଥିଲୁ । ଏହି ଆକସ୍ମିକ ବିପଦରେ ମୋର ବୁଦ୍ଧି ସ୍ଫୁରିଲା ନାହିଁ । ବାଘଟା ଯେ ମୋତେ ଲକ୍ଷ୍ୟ କରି ଛୁଟିଆସୁଛି । ମୋ ପାଖରୁ ମାତ୍ର ଦଶଗଜ ଦୂରରେ ରୋକିଯାଇ ବସିପଡ଼ିଲା । ମୁଖବ୍ୟାଦାନପୂର୍ବକ ଗର୍ଜନ କରୁଥାଏ । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ତାକୁ ଲକ୍ଷ୍ୟକରି ଧରିଥାଏ । ମୁଁ ଜାଣେ, ବାଘ ସାମନାସାମନି କେବେ ଧରିବନି । ପୃଷ୍ଠଭଙ୍ଗ ଦେବା ମାନେ ମୃତ୍ୟୁକୁ ବରଣ କରିବା । ସାଥୀ ଦୁଇଜଣ ପଳାୟନପନ୍ଥା ଧରିଲେ । ବାଘଟା ପ୍ରାୟ ପାଞ୍ଚ ମିନିଟ ଖଣ୍ଡେ ଗର୍ଜନ କରି ଆଖିପିଛୁଳାକେ କୁଦା ମାରି ଅଦୃଶ୍ୟ ହୋଇଗଲା ।

 

ତା’ପରେ ବନ୍ଧୁକର ଘୋଡ଼ା ଉତାରିଦେଇ ଗୋଟିଏ ବୁଦାମୂଳେ ନିସ୍ତବ୍ଧ ଭାବରେ ବସିଗଲି । କିଛି ସମୟ ଗତ ହୋଇଗଲା । ମୋର ସାଥୀମାନେ କୁଆଇ କୁଆଇ ଆସି ମୋ ପାଖରେ ପହଞ୍ଚିଲେ । ସେମାନେ ନିଜ ନିଜର ନିର୍ଦ୍ଦୋଷତା ପାଇଁ ବହୁତ ଯୁକ୍ତି ବାଢ଼ିଲେ । ପରସ୍ପରକୁ ଦୋଷ ଦେଇ ଖଣ୍ଡେପଟେ ବାକ୍‍ଯୁଦ୍ଧରେ ଲାଗିଗଲେ । ମୁଁ ହାସ୍ୟ ସମ୍ବରଣ କରିପାରିଲି ନାହିଁ । ମଝିରେ ହସ୍ତକ୍ଷେପ କରି ସେମାନଙ୍କୁ ତହିଁରୁ ନିବୃତ୍ତ କରାଇଲି । ଏହାପରେ ଆମର କାର୍ଯ୍ୟପନ୍ଥା କ’ଣ ?

 

ବାଘଟା ଗୋଟାଏ ଘଞ୍ଚ ଆତୁଣ୍ଡି ବୁଦା ଭିତରୁ ବାହାରିବା ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଛି । ବର୍ତ୍ତମାନ ତ ତା’ର ବିଶ୍ରାମ ସମୟ ନୁହେଁ । ତେବେ ସେ ବୁଦା ଭିତରେ ଥିଲା କାହିଁକି ? ଏହାର ତଥ୍ୟ ଉଦ୍‍ଘାଟନ କରିବାପାଇଁ ମୋର ପ୍ରବଳ ଇଚ୍ଛା ଜାତ ହେଲା । ଏତେ ଘଣ୍ଟାଚକଟା ପରେ ଯେ ବାଘଟା ସେଠାରେ ଥିବ, ଏହା ସମ୍ଭବଯୋଗ୍ୟ ନୁହେଁ । ଯାହାହେଉ ମୁଁ ବନ୍ଧୁକ ଉଦ୍ୟତ କରି ପ୍ରସ୍ତୁତ ରହିଲି । ସାଥୀମାନଙ୍କୁ କହିଲି, ‘ବୁଦାଉପରକୁ ପଥର ପକାଅ ।’ ସେହିପରି ହେଲା । ବାଘ ନିକଟରେ ଥିବାର କୌଣସି ସୂଚନା ମିଳିଲା ନାହିଁ । ଆମେ ନିର୍ଭୟରେ ଯାଇ ବୁଦା ଭିତରଟା ତଦାରଖ କରିନେଲୁ । ବାପ୍‍ରେ, ଜବରଦସ୍ତ ବାର୍‍ହା ପଡ଼ିଛି । କେବଳ ଗୋଟିଏ ଫଡ଼ିଆ ଖାଇଛି । ସେ ତା’ର ଭୋଜନ ଉପରେ ମହଜୁଦ ଥିଲା ଏଥିରେ ସନ୍ଦେହ ନାହିଁ ?

 

ବାଘ ପୂର୍ଣ୍ଣ ଭୋଜନର ଅବକାଶ ପାଇନାହିଁ । ସେ ପୁଣି ମଢ଼ ଉପରକୁ ଆସିବାର ନିଶ୍ଚିତ ସମ୍ଭାବନା ଅଛି । ଏପରି ତଟକା ମଢ଼ ମିଳିବା ଶିକାରୀଙ୍କ ଭାଗ୍ୟରେ ସବୁବେଳେ ଯୁଟେ ନାହିଁ । ରାଜାସାହେବଙ୍କ ସହିତ ବାଘ ମାରିବାର ସୁଯୋଗ ମିଳିପାରେ । ତେଣୁ ମୁଁ ଅତ୍ୟନ୍ତ ଉତ୍ସାହିତ ହୋଇ ସାଥୀମାନଙ୍କ ସହଯୋଗରେ ଗୋଟିଏ ନିରାପଦ ମଞ୍ଚା ପ୍ରସ୍ତୁତ କରିଦେଲି । ଏ ମଧ୍ୟରେ ବାଘ ଆସି କାଳେ ମଢ଼କୁ ଉଠାଇନେବ, ସେଥିପାଇଁ ନେତ୍ରାନନ୍ଦ ମଞ୍ଚାରେ ବସି ତାକୁ ଠକିବା ଉଦ୍ଦେଶ୍ୟରେ ଗହଳି ଚହଳି ଲଗାଇଲା । ଆମେ ଫେରିଆସି ରାଜାଙ୍କୁ ଏ ସବୁ ଖବର ଦେଲୁ । ମଢ଼କୁ ଜଗିବା ସକାଶେ ଲୋକ ପଠାଇଦିଆଗଲା ।

 

ଯଥାସମୟରେ ଶିକାରଯାତ୍ରା ହେଲା । ମୁଁ ରାଜାସାହେବଙ୍କ ଗହଣରେ ଯାଇଥାଏ । ମଢ଼ ଠାବ କରିବାରେ ମୋର ସାହସିକତା ପାଇଁ ମୁଁ ତାଙ୍କ ସହିତ ବସି ଗୁଳି ମାରିବାକୁ ହଗ୍‍ଦାର ହେଲି । ରାଜାସାହେବ ତାଙ୍କର ରାଇଫଲ୍ ଧରିଲେ । ମୁଁ ବୋର ଡବଲ ବାରେଲ କାର୍ତ୍ତୋସ ବନ୍ଧୁକ ଧରିଲି । କଥା ହେଲା, ସେ ବେକଠାରୁ ମୁଣ୍ଡ ମଧ୍ୟରେ ଲକ୍ଷ୍ୟ କରିବେ । ମୁଁ ଚଟୁଆ ଉପରକୁ ଲକ୍ଷ୍ୟ କରି ଫାୟାର କରିବି । ଅପରାହ୍ନ ୩ଟା ସୁଦ୍ଧା ଆମେ ମଞ୍ଚା ଉପରେ ବସିଲୁ । ଲୋକମାନେ କଥାବାର୍ତ୍ତା ହୋଇ ଗୀତ ଗାଇ ଗାଇ ଫେରିଗଲେ । ଏତଦ୍ଦ୍ଵାରା ବାଘ ଜାଣିବ ଯେ, ଲୋକମାନେ ଜଙ୍ଗଲର କାମ ସାରି ଫେରିଗଲେ ।

 

ଲୋକମାନେ ବେଶି ଦୂରକୁ ଯାଇନାହାନ୍ତି । ସେମାନଙ୍କର କଥାବାର୍ତ୍ତା ତେବେସୁଦ୍ଧା ଅସ୍ପଷ୍ଟ ଭାବରେ ଶୁଣାଯାଉଥାଏ । ବଡ଼ ଆଚମ୍ବିତ କଥା, ବାଘଟା କେଉଁଠି ଥିଲା, ଏହି ସମୟରେ ରାଜକୀୟ ଠାଣିରେ ଆସି ମଢ଼ ପାଖରେ ହାଜର । ଆମେ ପରସ୍ପର ଅଙ୍ଗୁଳି ସ୍ପର୍ଶଦ୍ଵାରା ପ୍ରସ୍ତୁତ ହୋଇଗଲୁ । ସେ ଚତୁର୍ଦ୍ଦିଗରେ ଥରେ ଆଖି ବୁଲାଇନେଇ ମଢ଼କୁ ଧରିଲା । ଧରିବା ସଙ୍ଗେ ସଙ୍ଗେ ଏକ ଝାଙ୍କ ମାରିଲା ଯେ, ମଢ଼ ବନ୍ଧା ହୋଇଥିବା ବେତଗଣ୍ଠି ଠକ୍‍ଠାକ୍ ଛିଡ଼ିଗଲା । ଯେମିତି ମଢ଼ଟାକୁ ଧରି ସିଧା ସଳଖ ଠିଆ ହୋଇଯାଇଛି, ରାଜାସାହେବ ଫାୟାର କରିବାକୁ ମୋତେ ସଙ୍କେତ ଦେଇ ଗୁଳି ଚଳାଇଦେଲେ । ମୁଁ ସଙ୍ଗେ ସଙ୍ଗେ ଗୁଳି ଚଳାଇ ଦେଇଛି । ଢୋ...ଢୋ ଏକ ସଙ୍ଗରେ ଦୁଇଟି ଗୁଳି । ବଦମାସ ବାଘଟା ମାଡ଼େ ମାଡ଼େ ଟଲିପଡ଼ିଲା । ମୁଁ ଠିକ୍ ପ୍ରତିଶୋଧ ନେଇଛି । ପରେ ଦେଖାଗଲା ଆମ ଦୁହିଁଙ୍କର ଗୁଳି ଠିକ୍ ଲକ୍ଷ୍ୟସ୍ଥାନରେ ଲାଗିଛି । ମୋର ଅତୁଟ ଲକ୍ଷ୍ୟ ଦେଖି ରାଜାସାହେବ ଭାରି ଖୁସି ହେଲେ । ଆମେ ବିଜୟଗର୍ବରେ ବାଘକୁ ନେଇ ଫେରିଲୁ ।

Image

 

Unknown

ହାତୀ ଉପରେ ଶିକାର

 

ଶିକାର ଏକ କଳା । କିନ୍ତୁ ତାହା ଏକ ବ୍ୟସନ ନିଶ୍ଚୟ । ଅଭ୍ୟାସଗତ ହୋଇଗଲେ ଲୋକ ଏଥିରେ ଏକବାରକେ ନିମଜ୍ଜିତ ହୋଇପଡ଼େ, ଯାହାକି ଆଜୀବନ ଭୁଲିହୁଏ ନାହିଁ । ଶିକାର ନିଶା ଏତେ ପ୍ରବଳ ଯେ, ଲୋକକୁ ସହଜରେ କବଳିତ କରିପକାଏ । ଅପରିଣାମଦର୍ଶୀ ଲୋକ ତାହାର କବଳରୁ ଆଉ ରକ୍ଷା ପାଇପାରନ୍ତି ନାହିଁ । ଶିକାରୀଙ୍କ କଥା ତ ସ୍ଵତନ୍ତ୍ର । ଶିକାରୀ ସାଥୀ ଯାହାଙ୍କୁ କି ଆମେ ପରିବାଣୁଆ କହୁ, ସେମାନଙ୍କର ଶିକାର ନିଶା ବିଷୟ ଶୁଣିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ପରିବାଣୁଆ କେବଳ ବନ୍ଧୁକ ଚଳାଇବା ବ୍ୟତୀତ ଶିକାରୀର ସମସ୍ତ ପ୍ରକାର କଳା ଓ କୌଶଳ ଜାଣନ୍ତି ।

 

ଏଠାରେ ଏପରି ଏକ ପରିବାଣୁଆଙ୍କ ଶିକାର ନିଶା ବିଷୟ ଉଦାହରଣ ଦେଇ ପାଠକଙ୍କର କୌତୁହଳ ଚରିତାର୍ଥ କରିବା କିଛି ଅପ୍ରାସଙ୍ଗିକ ହେବ ନାହିଁ । ତାଙ୍କର ନାମ ବିନସାହୁ । ସେ ଜଣେ ବେଶ୍ ଅବସ୍ଥାପନ୍ନ ଲୋକ । କୌଣସି ଅଭାବ ନଥିଲା ତାଙ୍କର । ମୋର ଦାଦି, ବଡ଼ବାପାଙ୍କ ସଙ୍ଗରେ ସେ ପରିବାଣୁଆ ଥିଲେ । ସେମାନଙ୍କ ଅନ୍ତେ ମୁଁ ତାଙ୍କୁ କିଛିଦିନ ଶିକାରୀ ସାଥୀରୂପେ ପାଇ ନିଜକୁ ଧନ୍ୟ ମଣିଛି । କ୍ରମେ ତାଙ୍କର ବୃଦ୍ଧାବସ୍ଥା ଉପନୀତ ହେଲା । କ୍ଷୀଣ ଦୃଷ୍ଟି, ସ୍ଖଳିତ ପାଦ । ଅତଏବ ଶିକାରପାଇଁ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇପଡ଼ିଲେ । ତଥାପି ତାଙ୍କର ଶିକାରନିଶା ଛାଡ଼ି ନଥିଲା । ଦୈବାତ ଦିନେ ତାଙ୍କ ସଙ୍ଗରେ ମୋର ସାକ୍ଷାତ ହେଲା । ସେ ମୋତେ ଦେଖି ଆନନ୍ଦରେ ଗଦ୍‍ଗଦ ହୋଇପଡ଼ିଲେ । ଅତୀତ ଶିକାର ବିଷୟରେ ଅନେକ କଥା ପଡ଼ିଲା । ଶେଷରେ ଥରଟାଏ ମୋ ସଙ୍ଗରେ ଶିକାରକୁ ଯିବାର ପ୍ରବଳ ଇଚ୍ଛା ପ୍ରକାଶ କଲେ । ଏଥିରେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କିଏ ବା ଆଶ୍ଚର୍ଯ୍ୟ ନ ହେବ ? ଯାହାହେଉ କୌଣସିପ୍ରକାରେ ମୁଁ ତାଙ୍କର ଶେଷକାଳର ବାସନା ପୂରଣ କରିପାରିଛି, ସେଥିପାଇଁ ସେ ଅପାର ଆନନ୍ଦିତ ହୋଇ ଆଶୀର୍ବାଦ ବର୍ଷଣ କରିବାକୁ ଲାଗିଲେ । ଏଥିରୁ ବୁଝିବେ ଶିକାର ନିଶା କିପରି ପ୍ରବଳ ଆକାର ଧାରଣ କରିପାରେ ।

 

ମୁଁ ଏ ପର୍ଯ୍ୟନ୍ତ ଶିକାରମୋହ ଛାଡ଼ିପାରିନାହିଁ । ଟାଟାରେ ଥାଇ ମଧ୍ୟ କେବେ କେମିତି ସୁଯୋଗ ମିଳିଲେ ଶିକାରକୁ ଛୁଟି ଯାଏଁ । ଛୁଟିରେ ଗ୍ରାମକୁ ଗଲେ ତ କଥା ନାହିଁ । ଇଚ୍ଛା ନଥିଲେ ମଧ୍ୟ ଶିକାରୀ ବନ୍ଧୁମାନଙ୍କ ପ୍ରରୋଚନା ଓ ବଡ଼ ବଡ଼ମାନଙ୍କର ମାଂସପାଇଁ ଅନୁରୋଧ ଏଡ଼ିହୁଏ ନାହିଁ । ଶିକାରକୁ ଧାଇଁ ଯାଏଁ । ବେଳେବେଳେ ଶିକାରରେ ବିଫଳ ହୋଇ ଘୋର ମନସ୍ତାପରେ ଘରକୁ ଫେରେ । ତଦୁପରି ଶ୍ରୀମତୀ ରାୟଙ୍କର ତାଡ଼ନା । ସେତେବେଳେ ଏହା ମୋ ପକ୍ଷରେ ଶତ ବୃଷ୍ଟିକ ବଂଶର ତୁଲ୍ୟ ବୋଧହୁଏ । କେତେ ପ୍ରତିଜ୍ଞା କରେ; କିନ୍ତୁ ଯେଉଁ କଥାକୁ ସେଇ କଥା ।

 

ମୋର କୁଟୁମ୍ବୀ ଭାଇ ଅଭିମନ୍ୟୁ ଓ ଭଣଜା ନିନି ଟାଟାରେ କାମ କରନ୍ତି । ଅଭିମନ୍ୟୁ ମଧ୍ୟ ଜଣେ ଶିକାରୀ । ଥରକର ଘଟନା । ଆମେ ତିନିହେଁ ଏକସଙ୍ଗରେ ଟାଟାରୁ ଫେରିଥାଉ । ଦିନେ ହାତୀ ଉପରେ ବସି ଶିକାରକୁ ଯିବାର ଅଭିଳାଷ ଅଭିମନ୍ୟୁ ପ୍ରକାଶ କଲା, ଯଦିଓ ଏ ପ୍ରକାର ଶିକାରରେ ସଫଳତା ଲାଭର ଆଶା ଅତି କ୍ଷୀଣ । କାରଣ ହାତୀଟି ଶିକାରୀ ନୁହେଁ । ତାଲିମପ୍ରାପ୍ତ ଶିକାରୀ ହାତୀ ଉପରେ ବସି ବାଘ ଶିକାର କରିବା ସୁବିଧାଜନକ ଓ ନିରାପଦ ମଧ୍ୟ । ଅନ୍ୟଥା ହାତୀ ଚଢ଼ି ହରିଣ ଆଦି ଶିକାର କରିବା ସୁବିଧା ଓ ସହଜ ନୁହେଁ । ତଥାପି ଏକ କୌତୁହଳର ବଶବର୍ତ୍ତୀ ହୋଇ ଅଭିମନ୍ୟୁର ପ୍ରସ୍ତାବକୁ ମୁଁ ଅନୁମୋଦନ କଲି ।

 

ମାନ୍ୟବର କନିକା ରାଜାସାହେବଙ୍କର ଗୋଟିଏ ମସ୍ତବଡ଼ ହାତୁଣୀ ଆମ ଗ୍ରାମରେ ଥିଲା । ଆମ୍ଭେମାନେ ରାଜପରିବାରର ଲୋକ ଥିବାରୁ ରାଜାସାହେବଙ୍କର ଆମପ୍ରତି ଟିକିଏ ସୁଦୃଷ୍ଟି ଥାଏ । ତେଣୁ ହାତୀକୁ ଆମ କାମରେ ବ୍ୟବହୃତ କରିବାପାଇଁ କୌଣସି କଟକଣା ନଥିଲା । ଛୁଟି ଉପଭୋଗ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ ।

 

ଏଥିମଧ୍ୟରେ ମୋର ଜ୍ୟେଷ୍ଠ ଶାଳକ ଶ୍ରୀ କାଳିଚରଣ ଦେଓ ଆସି ଉପସ୍ଥିତ ହୋଇଗଲେ । ସେ ତାଙ୍କର ୧୨ ନମ୍ବର ଡବଲ ବାରେଲ କାର୍ତ୍ତୋସ ବନ୍ଧୁକଟି ଆଣିଥାନ୍ତି । ସେ ଜଣେ ଶିକାରୀ; କିନ୍ତୁ କହନ୍ତି ଯେଡ଼େ, ନୁହନ୍ତି ତେଡ଼େ । ତାଙ୍କର ଘର ବିଚ୍ଛିନ୍ନ ଉତ୍କଳ ଜଳନ୍ତର ଗଡ଼ରେ, ଯାହା ଦିନେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ଥିଲା, କବିସୂର୍ଯ୍ୟ ଯେଉଁ ରାଜସଭାକୁ ମଣ୍ଡନ କରୁଥିଲେ । ଏକା କାଳିବାବୁ କାହିଁକି, ପ୍ରାୟ ସବୁ ଶିକାରୀଙ୍କର ଊଣା ଅଧିକେ ଦୋଷ ଅଛି । ତେବେ କାଳିବାବୁଙ୍କର ମାତ୍ର ଟିକିଏ ଅଧିକ । ସେ ଏପରି ଅତିରଞ୍ଜିତ କରି ଶିକାରଗପ କୁହନ୍ତି ଯେ ନ ଜାଣିଥିବା ଲୋକ ବିସ୍ମିତ ହୋଇଯିବ, ଆଉ ଜାଣିଥିବା ଲୋକ ହାସ୍ୟ ସମ୍ବରଣ କରିପାରିବ ନାହିଁ । ସେ କହନ୍ତି, “କିସ କହିବି ହୋ ! ମୁଁ ବେଣ୍ଟକୁ ଗଲେ ବାରିହାଟାମାନଙ୍କୁ ଭାଲି ଲଗାଇ ଦେଇ ଉପରେ ଚକ୍କର ପରି ବୁଲୁଥିବାର ଏକା । ଥରେ ଆମ ମାହାର୍ଜାଙ୍କ ସାଙ୍ଗରେ ଡାଳି ଶିକାରକୁ ଯାଇଥିବାର । ଉଃ ! ପଟାଳିଆ ବାଘଟା ହାଉଁପରା ଧାଇଁଆସିଲା ହେ !! ମୁଁ ତକ୍ଷଣେ ତା’ ତୁଣ୍ଡ ଭିତରେ ନଳୀଟା ଭର୍ତ୍ତି କରିଦେଇ ତାଉପରା ଲାଛିଦେଲି-। ମାହାର୍ଜା ବୋଇଲେ ଆବାଃ, କାଳି ତୁ କିସ କଲୁରେ !!” ଭଲା, କହିଲେ, ଏଭଳି ଅସମ୍ଭବ କାହାଣୀ ଶୁଣିବାକୁ କାହାର ବା କୌତୁହଳ ନ ଜନ୍ମିବ ? ସେଥିପାଇଁ ତାଙ୍କ ପାଖରେ ସାଇଭାଇଙ୍କର ଭିଡ଼ ଲାଗିରହିଥାଏ । ହଁ, ଭୁଲିଯାଉଛି । ସ୍ଥାନାନ୍ତରରେ ‘ଡାଳି ଶିକାର’ ରହସ୍ୟ ଶୁଣାଇ ପାଠକଙ୍କର କୌତୁହଳ ଚରିତାର୍ଥ କରିବି ।

 

ହାତୀ ଉପରେ ବସି ଶିକାରକୁ ଯିବାର ସମସ୍ତ ଆୟୋଜନ ଠିକ୍ ହୋଇଗଲା । କାଳିବାବୁଙ୍କୁ ସଙ୍ଗରେ ନେଇ ହଇରାଣ କରିବା ଅଭିମନ୍ୟୁର ଭିତିରି ମସୁଧା, ମୋତେ ଜଣାନାହିଁ । କୃଷ୍ଣପକ୍ଷ ରାତ୍ରି । ସନ୍ଧ୍ୟା ଉପଗତ । ଆମେ ବାହାରି ପଡ଼ିଲୁ । ବାମପାର୍ଶ୍ୱରେ ମୁଁ ଓ ଅଭିମନ୍ୟୁ, ଅପର ପାର୍ଶ୍ୱରେ ନିନି କାଳିବାବୁ ବସିଲେ । ବନ୍ଧୁକ ଚଳାଇବାରେ ଅସୁବିଧା ପାଇଁ ହାତୀ ଉପରେ ‘କାଠଲା’ ବାନ୍ଧିବାକୁ ମୁଁ ମନା କରିଦେଲି ।

 

ଗ୍ରାମ ଅତିକ୍ରମ କରି ଗଲା ପରେ ମୁଁ ମୋର ଶକ୍ତିଶାଳୀ ହେଡ଼୍‍ଲାଇଟ୍‍କୁ ସଜାଡ଼ି ନେଇ ୨।୪ ଥର ପରୀକ୍ଷା କରିନେଲି । ହାତୀ ଧୀର ମନ୍ଥର ଗତିରେ ଚାଲିଥାଏ । ମୁଁ ଲାଇଟ୍ ପକାଇ ଶିକାର ସନ୍ଧାନରେ ଲାଗିପଡ଼ିଲି । ସେତେବେଳକୁ ପ୍ରାୟ ଅଧମାଇଲ ପଥ ଯାତ୍ରା କରିସାରିଲୁଣି । ଏହି ସମୟରେ ବିନା ମେଘେ ବଜ୍ରପାତ । କୌଣସି କାରଣ ନ ଥାଇ ଏକ ଅପ୍ରତ୍ୟାଶିତ ଘଟନା ଘଟିଗଲା ଯାହା କି ଆମେ କେବେ ଆଶଙ୍କା କରି ନଥିଲୁ । ହାତୀ ଯାଉ ଯାଉ ହଠାତ ଡାହାଣ ପାଖକୁ ଅଣେଇ ହୋଇ ପଡ଼ିଲା । ବଡ଼ ଦୁଃଖର କଥା, ଗୁଳିଭରା ବନ୍ଧୁକ ସହିତ କାଳିବାବୁ ଓ ନିନି ଦୁମ୍‍ଦାମ୍ କଣ୍ଟାବୁଦା ଉପରେ ଝଡ଼ିପଡ଼ିଲେ । ସୌଭାଗ୍ୟର କଥା, କଣ୍ଟାରେ ସାମାନ୍ୟ କ୍ଷତବିକ୍ଷତ ହେବା ବ୍ୟତୀତ ବିଶେଷ କିଛି ଆଘାତ ପାଇନାହାନ୍ତି । ଆହୁରି ଭାଗ୍ୟର କଥା, ବନ୍ଧୁକ କଣ୍ଟାବୁଦା ଉପରେ ପଡ଼ିବାରୁ ଫୁଟିଲା ନାହିଁ । ଶୁଖିଲାଭୂଇଁ ଉପରେ ପଡ଼ିଥିଲେ କ’ଣ ଯେ ଅବସ୍ଥା ହୋଇଥାନ୍ତା କହି ହେଉ ନାହିଁ । ହାତୀ ଉପରେ କାଠଲା ବନ୍ଧା ହୋଇଥିଲେ ଏପରି ଦୁର୍ଦ୍ଦଶା ଘଟି ନ ଥାନ୍ତା । ଏଥିପାଇଁ ମୁଁ ଦାୟୀ । ଗତସ୍ୟ ଶୋଚନା ନାସ୍ତି । ଆଉ ଅନୁତାପ କରି ଲାଭ କ’ଣ ?

 

ନିନି ଏତେ ଭୀତତ୍ରସ୍ତ ହୋଇପଡ଼ିଲା ଯେ, ତା’ ପାଟିରୁ କଥା ବାହାରୁ ନ ଥାଏ । କାଳିବାବୁ ଉଚ୍ଚସ୍ୱରରେ ଆହାଃ କହି ଝାଡ଼ିଝୁଡ଼ି ହୋଇ ଉଠିଲେ । ଆମକୁ ଲକ୍ଷ୍ୟ କରି କହିଲେ, “ଶଳେ, ମାଈପିଲା ପରି କିସ ବେଣ୍ଟ ପଡ଼ିବାର ହେ ! ଯ, ଯ, ତମ ବାଣୁଆପଣ ଜଣା ପଡ଼ିଗଲା ଯେ ! ଜନ୍ତୁକୁ ଘଉଡ଼ିକରି ଲାଛିବା ସିନା ଅଣ୍ଡିରାପଣିଆ !” ଅଭିମନ୍ୟୁ ଏକ ବିଦ୍ରୂପ ହସ ହସି ଦିପଦ ଶ୍ଳେଷବାଣୀ ଶୁଣାଇଦେଲା । ପୋଡ଼ା ଘାରେ ଲୁଣ ଦେଲା ପରି କାଳିବାବୁଙ୍କ ଦେହରେ ସେକଥା ଚାଉଁକିନା ଲାଗିଗଲା । ତା’ପରେ ଶଳା-ଭିଣେଇ ହିସାବରେ ବେଶ୍ ଦିପଦ କଡ଼ା କଡ଼ି ପଡ଼ିଗଲା । ସେସବୁ ଏଠି ଲେଖିବାର ସ୍ଥାନ ନୁହେଁ । ଏହାପରେ କାଳିବାବୁ ରାଗରେ ଜର୍ଜର ହୋଇ ଫେରିଯିବାକୁ ଉଦ୍ୟତ । ମୋର ବହୁ ବିନୟ ଅନୁରୋଧ ସତ୍ତ୍ୱେ ଆଉ ହାତୀ ଉପରେ ବସିବାକୁ ଏକାନ୍ତ ନାରାଜ । କହିଲେ “ମୋର ଲୋଡ଼ା ନାହିଁ ।” ସେହିଠାରୁ ସେ ଓ ନିନି ବିଦାୟ ନେଲେ । ବିଦାୟକାଳରେ କାଳିବାବୁ କହିଲେ, “ଗଦାଧର ! ପାଗଳ ହାତୀଟା ଜାଗ୍ରତ ଥିବ । ତନ୍ଦ୍ରା ପଡ଼ିବ ନାହିଁ ।” ଯେତେହେଲେ ମଧୁର ସମ୍ୱନ୍ଧ କି ନା !

 

ତା’ପରେ ମୁଁ ଓ ଅଭିମନ୍ୟୁ ପୁଣି ହାତୀ ଉପରକୁ ଉଠି ଶିକାର ସନ୍ଧାନରେ ଲାଗିପଡ଼ିଲୁ । ଲାଇଟ୍ ପକାଇ ଶିକାର କରିବାରେ କିଛି ବାହାଦୁରି ନାହିଁ । ଶକ୍ତିଶାଳୀ ଆଲୋକର ଫୋକସ୍‍ରେ ଜନ୍ତୁ ଜଳକା ହୋଇଯାଆନ୍ତି । ତେଣିକି କାନଧରି ମାରିବା କଥା । ଏଥିରେ ଶିକାରୀର ନା କଳା ନା କୌଶଳ କ’ଣ ଅଛି ! ଏ ପ୍ରକାର ଶିକାର ସାହସ ବା ଶକ୍ତିର ପରିଚାୟକ ନୁହେଁ । ତେଣୁ ଏଥିରେ ଆନନ୍ଦ ମିଳେ ନାହିଁ । ପୁନରାୟ ଲାଇଟ୍ ଶିକାରରେ ମସ୍ତବଡ଼ ଭ୍ରମ ହେବାର ଆଶଙ୍କା ଅଛି ଯାହାକି ନିଜର ଓ ଅପରର ଅମାର୍ଜନୀୟ କ୍ଷତି ଘଟାଏ । ଲାଇଟ୍‍ରେ ଜନ୍ତୁର ଆଖିରୁ ମାତ୍ର ପରିଚୟ ମିଳିଥାଏ । ଏହା ଯେ ସବୁ ସମୟରେ ଅଭ୍ରାନ୍ତ କୁହାଯାଇ ନ ପାରେ । ଫଳରେ ଦେଖାଅଛି ଅନେକ ସ୍ଥଳରେ ଗୋରୁ, ମଇଁଷି ଶିକାରରେ ପରିଣତ ହୋଇପଡ଼ନ୍ତି । ଅନେକ ସମୟରେ ବାର୍‍ହା ଭ୍ରମରେ ବାଘକୁ ଗୁଳି କରି ଶିକାରୀ ନିଜେ ଆହତ ହୁଅନ୍ତି । ସୁତରାଂ ଲାଇଟ୍ ଶିକାର କରିବା ସର୍ବତୋଭାବେ ବର୍ଜନୀୟ; କିନ୍ତୁ କେତେକ ଶ୍ରେଣୀର ଶିକାରୀ ଅଛନ୍ତି ଏହା ମାନିବାକୁ ନିତାନ୍ତ ଅନିଚ୍ଛୁକ ।

 

ପ୍ରସଙ୍ଗ ଛାଡ଼ି ମୁଁ ବହୁତ ଦୂର ଆଗେଇଆସିଲିଣି । ଏବାର ଶୁଣନ୍ତୁ । ହାତୀ ସୁସ୍ଥଭାବେ ଚାଲିଛି । ମୁଁ ଶିକାର ସନ୍ଧାନରେ ରତ । ଦୁଇବାର ହରିଣପଲ ଦୃଷ୍ଟିଗୋଚର ହେଲେ । କିନ୍ତୁ ଫାୟାର କରିବାର ସୁଯୋଗ ଆମକୁ ମିଳୁନାହିଁ । ହାତୀଉପରେ ଲାଇଟ୍ ଶିକାରକୁ ଆସିବାର ଅସାରତା ବେଶ୍ ହୃଦୟଙ୍ଗମ କରିପାରିଲି । ହତାଶ ହୋଇ ଫେରିଆସିବା ମାନସରେ ଅଛୁ । ଏହି ସମୟରେ ହେଡ଼୍ ଲାଇଟ୍‍ର ତୀବ୍ର ଆଲୋକରେ ଦୁଇଟି ଗୁରାଣ୍ଡିଙ୍କ ଜୁଳୁଜୁଳିଆ ଆଖି ଦେଖାଗଲା । ଅଭିମନ୍ୟୁ କ୍ଷିପ୍ର ବେଗରେ ୧ ନମ୍ବର ଛରରାଟିର ଫାୟାର କରିଦେଲା । ଦୁଇଟିଯାକ ଗୁରାଣ୍ଡି ସାଥେ ସାଥେ ଢଳିପଡ଼ିଲେ । ଯାହାହେଉ ‘ନାହିଁ ମାମୁଁ ଠାରୁ କଣାମାମୁଁ ଭଲ ।’ ମନରେ ଗୋଟିଏ ଆଶାର ସଞ୍ଚାର ହେଲା । ଆମେ ଟିକିଏ ଉତ୍ସାହିତ ହୋଇ ହାତୀକୁ ଦ୍ରୁତ ଗତିରେ ଚଳାଇ ଚାଲିଲୁ । କିଛିଦୂର ଯିବା ପରେ ହଠାତ ହାତୀ ରୋକିଗଲା । ଭାବିଲି ପୁଣି କି ପ୍ରମାଦରେ ବାବା ! ମାହୁନ୍ତର କଠୋର ଶାସନରେ ମଧ୍ୟ ଆଗକୁ ପାଦ କାଢ଼ିଲା ନାହିଁ । ଯେପରିକି ସତେ ଅଚଳ ମହାମେରୁ ପାଲଟିଗଲା । ମାହୁନ୍ତ ମୋ କାନରେ କହିଲା, “ବାଘର ସୁରାକ ପାଇ ହାତୀ ଚାଲୁନାହିଁ ।” ମୁଁ ତତ୍‍କ୍ଷଣାତ ଚତୁର୍ଦ୍ଦିଗରେ ଲାଇଟ୍ ବୁଲାଇ ଆଣିଲି । ବାପ୍‍ରେ ! ଗୋଟିଏ ବୁଦାର ଆଢ଼ୁଆଳରେ ରଡ଼ନିଆଁ ପରି ଦୁଇଟା ଆଖି ଦାଉଦାଉ ହୋଇ ଜଳିଉଠି ଦପ୍ କରି ଲିଭିଲା । ତା’ପରେ ଆମର ଯେଉଁ ଦୁର୍ଦ୍ଦଶା ସେକଥା ମନେ ପଡ଼ିଲେ ଏବେ ସୁଦ୍ଧା ଲୋମଟାଙ୍କୁରିଉଠେ ।

 

ଲାଇଟ୍ ପଡ଼ିବାମାତ୍ରେ ବାଘ ଚମ୍ପଟ ଏଣେ ହାତୀ ବାଘକୁ ଦେଖି ଭୀକ୍ଷଣ ବେଗରେ ବଣବୁଦା ନ ମାନି ଦୌଡ଼ିଲା । ତାକୁ ସମ୍ବାଳିବା ମାହୁନ୍ତ ପକ୍ଷରେ ଆଦୌ ସମ୍ଭବ ହେଲା ନାହିଁ । ଆମେ ଜୀବନର ଆଶା ତ୍ୟାଗ କଲୁ । କହନ୍ତି, ‘ବାଘ ଖାଇବାଠାରୁ ଘୋଷଡ଼ା ଘା ବେଶି ବାଧେ ।’ ସେହିପରି ମୃତ୍ୟୁ ଅପେକ୍ଷା ଜିଅନ୍ତା କଲବଲ ଆଶଙ୍କାରେ ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଥାଏ ମାହୁନ୍ତ ହାତୀର କାନକୁ ଧରି ଓହଳିପଡ଼ି ରକ୍ଷା ପାଇଗଲା । କିନ୍ତୁ ଆମେ ଗଦି ଉପରେ ଲେପ୍‍ଟିପଡ଼ିଲୁ । ବାଉଁଶ ଡେଲେଙ୍ଗା, କଣି ଲାଗି ଆମର ପିଠି ଜଙ୍ଘ ରକ୍ତାକ୍ତ ହୋଇଗଲା । ପ୍ୟାଣ୍ଟ ଓ କାମିଜ ଟୁକୁରା ହୋଇ ବାଉଁଶ ଗଛରେ ରହିଲା । ଅକଥନୀୟ ଯନ୍ତ୍ରଣାରେ ପ୍ରାଣ କଲବଲ ହୋଇଯାଉଥାଏ । ମାହୁନ୍ତ ନିଜ ଜୀବନ ବଞ୍ଚାଇବାରେ ବ୍ୟସ୍ତ । ହାତୀକୁ ଆୟତ୍ତ କରିବା କଥା ପଚାରେ କିଏ ? କିଛି ଦୂର ଯିବାପରେ ଗୋଟିଏ ଝଙ୍କାଳିଆ ତେନ୍ତୁଳିଗଛ ପଡ଼ିଲା । ତା’ର ଡାଳଗୁଡ଼ିକ ତଳକୁ ଓହଳିଆସିଛି ହାତୀ ଯେତେବେଳେ ସେହି ଗଛ ତଳ ଦେଇ ଅତିକ୍ରମ କଲା ସେତେବେଳେ ଅଭିମନ୍ୟୁ ହଠାତ ଉଠିପଡ଼ି ଗଛର ଡାଳକୁ ଧରି ଉପରକୁ ଉଠିଗଲା । ମୋର କଣ୍ଠାଗ୍ରତ ଅବସ୍ଥା । ତଦୁପରି ଅଭିମନ୍ୟୁର ବନ୍ଧୁକକୁ ସମ୍ଭାଳିବା ଭାର ମୋ ଉପରେ ପଡ଼ିଲା । ‘ବୋଝ ଉପରେ ନଳିତାବିଡ଼ା ।’ ସେ ସମୟରେ କୌଣସି ବିଷୟ ଭାବିବା ବା ଚିନ୍ତିବା ସ୍ମରଣରେ ଆସୁ ନ ଥାଏ । ପ୍ରତି ମୁହୂର୍ତ୍ତରେ ଆଶଙ୍କା ଏଇବାର ପ୍ରାଣ ଗଲା । ହାତୀ କ୍ରମାଗତ ଦୌଡ଼ି ଚାଲିଥାଏ । କିଛିଦୂର ଯିବାପରେ ପରମେଶ୍ଵରଙ୍କ ଅପାର କରୁଣା ବଳରୁ ହାତୀର ଗତି ବଦଳିଲା । ଚନ୍ଦକା ରିଜର୍ଭ ଜଙ୍ଗଲ ଓ ପଟିଆ ଜଙ୍ଗଲରେ ଚିହ୍ନିତ କରିବା ଉଦ୍ଦେଶ୍ୟରେ ଗୋଟିଏ ସରହ୍ରଦ ଲାଇନ୍ ଅଛି । ଅଳ୍ପ ସମୟ ପରେ ହାତୀ ସରହ୍ରଦ ଲାଇନ୍‍କୁ ବାହାରିପଡ଼ିଲା । ଯାହାହେଉ, ଏବାର ମନରେ ଟିକିଏ ଆଶାର ସଞ୍ଚାର ହେବା ସ୍ଵାଭାବିକ । ହାତୀ ବରାବର ଦୌଡ଼ି ଚାଲିଥାଏ । ସୁଯୋଗ ପାଇ ମାହୁନ୍ତ ହାତୀର କାନ୍ଧ ଉପରକୁ ଉଠିଆସି ଅଙ୍କୁଶଦ୍ଵାରା ପ୍ରହାର କରିବାକୁ ଲାଗିଲା । ‘ମାଡ଼କୁ ମହାଦେବ ଡରନ୍ତି ।’ କିଛି ସମୟ ପରେ ସେ ପ୍ରକୃତିସ୍ଥ ହେଲା । ମୁଁ ହାତୀ ଉପରୁ ଓହ୍ଲାଇ କିଞ୍ଚିତ୍ ଜଳପାନ କରି ଟିକିଏ ଆଶ୍ୱସ୍ତି ହେଲି । ମାହୁନ୍ତ ଘୋର ଦୁଃଖର ସହ ମୋର ଶରୀରକୁ ରକ୍ତସ୍ରାବ ନିବାରଣ କରିବା ଓ ହେପାଜତ କରିବାରେ ଲାଗିପଡ଼ିଲା । ମୁଁ ଟିକିଏ ସୁସ୍ଥ ବୋଧ କଲା ପରେ ପୁଣି ହାତୀ ଉପରକୁ ଉଠିଲି । ଅଭିମନ୍ୟୁ ଉଦ୍ଦେଶ୍ୟରେ ଉକ୍ତ ତେନ୍ତୁଳିଗଛ ନିକଟକୁ ଫେରିଲୁ ।

 

ଦେଖିଲୁ ଅଭିମନ୍ୟୁ ଦାରୁଣ ଯନ୍ତ୍ରଣାରେ ଅତିଶୟ ବ୍ୟଥିତ ହେଉଛି । ହାତୀକୁ ଗଛତଳେ ଲଗାଇଲୁ । ସେ ବଡ଼କଷ୍ଟରେ ହାତୀଉପରକୁ ଆସିଲା । ତା’ପରେ ଓହ୍ଲାଇ ତା’ର ଯତ୍ନରେ ଲାଗିପଡ଼ିଲୁ । ସେ ଟିକିଏ ବପୁଷ୍ମାନ୍ ଲୋକ । ତେଣୁ ତା’ର ଆଘାତ ମୋ’ ଠାରୁ ଅଧିକ । ତା’ର କ୍ଷତବିକ୍ଷତ ଅବସ୍ଥା ଦେଖିଲେ ଶତ୍ରୁ ହୃଦୟ ମଧ୍ୟ ତରଳିଯିବ । ଏତିକି ମାତ୍ର ସାନ୍ତ୍ଵନା, ସେ ଆଘାତ ସେପରି ମାରାତ୍ମକ ନୁହେଁ । ଆଉ କାଳ ବିଳମ୍ବ କରିବାର ପ୍ରୟୋଜନ ନାହିଁ । ତାହାପରେ ଅତି ସନ୍ତର୍ପଣରେ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କଲୁ । ହାତୀ ଉପରୁ ଶିକାର କରିବା କଥା ଆଜୀବନ ଭୁଲିହେବ ନାହିଁ ।

 

ଏହାପରେ ‘ଡାଳି ଶିକାର’ ବିଷୟ ଶୁଣିବାକୁ ବୋଧହୁଏ ପାଠକଙ୍କର ଆଗ୍ରହ ନ ଥିବ । ବେଶି ଡେରି ଲାଗିଲା ନାହିଁ । ମୁଁ ଅଳ୍ପକେ ଏ ବିଷୟଟି ଶେଷ କରିଦେବି । ଡାଳି ଶିକାର ନାମ ଶୁଣି ଉତ୍ତର ଓଡ଼ିଶାରେ ଲୋକଙ୍କୁ ଆଶ୍ଚର୍ଯ୍ୟ ବୋଧ ହେଉଥିବ । କାହିଁକିନା ଉତ୍ତର ଓଡ଼ିଶାରେ ଏ ପ୍ରକାର ଶିକାରର ପ୍ରଚଳନ ନାହିଁ । ଦକ୍ଷିଣ ଓଡ଼ିଶାର ହୁମା, ପାଲୁର, ବିରୁଳି, ଖଲିକୋଟ ଓ ମଞ୍ଜୁଷା ଆଦି ରାଜ୍ୟମାନଙ୍କରେ ଡାଳି ଶିକାରର ପ୍ରଚଳନ ଅଧିକ । ମୁଁ କେତେବାର ଡାଳି ଶିକାରରେ ଯୋଗ ଦେଇଛି ।

 

ଏ ପ୍ରକାର ଶିକାରପାଇଁ କୃଷ୍ଣପକ୍ଷ ସମୟ । ବାଉଁଶ ପାତିଆ ବା ଅନ୍ୟ କୌଣସି ପ୍ରକାରରେ ଦେବୀମେଢ଼ ଆକୃତିରେ ଏକ ଥାଟ କରାଯାଏ । ଏହି ଥାଟର ସମ୍ମୁଖଭାଗ ଧଳା ରଙ୍ଗ ଉପରେ ନାନା ବର୍ଣ୍ଣରେ ଚିତ୍ର ବିଚିତ୍ର ହୁଏ । ମେଢ଼ର ସାମନାରେ ଦେବୀ ପ୍ରତିମା ସ୍ଥାପିତ ହେବାପରେ ଉକ୍ତ ଥାଟର ସମ୍ମୁଖରେ ଗୋଟିଏ ଅଗ୍ନିକୁଣ୍ଡ ସ୍ଥାପନ କରାଯାଏ । ସେଥିରେ ଯେପରି ଅଗ୍ନିଶିଖା ପ୍ରଜ୍ୱଳିତ ହୋଇଉଠିବ ତହିଁର ସୁବ୍ୟବସ୍ଥା ହୁଏ । ଚାରିଜଣ ଲୋକ ସେହି ମେଢ଼କୁ କାନ୍ଧରେ ବୋହି କରି ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି । ମେଢ଼ର ପଶ୍ଚାତ୍‍ଭାଗ ଅନ୍ଧକାରରେ କେତେଜଣ ଲୋକ ଘୁଙ୍ଗୁର ପିନ୍ଧି କୌଣସି ପାତ୍ରରେ ଗୋଡ଼ି, କଉଡ଼ି ଇତ୍ୟାଦି ରଖି ଝମ ଝମ ଶବ୍ଦ ଉତ୍ପନ୍ନ କରନ୍ତି । ଏହିପରି ଭାବରେ ଜଙ୍ଗଲ ପରିକ୍ରମଣ ଚାଲେ । ନୀରବ ନିଶ୍ଚଳ ବନରାଜ୍ୟରେ ଏହା ଏକ ତୁମୁଳ ଆଲୋଡ଼ନ ସୃଷ୍ଟି କରେ । ଏତଦ୍ଦ୍ଵାରା ବନ୍ୟ ପଶୁମାନଙ୍କ ମଧ୍ୟରେ କି ଭାବ ଜାଗରିତ ହୁଏ ତାହା ବିଶେଷଜ୍ଞମାନଙ୍କୁ ଜଣା, ମୁଁ କହିପାରିବି ନାହିଁ । ତେବେ ଏହା ନିଶ୍ଚିତ ଯେ ଏହି ଆଲୋଡ଼ନ ବନ୍ୟ ପଶୁମାନଙ୍କ ମନରେ କୌଣସି ଭୟ ବା ଆତଙ୍କ ସୃଷ୍ଟି କରେ ନାହିଁ । ତା’ ହୋଇଥିଲେ ସେମାନେ ଦୂରରୁ ଦୂରକୁ ପଳାୟନ କରୁଥାନ୍ତେ । ଆଉ ଶିକାର ହୁଅନ୍ତା କିପରି ? ବରଂ ସେମାନଙ୍କ ମନରେ ଏ ପ୍ରକ୍ରିୟା ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରେ । ଆଲୋକ ଏବଂ ଶବ୍ଦଦ୍ଵାରା ଜନ୍ତୁମାନେ ଆଶ୍ଚର୍ଯ୍ୟାନ୍ୱତ ହୋଇ ନିକଟକୁ ଆସନ୍ତି ଏବଂ ଜିଜ୍ଞାସା ଦୃଷ୍ଟିରେ ଦେଖିବାକୁ ଲାଗନ୍ତି । ଏଣେ ଶିକାରୀ ପ୍ରସ୍ତୁତ ଥାଇ ଗୁଳି କରେ । ସୁତରାଂ ଅତି ସହଜରେ ଶିକାର ହସ୍ତଗତ ହୁଏ । ସମସ୍ତ ପ୍ରକାର ଜନ୍ତୁ, ଏପରିକି ବାଘ ମଧ୍ୟ ଏ ଅଦ୍ଭୁତ ଦୃଶ୍ୟ ଓ ଶବ୍ଦରେ ଅତୀବ ବିସ୍ମୟାଭିଭୂତ ହୋଇ ନିକଟକୁ ଚାଲିଆସି ଶିକାରୀର ଶରବ୍ୟ ହୋଇପଡ଼ନ୍ତି । ଏହାହିଁ ‘ଡାଳି ଶିକାର’ ।

Image

 

ହରିଣ ଶିକାର

 

ସେଦିନ ସକାଳ ସୂର୍ଯ୍ୟର ନାଲି କିରଣ ବିଛାଡ଼ି ହୋଇ ପଡ଼ିବା ପୂର୍ବରୁ ଶିକାରକୁ ବାହାରିପଡ଼ିଲି । ପ୍ରଶସ୍ତ ରାସ୍ତାରେ ଚାଲିଛି । କାରଣ ସେତେବେଳେ ସୁଦ୍ଧା ଆଲୋକ ଭଲ ଭାବରେ ପ୍ରକାଶ ପାଇ ନଥିଲା । ପ୍ରାୟ ଏକମାଇଲ ପଥ ଅତିକ୍ରମ କରିବା ପରେ ପୂର୍ବାକାଶରେ ଧୀରେ ଧୀରେ ଆଲୋକର ଆଭାସ ଲକ୍ଷ୍ୟ କଲି । ବଣରାଇଜ ଜାଗରିତ ହୋଇଉଠିଲା । ଚତୁର୍ଦ୍ଦିଗରେ ବନ୍ୟ କୁକ୍‍କୁଟର ଡାକ ଶୁଣାଗଲା । ସେ ଡାକ ଶୁଣି ଅନ୍ୟ ପକ୍ଷୀଙ୍କ ନିଦ ଭାଙ୍ଗିଲା । ସେମାନେ ପକ୍ଷ ଝାଡ଼ି, ଆଖି ଖୋଲି ନୂତନ ଦିନର ଆବାହନରେ କୁକ୍‍କୁଟମାନଙ୍କ ସଙ୍ଗେ ଗଳା ମେଲିଦେଲେ-। ଯେଉଁସବୁ ମୟୂର ବାଉଁଶ ଡେଲେଙ୍ଗାରେ ନିଦ୍ରା ଯାଇଥିଲେ ଏବେ ସେମାନେ ଅବତରଣ କରି ଚତୁର୍ଦ୍ଦିଗରେ ବିଛାଇ ହୋଇ ଶବ୍ଦମୁଖର ଜଙ୍ଗଲ ସହିତ ସେମାନଙ୍କର ତୀକ୍ଷ୍ଣ କଣ୍ଠସ୍ୱର ମିଶାଇଦେଲେ ।

 

ମୁଁ ଡଗର ରାସ୍ତା ଧରି ଘନ ଜଙ୍ଗଲରେ ପ୍ରବେଶ କଲି । ଅଧମାଇଲି ରାସ୍ତା ଯିବା ପରେ ଗୋଟିଏ ଖୋଲା ସ୍ଥାନର ସମ୍ମୁଖରେ ଆସି ପହୁଞ୍ଚିଗଲି । ଦେଖିଲି, ବାଉଁଶ ଡେଲେଙ୍ଗାରେ ଗୋଟିଏ ମସ୍ତବଡ଼ ଗଞ୍ଜା କୁକୁଡ଼ା ବସିଛି । ସୂର୍ଯ୍ୟର ତିର୍ଯ୍ୟକ ଆଲୋକ ତା’ ଉପରେ ପଡ଼ିଛି । ଏତେ ଚମତ୍କାର କୁକୁଡ଼ା ମୁଁ କେବେ ଦେଖିନି । କିନ୍ତୁ ସେଇଟା ବନ୍ଧୁକ ରେଞ୍ଜର ବାହାରେ ଥିଲା । ଭାବୁଛି ଏଥର କ’ଣ କରାଯାଇପାରେ, ଏହି ସମୟରେ ସେ ଉଡ଼ିଗଲା । ରାସ୍ତା ଉପରେ କୁକୁଡ଼ା, କଇଁଚର, ମୟୂର, ହରଡ଼–ଏହିପରି ଅନେକ ପକ୍ଷୀ ଦେଖା ଗଲେ । କିନ୍ତୁ ଭାଗ୍ୟ ସେଦିନ ମୋ ପ୍ରତି ଥିଲା ଅପ୍ରସନ୍ନ । କାରଣ ଯେଉଁ ସବୁ ପକ୍ଷୀ ଦୃଷ୍ଟିଗୋଚର ହେଲେ, ସେମାନେ ବନ୍ଧୁକ ରେଞ୍ଜର ବାହାରେ ଥିଲେ । ଫଳରେ ବନ୍ଧୁକ ଚଳାଇବାର ସୁଯୋଗ ମୋତେ ମିଳିଲା ନାହିଁ ।

 

ଆହୁରି କିଛିଦୂର ଅଗ୍ରସର ହେବାପରେ ଅପେକ୍ଷାକୃତ ପତଳା ଜଙ୍ଗଲକୁ ବାହାରିଲି । ଶୁଷ୍କ ଭୂମିରେ ପତଳା ଧୂଳି ଉପରେ ହରିଣ ପଲଙ୍କର ଖୋଜଚିହ୍ନ ଦୃଷ୍ଟିଗୋଚର ହେଲା । ଖୋଜଚିହ୍ନରୁ ଅନୁମାନ କଲି ଯେ, ଏ ଦଳଟିରେ ୧୦।୧୨ଟି ହରିଣ ଅଛନ୍ତି । ସେ ଦଳରେ କେତୋଟି ଛୋଟ ଶିଶୁ ଥିବାର ମଧ୍ୟ ସ୍ପଷ୍ଟ ପ୍ରମାଣ ମିଳିଲା । ଦଳର ସର୍ଦ୍ଦାର ଆଗେ ଆଗେ ଚାଲିଛି-। ଆଉ ସମସ୍ତେ ତା’ର ପଛେ ପଛେ ।

 

ମୁଁ ସେମାନଙ୍କ ଖୋଜକୁ ଅନୁସରଣ କରି ଚାଲିଲି । ପ୍ରାୟ ଏକ ଫର୍ଲଙ୍ଗ ଦୂର ଯିବା ପରେ ସେମାନଙ୍କ ମଧ୍ୟରୁ କେତୋଟି ଦୃଷ୍ଟିଗୋଚର ହେଲେ । ଜଙ୍ଗଲ ମଧ୍ୟରେ ଗୋଟିଏ କ୍ଷୁଦ୍ର ଖୋଲାସ୍ଥାନ । ସେଠାରେ ତିନୋଟି ହରିଣ ଓ ଦୁଇଟି ଶାବକ କଅଁଳ ପତ୍ର ଟୁଙ୍କୁଥାନ୍ତି । ମୁଁ ଗୋଟିଏ ବୁଦା ଆଢ଼ୁଆଳରେ ଦେହକୁ ଛପାଇ ଏ ଅପୂର୍ବ ଦୃଶ୍ୟ ପ୍ରାଣଭରି ଉପଭୋଗ କରୁଥାଏ ।

 

ବଣରେ ହରିଣପଲର ଦୃଶ୍ୟ ଦେଖିବା ସମସ୍ତଙ୍କ ଭାଗ୍ୟରେ ଯୁଟେ ନାହିଁ । ସେମାନଙ୍କର ସ୍ଵାଭାବିକ ଆହାର ବିହାର କି ସୁନ୍ଦର ! ଦେଖିଲେ ଆତ୍ମା ତୃପ୍ତିରେ ଭରିଉଠେ । ପାଟଳ ରଙ୍ଗର ଦେହରେ ଧଳା ଟୋପାଗୁଡ଼ିକ କି ସୁନ୍ଦର ମାନେ !

 

ସେମାନଙ୍କର ଆକର୍ଣ୍ଣଲମ୍ବିତ ନୟନଯୁଗଳ କବିଙ୍କର ଉପମାର ସାମଗ୍ରୀ । ସେମାନେ ଯେତେବେଳେ ଭୟ ପାଇ ଛନଛନ, କନକନ ନେତ୍ରରେ ଚାହୁଁଥିବେ, ସେ ଚାହାଣିର ଉପମା ନାହିଁ-। ସବୁଜ ବନ ପ୍ରାନ୍ତରରେ ଦୌଡ଼ିଗଲା ବେଳର ଦୃଶ୍ୟ ଅତୀବ ମନୋରମ । ମନେକର ଯେପରି କଳାମେଘ କୋଳରେ ବିଜୁଳି ଖେଳିଗଲା । ହରିଣ ଭଗବାନ୍‍ଙ୍କର ଏକ ଅପୂର୍ବ ସୃଷ୍ଟି ।

 

ହରିଣ ଏକ ତୃଣଭୋଜୀ ପଶୁ । ଘାସ, ପତ୍ର, କେତେକ ଗଛର ଫୁଲ, ବଣର ଫଳ ଏମାନଙ୍କର ପ୍ରଧାନ ଖାଦ୍ୟ । ଫଳ ମଧ୍ୟରେ ଆମ୍ବ, ଆମ୍ବଡ଼ା, ଅଁଳା, ବାତେରା, ଗହ୍ମାରୀ ଇତ୍ୟାଦି । କୋଳଥ, ମୁଗ, ବିରି, ରାଶି ଓ ହରଡ଼ ଫସଲ ମଧ୍ୟ ଏମାନେ ଖାଇଯାନ୍ତି । ହରିଣମାନଙ୍କର ଶ୍ରବଣଶକ୍ତି ଅତି ପ୍ରଖର । ସେଥିପାଇଁ ଲୋକେ କହିଥାନ୍ତି– “ମିରିଗଙ୍କର ପିତ୍ତଳ କାନ ।” ଏମାନେ ଅତି ତରକା । ନିଜର ଛାଇକୁ ଦେଖି ଚମକୁଥିବେ । ଏମାନଙ୍କୁ ଶିକାର କରିବା ସହଜ କଥା ନୁହେଁ । ହରିଣ ଅତି ଭୟାଳୁ ଜୀବ । ଶିକାରୀ, ବାଘ, ବଳିଆ କୁକୁର ଏମାନଙ୍କର ପ୍ରଧାନ ଶତ୍ରୁ । ସେଥିପାଇଁ ସେମାନେ ସବୁବେଳେ ଭୀତତ୍ରସ୍ତ ଭାବରେ ଚଳପ୍ରଚଳ ହୁଅନ୍ତି । ହରିଣ କୁଃ...କଃ ସ୍ଵରରେ ଡାକନ୍ତି । ଲୋକେ ଏହି ମିରିଗ କୁଆଇବା କୁହନ୍ତି । ପୁରୁଷ ହରିଣ ବେଳେ ବେଳେ ଭିନ୍ନ ପ୍ରକାର ଡାକନ୍ତି । ସ୍ତ୍ରୀ ହରିଣକୁ ଆକୃଷ୍ଟ କରି ଆଣିବା ଏ ଡାକର ଉଦ୍ଦେଶ୍ୟ । ଏ ପ୍ରକାର ଡାକକୁ ଆମେ ଶିଙ୍ଘାଳ ଭେସାରିବା ବୋଲି କହୁ । ପୁରୁଷ ହରିଣକୁ ଶିଙ୍ଘାଳ କୁହାଯାଏ ।

 

ହରିଣର ମାଂସ ଶୁଦ୍ଧ । କାରଣ ସେମାନେ କୌଣସି କୁଖାଦ୍ୟ ଖାଆନ୍ତି ନାହିଁ । ସେ ମାଂସରେ କୌଣସି ଗନ୍ଧ ନ ଥାଏ । ହରିଣ ମାଂସ ବିଶେଷ ଚର୍ବିଯୁକ୍ତ ନୁହେଁ । ସେଥିପାଇଁ ଅନ୍ୟ ମାଂସ ତୁଳନାରେ ଖୁବ୍ ସହଜପାଚ୍ୟ । ହରିଣର ଛାଲ ଖୁବ୍ ଦରକାରୀ । ସାଧୁ, ସନ୍ନ୍ୟାସୀମାନେ ଏହାକୁ ପବିତ୍ର ଆସନରୂପେ ବ୍ୟବହାର କରନ୍ତି । ଏ ଚମଡ଼ାରେ ଦାମିକା ଜୋତା ମଧ୍ୟ ତିଆରି ହୁଏ-। ବଡ଼ଲୋକମାନେ ଏହାକୁ ଟ୍ୟାନିଂ କରି ସୌଖିନ ବସ୍ତୁରୂପେ ବ୍ୟବହାର କରନ୍ତି । ହରିଣ ଶିଂଘ ଘର ସଜାଇବା ଉପକରଣ ମଧ୍ୟରେ ସ୍ଥାନ ପାଏ । ଶିଂଘର ଛୁରିବେଣ୍ଟ, ପଶାକାଠି, ପଶାଖେଳର ଗୋଟି ଓ ନାନାପ୍ରକାର ଖେଳନା ତିଆରି ହୁଏ ।

 

ମୁଁ ଶିକାର କଥା ଛାଡ଼ି ବହୁତ ଦୂର ଚାଲିଆସିଲିଣି । ଏବାର ଶୁଣନ୍ତୁ । ହରିଣୀ ତିନୋଟି ପତ୍ର ଟୁଙ୍କୁଥାନ୍ତି । ବେଳେବେଳେ ଚତୁର୍ଦ୍ଦିଗରେ ଦୃଷ୍ଟି ପକାଇ ଦେଖି ନେଉଥାନ୍ତି । କେତେବେଳେ କାନ ଟେକି ସ୍ଥିରଦୃଷ୍ଟିରେ ରହିଯାଆନ୍ତି । ଶିଶୁ ଦୁଇଟି ଫୁକୁର ଫୁକୁର ଡେଇଁ ଏଣେତେଣେ ବୁଲୁଥାନ୍ତି-। ସ୍ତ୍ରୀ ହରିଣକୁ ମାରି ଛୁଆ ଦୁଇଟିଙ୍କୁ ମା’ଛେଉଣ୍ଡ କରିବା ମୋର ଇଚ୍ଛା ନୁହେଁ । ମୋର ମତଲବ ଶିଙ୍ଘାଳ ପଦାକୁ ବାହାରିଲେ ମାରିବି । ମୁଁ ଅପେକ୍ଷାରେ ଥାଏ ।

 

ଦଳପତି ଶିଙ୍ଘାଳ ଓ ଦଳର ଅନ୍ୟ ହରିଣୀମାନେ ପଦାକୁ ବାହାରିଲେ ନାହିଁ । ପ୍ରାୟ ପନ୍ଦର ମିନିଟ ଗତ ହୋଇଗଲା । ଜଙ୍ଗଲ ମଧ୍ୟରେ ଲୁକ୍କାୟିତ ଥିବା ହରିଣୀ କୁଃ...କଃ…ହୋଇ କୁଆଇଲେ । ଏହା ଭୀତିସୂଚକ ଥିଲା । ଏଣେ ଖୋଲା ସ୍ଥାନରେ ଥିବା ହରିଣୀମାନେ ଭୟାର୍ତ୍ତ ହୋଇଉଠିଲେ । ସେମାନେ ବେକ ଟେକି ଏଣିକି ତେଣିକି ଚାହିଁ ହଠାତ ଚମକି ଦୌଡ଼ି ପଳାଇଲେ-। କୌଣସି ବିପଦର ସୂଚନା ପାଇ ନଥିଲେ ଏମାନେ ଏପରି ହୋଇ ନ ଥାନ୍ତେ । ଏମାନଙ୍କର ପିଛାକରି ଧରିବା ଆଉ ସମ୍ଭବପର ନୁହେଁ । ତେଣୁ ମୁଁ ଅନ୍ୟ ରାସ୍ତା ଧରି ଆଗେଇ ଚାଲିଲି-

 

ମୁଁ ପ୍ରାୟ ଦୁଇଶହ ଗଜ ଖଣ୍ଡେ ଯାଇଛି, ଦେଖିଲି ଦୁଇଟି ବଳିଆ କୁକୁର ମୋର ଡାହାଣ ପାଖରୁ ବାମ ପାଖ ଜଙ୍ଗଲକୁ ପାର ହୋଇଗଲେ । ମୁଁ ଅନ୍ୟତ୍ର ବଳିଆଙ୍କ ବିଷୟରେ ଆଲୋଚନା କରିଅଛି । ବଳିଆ ଜଙ୍ଗଲକୁ ଆସିଗଲେ ହରିଣ, କୁଟ୍ରା, ସମ୍ୱର ପ୍ରଭୃତି ଆତଙ୍କିତ ହୋଇ ଅଗମ୍ୟ ଅରଣ୍ୟରେ ଲୁଚି ରହନ୍ତି । ସେ ସମୟରେ ଶିକାରୀଙ୍କୁ ଶିକାର ମିଳିବା ବଡ଼ ଦୁଷ୍କର ହୋଇପଡ଼େ । ଏଣୁକରି ମୁଁ ଏ ଅଞ୍ଚଳଟା ଛାଡ଼ି ବହୁତ ଦୂରକୁ ଚାଲିଗଲି ।

 

ମୁଁ ଯାଇ “ଶିଖରଚଣ୍ଡୀ” ପାହାଡ଼ର ପାଦଦେଶରେ ପହୁଞ୍ଚିଗଲି । ଏହି ପାହାଡ଼ର ଶିଖର ଦେଶରେ ଏକ ଦେବୀ ପ୍ରତିମା ବହୁ ପୁରାତନ କାଳରୁ ସ୍ଥାପିତ ହୋଇଛନ୍ତି । ସେଥିପାଇଁ ପାହାଡ଼ଟିର ଏପରି ନାମକରଣ ହୋଇଛି । ଏହାର ନୈସର୍ଗିକ ସୌନ୍ଦର୍ଯ୍ୟ ଦେଖିଲେ ଜୀବନରେ କେବେ ଭୁଲିପାରିବେ ନାହିଁ । ବାରାନ୍ତରେ ସେ ପାହାଡ଼ଟିର ବର୍ଣ୍ଣନା ଦେବାର ଅଭିଳାଷ ରହିଲା । ମୁଁ ଘନ ଜଙ୍ଗଲ ମଧ୍ୟରେ ଗୋଟିଏ ଡଗର ରାସ୍ତା ଧରି ଚାଲିଛି । କିଛିଦୂର ଅତିକ୍ରମ କରିଗଲି । ହଠାତ କାହିଁକି ମୋ ମନରେ ଅହେତୁକ ଶଙ୍କା ଜାତ ହେଲା । ଜଙ୍ଗଲଟା କିପରି ମାଡ଼ି ମାଡ଼ି ପଡ଼ିଲା-। ସତେକି ଯେପରି ଏକ ବିପଦ ମାଡ଼ିଆସୁଛି । ମୁଁ ଖୁବ୍ ସତର୍କ ହୋଇଗଲି । ବନ୍ଧୁକର ସେଫ୍‍ଟିକ୍ୟାରରେ ଅଙ୍ଗୁଳି ରଖି ବନ୍ଧୁକଟା ବାଗେଇ ଧରିଲି । ଚତୁର୍ଦ୍ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖି ପାଦ ଗଣି ଗଣି ଚାଲିଛି ।

 

ମାତ୍ର ପଚାଶଗଜ ଖଣ୍ଡେ ଅଗ୍ରସର ହୋଇଛି । ହଠାତ ଏକ ମସ୍ତବଡ଼ ବାଘ ଡଗର ଉପରକୁ ବାହାରି ପଡ଼ିଲା । ମୋର ଦୃଷ୍ଟିଗୋଚର ହେବାମାତ୍ରେ ମୁଁ ବନ୍ଧୁକ ଛାତିରେ ଭିଡ଼ି ତିଆର ହୋଇଗଲି । ବାଘ ମୋତେ ଦେଖି ଡଗର ଉପରେ ବସିପଡ଼ିଲା । ସେ ଦାନ୍ତ ନିକୁଟି, ନିଶ ଫୁଲାଇ ଗରଗର ହେଉଥାଏ । ଲାଙ୍ଗୁଳଟା ତଳେ ଦୁମ୍‍ଦୁମ୍ କରି ପିଟୁଥାଏ । ଏହା ଆକ୍ରମଣ କରିବାର ପୂର୍ବାଭାସ ।

 

ମୁଁ ଜାଣେ ବାଘ କେବେ ସାମନାସାମନି ଆକ୍ରମଣ କରିବ ନାହିଁ । ତେବେ ମଣିଷଖିଆ ବାଘକଥା ଅଲଗା । ସାମନାସାମନି ବାଘକୁ ଗୁଳି କରିବାର ନୁହେଁ । ଏପରି ଗୁଳି କଲେ ବାଘ ଧାଏଁ କରି ଆକ୍ରମଣ କରିବ । ବାଘର ଦୃଷ୍ଟିର ଅନ୍ତରାଳରେ ଗୁଳିକଲେ ତା’ର ମୁହଁ ଯେଉଁଆଡ଼େ, ସେଇ ଆଡ଼କୁ ପଳାଇବ । ବାଘ ସାମନାରୁ ପୃଷ୍ଠଭଙ୍ଗ ଦେବା ମାନେ ମୃତ୍ୟୁକୁ ବରଣ କରିବା । କିନ୍ତୁ ଭାଲୁ ହାବୁଡ଼ରେ ପଡ଼ିଗଲେ ପଳାୟନ ପନ୍ଥା ନ ଧରିଲେ ରକ୍ଷା ନାହିଁ । ବାଘଟା ମୋ ପାଖରୁ ପଚାଶ ଷାଠିଏ ଗଜ ଦୂରରେ ଥିଲା ।

 

ବାଘ ଆଉ ମୁଁ ତକାତକି ହୋଇ ରହିଲୁ ପନ୍ଦର ମିନିଟ । ମୁଁ ବନ୍ଧୁକ ଉଦ୍ୟତ କରି ରଖିଥାଏ । ବଡ଼ ପାଟିକରି କହୁଥାଏ–ଗୋରୁଖିଆ ! ମୋତେ ମଇଁଷିଆଳ କରି ପାଇଲୁ କିରେ ? ଥିଲା ଥିଲା, ଆଖିପିଛୁଳାକେ ଡିଆଁଟାଏ ମାରି ଚାଲିଗଲା । ଗଲାବେଳେ ଏପରି ଏକ ଗର୍ଜନ କଲା ଯେ, ଜଙ୍ଗଲଟା ନିସ୍ତବ୍ଧ ହୋଇଗଲା । ତା’ର ଗତିବିଧି ଜାଣିବାପାଇଁ ମୁଁ ସେଠାରେ କିଛି ସମୟ ରହିଗଲି । ତା’ପରେ ବୁଝିଲି, ବାଘର କୌଣସି ସୋରଶବ୍ଦ ନାହିଁ । ବନ୍ଧୁକର ସେଫ୍‍ଟିକ୍ୟାର ଉତାରିଦେଇ ସିଧା ଘରକୁ ଫେରିଲି ।

 

ମୁଁ ଗୋଟିଏ ସରହ୍ରଦ ଲାଇନ୍ ଧରି ଚାଲିଥାଏ । ସେ ରାସ୍ତାଟା ଉତ୍ତରରୁ ଦକ୍ଷିଣକୁ ଲମ୍ବିଯାଇଥିଲା । ସେତେବେଳକୁ ଦିନ ଦଶଟା କି ଏଗାରଟା ହେବ । ଶୀତଦିନ । ବେଳ ଜଣା ପଡ଼ୁ ନ ଥାଏ । ଶିକାରର ଆଉ ଆଶା ନାହିଁ । ମୁଁ ମନ ଦୁଃଖରେ ଧୀରମନ୍ଥର ଗତିରେ ଚାଲିଥାଏ । ଏହି ରାସ୍ତାଟା କିଛିଦୂର ଯାଇ ପୂର୍ବରୁ ପଶ୍ଚିମକୁ ପଡ଼ିଥିବା ଏକ ରାସ୍ତା ସଙ୍ଗେ ମିଳିତ ହୋଇଅଛି, ଠିକ୍ ସମକୋଣ ଭାବରେ । ଏହି ସମକୋଣ ଅନ୍ତର୍ଗତ ଅଞ୍ଚଳଟି ଘନ ଜଙ୍ଗଲରେ ପୂର୍ଣ୍ଣ । ଏ ଜଙ୍ଗଲଖଣ୍ଡ ମୋ ଯିବା ରାସ୍ତାର ବାମପାର୍ଶ୍ୱରେ ଥିଲା । ମୁଁ ଅନ୍ୟମନସ୍କ ଭାବରେ ଚାଲିଥାଏ ।

 

ହଠାତ ଗୋଟିଏ ହରିଣ ଶିଙ୍ଘାଳ ମୋର ଖୁବ୍ ନିକଟରୁ କ୍ୟାଉ କ୍ୟାଉ ହୋଇ ପଳାଇଲା-। ବୋଧହୁଏ ସେ ବାମପାଖ ଜଙ୍ଗଲରୁ ଡାହାଣ ପାଖକୁ ଆସୁଥିଲା । ମୋର ଧଡ଼ସ ପାଇ ହୁରୁଡ଼ିଗଲା । ମୁଁ ମୁହୂର୍ତ୍ତେ ବିଳମ୍ବ ନ କରି ଦୌଡ଼ି ଲଗାଇଦେଲି । ପୂର୍ବରୁ ପଶ୍ଚିମକୁ ପଡ଼ିଥିବା ରାସ୍ତାରେ ପହୁଞ୍ଚି, ବଣବୁଦା ଏପଟରେ ଲୁଚି ଲୁଚି, ରହି ରହି ଚାଲିଥାଏ । ମୋର ବିଚାର, ଶିଙ୍ଘାଳଟା ଶଙ୍କା ପାଇ ହୁରୁଡ଼ିଯାଇଛି । ସେ ଅନ୍ୟ ଜଙ୍ଗଲକୁ ପଳାଇବାବେଳେ ନିଶ୍ଚୟ ଏ ରାସ୍ତାଟା ପାରହେବ । ସେତିକିବେଳେ ହୁଏତ ମୋତେ ଗୁଳି କରିବାର ସୁଯୋଗ ମିଳିପାରେ । ମୁଁ ନେବେଡ଼ି ନେବେଡ଼ି ଚାଲିଛି ।

 

‘ନେବେଡ଼ି ନେବେଡ଼ି’ ଶବ୍ଦ ଶୁଣି ଆପଣମାନଙ୍କୁ ହସ ଲାଗୁଥିବ । ଆମ ଶିକାରୀମାନଙ୍କର ଏପରି କେତେଗୁଡ଼ିଏ ସ୍ଵତନ୍ତ୍ର ଭାଷା ଅଛି, ଯଥା–ନଇଁ ନଇଁ, ଲୁଚି ଲୁଚି ଚାଲିବାକୁ ‘ନେବେଡ଼ି ନେବେଡ଼ି’, ଖୋଜ ଧରି ପିଛା କରିବାକୁ ‘ଗୋତରିଯିବା’, ଲୁଚିକରି ବସିବା ସ୍ଥାନକୁ ‘ବାଡ଼’, ବା ‘ପଲା’, ଦେଖିବା ଛିଦ୍ରକୁ ‘ଭଣ୍ଡି’, ମାଟି ଖୋଳି ବସିବା ସ୍ଥାନକୁ ‘ମାଟି’, ଜନ୍ତୁର ଛାତିକୁ ‘ଛକା’, ଆଣ୍ଠୁର ଉପରିଭାଗରେ ଗୁଳି ଲାଗିବାକୁ ‘ବାହାବେଣ୍ଟିଆ’, କିନ୍ତୁ ପେଟର ନିମ୍ନ ଭାଗରେ ଗୁଳି ଲାଗିବାକୁ ‘ସରୁଅନ୍ତିଆ’, ଜନ୍ତୁର ସ୍ଥାନ ବିଶେଷର ମାଂସକୁ ‘ବିଅଁ’, ‘ବଡ଼ଫଳ’, ‘ଟକୁଅଁ’–ଏହିପରି ଅନେକ ଅଛି ।

 

ମୁଁ ନେବେଡ଼ି ନେବେଡ଼ି କିଛି ଦୂର ଯାଇଛି, ଦୂରରେ କିଛି ଗୋଟାଏ ଅସ୍ପଷ୍ଟ ଶବ୍ଦ ଶୁଣି ଠିଆ ହୋଇଗଲି । ଶବ୍ଦଟା କ୍ରମେ ନିକଟରୁ ନିକଟତର ହୋଇଆସୁଥାଏ । ୪।୬ ମିନିଟ ପରେ ସ୍ପଷ୍ଟ ଜଣାଗଲା–ଶିଙ୍ଘାଳଟା ଦ୍ରୁତଗତିରେ ଦୌଡ଼ିଆସୁଛି । ମୁଁ ବନ୍ଧୁକ ଛାତିରେ ଭିଡ଼ି ପ୍ରସ୍ତୁତ ହୋଇଗଲି । ଦୃଷ୍ଟି ପଡ଼ିବାମାତ୍ରେ ଫାୟାର କରିବି । ଦେଖୁ ଦେଖୁ ଶିଙ୍ଘାଳଟା ଜଙ୍ଗଲ ଭିତରୁ ବେକ କାଢ଼ି ବାଁ’କୁ ଡାହାଣକୁ ଦେଖିନେଲା । ତା’ପରେ ଡାହାଣ ଗୋଡ଼କୁ ଉଠାଇ ରାସ୍ତାରେ ପକାଇବାମାତ୍ରେ ମୁଁ ଏଲ. ଜି. ଗୁଳିଟି ଲାଛିଦେଲି । ଶିଙ୍ଘାଳଟା ଗଛ କାଟିଲାପରି ଦୁଲ୍‍ଦାଲ୍ ହୋଇ ପଡ଼ିଗଲା । ଟିକିଏ ଝୋଳ କରିବାପାଇଁ କୁକୁଡ଼ାଟାଏ କି କଇଁଚଟାଏ ମିଳୁ ନଥିଲା । ପୁଣି ଏତେବଡ଼ ଶିଙ୍ଘାଳ ! ଚାରିଦିନ କାଳ ଖାଇଲେ ବାଣ୍ଟିଲେବି ସରିବ ନାହିଁ । ଘୋର ନୈରାଶ୍ୟ ମଧ୍ୟରେ ପୁଣି ଏତେ ବଡ଼ ସାଫଲ୍ୟ ! ମୋର ଆନନ୍ଦ କୁଳାଇଲା ନାହିଁ । ଶିକାରୀଙ୍କ ଭାଗ୍ୟ ଏହିପରି । ହଜାରେ ମୁଣ୍ଡ କୋଡ଼ି ହେଲେବି ଶିକାରଟାଏ ଦେଖିବାକୁ ମିଳିବ ନାହିଁ । ପୁଣି ଏପରି ଅସମ୍ଭାବିତ ଭାବରେ ଶିକାର ମିଳିବ ଯେଉଁଥିରେ କି ଶିକାରୀ ଆତ୍ମହରା ହୋଇପଡ଼ିବେ ।

Image

 

ଖଲ୍ଲିକୋଟରେ ଶିକାର

 

ଅନେକଦିନ ତଳର କଥା । ସେତେବେଳେ ମୋର ବୟସ ଅଠର କି ଊଣେଇଶବର୍ଷ ହେବ । ସେତେବେଳକୁ ମୋତେ ଶିକାର ନିଶା ପୂରାଦମ୍‍ରେ ଘୋଟିଯାଇଥାଏ । କାରଣରେ ହେଉ ବା ବିନାକାରଣରେ ହେଉ ଗୁଳି ଚଳାଇ ଲକ୍ଷ୍ୟଭେଦ କରିବା ଥିଲା ମୋର କାମ । ବନ୍ଧୁକର ଶବ୍ଦ ମୋତେ କର୍ଣ୍ଣ ରସାୟନ ସଙ୍ଗୀତ ପରି ଲାଗୁଥିଲା । ବାରୁଦର ଗନ୍ଧ ମୋତେ ବେଶ୍ ଆନନ୍ଦଦାୟକ ହେଉଥିଲା । ଏ କଥା କହିବାକୁ ମୁଁ କୁଣ୍ଠିତ ନୁହେଁ ଯେ, ତୃପ୍ତିକର ଭୋଜନପାଇଁ ମାଂସର ଲୋଭ କମ୍ ନଥିଲା । ସତ କହିବାକୁ ଗଲେ । ସେତେବେଳେ ମୁଁ ଚୁଡ଼ାଭଜା ବା ମୁଢ଼ି ସାଙ୍ଗରେ ବେଲାଏ ଲେଖାଁ ସିଝା ମାଂସ ଖାଇ ହଜମ କରିଦେଉଥିଲି । ପାଞ୍ଚକୋଶ ହେଉ ଦଶକୋଣ ହେଉ, ଶିକାରର ସନ୍ଧାନ ପାଇଲେ ମୁଁ ସଙ୍ଗେ ସଙ୍ଗେ ଛୁଟିଯାଉଥିଲି ।

 

ଶ୍ରୀ ନୀଳକଣ୍ଠ ସିଂହସାମନ୍ତଙ୍କ ଘର ଖଲ୍ଲିକୋଟ ଗଡ଼ରେ । ସେ ଆମର ନିକଟସମ୍ପର୍କୀୟ ବନ୍ଧୁ । ମୋ’ଠାରୁ ବୟସରେ ୫।୬ ବର୍ଷ ବଡ଼ ହେବେ । ସେ ସମୟରେ ସେ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଟିକେଟ କଲେକ୍‍ଟର ଭାବରେ ଅବସ୍ଥାପିତ ହୋଇଥାନ୍ତି । ସେ ଅଭ୍ୟସ୍ତ ଶିକାରୀ ନ ହେଲେ ମଧ୍ୟ ବନ୍ଧୁକ ଚଳାଇ ଜାଣନ୍ତି । ତାଙ୍କଠାରୁ ଖଲ୍ଲିକୋଟରେ ଶିକାର ସୁଲଭତା ବିଷୟ ଶୁଣି ମୁଁ ବିଶେଷ ଆକୃଷ୍ଟ ହୋଇପଡ଼ିଲି । ବିଶେଷ କରି ନୀଳାମ୍ବୁ ଚିଲିକାରେ ପକ୍ଷୀ ଶିକାର କରି ଚିରବାଞ୍ଛିତ ଅଭିଳାଷ ପୂର୍ଣ୍ଣ କରିବି । ଆମ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇ ସ୍ଥିର ହେଲା–ଆସନ୍ତା ବଡ଼ଦିନ ଛୁଟିଟା ଶିକାର ଖେଳରେ କଟାଇବା ।

 

ପୂର୍ବ ନିର୍ଦ୍ଧାରିତମତେ ଆମେ ଡିସେମ୍ବର ମାସ ୨୨ ତାରିଖ ଦିନ ଖୋର୍ଦ୍ଧାରୋଡ଼ରୁ ଖଲ୍ଲିକୋଟ ଅଭିମୁଖେ ଯାତ୍ରା କଲୁ । ମୁଁ ସେଠାରେ ପହଞ୍ଚି ଦେଖିଲି, ଗଡ଼ର ଅବସ୍ଥିତି ଓ ପ୍ରାକୃତିର ଶୋଭା ଅତି ଚିତ୍ତାକର୍ଷକ । ଗଡ଼ର ଚତୁର୍ଦ୍ଦିଗରେ ଚିରସବୁଜ ଗିରିମାଳା ପରିବେଷ୍ଟିତ ହୋଇ ଶୋଭାବର୍ଦ୍ଧନ କରୁଅଛନ୍ତି । ଅଦୂରରେ ଶୋଭାର ଭଣ୍ଡାର ଚିଲିକା ବିଦ୍ୟମାନ । ଖଲ୍ଲିକୋଟକୁ ମୋର ଏଇ ପ୍ରଥମ ଆଗମନ । ସ୍ଥାନର ପରିବେଶଟି ମୋତେ ଭାରି ଭଲ ଲାଗିଲା ।

 

ବଡ଼ଦିନ ଶିକାରପାଇଁ ତତ୍‍କାଳୀନ ରାଜାବାହାଦୁର ଖୁବ୍ ତତ୍ପର ହୋଇ ଉଠିଥାନ୍ତି । ରାଜାବାହାଦୁରଙ୍କର କେତେଜଣ ବିଶିଷ୍ଟ ଅତିଥି ଆସିଗଲେଣି । ଆଉ କେତେକ ଦିନେଓଳିକେ ଆସିଯିବେ । ସେମାନଙ୍କ ମଧ୍ୟରେ କନିକାର ଭୂତପୂର୍ବ ରାଜାସାହେବ, ମଞ୍ଜୁଷାଧୀଶ୍ଵର, ସୁରଙ୍ଗୀ, ଧରାକୋଟ ଓ ସେରଗଡ଼ର ଭୂତପୂର୍ବ ରାଜାମାନେ ପ୍ରଧାନ । ଏମାନେ ଖଲ୍ଲିକୋଟ ଗଡ଼ରେ ନିଜେ ରାଜାବାହାଦୁରଙ୍କ ତତ୍ତ୍ଵାବଧାନରେ ଅବସ୍ଥାନ କରୁଥାନ୍ତି । ଆଉ କେତେକ ୟୁରୋପୀୟ ବନ୍ଧୁ ଷ୍ଟେଟ୍‍ର ତତ୍‍କାଳୀନ ମ୍ୟାନେଜର Oswald Dodsworthଙ୍କ ଦାୟିତ୍ଵରେ ରମ୍ଭା ପ୍ୟାଲେସରେ ଅବସ୍ଥାନ କରୁଥାନ୍ତି । ଏହିପରି ଭାବରେ ବଡ଼ଦିନ ଶିକାର ଖୁବ୍ ଜାକଜମକର ସହ ପାଳିତ ହେଉଥାଏ ।

 

ବାଘ ବ୍ୟତୀତ ଅନ୍ୟ ଶିକାର କରିବାରେ ରାଜବିରାଦରମାନଙ୍କ ପ୍ରତି କୌଣସି କଟକଣା ନଥିଲା । ତେଣୁ ସେମାନେ ଅବାଧରେ ଶିକାର କରିପାରୁଥିଲେ । ୨୩ ତାରିଖରେ ମୁଁ ନୀଳକଣ୍ଠବାବୁଙ୍କ ସହିତ ଯାଇ ରାଜାସାହେବଙ୍କ ସହ ଦେଖା କଲି । ମୁଁ ଶିକାର ଉଦ୍ଦେଶ୍ୟରେ ଯାଇଥିବାର ଜାଣି ସେ ଭାରି ଖୁସି ହେଲେ । ମୋର ଶିକାର ସକାଶେ ଗୋଟିଏ ବନ୍ଧୁକ ଦରକାର । ରାଜାବାହାଦୁର ଗୋଟିଏ ବନ୍ଧୁକ ଓ ୨୫ଟି କାଟ୍ରିକ୍ ସକାଶେ ଅର୍ଡ଼ର କରିଦେଲେ । ସେତେବେଳେ ରାଜାଙ୍କ ଟ୍ରେଜେରୀରେ ଶତାଧିକ ବନ୍ଧୁକ, ପେଟି ପେଟି କାର୍ତ୍ତୋସ ଭର୍ତ୍ତି ହୋଇଥାଏ । ମୁଁ ବାଛି ବାଛି ଗୋଟିଏ ୧୨ବୋର ଡବଲ ବାରେଲ ବନ୍ଧୁକ ଓ କାଟ୍ରିକ୍ ନେଇ ଆସିଲି । ଟ୍ରେଜରର କହିଲେ, “ଆପଣଙ୍କର ଆଉ ଯେତେ କାଟ୍ରିକ୍ ଦରକାର ଆସି ନେଇଯିବେ ।” ମୋ ପ୍ରତି ଏତେ ଅନୁଗ୍ରହ ଦେଖାଇବାର କାରଣ, ସେ ହେଉଛନ୍ତି ନୀଳକଣ୍ଠବାବୁଙ୍କର କୁଟୁମ୍ବୀୟ ଲୋକ ।

 

ନୀଳକଣ୍ଠବାବୁଙ୍କ ପ୍ରଚେଷ୍ଟାରେ ଗୋଟିଏ ଆଡ଼ି ଶିକାରର ଆୟୋଜନ ହେଲା । ୨୪ ତାରିଖ ଦିନ ସକାଳୁ ପ୍ରାତଃଭୋଜନ ଶେଷ କରି ଆମେ ବାହାରିପଡ଼ିଲୁ । ଆମ ଦଳରେ ପାଞ୍ଚ ଜଣ ଶିକାରୀ ଓ ତିରିଶଜଣ କାଳି କଲାବାଲା ଥିଲେ । ପ୍ରଥମେ ଆମେ ଗୋଟିଏ ଛୋଟ ପାହାଡ଼କୁ ଘେରାଉ କରି କାଳି ଆରମ୍ଭ କଲୁ । ଶିକାରୀମାନେ ପାହାଡ଼ର ଅପର ପାର୍ଶ୍ଵରେ ଡଗର ରାସ୍ତାମାନଙ୍କରେ ଜଗି ରହିଗଲେ । ହୁଇସିଲ୍ ବାଜିଉଠିଲା । କାଳି କଲାବାଲାମାନେ ଗଛପତ୍ର ପିଟି ମହା କୋଳାହଳରେ ତଡ଼ିଆସୁଛନ୍ତି । ଜଙ୍ଗଲର ଜନ୍ତୁମାନଙ୍କ ମଧ୍ୟରେ ମହା ଆତଙ୍କ ଘୋଟିଗଲା । ସେମାନେ ବଣବୁଦା ମାଡ଼ି ଦୌଡ଼ାଦୌଡ଼ି ଆରମ୍ଭ କରିଦେଲେ । ସମ୍ବର, ହରିଣ, କୁଟ୍ରାମାନଙ୍କ ଖୁରାନାଦରେ ପାହାଡ଼ଟା ଧ୍ଵନିତ ହେବାକୁ ଲାଗିଲା ।

 

ଆଡ଼ି ଶିକାରରେ ଆକସ୍ମିକ ବିପଦର ସମ୍ଭାବନା ଅନେକ ଅଛି । ସେଥିପାଇଁ ଶିକାରୀମାନେ ମଞ୍ଚା ଉପରେ ରହିବାର କଥା । କିନ୍ତୁ ଏଠାରେ ମଞ୍ଚାର ବ୍ୟବସ୍ଥା ନ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଶିକାରୀମାନଙ୍କଠାରୁ ବୁଝିଲି, ଏ ଜଙ୍ଗଲରେ ବାଘ ପ୍ରାୟ ନାହାନ୍ତି; କିନ୍ତୁ ଚିତା ବାଘ ଅନେକ ଅଛନ୍ତି । ଶିକାରୀମାନେ ନିଜେ ନିଜର ସାମନାକୁ ଫାୟାର କରିବେ । କେହି କଡ଼ପଟକୁ ଫାୟାର କରିବେ ନାହିଁ । ଏଥିରେ ଆଉ ମଞ୍ଚାର ଆବଶ୍ୟକତା କ’ଣ ? ଶିକାରୀମାନେ ଯେ ଯାହାର ଆସ୍ଥାନ ଜମାଇ ରହିଗଲେ । ମୁଁ ଗୋଟିଏ ବୁଦା ଆଢ଼ୁଆଳରେ ଦେହକୁ ଛପାଇ ପ୍ରସ୍ତୁତ ହୋଇଥାଏ ।

 

କିଛି ସମୟ ଅତିବାହିତ ହୋଇଗଲା । ଗୋଟିଏ ବୃହତ୍‍କାୟ ସମ୍ବର ମୋ ଆଡ଼କୁ ଆସୁଥିବା ମୁଁ ସ୍ପଷ୍ଟ ବୁଝିପାରିଲି । ମୁଁ ଡଗର ଉପରେ ସତର୍କ ଦୃଷ୍ଟି ରଖି ଠିଆ ହୋଇଛି । ଚାହୁଁ ଚାହୁଁ ସେଟା ଡଗରରେ ନ ଆସି ଅବାଟରେ ଡେଇଁ ଚାଲିଗଲା । ମୁଁ ଭାଗ୍ୟକୁ ନିନ୍ଦା କରି ଚୁପ୍ ରହିଗଲି । ମାତ୍ର କେତେ ମିନିଟ ପରେ ମୋ ପାଖ ଶିକାରୀ ଫାୟାର କଲେ । ସେ ମୋ ପାଖକୁ ପ୍ରାୟ ଦୁଇଶହ ଗଜ ଦୂରରେ ଥିଲେ । ସେ କାହାକୁ ମାରିଲେ, କ’ଣ ହେଲା ମୁଁ ଜାଣିପାରିଲି ନାହିଁ, ପରେ ଜଣାଯିବ । ମୁଁ ଉତ୍କଣ୍ଠିତ ଭାବରେ ପରବର୍ତ୍ତୀ ଘଟନାକୁ ଅପେକ୍ଷା କରି ରହିଛି । ବେଶି ସମୟ ଗତ ହୋଇନାହିଁ । ମୋର ଅନତିଦୂରରେ ଖସ୍‍ଖାସ୍ ଭସ୍‍ଭାସ୍ ଶବ୍ଦ ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଉଠିଲି-। ଜନ୍ତୁଟା କ୍ଷିପ୍ର ଗତିରେ ଧାଇଁଆସୁଛି । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ସାମନାକୁ ଲକ୍ଷ୍ୟ କରି ଧରିଥାଏ । ଦେଖୁଦେଖୁ ସେ ଗୋଟିଏ କୁଦାରେ ଆସି ମୋ ପାଖରେ ପଡ଼ିଲା । ବାପ୍‍ରେ ! ମସ୍ତବଡ଼ ଚିତା !! ମଟରରେ ବ୍ରେକ୍ ଦେଲା ଭଳି ସେ ହଠାତ ମୋ ପାଖରେ ରୋକିଗଲା । ନିଶକୁ ଫୁଲାଇ, ଦାନ୍ତ ନିକୁଟି, ଲାଞ୍ଜ ହଲାଇ ଲେପ୍‍ଟି ପଡ଼ିଥାଏ ।

 

ଏ ଆକସ୍ମିକ ଘଟନାରେ ମୁଁ ଏକବାରକେ ଛାନିଆ ହୋଇପଡ଼ିଲି । ମୋର ହୃତପିଣ୍ଡର ଗତି ଯେ କେତେ ବଢ଼ିଗଲା କହିପାରିବି ନାହିଁ । କ’ଣ କରିବାକୁ ହେବ ହଠାତ ମୋର ବୃଦ୍ଧି ସ୍ଫୁରିଲା ନାହିଁ । କିନ୍ତୁ ମୋର ଅଲକ୍ଷ୍ୟରେ ବନ୍ଧୁକଟା ତା’ ଉପରକୁ ଲକ୍ଷ୍ୟ ହୋଇଯାଇଛି । ବନ୍ଧୁକରେ ଘୋଡ଼ା ଚଢ଼ିଥିଲା । ଟ୍ରିଗରରେ ଆଙ୍ଗୁଳି ଲାଗିଯାଇଥିଲେ ମୋର ରଫାଦଫା ହୋଇଯାଇଥାନ୍ତା । କାରଣ ଗୁଳି ଲାଗୁ ବା ନ ଲାଗୁ ସେ ନିଶ୍ଚୟ ଆକ୍ରମଣ କରିଥାନ୍ତା । ଏତେ ନିକଟକୁ ତା’ ଆକ୍ରମଣର ପ୍ରତିରୋଧ କରିବା ଏକାନ୍ତ ଅସମ୍ଭବ । ମାତ୍ର କେତେ ସେକେଣ୍ଡ ପରେ ସେ ଘୋର ଗର୍ଜନ କରି ପଛକୁ ଫେରିଗଲା । ମୁଁ ଟିକିଏ ଆଶ୍ଵସ୍ତ ହେଲି । ସେଦିନ ମୋ ଭାଗ୍ୟରେ ଫାୟାର କରିବା ସୁଯୋଗ ମିଳିଲା ନାହିଁ । କିନ୍ତୁ ଆମ ଦଳର ଶିକାରୀ ଗୋଟିଏ କୁଟ୍ରା ଓ ଗୋଟିଏ ସମ୍ବର ଶିଙ୍ଘାଳ ମାରିଥିଲେ । ମୁଁ ନ ମାରିଲେ ମଧ୍ୟ ସେଦିନ ଆମର ଶିକାର ଯାତ୍ରା ସଫଳ ହୋଇଥିଲା ।

 

ଖଲ୍ଲିକୋଟ ରାଜାବାହାଦୁର ରାଜଅତିଥିମାନଙ୍କୁ ସଙ୍ଗରେ ନେଇ ମୃଗୟା କ୍ରୀଡ଼ାରେ ମାତିଯାଇଥାନ୍ତି । ଗଡ଼ଠାରୁ ୧୫ ମାଇଲ ଦୂର ଏକ ଜଙ୍ଗଲରେ କ୍ୟାମ୍ପ କରି ଶିକାର କରୁଥିଲେ । ଫେରିଆସିଲେଣି । ୨୫ ତାରିଖ ଦିନ ଚିଲିକାରେ ପକ୍ଷୀ ଶିକାର କରିବା ପ୍ରୋଗ୍ରାମ ସ୍ଥିରୀକୃତ ହୋଇଥିଲା । ରାଜାଙ୍କ ଗହଣରେ କେତେଜଣ ରାଜବିରାଦର ଯିବାର କଥା । କୌଣସିପ୍ରକାରେ ମୁଁ ସେଥିରେ ସାମିଲ ହୋଇଗଲି । ଗଡ଼ଠାରୁ ଚିଲିକା ୩୪ ମାଇଲ ଦୂର । ମଟର ଯୋଗେ ଯାଇ ସେଠାରୁ ବୋଟ୍‍ରେ ଯିବାକୁ ହେବ । ଦିନ ୧୦ଟା ବେଳକୁ ସମସ୍ତେ ସଦଳବଳେ ବାହାରିପଡ଼ିଲେ-

 

ରାଜାସାହେବର ଅନେକଗୁଡ଼ିଏ ବୋଟ୍ ଅଛି । ସେଥିମଧ୍ୟରେ ଗୋଟିଏ ସୁବୃହତ୍ ସୁସଜ୍ଜିତ ଦୋମହଲା ବୋଟ୍ ଥିଲା । ତାହାର ନାମ ‘ଲେଡ଼ି ଅଫ୍ ଚିଲିକା’ । ସମସ୍ତେ ତହିଁରେ ବସି ଚିଲିକା ମଧ୍ୟରେ ପ୍ରବେଶ କଲୁ । ପ୍ରଥମେ ରାଜାମାନଙ୍କ ମଧ୍ୟରେ ଲକ୍ଷ୍ୟ ପରୀକ୍ଷା ପ୍ରତିଯୋଗିତା ଚାଲିଲା । ଶରବ୍ୟ ହେଲା ହଂସର ବେକ । ୨୨ ବୋର ରାଇଫଲରେ ଗୁଳିବର୍ଷଣ ହେବାକୁ ଲାଗିଲା । ମଞ୍ଜୁଷାଧୀଶ୍ଵରଙ୍କର ବ୍ୟାଘ୍ରହନ୍ତା ନାମ ଅଛି ସତ, କିନ୍ତୁ ଲକ୍ଷ୍ୟଭେଦରେ କନିକା ରାଜାସାହେବଙ୍କ ସମକକ୍ଷ କେହି ନଥିଲେ ।

 

ବଡ଼ ଆଶ୍ଚର୍ଯ୍ୟର କଥା, ଚିଲିକାରେ ଗୁଳି ଫୁଟିଲେ କୁରୁବଳ ପକ୍ଷୀ କେଉଁଠି ଥିବେ ଆସି ଚକ୍କର ମାରିବେ । କନିକା ରାଜାସାହେବଙ୍କ ଗୁଳିରେ ଗୋଟିଏ ହଂସ ଟଳିପଡ଼ିଲା । ସଙ୍ଗେ ସଙ୍ଗେ କୁରୁବଳଟା ତାକୁ ଉଠାଇ ନେଇ ଆକାଶରେ ଘୂରୁଥାଏ । ଧରାକୋଟରାଜା କନିକା ରାଜାଙ୍କୁ ଟିକିଏ ବ୍ୟଙ୍ଗ କରି କହିଲେ, “ହଇକିଏ, ତୁମ ଶିକାରଟାକୁ ତ କୁରୁବଳ ନେଇଗଲା, ଏବେ କିସ କରିବାର ହେ ?” କନିକା ରାଜା କହିଲେ, “ଆମ ଶିକାରଟାକୁ ଆମେ ନେଇ ଆସିବା, ଦେଖ !” କହିବା ସଙ୍ଗେ ସଙ୍ଗେ ଲାଛି ଦେଲେ ଯେ, କୁରୁବଳ ପଞ୍ଝାରୁ ହଂସଟା ଦୁଲ୍‍କରି ପାଣିରେ ପଡ଼ିଲା । ସାଙ୍ଗରେ ଥିବା ସାହାଯ୍ୟକାରୀ ଲଞ୍ଚ୍‍ଟି ତୀର ବେଗରେ ଛୁଟିଯାଇ ସେ ହଂସଟିକୁ ଉଠାଇ ଆଣିଲା । ସମସ୍ତେ ଖୁସି ହୋଇ ଧନ୍ୟବାଦ ଅର୍ପଣ କରିବାରେ ଲାଗିଲେ ।

 

ଶେଷରେ ଆମ୍ଭମାନଙ୍କୁ ଫାୟାର କରିବାକୁ ସୁଯୋଗ ଦିଆଗଲା । ମୁଁ ଥରେ ମାତ୍ର ଫାୟାର କରିବାର ସୁଯୋଗ ପାଇଥିଲି ତାହା ପୁଣି ଉଡ଼ନ୍ତା ପକ୍ଷୀ ଦଳ ଉପରକୁ । ଦୁଇଟି ଚକୁଆ ପଡ଼ିଥିଲେ । କନିକାରାଜା ମତେ କହିଲେ, “ତମ ପଟିଆ ରାଜା କନିକାରେ ଛଅଟା ହରିଣ ମାରିଥିଲେ; ତମେ ଛାଡ଼ିବ !” ରାଜାମାନଙ୍କ ଗହଣରେ ଥାଇ ସ୍ଵଭାବସୁନ୍ଦରୀ ଚିଲିକାର ଶୋଭା ଉପଭୋଗ କରିବାକୁ ଯଥେଷ୍ଟ ଅବକାଶ ମିଳିଲା ନାହିଁ । ଆଉଦିନେ ସ୍ୱାଧୀନ ଭାବରେ ଚିଲିକା ଦର୍ଶନ କରିବାର ପ୍ରବଳ ଆକାଂକ୍ଷା ରହିଲା । ଆମ୍ଭେମାନେ ଦିନ ଦୁଇଟାବେଳକୁ ଫେରିଲୁ ।

 

ରାଜବାଟିରୁ ଗୋଟିଏ ହଂସ ଓ ଗୋଟିଏ ଚକୁଆ ନୀଳକଣ୍ଠବାବୁଙ୍କ ଘରକୁ ପଠାଇଦିଆଯାଇଥିଲା । ଶୀତଦିନରେ ଜଳଚରପକ୍ଷୀଙ୍କର ମାଂସ ଚର୍ବିଯୁକ୍ତ ଓ ସୁସ୍ଵାଦୁ ହୁଏ । ହଂସ ମାଂସ ଖାଇବାକୁ ମୋର ବଡ଼ ଆଗ୍ରହ ଥିଲା । କିନ୍ତୁ ତାଙ୍କ ଘରେ ହଂସ ମାଂସରେ ବାଇଗଣ ପକାଇ ତରକାରୀ କରିବାର ବରାଦ ଶୁଣି ହତାଶ ହେଲି । ମାଂସରେ ବାଇଗଣ ପକାଇ ତରକାରୀ ହୁଏ–ଏ କଥା ମୁଁ କେବେ ଜାଣି ନଥିଲି । ନୀଳକଣ୍ଠବାବୁଙ୍କ ବାପାଙ୍କୁ ପଚାରିଲି–‘‘ମାଂସରେ କ’ଣ ପଡ଼େ ?” ସେ କହିଲେ, “ହଂସ ମାଂସକୁ ବାଇଗଣ, ଝିଙ୍କ ମାଂସକୁ ପଣସ ମଞ୍ଜି ଭଲ ଘେନିବାର ଏକା ।” ପଣସ ମଞ୍ଜି କଥା ଶୁଣି ମୋତେ ଆହୁରି ହସ ଲାଗିଲା । କିନ୍ତୁ ଖାଇଲାବେଳକୁ ଜାଣିଲି ତରକାରୀ ବେଶ୍ ସୁଆଦ ହୋଇଥିଲା ।

 

ଚିଲିକାରେ ଅନେକଗୁଡ଼ିଏ ଦ୍ୱୀପ ଅଛି । ଖଲ୍ଲିକୋଟ ଷ୍ଟେନ୍ ଅନ୍ତର୍ଗତ ଦ୍ୱୀପମାନଙ୍କ ମଧ୍ୟରେ ସମଲନାସୀ, ବରକୁଦା, ଛେଳିଆ କୁଦା ଓ ଗୋପକୁଦା ପ୍ରଧାନ । ସମଲନାସୀରେ ଜନବସତି ଓ ଜଙ୍ଗଲ ଅଛି । ବରକୁଦାରେ ଜନବସତି ନାହିଁ; ରାଜାସାହେବଙ୍କର ଗୋଟିଏ ସୁରମ୍ୟ ଅଟ୍ଟାଳିକା ଅଛି । ଏହା ଗୋଟିଏ ସ୍ୱାସ୍ଥ୍ୟ ନିବାସ । ଏଠାରେ ଜଙ୍ଗଲ ଅଛି । ଜଙ୍ଗଲରେ ହରିଣ, କୁଟ୍ରା, ବାର୍‍ହା ପ୍ରଚୁର ପରିମାଣରେ ଥାଆନ୍ତି । ଏହା ଏକ ପ୍ରକାର ପ୍ରାକୃତିକ ଚିଡ଼ିଆଖାନା କହିଲେ ଚଳେ । ଗଭର୍ଣ୍ଣର ପ୍ରଭୃତି ପଦସ୍ଥ କର୍ମକର୍ତ୍ତାମାନେ ଏଠାରେ ରହି ଶିକାର କରନ୍ତି । ରାଜାଙ୍କର ବିନାନୁମତିରେ କେହି ଏଠାରେ ଶିକାର କରିପାରିବେ ନାହିଁ । ଛେଳିଆକୁଦା କାଙ୍କଣପାଇଁ ବିଖ୍ୟାତ-। ଏଠାରେ ଅପର୍ଯ୍ୟାପ୍ତ କାଙ୍କଣ ମିଳେ ।

 

ଚିଲିକାରେ ପକ୍ଷୀ ଶିକାର କରିବା । ସଙ୍ଗେ ସଙ୍ଗେ ବରକୁଦା ଦ୍ଵୀପଟା ଦେଖିବାର ଇଚ୍ଛା ବଳବତୀ ହୋଇ ଉଠିଲା । ନିଳକଣ୍ଠବାବୁ ପୂର୍ବ ଦିନରୁ ନୌକାର ବ୍ୟବସ୍ଥା କରିଦେଇ ଆସିଥିଲେ । ନୀଳକଣ୍ଠବାବୁ, ତାଙ୍କର ଜଣେ ସ୍ଥାନୀୟ ବନ୍ଧୁ ଓ ଏପରି ତିନିଜଣ ୨୭ ତାରିଖ ଦିନ ଅତି ପ୍ରତ୍ୟୁଷରୁ ଯାତ୍ରା ଆରମ୍ଭ କଲୁ । ଚିଲିକାରେ ପହୁଞ୍ଚିବାବେଳକୁ ଆହୁରି ସୂର୍ଯ୍ୟ ଉଦୟ ହୋଇନାହାନ୍ତି । ନୌକା ପ୍ରସ୍ତୁତ ଥିଲା । ଆମେ ସଙ୍ଗେ ସଙ୍ଗେ ନୌକା ରୋହଣ କରି ଜଳଯାତ୍ରା ଚଳାଇଲୁ ।

 

ଦିଗନ୍ତବିସ୍ତାରୀ ଜଳରାଶି । ଆମର ନୌକା ବରକୁଦା ଅଭିମୁଖେ ଛୁଟିଥାଏ । ନାନାରଙ୍ଗର ଅସଂଖ୍ୟ ପକ୍ଷୀ ଚିଲିକାର ସୁନୀଳ ବକ୍ଷରେ ବିହାର କରୁଥାନ୍ତି । ସେମାନଙ୍କର ପ୍ରଭାତୀ କଳରବରେ ମରାଳମାଳିନୀ ମୁଖରିତ ହୋଇଉଠୁଥାଏ । ଜଣେ ଜଣେ ମତ୍ସଜୀବୀ ମାଛ ଧରି ହୃଷ୍ଟଚିତ୍ତରେ ଗୀତ ଗାଇ ଗାଇ ଫେରୁଥାନ୍ତି । ପୂର୍ବ ଦିଗରେ ସିନ୍ଦୂରା ଫାଟିଲା । ଚିଲିକାବକ୍ଷରୁ ସେ ଅପାର ଶୋଭା ଦର୍ଶନ କରି ମୁଁ ମୁଗ୍ଧ ହୋଇଗଲି । ମୁଁ କବି ନୁହେଁ କି ଭାବୁକ ନୁହେଁ । ମୋ’ପରି ଅକିଞ୍ଚନ ସେ ଶୋଭାର ବର୍ଣ୍ଣନା କରିବାକୁ କେବେ ସମର୍ଥ ହୋଇପାରେ ! ଯାହାର ଅପୂର୍ବ ସୌନ୍ଦର୍ଯ୍ୟ ଦର୍ଶନରେ ବିମୁଗ୍ଧ ହୋଇ କବିବର ଗାଇ ଉଠିଛନ୍ତି:

 

“ଆହା ଏ ଶୋଭାର କାହିଁ ପଟାନ୍ତର,

ଥିଲେ ଥିବେ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର ।”

 

ମୁଁ ପ୍ରକୃତିର ଶୋଭାରେ ତନ୍ମୟ ହୋଇ ପଡ଼ିଥିଲି । ଶିକାର କଥା ମୋର ସ୍ମରଣରେ ନଥିଲା । ହଠାତ ଗୁଳି ଶବ୍ଦରେ ମୋର ଧ୍ୟାନଭଗ୍ନ ହେଲା । ଦେଖେ ତ ନୀଳକଣ୍ଠବାବୁଙ୍କ ଗୁଳିରେ ଦୁଇଟି କୃଷ୍ଣ ହଂସ ପଡ଼ିଛନ୍ତି । ତାକୁ ଉଠାଇ ଆଣି ପୁଣି ଆଗେଇ ଚାଲିଲୁ । କିଛିଦୂର ଅଗ୍ରସର ହେବାପରେ ଗୋଟିଏ ଗେଣ୍ଡୁ (ପକ୍ଷୀ ବିଶେଷ) ଦଳ ଦୃଷ୍ଟିଗୋଚର ହେଲେ । ସେମାନଙ୍କର ସଂଖ୍ୟା ଶତାଧିକ ଥିଲା । ବନ୍ଧୁକର ରେଞ୍ଜ ମଧ୍ୟରେ ଥିଲେ । ଏ ସୁଯୋଗ ଛାଡ଼ିବାର ନୁହେଁ । କଥା ହେଲା ଆଗେ ନୀଳକଣ୍ଠବାବୁ ଫାୟାର କରିବେ । ଉଡ଼ିଲାବେଳକୁ ମୁଁ ଫାୟାର କରିବି । ନୌକାକୁ ଲଙ୍ଗର କରି ନିଶାଣ ଲଗାଇଲୁ । ନୀଳକଣ୍ଠବାବୁ ଫାୟାର କଲେ । ତା’ପରେ ପରେ ମୁଁ ଫାୟାର କଲି । ସର୍ବମୋଟ ଆଠଟି ପକ୍ଷୀ ପଡ଼ିଲେ । ସେଗୁଡ଼ିକ ଉଠାଇଆଣି ପୁଣି ଦ୍ରୁତଗତିରେ ନୌକା ଚଳାଇଲୁ-। ଗନ୍ତବ୍ୟ ପଥରେ ଅନେକ ପକ୍ଷୀ ମିଳିଲେ । କିନ୍ତୁ ଚକୁଆ, ବତକ ପ୍ରଭୃତି ପକ୍ଷୀ ଶିକାର କରିବାର ଆଉ ଇଚ୍ଛା ନଥିଲା । ରାଜହଂସ ମିଳିବା ଅପେକ୍ଷାରେ ଥାଉ । ଶେଷ ପର୍ଯ୍ୟନ୍ତ ରାଜହଂସ ମିଳିଲେ ନାହିଁ । ଆମେ ଯାଇ ବରବୁଦାରେ ପଦାର୍ପଣ କଲୁ । ସେତେବେଳକୁ ଦିନ ଏଗାରଟା ।

 

ଆମେ ସିଧା ରାଜାଙ୍କ ବଙ୍ଗଳାରେ ପହଞ୍ଚିଲୁ । ଯୋଗକୁ ସେଦିନ ବଙ୍ଗ୍‍ଲୋରେ କୌଣସି ଅତିଥି ନଥିଲେ । ବଙ୍ଗଳାରକ୍ଷକ ରାମ ପାଇକ ଖଲ୍ଲିକୋଟ ଗଡ଼ର ଲୋକ । ନୀଳକଣ୍ଠବାବୁଙ୍କର ବେଶ୍ ପରିଚିତ । ସେ ତାଙ୍କର ପରିବାର ସହ ସେଠାରେ ରହୁଥାନ୍ତି । ଆମକୁ ଚା’ ଜଳଖିଆରେ ଆପ୍ୟାୟିତ କଲେ । ଆମେ ସାଙ୍ଗରେ ନେଇଥିବା ଡାଲି, ଚାଉଳ ଓ ଦୁଇଟି ପକ୍ଷୀ ଶିକାର ତାଙ୍କୁ ଧରିଦେଲୁ । ମଧ୍ୟାହ୍ନ ଭୋଜନଟା ଏହିଠାରେ ହେବ । ବରକୁଦା ଦ୍ଵୀପଟି ଆକାରରେ ୪ ବର୍ଗମାଇଲ-। ପାନୀୟ ଜଳ ସକାଶେ କୂଅ ଖୋଳାଯାଇଛି । ଏଠାରେ ଜନବସତି ନାହିଁ । ଚିରଶ୍ୟାମଳ ବନରାଜିରେ ଦ୍ଵୀପଟି ପୂର୍ଣ୍ଣ । ଶୁଷ୍କ ସମତଳ ଭୂମି । ଏହା ଏକ ସ୍ଵାସ୍ଥ୍ୟକର ଏବଂ ରମଣୀୟ ସ୍ଥାନ ମଧ୍ୟ ।

 

ଆମେ ଟିକିଏ ବିଶ୍ରାମ କଲା ପରେ ଜଙ୍ଗଲଯାତ୍ରାରେ ବାହାରିଲୁ । ଶିକାର କରିବାର ଅନୁମତି ନାହିଁ । ତେଣୁ ଆମର ଶିକାର କରିବା ଉଦ୍ଦେଶ୍ୟ ନଥିଲା । ପଲ ପଲ ହରିଣ, କୁଟ୍ରା, ବାର୍‍ହା ଦୃଷ୍ଟିଗୋଚର ହେଲେ । ଏମାନେ ବାହାରକୁ ଚାଲିଯିବାର କୌଣସି ଉପାୟ ନାହିଁ କିମ୍ଵା ଏମାନଙ୍କର ଶତ୍ରୁ ବାଘ କା ଶିକାରୀ ଏଠାରେ ନାହାନ୍ତି । ତେଣୁ ସେମାନଙ୍କର ବଂଶ କ୍ରମେ ବୃଦ୍ଧି ହେବାରେ ଲାଗିଛି । ହରିଣ ବାର୍‍ହା ଆମ ଆଗରେ ଖପ୍‍ଖାପ୍ ଡେଇଁ ଚାଲିଯାଉଥାନ୍ତି । କେହି କେହି ଚକିତ ନେତ୍ରରେ ଆମକୁ ଚାହିଁ ରହନ୍ତି । ସେମାନଙ୍କର କରୁଣ ଚାହାଣି ଦେଖିଲେ କାହା ମନରେ ଦୟାର ସଞ୍ଚାର ନ ହେବ ? ଆମେ କିଛି ସମୟ ବୁଲାବୁଲି କରି ଫେରିଆସିଲୁ । ସେଠାରେ ମଧ୍ୟାହ୍ନ ଭୋଜନ ଶେଷ କରି ଗୃହାଭିମୁଖେ ନୌକାରୋହଣ କଲୁ ।

 

ଫେରିବା ସମୟରେ ଆମର ଲକ୍ଷ୍ୟ ରହିଲା ହଂସ ଶିକାରରେ । ନୌକା ଚାଲିଛି । ଚତୁର୍ଦ୍ଦିଗରେ ସନ୍ଧାନୀ ଦୃଷ୍ଟି ପକାଇ ଦେଖୁଛୁ । ଦୂରରେ ଗୋଟିଏ ‘ଏରା’ ପକ୍ଷୀ ବସିଥିବାର ଦୃଷ୍ଟିଗୋଚର ହେଲା । ଏ ଲୋଭନୀୟ ପକ୍ଷୀଟିକୁ କରଗତ କରିବା ଲୋଭ ମୁଁ ସମ୍ୱରଣ କରିପାରିଲି ନାହିଁ । ତାକୁ ରେଞ୍ଜ ମଧ୍ୟରେ ଆଣିବାକୁ ବହୁ ଚେଷ୍ଟା ଚଳାଇଲି; କିନ୍ତୁ ଶେଷରେ ହାର ମାନିବାକୁ ପଡ଼ିଲା । କାରଣ ସେଟା ଥିଲା ବଡ଼ ତରକା । ତା’ପରେ ୪ଟି ରାଜହଂସ ସନ୍ତରଣ କରୁଥିବାର ଦେଖି ଆମେ ପିଛା କରିବାରେ ଲାଗିପଡ଼ିଲୁ । ଆମର ନୌକା ରେଞ୍ଜ ମଧ୍ୟକୁ ନ ଆସୁଣୁ ସେମାନେ ଉଡ଼ିଯାଇ ଅନ୍ୟତ୍ର ପଡ଼ନ୍ତି ।

 

ଥରେ ହଂସଗୁଡ଼ିକ ଉଠିଯାଇ ଗୋଟିଏ ଘାସବଣର ଅପର ପାର୍ଶ୍ୱରେ ପଡ଼ିଲେ । ଆମେ ସେ ବଣର ଏପାଖରେ ଥାଇ ଅତି ଧୀରେ ଧୀରେ ନୌକା ଚଳାଇ ଠିକ୍ ରେଞ୍ଜ ମଧ୍ୟରେ ପହଞ୍ଚିଗଲୁ-। କିନ୍ତୁ ସେତେବେଳକୁ ସେମାନେ ଫାଙ୍କ ଫାଙ୍କରେ ସନ୍ତରଣ କରୁଥିଲେ । ଏକତ୍ର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୋର ଆଉ ଧୈର୍ଯ୍ୟ ନଥିଲା । ପୁଣି ଭାବିଲି, ‘ଅତି ଲୋଭରୁ ତନ୍ତୀ ମରେ’ । ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହେବା ଭଲ । ମୁଁ ଆଉ ବିଳମ୍ବ ନ କରି ଫାୟାର କଲି । ଦୁଇଟି ହଂସ ଟଳିପଡ଼ିଲେ । ଯାହାହେଉ ମୋର ଅଭୀଷ୍ଟ ସିଦ୍ଧି ହେଲା । ଆମେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିଆସିଲୁ ।

 

୨୮ ତାରିଖ ଦିନ ବିଶ୍ରାମ ଓ ଶିକାର ସମ୍ବନ୍ଧୀୟ ନାନା କଳ୍ପନାରେ କଟିଲା । ଆମର ମନ୍ତ୍ରଣାରେ ସ୍ଥିର ହେଲା–୨୯ ତାରିଖ ଦିନ ଗୋତରା ଶିକାରରେ ଯିବା । ଏଥିପାଇଁ ବିଶେଷ କିଛି ଆୟୋଜନର ଆବଶ୍ୟକତା ନାହିଁ । ବଣବୁଦା ଏପଟରେ ଦେହକୁ ଛପାଇ, ଖୋଜ ଧରି, ଜଙ୍ଗଲର ଗଳିକନ୍ଦିରେ ବୁଲି ଶିକାର କରିବାକୁ ଗୋତରା ଶିକାର କୁହନ୍ତି । ମୁଁ ନୀଳକଣ୍ଠବାବୁଙ୍କୁ ସଙ୍ଗରେ ଧରି ଅତି ପ୍ରତ୍ୟୁଷରୁ ବାହାରିପଡ଼ିଲି । ପ୍ରଥମେ ଆମେ ପାହାଡ଼ର ପାଦଦେଶ ସମତଳ ଭୂମିରେ ଅଭିଯାନ ଚଳାଇ ଚାଲିଛୁ । ଗୋଟିଏ ହରିଣ ଶିଙ୍ଘାଳର ଦେଖା ମିଳିଲା । ମୁଁ ଖୁବ୍ ତତ୍ପରତାର ସହ ତା’ର ପିଛା କରିବାର ଲାଗିପଡ଼ିଲି ।

 

ନଇଁ ନଇଁ, ବସି ବସି ପ୍ରାୟ ଏକ ଫର୍ଲଙ୍ଗ ଦୂର ଚାଲିଗଲି । ଆଉ ସାମାନ୍ୟ କେତେ ପାଦ ଆଗେଇଗଲେ ରେଞ୍ଜ ମଧ୍ୟରୁ ଆସିଯିବ । ଏହି ସମୟରେ ଶିଙ୍ଘାଳଟା ହଠାତ କ୍ୟାଉ…….କ୍ୟାଉ ରଡ଼ି କରି ଦ୍ରୁତଗତିରେ ପଳାଇଲା । ତା’ ସଙ୍ଗେସଙ୍ଗେ ଏକ ମସ୍ତବଡ଼ ଚିତା ବୁଦା ଆରପଟରେ ଥାଇ ହତାଶାର ବାଣୀ ଗର୍ଜନଦ୍ଵାରା ଜଣାଇଦେଲା । ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ସେ ଶିଙ୍ଘାଳକୁ ଛକିଥିଲା । ଶିଙ୍ଘାଳର ଦୃଷ୍ଟି ତା’ ଉପରେ ପଡ଼ିବାମାତ୍ରେ ହୁରୁଡ଼ି ପଳାଇଲା । ଏଠାରେ ମୋର କିଛି କରିବାର ନଥିଲା । ଆମେ ଅନ୍ୟ ବାଟ ଧରିଲୁ ।

 

ପାହାଡ଼ ଉପରେ ସମ୍ବର ଚରା କରୁଥିବେ । ଥରଟାଏ ଚେଷ୍ଟା କରି ଭାଗ୍ୟ ପରୀକ୍ଷା କରାଯାଇପାରେ । ଆମେ ପାହାଡ଼ ଉପରକୁ ଚଢ଼ିବା ଆରମ୍ଭ କଲୁ । ପ୍ରତ୍ୟେକ ବଣବୁଦା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ଧୀରମନ୍ଥର ଗତିରେ ଚାଲିଛୁ । ଖୁରାଣ୍ଟି, କୁଟ୍ରା ଦେଖାଗଲେ; କିନ୍ତୁ ସେମାନଙ୍କ ଉପରକୁ ଗୁଳି ଚଳାଇବାର ସୁଯୋଗ ମିଳିଲା ନାହିଁ । ପାହାଡ଼ର ଅର୍ଦ୍ଧାଧିକ ଉପରକୁ ଉଠିଗଲୁଣି । ଏହି ସମୟରେ ପଥର ଉପରେ ଖୁରା ବାଡ଼େଇବା ଶବ୍ଦ ଶୁଣିବାକୁ ମିଳିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ଏଣିକି ତେଣିକି ଦେଖୁ ଦେଖୁ ହଠାତ ଏକ ସମ୍ବର ଶିଙ୍ଘାଳ ଉପରେ ଦୃଷ୍ଟି ପଡ଼ିଲା ।

 

ସେ ଏକ ଦୃଶ୍ୟ । ଏକ ବୃହତ୍‍କାୟ ଶିଙ୍ଘାଳ ଗୋଟିଏ ପଥର ଉପରେ ଠିଆ ହୋଇଛି । ସେ କାନ ଟେକି, ଆମ ଉପରେ ଦୃଷ୍ଟି ନିବଦ୍ଧ କରିଥାଏ । ମଝିରେ ମଝିରେ ଟାଉଁ....ଟାଉଁ ଶବ୍ଦ କରି ତଳେ ଖୁରା ପିଟୁଥାଏ । ଏଥିରୁ ସ୍ପଷ୍ଟ ଜଣାଗଲା, ସେ ଆମର ଆଶଙ୍କା ପାଇ ଏପରି ହେଉଛି । ସେ ଯେତେବେଳେ ଉପରେ ଅଛି ଆମକୁ ଦେଖୁଥିବା କିଛି ଅସମ୍ଭବ ନୁହେଁ । ଯଦିଓ ସେ ରେଞ୍ଜର ବାହାରେ ଥିଲା, ତଥାପି ମୁଁ ଫାୟାର କରିବାକୁ ଇଚ୍ଛା କଲି । କାହିଁକି ନା ମୁଁ ଯଦି ଅଗ୍ରସର ହୁଏ, ତା’ ନଜରରେ ପଡ଼ିଯିବି । ନୀଳକଣ୍ଠବାବୁ ବସିପଡ଼ିଲେ । ମୁଁ ଗୋଟିଏ ବୁଦାର ଆଶ୍ରାରେ ଥାଇ ବନ୍ଧୁକରୁ ଅଢ଼େଇଇଞ୍ଚିଆ ବଲ୍ କାଟ୍ରିଜ୍‍ଟି ବାହାର କରିନେଲି । ସେଥିରେ ଲଙ୍ଗ୍‍ ରେଞ୍ଜ ତିନିଇଞ୍ଚିଆ ସ୍ପେରିକଲ୍‍ ବଲ୍ କାଟ୍ରିଜ୍‍ଟି ଲୋଡ଼୍ କରି ନିଶାଣ ଲଗାଇଲି । ଠିକ୍ ତା’ର ଚଟୁଆ ଉପରକୁ ଲକ୍ଷ୍ୟ କରି ଟ୍ରିଗର ଦବାଇଦେଲି । ବାପ୍‍ରେ ! ସମ୍ବର ଗଛ କାଟିଲା ପରି ଗଡ଼ିପଡ଼ିଲା । ସେତେବେଳେ ମୋର ଯେଉଁ ଆନନ୍ଦ ତାହା ଭାଷାରେ ପ୍ରକାଶ କରିପାରୁନାହିଁ । ଗ୍ରାମରୁ ଶଗଡ଼ ନେଇ ସମ୍ବରଟାକୁ ଆଣିଲୁ । ଖଣ୍ଡେ ଫଡ଼ିଆ ରାଜବାଟିକୁ ପଠାଇଦିଆଗଲା । ସାଇପଡ଼ିଶା, ପ୍ରିୟାପ୍ରୀତିଙ୍କୁ କେତେ ବଣ୍ଟାଗଲା । ଜଳଖିଆରେ ମାଂସ, ଭାତରେ ମାଂସ, କେତେ ଖାଇଲୁ; ତେବେବି ସରିଲା ନାହିଁ ।

 

ଡିସେମ୍ବର ୩ ତାରିଖରେ ଆମେ ଫେରିଲୁ । ଫେରିବାବେଳେ ସ୍ମାରକ ଚିହ୍ନସ୍ଵରୂପ ଶିଙ୍ଘ ଓ ଛାଲ ସାଙ୍ଗରେ ନେଇଆସିଲି । ଖଲିକୋଟ ଗଲେ କଙ୍କଡ଼ା ଖାଇବି ବୋଲି ଇଚ୍ଛା କରିଥିଲି; କିନ୍ତୁ ମାଂସ ଖାଇବାକୁ ତ ପେଟ ନାହିଁ, ଆଉ କଙ୍କଡ଼ା ଖାଇବି କୋଉ ପେଟରେ ! ଏଥିପାଇଁ ମନଦୁଃଖ ରହିଗଲା । ଏବେ ମଧ୍ୟ ମୁଁ ନୀଳକଣ୍ଠବାବୁଙ୍କୁ ମାଂସରେ ବାଇଗଣ, ପଣସ ମଞ୍ଜି ପଡ଼ିବା କଥା କହି ଚିଡ଼ାଏ ।

Image

 

ଖଣ୍ଡପଡ଼ା ଜଙ୍ଗଲରେ ଶିକାର

 

ପୂର୍ବେ ଖଣ୍ଡପଡ଼ା ଗୋଟିଏ ଗଡ଼ଜାତ ରାଜ୍ୟ ଥିଲା । ତାହାର ଶାସକ ଥିଲେ ସେଠାକାର ରାଜା । ଖଣ୍ଡପଡ଼ାରେ ବିସ୍ତର ଜଙ୍ଗଲ । ଜଙ୍ଗଲର ସୁରକ୍ଷା ଦିଗରେ ଶାସକ ରାଜାସାହେବ ତୀକ୍ଷ୍ଣଦୃଷ୍ଟି ଦେଉଥିଲେ । ବନ୍ୟ ଜୀବଜନ୍ତୁ ସଂରକ୍ଷଣ ସକାଶେ ମଧ୍ୟ କଡ଼ା ଆଇନ ଜାରି ହୋଇଥିଲା-। ତେଣୁକରି ଜଙ୍ଗଲରେ ବନ୍ୟ ପଶୁପକ୍ଷୀ ଭରପୂର ଥାଆନ୍ତି ।

 

ମୋର ସାନଭାଇର ଶ୍ଵଶୁରାଳୟ ଖଣ୍ଡପଡ଼ା ଗଡ଼ରେ । ତା’ର ଶ୍ଵଶୁର ସ୍ଵର୍ଗୀୟ ଜଗନ୍ନାଥ ରାୟସିଂହ ଥିଲେ ଜଣେ ପ୍ରବୀଣ ଶିକାରୀ । ତତ୍‍କାଳୀନ ରାଜାସାହେବଙ୍କ ଶିକାରରେ ସେ ଥିଲେ ପ୍ରଧାନ ସହାୟକ । ତାଙ୍କୁ ସାଙ୍ଗରେ ନ ନେଲେ ରାଜାସାହେବ ଶିକାରକୁ ବାହାରୁ ନଥିଲେ । ଅନେକଦିନ ତଳର କଥା । ଥରେ ଚନ୍ଦକା ଅଞ୍ଚଳରେ ମଣିଷଖିଆ ବାଘ ଘୋର ଆତଙ୍କ ସୃଷ୍ଟିକଲା । ପୁରୀର ତତ୍‍କାଳୀନ କଲେକ୍‍ଟର ଜଗନ୍ନାଥ ରାୟସିଂହଙ୍କୁ ସେ ବାଘ ମାରିବାରେ ନିଯୁକ୍ତ କଲେ । ରାୟସିଂହ ଆଉ ଜଣେ ଶିକାରୀଙ୍କ ସହିତ ଆସି ଚନ୍ଦକାରେ ଅବସ୍ଥାନ କରୁଥାଆନ୍ତି । ଏକଥା ଆମକୁ ଜଣା ନଥିଲା । ଦିନେ ଚନ୍ଦକାର ଦୁଇଜଣ ଲୋକ ଆସି ଆମ ଘରଠି ଉପସ୍ଥିତ । ସେମାନେ ରାୟସିଂହଠାରୁ ଚିଠି ଓ ଖଣ୍ଡିଏ ବାର୍‍ହା ଫଡ଼ିଆ ଆଣିଥିଲେ ।

 

ଉକ୍ତ ମଣିଷଖିଆ ବାଘର କୌଣସି ସନ୍ଧାନ ମିଳିଲା ନାହିଁ । ରାୟସିଂହ ଫେରିଯିବାକୁ ସ୍ଥିର କରିଥିବା କଥା ଚିଠିରେ ଜଣାଇଥିଲେ । ଫେରିବା ପୂର୍ବରୁ ଦିନକ ସକାଶେ ଆମ ଘରକୁ ଆସିବାପାଇଁ ମୁଁ ଅନୁରୋଧ ପଠାଇଲି । ସେ ଆସିଲେ । ଏହି ଅବସରରେ ମୁଁ ଖଣ୍ଡପଡ଼ାରେ ଶିକାର କରିବାକୁ ଯିବା ସ୍ଥିର ହେଲା । ମୁଁ ମୋର ସୁବିଧାନୁସାରେ ଦିନ ସ୍ଥିର କରି ଯିବି । ମନକଥା ମନରେ ଥାଏ । ଚାରିମାସ ଅତୀତ ହୋଇଗଲା । ମୁଁ ଯିବାକୁ ବାହାରିଲି; କିନ୍ତୁ ବଳେବଳେ ଶ୍ୱଶୁରଘରକୁ ଯିବାଟା ମୋର ମାଆ, ଜେଜେମା ପସନ୍ଦ କଲେ ନାହିଁ । ଯାହାହେଉ ମୁଁ ସେମାନଙ୍କୁ ବୁଝାସୁଝା କରାଇ ଯିବା ସ୍ଥିର କଲି ।

 

ଯେତେଦୂର ମନେହେଉଛି ସେଟା ଆଶ୍ୱିନ ମାସ । ମୁଁ ଶୁଭ ଅନୁକୂଳ କରି ବାହାରିପଡ଼ିଲି । ସେ ସମୟରେ ଖଣ୍ଡପଡ଼ାକୁ ବସ୍ ଚଳାଚଳ ନଥିଲା । ‘କଳାପଥର’ ଠାରୁ ଦୀର୍ଘ ୧୦।୧୨ ମାଇଲ ବାଟ ପଦବ୍ରଜରେ ଯିବାକୁ ପଡ଼ିଲା । ଶିକାର ନିଶା ମୁଣ୍ଡରେ ସବାର କରିଥିବାରୁ ବାଟଚଲା କିଛି ବାଧିଲା ନାହିଁ । ମୁଁ ପୂରା ଗୋଟିଏ ଦିନ ବିଶ୍ରାମ ନେଲି । ସେଦିନ ଶିକାରର ପ୍ରୋଗ୍ରାମ ପ୍ରସ୍ତୁତ ହୋଇଗଲା । ପରଦିନ ଅତି ପ୍ରତ୍ୟୁଷରୁ ଆମ ଶ୍ୱଶୁରଙ୍କ ପେଣ୍ଠିଆ (ଶିକାର ସାଥୀ)କୁ ସଙ୍ଗରେ ଧରି ବାହାରିପଡ଼ିଲି ।

 

ଜଙ୍ଗଲଟା ଗ୍ରାମ ସୀମାନ୍ତରୁ ବହୁଦୂର ପର୍ଯ୍ୟନ୍ତ ଲମ୍ବିଯାଇଛି । ଏ ଜଙ୍ଗଲଟା ତଳିଛଡ଼ା ଜଙ୍ଗଲ, ଅର୍ଥାତ୍ ବୃହତ୍ ବୃକ୍ଷମାନ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ବହୁଳ ବୃକ୍ଷମାନଙ୍କ ଛାୟାରେ ସୂର୍ଯ୍ୟକିରଣ ଭୂମି ସ୍ପର୍ଶ କରୁନାହିଁ । ବୁଦା, ଲତା ବିଶେଷ ନ ଥିବାରୁ ଚତୁର୍ଦ୍ଦିଗ ଖୋଲା । ତେଣୁ ବହୁତ ଦୂର ପର୍ଯ୍ୟନ୍ତ ଦୃଷ୍ଟି ପରିଚାଳିତ ହେଉଥାଏ । ଆମ ପଟିଆ ଜଙ୍ଗଲଟା ବୁଦାଗହଳ ହୋଇଥିବାରୁ ଶିକାରର ପିଛା କରିବା ସହଜ ହୁଏ; କିନ୍ତୁ ଏଠାରେ ସେ ସୁବିଧା ବହୁତ କମ୍ । ପେଣ୍ଠିଆର ବିଚାର–ବାର୍‍ହା ବିଆଳି ଧାନ ଖାଇ ଜଙ୍ଗଲକୁ ଫେରୁଥିବା ଡଗରରେ କିଛି ସମୟ ଜଗିବା । ଏ ଜଙ୍ଗଲ କାଇଦା ମୋତେ ଜଣାନାହିଁ । ତେଣୁ ଏଠାରେ ମୋ ରାୟରେ ଚଳିବା ଭଲ ନୁହେଁ । ମୁଁ ତା’ର ପ୍ରସ୍ତାବକୁ ସମର୍ଥନ କଲି ।

 

ଆମେ ଗୋଟିଏ ବଡ଼ ପଥରକୁ ଆଢ଼ୁଆଳ କରି ବସିଗଲୁ । କିଛି ସମୟ ଅତିବାହିତ ହେବାପରେ ପୂର୍ବାକାଶରେ ଅରୁଣୋଦୟ ହେଲା । କିନ୍ତୁ ଅରୁଣୋଦୟର ଶୋଭା ଦର୍ଶନ କରିବା ଆମ ଭାଗ୍ୟରେ ନଥିଲା । କାରଣ ଘନ ଜଙ୍ଗଲ ସେଥିରେ ବାଧା ଦେଉଥିଲା । ପ୍ରାୟ ଏକଘଣ୍ଟା ଅପେକ୍ଷା କଲା ପରେ ଆମେ ହତାଶାରେ ସେଠାରୁ ଫେରିଲୁ । ତା’ପରେ ‘ନେବେଡ଼ା ବୁଲା’ ଆରମ୍ଭ ହେଲା । ‘ନେବେଡ଼ା ବୁଲା’ମାନେ ଦେହକୁ ଛପେଇ, ଚତୁର୍ଦ୍ଦିଗରେ ଶ୍ୟେନଦୃଷ୍ଟି ରଖି, ଧୀର ପଦକ୍ଷେପରେ ଚାଲି ଶିକାର ସନ୍ଧାନ କରିବା । ଆମେ ଏହିପରି ଭାବରେ ଯାଉ ଯାଉ ଗୋଟିଏ କୁଟ୍ରା ଦେଖାଗଲା । ଆମେ ତା’ର ପିଛା କରି ଚାଲିଲୁ; କିନ୍ତୁ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ କୁଟ୍ରାଟା ହୁରୁଡ଼ି ପଳାଇଲା ।

 

ଏ ବାର ଆମେ ଟିକିଏ ଖୋଲା ଜଙ୍ଗଲ ଅଭିମୁଖେ ଅଗ୍ରସର ହେଲୁ । ଖୋଲା ଜଙ୍ଗଲଟା ବହୁତ କୋଚିଲା ଗଛରେ ପୂର୍ଣ୍ଣ । ଗଛମାନଙ୍କରେ ଫଳ ପାଚି ଲୋଟୁଥାଏ । ପଲ ପଲ କୋଚିଲାଖାଇ ଫଳ ଖାଇବାରେ ଲାଗିଥାନ୍ତି । ଆମ ପଟିଆ ଜଙ୍ଗଲରେ କୋଚିଲାଖାଇ ନାହାନ୍ତି । ମୁଁ କେବେ କୋଚିଲାଖାଇ ଶିକାର କରିନାହିଁ । ତେଣୁ କୋଚିଲାଖାଇ ମାରିବାକୁ ପ୍ରଲୋଭିତ ହୋଇପଡ଼ିଲି । ପେଣ୍ଠିଆକୁ ମୋର ବିଚାର ଜଣାଇଦେଲି । ସେ କହିଲା–“କୋଚିଲାଖାଇଗୁଡ଼ାକ ଭାରି ତରକା । ତାଙ୍କୁ ଏପରି ମାରିହେବ ନାହିଁ । ଯଦି ମାରିବାକୁ ଇଚ୍ଛା, କାଲି ଅନ୍ଧାର ଥାଇ ଆସି ଗଛମୂଳେ ବସିଯିବ । ସେମାନେ ଫଳ ଖାଇବାକୁ ଆସିବାବେଳେ ମାରିବ ।” ଏ କଥା ସତ; କିନ୍ତୁ ଏଥିରେ ମୋର ମନ ମାନିଲା ନାହିଁ । ମୁଁ ଭାବିଲି, ଚେଷ୍ଟା କରି ଦେଖାଯାଉ ।

 

ପେଣ୍ଠିଆ ଗୋଟିଏ ଜାଗାରେ ଲୁଚିକରି ବସିଗଲା । ମୁଁ ଗୋଟିଏ ପକ୍ଷୀଭରା ବୃକ୍ଷକୁ ଲକ୍ଷ୍ୟକରି ଅଗ୍ରସର ହେଲି । ନଇଁ ନଇଁ, ଘୁଷୁଡ଼ି ଘୁଷୁଡ଼ି ଆଗେଇ ଚାଲିଥାଏ । କିଛିଦୂର ଯିବା ପରେ ପକ୍ଷୀଦଳଟି ଫର୍‍ର କରି ଉଡ଼ି ଚାଲିଗଲେ । ସେମାନେ ଗଛ ଉପରେ ଥିବାରୁ ଦୂରରୁ ଦେଖି ଉଡ଼ିଯାଉଥାନ୍ତି । ମୋର ପ୍ରଥମ ଚେଷ୍ଟା ବିଫଳ ହେଲା । ପୁନର୍ବାର ଆଉ ଗୋଟିଏ ଗଛକୁ ଲକ୍ଷ୍ୟକରି ଚେଷ୍ଟା ଚଳାଇଲି । ତାହା ମଧ୍ୟ ବ୍ୟର୍ଥତାରେ ପରିଣତ ହେଲା । ଶେଷକୁ ମୁଁ ଏକ ଉପାୟ ସ୍ଥିର କଲି । ପେଣ୍ଠିଆକୁ କହିଲି–“ମୁଁ ଗୋଟିଏ ଗଛମୂଳରେ ଲୁଚିକରି ବସୁଛି । ତୁ ଯାଆ, କୋଚିଲାଖାଇକୁ ହୁରୁଡ଼ା । ଯଦି କେହି ଏ ଗଛରେ ବସନ୍ତି ମୁଁ ମାରିବି ।”

 

ମୁଁ ଗୋଟିଏ ଫଳଭରା ଗଛମୂଳରେ ଲୁଚି ବସିଗଲି । ପେଣ୍ଠିଆ ହୁରୁଡ଼େଇବାରେ ଲାଗିଲା । ପକ୍ଷୀଗୁଡ଼ାକ ଏ ଗଛରୁ ସେ ଗଛ, ସେ ଗଛରୁ ଏ ଗଛ ହେଉଥାନ୍ତି । ଭାଗ୍ୟକୁ ଗୋଟିଏ ଦଳ ଆସି ମୁଁ ଯେଉଁ ଗଛ ମୂଳରେ ବସିଥିଲି ସେହି ଗଛରେ ବସିଗଲେ; କିନ୍ତୁ ମୋତେ ଦେଖାଗଲା ନାହିଁ । ମୁଁ ସୁଯୋଗ ଅପେକ୍ଷାରେ ଥାଏ । ସେମାନେ କିଛି ସମୟ ଗତ କରିଦେଇ ଫଳ ଖାଇବା ଆରମ୍ଭ କଲେ । ବଡ଼ ବଡ଼ ଥଣ୍ଟରେ ଭଡ଼ଭାଡ଼ ଖଡ଼ଖାଡ଼ କରି ଫଳ ଭାଙ୍ଗୁଥାନ୍ତି । ଯେତେବେଳେ ସେମାନେ ଏ ଡାଳରୁ ସେ ଡାଳ ଡେଇଁ ଖାଇବା ଆରମ୍ଭ କଲେ ମୋର ଦୃଷ୍ଟିଗୋଚର ହେଲା । ଆଉ ଅଧିକ ସୁଯୋଗ ଲୋଡ଼ିବା ଭଲ ନୁହେଁ । ମୁଁ ନିଶାଣ ଲଗାଇଲି । ଦୁଇଟି ପାଖାପାଖି ବସିଥିଲେ । ଫାୟାର କଲି । ଗୋଟିଏ ତଳେ ପଡ଼ିଗଲା । ଆଉ ଗୋଟିଏ ଡାଳରୁ ଧରି ଓହଳିପଡ଼ିଲା; ତଳେ ପଡ଼ିଲା ନାହିଁ । ଏହାର କାରଣ ଗୁଳି ଲାଗିବା ସାଙ୍ଗେ ସାଙ୍ଗେ ତା’ର ପ୍ରାଣବାୟୁ ଉଡ଼ିଯାଇଛି । ଧରିଥିବା ଡାଳରେ ପଞ୍ଝା ପଡ଼ିଯାଇ ଛାଡ଼ିଲା ନାହିଁ । ଏପରି କେତେକ ସ୍ଥଳରେ ଘଟିଥାଏ ।

 

ପେଣ୍ଠିଆ ଦୌଡ଼ିଆସିଲା । ମୁଁ ସେତେବେଳେ ତଳେ ପଡ଼ିଥିବା ପକ୍ଷୀଟିକୁ ଉଠାଇନେଇଥିଲି । ଯେଉଁଟି ଗଛରେ ଝୁଲୁଛି, ତାକୁ କିପରି ଅଣାଯିବ ? ପେଣ୍ଠିଆ ଗଛରେ ଚଢ଼ି ସେଇଟିକୁ ଖସାଇଦେଲା । ଆମେ କୋଚିଲାଖାଇ ଦୁଇଟିକୁ ଧରି ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କଲୁ-। ସେତେବେଳେ ଦିନ ୧୨ଟା । କୋଚିଲାଖାଇଙ୍କୁ ପିଛା କରିବାରେ ମୋର ଜଙ୍ଘ, ପେଣ୍ଡା ଖୁବ୍ ଦରଜ ହୋଇଯାଇଥିଲା । ଆଗକୁ ପାଦ ବଢ଼ାଇବାକୁ ଇଚ୍ଛା ହେଉ ନ ଥାଏ । ବଡ଼ କଷ୍ଟରେ ଆସି ଘରେ ଫାଁ ଗାଳିଦେଇ ପଡ଼ିଗଲି । କିଛି ସମୟ ବିଶ୍ରାମ କଲା ପରେ ଗାଧୋଇ ଖାଇ ଶୋଇଗଲି ଯେ, ଅପରାହ୍ନ ୫ଟା ବେଳକୁ ଉଠିଲି । ତଥାପି କ୍ଳାନ୍ତି ଦୂର ହୋଇ ନ ଥାଏ ।

 

କୋଚିଲାଖାଇର ମାଂସ ସମସ୍ତେ ଖାଆନ୍ତି । ଏମାନଙ୍କର ମାଂସ ବେଶ୍ ସୁସ୍ୱାଦୁ । କୋଚିଲାଖାଇର ମାଂସ, ହାଡ଼, ଗୋଡ଼, ପର, ଥଣ୍ଟ ଆଦି ଔଷଧରୂପେ ବ୍ୟବହାର କରାଯାଏ । ବାତରୋଗୀ ଶୁଖିଲା ମାଂସ, ହାଡ଼, ଗୋଡ଼, ସିଝାଇ ଖାଇବାରେ ଆରୋଗ୍ୟ ଲାଭ କରିଥିବାର ଶୁଣାଯାଏ । ଚା’ ପାନ କରିବା ସମୟରେ ଶ୍ୱଶୁର ମହାଶୟ କହିଲେ, “କୋଚିଲାଖାଇଟିଏ ମାରିବା ସହଜ ନୁହେଁ । ମୁଁ ବଡ଼ ଖୁସି ହେଲି ଯେ, ତୁମେ ଦୁଇଟା ମାରିପାରିଛ । କାଲି ଭୋରରୁ ମୁଁ ନିଜେ ତୁମ ସଙ୍ଗରେ ଶିକାରକୁ ଯିବି ।” ଶିକାର ବିଷୟରେ ନାନା ଆଲୋଚନା କରୁ କରୁ ରାତ୍ରିଭୋଜନର ସମୟ ହେଲା । ଭୋଜନପାଇଁ ସବୁ ଚକୁଳି, ଦୁଧ, ମାଂସ ତରକାରୀ ହୋଇଥିଲା । ମୁଁ କେବେ କୋଚିଲାଖାଇ ମାଂସ ଖାଇ ନଥିଲି । ମୋତେ ଭାରି ଭଲ ଲାଗିଲା । ମୁଁ ଆକଣ୍ଠ ଭୋଜନ ପକାଇ ବିଛଣା ଧରିଲି । ଭୂଇଁ ଛୁଇଁବା ସଙ୍ଗେ ସଙ୍ଗେ ଗାଢ଼ ନିଦ୍ରାରେ ଅଭିଭୂତ ହୋଇପଡ଼ିଲି ।

 

ରାୟସିଂହ ଶିକାରକୁ ଯିବା ସକାଶେ ଅତି ପ୍ରତ୍ୟୁଷରୁ ମୋତେ ଡାକିଲେ । କିନ୍ତୁ ମୋର ନିଦ ଭାଙ୍ଗିଲା ନାହିଁ । ମୋର ନିଦ ଭାଙ୍ଗିଲାବେଳକୁ ସକାଳ ୭ଟା ସମୟ । ସେତେବେଳେ ମୁଁ ଅନୁଭବ କଲି ମୋର ସମସ୍ତ କ୍ଳାନ୍ତି ଦୂର ହୋଇଯାଇଛି । ଦେହରେ ମନରେ ପୂର୍ଣ୍ଣ ସତେଜତା ଭରିଯାଇଥିଲା । ଶିକାରକୁ ଯାଇ ନ ପାରିବାରୁ ମନରେ ଘୋର ଦୁଃଖ ଜାତ ହେଲା । ମୁଁ ଶ୍ୱଶୁରଙ୍କୁ ପଚାରିଲି, “ଦଦେଇ, ମୋତେ ଡାକିଦେଲେ ନାହିଁ ? ମୁଁ ଶିକାରକୁ ଯାଇଥାନ୍ତି ।” ସେ କହିଲେ, “ମୁଁ ତୁମକୁ ଡାକିଲି; କିନ୍ତୁ ତୁମେ ଉଠିଲ ନାହିଁ । ଭାବିଲି, ବାଧା ହୋଇଛି, ଶୋଇଛନ୍ତି ତ ଶୁଅନ୍ତୁ । ଉପରବେଳା ଯିବା ।” ସ୍ନାନ ଭୋଜନ ପରେ ମୁଁ ବିଛଣାରେ ପଡ଼ି ଗଡ଼େଇ ତଡ଼େଇ ହେଉଥାଏ । ମନ ଖାଲି ଛଟପଟ ହେଉଥାଏ କେତେବେଳେ ଶିକାରକୁ ଯିବି । ଅପରାହ୍ନ ୩ଟା ସମୟ । ଶିକାର ଅଭିଯାନ ଚଳାଇବାକୁ ଆମେ ବାହାରିପଡ଼ିଲୁ ।

 

ମୁଁ ଶ୍ୱଶୁରଙ୍କର ୧୨ ବୋର ଡବଲ ବାରେଲ ବନ୍ଧୁକଟି ଧରିଲି । ସେ ଖାଲିହାତରେ ଆସୁଥାନ୍ତି । ଜଙ୍ଗଲରେ ପ୍ରବେଶ କରିବାମାତ୍ରେ ମୁଁ ବନ୍ଧୁକରେ କାର୍ତ୍ତୋସ ଭରିନେଲି । ଆଗରେ ମୁଁ, ମୋ ପଛରେ ଦଦେଇ ରାସ୍ତା ନିର୍ଦ୍ଦେଶ କରି ଚାଲିଥାନ୍ତି । ଅନେକ ଦୂର ବୁଲି ବୁଲି ଗୋଟିଏ ପାହାଡ଼ର ପାଦଦେଶରେ ପହୁଞ୍ଚିଲୁ । ପାହାଡ଼ କଡ଼େ କଡ଼େ ଧୀର ପଦକ୍ଷେପରେ ଚାଲିଛୁ, ହଠାତ ଗୋଟିଏ ମସ୍ତବଡ଼ ବାଘ ଆମ ସାମନାରେ ବାହାରିପଡ଼ିଲା । ମୁଁ ତତ୍‍କ୍ଷଣାତ ବନ୍ଧୁକଟି ଛାତିକୁ ଉଠାଇଲାବେଳକୁ ଦଦେଇ ଖପ୍‍ କରି ମୋ ହାତରୁ ବନ୍ଧୁକଟା ଟାଣିନେଲେ । ସେ ବନ୍ଧୁକ ଛାତିରେ ଭିଡ଼ି ମୋ ଆଗରେ ଛିଡ଼ା ହୋଇଗଲେ । ବାଘଟା ଆମ ପାଖରୁ ପ୍ରାୟ ଶହେଗଜ ଦୂରରେ ଥିଲା । ସେ ବେକ ଟେକି ଏକ ଲକ୍ଷ୍ୟରେ ଆମକୁ ଚାହିଁଥାଏ । ଏହିପରି ଭାବରେ ଆମେ ପ୍ରାୟ ଦଶ ମିନିଟ ପର୍ଯ୍ୟନ୍ତ ତକାତକି ହୋଇ ରହିଲୁ । ତା’ପରେ ବାଘଟା ହଠାତ ଗୋଟିଏ ଗର୍ଜନ ଛାଡ଼ି ଏକ ଲମ୍ଫ ପ୍ରଦାନ କଲା । ସେ ଲତାପତ୍ର ଗହଳରେ କେଉଁଆଡ଼େ ବିଲୀନ ହୋଇଗଲା ଯେ, ଆଉ ଦେଖା ଦେଲା ନାହିଁ ।

 

ମୋ ହାତରୁ ବନ୍ଧୁକ ଛଡ଼ାଇ ନେବାରେ ମୁଁ ଟିକିଏ ଅପମାନିତ ବୋଧ କଲି । ପଚାରିଲି–“ଦଦେଇ, ମୋ ହାତରୁ ବନ୍ଧୁକ ଛଡ଼େଇନେଲେ କାହିଁକି ?” ସେ କହିଲେ, “ମନରେ ଦୁଃଖ କଲ କି ? ତମେ ନୂଆ ବାଣୁଆ । କାଳେ ଧାଏଁ କରି ଗୁଳି ଚଳାଇଦେବ, ସେଥିପାଇଁ ବନ୍ଧୁକଟା ଟାଣିନେଲି । ତା’ପରେ ଦ୍ୱିତୀୟ କାରଣ ହେଲା–ଯଦି କିଛି ବିପଦ ପଡ଼େ, ମୋ ଉପରେ ପଡ଼ୁ ପଛେ ତମ ଉପରେ ନ ପଡ଼ୁ । ମନରେ କିଛି ଭାବିବ ନାହିଁ ।”

 

ସେହିଠାରୁ ଆମେ ଗୃହାଭିମୁଖେ ଫେରିଲୁ । ଫେରିବା ରାସ୍ତାରେ ଯଦି କିଛି ମିଳିଯାଇପାରେ । ମୁଁ ଅଧିକ ମନଯୋଗ ସହକାରେ ଚତୁର୍ଦ୍ଦିଗରେ ଦୃଷ୍ଟି ରଖି ଚାଲିଛି । କ୍ରମେ କ୍ରମେ ଦିନର ଅବସାନ ହେଲା । ସୂର୍ଯ୍ୟଦେବ ଅସ୍ତାଚଳରେ ବୁଡ଼ିଗଲେ । ଅନ୍ଧକାର ଘୋଟି ଆସିବାରୁ ଆଉ ମାତ୍ର ଅଧଘଣ୍ଟାଏ ସମୟ ଡେରି । ମୁଁ ହତାଶ ହୋଇପଡ଼ିଲି । ଭାଗ୍ୟଦେବୀ ଆଜି ମୋ ପ୍ରତି ଅପ୍ରସନ୍ନା । ମୁଁ ଅନ୍ୟମନସ୍କ ଭାବରେ ଚାଲିଆସୁଛି, ହଠାତ ଗୋଟିଏ କୁଟ୍ରା ସାମନାରେ ବାହାରିପଡ଼ିଲା । ସେ ଠିକ୍ ରେଞ୍ଜ ମଧ୍ୟରେ ଥିଲା । ସେ ଛିଡ଼ା ହୋଇ ଆମ ଆଡ଼କୁ ମୁହଁ ଫେରାଇବାମାତ୍ରେ ଫାୟାର କରିଦେଲି । ଫାୟାରମାତ୍ରେ ସେ ସେହିଠାରେ ଟଳିପଡ଼ି ଛଟପଟ ହେଲା । ଆମେ ତା’ ପାଖରେ ପହଞ୍ଚିଲାବେଳକୁ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା । ଆମେ ସେଟାକୁ କାନ୍ଧେଇ ଘରେ ଆସି ପହଞ୍ଚିଲାବେଳକୁ ରାତି ଘଡ଼ିଏ । ଯାହାହେଉ ମୁଁ ଟିକିଏ ଆଶ୍ୱସ୍ତ ହେଲି । ପଟିଆରୁ ଶିକାର କରିବାକୁ ଆସି ନିଷ୍ଫଳରେ ଫେରିଥିଲେ ମନରେ ଘୋର ଦୁଃଖ ରହିଯାଇଥାନ୍ତା ।

 

ପରଦିନ ମୁଁ ଘରକୁ ଫେରିଆସିବାକୁ ଇଚ୍ଛା କଲି । କିନ୍ତୁ ଦଦେଇ କହିଲେ, “କ’ଣ ଖାଲି ହାତୁଟାରେ ଫେରିବ ! ଶିକାରକୁ ଆସିଥିଲ, ମାଂସ ନେଇ ଫେରିବ । ସମ୍ବର ଖାଲି ଖାଉଛନ୍ତି । ଭାରି ପତିଆରା ହୋଇଛି । ମୁଁ ଆଜି ଖଦା ବଢ଼ାଇ ବାଡ଼ ଦେଇ ଆସିବି । ଦିନେ ଓଳିଏ ଜଗିନେଲେ ନିଶ୍ଚୟ ହଳେପଟେ ମାଡ଼ ଖାଇଯିବେ । ଦିନ ଗୋଟାଏ ଯୋଡ଼ାଏ ରହିଯାଅ ।” କଙ୍କଡ଼ାକୁ ଗୋଳିପାଣି ଭଳି ଏକଥା ବେଶ୍ ସୁହାଇଲା । କାରଣ ଲୋକଙ୍କ ଛିଗୁଲେଇବାକୁ ମୋର ଭାରି ଡର-। ସାଙ୍ଗଲୋକ କହିବେ, “କିହୋ, ଶିକାରକୁ ଯାଇଥିଲ, କ’ଣ ହେଲା ?” କି ଉତ୍ତର ଦେବି ? ଏ ସୁଯୋଗ ଛାଡ଼ିବାର ନୁହେଁ । ମୁଁ ରହିବା ସ୍ଥିର ହେଲା । ଦଦେଇ ତାଙ୍କ ପେଣ୍ଠିଆକୁ ନେଇ ଖଦା ବଢ଼ାଇବାକୁ ଚାଲିଗଲେ ।

 

‘ଖଳି’ କଥାଟା ବୋଧହୁଏ ସମସ୍ତେ ବୁଝିପାରୁ ନ ଥିବେ । ଖଳି ମାନେ ଏକପ୍ରକାର ମାଟି । ତାକୁ ସମ୍ବରମାନେ ଖାଆନ୍ତି । ଏମାଟି ସବୁ ସ୍ଥାନରେ ନ ଥାଏ । ସ୍ଥାନବିଶେଷରେ ମିଳେ ସମ୍ବରମାନେ ଏ ମାଟିର ଗନ୍ଧ ପାଇ ଠାବ କରନ୍ତି । ସେମାନଙ୍କୁ ଏ ମାଟି ମିଳିଗଲେ ଛାଡ଼ିପାରିବେ ନାହିଁ । ପ୍ରତି ଦିନ ସେ ସ୍ଥାନକୁ ଆସି ଖାଇବେ । ଏଇ ସ୍ଥାନରେ ଶିକାରୀ ଜଗିକରି ଶିକାର କରନ୍ତି ।

 

ଖଳି ଖଦା ସ୍ଥାନରେ ବାଡ଼ କରି ଦଦେଇ ଫେରିଲେ । ମୋତେ କହିଲେ, “ଭାରି ପତିଆରା ଖଦା ହୋଇଛି । ଆଜି ଯାଅ, ନିଶ୍ଚୟ ମାରିବ ।” ମୁଁ ମଧ୍ୟାହ୍ନ ଭୋଜନ ଶେଷ କରି ବନ୍ଧୁକ ସଫା କରିବା ଓ କାର୍ତ୍ତୋସ ଖରା ଦେବାରେ ଲାଗିଲି । ପେଣ୍ଠିଆ ଆସିଲେ ବାହାରିପଡ଼ିବ । ସୂର୍ଯ୍ୟାସ୍ତ ପୂର୍ବରୁ ବାଡ଼ରେ ବସିବାର କଥା । ମୁଁ ଅପେକ୍ଷାରେ ଥାଏ ।

 

ଠିକ୍ ତିନିଟାବେଳକୁ ପେଣ୍ଠିଆ ଆସି ହଜାର । ସେ ମୋତେ ଶୀଘ୍ର ଶୀଘ୍ର ବାହାରିବାକୁ ତନାଘନା ଲଗାଇଦେଲା । ତା’ର ହାବଭାବରୁ ମୁଁ ବେଶ୍ ବୁଝିପାରିଲି ଯେ, ସେ ଆଜି ଭାରି ଖୁସି ଅଛି । ଶିକାରରେ ଅବଶ୍ୟମ୍ଭାବୀ ସଫଳତାର ଆଶା ଏହାର କାରଣ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । ତା’ର ଖୁସିରେ ମୁଁ ମଧ୍ୟ ସମଭାଗୀ ହୋଇପଡ଼ିଲି । ତା’ର ଗୋଡ଼ ପାଞ୍ଚହାତରେ ପଡ଼ୁଥାଏ । ଘର ଠାରୁ ଖଦାସ୍ଥାନଟା ୩୪ ମାଇଲ ଦୂର । ଯାହାହେଉ ଆମେ ସୂର୍ଯ୍ୟାସ୍ତ ପୂର୍ବରୁ ଘଟନାସ୍ଥାନରେ ପହୁଞ୍ଚିଗଲୁ ।

 

ମୁଁ ସ୍ଥାନଟାର ଚତୁର୍ଦ୍ଦିଗ ଲକ୍ଷ୍ୟ କରି ଦେଖିନେଲି । ବସିବା ସ୍ଥାନଟା ଦେଖିଲି, ଅତି ନିଖୁଣ ଭାବରେ ପ୍ରସ୍ତୁତ ହୋଇଛି । କୌଣସି ଲୋକ ସେ ସ୍ଥାନକୁ ଠଉରେଇପାରିବ ନାହିଁ । ଆଉ ସମ୍ବରଙ୍କ କଥା ପଚାରେ କିଏ ? ଡାଳପତ୍ର ଦିଖଣ୍ଡ ବାଡ଼ରେ ଦେଇ ବସିଗଲୁ । ଖଦା ସ୍ଥାନରେ ଖୋଜଚିହ୍ନିରୁ ଯାହା ଅନୁମାନ ସମ୍ବର ଆସିବାର ସମ୍ଭାବନା ଖୁବ୍ ଅଧିକ । ବଡ଼ ବଡ଼ ଶିଙ୍ଘାଳଙ୍କର ଖୋଜଚିହ୍ନ ମଧ୍ୟ ପଡ଼ିଥିଲା । ଆମେ ଖୁବ୍ ଆଶାୟୀ ହୋଇ ଧ୍ୟାନ ଲଗାଇ ବସିଥାଉ । କୃଷ୍ଣପକ୍ଷ ରାତି । ଅଧିକ ଦୂରକୁ ଦୃଷ୍ଟି ପରିଚାଳିତ ହେଉ ନ ଥାଏ । ଭଣ୍ଡିରେ ଚାହିଁ ଚାହିଁ ଆଖି ଦରଜ ହୋଇଗଲା । କ୍ରମେ କ୍ରମେ ରାତି ୮, ୯, ୧୦ ବାଜିଲା । କାହିଁ ସମ୍ବରଙ୍କର ଦେଖାଦର୍ଶନ ନାହିଁ । ଚନ୍ଦ୍ରଦେବ ପୂରା ଥାଟରେ ଉଠିଆସିଲେ । ଏଣେ କ୍ଷୁଧାରେ ପେଟ ଜଳିଲାଣି ।

 

ସମ୍ବର, ହରିଣ ପ୍ରଭୃତି ଯେଉଁ ସମୟରେ ଖାଦ୍ୟ ଖାଇବାକୁ ଆସୁଥିବେ, ଠିକ୍ ସେହି ସମୟରେ ଆସିବେ । ଅନ୍ୟ ସମୟରେ ନୁହେଁ । ମୁଁ ସ୍ଥିର କରିନେଲି ସମ୍ବରଗୁଡ଼ାକ ମଧ୍ୟରାତ୍ରି କିମ୍ବା ତଦ୍‍ପର ସମୟରେ ଆସି ଖଳି ଖାଉଛନ୍ତି । ଖାଲିପେଟରେ ପୁଣି ଏକାଦିକ୍ରମେ ବାରଘଣ୍ଟା ବସିବା ମୋ ପକ୍ଷରେ କେବେ ସମ୍ଭବପର ନୁହେଁ । ମୋର ବିଚାର, କାଲି ରାତି ଦଶଟାରୁ ଭୋର ପର୍ଯ୍ୟନ୍ତ ବସିଗଲେ ସମ୍ବର ନିଶ୍ଚୟ ଧରାପଡ଼ିଯିବେ । ମୁଁ ମୋର ବିଚାର ପେଣ୍ଠିଆକୁ ଜଣାଇଦେଲି । ତା’ର ବିଚାର, ସାରା ରାତିଟା ପହରାଦେଇ ବସିଯିବା; କିନ୍ତୁ ମୁଁ ଫେରିଆସିବାକୁ ବାହାରିପଡ଼ିଲି । ପେଣ୍ଠିଆ ବଡ଼ ଦୁଃଖର ସହ ଆସିବାକୁ ବାଧ୍ୟ ହେଲା ।

 

ପରଦିନ ମୁଁ ଶ୍ଵଶୁରଙ୍କୁ ସବୁ ବିଷୟ ଜଣାଇଦେଲି । ସେ ପୁରୁଣା ଶିକାରୀ । ମୋର ବିଚାରକୁ ସେ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ । ଆଜି ରାତି ନଅଟାବେଳକୁ ବାହାରିବାକୁ ହେବ । ସାରା ରାତି ଉଜାଗରରେ କଟିବ । ଭାତ ଖାଇଲେ ଚଳିବ ନାହିଁ । ସାମାନ୍ୟ କିଛି ଜାଳଖିଆର ବ୍ୟବସ୍ଥା ହେଲା । ପେଣ୍ଠିଆ କେତେବେଳୁ ଆସି ବସିଲାଣି । ଜଲ୍‍ଦିବାଜି ହେବାର କିଛି କାରଣ ନାହିଁ । ମୁଁ ଜାଣେ, ଚନ୍ଦ୍ରୋଦୟବେଳକୁ ଘଟନାସ୍ଥଳରେ ପହଞ୍ଚିଗଲେ ହେଲା । ମୁଁ ଧୀରସୁସ୍ଥଭାବରେ ଖାଇପିଇ ବାହାରି ପଡ଼ିଲି । ଚନ୍ଦ୍ର ପ୍ରକାଶ ପାଇବା ବେଳକୁ ଆମେ ଖଦାସ୍ଥାନରେ ପହଞ୍ଚିଗଲୁ । ପେଣ୍ଠିଆ ଗୋଟିଏ ମୋଟା ଅଖା ନେଇଥିଲା । ବାଡ଼ ଭିତରେ ବିଛାଇଦେଇ ଆମେ ବେଶ୍ ଆରାମରେ ବସିଗଲୁ ।

 

ଶାରଦୀୟ ଜ୍ୟେତ୍ସ୍ନା ବିଛାଡ଼ି ହୋଇ ପଡ଼ିବାରୁ ଜନ୍ମଭୂମି ହସିଉଠିଲା । ପ୍ରତ୍ୟେକଟି ବୃକ୍ଷଲତା ଦୃଷ୍ଟିଗୋଚର ହେଲା । ଖଦା ସ୍ଥାନଟି ଖୋଲା ଠେକୁଆଟାଏ ଆସିଲେବି ପରିଷ୍କାର ଦେଖାଯିବ । ମୁଁ ହୃଷ୍ଟଚିତ୍ତରେ ବସିଥାଏ । ସମ୍ବର ଆସିଲେ ଖଣ୍ଡେ ଦୂରରୁ ସେମାନଙ୍କ ଖୁରାନାଦ ଶୁଣାଯିବ । ବ୍ୟଗ୍ର ହେବାର କିଛି କାରଣ ନାହିଁ । ଚନ୍ଦ୍ର ମୁଣ୍ଡ ଉପରକୁ ଉଠିଆସିଲେ । ପ୍ରାୟ ୧୨ଟା ବାଜିଲା । ଏହି ସମୟରେ ବଡ଼ ବଡ଼ ପାହାଡ଼ିଆ ଭାଲୁ ଦୁଇଟା ଆମ ସାମନାରେ ଚାଲିଗଲେ । ଖଣ୍ଡପଡ଼ାରେ ବାଘ ଅପେକ୍ଷା ଭାଲୁଭୟ ବେଶି । ଭାଲୁଗୁଡ଼ାକ ସେଠାରେ ଭାରି ଉତ୍ପାତ କରନ୍ତି ।

 

ମୁଁ ଟିକିଏ କ୍ଳାନ୍ତି ଦୂର କରିବା ସକାଶେ ଶୋଇଗଲି । ପେଣ୍ଠିଆ ଭଣ୍ଡିରେ ଚାହିଁ ବସିଥାଏ-। କିଛି ସୁରାକ ପାଇଲେ ଉଠାଇଦେବ । ପ୍ରାୟ ଘଣ୍ଟାଏ ଖଣ୍ଡେ ମୁଁ ଗାଢ଼ ନିଦ୍ରାରେ ଶୋଇଯାଇଛି । ତା’ପରେ ହଠାତ ମୋର ନିଦ ଭାଙ୍ଗିଗଲା । ମୁଁ ପୁଣି ମୋର ଆସ୍ଥାନରେ ଦୃଢ଼ ହୋଇ ବସିଗଲି । ବସି ବସି ରାତି ତିନିଟା ବାଜିଲା । ଏମଧ୍ୟରେ କୌଣସି ଉଲ୍ଲେଖଯୋଗ୍ୟ ଘଟନା ଘଟିନାହିଁ । ଏହି ସମୟରେ ପଶ୍ଚାତ୍ ଓ ସମ୍ମୁଖଦିଗରେ ଟୁକ୍‍ଟୁକ୍, ଖଡ଼୍‍ଖାଡ଼୍ ଶବ୍ଦ ଶୁଣାଗଲା । ଆମେ ଦୁହେଁ ପରସ୍ପର ସଙ୍କେତଦ୍ୱାରା ସତର୍କ ହୋଇଗଲୁ ।

 

କୌଣସି ଜନ୍ତୁ ହଠାତ ଖଦା ଉପରକୁ ଆସନ୍ତି ନାହିଁ । ଏହା ସେମାନଙ୍କର ପ୍ରକୃତି । ସେମାନେ ପ୍ରଥମେ ଖଦା ନିକଟବର୍ତ୍ତୀ ସ୍ଥାନରେ ରହିବୁଲି ବାରନ୍ତି କୌଣସି ବିପଦର ଆଶଙ୍କା ଅଛି କି ନାହିଁ । ଯେତେବେଳେ ସେମାନେ ସ୍ଥିର ନିଶ୍ଚିତ ହୁଅନ୍ତି ଯେ ବିପଦର କୌଣସି ଆଶଙ୍କା ନାହିଁ ସେତେବେଳେ ଖଦା ଉପରକୁ ନିଶ୍ଚିନ୍ତରେ ଖାଇବାରେ ଲାଗିପଡ଼ନ୍ତି । ଆମେ ଭାବିନେଲୁ ସମ୍ବର ପଲ ଆସିଗଲେ । ପ୍ରାୟ ଅଧଘଣ୍ଟାଏ ଅତିବାହିତ ହୋଇଗଲା । ତା’ପରେ ଭୁସ୍‍ଭାସ୍ ହୋଇ ଆଠଟା ମାଈ ସମ୍ବର ବାହାରିପଡ଼ିଲେ । ସେମାନେ କାନ ଟେକି ବାଁକୁ ଡାହାଣକୁ ଦେଖି ଦେଖି ଧୀର ପଦକ୍ଷେପରେ ଆସି ଖଳି ଖାଇବାରେ ଲାଗିପଡ଼ିଲେ ।

 

ମୋର ଇଚ୍ଛା ଶିଙ୍ଘାଳ ଆସିଲେ ମାରିବି । ଏ ଦଳଟାରେ ନିଶ୍ଚୟ ଦି’ଟା ଗୋଟିଏ ଶିଙ୍ଘାଳ ଥିବେ । ସତକୁ ସତ ଟିକକ ପରେ ଦୁଇଟା ଶିଙ୍ଘାଳ ବାହାରିପଡ଼ିଲେ । ସେମାନେ ମାଟିଗାଡ଼ର ଉପରେ ଠିଆହୋଇ ଏପାଖକୁ ସେପାଖକୁ ଦେଖୁଥାନ୍ତି । ସେ ଦୁହିଁଙ୍କ ମଧ୍ୟରେ ଗୋଟିଏ ବୃହତ୍‍କାୟ ଓ ବୟସ୍କ ଥିଲା । ଏହା ସୁବର୍ଣ୍ଣ ସୁଯୋଗ । ଆଉ ବିଳମ୍ବ କଲେ ହୁଏତ ସେ ମାଈ ସମ୍ଭରଙ୍କ ମେଳରେ ମିଶିଯିବେ । ତାଙ୍କୁ ଗୁଳି କରିବାର ସୁଯୋଗ ମିଳି ନପାରେ । ମୁଁ ଆଉ ବିଳମ୍ବ ନ କରି ନିଶାଣ ଲଗାଇଲି । ସେ ବୄହତ୍‍କାୟ ସମ୍ବରଟାର ଦୂରତ୍ଵ ମୋ ପାଖରୁ ମାତ୍ର ୨୦।୨୫ ଗଜ । ନିର୍ମଳ ଚନ୍ଦ୍ରାଲୋକରେ ବନ୍ଧୁକର ପ୍ରଣ୍ଟ ସାଇଟ୍ ବିରଳ ଦେଖାଯାଉଥାଏ । ଏଥିରେ ଲକ୍ଷ୍ୟଭ୍ରଷ୍ଟ ହେବାର ପ୍ରଶ୍ନ ଆଦୌ ନାହିଁ । ଏତେବଡ଼ ଜାନୁଆର । ଦାଉରେ ଗୁଳି ନ ଲାଗିଲେ ରହିବ ନାହିଁ । ମୁଁ ଠିକ୍ କାନମୁଣ୍ଡାକୁ ଲକ୍ଷ୍ୟ କରି ଟ୍ରିଗର ଦବାଇଦେଲି । ସଙ୍ଗେ ସଙ୍ଗେ ସେ ଟଳିପଡ଼ିଲା ।

 

ସେତେବେଳକୁ ରାତି ଚାରିଟା ସମୟ ହେବ । ରାତିରେ ଘରକୁ ଫେରିବା ନିରାପଦ ନୁହେଁ । ସେଠାରେ ଶେଷ ରାତିଟା କଟାଇଦେବା ମୁଁ ଶ୍ରେୟସ୍କର ମନେ କଲି । ହେଟା, ବିଲୁଆ ଓ ଚିତାଙ୍କ ମୁହଁରୁ ରକ୍ଷାକରିବା ସକାଶେ ସମ୍ବରଟାକୁ ଡାଳପତ୍ରରେ ଆଚ୍ଛାଦାନ କରି ମୁଁ ଶୋଇଗଲି । ପେଣ୍ଠିଆ ବନ୍ଧୁକ ଧରି ଜଗି ବସିଲା । ଆମର ନିରାପତ୍ତା ପାଇଁ ଜଣେ ସଜାଗ ରହିବା ନିତାନ୍ତ ଦରକାର । ପେଣ୍ଠିଆ ଉଜାଗର ରହିବାକୁ ଖୁବ୍ ଆଗ୍ରହୀ । କାରଣ ଯଦି ଆହୁରି ଗୋଟିଏ ସମ୍ଭର ହୋଇଯିବ । ସୂର୍ଯ୍ୟ ଉଦୟ ହେବାପରେ ମୁଁ ଉଠିଲି । ଆମେ ଦୁହେଁ ଘରକୁ ଫେରିଲୁ । ଦଦେଇ ପେଣ୍ଠିଆ ସହିତ ଶଗଡ଼ ନେଇ ସମ୍ବର ଆଣିବାକୁ ଚାଲିଗଲେ । ମୁଁ ଗରମ ଚା’ ଖାଇ ଟିକିଏ ସୁସ୍ଥ ହେଲି ।

 

ସମ୍ୱରକୁ ନେଇ ଫେରିଲାବେଳକୁ ଦିନ ୧୨ଟା ସମୟ । ସମ୍ୱର ଦେଖିବାକୁ ଲୋକ ଜମିଗଲେ । ଲୋକେ କହିଲେ–‘‘ଏଇଟା କେତେକାଳର ସମ୍ବର ଥିଲା । ଏ ମାଂସ ଭଲ ଲାଗିବ ନାହିଁ ।” ମୁଁ ଖାଇପିଇ ଶୋଇଲି । ସେମାନେ ସମ୍ବରଟାକୁ କଟାବଣ୍ଟା କଲେ । ମୁଁ ୪ଟା ବେଳକୁ ଉଠିଲି । ସେତେବେଳକୁ ମାଂସ କାରବାର ସରିଲାଣି । ଏପରି ଅସମୟରେ କଞ୍ଚା ମାଂସ ନେଇ ଘରକୁ ଫେରିବାର ସୁବିଧା ନାହିଁ । ଦଦେଇ ପ୍ରସ୍ତାବ କଲେ ମାଂସ, ଛାଲ ଓ ଶିଙ୍ଘ ଶୁଖାଇ ପରେ ପଠେଇଦେବେ । ମୁଁ ଶିକାରରେ ସାଫଲ୍ୟମଣ୍ଡିତ ହୋଇ ଘରକୁ ଫେରିଲି ।

Image

 

ଖୁରାଣ୍ଟି ଶିକାର

 

ମୋର ଜଣେ ସହରିଆ ବନ୍ଧୁ ପ୍ରଥମ ଥରପାଇଁ ଆମ ଘରେ ଆସି ପହଞ୍ଚିଲେ ସକାଳ ୯ଟାରେ । ତାଙ୍କୁ କ’ଣ ଦେଇ କିପରି ଚର୍ଚ୍ଚା କରିବାକୁ ହେବ, ଏ ମୋ ପକ୍ଷରେ ଏକ ସମସ୍ୟା ସୃଷ୍ଟିକଲା । ମୁଁ ଯେତେବେଳେ ତାଙ୍କ ଘରକୁ ଯାଏଁ ସେ ମୋତେ ସନ୍ଦେଶ, ରସଗୋଲା, ମାଛମାଂସରେ ଭସେଇଦିଅନ୍ତି । ବଜାର ଜାଗାରେ ହାତରେ ପଇସା ଥିଲେ ସବୁ ଜିନିଷ ଚଟ୍‍ଚଟ୍ ମିଳିବ । ଏ ମଫସଲ ଗାଁରେ ମୁଁ ତାଙ୍କୁ କ’ଣ ଖୁଆଇ ସନ୍ତୁଷ୍ଟ କରିପାରିବି ? ଭାବି ଭାବି ଠିକ୍ କଲି, ଜଙ୍ଗଲ ମାଂସ ଟିକିଏ ହେଲେ ଖୁବ୍ ଭଲ ହୁଅନ୍ତା । ବୋଧହୁଏ ମୋର ବନ୍ଧୁ ଜଙ୍ଗଲ ମାଂସ ଖାଇବାର ସୁଯୋଗ କେବେ ପାଇ ନ ଥିବେ । ଅପୂର୍ବ ଜିନିଷଟିଏ ପାଇଲେ ନିଶ୍ଚୟ ଖୁସି ହେବେ । ଏଇକଥା ସ୍ଥିର କରି ବନବିହାରସାଥୀ ବନ୍ଧୁକଟି ଉଠାଇ ବାହାରିପଡ଼ିଲି । ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଆଗନ୍ତୁକ ବନ୍ଧୁ କ୍ଳାନ୍ତ ହୋଇପଡ଼ିଥିବାରୁ ଜଙ୍ଗଲଯାତ୍ରାରେ ମୋ ସହିତ ଯୋଗ ଦେଇପାରିଲେ ନାହିଁ-

 

ଏପରି ଅସମୟରେ କି ଶିକାର ମିଳିବ ? କେତେବେଳେ କେଉଁ ଶିକାର ମିଳେ ତାହାର ଗୋଟାଏ ନିର୍ଦ୍ଦିଷ୍ଟ ସମୟ ଅଛି । ବର୍ତ୍ତମାନ ସମୟରେ ଖୁରାଣ୍ଟି ଶିକାର ମିଳିବାର ସମ୍ଭାବନା ଅଧିକ । ଆମ ଜଙ୍ଗଲରେ ଖୁରାଣ୍ଟି (Mouse deer) ନାମକ ଏକ ପ୍ରକାର ହରିଣଜାତୀୟ କ୍ଷୁଦ୍ର ପ୍ରାଣୀ ଅଛନ୍ତି । ଉଚ୍ଚତାରେ ପ୍ରାୟ ଦେଢ଼ ଫୁଟରୁ ବେଶି ହୁଅନ୍ତି ନାହିଁ । ଏମାନଙ୍କର କୃଷ୍ଣବର୍ଣ୍ଣ ଦେହରେ ହଳଦିଆ ରଙ୍ଗର ରେଖାଗୁଡ଼ିକ ସୁନ୍ଦର ଶୋଭାପାଏ । ଏମାନଙ୍କ ଠୁକୁରୁ ଠୁକୁରୁ ଚାଲି, ଜୁଳୁଜୁଳିଆ ଆଖି ଦେଖିଲେ ମନ ମୁଗ୍ଧ ହୋଇଯିବ । ସେଥିପାଇଁ ନିତାନ୍ତ ଆବଶ୍ୟକ ନ ପଡ଼ିଲେ ମୁଁ ଖୁରାଣ୍ଟି ଶିକାର କରେ ନାହିଁ । ଆଜି ବନ୍ଧୁଙ୍କ ଚର୍ଚ୍ଚା ଲାଗି ଖୁରାଣ୍ଟି ଶିକାର କରିବାକୁ ବାଧ୍ୟ ହୋଇ ବାହାରିଛି ।

 

ଖୁରାଣ୍ଟିମାନେ ନିଘଞ୍ଚ ଲଟାଗହଳ ବନରେ ବାସ କରନ୍ତି । ଦିନରେ ଏମାନେ ପଦାକୁ ବାହାରନ୍ତି ନାହିଁ । ଏମାନଙ୍କୁ ରାତିରେ ଫଳଖଦାରେ ଜଗି କରି ଶିକାର କରାଯାଏ । ଦିନରେ ଶିକାର କରିବାକୁ ହେଲେ ଟାଣ ଖରାବେଳେ ଛପି ଛପି ଯାଇ ମାରିବାକୁ ହୁଏ । ଖରାବେଳେ ଏମାନେ ବୁଦାଭିତରେ ଶୋଇ ବୁଲୁବୁଲୁ କରି ଚାହୁଁଥିବେ । ଶିକାରୀକୁ ଦେଖିଲେ ମଧ୍ୟ ପଳାଇଯିବେ ନାହିଁ । ଶିକାରୀ ଅକ୍ଳେଶରେ ଗୁଳି କରିବେ । ଏଣୁ ଖୁରାଣ୍ଟି ଶିକାରକୁ ଗଲେ ଘରେ ମସଲା ବାଟି ରଖନ୍ତି ।

 

ଫାଲ୍‍ଗୁନ ମାସ । ଦିନ ୯ଟାବେଳକୁ ଖରା ଟାଣ ହୋଇଗଲାଣି । ପଟିଆ ଜଙ୍ଗଲର ଗୋଟିଏ ଅଞ୍ଚଳର ନାମ ‘ରୋକେଇଅରା’ । ସେଇଠିକି ଗଲେ ଗୋଟିଏ ଖୁରାଣ୍ଟି ନିଶ୍ଚୟ ମିଳିଯିବ । ‘ରୋକେଇଅରା’ ଆମ ଗ୍ରାମ ସୀମାନ୍ତରୁ ମାତ୍ର ଏକ ମାଇଲି ଦୂର । ମୁଁ ଦ୍ରୁତଗତିରେ ଯାଇ ସେଠାରେ ଉପସ୍ଥିତ ହୋଇଗଲି । ଘଞ୍ଚକଣ୍ଟକିତ ବଣରେ ପ୍ରବେଶ କରିବାକୁ ହେବ । ଗାମୁଛା ଅଣ୍ଟାରେ ଭିଡ଼ି, ମାଲକଛା ମାରି ନଇଁ ନଇଁ ଅଗ୍ରସର ହେବାକୁ ଲାଗିଲି ।

 

ବାଘ ଆଉ ଶିକାରୀ ଯେତେବେଳେ ଶିକାରକୁ ଲକ୍ଷ୍ୟ କରି ଚାଲନ୍ତି, ସେତେବେଳେ ସେମାନଙ୍କର ଆକୃତି ଦେଖିବାଯୋଗ୍ୟ ଅଟେ । ମନୁଷ୍ୟ ଯେତେବେଳେ ମନୁଷ୍ୟଶ୍ରେଣୀରୁ ଖସି ହିଂସ୍ର ପଶୁ ହୋଇଯାଏ । ଖୁଣି ଆଖିରେ ଚୌଦିଗକୁ ଦେଖି, କାନକୁ ସଜାଗ କରି, ଘରଦ୍ଵାର, ପିଲାକବିଲା ସବୁ ଭୁଲି ଶିକାରୀ ଏକ ବିଚିତ୍ର ପ୍ରାଣୀ ହୋଇଯାଏ ।

 

ବିଶେଷ କଷ୍ଟ କରିବାକୁ ପଡ଼ିନାହିଁ । ପ୍ରାୟ ଏକ ଫର୍ଲଙ୍ଗ ଦୂର ଅତିକ୍ରମ କରିବାପରେ ଗୋଟିଏ ବଡ଼ ଖୁରାଣ୍ଟି ଦୃଷ୍ଟିଗୋଚର ହେଲା । ଫାୟାର କଲି । ସେ ସେହିଠାରେ ଟଳିପଡ଼ିଲା । ଛୁଟ୍ କି ଛାଟ୍ ହୋଇନାହିଁ । ଯାହାହେଉ ଏବେ ମନରେ ଟିକିଏ ଦମ୍ଭ ଆସିଲା । ବନ୍ଧୁଙ୍କ ନିକଟରେ ଆଉ ଅପ୍ରସ୍ତୁତ ହେବାକୁ ପଡ଼ିବ ନାହିଁ । ତଥାପି ମୁଁ ତତ୍ପର ହୋଇଉଠିଲି । ଅନୁସନ୍ଧାନ ଚଳାଇ କିଛିଦୂର ଯିବା ପରେ ଏକ କ୍ଷୀଣ ଆର୍ତ୍ତରବ ଶୁଣାଗଲା । କୌଣସି ପଶୁ ବା ପକ୍ଷୀ ଶତ୍ରୁ କବଳରେ ପଡ଼ି ଏପରି ଶବ୍ଦ କରିବା ଅନୁମେୟ । ମୁଁ ଅତି ସତର୍କତା ଅବଲମ୍ବନପୂର୍ବକ ଶବ୍ଦକୁ ଲକ୍ଷ୍ୟ କରି ଆଗେଇ ଚାଲିଲି । କିଛିଦୂର ଅଗ୍ରସର ହେବାପରେ ଯେଉଁ ହୃଦୟବିଦାରକ କରୁଣ ଦୃଶ୍ୟ ଦେଖିଲି ସେଥିରେ ମୋର ହୃଦୟ ଏକବାରକେ ଦ୍ରବୀଭୂତ ହୋଇଗଲା । ଅନ୍ଦାଜ ବାରଫୁଟ ଲମ୍ବର ଏକ ମସ୍ତବଡ଼ ଅଜଗର ସାପ ଗୋଟିଏ ଖୁରାଣ୍ଟିକୁ ଗିଳୁଛି । ଅଧାଅଧି ଗିଳିସାରିଲାଣି । ସେତେବେଳେ ଖୁରାଣ୍ଟିର ସଜଳ ଚକ୍ଷୁରୁ ଧାର ଧାର ଲୁହ ଗଡ଼ି ଚାଲିଥାଏ । ତା’ର କରୁଣ ଚକ୍ଷୁର ଭାଷା ମୋ ନିକଟରେ ଅବୋଧ୍ୟ ନଥିଲା । ସେ କହୁଥିଲା–ଯଦି ହୃଦୟହୀନ ନୁହେଁ ତେବେ ମୋତେ ରକ୍ଷାକର । ମୋ ନିକଟରେ ଏହା ଏକ ପରୀକ୍ଷା । କ୍ଷୁଧାର୍ତ୍ତ ମୁହଁରୁ ଆହାର ଛଡ଼ାଇନେବା ଏକ ପାପ । ଅନ୍ୟପକ୍ଷରେ ଦୁସ୍ଥ ଆର୍ତ୍ତ ପ୍ରାଣୀକୁ ରକ୍ଷାକରିବା ଧର୍ମ । ମୁଁ ଅଧିକ ବିଚାର ନ କରି ଅଜଗର ଉପରକୁ ଗୁଳି ଚଳାଇଦେଲି ।

 

ବାପ୍‍ରେ ବାପ୍ ! କି ଭୟଙ୍କର ଦୃଶ୍ୟ !! ସାପର ସୁ-ସୁ ଗର୍ଜନରେ ହୃତ୍‍କମ୍ପ ଜାତ ହେଉଥାଏ । ବଣବୁଦା ଭାଙ୍ଗି ମହୀମନ୍ଥନ କରୁଥାଏ । ଅଜଗର ସାପଗୁଡ଼ାକ ସହଜରେ କିମ୍ବା ଶୀଘ୍ର ମରନ୍ତି ନାହିଁ । ତେବେ ଗୁଳି ମର୍ମସ୍ଥାନରେ ଲାଗିଛି । ଜୀବନ ଜ୍ୟୋତି ଲିଭିଯିବାକୁ କିଛି ସମୟ ଲାଗିବ ।

 

ଗୁଳି ହେବା ସଙ୍ଗେ ସଙ୍ଗେ ଅଜଗର ମୁହଁରୁ ଖୁରାଣ୍ଟିଟା ବାହାରିଆସି ନିର୍ଜୀବ ପରି ପଡ଼ିରହିଲା । ମୁଁ ତା’ର ହେପାଜତରେ ଲାଗିପଡ଼ିଲି । ଦେଖିଲି, ତା’ ଦେହରେ କୌଣସି ଚୋଟ ଲାଗିନାହିଁ । ସାପ ତା’ର ଶିକାରକୁ ଧରିବା ସମୟରେ ଦାନ୍ତ ଲଗାଏ ନାହିଁ । ତାକୁ ଆଉଁଶି ଆଉଁଶି କରି ଯତ୍ନ କରିବାରେ ସେ ଉଠି ଗୋଟିଏ ଗୋଟିଏ ଚାଲିଗଲା । ବୋଧହୁଏ ସେ ଭାବିଲା–ମଣିଷ ମୋର କମ୍ ଶତ୍ରୁ ନୁହେଁ । ଯେତେ ଶୀଘ୍ର ଏହା କବଳରୁ ଖସିଯିବି ସେତେ ମଙ୍ଗଳ । ମୋର କର୍ତ୍ତବ୍ୟ ଶେଷ ହେଲା । ମୁଁ ବନ୍ଧୁଙ୍କ ଚର୍ଚ୍ଚାଲାଗି ଶୀଘ୍ର ଫେରିଆସିଲି ।

 

ଆମ ଜଙ୍ଗଲରେ ଅଜଗର ଓ ଅହିରାଜ ସାପ ବହୁ ସଂଖ୍ୟାରେ ଅଛନ୍ତି । ଅହିରାଜଗୁଡ଼ାକ ଭୀଷଣ ବିଷଧର । ଗୋଖର ସାପ ପରି ଏମାନଙ୍କର ଫେଣା ଅଛି । ଏମାନେ ବଡ଼ ଧୂର୍ତ୍ତ । ମନୁଷ୍ୟର ଛାଇ ପଡ଼ିଲାମାତ୍ରେ ଚମ୍ପଟ କରିବେ । ଏମାନେ ଖୁବ୍ ବେଗରେ ଚାଲିପାରନ୍ତି ଓ ଗଛରେ ଚଢ଼ିପାରନ୍ତି । ଅହିରାଜ ଶିକାରୀମାନଙ୍କ ପକ୍ଷରେ ବିଶେଷ ଭୟର କାରଣ ନୁହନ୍ତି । ଅଜଗର ସାପଗୁଡ଼ାକ ଅଚଳ ମହାମେରୁ । ଏମାନଙ୍କର ଗତି ଅତି ଶିଥିଳ । ଏମାନେ ଶୀତ ସହ୍ୟ କରିପାରନ୍ତି ନାହିଁ । ଶୀତ ଦିନରେ ପଥର ଚକଡ଼ା ଉପରେ ଚକାବାନ୍ଧି ଶୋଇ ସୂର୍ଯ୍ୟରଶ୍ମି ଉପଭୋଗ କରୁଥିବେ । ଏପରି ଅବସ୍ଥାରେ ବହୁବାର ମୋ ହାବୁଡ଼ରେ ପଡ଼ିଛନ୍ତି । ସେ ସମୟରେ ସେମାନଙ୍କ ଉପରକୁ ଛୋଟ ଟେକା ପଥର ପକାଇଲେ ମଧ୍ୟ ଟିକିଏ ହେଲେ ହଲଚଲ ହୁଅନ୍ତି ନାହିଁ । ଅଜଗର ଆହାର ଗିଳି ଢିଙ୍କି ଭଳି ଅଚଳ ଅବସ୍ଥାରେ ପଡ଼ିଥିବା କେତେବାର ମୋର ଦୃଷ୍ଟିଗୋଚର ହୋଇଛି । ବାଟରେ ଜଳଘାଟରେ ଆହରକୁ ଛପି ପଡ଼ିଥିବାର ଦେଖିଛି । ନିହାତି ଦାୟରେ ନ ପଡ଼ିଲେ ମୁଁ ସେମାନଙ୍କୁ ଗୁଳି ଚଳାଏ ନାହିଁ । ସେ ସମୟରେ ସାପ ଚମଡ଼ାର ଉପଯୋଗୀତା ଓ ମୂଲ୍ୟ କଥା ଆମେ ଜାଣି ନଥିଲୁ । ସମୟ ସମୟରେ ଏମାନେ ଶିକାରୀମାନଙ୍କ ପକ୍ଷରେ ମହାବିପଦର କାରଣ ହୁଅନ୍ତି । ଶିକାରୀ ଅନ୍ଧାର ରାତ୍ରିରେ ଯାଉ ଯାଉ ଯଦି ଅଜଗର ମୁହଁରେ ପଡ଼ି ଯାଏଁ ତେବେ ଆଉ ରକ୍ଷା ନାହିଁ ।

 

ଥରକର ଘଟନା । ମୋର ଅଜା ୰ରତ୍ନାକର ଭଞ୍ଜ ଓଡ଼ିଶାର ଜଣେ ବିଖ୍ୟାତ ଶିକାରୀ । ତାଙ୍କର ଅତୁଟ ଲକ୍ଷ୍ୟ, ଅସୀମ ସାହସ ଓ ବଳବିକ୍ରମ ବିଷୟ ମୁଁ ମୋର ‘ଶିକାର ଓ ଶିକାରୀ’ ପ୍ରଥମଭାଗରେ ଉଲ୍ଲେଖ କରିଅଛି । ଥରେ ସେ ତାଙ୍କର ସାଥୀସହ ଅନ୍ଧକାର ରାତ୍ରିରେ ଶିକାରକୁ ଯାଇଥିଲେ । ଏକ ବୃହତ୍‍କାୟ ଅଜଗର ହଠାତ ତାଙ୍କର ଡାହାଣ ପାଦକୁ କାମୁଡ଼ିଧରି ଦେହରେ ଗୁଡ଼େଇ ହୋଇଗଲା । ଏଭଳି ମହା ବିପଦରେ ମଧ୍ୟ ସେ ଧୈର୍ଯ୍ୟ ହରାଇ ନଥିଲେ । ଅତି ସାହସର ସହ ଅଣ୍ଟାରେ ଥିବା ଛୁରିଦ୍ୱାରା ଅଜଗରକୁ ଗଡ଼ଗଡ଼ କରି କାଟି, ତା’ କବଳରୁ ନିଜକୁ ମୁକ୍ତ କରିଥିଲେ । କିନ୍ତୁ ତାଙ୍କ ପାଦରେ ହୋଇଥିବା କ୍ଷତ କ୍ରମେ ପାଚିବାକୁ ଆରମ୍ଭ କଲା । ଏହି କ୍ଷତ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ଦୀର୍ଘ ୫ ବର୍ଷ ଲାଗିଯାଇଥିଲା । ବନ୍ଧୁକ ସଙ୍ଗେ ସଙ୍ଗେ ଛୁରି ଶିକାରୀଙ୍କ ପକ୍ଷରେ କିପରି ଆବଶ୍ୟକ ଏଥିରୁ ଅନୁମାନ କରାଯାଇପାରେ ।

Image

 

ପାହୁଆ ଝିଙ୍କ

 

ଝିଙ୍କ ଏକ କ୍ଷୁଦ୍ର ପଶୁ । ଏମାନେ ପାହାଡ଼ ପର୍ବତର କୋରଡ଼ମାନଙ୍କରେ ବାସ କରନ୍ତି । ଏମାନେ ନିଶାଚର ପ୍ରାଣୀ । ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରିଯାଆନ୍ତି । ପୁଣି ରାତ୍ରି ଶେଷ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ବଣର ଫଳମୂଳ ଏମାନଙ୍କର ପ୍ରଧାନ ଖାଦ୍ୟ । ଏମାନଙ୍କୁ ଏପ୍ରକାର ପାହାଡ଼ିଆ ମୂଷା କହିଲେ ଚଳେ । ଝିଙ୍କ ମାଂସ ବାଘଙ୍କର ଅତି ପ୍ରିୟ ଖାଦ୍ୟ । ଆମର ଏ ଅଞ୍ଚଳରେ ଝିଙ୍କମାଂସ ଖାଇବା ଚଳେ । ମୁଁ ମଧ୍ୟ ଖାଇଛି । ଝିଙ୍କମାଂସ ଖୁବ୍ ନରମ ଓ ସୁସ୍ଵାଦୁ । ମୁଁ କେବେ ଝିଙ୍କ ଶିକାର କରିବାକୁ ଯାଏଁ ନାହିଁ । ଶିକାର ସମୟରେ ଦୈବାତ ସମ୍ମୁଖରେ ପଡ଼ିଗଲେ ଫାୟାର କରିଦିଏ ।

 

ଥରକର ଘଟନା । ଗୋଟିଏ ମସ୍ତବଡ଼ ଝିଙ୍କ ‘ଗୟାଓସ୍ତ’ ଗାତରେ ବାସ କରୁଥିଲା । ପାଠକେ ଗାତର ଏପରି ଏକ ଅଭୁତ ନାମକରଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ପୁରାତନ ଶିକାରୀମାନେ ଝିଙ୍କ ବାସ କରୁଥିବା ଗାତମାନ ଠାବ କରି ତାହାର ନାମକରଣ କରିଯାଇଛନ୍ତି, ଯଥା: ଘୋଡ଼ା ଗାତ, ମଞ୍ଜାରି ଗାତ, ବାଘୁଆରୀ ଗାତ ଓ ରାଢ଼ବା ଗାତ ଇତ୍ୟାଦି । ଉକ୍ତ ଗୟାଓସ୍ତ ଗାତରେ ବାସ କରୁଥିବା ଝିଙ୍କଟି ବଡ଼ ପାରିଧିଆ । କେତେକ ଶିକାରୀ ତାକୁ ମାରିବା ସକାଶେ ବହୁ ଚେଷ୍ଟା କରି ବିଫଳ ହେଲେ । ସେ ଶିକାରୀଙ୍କୁ ଏକବାରକେ ବୋକା ବନାଇ ଖସି ଚାଲିଯାଏ । ଦିନେ ମୋର ପରିବାଣୁଆ ନବଘନ ଓ ନେତ୍ରାନନ୍ଦ ଆସି କହିଲେ, ‘ବାବୁ, ଗୟାଓସ୍ତ ଗାତ ଝିଙ୍କ ଏମିତି ପାହୁଆ ପଡ଼ିଛି ଯେ, ଆମେ ସଞ୍ଜୁଆ, ପାହାନ୍ତିଆ ଜଗିଜଗି ଥକି ପଡ଼ିଲୁଣି । ଆଉ ମାରି ହେଉନାହିଁ ।’ ମୁଁ ପଚାରିଲି, ‘କାହିଁକି ମାରି ହେଉନାହିଁ ? କଥା କ’ଣ ?’ ତା’ପରେ ସେ ଆରମ୍ଭ କଲା–ଝିଙ୍କଟା ଏପରି ଗାତ ଭିତରୁ ବାହାରିବ ଯେ, ଖୁଡ଼୍‍ କି ଖାଡ଼୍ କିଛି ଶୁଭିବ ନାହିଁ । ଗାତ ମୁହଁପାଖରୁ ହଠାତ ଏକ କୁଦା ମାରିବ ଯେ, ଯାଇ ବଡ଼ ପଥର ଉପରେ ପଡ଼ିବ । ସଙ୍ଗେ ସଙ୍ଗେ ତଳକୁ ଡେଇଁ ଚାଲିଯିବ । ସେମିତି ପାହାନ୍ତିଆ ଗାତକୁ ଫେରିବାବେଳେ ପାହାଡ଼ ଆଢ଼ୁଆଳରେ ଏପରି ଛପିଛପି ନୀରବ ନିଃଶବ୍ଦରେ ଆସିବ ଯେ, ଶିକାରୀ ତା’ର ଟେର ପର୍ଯ୍ୟନ୍ତ ପାଇବ ନାହିଁ । ଆମେ ନିତି କାନମୁଣ୍ଡା ଆଉଁଶି ଫେରୁଛି । ଥରଟାଏ ଚାଲନ୍ତୁ, ଦେଖିବା ।’

 

ମୁଁ କୌତୁହଳ ସମ୍ବରଣ କରିପାରିଲି ନାହିଁ । ଘଟନାଟା ପରୀକ୍ଷା କରି ଦେଖିବାକୁ ପ୍ରବଳ ଇଚ୍ଛା ହେଲା । ମୁଁ ଆଗ୍ରହର ସହ ସମ୍ମତି ଦେଲି । ଆମ୍ଭେମାନେ ଦିନ ୪ଟା ବେଳକୁ ବାହାରିପଡ଼ିଲୁ । ସ୍ଥାନଟା ଗୋଟିଏ ପାହାଡ଼ ଉପରେ । ଆମେ ସେଠାରେ ପହଞ୍ଚିବାବେଳକୁ ସୂର୍ଯ୍ୟ ଦିଗ୍‍ବଳୟରେ ବୁଡ଼ିଗଲେଣି । କିନ୍ତୁ ପଶ୍ଚିମ ଆକାଶରୁ ରକ୍ତବର୍ଣ୍ଣରଞ୍ଜିତ ଆଭା ଲିଭିନାହିଁ । ପକ୍ଷୀମାନଙ୍କର ଗହଳି ଚହଳି କମିଗଲାଣି । କାଁ ଭାଁ ଗୋଟିଏ ଦୁଇଟି ପକ୍ଷୀଦମ୍ପତି ପ୍ରେମାଳାପରେ ମାତି ଯାଇଥାନ୍ତି । ଶୀତଦିନ; କିନ୍ତୁ ପାହାଡ଼ ଉପରଟା ଏକ ଉଷ୍ମ ବାତାବରଣରେ ପୂରି ରହିଥିଲା । କାରଣ ପଥରଗୁଡ଼ାକ ଖରାରେ ତାତିଯାଇଥିଲା । ଥଣ୍ଡା ହେବାକୁ ବହୁତ ଡେରି ଲାଗିବ । ଶିକାର ଲକ୍ଷ୍ୟରେ ବସିବା ପୂର୍ବରୁ ପର୍ବତର ଶାନ୍ତ ସ୍ନିଗ୍‍ଧ ପରିବେଶ ମନଭରା ଉପଭୋଗ କରିନେଲି । ବନପର୍ବତରେ ଉଦୟ-ଅସ୍ତକାଳୀନ ଶୋଭା ଉପଭୋଗ କରିବା କେବଳ ଶିକାରୀଙ୍କ ଭାଗ୍ୟରେ ଯୁଟେ ।

 

ଝିଙ୍କ ଯିବାଆସିବା କରୁଥିବା ରାସ୍ତା, ଗାତ ସମ୍ମୁଖରେ ଥିବା ବଣବୁଦା, ପଥର ସବୁ ପରୀକ୍ଷା କରି ଦେଖିନେଲି । ତା’ପରେ ଗାତର ଉପରିଭାଗ ଏକ ଚଟାଣ ପଥର ଉପରେ ସତର୍କତା ଅବଲମ୍ବନପୂର୍ବକ ବସିଗଲି । ସେ ଦିନ ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ଚନ୍ଦ୍ରଦେବ କ୍ଷୀଣ ପ୍ରଭା ନେଇ ପ୍ରକାଶ ପାଇଲେ । ନିଶାଚର ପକ୍ଷୀଙ୍କର ଚଳପ୍ରଚଳରେ ବଣ ରାଇଜର ନୀରବତା ଭଙ୍ଗ ହେଲା । ମୁଁ ଅପଲକ ନେତ୍ରରେ ଚାହିଁଥାଏ । ଚାହିଁ ଚାହିଁ ଆଖି ଦରଜ ହୋଇଗଲା । କାଳେ ଝିଙ୍କଟା କେତେବେଳେ ଖସି ଚାଲିଯିବ । ତା’ ହେଲେ ଶିକାରୀ ମହଲରେ କମେଇଥିବା ସୁନାମ ଟିକକ ହରାଇ ବସିବି । ଆଖର ତାହାହିଁ ହେଲା । ଘଣ୍ଟାକ ପରେ ଝିଙ୍କଟା ହଠାତ ସମ୍ମୁଖ ପଥର ଉପରକୁ କୁଦା ମାରିଲା । ମୁଁ ବନ୍ଧୁକ ଉଠାଉ ଉଠାଉ ପାର୍ ।

 

ଶିକାରସାଥୀମାନଙ୍କର ଟାହୁଲି କହିଲେ ନ ସରେ । କିପରି କି କୌଶଳ ଅବଲମ୍ବନ କଲେ ତାକୁ ମାରିପାରିବା, ଏ ବିଷୟ ନେଇ ଆମ ମଧ୍ୟରେ ରୀତିମତ ଏକ ରିହର୍‍ସାଲ ହୋଇଗଲା-। ତା’ପରେ ପରଦିନର ସଂକଳ୍ପ ନେଇ ଆମ୍ଭେମାନେ ଘରକୁ ଫେରିଲୁ ।

 

ସାମାନ୍ୟ ଝିଙ୍କଟା ଏପରି ଠକି ଚାଲିଯିବ ବୋଲି ମୋର ଆଦୌ ପ୍ରତ୍ୟୟ ନଥିଲା । ଏ ଅବମାନନାର ପ୍ରତିଶୋଧ କାଲି ନେବାକୁ ହେବ । ମୁଁ ଖୁବ୍ ମନଦୁଃଖରେ ଫେରିଥାଏ । ମୋର ଗୁରୁଗମ୍ଭୀର ଭାବ ଦେଖି ଶ୍ରୀମତୀ ରାୟ ଶିକାର ବିଷୟରେ କିଛି ନ ପଚାରି ଭାତ ବାଢ଼ିଦେଲେ । ମୁଁ ଭୋଜନ ପରେ ଶୋଇଗଲି । କିନ୍ତୁ ନିଦ୍ରା ଦେବୀ ମୋ ପାଖ ସ୍ପର୍ଶ କଲେ ନାହିଁ । ଝିଙ୍କକୁ ମାରିବାର ନାନା ଉପାୟ ଚିନ୍ତା କରୁ କରୁ କେତେବେଳେ ନିଦ ହୋଇଗଲା ।

 

ପରଦିନ ମୋର ଶିକାରସାଥୀ ଦୁହିଁଙ୍କୁ ସଙ୍ଗରେ ଧରି ଯଥାସମୟରେ ବାହାରିପଡ଼ିଲି । ସୂର୍ଯ୍ୟାସ୍ତ ପରେ ଆମେ ଆସ୍ଥାନ ଜମାଇ ବସିପଡ଼ିଲୁ । ଆଜି ପରୀକ୍ଷାର ଦିନ । ଭାଗ୍ୟଦେବୀ ସୁପ୍ରସନ୍ନା ନ ହେଲେ ବିଜୟ ହାସଲ କରିବା ବିଡ଼ମ୍ବନା ମାତ୍ର । ମୁଁ ବନ୍ଧୁକର ଦୁଇଟିଯାକ ନଳାରେ ଏଲି. ଜି. କାର୍ତ୍ତୋସ ଭରିନେଲି । ଝିଙ୍କ ଯେଉଁ ପଥର ଉପରକୁ କୁଦା ମାରୁଛି, ସେହି ପଥର ଉପରକୁ ନିଶାଣ ଲଗାଇ ବସିବାକୁ ହେବ । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ, ଟ୍ରିଗରରେ ଅଙ୍ଗୁଳି ରଖି, ନିଶାଣ ଲଗାଇ ବସିରହିଲି । ଆଣ୍ଠୁ ଉପରେ କହୁଣି ଭରାଦେଇ ଡବଲ ବୋରେଲ ବନ୍ଧୁକଟା ଧରି ଦୀର୍ଘ ସମୟ ବସିବା କେତେ କଷ୍ଟକର ବିଷୟ ଅନୁମାନ କରିପାରୁଥିବେ । ଏହା ଯେତେ କଷ୍ଟସାଧ୍ୟ ହେଉପଛେ ଇଷ୍ଟ ସିଦ୍ଧି କରିବାକୁ ହେବ । ଶାସ୍ତ୍ର କହୁଛି–‘ସାଧନା କଲେ ସିଦ୍ଧି ମିଳେ ।’

 

ଚକ୍ଷୁକର୍ଣ୍ଣକୁ ସଜାଗ କରି ବସିଥାଏ । ସାମାନ୍ୟତମ ଶବ୍ଦ କିମ୍ବା ହଲଚଲରେ ମୁଁ ସଜାଗ ହୋଇଉଠେ । ଶାରୀରିକ କଷ୍ଟ ମୋର ମନବଳକୁ ଭାଙ୍ଗିପାରିଲା ନାହିଁ । ମୁଁ ଏକଲୟରେ ପଥର ଉପରକୁ ଲକ୍ଷ୍ୟ କରିଥାଏ । ଶୁକ୍ଳପକ୍ଷ ରାତ୍ରି ହେଲେ ମଧ୍ୟ ଉକ୍ତ ପଥର ଉପରେ ଚନ୍ଦ୍ରକିରଣ ପଡ଼ିପାରୁ ନଥିଲା । କାରଣ ଗଛ ଛାଇ ପ୍ରତିବନ୍ଧକ ହେଉଥିଲା । ପ୍ରାୟ ଘଣ୍ଟାକ ପରେ ହଠାତ ଦୁମ୍‍ କରି ଏକ ଶବ୍ଦ । ଠିକ୍ ସେହି ମୁହୂର୍ତ୍ତରେ ମୋର ବନ୍ଧୁକ ଗର୍ଜିଉଠିଛି । ବନ୍ଧୁକ ଶବ୍ଦ ନ ଲିଭୁଣୁ ନବଘନ ଦୌଡ଼ିଯାଇ ଝିଙ୍କ ଉପରେ ପାହାର ବସାଇଲା । ଆଉ ତା’ର ଚଉଦ ପୁରୁଷ ଉଦ୍ଧାର କରିବାକୁ ଛାଡ଼ିଲା ନାହିଁ । କ୍ଷିପ୍ର ବେଗରେ ଗୁଳି ଚାଳନା ଓ ଅନ୍ଧାଧୁନିଆ ଲକ୍ଷ୍ୟରେ ଯେ ସଫଳତା ହାସଲ କରିପାରିଛି, ସେଥିପାଇଁ ମୁଁ ଅପାର ଆନନ୍ଦ ଲାଭ କଲି ।

 

ଝିଙ୍କକୁ ଗୋଟିଏ ତଡ଼ାରେ ବାନ୍ଧି ନବଘନ ଓ ନେତ୍ରାନଦ କାନ୍ଧେଇଲେ । ମୁଁ ଆଗରେ, ସେମାନେ ମୋ ପଛେ ପଛେ ଆସୁଥାନ୍ତି । ପାହାଡ଼ରୁ ଓହ୍ଲାଇ ସମତଳ ଭୂମିରେ ଚାଲିଛୁ । ଝିଙ୍କର ପାହୁଆପଣ ଓ କେଉଁ ଶିକାରୀ କେତେଦିନ ତାକୁ ଜଗିଥିଲେ, ଏ ବିଷୟରେ କଥାବାର୍ତ୍ତା ଚାଲିଥାଏ-। ଏହି ସମୟରେ ଦୁଇଟା ଚିତାବାଘ ଆମର ବାଟ ଓଗାଳିଲେ । ଆମ ପାଖରୁ ପ୍ରାୟ ୫୦।୬୦ ଗଜ ଦୂରରେ ଥାଇ ହାଉଁ ହାଉଁ ହେଲେ । ଆମେ ବଣବୁଦା ପିଟି ଯେତେ ହୋ-ହା କଲୁ ମୋଟେ ହଟିଲେ ନାହିଁ । ଆମ ଏ ଅଞ୍ଚଳର ସାଧାରଣ ଲୋକ ମଧ୍ୟ ଚିତାବାଘକୁ ଭୟ କରନ୍ତି ନାହିଁ-। କିନ୍ତୁ ଆମେ ସ୍ଥଳବିଶେଷରେ ଚିତାର ସ୍ୱରୂପ ଅଙ୍ଗେ ଲିଭାଇଛୁ । ବାଘର ଭୟାବହତା ଚିତାଠାରେ ନାହିଁ ସତ, ତେବେ ତାକୁ ଅବଜ୍ଞା କରାଯାଇ ନ ପାରେ । ଆଚ୍ଛା କଥା ହେଲା । ବାଟରୁ ଉଠୁନାହାନ୍ତି-। ଆମକୁ ଦେଖା ପଡ଼ୁ ନ ଥାନ୍ତି । ତା’ ହେଇଥିଲେ ତ କେତେବେଳୁ ଯମପୁରକୁ ଯାଇସାରନ୍ତେଣି । ଅଗତ୍ୟା ଆମେ ବାଟ ଭାଙ୍ଗି ଗୋଟେ ଡଗର ରାସ୍ତା ଧରିଲୁ । ତଥାପି ସେମାନେ ଆମ ପିଛା ଛାଡ଼ିଲେ ନାହିଁ । ଗୋଟାଏ ଆମ ପଛପଟେ ଗର୍ଜନ ଛାଡ଼ିଲାବେଳକୁ ଆଉ ଗୋଟେ ଆମ କଡ଼ପଟେ । ଆମେ ସେ ପ୍ରତି ଭ୍ରୂକ୍ଷେପ ନ କରି ଆଗେଇ ଚାଲିଥାଉ । ଆମର ବିଚାର, ଆକ୍ରମଣ କଲେ ଦେଖାଯିବ । ଆମେ ବରାବର ଲକ୍ଷ୍ୟ କରିଛୁ, ସେ ଦୁଇଟାଯାକ ଆମ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଆସି ଫେରିଲେ । ନଭେମ୍ବର ଓ ଡିସେମ୍ବର ବାଘଙ୍କର ମିଳନଋତୁ । ବୋଧହୁଏ ସେ ବାଘ ଦମ୍ପତି ଆମର ଗହଳ ଚହଳ ବରଦାସ୍ତ କରିପାରିଲେ ନାହିଁ ।

Image

 

ବାଘ ମୁହଁରୁ ବଞ୍ଚିଗଲି

 

ଜଙ୍ଗଲରେ ଜନ୍ତୁର ଖୋଳ ଧରି ପିଛା କରିବାରେ ଶିକାରୀକୁ ପ୍ରଚୁର ଆନନ୍ଦ ମିଳେ । ଏହା ଶିକାରୀଙ୍କର ଏକ ବିଶିଷ୍ଟ କଳା । ଅଭିଜ୍ଞ, ଚତୁର ଓ ସାହସୀ ଶିକାରୀ ନ ହେଲେ ଏ ପ୍ରକାର ଶିକାରରେ ସଫଳତା ହାସଲ କରିବା ବିଡ଼ମ୍ବନା ମାତ୍ର । ଶିକାରର ପିଛା କରିବାକୁ ହେଲେ ଜଙ୍ଗଲର ପ୍ରତ୍ୟେକ ରାସ୍ତାଘଟ ଓ ସ୍ଥାନ ବିଷୟରେ ଗଭୀର ଜ୍ଞାନ ଥିବା ଯେପରି ଆବଶ୍ୟକ, ଗଛଚଢ଼ା ଶିଖିବା ସେହିପରି ଅନିବାର୍ଯ୍ୟ । ଏଥିରେ ସାମାନ୍ୟ ମାତ୍ର ତ୍ରୁଟି ଥିଲେ, ଶିକାରୀଙ୍କର ଜୀବନ ଘୋର ସଙ୍କଟାପନ୍ନ ହୋଇପଡ଼େ । ଏପରିକି ଅତି ଶୋଚନୀୟଭାବେ ମୃତ୍ୟୁ ପର୍ଯ୍ୟନ୍ତ ବରଣ କରିଥାନ୍ତି । ମୁଁ ତାହାର ଗୋଟିଏ ଉଦାହରଣ ଦେବି ।

 

ଖୋଜଚିହ୍ନ ଧରି ଶିକାର କରିବାର ପ୍ରକୃଷ୍ଟ ସମୟ ହେଉଛି ଆଷାଢ଼ ମାସ । ଦିନେ ମୁଁ ଆଉ ମୋର ସମସାମୟିକ ଶିକାରୀ ଉଦ ଶିକାରକୁ ବାହାରିପଡ଼ିଲୁ । ସବୁ ଠିକ୍ ଥିଲା; କିନ୍ତୁ ଗ୍ରାମର ଉପକଣ୍ଠରେ ବହୁଞ୍ଚିବାବେଳକୁ ଆମର ଦକ୍ଷିଣ ଦିଗରେ ଗୋଟିଏ ଅଣ୍ଡିରା ବିଲୁଅ ଭୁକି ଭୁକି ଚାଲିଗଲା । କଥା ଅଛି, ‘ବାମେ ଗୋ, ଶବ, ଶିବା’ ଦେଖିଲେ ଶୁଭ । ଅନ୍ୟଥା ଅଶୁଭ । ମୋର ଏ ସବୁ ଶୁଭାଶୁଭ ଉପରେ ଆସ୍ଥା ନ ଥାଏ; ମାତ୍ର ଶିକାରଯାତ୍ରା କାଳରେ ମୋର ସେ ସବୁ ଦମ୍ଭ ଫସରଫାଟି ଯାଏଁ । ଏକେ ତ ଯାତ୍ରା ଅନୁକୂଳରେ ଦକ୍ଷିଣ ଦିଗରେ ବିଲୁଆ ଦେଖିଲି । ଦ୍ୱିତୀୟରେ, ଉଦ ହେଉଛନ୍ତି ମହା ଭୟାଳୁ ଶିକାରୀ । ପୁଣି ଜଙ୍ଗଲର ପ୍ରାଣୀମାନଙ୍କ ସମ୍ୱନ୍ଧରେ ତାଙ୍କର ବିଶେଷ ଜ୍ଞାନ ନାହିଁ । ବିଲୁଆଟାକୁ ଦେଖିବା ପରେ ଯେତେବେଳେ ମୁଁ କହିଲି ଆମର ପଛକୁ ଫେରିଯିବା ଉଚିତ, ସେ ମୋତେ ଥଟ୍ଟା କରିବାକୁ ଲାଗିଲେ ଏବଂ କହିଲେ–ବିଲୁଆ ଦେଖିଲେ ଅମଙ୍ଗଳ ହୁଏ, ଏଟା ମାଈକିନିଆ କଥା । ଫଳରେ ଆମେ ଅଗ୍ରସର ହେବାକୁ ଲାଗିଲୁ ।

 

ସେତେବେଳେ ଆକାଶରେ ତାରା ଫିକା ହୋଇ ଆସୁଥିଲେ । ପ୍ରାୟ ଦୁଇମାଇଲ ପଥ ଅତିକ୍ରମ କରିବା ପରେ ଢାଉଟାଙ୍ଗି ନିକଟରେ ମୁଁ ଗୋଟିଏ ମସ୍ତବଡ଼ ଗାଡ଼ିଆ ଖୁରୁଙ୍ଗକୁ ଗୁଳି କଲି । କିନ୍ତୁ କାହିଁକି ଯେ ଗୁଳିଟା ଲାଗିଲା ନାହିଁ କହିପାରିବି ନାହିଁ । ଆହୁରି କିଛି ଦୂର ଯିବା ପରେ ଗୋଟିଏ ହରିଣ ପଲଙ୍କର ତଟକା ଖୋଜଚିହ୍ନ ଦୃଷ୍ଟିଗୋଚର ହେଲା । ପଲଟିରେ ମାତ୍ର ୩।୪ଟି ହରିଣ ଥିଲେ । ମୁଁ ଖୋଜଚିହ୍ନ ଧରି ଆଗେଇ ଚାଲିଛି । ଉଦ ମୋର ପଛରେ । ହଠାତ ଗୁଳି ଶବ୍ଦରେ ମୁଁ ଚମକିପଡ଼ିଲି । ପରେ ଜଣାଗଲା ତାଙ୍କର ଗୁଳି ଚୋଟରେ ଗୋଟିଏ ମାଈ ହରିଣର ସମ୍ମୁଖ ବାମ ଗୋଡ଼ ଭାଙ୍ଗିଯାଇଛି । ସେଟାକୁ ଯେତେଦୂର ସମ୍ଭବ ତଡ଼ିକରି ନେଲୁ; କିନ୍ତୁ ସେ ଘନ ଜଙ୍ଗଲ ମଧ୍ୟରେ କେଉଁଠାରେ ଛପିଗଲା । ଆଉ ତାକୁ ଖୋଜିବାର ଧୈର୍ଯ୍ୟ ମୋର ନଥିଲା । ଦୁର୍ଭାଗ୍ୟର କଥା କୌଣସି ଶିକାରର ଟେର ସୁଦ୍ଧା ମିଳିଲା ନାହିଁ । ସେତେବେଳକୁ ଦିନ ବାରଟା ହୋଇଯାଇଥିଲା । ଆମେ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କଲୁ ।

 

ଆମେ ଜଙ୍ଗଲର ଗତାଗତ ରାସ୍ତା ଛାଡ଼ି ଏକ ସଳଖ ରାସ୍ତା ଧରିଲୁ । ଏ ରାସ୍ତାଟି ନିଘଞ୍ଚ ବାଉଁଶବଣ ମଧ୍ୟରେ ଗୋଟିଏ ନାଳ । ଏହାର ନାମ ‘କୁମ୍ଭୀ ବେରେଣୀ ନାଳି’ । ଶିକାରରେ ଆମର ଅସଫଳତା ବିଷୟରେ କଥାବାର୍ତ୍ତା ହୋଇ ଚାଲିଛୁ । ଏହି ସମୟରେ ଗୋଟାଏ ବାଘ ନାଳିର ମଝିରେ ଆସି ଠିଆ ହୋଇଗଲା । ଆମ ପାଖରୁ ତା’ର ଦୂରତ୍ଵ ପ୍ରାୟ ଦେଢ଼ଶହ ଗଜ । ୧୨ ବୋର ବନ୍ଧୁକର ରେଞ୍ଜ ୬୦।୭୦ ଗଜରୁ ବେଶି ନୁହେଁ । ଏଣୁକରି ଆମେ ନିରୁପାୟ । ବାଘ ମାତ୍ର ମିନିଟିଏ ଏକଦୃଷ୍ଟିରେ ଆମକୁ ଚାହିଁ ଯେଉଁ ଦିଗରୁ ଆସିଥିଲା ସେହି ଦିଗକୁ ଚାଲିଗଲା ।

 

ଯଥେଷ୍ଟ ସମୟ ଅପେକ୍ଷା କରି ଅଗ୍ରସର ହେବାକୁ ପ୍ରସ୍ତାବ କଲି । କିନ୍ତୁ ଉଦ ମୋ ସଙ୍ଗେ ଏକମତ ହୋଇପାରିଲେ ନାହିଁ । ତାଙ୍କର ବିଚାର ଗୋଟିଏ ଫାଙ୍କା ଆବାଜ କରାଯାଉ । ତା’ହେଲେ ବାଘଟା ଦୂରକୁ ପଳାଇବ । ଆବାଜ କରି ବାଘଟାକୁ ବୃଥା ଉତ୍ତେଜିତ କରିବା ବୁଦ୍ଧିମାନ୍‍ର କାର୍ଯ୍ୟ ହେବ ନାହିଁ । ବରଂ ଚୁପ୍‍ଚାପ୍ ଖସି ଚାଲିଯିବା ନିରାପଦର ବିଷୟ ହେବ–ଏକଥା ମୁଁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ଏକାନ୍ତ ନାରାଜ । ଏହି ସମୟରେ ପଲେ କୁକୁଡ଼ା କର୍-କର୍ ହୋଇ ହଠାତ ଉପରକୁ ଉଠିଗଲେ । ଏହା ବାଘ ନିକଟରେ ଥିବାର ସ୍ପଷ୍ଟ ସୂଚନା । ଉଦ ସେତେବେଳକୁ ଭୟରେ କାତର ହୋଇପଡ଼ିଲାଣି । ମୋର ବାରଣ ସତ୍ତ୍ଵେ ସେ ସଙ୍ଗେ ସଙ୍ଗେ ଉପରକୁ ଏକ ଫାୟାର କରିଦେଲେ ।

 

ପରମୁହୂର୍ତ୍ତରେ ଭୟାନକ ଗର୍ଜନ କରି ବାଘଟା ବଣବୁଦା ମାଡ଼ି ଆମଆଡ଼କୁ ଧାଇଁଆସିଲା । ନିକଟରେ କେତୋଟି କୁମ୍ଭୀଗଛ ଥିଲା । ମୁଁ ଗୋଟିକ ଆଡ଼କୁ ତୀବ୍ର ବେଗରେ ଛୁଟିଗଲି । ବାଘ ମୋତେ ଲକ୍ଷ୍ୟ କରି ଚମକି ଆସିଲା; କିନ୍ତୁ ମୋ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଗଛରେ ଚଢ଼ିଯାଇଥିଲି । ବାଘଟା ଗଛମୂଳରେ ବସିପଡ଼ି ଲାଙ୍ଗୁଳ ତଳେ ପିଟି, ମୁଖବ୍ୟାଦାନ ପୂର୍ବକ ଖୁବ୍ ତର୍ଜନ ଗର୍ଜନ କଲା । ଥରେ ଦୁଇଥର ଲମ୍ଫ ପ୍ରଦାନ କରିବାକୁ ବୃଥା ଚେଷ୍ଟା କରି ଶେଷରେ ନିଷ୍ଫଳ ହେଲା । ବନ୍ଧୁକଟା ତଳେ ରଖିଯାଇଥିବାରୁ ମୁଁ ନିରୁପାୟ । ୨।୩ ମିନିଟ ପରେ ବାଘଟା ଉଠିପଡ଼ି ଗଛ ଚାରିପାଖରେ ଘେରାଏ ବୁଲିଗଲା । ବନ୍ଧୁକଟା ଗଛକୁ ଡେରା ହୋଇଥିଲା । ଗଛରେ ନଖ ମାରି ଉପରକୁ ଉଠିବା ସକାଶେ ଉପକ୍ରମ କରୁଥିଲା; କିନ୍ତୁ ବନ୍ଧୁକକୁ ଥରେ ଦୁଇଥର ଶୁଙ୍ଘିଦେଇ ସେଥିରୁ ନିବୃତ୍ତ ହେଲା । ସେ ସମୟରେ ମୋର ଅବସ୍ଥା ପାଠକେ ଅନୁମାନ କରିପାରୁଥିବେ । ତା’ପରେ ବାଘଟା ବିଦ୍ୟୁତ୍ ବେଗରେ ବୁଲିପଡ଼ି ଦ୍ରୁତଗତିରେ ଯେଉଁ ଦିଗରୁ ଆସିଥିଲା ସେହି ଦିଗକୁ ଫେରିଗଲା । ମୁଁ ପରମେଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇ ଗଛରୁ ଓହ୍ଲାଇଲି ।

 

ଦେଖିଲି ଉଦଙ୍କର ପତ୍ତା ନାହିଁ । ତାଙ୍କ ଉଦ୍ଦେଶ୍ୟରେ ସିଟି ମାରିଲି । କୌଣସି ଉତ୍ତର ମିଳିଲା ନାହିଁ । ବିରକ୍ତରେ ମୋର ମନ ଭରିଉଠିଲା । ଅନ୍ୱେଷଣ କରୁକରୁ ସେ ମୋତେ ଦେଖି ସିଟି ବଜାଇଲେ । ମୁଁ ନିକଟକୁ ଯାଇ ଦେଖିଲି, ସେ ଗୋଟିଏ କଣ୍ଟାବୁଦା ଭିତରେ ଆବଦ୍ଧ । ଜୀବନବିକଳରେ ପଶିଯାଇଛନ୍ତି; କିନ୍ତୁ ବାହାରିପାରୁନାହାନ୍ତି । ଏ ଏକ ସମସ୍ୟା । ଛୁରିରେ କଣ୍ଟା କାଟି ତାଙ୍କୁ ବାହାର କଲି । ଦେଖିଲି ତାଙ୍କର ପୋଷାକ ଛିନ୍ନଭିନ୍ନ, ଘର୍ମରେ ଶରୀର ସିକ୍ତ । ମାତାଲ ପରି ଟଳଟଳ ହେଉଛନ୍ତି ଆଉ ଫେରି ଫେରି ପଛକୁ ଚାହୁଁଛନ୍ତି । କଥା କହିବାର କ୍ଷମତା ମଧ୍ୟ ନଥିଲା । ମୁଁ ତାଙ୍କ କାନ୍ଧରେ ହାତ ରଖି ଦମ୍ଭ ଦେଲି–ଏବେ ଆମର ସମସ୍ତ ବିପଦ ଦୂର ହୋଇଯାଇଛି; ଆଉ ଭୟର କାରଣ ନାହିଁ । ତା’ପରେ ବାଟଭାଙ୍ଗି ନୀରବ ନିଃଶବ୍ଦେ ଘରକୁ ଫେରିଲୁ ।

 

ସେଟା ବାଘୁଣୀ । ବାରମ୍ବାର ଗୋଟାଏ ଦିଗରୁ ଆସୁଛି; ପୁନରାୟ ସେହି ଦିଗକୁ ଫେରିଯାଉଛି । ଏଥିରୁ ନିଃସନ୍ଦେହରେ କୁହାଯାଇପାରେ, ସେ ନିକଟବର୍ତ୍ତୀ କୌଣସି ସ୍ଥାନରେ ଛୁଆ ଦେଇଛି । ତେଣୁ ସେ ଅଞ୍ଚଳରେ ମନୁଷ୍ୟର ପ୍ରବେଶ ତା’ର ବରଦାସ୍ତ ହେଲା ନାହିଁ ।

 

ଗଛ ଚଢ଼ିବା ଜାଣିଥିବାରୁ ମୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲି । ତା’ ନ ହୋଇଥିଲେ ମୁଁ ଏ କାହାଣୀ ଲେଖିବାକୁ ନ ଥାନ୍ତି ।

Image

 

ଘାଉଆ ବାଘ

 

‘ରାଢ଼ବା ମୁଣ୍ଡିଆ’ ଉପରେ ଗୋଟିଏ ଡଗରରାସ୍ତା । ସେ ରାସ୍ତାରେ ବାଘ, ମିରିଗ, କୁଟ୍ରା ଆଦି ଜନ୍ତୁ ଗମନାଗମନ କରନ୍ତି । ସେଠାରେ ଜଗିକରି ବସିଲେ ଶିକାର ମିଳିପାରେ । ଏକଦା ଆମ ଗ୍ରାମର ଜଣେ ତରୁଣ ଅନଭିଜ୍ଞ ଶିକାରୀ ଶିକାରକୁ ଯାଇଥିଲେ । ରାତିରେ ଉକ୍ତ ଡଗର ରାସ୍ତାରେ ଜଗିକରି ବସିଲେ । ସେଦିନ ଶୁକ୍ଳପକ୍ଷ ରାତ୍ରି ଥିଲା । ହେଲେ ମଧ୍ୟ ଗଛ ଛାଇରେ ଛାପିଛାପିକିଆ ଜହ୍ନ ପଡ଼ିଥିବାରୁ ରାସ୍ତା ଉପରଟା ପରିଷ୍କାର ଦେଖାଯାଉ ନଥିଲା । ଦେଖିଲେ, ସେହି ରାସ୍ତା ଉପରେ ଏକ ବୃହତ୍‍କାୟ ଜାନୁଆର ଦ୍ରୁତ ପଦକ୍ଷେପରେ ଚାଲିଆସୁଛି । ତାକୁ ଭଲ ଭାବରେ ଚିହ୍ନିବାକୁ ଅବସର ନ ନେଇ ଶିକାରୀ ଗୁଳି ଚଳାଇଦେଲେ । ସେ ଗୁଳି ଖାଇ ନୀରବ ନିଃଶବ୍ଦରେ ଦୌଡ଼ି ପଳାଇଲା ।

 

ପରଦିନ ସକାଳୁ ଦେଖାଗଲା ଗୁଳି ଉକ୍ତ ଜନ୍ତୁ ଦେହରେ ଲାଗିଛି । ରକ୍ତ ଚିହ୍ନରୁ ଏହା ସ୍ପଷ୍ଟ ଜଣାପଡ଼ୁଥିଲା । ଶିକାରୀ ଆଉ ମାଡ଼ ସ୍ଥାନ ପରୀକ୍ଷା କଲେ ନାହିଁ । ସେ ପ୍ରଥମେ ଜନ୍ତୁକୁ ନ ଚିହ୍ନି ମିରିଗ ଶିଙ୍ଘାଳ ଭାବି ଗୁଳି ଚଳାଇଛନ୍ତି । ଦ୍ଵିତୀୟରେ ଜନ୍ତୁଟା ଗୁଳି ଖାଇ ଦୌଡ଼ିବା ସମୟରେ ସେଟା ଖୁରାଥିବା ଜନ୍ତୁ କି ପଞ୍ଝାଥିବା ଜନ୍ତୁ, ଏତକ ବୁଝିବାର ଅଭିଜ୍ଞତା ତାଙ୍କର ନାହିଁ । ତା’ଛଡ଼ା ମାଡ଼ ସ୍ଥାନ ପରୀକ୍ଷା କରିଥିଲେ ରୁମରୁ ଜନ୍ତୁଟାର ପରିଚୟ ମିଳିଯାଇଥାନ୍ତା ନିଶ୍ଚୟ । ଏସବୁ ତ୍ରୁଟି ସତ୍ତ୍ୱେ ଶିକାରୀ କେବଳ ରକ୍ତର ସଙ୍କେତକୁ ସମ୍ବଳ କରି ବହୁତ ଦୂର ପର୍ଯ୍ୟନ୍ତ ଖୋଜିଲେ । କିନ୍ତୁ ଶେଷରେ ନିରାଶ ହୋଇ ଫେରିବାକୁ ପଡ଼ିଲା ।

 

ଦିନ ଏଗାରଟା ସମୟ । ଉକ୍ତ ଶିକାରୀ ଆସି କହିଲେ, “ଗୋଟାଏ ମସ୍ତବଡ଼ ଶିଙ୍ଘାଳକୁ ଗୁଳି ମାରିଛି । ରକ୍ତ ଦେଇ ଦେଇ ଯାଇଛି । କିନ୍ତୁ ବହୁତ ଖୋଜିଲି, ମିଳିଲା ନାହିଁ । ଚାଲ, ଟିକିଏ ଦେଖିବା ।” ଘାଉଆ ଜନ୍ତୁକୁ ମାରିବାରେ ଶିକାରୀଙ୍କୁ ସାହାଯ୍ୟ କରିବା ପ୍ରତ୍ୟେକ ଶିକାରୀଙ୍କର କର୍ତ୍ତବ୍ୟ । ମୁଁ ନିତାନ୍ତ ଅନିଚ୍ଛାସତ୍ତ୍ୱେ ତାଙ୍କ ପ୍ରସ୍ତାବରେ ଯୋଗ ଦେଲି । ଶିକାର ଲୋଭରେ ପ୍ରାୟ ୮।୧୦ ଜଣ ଲୋକ ଅଯାଚିତଭାବେ ଯିବାକୁ ବାହାରିପଡ଼ିଲେ । ଆମେ ସଦଳବଳେ ଯାଇ ମାଡ଼ ସ୍ଥାନରେ ଉପସ୍ଥିତ ହେଲୁ । ମୁଁ ପ୍ରଥମେ ମାଡ଼ ସ୍ଥାନଟା ପରୀକ୍ଷା କରିନେବାକୁ ଚାହିଁଲି । କିନ୍ତୁ ତରୁଣ ଶିକାରୀ ସଠିକ ସ୍ଥାନର ସୂଚନା ଦେଇପାରିଲେ ନାହିଁ । ତା’ପରେ ମୋର କାମ ହେଲା ପାଦଚିହ୍ନ ଦେଖିବା । ପାହାଡ଼ ଉପରଟା ପଥର ଓ ଶୁଖିଲା ପତ୍ରରେ ପୂର୍ଣ୍ଣ । ପାଦଚିହ୍ନ ମିଳିବା ସମ୍ଭବ ନୁହେଁ । ତଥାପି ଖୁରାଥିବା ଜନ୍ତୁ ହୋଇଥିଲେ ଶୁଖିଲା ପତ୍ର ଉପରେ କିଛି ହେଲେ ସଙ୍କେତ ମିଳିପାରିଥାନ୍ତା-। ଆହତ ଜନ୍ତୁଟା ଯେ ଶିଙ୍ଘାଳ ନୁହେଁ ଏଥିରେ ମୋର ସନ୍ଦେହ ଜାତ ହେଲା । ରକ୍ତଦାଗରୁ ଜଣାଗଲା, ଗୁଳି ଜନ୍ତୁ ଦେହରେ ଲାଗି ଫିଟି ଯାଇଛି; ମର୍ମସ୍ଥାନରେ ଲାଗିନାହିଁ । କିନ୍ତୁ ଶିଙ୍ଘାଳ ହୋଇଥିଲେ ସ୍ଥାନେ ସ୍ଥାନେ ପଡ଼ିଉଠି ଯାଇଥାନ୍ତା । ଏବାର ମୁଁ ନିଃସନ୍ଦେହରେ କହିପାରେ ଶିକାରୀ ଶିଙ୍ଘାଳ ଭ୍ରମରେ ବାଘକୁ ଗୁଳି କରିଛନ୍ତି-। ଏକଥା ମୁଁ ଆମ ଦଳର ଲୋକଙ୍କୁ ବୁଝାଇଦେଲି-। ତା’ ସତ୍ତ୍ୱେ, ସେମାନେ ନିୟମ ଲଙ୍ଘନ କରି ବେପରୁଆ ଭାବରେ ଘାଉଆ ଜନ୍ତୁର ପିଛା କରିବାକୁ ଲାଗିଲେ ।

 

ଆହତ ହିଂସ୍ର ପଶୁର ଅନୁସରଣ କରିବା ଅତ୍ୟନ୍ତ ଜଟିଳ । କେତେକ ନିୟମ ପ୍ରତି ଶିକାରୀ ସବୁ ସମୟରେ ସଚେତ ରହିବାକୁ ହେବ ଯଥା–ପବନର ଗତି, ଜଙ୍ଗଲର ସ୍ୱରୂପ, ଜନ୍ତୁର ବୈଶିଷ୍ଟ୍ୟ ଆଉ ନିଜ କ୍ଷମତାର ପରିସୀମା । ସବୁ ବିଷୟରେ ତା’ର ମନେରଖିବା ଦରକାର ଯେ କୌଣସି ପ୍ରକାର ଶବ୍ଦ ନ କରି ଚାଲିବାକୁ ହେବ । ଚତୁର୍ଦ୍ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ହେବ । ଘୋଡ଼ା ଚଢ଼ାଇ ବନ୍ଧୁକ ଉଦ୍ୟତ କରି ରଖିବାକୁ ହେବ । ନଚେତ ଅତର୍କିତ ଆକ୍ରାନ୍ତ ହେବାର ସମ୍ଭାବନା ।

 

ତରୁଣ ଶିକାରୀ ଓ ତାଙ୍କ ଦଳ ଉପରୋକ୍ତ ନିୟମ ଲଙ୍ଘନ କରି ଆହତ ଜନ୍ତୁର ପିଛା କରିବାରେ ଲାଗିଗଲେ । ସମସ୍ତଙ୍କ ପଛରେ ମୁଁ ମୋର ସମସ୍ତ ସତର୍କତା ଅବଲମ୍ବନପୂର୍ବକ ଚାଲିଥାଏ । ପାହାଡ଼ ଅତିକ୍ରମ କରି ସମତଳ ଭୂମିରେ ଉପସ୍ଥିତ ହେଲୁ । ପ୍ରାୟ ଏକ ଫର୍ଲଙ୍ଗ ଦୂର ଅଗ୍ରସର ହେବାପରେ ଆଉ ରକ୍ତର ଦାଗ ମିଳିଲା ନାହିଁ । ଏହିଠାରେ ବିଷମ ସମସ୍ୟା ଉପସ୍ଥିତ । ମୋର ବିଚାର, ବର୍ତ୍ତମାନ ଅବସ୍ଥାରେ ଆଉ ପାଦେ ମାତ୍ର ଅଗ୍ରସର ହେବା ନିରାପଦ ନୁହେଁ । ଆଡ଼ି କରି କିମ୍ବା ମଇଁଷି ଗୋଠ ଭର୍ତ୍ତିକରି ସେ ଘାଉଆ ଜନ୍ତୁର ଠାବ କରିବାକୁ ହେବ । ଅନ୍ୟଥା ଘୋର ବିପଦର ସମ୍ଭାବନା । କାରଣ, ନିଘଞ୍ଚ ଜଙ୍ଗଲ, ଦୂରକୁ ଦୃଷ୍ଟି ପରିଚାଳିତ ହୋଇପାରିବ ନାହିଁ । ଆକସ୍ମିକ ଆକ୍ରମଣର ସମ୍ଭାବନା । ଆତ୍ମରକ୍ଷାର ଉପାୟ ନାହିଁ । ତା’ପରେ ରକ୍ତସ୍ରାବ ଯେତେବେଳେ ବନ୍ଦ ହେଲାଣି ଖୁବ୍ ନିକଟରେ ସେ ବିଶ୍ରାମ ନେଇଥିବାର ସମ୍ଭାବନା । ସୁତରାଂ ଫେରିଆସିବାକୁ ମୁଁ ପ୍ରସ୍ତାବ ଦେଲି ।

 

ତରୁଣ ଶିକାରୀ କହିଲେ, “ରକ୍ତ ବନ୍ଦ ହୋଇଗଲାଣି-। ଏଇ ପାଖରେ କେଉଁଠି ପଡ଼ିଥିବ-। ତୁମେ ଏଇଠି ଥାଅ । ଆମେ ଘେରାଏ ଦେଖି ଆସୁ ।” ମୁଁ ସେହିଠାରେ ଗୋଟିଏ ବୁଦାକୁ ଆଶ୍ରା କରି ଛପି ବସିଗଲି । ସେମାନେ ମାତ୍ର ୨୦।୨୫ ଗଜ ଯାଇଛନ୍ତି କି ନାହିଁ, ଏହି ସମୟରେ ବାଘ ଅଚାନକ ଘୋର ଗର୍ଜନ କରି ମିଶିଲା । ଲୋକମାନେ ଛତ୍ରଭଙ୍ଗ ଦେଇ କିଏ କୁଆଡ଼େ ପଳାଇଲେ । ବାଘ ଜଣେ ଲୋକକୁ ଲକ୍ଷ୍ୟକରି ଗୋଡ଼ାଇଥାଏ । ସେତେବେଳକୁ ମୁଁ ସେଫ୍‍ଟିକ୍ୟାର ଚଢ଼ାଇ ଟ୍ରିଗରରେ ଅଙ୍ଗୁଳି ରଖି ପ୍ରସ୍ତୁତ । ବାଘ ଲୋକଟାକୁ ଧରିବାକୁ ଆଉ ମାତ୍ର ୧୦ ହାତ ଅଛି-। ଏହି ସମୟରେ ମୁଁ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଗୁଳି ଫାୟାର କରିଦେଲି । ଗୁଳି ଖାଇ ବାଘଟା ପଡ଼ିଗଲା; ମାତ୍ର ପରମୁହୂର୍ତ୍ତରେ ପୁଣି ଉଠିପଡ଼ିଲା । ସଙ୍ଗେ ସଙ୍ଗେ ମୁଁ ବାମ ନଳାର ଏଲ. ଜି.ଟି ଲାଛିଦେଲି । ଆଉ ପାଦ ଆଗକୁ ବଢ଼ାଇନାହିଁ; ସେହିଠାରେ ଟଳିପଡ଼ିଲା । ମୁଁ ବନ୍ଧୁକରୁ ଖାଲି କାଟ୍ରିଜ୍ ବାହାର କରି ଫିଙ୍ଗିଦେଇ ନୂଆ କାଟ୍ରିଜ୍ ଭରିନେଲି । ତା’ପରେ ଛିଡ଼ା ହୋଇ ଦେଖିଲି ବାଘଟା ଆଖି ବୁଜି ପଡ଼ିଛି । ତା’ ଦେହର କେତେକ ମାଂସପେଶୀ ଥର ଥର ହେଉଛି । ଆଉ ମିନିଟକ ପରେ ସେ ନିଶ୍ଚଳ ହୋଇଗଲା ।

 

ମୁଁ ଆମ ଦଳର ଲୋକଙ୍କ ଉଦ୍ଦେଶ୍ୟରେ ସିଟି ବଜେଇଲି । ଶିକାରୀ ଓ କେତେକ ଲୋକ ଆସିଲେ । ଆଉ କେତେକଙ୍କର ପତ୍ତା ମିଳିଲା ନାହିଁ । ବୋଧହୁଏ ସେମାନେ ଗୃହାଭିମୁଖେ ପଳାୟନ କରିଛନ୍ତି । ବାଘଦେହରେ ୨ଟି ବୁଲେଟ୍ ଓ ଗୋଟିଏ ଏଲ. ଜି. ଲାଗିଥିବାରୁ ୮ ଜାଗା ଖଣ୍ଡିଆ ହୋଇଥିଲା । ତେଣୁ ଚମଡ଼ାଟା ପୂରାପୂରି ନଷ୍ଟ ହୋଇଯାଇଥିଲା କହିଲେ ଚଳେ । ଯାହାହେଉ ବାଘ ନେଇ ଘରକୁ ଫେରିଲୁ । ଅଜ୍ଞାତସାରରେ ହେଲେ ମଧ୍ୟ ବାଘ ଉପରକୁ ଗୁଳି କରିଥିବାରୁ ତରୁଣ ଶିକାରୀ ରାଜାସାହେବଙ୍କ ଦ୍ଵାରା ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ।

Image

 

Unknown

ଜଙ୍ଗଲରେ ଗୋଟିଏ କାଳରାତ୍ରି

 

ଅନେକ ଦିନ ତଳର କଥା । ସେଦିନ ପୌଷ ପୂର୍ଣ୍ଣିମା । ଆଜି ବଣଭୋଜି କରିବାର ଶେଷଦିନ । କାରଣ ମାଘ ମାସରେ ବଳି ପଡ଼େ ନାହିଁ । ପୁଣି କେତେ ଲୋକ ମାଘ ମାସରେ ଆମିଷ ଖାଆନ୍ତି ନାହିଁ । ତେଣୁ ମୋର ପରିବାଣୁଆ ଓ କେତେଜଣ ବନ୍ଧୁଙ୍କର ଏକାନ୍ତ ଇଚ୍ଛା ଆଜି ବଣଭୋଜି ହେଉ । ଜଙ୍ଗଲ ମାଂସ କିଛି ନ ହେଲେ ବଣଭୋଜିର ମୂଲ୍ୟ କିଛି ନାହିଁ । ମାଂସର ଭାର ମୋ ଉପରେ ରହିଲା । ପରିବାଣୁଆ ଦୁଇଜଣ ମଇଁଷିଗୋଠକୁ ଯାଇ ଦୁଧ ଆଣିବା ସ୍ଥିର ହେଲା । ଏ ସବୁ ଆଲୋଚନା ପୂର୍ଣ୍ଣମୀ ପୂର୍ବ ଦିନର କଥା ।

 

ପୂର୍ଣ୍ଣମୀ ଦିନ ଭୋରରୁ ମୁଁ ଏକାଏକା ଶିକାରଯାତ୍ରାରେ ବାହାରି ପଡ଼ିଲି । କିଛିଦୂର ଯିବାପରେ ରାତ୍ରିର କାଳିମା ଦୂର ହୋଇଗଲା । କ୍ରମେ ଦିବସର ଆଲୋକ ଫୁଟିଉଠୁଛି । ଏହି ସମୟରେ ହଠାତ ଗୋଟିଏ ଘନ କୁହୁଡ଼ି ମାଡ଼ି ଆସିଲା । ଦେଖୁ ଦେଖୁ ସମସ୍ତ ଜଙ୍ଗଲଟା କୁହୁଡ଼ିଦ୍ଵାରା ଆଚ୍ଛାଦିତ ହୋଇଗଲା । ଦଶହାତରୁ ଅଧିକ ଦୂରରୁ ଦୃଷ୍ଟି ପରିଚାଳିତ ହେବା କଷ୍ଟକର-। ଏହା ଶିକାରୀଙ୍କ ପକ୍ଷରେ ଯେତିକି ସୁବିଧା ସେତିକି ଅସୁବିଧା ମଧ୍ୟ । ସୁବିଧା ହେଲା: ହରିଣ, କୁଟ୍ରା ଆଦି ଶିକାର ଶିକାରୀଙ୍କର ଟେର ପାଇପାରନ୍ତି ନାହିଁ । ଅତି ନିକଟରେ ଯୁଟି ଯାଆନ୍ତି-। ଅସୁବିଧା ହେଲା: ଶିକାରୀ ହିଂସ୍ର ଜନ୍ତୁଙ୍କର ଟେର ପାଇ ନ ପାରି ଅତି ନିକଟରୁ ଆକ୍ରାନ୍ତ ହୋଇପାରନ୍ତି ଯଦ୍ଦ୍ୱାରା କି ଶିକାରୀ ଆକ୍ରମଣର ମୁକାବିଲା କରିବାକୁ ସମୟ ପାଇପାରେ ନାହିଁ-

 

ମୁଁ ଅତି ସତର୍କତା ଅବଲମ୍ବନପୂର୍ବକ ଧୀର ପଦକ୍ଷେପରେ ଚାଲିଛି । କିଛି ଦୂର ଅଗ୍ରସର ହେବାପରେ ଗୋଟିଏ ବାଘର କାକରମଡ଼ା ଖୋଜଚିହ୍ନ ଦୃଷ୍ଟିଗୋଚର ହେଲା । ସେ ଏଇ ଅଳ୍ପ ସମୟ ଆଗରୁ ଯାଇଛି । ଉତ୍ତର ଦିଗରୁ ଦକ୍ଷିଣକୁ ଯାଉଥିଲା । ଏ ଦୁଇଦିଗର ଜନ୍ତୁ ବାଘର ଶଙ୍କା ପାଇ ଆତ୍ମଗୋପନ କରିଥିବେ । ସୁତରାଂ ମୁଁ ପଶ୍ଚିମ ଦିଗରେ ସନ୍ଧାନ ଚଳାଇ ଅଗ୍ରସର ହେଲି । ବେଶି ଦୂର ଯିବାକୁ ପଡ଼ିନାହିଁ । କୁହୁଡ଼ି କ୍ରମେ ପତଳା ହୋଇଆସୁଛି । ଏହି ସମୟରେ ଗୋଟିଏ ହରିଣ ପଲ ଚାଲିଯାଉଥିବା ଦୃଷ୍ଟିଗୋଚର ହେଲା । ସେ ପଲରେ ତିନୋଟିଯାକ ଥିଲେ ହରିଣୀ । ମାଈ ଜନ୍ତୁ ଉପରକୁ ଗୁଳି ଚଳାଇବା ଶିକାରୀର ନିୟମ ନୁହେଁ । ହରିଣୀଗୁଡ଼ିକ ଧୀରସୁସ୍ଥ ଭାବରେ ଚାଲି ଯାଉଥାନ୍ତି । ମୁଁ ଗୋଟିଏ ବୁଦା ଆପଟରେ ସ୍ଥିର ଭାବରେ ଠିଆ ହୋଇ ସେ ଦୃଶ୍ୟ ଉପଭୋଗ କରୁଥାଏ ।

 

ସେମାନେ କ୍ରମେ ବୁଦା ଗହଳରେ ଅଦୃଶ୍ୟ ହୋଇଗଲେ । ଏମାନଙ୍କ ଦଳରେ ଶିଙ୍ଘାଳ ଥାଇପାରେ । ତା’ ହେଲେ ଏଇନା ବାହାରିପଡ଼ିବ । ସେଥିପାଇଁ ମୁଁ ନିଶ୍ଚଳ ଭାବରେ ଠିଆହୋଇ ଅପେକ୍ଷାରେ ରହିଥାଏ । ସାମାନ୍ୟ କେତେ ମିନିଟ ଗତ ହୋଇଗଲା । ଆହୁରି ଦୁଇଟି ହରିଣୀ ବେଶ୍ ମନ୍ଥର ଗତିରେ ଚାଲିଗଲେ । ପୁଣି କେତେ ମିନିଟ ଚାଲିଗଲା । ମୁଁ ସେମିତି ନୀରବ ନିଶ୍ଚଳ ଭାବରେ ଠିଆ ହୋଇଥାଏ । କୁହୁଡ଼ିର ଆସ୍ତରଣ ସେତେବେଳେ ମୋର ଖୁବ୍ ସହାୟକ ଥିଲା । ଦେଖୁ ଦେଖୁ ଏକ ହରିଣ ଶିଙ୍ଘାଳ ପଦାକୁ ବାହାରିପଡ଼ିଲା । ଶିଙ୍ଘାଳଟା କମ୍ ବୟସର । ମୋଟେ ଫୁଟେ କିମ୍ଵା ଦେଢ଼ ଫୁଟ ଲମ୍ବର ଶିଙ୍ଘ ହୋଇଛି । ଛାଡ଼ିଲେ ହୁଏତ ଆଉ ସୁଯୋଗ ମିଳି ନ ପାରେ । ଏଥିପାଇଁ ମୁଁ ତା’ ଉପରକୁ ନିଶାଣ ଲଗାଇଲି । ଫ୍ରଣ୍ଟ ସାଇଟ୍ ମିଶିଯିବା ସଙ୍ଗେ ସଙ୍ଗେ ବୁଲେଟ କାଟ୍ରିଜ୍‍ଟି ଫାୟାର କରିଦେଲି । ଶିଙ୍ଘାଳଟା ମାଡ଼େମାଡ଼େ ଟଳିପଡ଼ିଲା ।

 

କାଉ, ଶାଗୁଣାଙ୍କ ମୁହଁରୁ ରକ୍ଷା କରିବା ସକାଶେ ଶିଙ୍ଘାଳଟାକୁ ଡାଳପତ୍ରରେ ଆଚ୍ଛାଦିତ କରି ଫେରିଆସିଲି । ଗ୍ରାମରୁ ଲୋକ ନେଇ ପୁଣି ଘଟନାସ୍ଥାନରେ ପହଞ୍ଚିଲି । ଦେଖିଲି ଶିଙ୍ଘାଳଟା ସେଠାରୁ ହରଣଚାଳ ହୋଇଯାଇଛି । ଏଥିରେ ମୋର ଦୁଃଖର ସୀମା ରହିଲା ନାହିଁ । ଏହିପରି ମୃତ ଭାବି ଛାଡ଼ିଆସିଥିବା ଜନ୍ତୁ ଉଠି ଚାଲିଯାଇଥିବାର କେତୋଟି ନଜିର ମଧ୍ୟ ଅଛି । ଏଥିରେ ମୁଁ ବିଚଳିତ ନ ହୋଇ ପାର୍ଶ୍ଵବର୍ତ୍ତୀ ସ୍ଥାନ ତଦାରଖ କରିବାରେ ଲାଗିପଡ଼ିଲି । ବହୁତ ଖୋଜାଖୋଜି ପରେ ସ୍ଥାନେ ସ୍ଥାନେ ଖୋଜଚିହ୍ନ ଓ ରକ୍ତର ଦାଗ ମିଳିଲା । ପ୍ରାୟ ଦୁଇଘଣ୍ଟା କାଳ ସନ୍ଧାନ ଚଳାଇଲି-। ତା’ର କୌଣସି ପତ୍ତା ମିଳିଲା ନାହିଁ । ଶେଷରେ ଆମେ ନିରାଶ ହୋଇ ଫେରିଲୁ । ଶିକାରର ଛାଲ ନ ଉତାରିବା ପର୍ଯ୍ୟନ୍ତ ତାକୁ ମୃତ ବୋଲି ଭାବିବା ଠିକ୍ ନୁହେଁ ।

 

ଏଣେ ଭୋଜିରେ ସମସ୍ତ ଆୟୋଜନ, ଏପରି କି ମାଂସ ତରକାରୀ ପାଇଁ ମସଲା ବଟା ସରିଛି । କ’ଣ କରାଯାଇପାରେ ? ଏକମାତ୍ର ଭରସା ଅଛି ଝିଙ୍କ ଶିକାର ଉପରେ । ମୁଁ ସାଥୀମାନଙ୍କୁ ଆଶ୍ୱାସନା ଦେଲି । ଆମ୍ଭେମାନେ ଦିନ ୪ଟା ବେଳକୁ ଭୋଜି ସାମଗ୍ରୀ ଧରି ବାହାରିପଡ଼ିଲୁ । ନିବିଡ଼ ଜଙ୍ଗଲ ମଧ୍ୟରେ “କନିଆରୀ ଖୁଣ୍ଟି” ନାମକ ଏକ ଜଳାଧାର ଅଛି । ତା’ ନିକଟରେ ଏକ ଝଙ୍କା ବରଗଛ । ଏହି ବରଗଛ ମୂଳେ ବଣଭୋଜି କରିବାର ଉପଯୁକ୍ତ ସ୍ଥାନ । ଆମେ ଯଥାସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଗଲୁ । ପ୍ରଥମେ ଗଛ ମୂଳଟା ସଫାସଫି କରିବାରେ ସମସ୍ତେ ଲାଗିପଡ଼ିଲେ । ତା’ପରେ ଚୁଲି ଚୌକା ଆରମ୍ଭ ହେଲା । ମୁଁ ସାଥୀମାନଙ୍କୁ କହିଲି, “ତୁମ୍ଭେମାନେ ପ୍ରଥମେ କ୍ଷୀରୀ ତା’ପରେ ଖେଚୁଡ଼ି କରିବ । ମୁଁ ଫେରିବା ପରେ ତରକାରୀ ହେବ ।” ଏତକ କହି ମୁଁ ମୋର ପରିବାଣୁଆ ନବଘନକୁ ସଙ୍ଗରେ ଧରି ଝିଙ୍କ ଶିକାର ଉଦ୍ଦେଶ୍ୟରେ ଚାଲିଲି ।

 

ଝିଙ୍କ ରାତ୍ରିଚର ଜୀବ । ରାତି ହେଲେ ବସାରୁ ବାହାରି ଚରାବୁଲା କରିବେ । ପୁଣି ରାତି ପାହିବା ଆଗରୁ ଆସି ବସାରେ ଲୁଚିବେ । ଏଣୁକରି ଝିଙ୍କ ବାସ କରୁଥିବା କୋରଡ଼ ପାଖରେ ଜଗିଲେ ଅକ୍ଳେଶରେ ଶିକାର ମିଳିଯିବ । କନିଆରୀ ଖୁଣ୍ଟିର ଅନତିଦୂରରେ ଝିଙ୍କ ବାସ କରୁଥିବା ଏକ କୋରଡ଼ ଅଛି । ସେ କୋରଡ଼ରେ ହଳେ ଝିଙ୍କ ବାସ କରୁଥିଲେ । ମୁଁ ପୂର୍ବରୁ ଏହା ଠାବ କରିଥିଲି । ସେଦିନ ସୁଯୋଗ ମିଳିଗଲା । ମୁଁ ନବଘନ ସହିତ ଯାଇ ସନ୍ଧ୍ୟା ପୂର୍ବରୁ ସେ କୋରଡ଼ ପାଖରେ ବସିଗଲି ।

 

ସଞ୍ଜୁଆ ଓ ପାହାନ୍ତିଆ ଝିଙ୍କ ବସା ପାଖରେ ବସି ଶିକାର କରାଯାଏ । ସନ୍ଧ୍ୟା ସମୟରେ ବସା ପାଖରେ ବସି ଝିଙ୍କ ଶିକାର କରିବା ବଡ଼ କଷ୍ଟକର । କାରଣ ଝିଙ୍କ ବସା ପାଖରେ ଅପର୍ଯ୍ୟାସ୍ତ ମଶା । ମଶା କାମୁଡ଼ା ସହ୍ୟ କରିବାକୁ ପଡ଼ିବ । ତା’ ନ କରି ମଶାଙ୍କୁ ହୁରୁଡ଼େଇଲେ ତାହା ଝିଙ୍କ ଜାଣିପାରି କୋରଡ଼ରୁ ବାହାରିବ ନାହିଁ । ପୁଣି ଦୀର୍ଘଶ୍ୱାସ ଛାଡ଼ିବା, ଦେହ କୁଣ୍ଡାଇହେବା ଆଦି କୌଣସି ପ୍ରକାର ଶବ୍ଦ କରିବାକୁ ହେବ ନାହିଁ । ସାମାନ୍ୟ ଶବ୍ଦରେ ଝିଙ୍କ ସତର୍କ ହୋଇଯିବ ଯେ, ଆଉ କୋରଡ଼ରୁ ବାହାରିବ ନାହିଁ । କିନ୍ତୁ ପାହାନ୍ତି ପହର ଜଗିବା ଖୁବ୍ ସହଜ । ସେ ସମୟରେ କୌଣସି ସତର୍କତାର ପ୍ରୟୋଜନ ନାହିଁ । ଝିଙ୍କ ବସାକୁ ଫେରିବା ସମୟରେ ଖଣ୍ଡେ ଦୂରରୁ ଖସର ଖସର ଶବ୍ଦ ହେବ । ସେତିକିବେଳେ କେତେ ମିନିଟ ସାବଧାନ ହୋଇଗଲେ ଚଳିଗଲା ।

 

ନବଘନକୁ କିଛିଦୂରରେ ବସାଇଦେଇ, ମୁଁ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ କୋରଡ଼ ପାଖରେ ବସିଗଲି । ସୂର୍ଯ୍ୟ ବାରୁଣୀ ଦିଗରେ ଅସ୍ତ ହୋଇଗଲେ । ସ୍ଥାନଟା ଘଞ୍ଚ ଜଙ୍ଗଲ ହୋଇଥିବାରୁ ଅସ୍ତଗାମୀ ସୂର୍ଯ୍ୟଙ୍କର ଶୋଭା ଦର୍ଶନ ଭାଗ୍ୟରେ ଯୁଟିଲା ନାହିଁ । ସେହିପରି ଚନ୍ଦ୍ରୋଦୟ ମଧ୍ୟ ଅଦୃଶ୍ୟ ରହିଲା । ତେବେ ଚନ୍ଦ୍ର ପ୍ରକାଶ ପାଇବାରୁ ସ୍ଥାନଟା ଅପେକ୍ଷାକୃତ ପରିସ୍ଫୁଟ ହୋଇଉଠିଲା । ଏହି ସମୟରେ କୋରଡ଼ ଭିତରେ ଖଡ଼୍‍ଖାଡ଼୍ ଫଁ ଫଁ ଶବ୍ଦ ମୁଁ ସ୍ପଷ୍ଟ ବୁଝିପାରିଲି । ଏହା ଝିଙ୍କ ପଦାକୁ ବାହାରିବାର ପୂର୍ବ ସୂଚନା । ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ବାହାରିବା ସ୍ଥାନକୁ ନିଶାଣ ଲଗାଇ ଧରିଥାଏ । କିଛି ସମୟ ଗତ ହୋଇଗଲା । ଭୁସ୍‍ଭାସ୍ ହୋଇ ମାଈ ଅଣ୍ଡିରା ହଳକଯାକ ଝିଙ୍କ ପଦାକୁ ବାହାରିପଡ଼ିଲେ । ମୁଁ ଅଣ୍ଡିରା ଝିଙ୍କ ଉପରକୁ ଧାଏଁ କରି ଗୁଳି ଚଳାଇଦେଲି । ସେଟା ସେଇଟି ପଡ଼ି ଝର୍‍ର ଝର୍‍ର ହେଉଥାଏ । ନବଘନ ଦୌଡ଼ିଆସି କଟୁରି ପଛରେ ଦୁମ୍‍ଦୁମ୍ ଦୁଇ ପାହାର ଦେଲା । ତା’ପରେ ଗୋଡ଼ ଧରି ଉପରକୁ ଟେକି ଆଣିଲା । ସେତେବେଳେ ଆନନ୍ଦର ସୀମା ରହିଲା ନାହିଁ । ଯାହାହେଉ ଆଜିକାର ଭୋଜିଟା ସଫଳତାର ସହ ସମ୍ପନ୍ନ ହେବ ।

 

ଝିଙ୍କକୁ ଆଣି ଭୋଜି ସ୍ଥାନରେ ପହୁଞ୍ଚିଲୁ । ଶିକାର ଦେଖି ସମସ୍ତେ ଆନନ୍ଦରେ ନାଚି ଉଠିଲେ । ସେତେବେଳକୁ ରାତି ଆଠଟା ସମୟ । ସଙ୍ଗେ ସଙ୍ଗେ ୨।୩ ଜଣ ଲାଗିଯାଇ କଟାକଟି ଆରମ୍ଭ କରିଦେଲେ । ଆମ ୯।୧୦ ଜଣଙ୍କ ପାଇଁ ଝିଙ୍କଟାର ଅଧେ ମାଂସ ଯଥେଷ୍ଟ । ବାକି ଅଧେ ମାଂସ ରଖିଦେଲୁ । ଖିଆପିଆ ହେଉ ହେଉ ରାତି ଦଶଟା । ମାଂସଟା ଚିକ୍କଣ ଓ ନରମ । ତେଣୁ ତରକାରୀଟା ବଡ଼ ବଢ଼ିଆ ହୋଇଥିଲା । ସମସ୍ତେ ଭୂରି ଭୋଜନ କରି ଖୁବ୍ ସନ୍ତୋଷ ଲାଭ କଲେ-। ନବଘନ ପ୍ରସ୍ତାବ ଦେଲା, ‘ଧୂଳିଆ ପଦା’ ଗାତରେ ହଳେ ଝିଙ୍କ ରହୁଛନ୍ତି । ଏଠାରୁ ପାଖବାଟ ତ, ଚାଲ ପାହାନ୍ତିଆ ଜଗିବା । ତା’ ନ ହେଲେ ସାମାନ୍ୟ ଝିଙ୍କଟା ପାଇଁ ଘରଠୁ ଧୂଳିଆପଦା ଆସିବାକୁ କେବେ ଇଚ୍ଛା ହେବ ନାହିଁ । କଥାଟା ମୋ ମନକୁ ବେଶ୍ ପାଇଲା । ଭାବିଲି, ପେଟ ଭାରି ହୋଇଛି-। ଘରକୁ ଯିବାକୁ ହେଲେ ଦୂର ପଡ଼ିବ । ତା’ ଅପେକ୍ଷା ଧୂଳିଆପଦା ଯାଇ ଆରାମରେ ଶୋଇଯିବି । ଝିଙ୍କ ଭୋର ଭୋର ଆସିବ । ସେତେବେଳେ ଟିକିଏ ସଚେତ ହୋଇଗଲେ କାମ ଫତେ ।

 

ମୋର ଶିକାରସାଥୀ ନବଘନ ଓ ନେତ୍ରାନନ୍ଦ ରହିଗଲେ । ବାକି ସମସ୍ତେ ଜିନିଷପତ୍ର ଧରି ଘରକୁ ଫେରିଲେ । ଆମେ * ଧୂଳିଆପଦା ଚାଲିଲୁ । ଝିଙ୍କଗାତ ପାଖରେ ଗୋଟିଏ ଘନବୁଦା ପରିବେଷ୍ଟିତ ସ୍ଥାନ । ବୁଦା ଗହଳ ମଝିରେ ଟିକିଏ ଖୋଲା ଜାଗାରେ ଆସ୍ଥାନ ଜମାଇ ବସିଗଲୁ । ବୁଦା ମଧ୍ୟରେ ଯେଉଁଠି ଯେମିତି ଫାଙ୍କା ସ୍ଥାନ ଥିଲା, ଡାଳ ହାଣି ତାକୁ ନିବୁଜ କରିଦେଲୁ । ସତରଞ୍ଜି ଖଣ୍ଡି ବିଛାଇ ମୁଁ ଶୋଇଗଲି । ସାଥୀ ଦୁଇଜଣ ମଧ୍ୟ ଶୋଇବାକୁ ଇଚ୍ଛା କଲେ । ଅଗନାଅଗନି ବନସ୍ତରେ ଶୋଇଯିବା ଘୋର ବିପଜ୍ଜନକ । ସମସ୍ତଙ୍କର ନିରାପତ୍ତା ପାଇଁ ଅନ୍ତତଃ ଜଣେ ହେଲେ ସଜାଗ ରହିବା ନିତାନ୍ତ ଆବଶ୍ୟକ । ଏ ଭାର ମୁଁ ନେତ୍ରାନନ୍ଦ ଉପରେ ଦେଲି । ମୁଁ ଓ ନବଘନ ନିଶ୍ଚିନ୍ତରେ ଶୋଇଗଲୁ । ଦିନଯାକର ପରିଶ୍ରମ, ପୁଣି ସେଥିରେ ପରିପୂର୍ଣ୍ଣ ଭୋଜନ । ମୁଁ ଭୂଇଁ ଛୁଇଁବାମାତ୍ରେ ଗାଢ଼ ନିଦ୍ରାରେ ଅଭିଭୂତ ହୋଇପଡ଼ିଲି ।

 

*ଧୂଳିଆପଦା–ପଟିଆ ଜଙ୍ଗଲରେ ଏକ ସ୍ଥାନର ନାମ ।

 

କେତେ ସମୟ ଶୋଇଛି, କହିପାରିବି ନାହିଁ । ନେତ୍ରାନନ୍ଦର ଚିମୁଟାଘାତରେ ମୁଁ ଉଠିପଡ଼ିଲି । ନବଘନ ମଧ୍ୟ ଉଠି ବସିଲା । ମୁଁ ଉଠିପଡ଼ି ଚକିତ ନେତ୍ରରେ ଚତୁର୍ଦ୍ଦିଗ ନିରୀକ୍ଷଣ କରୁଛି, ନେତ୍ରାନନ୍ଦ ମୋ କାନରେ ହାତ ଲଗାଇ ସଙ୍କେତ ଦେଲା । ଶିକାର ସମୟରେ ବିଶେଷ ଆବଶ୍ୟକ ନ ହେଲେ ଆମେ କଥାଭାଷା କରୁନାହିଁ । ସବୁ ସଙ୍କେତଦ୍ୱାରା କଥାଭାଷା ହୋଇଯାଏ । ମୁଁ ଉତ୍କଣ୍ଠାର ସହିତ ଚକ୍ଷୁକର୍ଣ୍ଣକୁ ସଜାଗ କରି ବସିଛି । ମାତ୍ର କେତେ ମିନିଟ ପରେ ବାଘର ରକ୍ତ ଜମାଟକରା ହେଣ୍ଟାଳ ଶୁଣାଗଲା । ଏହି ଶବ୍ଦଟା ମାଇଲିଏ ଦୂରରେ ହେଉଥିଲା । କିନ୍ତୁ ଜଣାପଡ଼ୁଥାଏ ସତେକି ବାଘଟା ଆସି ନିକଟରେ ପହଞ୍ଚିଗଲାଣି । ବନସ୍ଥଳୀ ଏକବାରେ ନୀରବ ନିଃଶବ୍ଦ । ସେତେବେଳକୁ ଅନ୍ଦାଜ ୧୨ଟା ସମୟ । ଆମେ ଆମର ଆସ୍ଥାନ ଦୃଢ଼ କରି ବସିରହିଲୁ । ପରିସ୍ଥିତିର ମୁକାବିଲା କରିବାକୁ ହେବ ।

 

ବାଘ ଓ ବାଘୁଣୀର ହେଣ୍ଟାଳରେ ପ୍ରଭେଦ ଅଛି । ଏହା ଅଭିଜ୍ଞ ଶିକାରୀଙ୍କୁ ଜଣା । ଏ ହେଣ୍ଟାଳ ବାଘର ବୋଲି ଆମେ ସ୍ପଷ୍ଟ ବୁଝିପାରିଲୁ । ଉତ୍ତର-ଦକ୍ଷିଣ ଭାବରେ ଗୋଟିଏ ସରହ୍ରଦ ଲାଇନ୍ ଲମ୍ବିଯାଇଛି । ଏହି ଲାଇନ୍‍ରୁ ଧୂଳିଆପଦା ଠାରୁ ସମକୋଣ କରି ଆଉ ଗୋଟିଏ ଲାଇନ୍ ପୂର୍ବାଭିମୁଖେ ଲମ୍ବିଯାଇଥିଲା ।

 

ଆମେ ଏହି ତିଛକି ସ୍ଥାନରେ ଦଶଗଜ ଦୂରରେ ବସିଥାଉ । ବଡ଼ ଆଶ୍ଚର୍ଯ୍ୟର କଥା, ବାଘଟା ସାମାନ୍ୟ କେତେ ମିନିଟ ପରେ ଆସି ଉକ୍ତ ତିଛକି ସ୍ଥାନରେ ହାଜର । ବାଘ ଏତେ ଦ୍ରୁତ ଗତିରେ ଚାଲିପାରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ସେ ରହିରହି ଲମ୍ବା ହେଣ୍ଟାଳ ଛାଡ଼ୁଥାଏ । ତାହାର ହେଣ୍ଟାଳରେ କରୁଣତା ପୂରି ରହିଥିଲା । ନଭେମ୍ବର ଓ ଡିସେମ୍ବର ମାସ ବାଘଙ୍କର ମିଳନ ଋତୁ । ବୋଧହୁଏ ସେ ବାଘୁଣୀକୁ ଖୋଜୁଛି ।

 

ବାଘଟା ଧୂଳିଆପଦା ଛକରୁ ପୂର୍ବକୁ ଯାଇଥିବା ସରହ୍ରଦ ଲାଇନ୍‍ରେ ଚାଲିଗଲା । ଆମେ ଟିକିଏ ଆଶ୍ଵସ୍ତ ହେଲୁ । କିଛି ସମୟ ଗତ ହୋଇଗଲା । ଆରେ ବାବା ! ପୁଣି ହେଣ୍ଟାଳି ହେଣ୍ଟାଳି ଫେରିଲା ଛକପର୍ଯ୍ୟନ୍ତ । ସେଠାରୁ ପୁଣି ଦକ୍ଷିଣକୁ ଯାଇଥିବା ରାସ୍ତାରେ ଚାଲିଲା । କିଛି ସମୟ ପରେ ବାଘୁଣୀ ବାଘ ହେଣ୍ଟାଳର ଜବାବ ଦେଲା ବହୁତ ଦୂରରେ । ବାଘ ବାଘୁଣୀ ପାଖକୁ ଚାଲିଗଲାଣି ଭାବି ଆମେ ଟିକିଏ ନିଶ୍ଚିନ୍ତ ହୋଇଗଲୁ । ବାଘଟା ଏକନ୍ଦି ସେକନ୍ଦି ବୁଲୁଛି । ପୁଣି ଉପସ୍ଥିତ କ୍ଷେତ୍ରରେ ତା’ର ମିଜାଜ ଚଢ଼ା ଅଛି । ଏସମୟରେ ଆସନ ଛାଡ଼ି ପଳାୟନ ପନ୍ଥା ଧରିବା ନିତାନ୍ତ ନିର୍ବୋଧତା ହେବ । ପରିଣାମ ଯାହା ହେଉନା କାହିଁକି ଆମେ ତାହାର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିଲୁ ।

 

କିଛି ସମୟପାଇଁ ସବୁ ନୀରବ ନିଃଶବ୍ଦ । ଆମେ ଭାବିନେଲୁ, ବାଘ ବାଘୁଣୀ ସାଙ୍ଗରେ ଚାଲିଗଲା । ଆମେ ପାନ ଖାଇ ଗୋଡ଼ହାତ ସଳଖି ଟିକେ ସୁସ୍ଥ ହେଲୁ । ପ୍ରାୟ ଅଧଘଣ୍ଟାକ ପରେ ବାଘୁଣୀର ବିରକ୍ତିବ୍ୟଞ୍ଜକ ସ୍ୱର ଶୁଣିବାର ମିଳିଲା । ସେ ସ୍ୱରଟା ନିକଟରୁ ନିକଟତର ହୋଇଆସୁଛି-। ମହା ସଙ୍କଟର କଥା ! ଏବେ ବାଘ ବାଘୁଣୀ ଉଭୟେ ଏକ ସଙ୍ଗରେ ଆସୁଛନ୍ତି । ଆମେ ଏକବାରକେ ନିଶୂନ ଭାବରେ ବସିଥାଉ । ବାଘ ଯେପରି ଆମର ଟେର ପର୍ଯ୍ୟନ୍ତ ନ ପାଏ । ଦେଖୁ ଦେଖୁ ଦୁଇଟା ଯାକ ବାଘ ଆସି ଛକ ଉପରେ ଉପସ୍ଥିତ ।

 

ଛକଟା ବଣବୁଦାଶୂନ୍ୟ ଏକ ପ୍ରଶସ୍ତ ଖୋଲା ଜାଗା । ବାଘ ବାଘୁଣୀ ସେଠାରେ ସେମାନଙ୍କର ଖେଳ ଆରମ୍ଭ କରିଦେଲେ । ଆମ ପାଖରୁ ମାତ୍ର ୧୦।୧୫ ଗଜ ଦୂରରେ । ଆମେ ସେମାନଙ୍କୁ ଦେଖିପାରୁ ନ ଥାଉ । କାରଣ କେତୋଟି ବୁଦା ଓ ଘଞ୍ଚ କାଣ୍ଡି କାଣ୍ଡିକିଆ ଘାସ ଆମ ଦୃଷ୍ଟିପଥର ଅନ୍ତରାୟ ହେଉଥିଲା । ଆମେ କାକୁସ୍ତ ହୋଇ ବସିଥାଉ । ବାଘ ଦମ୍ପତି ମୃଦୁ ଗର୍ଜନ, ଘଁ ଘଁ–ଏହିପରି କେତେପ୍ରକାର ଶବ୍ଦ କରୁଥାନ୍ତି । ସେ ସବୁ ଶବ୍ଦକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ । ମୁଁ ଧରିନେଇଥାଏ ଏହା ସେମାନଙ୍କର ପରସ୍ପର ପ୍ରତି ପ୍ରେମ ସମ୍ଭାଷଣ ।

 

ବେଳେବେଳେ ସେମାନେ ଡେଇଁ ଯାଉଛନ୍ତି । ପୁଣି କେତେବେଳେ ପଟ୍‍ପାଟ୍ ତଳେ ପଡ଼ିଯାଉଥାନ୍ତି । ଏ ସବୁ ଆମେ ଶବ୍ଦରୁ ବାରିନେଉଥାଉ । ସେ ସମୟରେ ପବନ ଏକବାରକେ ବନ୍ଦ ହୋଇଯାଇଥିଲା । ଗଛର ପତ୍ରଟିଏବି ହଲୁ ନ ଥାଏ । ଏହା ଆମ ପକ୍ଷରେ ଏକ ସୁବର୍ଣ୍ଣ ସୁଯୋଗ । ନ ହେଲେ ଆମର ଗନ୍ଧ ବାରି ସେମାନେ ଆକ୍ରମଣ କରିଥାନ୍ତେ କିମ୍ବା ଦୂରକୁ ପଳାଇ ଯାଇଥାନ୍ତେ । ଆମର ଭାଗ୍ୟ ଭଲ ଯେ, ବାଘ ଦମ୍ପତି ମଣିଷଖିଆ ନୁହନ୍ତି । ତା’ ନ ହୋଇଥିଲେ ଆମ ଦଫା କେତେବେଳୁ ଶେଷ ହୋଇଯାଆନ୍ତାଣି ।

 

ରାତିସାରା ସେମାନଙ୍କର ଖେଳ ଲାଗିଥାଏ । ସେତେବେଳେ ଆମର ଅବସ୍ଥା ପାଠକେ ଅନୁମାନ କରିପାରୁଥିବେ । କ୍ରମେ ରାତିର ଅବସାନ ହେଲା । ତଥାପି ଦିବସର ଆଲୋକ ଫୁଟିଉଠିବାକୁ ଆହୁରି ଘଣ୍ଟାଏ ଡେରି ଅଛି । ବାଘ ଦମ୍ପତିଙ୍କର ଆଉ କୌଣସି ସୋରଶବ୍ଦ ଶୁଣାଯାଉନାହିଁ । ସେମାନେ କେତେବେଳେ କୁଆଡ଼େ ଉଭାନ ହୋଇଗଲେ ଯେ, ଆମେ ଲେଶମାତ୍ର ଜାଣିପାରିନାହୁଁ । ଝିଙ୍କର ପ୍ରଧାନ ଶତ୍ରୁ ବାଘ । ସେମାନଙ୍କ ଉପସ୍ଥିତିରେ ଆଉ କି ଝିଙ୍କ ଆସନ୍ତି ! ନିଜ ରକ୍ଷଣେ ଅସମ୍ଭବ । ଆଉ ଝିଙ୍କ କଥା ପଚାରେ କିଏ ? ଅଳ୍ପ ସମୟ ପରେ କୁକୁଡ଼ା ଦିବସର ଆଗମନ ବାର୍ତ୍ତା ପ୍ରଚାର କଲେ । ତା’ପରେ ଟିଆ, କଜଳପାତୀ ପ୍ରଭୃତି ପକ୍ଷୀ ସେମାନଙ୍କର ସ୍ୱର ସଙ୍ଗେ ସ୍ୱର ମିଶାଇ ବଣରାଇଜକୁ ମୁଖରିତ କରି ତୋଳିଲେ । ହରିଣ, କୁଟ୍ରା ଡାଳ ଦେଇ ଚଳପ୍ରଚଳ ହେବାକୁ ଲାଗିଲେ । ଓହୋ ! ଏତେବେଳକେ ଆମକୁ ଅବସର ମିଳିଲା । ଆମେ ହାତଗୋଡ଼ ସଳଖି ଟିକିଏ ସୁସ୍ଥ ହେଲୁ । ସିଗାରେଟ୍ ଲଗାଇ ଦେହ ଓ ମନକୁ ସତେଜ କରିନେଲୁ । ତା’ପରେ ଆମେ ଆସ୍ଥାନ ଛାଡ଼ି ପଦାକୁ ବାହାରିବାକୁ ପ୍ରସ୍ତୁତ ।

 

ଦିନ ହେଲା, ବିପଦର କୌଣସି ଆଶଙ୍କା ନାହିଁ । ଆମେ ବାଡ଼ରୁ ବାହାରି ଛକର ଖୋଲାଜାଗାଟାକୁ ଦେଖିଲୁ । ସ୍ଥାନଟା ଦଳାଚକଟାରେ ଧୂଳି ଉଠିଯାଇଥିଲା । ତା’ପରେ ଖୋଜଚିହ୍ନ ଦେଖିଲୁ । ସରହ୍ରଦର ପତଳା ବାଲିରେ ପାଦଚିହ୍ନ ସ୍ପଷ୍ଟ ଉଠିଥିଲା । ବାଘ ଓ ବାଘୁଣୀ ଉଭୟେ ଉତ୍ତରକୁ ଯାଇଥିବା ସରହ୍ରଦରେ ଚାଲିଛନ୍ତି । ଛକଠାରୁ ପୂର୍ବକୁ ଯାଇଥିବା ସରହ୍ରଦ ରାସ୍ତା ଧରି ଆମେ ଘରକୁ ଫେରିଲୁ । ସେ ଦିନର କାଳଗୁଡ଼ିକୁ ମୁଁ ଆଜୀବନ ଭୁଲି ପାରିବି ନାହିଁ ।

Image

 

ଗୁଳି ନ ଚଳାଇ ଶିକାର

 

ଆସନ୍ତା କାଲି ପ୍ରଥମାଷ୍ଟମୀ । ପିଠା ଖାଇବା ଦିନ । ପ୍ରିୟାପ୍ରୀତି ଦୁଇ ଚାରି ଜଣଙ୍କୁ ଅବଶ୍ୟ ଡାକିବାକୁ ପଡ଼ିବ । ପିଠା ସାଙ୍ଗକୁ ମାଂସ ଝୋଳଟାଏ ହେଲେ ଘିନନ୍ତା ଏକା । କିଣା ମାଂସରେ ପାଟି ଜାଣିବ, ପେଟ ଜାଣିବ ନାହିଁ । ଗୋଟାଏ ଶିକାର ମିଳନ୍ତା କି ! ମୁଁ ଖୁବ୍ ଆଶାୟୀ ହୋଇ ଶିକାରକୁ ଯିବାର ସମସ୍ତ ଆୟୋଜନ କରି ରାତିରେ ଶୋଇଗଲି । ରାତି ନ ପାହୁଣୁ ଶିକାର ଅଭିଯାନରେ ବାହାରିଯିବାକୁ ହେବ । ଶୀତଦିନଟା, ପାହାନ୍ତିଆ ନିଦ, ସହଜେ ଭାଙ୍ଗୁଛି କେଉଁଠି ! ଯୋଗକୁ ମୋର ଜେଜେମା ଟିକିଏ ଆଇଁଷ ଡାହାଣୀ । ସେ ମୋତେ ଜୋର୍‍ କରି ଉଠାଇଦେଲେ । ଆଉ ଛିଗୁଲେଇ କରି କହିଲେ–‘‘କ’ଣ ଶିକାରକୁ ଯିବୁ ବୋଲି କାଲିଠୁ କହିହେଉଥିଲୁ, ଆଉ ଏତେବେଳ ଯାଏଁ ନିଦ ଭାଙ୍ଗୁନାହିଁ !” ମୋର ମନରେ ଚେତା ପଶିଲା । ମୁଁ ଧଡ଼ପଡ଼ ଉଠି ବନବିହାରସାଥୀ ବନ୍ଧୁକଟି ଉଠାଇ ବାହାରିପଡ଼ିଲି । ସେତେବେଳକୁ ଆହୁରି ଦିବସର ଆଲୋକ ଫୁଟି ଉଠି ନାହିଁ ।

 

ଡିସେମ୍ବର ମାସ । ଶୀତଟା ଖୁବ୍ ଜୋର୍‍ରେ ପଡ଼ିଗଲାଣି । ଗଛପତ୍ରରେ କାକର ପଡ଼ି ଟପ୍ ଟପ୍ ଗଳିପଡ଼ୁଥାଏ । ଘାସ ଉପରେ ବରଫ ପରି ଥଣ୍ଡା କାକରକଣା ବିଛାଇ ହୋଇ ପଡ଼ିଥିଲା-। ମୁଁ ଖାଲି ପାଦରେ ଯାଇଥିଲି । କାରଣ ଜୋତା ପିନ୍ଧିଲେ ଯେତେ ସାବଧାନରେ ଚାଲିଲେ ମଧ୍ୟ ଶବ୍ଦ ହେବ । କାକର ଲାଗି ମୋର ପାଦ ଦୁଇଟା ଏକବାରକେ ବଧିରା ପାଲଟିଗଲାଣି । ବନ୍ଧୁକ ବାରେଲ୍‍ଟା ବରଫ ଖଣ୍ଡ ଭଳି ଥଣ୍ଡା ହୋଇଗଲାଣି । ବନ୍ଧୁକ ଧରି ଧରି ମୋର ଡାହାଣ ହାତଟା ଏକବାରକେ ଜଡ଼ ହୋଇଗଲାଣି । ଗଛପତ୍ରରୁ ପାଣି ଲାଗି ମୋର ପରିଧେୟ ବସ୍ତ୍ର ଏକପ୍ରକାର ଓଦା ହୋଇଗଲାଣି । ତଥାପି ସେ ପ୍ରତି ମୋର ତିଳେହେଲେ ଭ୍ରୂକ୍ଷେପ ନଥିଲା । ବନ୍ଧୁକ ହାତରେ ଧରି ଜଙ୍ଗଲରେ ପଶିଗଲେ ସବୁ କିଛି ଭୁଲିହୋଇଯାଏ । ମୋର ସେତେବେଳେ ଏକମାତ୍ର ଲକ୍ଷ୍ୟ ଶିକାର ।

 

ମୁଁ ଗୋଟିଏ ସରୁ ରାସ୍ତା ଧରି ଚାଲିଥାଏ । ରାତ୍ରିର କାଳିମା ଦୂର ହୋଇଗଲା ବର୍ତ୍ତମାନ ଜଙ୍ଗଲର ପ୍ରତ୍ୟେକଟି ବୁଦା, ଲତା ଓ ଖୋଜଚିହ୍ନ ଦୃଶ୍ୟମାନ । ମୁଁ ପ୍ରତ୍ୟେକ ଗଳି କନ୍ଦି, ଖୋଲା ଜାଗାରେ ତୀକ୍ଷ୍ଣ ଦୃଷ୍ଟି ରଖି ଧୀର ପଦକ୍ଷେପରେ ଚାଲିଥାଏ । ପ୍ରାୟ ଏକ ଫର୍ଲଙ୍ଗ ଦୂର ଯିବାପରେ ଏକ କୁଟ୍ରା ଦୃଷ୍ଟିଗୋଚର ହେଲା । ସେ ମୋର ବାମପାର୍ଶ୍ଵ ଜଙ୍ଗଲରେ ନିଦକ ଚରା କରିବାରେ ଲାଗିଥାଏ । ଠିକ୍ ବନ୍ଧୁକର ରେଞ୍ଜ ମଧ୍ୟରେ ଥିଲା । ସେ ମୋର ଟେର ସୁଦ୍ଧା ପାଇନାହିଁ । ମୁଁ ଭାଗ୍ୟକୁ ପ୍ରଶଂସା ନ କରି ରହିପାରିଲି ନାହିଁ । ଅତି ଆନନ୍ଦରେ ବନ୍ଧୁକ ଉଠାଉଛି, କିନ୍ତୁ ଏ କ’ଣ ହେଲା ? ଯେତେ ଚେଷ୍ଟା କଲେ ମଧ୍ୟ ଘୋଡ଼ାଟା ଉଠୁନାହିଁ । ଥଣ୍ଡାର ଆଧିକ୍ୟରେ ମୋର ଆଙ୍ଗୁଳିଗୁଡ଼ିକ ଏପରି ଅବଶ ହୋଇପଡ଼ିଥିଲା ଯେ, ମୋଟେ କାମ ଦେଲା ନାହିଁ । ଶେଷରେ ଦୁଇହାତ ଲଗାଇ ବହୁ କଷ୍ଟରେ ଉଠାଇଲି । କି ଦୁର୍ଭାଗ୍ୟର କଥା, ଘୋଡ଼ା ଉଠାଇବାବେଳେ ଟକ୍‍ କରି ଶବ୍ଦ ହୋଇଗଲା । ବେଶ୍, ସେତିକିରେ କୁଟ୍ରାଟା ହୁରୁଡ଼ିଯାଇ ଭ୍ୟାଉ-ଭ୍ୟାଉ ଚିତ୍କାର କରି ପଳାଇଲା ।

 

ସାଧାରଣତଃ ବନ୍ଧୁକର ଘୋଡ଼ା ଉଠାଇବା ସମୟରେ ଟକ୍‍ କରି ଏକ ଶବ୍ଦ ହୁଏ । ମାତ୍ର ଆବଶ୍ୟକସ୍ଥଳେ ଏ ଶବ୍ଦ ନ ହେବାପାଇଁ ଗୋଟିଏ କାଇଦା ଅଛି । ସେ କାଇଦାଟି ହେଉଛି–ଟ୍ରିଗରରେ ଅଙ୍ଗୁଳି ସାମାନ୍ୟ ଚାପ ଦେଇ ଘୋଡ଼ା ଉଠାଇଲେ କୌଣସି ଶବ୍ଦ ହେବ ନାହିଁ । ଏଥିରେ ଅଭିଜ୍ଞ ନ ହେଲେ ପୁଣି ବିପଦର ଆଶଙ୍କା ଅଛି । କାହିଁକି ନା ଟ୍ରିଗରରେ ଚାପ ଅଧିକ ହେଲେ ବନ୍ଧୁକ ଫୁଟିଯିବ । ଘୋଡ଼ା ଉତାରିବା ସମୟରେ ମଧ୍ୟ ଏହିପରି ସାବଧାନତାର ସହ ଉତାରିବାକୁ ହୋଇଥାଏ ।

 

ମୁଁ ଏକ ସୁନ୍ଦର ଓ ନିଶ୍ଚିତ ରାୟ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲି । ଶିକାରରେ ହତାଶ ହେବାର ନୁହେଁ । ମୁଁ ପୁଣି ନୂତନ ଉଦ୍ୟମରେ ଲାଗିପଡ଼ିଲି । ପ୍ରାୟ ଦୁଇ ଫର୍ଲଙ୍ଗ ଦୂର ଯିବା ପରେ ମୁଁ ଯାଇ ଗୋଟିଏ ସରହ୍ରଦ ଲାଇନ୍ ଉପରେ ପହଞ୍ଚିଗଲି । ସେତେବେଳକୁ ମୁଁ ଏକପ୍ରକାର ଓଦା ହୋଇଯାଇଥିଲି । ଗାମୁଛା ବାହାର କରି ନିଜେ ପୋଛାପୋଛିଟାଏ ହେଲି । ବନ୍ଧୁକଟା ଭଲଭାବରେ ପୋଛିନେଲି । ତା’ପରେ ଗୋଡ଼ହାତ ସେକି, ଦେହଟାକୁ ଟିକିଏ ସତେଜ କରିନେବାକୁ ଇଚ୍ଛା ହେଲା । ଶୁଖିଲା ଘାସ ପତ୍ର ପୁଳାଏ ଜମେଇ ଦିଆସିଲି ଧରେଇଲି । ସେ ସମୟରେ ନିଆଁ ପୋଇଁବା ଏତେ ସୁଖକର ଓ ଆରାମଦାୟକ ହେଲା ଯେ, କଥାରେ ପ୍ରକାଶ କରିପାରୁନାହିଁ । ମୁଁ ଟିକିଏ ସୁସ୍ଥ ହେବାପରେ ନୂତନ ଉଦ୍ୟମରେ ପୁଣି ବାହାରିପଡ଼ିଲି ।

 

ସେତେବେଳକୁ ସୂର୍ଯ୍ୟକିରଣ ଗଛପତ୍ରରେ ବିଛୁଡ଼ି ହୋଇ ପଡ଼ିଲାଣି । ସରହ୍ରଦଟା ଉତ୍ତର-ଦକ୍ଷିଣ ଭାବରେ ଲମ୍ବିଯାଇଥିଲା । ମୁଁ ଉତ୍ତରାଭିମୁଖେ ଚାଲିଲି । ଶିକାରର କୌଣସି ସୂତ୍ର ପାଇବା ଉଦ୍ଦେଶ୍ୟରେ ଚଉଆଖିଆ ହୋଇ ଚାଲିଥାଏ । ମାତ୍ର କେତେଗଜ ଅତିକ୍ରମ କରିଯିବା ପରେ ହଠାତ ଗୁଡ଼ାଏ ଧୂଳିଆଜନ୍ଦା ଉପରେ ଦୃଷ୍ଟି ଆକର୍ଷିତ ହେଲା । ରାସ୍ତାର ଠିକ୍ ମଝିରେ ଏକ କ୍ଷୁଦ୍ର ପରିସର ସ୍ଥାନରେ ଗୁଡ଼ାଏ ଜନ୍ଦା ବେଢ଼ିଛନ୍ତି । କାରଣ କ’ଣ, ଜାଣିବାପାଇଁ ନଇଁପଡ଼ିଲା ବେଳକୁ ଗନ୍ଧରେ ନାକ ଫାଟିପଡ଼ିଲା । ପାଖଆଖ ସ୍ଥାନ ଅନୁସନ୍ଧାନ କରିବା ଫଳରେ ଖୋଜଚିହ୍ନରୁ ଜଣାଗଲା ପ୍ରାୟ ୧୦।୧୨ଟା ବଳିଆ କୁକୁର କିଛି ସମୟପାଇଁ ଠିଆ ହୋଇଥିଲେ । ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ସେଠାରେ ବଳିଆ କୁକୁର ମୂତ୍ର ତ୍ୟାଗ କରିଥିଲେ । ମୁଁ ଜାଣେ, ବଳିଆଙ୍କ ମୂତ୍ରରେ ଧୂଳିଆଜନ୍ଦା ବେଢ଼ନ୍ତି । କିନ୍ତୁ କେତେ ଲୋକ କହନ୍ତି, ବଳିଆ ମୂତିଦେଲେ ଧୂଳିଆଜନ୍ଦା ହୋଇଯାଆନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭ୍ରମ ଧାରଣା । ବୋଧହୁଏ ବଳିଆଙ୍କ ମୂତ୍ରରେ ଜନ୍ଦା ବେଢ଼ିବା ଦେଖି ଏପରି କହିଥାନ୍ତି ।

 

ବଳିଆଙ୍କ ଖୋଜଚିହ୍ନ ଅନୁସରଣ କରି ଦେଖିଲି, ସେମାନେ ରାସ୍ତାର ମଝିଏ ମଝିଏ କିଛି ଦୂର ଯାଇ ସେଠାରୁ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ଦଳେ ବାମପାର୍ଶ୍ଵ ଜଙ୍ଗଲରେ ଆଉ ଦଳେ ଦକ୍ଷିଣପାର୍ଶ୍ଵ ଜଙ୍ଗଲରେ ପ୍ରବେଶ କରିଛନ୍ତି । ଅତଏବ ଉତ୍ତରଦିଗ ଜଙ୍ଗଲରେ ଆଉ ଶିକାର ଅଭିଯାନ ଚଳାଇବା ନିରର୍ଥକ । କାରଣ ବଳିଆଙ୍କ ଭୟରେ ସମ୍ୱର, ହରିଣ ପ୍ରଭୃତି ତୃଣଭୋଜୀ ଜୀବ ଭୟାର୍ତ୍ତ ହୋଇ ଆତ୍ମଗୋପନ କରିଲେଣି । ଶିକାରର ସନ୍ଧାନ ମିଳିବା ଆଦୌ ସମ୍ଭବ ନୁହେଁ । ମୁଁ ସେଠାରୁ ଦିଗ ପରିବର୍ତ୍ତନ କରି ଦକ୍ଷିଣାଭିମୁଖରେ ଅଗ୍ରସର ହେବାକୁ ଲାଗିଲି ।

 

ସେତେବେଳକୁ ବାଳରବିଙ୍କର ତିର୍ଯ୍ୟକ କିରଣରେ ଗଛପତ୍ରର କାକରବିନ୍ଦୁଗୁଡ଼ିକ ଚିକ୍‍ଚିକ୍ ଦେଖାଯାଉଥାଏ । କୋମଳ ଦୂର୍ବାଦଳ ଉପରେ ନିପତିତ କାକରବିନ୍ଦୁଗୁଡ଼ିକ ମୁକ୍ତାଜାଲର ଭ୍ରମ ସୃଷ୍ଟି କରୁଥାନ୍ତି । ନାନାଜାତିର ପକ୍ଷୀ ବୃକ୍ଷ ଶାଖାରେ ବସି କିରଣଜାଲ ଉପଭୋଗ କରିବାରେ ବ୍ୟସ୍ତ I ସେମାନଙ୍କର ବିଭିନ୍ନ ସ୍ୱରଲହରୀରେ ଜଙ୍ଗଲ ମୁଖରିତ ବିଭିନ୍ନ ଋତୁରେ ଜଙ୍ଗଲର ବିଭିନ୍ନ ପଶୁପକ୍ଷୀମାନଙ୍କର ସମାବେଶ ହୁଏ । ଶୀତଋତୁରେ ଗୋବରାଚଢ଼େଇଗୁଡ଼ାକ ଅଧିକ ସଂଖ୍ୟାରେ ସମ୍ମିଳିତ ହୁଅନ୍ତି । ଏ ଋତୁରେ ସେମାନେ ନୂତନ ପକ୍ଷରେ ଭୂଷିତ ହୋଇ ଶୋଭନୀୟ ଆକାର ଧାରଣ କରନ୍ତି । ସେମାନଙ୍କର ପୁଚ୍ଛତଳେ ନବ ଅଙ୍କୁରିତ ତୋଫା ଲାଲ ରଙ୍ଗର ପରଗୁଚ୍ଛଟି (ପାଟ) ଅତି ଚମତ୍କାର ଦେଖାଯାଏ I ସେମାନଙ୍କର କ୍ରୀଡ଼ା କୌତୁକ ଓ ପରସ୍ପର ମଲ୍ଲଯୁଦ୍ଧ ଖୁବ୍ କୌତୁକପ୍ରଦ-I

 

କିଛି ଦୂର ଯିବା ପରେ ରାସ୍ତା ଉପରେ ଏକ ମସ୍ତବଡ଼ ଅଜଗର ସାପ ଯାଇଥିବାର ଚିହ୍ନ ପରି ଦୃଷ୍ଟ ହେଲା । ସେ ବାମ ଦିଗରୁ ଡାହାଣ ଦିଗକୁ ଯାଇଛି । ରାସ୍ତା ଉପର ବାଲି ଓ ଘାସରୁ ଏହା ପରିଷ୍କାର ଜଣାପଡ଼ୁଥିଲା । ଜଙ୍ଗଲରେ ଚଳିବାକୁ ହେଲେ ସାପଙ୍କ ବିଷୟରେ ମୋଟାମୋଟି କିଛି ଜ୍ଞାନ ଥିବା ଆବଶ୍ୟକ I ସାପଟା କେତେ ମୋଟା, କେଉଁ ଦିଗକୁ ଯାଇଛି, ସେ ବିଷାକ୍ତ କି ନା-? ଏ ସବୁ ବିଷୟ ତା’ ଚଲାପଥ ଦେଖି ଅନ୍ଦାଜ କରିବା କିଛି ଅସମ୍ଭବ ନୁହେଁ I

 

ମନେ କରନ୍ତୁ, ସାପଟା ବାମ ଦିଗକୁ ଡାହାଣ ଦିଗକୁ ଯାଇଛି । ସେ ଯେଉଁ ଦିଗକୁ ଯାଇଛି, ଦେଖିବେ, ବାଲି, ଘାସପତ୍ର ସେହି ଦିଗକୁ ଶୋଇପଡ଼ିଛି I ସୁତରାଂ ସାପଟାକୁ ନ ଦେଖିଲେ ମଧ୍ୟ ସହଜରେ ବୁଝିପାରିବେ ଯେ, ସାପଟା ବାମ ଦିଗରୁ ଡାହାଣ ଦିଗକୁ ଯାଇଛି I ବିଷାକ୍ତ କି ନା ? ସାପର ଚଲାପଥ ଦେଖି ସେ ବିଷାକ୍ତ କି ବିଷହୀନ ସର୍ପ ଏକଥା ଏକପ୍ରକାର ନିର୍ଭୁଲ ଭାବରେ କୁହାଯାଇପାରେ I ଚଲାପଥ ଦେଖି ସାପଟା କେଉଁ ଜାତିର ତାହା ନିର୍ଣ୍ଣୟ କରିବାର କୌଣସି ଧରାବନ୍ଧା ନିୟମ ନାହିଁ । ଅନେକ ଜାତିର ସାପ ଅଛନ୍ତି । ସେମାନଙ୍କ ମଧ୍ୟରୁ ମୁଁ କେତେକଙ୍କର ଚଲାପଥ ସହିତ ପରିଚିତ I ବିଷାକ୍ତ ସର୍ପ ମଧ୍ୟରେ ଗୋଖର, ଅହିରାଜ, ଶଙ୍ଖଚୂଡ଼ ଓ ରଣା ପ୍ରଧାନ I ନିର୍ବିଷ ସର୍ପ ମଧ୍ୟରେ ଅଜଗର, ବୋଡ଼ା, ଢମଣା ଓ ଧଣ୍ଡ ।

 

ବିଷାକ୍ତ ସାପ ସାଧାରଣତଃ ଅପେକ୍ଷାକୃତ ମନ୍ଥର ଗତିରେ ଚଲାଫେରା କରନ୍ତି I ଆସ୍ତେ ଚାଲିବାକୁ ଗଲେ ସାପକୁ ବେଶି ଅଙ୍କାବଙ୍କା ଗତିରେ ଚାଲିବାକୁ ହୁଏ । ଆପଣ ଦେଖିବେ, ଯେଉଁ ସାପ ଖୁବ୍ ଅଙ୍କାବଙ୍କା ଚିହ୍ନ ରଖିଯାଇଛି, ତା’ ହେଲେ ଏକପ୍ରକାର ନିଶ୍ଚିତ ହୋଇପାରିବେ ଯେ, ଏ କୌଣସି ବିଷାକ୍ତ ସାପର ଚିହ୍ନ I ବିଷହୀନ ସର୍ପର ଦେହ ଚିକ୍କଣ, ଚଞ୍ଚଳ କ୍ଷିପ୍ର ଗତି I ଏମାନେ ଖୁବ୍ ବେଗରେ ଛୁଟିଯାଇପାରନ୍ତି I ବିଷହୀନ ସର୍ପର କ୍ଷିପ୍ର ଗତି ହେବାର କାରଣ ଶିକାର ଧରିବା ବା ଶତ୍ରୁକୁ ପଛରେ ପକାଇ ଦେଇ ପଳାଇବା I କାହିଁକିନା ସେମାନଙ୍କର ଶତ୍ରୁର ସଂଖ୍ୟା ଅଧିକ I ତେଣୁକରି ସାପର ଚଲାଚିହ୍ନ ମୋଟାମୋଟି ସିଧା ହେଲେ, ପ୍ରାୟ ଧରିନିଆଯାଇପାରେ ଯେ, ସେ ବିଷହୀନ ସର୍ପର । ଯେଉଁ ସାପର ଦୁଇ ପାଟିରେ ଦୁଇ ଧାଡ଼ି ଦାନ୍ତ ଅଛି, ବୁଝିବାକୁ ହେବ ସେ ବିଷହୀନ ସର୍ପ । ଆଉ ଦେଖିବେ, ଯେଉଁ ସାପର ଉପର ଓଠରେ ଦୁଇଟି ଶକ୍ତ ମୁନିଆ ଦାନ୍ତ ଅଛି, ବୁଝିବେ ଯେ, ସେ ସାପ ବିଷାକ୍ତ I ବିଷହୀନ ସାପ କାମୁଡ଼ିଲେ ଅନେକଗୁଡ଼ିଏ ଦାନ୍ତର ଦାଗ ଦେଖାଯାଏ; କିନ୍ତୁ ବିଷାକ୍ତ ସାପ କାମୁଡ଼ିଲେ ଦୁଇଟି କିମ୍ଵା କେବେ କେବେ ଗୋଟିଏ ଦାନ୍ତର ଦାଗ ଦେଖାଯାଏ ।

 

ମୁଁ ମୋର କାହାଣୀ ଛାଡ଼ି ବହୁତ ଦୂର ଚାଲିଆସିଲାଣି । ଏବାର ଶୁଣନ୍ତୁ I ମୁଁ ସରହ୍ରଦ ରାସ୍ତା ଧରି ଚାଲିଛି । ସେତେବେଳେ ସୂର୍ଯ୍ୟଦେବ ପୂର୍ଣ୍ଣ ତେଜରେ ଉଠିଗଲେଣି I ସୂର୍ଯ୍ୟଙ୍କର କିରଣଜାଳ ଦେହରେ ଲାଗି ଦେହ ଓ ମନକୁ ସତେଜ କରିଦେଲା I ଦେହରୁ ଲୁଗାପଟା ଖୋଲି ଖରାପଟିଆ ହୋଇ ବସିପଡ଼ିବାକୁ ମନ ହେଉଥାଏ I କିନ୍ତୁ ଶିକାର ଝୁଙ୍କ ଛାଡ଼ୁଛି କେଉଁଠି ? ମୁଁ ଚତୁର୍ଦ୍ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖି ରାସ୍ତାର ବାମପାର୍ଶ୍ଵରେ ଚାଲିଥାଏ I ପ୍ରାୟ ଏକ ଫର୍ଲଙ୍ଗ ଦୂର ଅତି ସନ୍ତର୍ପଣେ ଅତିକ୍ରମ କରିବା ପରେ, ହଠାତ ଏକ ଜାନୁଆର ବାମ ପାର୍ଶ୍ଵ ଜଙ୍ଗଲରୁ ମସ୍ତ ଚାଲିରେ ଆସୁଥିବା ପରି ପ୍ରତୀତ ହେଲା I ମୁଁ ଗୋଟିଏ ବୁଦା ଆଢ଼ୁଆଳରେ ଦେହକୁ ଛପାଇ ନିଶ୍ଚଳ ଭାବରେ ଠିଆ ହୋଇଗଲି I ଚାହୁଁ ଚାହୁଁ ଏକ ପୂର୍ଣ୍ଣବୟସ୍କା ବାଘୁଣୀ ସରହ୍ରଦ ଉପରକୁ ବାହାରିପଡ଼ି ଠିଆ ହୋଇଗଲା । ମୋ ପାଖରୁ ତା’ର ଦୂରତ୍ଵ ପ୍ରାୟ ୫୦I୬୦ ଗଜ ହେବ I ଓଃ, କି ଚମତ୍କାର ରୂପ ! ଖରା ତେଜରେ ତା’ର ଦେହଟା ଚକ୍‍ଚକ୍ ମାରୁଥାଏ I ବାଘଠାରୁ ବାଘୁଣୀର ରଙ୍ଗ ବେଶି ତୋରା I ବାଘମାନେ ଗ୍ରୀଷ୍ମଋତୁରେ ରୁମ ଝାଡ଼ନ୍ତି I ଶୀତଋତୁରେ ନୂଆ ରୁମ କଅଁଳେ I ସେଥିପାଇଁ ଶୀତଋତୁରେ ବାଘଙ୍କର ରଙ୍ଗ ଅତି ଉଜ୍ଜ୍ୱଳ ହୁଏ I

 

ବୋଧହୁଏ ବାଘୁଣୀଟା ମୋର ଟେର ପାଇଯାଇଛି । ତା’ ନ ହେଲେ ସେ ଶଙ୍କାକୁଳ ନେତ୍ରରେ ମୋ ଆଡ଼କୁ ବାରବାର ଚାହିଁ ଠିଆ ହୋଇ ନ ଥାନ୍ତା । ମୁଁ ଜାଣେ ବାଘ କେବେ ସାମନାସାମନି ଆକ୍ରମଣ କରେ ନାହିଁ । ତେଣୁ ମୋର ଭୟ ନଥିଲା । ବରଂ ସେ ମୋର ଆକ୍ରମଣକୁ ଲକ୍ଷ୍ୟ କରୁଥିବାରୁ ଜଣାଗଲା ପ୍ରଥମ କଥା ସେ ବନ୍ଧୁକ ରେଞ୍ଜର ବାହାରେ ଅଛି । ଦ୍ୱିତୀୟରେ ତା’ର ମୋ ଉପରେ ବରାବର ଦୃଷ୍ଟି ରହିଛି । ଏପରି ଅବସ୍ଥାରେ ତା’ ଉପରକୁ ବନ୍ଧୁକ ଉଠାଇବାର ପ୍ରଶ୍ନ ନାହିଁ । କିମ୍ଵା ମୁଁ ମୋର ଆସ୍ଥାନ ଛାଡ଼ିବା ନିରାପଦ ନୁହେଁ । ଆମେ ଦୁହେଁ ଏହିପରି ଭାବରେ ପ୍ରାୟ ଦୁଇ ମିନିଟ ତଳାତକି ହୋଇ ରହିଲୁ । ତା’ପରେ ଦମକାଏ ପଶ୍ଚିମା ପବନ ବହିଗଲା । ବାଘୁଣୀ ନାକକୁ ଟେକି ଟିକିଏ ଏପଟ ସେପଟ ଶୁଙ୍ଘିହେଲା; ତା’ପରେ ଆଖି ପିଛୁଡ଼ାକେ ମାରିଲା ଏକ ଡିଆଁ ଯେ, ଯାଇ ଡାହାଣ ପାଖ ଜଙ୍ଗଲରେ ପଡ଼ି ଅଦୃଶ୍ୟ ହୋଇଗଲା । ମୁଁ ପଶ୍ଚିମ ପାଖରେ ଥିଲି । ସୁତରାଂ ମୋର ଗନ୍ଧ ପାଇ ଏପରି ହୁରୁଡ଼ି ପଳାଇଲା । ବାଘଙ୍କର ଘ୍ରାଣଶକ୍ତି ପ୍ରଖର; କିନ୍ତୁ ବିଲୁଆ ଓ ହେଟାଙ୍କ ଭଳି ଏତେ ପ୍ରବଳ ନୁହେଁ ।

 

ସେଠାରୁ ମୁଁ ହତାଶ ମନରେ ଆଗେଇ ଚାଲିଲି । ପ୍ରଥମେ ବଳିଆ, ତା’ପରେ ସାପର ଚିହ୍ନ, ଶେଷରେ ବାଘ ମୁହଁ ଦେଖି ଶିକାରରେ ଆଶା କରିବା ବୃଥା । ମୁଁ ଅନ୍ୟମନସ୍କ ଭାବରେ ଚାଲିଥାଏ । ଅନେକ ଦୂର ଆସିବା ପରେ ଗୋଟିଏ ଛକ ଜାଗାରେ ପହଞ୍ଚିଲି । ଏଠାରୁ ଆଉ ଗୋଟିଏ ସରହ୍ରଦ ଲାଇନ୍ ଠିକ୍ ସମକୋଣ ଭାବରେ ପୂର୍ବଦିଗକୁ ଲମ୍ବିଯାଇଛି । ଏ ସରହ୍ରଦ ରାସ୍ତାଟା ଠିକ୍ ରାଢ଼ବା ମୁଣ୍ଡିଆ ପାଦଦେଶରେ ଲମ୍ବିଯାଇଥିଲା । ଘରକୁ ଫେରିବା ସକାଶେ ଏ ରାସ୍ତା ଖୁବ୍ ସିଧା । ଶିକାରର ଆଉ ଆଶା ନାହିଁ । ଘରକୁ ଫେରିଯିବା ଉଦ୍ଦେଶ୍ୟରେ ଏ ସହଜ ସଳଖ ରାସ୍ତାଟା ଧରିଲି । ମୁଁ ଧମାଧମ୍ ଚାଲିଥାଏ । ମୋର ବାମପାର୍ଶ୍ଵରେ ରାଢ଼ବା ମୁଣ୍ଡିଆ । ପ୍ରାୟ ଦୁଇ ଫର୍ଲଙ୍ଗ ରାସ୍ତା ଅତିକ୍ରମ କରିଯିବା ପରେ ହଠାତ ପାହାଡ଼ ଉପରୁ ଏକ ଖୁରା ଥିବା ଜନ୍ତୁ ଦ୍ରୁତଗତିରେ ଦୌଡ଼ି ଆସୁଥିବା ଶବ୍ଦ ଶୁଣାଗଲା ।

 

ମୁଁ ବନ୍ଧୁକରେ ଘୋଡ଼ା ଚଢ଼ାଇ ପ୍ରସ୍ତୁତ ହୋଇ ରହିଗଲି । ମନେ ମନେ ଭାବୁଛି, ଯାହାହେଉ ଶେଷରେ ଭାଗ୍ୟଦେବୀ ସୁପ୍ରସନ୍ନା ହେଲେ । ଦେଖୁ ଦେଖୁ ଏକ ମସ୍ତବଡ଼ କୁଟ୍ରା ଶିଙ୍ଘାଳ ଦୌଡ଼ି ଦୌଡ଼ି ଆସି ସରହ୍ରଦ ମଝିରେ ପଡ଼ିଗଲା । ମୋତେ ଆଉ ଗୁଳି ଚଳାଇବାକୁ ପଡ଼ିନାହିଁ । ସେ ପଡ଼ି ଛଟପଟ ହେଉଥାଏ । ମୁଁ ତା’ ପାଖକୁ ଦୌଡ଼ିଗଲି । ଦେଖିଲି ସେ ଗୁଳିବିଦ୍ଧ ହୋଇଛି । ତା’ର ଚଟୁଆରୁ ତାଜା ରକ୍ତ ଛୁଟି ଚାଲିଥାଏ । ସେ କିଛି ସମୟ ଛଟପଟ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କଲା ।

 

କୌଣସି ଶିକାରୀଙ୍କର ଅଦାଉ ଗୁଳିମାଡ଼ରେ କୁଟ୍ରାଟା ଏତେ ଦୂର ପଳାଇଆସି ପାରିଲା-। ମୁଁ ସେଠାରେ କିଛି ସମୟପାଇଁ ଅପେକ୍ଷା କଲି । ତା’ପରେ ଶିକାରୀଙ୍କ ଉଦ୍ଦେଶ୍ୟରେ ବହୁତ କୁଆଇଲି । କାହାର କୌଣସି ପତ୍ତା ମିଳିଲା ନାହିଁ । ଆଉ କେତେବେଳ ଅପେକ୍ଷା କରାଯାଇପାରେ-। ଏହାର ଅଧିକାରୀ ଯେତେବେଳେ କେହି ନାହିଁ, ଭଗବାନ୍‍ଙ୍କର ଦାନ ବୋଲି ମୁଁ ମନେକଲି । ମୁଁ ଶିକାର ନ କଲେ ମଧ୍ୟ ଆଜିପରା ଦିନରେ ମାଂସର ଆବଶ୍ୟକତା ମେଣ୍ଟିଗଲା । କିନ୍ତୁ ଏତେବଡ଼ କୁଟ୍ରାଟାକୁ ବୋହି ନେବା ଏକ ସମସ୍ୟା । ମୁଁ ତାକୁ ଉଠାଇନେଇ ଗୋଟିଏ ବୁଦା ଭିତରେ ଲୁଚାଇଦେଇ ଘରକୁ ଫେରିଆସିଲି । ଘରଠାରୁ ମୋର ଶିକାରସାଥୀ ନବଘନକୁ ସ୍ଥାନର ସୂଚନା ଦେଇ କୁଟ୍ରା ଆଣିବା ସକାଶେ ପଠାଇଦେଲି । ମାଂସ ପିଠାରେ ପ୍ରଥମାଷ୍ଟମୀ ଖୁବ୍ ଜାକଜମକରେ ପାଳନ କରାଗଲା ।

Image

 

ବନ୍ଧୁକ-ନିଶା

 

ଏବେ ବନ୍ଧୁକ ହାତରେ ପାଇ ଜଙ୍ଗଲରେ ପ୍ରବେଶ କରିବାକୁ ମୋତେ ଭୟ ଲାଗୁନାହିଁ । ମୁଁ ବିନାଦ୍ୱିଧାରେ ଜଙ୍ଗଲରେ ପ୍ରବେଶ କରି ପକ୍ଷୀଶିକାର କରେ । ପକ୍ଷୀଶିକାର ମାନେ ଏହା ନୁହେଁ ଯେ, ଯେ କୌଣସି ପକ୍ଷୀକୁ ଗୁଳିକରି ହତ୍ୟା କରିବା । ଯେଉଁ ପକ୍ଷୀଙ୍କର ମାଂସ ଖିଆଯାଏ ମୁଁ କେବଳ ସେଇସବୁ ପକ୍ଷୀ ଶିକାର କରେ ।

 

ଏ ମଧ୍ୟରେ ମୁଁ ଯେତେ ପକ୍ଷୀ ଶିକାର କରିଛି, ସେ ସବୁ ଗଛ ଉପରେ କିମ୍ବା ତଳେ ବସିଥିବା ଅବସ୍ଥାରେ । ମୋ ପକ୍ଷରେ ଗୁଳି, ବାରୁଦ ଦୁଷ୍ପ୍ରାପ୍ୟ । ସୁତାରଂ ଲକ୍ଷ୍ୟ କରିବାକୁ ହେବ ଯେପରି ଗୋଟିଏ ହେଲେ ଗୁଳି ବିଫଳ ନ ହୁଏ । ସେଥିପାଇଁ ମୁଁ ଯେଉଁ ଦିନ ଗୋଟିଏ ଗୁଳି ଖରଚ କରେ, ଗୋଟିଏ କି ଦୁଇଟି ପକ୍ଷୀ ନେଇ ଫେରେ । ଚଳନ୍ତା ବା ଉଡ଼ନ୍ତା ପକ୍ଷୀ ଉପରକୁ ଗୁଳି କରିବାର ହାତ ମୋର ଏ ପର୍ଯ୍ୟନ୍ତ ହୋଇନାହିଁ । ପ୍ରଥମେ ବାଟୁଳିଖଡ଼ା, ତା’ପରେ ଟୋପିଦାର ବନ୍ଧୁକ ନେଇ ଆସ୍ତେ ଆସ୍ତେ ଜଙ୍ଗଲର ଅଭିଜ୍ଞତା ସଞ୍ଚୟ କରିବାକୁ ଲାଗିଲି । ଜଙ୍ଗଲର ସବୁ ପ୍ରାଣୀଙ୍କ ସହିତ ପରିଚୟ ହେଉଥାଏ । କେତେଦିନ ପରେ ମୁଁ ପାଦଚିହ୍ନ ଦେଖି କେଉଁ ଜନ୍ତୁ ଯିବାଆସିବା କରିଛି କହିଦେଇପାରିଲି । ଏ ହେଲା ସାମାନ୍ୟ ସୂତ୍ରପାତ । ଏହାପରେ ଜୀବଜନ୍ତୁର ପ୍ରକୃତି, ବୋବାଳି, ଖାଦ୍ୟ, ଚାଲିଚଳନ–ଏସବୁ ଆହୁରି ମୋର ଶିଖିବାର ବାକି ଅଛି । ଏସବୁ କେବଳ ନିଜ ଅଭିଜ୍ଞତାଦ୍ଵାରା ଶିକ୍ଷା କରାଯାଇପାରେ ।

 

ମୋର ସମ୍ପର୍କୀୟ ବଡ଼ଭାଇ ରାମସାଆନ୍ତଙ୍କର ଗୋଟିଏ ଟୋପିଦାର ବନ୍ଧୁକ ଥିଲା । ଦିନେ ସେ ମୋତେ ସ୍ୱେଚ୍ଛାକୃତଭାବେ ଶିକାରକୁ ଯିବା ସକାଶେ ଡାକିଲେ । ଅସଲ କଥା ସେଦିନ ତାଙ୍କର ପରିବାଣୁଆ କେହି ମିଳିଲେ ନାହିଁ । ନ ହେଲେ ମୋର ଆବଶ୍ୟକତା ପଡ଼ି ନ ଥାନ୍ତା । ମୁଁ ମଧ୍ୟ ଏପରି ସୁଯୋଗ ଉଣ୍ଡୁଥିଲି । ଗଭୀର ଜଙ୍ଗଲ ଓ ଜୀବଜନ୍ତୁଙ୍କ ଚଳପ୍ରଚଳରେ ପରିଚିତ ହେବା ମୋର ଆବଶ୍ୟକ ଥିଲା । ସେଦିନ କୌଣସି ବନ୍ଧୁକ ନେବାର ସୁଯୋଗ ମୋତେ ମିଳିଲା ନାହିଁ । ଖାଲି ହାତରେ ଶୀଘ୍ର ଶୀଘ୍ର ବାହାରିପଡ଼ିଲି ।

 

ଆମେ ଜଙ୍ଗଲ ମଧ୍ୟରେ ଯାଇଥିବା ଏକ ପ୍ରଶସ୍ତ ରାସ୍ତା ଧରି ଚାଲିଛୁ । ଏ ରାସ୍ତାଟା ପତଳା ଧୂଳିରେ ପୂର୍ଣ୍ଣ । ଏ ବନପଥରେ ଲୋକଙ୍କର ଚଳାଚଳ ବିଶେଷ ନ ଥାଏ । ଯେଉଁ ଜଙ୍ଗଲ ମଧ୍ୟ ଦେଇ ଏ ରାସ୍ତାଟା ଯାଇଛି ସେଠାରେ ଅପର୍ଯ୍ୟାପ୍ତ ଶିକାର ମିଳେ । ତେଣୁ ଭୋରବେଳା ଏ ରାସ୍ତାରେ ଯିବାକୁ ମୋର ଖୁବ୍ ଆଗ୍ରହ ଥିଲା । ରାସ୍ତାର ପତଳା ଧୂଳି ଉପରେ ଗତରାତ୍ରିର ଯେତେ ପ୍ରାଣୀ ଚରାବୁଲା କରିଛନ୍ତି ସମସ୍ତଙ୍କର ଖୋଜଚିହ୍ନ ରହିଛି । ସେ ଚିହ୍ନରୁ ପ୍ରାଣୀର ଜାତି, ଆକୃତି ବା ଗତିବିଧି ଇତ୍ୟାଦି ବିଷୟରେ ଶିକ୍ଷା କରିବାର କଥା । ପୁରାତନ ଓ ଅଭିଜ୍ଞ ଶିକାରୀଙ୍କ ସାହାଯ୍ୟରେ ଏ ବିଦ୍ୟା ଅର୍ଜନ କରିବାକୁ ହେବ ।

 

ଅନେକେ ଗର୍ବ ସହକାରେ କହନ୍ତି, “ଜଙ୍ଗଲ ଓ ଶିକାର ବିଷୟରେ ମୋର ଜାଣିବାର କିଛି ବାକି ନାହିଁ । ମୁଁ ଏତେଟା ବାଘ ମାରିଛି ।” ମୁଁ କହିବି, ଯେଉଁ ମାନେ ଏପରି କହନ୍ତି, ସେମାନେ ପ୍ରକୃତିରାଜ୍ୟରୁ କିଛି ମାତ୍ର ଶିକ୍ଷା କରିନାହାନ୍ତି । କାରଣ ସେ ଶିକ୍ଷାର ଆଦି ନାହିଁ କି ଅନ୍ତ ନାହିଁ । ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ବିଷୟରେ ଶିକ୍ଷା କରିବାର ଅପର୍ଯ୍ୟାପ୍ତ ସୁଯୋଗ ଆଉ ଏଣିକି କାହାରିକୁ ମିଳିବ ନାହିଁ । କାରଣ ଆଜିକାଲି ଜଙ୍ଗଲ ପ୍ରାୟ ଲୋପ ପାଇଯିବାକୁ ବସିଲାଣି । ଯେଉଁ ଅଞ୍ଚଳରେ ପ୍ରଚୁର ବନ୍ୟପ୍ରାଣୀ ଇଚ୍ଛାନୁସାରେ ବିଚରଣ କରୁଥିଲେ, ବର୍ତ୍ତମାନ ଏପରି କେତେ ଅଞ୍ଚଳ ଚାଷଜମି, ସହର ଓ କଳକାରଖାନାରେ ରୂପାୟନ ହେଲାଣି । ସେତେବେଳେ ମୁଁ ଭାବି ନଥିଲି ଯେ ଦିନେ ମୋତେ ଏ ବିଷୟରେ ଲେଖିବାକୁ ପଡ଼ିବ ।

 

ଆମେ ଚଉଡ଼ା ରାସ୍ତାଟା ଧରି ଚାଲିଛୁ । କିଛିଦୂର ଅଗ୍ରସର ହେବାପରେ ଦେଖିଲୁ, ଦୁଇଟି ହରିଣୀ ଡାହାଣପାଖ ଜଙ୍ଗଲରୁ ବାହାରି, ରାସ୍ତାମଝିରେ ଚାଲିଛନ୍ତି । ଅଳ୍ପବାଟ ଯାଇ ହଠାତ ଚମକି ପୁଣି ଡାହାଣପାଖ ଜଙ୍ଗଲକୁ ଦ୍ରୁତ ଗତିରେ ଫେରିଯାଇଛନ୍ତି । ଏହାର କାରଣ କ’ଣ ହୋଇପାରେ ? ସେଠାରୁ ୧୦।୧୫ ଗଜ ଆଗରେ ଏକ ଚିତାବାଘର ପାଦଚିହ୍ନ ଦେଖାଗଲା । ସେ ତା’ର ସ୍ଵାଭାବିକ ଗତିରେ ବାମପାଖ ଜଙ୍ଗଲରୁ ବାହାରିପଡ଼ି ସେମାନଙ୍କୁ ଚମକେଇ ଦେଇଥିଲା ।

 

ଆହୁରି କିଛିଦୂର ଅଗ୍ରସର ହେବା ପରେ ଆଉ ଗୋଟିଏ ଚିତାବାଘର ଖୋଜଚିହ୍ନ ଦୃଷ୍ଟିଗୋଚର ହେଲା । ଶିଶିରସିକ୍ତ ଧୂଳି ଉପରେ ଖୋଜଚିହ୍ନ ପଡ଼ିଛି । ପୁଣି ଖୋଜ ଉପର ଧୂଳି ଶୁଷ୍କ ଥିଲା । ଏଥିରୁ ନିଶ୍ଚିତ ଅନୁମାନ କରାଯାଇପାରେ ଯେ, ସେ ଭୋର ଭୋର ରାସ୍ତାଟା ପାରହୋଇ ବାମ ପାଖ ଜଙ୍ଗଲରେ ପ୍ରବେଶ କରିଛି । ତା’ର ପିଛା କରିବାରେ ମୋର ଗୋଟାଏ କୌତୁହଳ ଜାତ ହେଲା । ଜଙ୍ଗଲ ଭିତରେ ଖୋଜଚିହ୍ନ ଧରି କିଛିଦୂର ଗଲାପରେ ଦେଖିଲୁ ଚିତାଟା ଗୋଟାଏ ବୁଦାମୂଳରେ କିଛି ସମୟ ଶୋଇଛି । ସେଠାରେ ଗଡ଼େଇ ତଡ଼େଇ ହୋଇ ପୁଣି ଉଠି ଚାଲିଯାଇଛି । ଘାସ ଓ ଝଡ଼ା ପତ୍ର ଉପରେ ଆଉ ଖୋଜଚିହ୍ନ ମିଳିଲା ନାହିଁ । ଆମେ ପୁଣି ରାସ୍ତା ଉପରକୁ ଫେରି ଆସିଲୁ ।

 

ଗୋଟାଏ କିଛି ଯୋଗସୂତ୍ର ନ ପାଇଲେ ଶିକାରର ପିଛା କରିବା ସମ୍ଭବ ନୁହେଁ । ଆମେ ରାସ୍ତାରେ ପାଦଚିହ୍ନକୁ ଲକ୍ଷ୍ୟକରି ଚାଲିଛୁ । କିଛିଦୂର ଯିବାପରେ ଗୋଟିଏ ହେଟାର ପାଦଚିହ୍ନ ଦେଖାଗଲା । ଚିତାବାଘର ପାଦଚିହ୍ନ ସହିତ ଏହାର ଅନେକଟା ସାମଞ୍ଜସ୍ୟ ଅଛି । ପ୍ରଭେଦଟା ମୋତେ ରାମନନା ବେଶ୍ ବୁଝାଇଦେଲେ । ଚିତାର ଟିପଗୁଡ଼ିକ ବଡ଼ ଏବଂ ଛାପର ନଖଚିହ୍ନ ଆଦୌ ଉଠି ନ ଥାଏ । ହେଟାର ଖୋଜରେ ଟିପଗୁଡ଼ିକ ଛୋଟ ଏବଂ ଫାଙ୍କା ଫାଙ୍କା, ପୁଣି ସେଥିରେ ନଖଚିହ୍ନ ସ୍ପଷ୍ଟ ଉଠିଥାଏ ।

 

କୁକୁର, ହେଟା, ବଳିଆଙ୍କର ନଖଗୁଡ଼ାକ ସର୍ବଦା ପଦାକୁ ବାହାରିଥାଏ । ବିରାଡ଼ି, ଚିତା ଓ ବାଘଙ୍କର ନଖ ପଞ୍ଝା ଭିତରେ ଘୋଡ଼େଇ ହୋଇଥାଏ । ସେମାନେ ରାଗିଲାବେଳେ ଶିକାରକୁ ଧରିବା ସମୟରେ ନଖଗୁଡ଼ାକ ପଦାକୁ ବାହାରିପଡ଼େ । ଏଇ ପ୍ରଭେଦରୁ ଚିତା କି ହେଟାର ଖୋଜଚିହ୍ନ ପରିଷ୍କାର ବୁଝାହେବ । ହେଟାଟା ମଝି ରାସ୍ତାରେ କିଛି ସମୟପାଇଁ ଛିଡ଼ା ହୋଇଥିଲା । ତା’ପରେ ଡାହାଣ ପାଖ ଜଙ୍ଗଲକୁ ଚାଲିଯାଇଛି ।

 

ଏହାପରେ ଆମେ ଆଗକୁ ଆଗ ମାଡ଼ି ଚାଲିଲୁ । ପ୍ରାୟ ଏକ ଫର୍ଲଙ୍ଗ ପଥ ଅତିକ୍ରମ କଲା ପରେ, ଏକ ମସ୍ତବଡ଼ ହରିଣ ଶିଙ୍ଘାଳର ଖୋଜଚିହ୍ନ ଦୃଷ୍ଟିଗୋଚର ହେଲା । ସେ ବାମପାର୍ଶ୍ଵ ଜଙ୍ଗଲରୁ ବାହାରି ଦକ୍ଷିଣପାର୍ଶ୍ୱ ଜଙ୍ଗଲରେ ପ୍ରବେଶ କରିଛି । ଆମେ ତା’ର ଖୋଜକୁ ଅନୁସରଣ କରି ଚାଲିଲୁ । ସେ କିଛିଦୂର ଯାଇ ଗୋଟିଏ ଗଛରେ ବେକ ଓ ଶିଙ୍ଘ ଘଷିହୋଇଛି । ଗଛରେ ଲାଗିଥିବା ରୁମ ଓ ସଦ୍ୟ ଭାଙ୍ଗିଥିବା ଡାଳପତ୍ରରୁ ଏହା ପରିଷ୍କାର ଜଣାପଡ଼ୁଥିଲା ।

 

ରାମନନା କହିଲେ–“ମୁଁ ଶିଙ୍ଘାଳର ପିଛା କରି ଯାଉଛି । ତମେ ଯାଅ, ‘ଧୂଳିଆ ପଦା’ ଛକ ପଥର ଉପରେ ବସିଥିବ । ମୁଁ କୁଆଇଲେ ଆସିବ ।” ମୁଁ ନିତାନ୍ତ ଅନିଚ୍ଛାସତ୍ତ୍ୱେ ତାଙ୍କ ପ୍ରସ୍ତାବକୁ ମାନିନେଲି । ଅନିଚ୍ଛାର ଯଥେଷ୍ଟ କାରଣ ଥିଲା । ପ୍ରଥମେ ଧୂଳିଆପଦା ସ୍ଥାନଟା ଘନ ଜଙ୍ଗଲ ମଧ୍ୟରେ ତ୍ରିଛକି ଜାଗା । ଶୁଣିଛି, ସ୍ଥାନଟା ବାଘଭାଲୁଙ୍କର କ୍ରୀଡ଼ାସ୍ଥଳୀ । ଦ୍ଵିତୀୟରେ, ମୋ ହାତରେ ବନ୍ଧୁକ ନାହିଁ । ସେ ଶିଙ୍ଘାଳର ପିଛା ଧରି ଚାଲିଗଲେ । ମୁଁ ଅତି ସନ୍ତର୍ପଣେ ଧୀରେ ଧୀରେ ଧୂଳିଆ ପଦା ଅଭିମୁଖେ ଚାଲିଲି । ଜାଗାଟା ସେଠାରୁ ଚାରିଶହ ଗଜ ଦୂର । ମୁଁ ଯାଇ ଛକରେ ଉପସ୍ଥିତ ହୋଇଗଲି । ସେଠାରେ ଥିବା ପଥରଟା ପ୍ରାୟ ୫ଫୁଟ ଉଚ୍ଚ ହେବ । ମୁଁ ପଥର ଉପରେ ଚଢ଼ି ବସିଗଲି । ପରଥର ଚତୁଃପାର୍ଶ୍ୱରେ କେତୋଟି ବୁଦା ଥିଲା । ମୁଁ ତାକୁ ଆପଟ କରି ବସିଥାଏ ।

 

ମୋ ଆଖିରେ ଖାଲି ବାଘ ନାଚିଉଠିଲା । ଯେତେବେଳେ ପବନ ବହେ, ଶୁଖିଲା ପତ୍ର ଖସ ଖସ ହୋଇ ଝଡ଼େ, ସେତେବେଳେ ମୁଁ ଭାବେ, ଏବାର ବାଘ ଆସିଗଲା । ସମୟ ଯେପରି କଟିବାକୁ ଚାହୁଁନାହିଁ । ପ୍ରତିମୁହୂର୍ତ୍ତରେ ମୋର ଆତଙ୍କ ବଢ଼ି ଚାଲିଛି । ବାଳସୂର୍ଯ୍ୟଙ୍କ ଆଭାରେ ସମସ୍ତ ଜଙ୍ଗଲଟା ଲାଲ ହୋଇଉଠିଲା । ଏହି ସମୟରେ ଖର୍ ଖର୍ ଶବ୍ଦରେ ମୁଁ ଚମକିପଡ଼ିଲି । ଶବ୍ଦଟା ମୋର ପଶ୍ଚାତ୍ ଦିଗରୁ ଆସୁଥିଲା । କିଛି ସମୟ ପରେ ଦେଖିଲି ପଲେ କୁକୁଡ଼ା ପୋକଜୋକ ଖାଇବାରେ ଲାଗିପଡ଼ିଛନ୍ତି ।

 

ଆହୁରି କିଛି ସମୟ ଗତ ହୋଇଗଲା । ହଠାତ ମୋର ସାମନାରେ ମୟୂର ପଲଟାଏ ବାହାରିପଡ଼ିଲେ । ସେମାନେ ତା’ ପଛକୁ ତା’ ପଛ ଧାଡ଼ି ବାନ୍ଧି ଡେଇଁ ଡେଇଁ ଚାଲିଗଲେ । ଏଥିରୁ ସ୍ପଷ୍ଟ ଜଣାଗଲା, ସେମାନେ କିଛି ଭୟ ପାଇଛନ୍ତି । ମୋର ଭୟ ଆହୁରି ବଢ଼ିଗଲା । ଯଦି ବାଘ କି ଭାଲୁ ବାହାରିପଡ଼େ କ’ଣ କରିବି ? ଭାବିଲି, ଗୋଟିଏ ଗଛରେ ଚଢ଼ି ବସିଗଲେ ନିରାପଦ ହେବ । ମୁଁ ପଥରଉପରୁ ଓହ୍ଲାଇବାକୁ ଉଦ୍ୟତ, ଏହି ସମୟରେ ପଲେ ବଳିଆ କୁକୁର ବାହାରିପଡ଼ିଲେ । ସେମାନେ ମୋର ସମ୍ମୁଖସ୍ଥ ଖୋଲା ଜାଗାରେ ଠିଆହୋଇ କେହି ଭୂଇଁ ଶୁଙ୍ଘୁଥାଏ ତ କେହି ଚତୁର୍ଦ୍ଦିଗ ନିରୀକ୍ଷଣ କରୁଥାଏ । ସେ ଦଳଟାରେ ମୋଟେ ଦଶଟା ବଳିଆ ଥିଲେ । ଗୋଟାଏ ମସ୍ତବଡ଼ ବଳିଆ ଏକଲୟରେ ମୋତେ ଚାହିଁରହିଲା । ବୋଧହୁଏ ସେଟା ଦଳର ସର୍ଦ୍ଦାର । ମୁଁ ଅଣ୍ଟାରୁ ଛୁରିଟା ବାହାର କରି ମୁଷ୍ଟିବଦ୍ଧ ହୋଇ ପ୍ରସ୍ତୁତ ହୋଇ ରହିଲି; ଦେଖାଯିବ । ସେତେବେଳେ ମୋର ସମସ୍ତ ଭୟ ଦୂର ହୋଇଗଲା । ପରିସ୍ଥିତିର ମୁକାବିଲା କରିବାକୁ ମୁଁ ପ୍ରସ୍ତୁତ ହୋଇଗଲି । କେତେ ମିନିଟ ପରେ ସେମାନଙ୍କ ମଧ୍ୟରୁ କେତୋଟି ଡାହାଣ ପାଖ ଜଙ୍ଗଲକୁ ଚାଲିଗଲେ । ମୁଁ ଟିକିଏ ଆଶ୍ଵସ୍ତ ହେଲି । ଏବେ ବୁଝିପାରିଲି, ମୟୂର ପଲଟା ବଳିଆଙ୍କ ଶଙ୍କା ପାଇ ଭୀତତ୍ରସ୍ତ ହୋଇପଡ଼ିଥିଲେ ।

 

ପ୍ରାୟ ଘଣ୍ଟାଏ କାଳ ମହା ଅସ୍ଵସ୍ତିରେ କଟିଲା । ଆଉ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନଥିଲା । ମୁଁ ଶିକାରୀଙ୍କ ଉଦ୍ଦେଶ୍ୟରେ କୁଆଇଲି । ସେ ମଧ୍ୟ ଅନୁରୂପ ଜବାବ ଦେଲେ । କିଛି ସମୟ ପରେ ସେ ମୋ ନିକଟରେ ଆସି ଉପସ୍ଥିତ । ସେ ମୋ ପାଖରେ ପାହୁଞ୍ଚି କହିଲେ–‘‘ଶିଙ୍ଘାଳକୁ ଗୁଳି କରିବାର ଚମତ୍କାର ସୁଯୋଗ ମିଳିଥିଲା; କିନ୍ତୁ ବନ୍ଧୁକଟା ଫିଟିଲା ନାହିଁ ।” ଟୋପିଦାର ବନ୍ଧୁକ ଚୋଟଭରା ହୋଇ କିଛିଦିନ ରହିଗଲେ ଏହିପରି ଧୋକାଦିଏ । ତାହାର କାରଣ ଲୁହାରେ ବାରୁଦ ଲାଗି ରହିବାରୁ ଜଙ୍କ ଧରିନିଏ । ଶିକାରୀ ଏଥିପ୍ରତି ଅବହିତ ନ ହେଲେ ଏହିପରି ଅପ୍ରସ୍ତୁତ ହେବାକୁ ପଡ଼େ । ସେ ଚୋଟଟା ଫାୟାର କରିଦେବା ବ୍ୟତୀତ ଆଉ ଅନ୍ୟ ଉପାୟ ନଥିଲା । ବନ୍ଧୁକର ନିପ୍ଳରୁ ପୁରୁଣା ବାରୁଦ ବାହାର କରିଦେଇ ନୂଆ ବାରୁଦ ଚୁମ୍ୱେଇଦେଲେ । ନୂଆ ଟୋପିଟିଏ ଦିଆଗଲା । ଏଥର ଫାୟାର କରିବାର କଥା ।

 

ଫାୟାର କରିବା ଭାରଟା ରାମନନା ମୋ ଉପରେ ଦେଲେ । ସେତେବେଳେ ଗୁଳିଟିଏ ଫାୟାର କରିବାକୁ ମୁଁ ରଙ୍କପରି ହେଉଥାଏ । ମୁଁ ଜାଣେ ବନ୍ଧୁକଟା ପିଛା କରେ । ତଥାପି ମୁଁ ବନ୍ଧୁକ ଫୁଟାଇବା ଲାଳସା ସମ୍ଭରଣ କରିପାରିଲି ନାହିଁ । ଅତ୍ୟନ୍ତ ଆଗ୍ରହର ସହ ବନ୍ଧୁକ ଉଠାଇନେଲି । ଗୋଟିଏ ନାଣ୍ଡିହୁଙ୍କାରେ ଗହ୍ମାରି ପତ୍ରଟିଏ ଲଗାଇ ଲାଖ ଦିଆଗଲା । ମୁଁ ବସିପଡ଼ି ବାମ ଆଣ୍ଠୁ ଉପରେ କହୁଣି ଭରା ରଖି ନିଶାଣ ଲଗାଇଲି । ପ୍ରଣ୍ଟ ସାଇଟ୍ (ମାଛି) ଲାଖ ସଙ୍ଗେ ମିଳାଇ ଟ୍ରିଗର ଦବାଇଦେଲି । ଗୁଳି ଫୁଟିବା ସଙ୍ଗେ ସଙ୍ଗେ ମୁଁ ଚିତ୍‍ପଟାଙ୍ଗ ହୋଇ ପଡ଼ିଲେ । ଯେତେବେଳେ ମୋର ଦେଖିବା ଭଳି ଅବସ୍ଥା ଫେରିଆସିଲା, ଦେଖିଲି, ବନ୍ଧୁକଟା ପାଞ୍ଚହାତ ଦୂରରେ ଛିଟିକି ପଡ଼ିଛି-। ସ୍ଥାନଟା ମାଟିଆଳ ଜାଗା । ବନ୍ଧୁକର କିଛି କ୍ଷତି ହୋଇ ନ ଥିବ । ମୋର କାନ୍ଧଟା ସଙ୍ଗେ ସଙ୍ଗେ ଲାଲ ପଡ଼ିଯାଇ ଫୁଲିଗଲା । ପରେ ମୁଁ ରାମନନାଙ୍କ ଦୁରଭିସନ୍ଧି ବୁଝିପାରିଲି । ପୁରୁଣା ଚୋଟ ପିଛା କରିବା ଜାଣି ସେ ଫାୟାର କଲେ ନାହିଁ । ବନ୍ଧୁକର ପିଛା ଅପେକ୍ଷା ତାଙ୍କର କପଟାଚରଣ ମୋତେ ବେଶି ବାଧିଲା । ଯାହାହେଉ ବନ୍ଧୁକରେ ଚୋଟ ପକାଇ ଗୃହାଭିମୁଖେ ରାସ୍ତା ଧରିଲୁ ।

Image

 

ଗୋଟିଏ ନିଷ୍ଫଳ ଦିନ

 

ବିଭିନ୍ନ ଋତୁରେ ଜଙ୍ଗଲର ଦୃଶ୍ୟପଟ ନବ ନବ ରୂପରେ ରୂପାୟିତ ହୁଏ । ବୃକ୍ଷଲତା ଫଳପୁଷ୍ପରେ ସୁଶୋଭିତ ହୁଅନ୍ତି । ଋତୁର ପର୍ଯ୍ୟାୟକ୍ରମେ ବିଭିନ୍ନ ଜାତି ପକ୍ଷୀଙ୍କର ସମାଗମ ହୁଏ । ଏମାନେ ସମବେତ ହୋଇ ବୃକ୍ଷମାନଙ୍କର ଶୋଭା ବୃଦ୍ଧି କରନ୍ତି । ସେମାନଙ୍କର ମନୋହର ସଙ୍ଗୀତରେ ପ୍ରକୃତିର ଉଦ୍ୟାନ ମଧୁମୟ ହୋଇଉଠେ । କେହି ଫୁଲର ମହୁ ଖାଉଛି ତ କେହି ଫୁଲର ପାଖୁଡ଼ା ଖାଉଛି । ଏଇ ଫୁଲ ଯେତେବେଳେ ଫଳରେ ପରିଣତ ହେବ, ଭିନ୍ନ ଧରଣର ପକ୍ଷୀ ଆସି ସେ ଗଛ ଦଖଲ କରିବେ ।

 

ସେତେବେଳେ ବସନ୍ତ ଋତୁ । ପ୍ରକୃତିର ଶୋଭା ସୌନ୍ଦର୍ଯ୍ୟର ଶୀର୍ଷରେ । ସମସ୍ତ ବୃକ୍ଷଲତା କୋମଳ ପଲ୍ଲବ ଓ ପୁଷ୍ପରେ ଭରିଉଠିଛି । ଚତୁର୍ଦ୍ଦିଗରେ ଫୁଲରେ ମହକ ଭରିଯାଇଥାଏ । ପକ୍ଷୀଙ୍କର ମଧୁର କଳରବରେ ଜଙ୍ଗଲଟା କମ୍ପିଉଠୁଛି । ରଙ୍ଗିନ ପ୍ରଜାପତି ଦଳ ମହାଉଲ୍ଲାସରେ ଫୁଲରୁ ଫୁଲ ଉଡ଼ି ବୁଲୁଥାନ୍ତି । ରାଢ଼ବା ମୁଣ୍ଡିଆ ଉପରେ ଏକ ବୃହତ୍ ଶିମୁଳି ଗଛ । ଗଛଟା ପ୍ରଚୁର ଫୁଲରେ ମଣ୍ଡି ହୋଇଯାଇଛି । ପତ୍ରବିହୀନ ବୃକ୍ଷରେ ଲାଲ ରଙ୍ଗର ଫୁଲଗୁଡ଼ିକ ଦୂରରୁ ନୟନ ମନ ହରଣ କରୁଥାଏ । ଅସଂଖ୍ୟ ପକ୍ଷୀ ଗଛଟାରେ ଠୁଳ ହୋଇଯାଇଥାନ୍ତି । ସୁଲୁସୁଲିଆ ପବନରେ ଫୁଲସବୁ ଝଡ଼ୁଛି । ଏହି ଫୁଲ ସମ୍ବର, ହରିଣ, କୁଟ୍ରା ଓ ବାର୍‍ହାଙ୍କର ଅତି ପ୍ରିୟ ଖାଦ୍ୟ । ଏ ସବୁ ଜନ୍ତୁଙ୍କର ଖୁରାଘାତରେ ଗଛମୂଳରୁ ଧୂଳି ଉଠିଯାଇଥିଲା । ଗତ ରାତିରେ ଯେତେ ଜନ୍ତୁ ଫୁଲ ଖାଇବାକୁ ଆସିଥିଲେ, ସେମାନଙ୍କ ଖୋଜଚିହ୍ନ ଅବିକୃତଭାବେ ରହିଥିଲା । କେତେକ ଜନ୍ତୁଙ୍କର ପାଦଚିହ୍ନରେ ସାମଞ୍ଜସ୍ୟ ଅଛି । ପ୍ରଥମେ ସେ ସବୁର ପାଦଚିହ୍ନ ବୁଝିବାକୁ ମୋ ପକ୍ଷରେ ବଡ଼ ଅସୁବିଧା ହେଉଥିଲା । କିନ୍ତୁ ପରୀକ୍ଷା କରି କିଛିଦିନ ମଧ୍ୟରେ ମୁଁ ପାଦଚିହ୍ନର ପାର୍ଥକ୍ୟ ଭଲଭାବରେ ଉପଲବ୍‍ଧି କରିପାରିଲି ।

 

ଶିମୁଳି ଗଛ ପାଖରେ ଦିନେ ଓଳିଏ ଜଗିଦେଲେ ହଳେ ପଟେ ଶିକାର ମିଳିବାର ଖୁବ୍ ସମ୍ଭାବନା ଅଛି । ଆମେ ସେଦିନ ଗୋଟିଏ ଗଛରେ ମଞ୍ଚା ବାନ୍ଧି ଘରକୁ ଆସିଲୁ । ଆମ ମଧ୍ୟରେ ମନ୍ତ୍ରଣା ହେଲା ଯେପରି କାଳିଅନ୍ଧାର ଥାଇ ଆସି ବସିଯିବା । ଖଦା ଉପରେ ଜଗିକରି ବସିବାର ନିର୍ଦ୍ଦିଷ୍ଟ ସମୟ ଅଛି । ତା’ ନହେଲେ ‘ବାପ ପୁଅ ରାତି ଅନିଦ୍ରା, ମୁଗୁରା ତଳ ମେଲା’ ଭଳି ହେବ । ମୋର ଶିକାରସାଥୀର ଘର ଅପର ଗ୍ରାମରେ । ତେଣୁ କଥା ହେଲା ଯେ, ଆଗରୁ ଆସି ‘କନିଆରୀ ଖୁଣ୍ଟି ଛକ’ ପାଖରେ ଏକାଠି ହେବା । ତା’ପରେ ଘଟନାସ୍ଥାନକୁ ଯିବା । ଭୋରରୁ ଉଠିବାପାଇଁ ମନସ୍ଥ କରି ରାତିରେ ଶୋଇଗଲି । ନିଦ ଭାଙ୍ଗିବାବେଳକୁ ଦେଖେତ ଫୁଜିଆ ତରା ଉଇଁଆସୁଛି । ମୁଁ ଧଡ଼ପଡ଼ ଉଠି ବାହାରି ପଡ଼ିଲି । କନିଆରୀ ଖୁଣ୍ଟି ଛକଠାରେ ପହୁଞ୍ଚି ଦେଖିଲି ନବଘନ ନାହିଁ । କଞ୍ଚା ଡାଳ ଖଣ୍ଡିଏ ହଣା ହୋଇପଡ଼ିଛି । ଡାଳଖଣ୍ଡି ନବଘନ ଆସିବାର ସଙ୍କେତ ସୂଚାଇ ଦେଉଥିଲା ! କିନ୍ତୁ ସେ ଗଲା କୁଆଡ଼େ; ମୋ ମନରେ କେତେ ପାପ ଛୁଇଁଲା । ଅଗନାଅଗନି ବନସ୍ତ । ବାଘ, ସାପ କୋଉ ବିପଦ ନାହିଁ ?

 

ମୁଁ ଭାବିଲି, ସେ କୌଣସି ନିରାପଦ ସ୍ଥାନରେ ଆଶ୍ରା ଧରି ବସିଥାଇପାରେ । ମୋର ଉପସ୍ଥିତି ତାକୁ ଜଣାଇଦେବା ଉଚିତ । ସେ ଉଦ୍ଦେଶ୍ୟରେ ମୁଁ ପରେ ପରେ ଦୁଇବାର କୁଆଇଲି । ସେ ଜଙ୍ଗଲ ଭିତରୁ ମୋର ସଙ୍କେତର ଅନୁରୂପ ଉତ୍ତର ଦେଲା । ଯାହାହେଉ ଲୋକଟା ବଞ୍ଚିଛି ଜାଣି ଆଶ୍ୱସ୍ତ ହେଲି । କେତେ ମିନିଟ ପରେ ସେ ଆସି ମୋ ପାଖରେ ହାଜର । କହିଲା–“ମୁଁ ରାତି ଜାଣିପାରିଲି ନାହିଁ । ଚାଲିଆସିଲି । ଦେଖିଲି ବହୁତ ରାତି ଅଛି । ଛକରେ ଡାଳ ଖଣ୍ଡେ ପକାଇଦେଇ ଏଇଠି ବୁଦା ଭିତରେ ଶୋଇଗଲି । ଭାବିଲି ଡାଳ ଦେଖି ବଳେ ଡାକିବେ ।”

 

ଦୁନିଆରେ ଏପରି ଲୋକ ପୁଣି ଅଛନ୍ତି । ନିବିଡ଼ ରାତ୍ରିରେ ହିଂସ୍ରଜନ୍ତୁ ସଂକୁଳ ଗହନ ବନ ମଧ୍ୟରେ ଲୋକ ଗାଢ଼ା ନିଦ୍ରା ଯାଇପାରେ ! ତେଣେ ଡେରି ହୋଇଯାଉଛି । ଆଉ ଅଧିକ ବାକ୍ୟ ବିନିମୟ ନ କରି ଆମେ ଉଦ୍ଦିଷ୍ଟ ସ୍ଥାନ ଅଭିମୁଖେ ଦ୍ରୁତଗତିରେ ଚାଲିଲୁ । ଘଟନା ସ୍ଥାନରେ ପହୁଞ୍ଚି ଚୁପ୍‍ଚାପ୍ ମଞ୍ଚାରେ ଚଢ଼ ବସିଗଲୁ । ଆମର ଉପସ୍ଥିତି ଯେପରି କେହି ନ ଜାଣନ୍ତୁ । କାରଣ ଯଦି କେହି ଆମର ଉପସ୍ଥିତି ଜାଣିନେବ ତେବେ ସେ ନିଜେ ସତର୍କ ରହିବା ସଙ୍ଗେ ସଙ୍ଗେ ଅନ୍ୟ ପଶୁପକ୍ଷୀଙ୍କୁ ମଧ୍ୟ ସତର୍କ କରିଦେବ । ରାତି ପାହିବାକୁ ଆହୁରି ଡେରି ଅଛି । ଆମେ ଧ୍ୟାନ ଲଗାଇ ବସିଗଲୁ । ଏକେ ରାତ୍ରି ଜାଗରଣ, ଦ୍ୱିତୀୟରେ ପଥଶ୍ରାନ୍ତି । ତଦୁପରି ବସନ୍ତକାଳୀନ ପ୍ରଭାତ । ସୁଶୀତଳ ବାୟୁ ସ୍ପର୍ଶରେ ଆଖି ମୁଦି ହୋଇଯାଉଥାଏ । ପ୍ରାଣରେ ପୁଲକ ଭରିଉଠୁଥାଏ ।

 

ବନସ୍ଥଳୀ ନୀରବ ନିଃଶବ୍ଦ । ବେଳେ ବେଳେ ଶିମୁଳି ଫୁଲ ଝଡ଼ିବା ଶବ୍ଦ ନୀରବତା ଭଙ୍ଗ କରୁଥାଏ । ନବଘନକୁ ସତର୍କ ଦୃଷ୍ଟି ରଖିବାକୁ କହି ମୁଁ ଟିକିଏ ତନ୍ଦ୍ରାଭିଭୂତ ହୋଇପଡ଼ିଲି । ମୋର ଏପରି ଅଭ୍ୟାସ ଅଛି, ମୁଁ ଜଙ୍ଗଲରେ ବସି ବସି ନିଦ୍ରା ଯାଇପାରେ । କେତେ ସମୟ ଶୋଇଯାଇଛି କହିପାରିବି ନାହିଁ । ନବଘନର ଅଙ୍ଗୁଳି ସ୍ପର୍ଶରେ ମୁଁ ସଚେତ ହୋଇଗଲି । ଦେଖେ ତ ଗୋଟିଏ ହରିଣ ଶିଙ୍ଘାଳ ଦେଖାଦେଇ ବୁଦା ଆଢ଼ୁଆଳରେ ଅଦୃଶ୍ୟ ହୋଇଗଲା । ପରେ ପରେ ଆଉ ଦୁଇଟି ହରିଣୀ ସେହିପରି ଦେଖାଦେଇ ପୁଣି ଅଦୃଶ୍ୟ ହୋଇଗଲେ । ସେମାନେ ଆମ ପାଖରୁ ପ୍ରାୟ ଦୁଇଶହ ଗଜ ଦୂରରେ ଥିଲେ । ଆମେ ଉଚ୍ଚ ସ୍ଥାନରେ ବସିଥିବାରୁ ସେମାନେ ମଧ୍ୟେ ମଧ୍ୟେ ଦେଖାଯାଉଥାନ୍ତି । ବୁଦାବହୁଳ ସ୍ଥାନ ଯୋଗୁଁ ସେମାନଙ୍କୁ ଦେଖିବା ଓ ସେମାନଙ୍କର ସଂଖ୍ୟା ନିର୍ଣ୍ଣୟ କରିବା ସମ୍ଭବ ହେଲା ନାହିଁ ।

 

ଯେକୌଣସି ଜନ୍ତୁ ଖଦାଉପରକୁ ଆସିବା ପୂର୍ବରୁ ପାଖ ଆଖରେ କିଛିସମୟ କଟାଇଥା’ନ୍ତି । ଖଦା ଉପରେ ବିପଦର ସମ୍ଭାବନା ଅଛି କି ନାହିଁ ଜାଣିବା ଏହାର ପ୍ରଧାନ ଉଦ୍ଦେଶ୍ୟ-। ଯେତେବେଳେ ସେମାନେ ସ୍ଥିର ନିଶ୍ଚିତ ହୁଅନ୍ତି ଯେ, ଖଦା ଉପରେ କୌଣସି ବିପଦର ଆଶଙ୍କା ନାହିଁ, ସେତେବେଳେ ଯାଇ ଖଦା ଉପରେ ଉପସ୍ଥିତ ହେବେ । ଏପରି ସତର୍କ ହେବା ସେମାନଙ୍କର ସ୍ଵାଭାବିକ ଗୁଣ । ତା’ ନ ହୋଇଥିଲେ ସେମାନଙ୍କର ବଂଶ କୋଉଦିନୁ ପୃଥିବୀପୃଷ୍ଠରୁ ଲୋପ ପାଇଯାଆନ୍ତାଣି । ତଥାପି ମନୁଷ୍ୟର ଖଳ ବୁଦ୍ଧି କୌଶଳ ଆଗରେ ସେମାନଙ୍କର ସ୍ୱଭାବସିଦ୍ଧ ସତର୍କତା ହାର ମାନୁଛି । ବାଘ ନିଜର ଉଦରଜ୍ୱାଳା ନିବୃତ୍ତିପାଇଁ ଜୀବହତ୍ୟା କରେ, ରକ୍ତ ପିଏ; ଉଦର ପୂର୍ଣ୍ଣ ହେଲେ ସେ ତୃପ୍ତ ହୁଏ, ଆଉ ଜୀବ ହତ୍ୟା କରେ ନାହିଁ । କିନ୍ତୁ ମନୁଷ୍ୟ ମନୁଷ୍ୟର ରକ୍ତ ଶୋଷିଛି । ତା’ର ରକ୍ତ ପିପାସା କେତେବେଳେ ହେଲେ ତୃପ୍ତ ହେଉ ନାହିଁ ।

 

କେତେବେଳେ ଶିଙ୍ଘାଳଟା ଖଦା ଉପରକୁ ଗଡ଼ିବ, ଏଇ ଅପେକ୍ଷାରେ ବସିଛି । କିଛି ସମୟ ଗତ ହୋଇଗଲା । ଏହି ସମୟରେ ଏକ ହନୁମାଙ୍କଡ଼ ଖିଁ-ଖିଁ ହୋଇ ଚିତ୍କାର କରି ଉଠିଲା । ତା’ପରେ ପଲଟାଯାକ ମାଙ୍କଡ଼ ବାରବାର ଆର୍ତ୍ତସୂଚକ ଚିତ୍କାର କରି କମ୍ପେଇଦେଲେ । ଆମ ପାଖରୁ ପ୍ରାୟ ତିନିଶହ ଗଜ ଦୂରରେ ଗୋଟିଏ ଝଙ୍କା ବରଗଛ । ସେହି ଗଛ ଉପରୁ ସେ ଚିତ୍କାର ଭାସିଆସୁଥାଏ । ହରିଣ ପଲାଟା ବଣବୁଦା ଭାଙ୍ଗି ଦୌଡ଼ି ପଳେଇଲେ । ବାଘ କିମ୍ଵା ଚିତାଙ୍କୁ ଦେଖିଲେ ହନୁମାଙ୍କଡ଼ଗୁଡ଼ାକ ଭୀତତ୍ରସ୍ତ ହୋଇ ଏପରି ଚିତ୍କାର କରିଥାନ୍ତି । ଏହି ଜଙ୍ଗଲର ଏକ ସତର୍କ ବାଣୀ । ସେମାନଙ୍କ ସାବଧାନୀ ଡାକରେ ଜଙ୍ଗଲର ଅନ୍ୟ ଜୀବଜନ୍ତୁ ସତର୍କ ହୋଇଯାଇ ଆତ୍ମଗୋପନ କରିବାର ସୁଯୋଗ ପାଇଥାନ୍ତି ।

 

ଜଙ୍ଗଲର ପଶୁପକ୍ଷୀ ବିନା କାରଣରେ ଡାକନ୍ତି ନାହିଁ । କିଏ କି କାରଣରୁ ଡାକୁଛି, ତାହା ତା’ର ସ୍ଵରରୁ ଜଣାପଡ଼େ । କେଉଁ ପଶୁ ବା ପକ୍ଷୀ ଡାକୁଛି, କେତେ ଦୂରରୁ ଡାକୁଛି, ତାହା ଜାଣିବା ନିଜ ଅଭିଜ୍ଞତା ଉପରେ ନିର୍ଭର କରେ । ମୁଁ କ୍ରମେ କ୍ରମେ ଏ ସବୁ ଅଭିଜ୍ଞତା ଅର୍ଜନ କରିବାରେ ଲାଗିପଡ଼ିଥାଏ । ମୋର ଅଭିଜ୍ଞତା ଫଳରେ ଜଙ୍ଗଲର ସମସ୍ତ ପ୍ରାଣୀଙ୍କୁ ସେମାନଙ୍କର ଡାକ ଶୁଣି ଚିହ୍ନିପାରେ । ମୁଁ ଶିକାର ବିଷୟରେ ଲେଖୁଛି ବୋଲି କେବେହେଲେ ଦାବି କରୁନାହିଁ ଯେ, ମୁଁ ଶିକାର ବିଷୟରେ ସବୁକିଛି ଜାଣେ । ପ୍ରକୃତି ଶିକ୍ଷାର ଆଦି ନାହିଁ କି ଅନ୍ତ ନାହିଁ ।

 

ପ୍ରଥମେ ଦରକାର ଶବ୍ଦ କେଉଁଠାରୁ ଆସୁଛି, ଠିକ୍ ଭାବେ ନିର୍ଣ୍ଣୟ କରିବା । କୌଣସି ପଶୁ ବା ପକ୍ଷୀଙ୍କର ଆତଙ୍କଜନକ ଡାକ ଆସନ୍ନ ବିପଦର ପୂର୍ବାଭାସ । ସେତେବେଳେ ସଙ୍ଗେ ସଙ୍ଗେ ସତର୍କତାର ପ୍ରୟୋଜନ । ଏହାର ଗୋଟିଏ ଉଦାହରଣ ଦେଉଛି ।

 

ସେତେବେଳେ ମୋର ଏତେ ଅଭିଜ୍ଞତା ନଥିଲା । ଦିନେ ମୁଁ ଏକାକୀ ଜଙ୍ଗଲରେ ଶିକାର ଅନ୍ୱେଷଣ କରି ଚାଲିଛି । ପୂର୍ବକୁ ମୁହଁ କରି ଯାଉଥିଲି । ପଶ୍ଚିମ ଦିଗରେ ଗୋଟିଏ କୁଟ୍ରା ଭୀତିସୂଚକ ଡାକ ଡାକିଉଠିଲା । ବୋଧହୁଏ ସେ କୌଣସି ହିଂସ୍ର ପ୍ରାଣୀର ସମ୍ମୁଖୀନ ହୋଇଛି । ଘଟନାଟା ଜାଣିବାର ଆଗ୍ରହ ମୋତେ ତା’ ନିକଟକୁ ଟାଣିନେଲା ।

 

କୁଟ୍ରାଟା ଡାକିବାର ସ୍ଥାନ ନିରୂପଣ କରିବା ମୋ ପକ୍ଷରେ କଷ୍ଟକର ବିଷୟ ନଥିଲା । କିନ୍ତୁ ସେ କେଉଁ ଦିଗକୁ ମୁହଁ କରି ଡାକୁଛି ଦୂରରୁ ଜାଣିବାର ଉପାୟ ନାହିଁ । ତେଣୁ ତା’ର ଶତ୍ରୁ କେଉଁ ଦିଗରେ ଅଛି ଜାଣିବା ମୋ ପକ୍ଷରେ ଅସମ୍ଭବ ଥିଲା । ମୁଁ ପୂର୍ବକୁ ମୁହଁ କରି ଅତି ସତର୍କତା ସହିତ ଆଗେଇ ଚାଲିଲି । କୁଟ୍ରାଟା ଗୋଡ଼ ତଳେ ବାଡ଼େଇ ତୁହାଇ ତୁହାଇ ଡାକ ଛାଡ଼ିଥାଏ । ମୁଁ ତା’ର ନିକଟରୁ ନିକଟତର ହୋଇଆସୁଛି । ଏହି ସମୟରେ ଗୋଟାଏ ବାଘ ଅଚାନକଭାବେ ଘାଉଁ କରି ମୋ ଆଡ଼କୁ ଫେରିପଡ଼ିଲା ଏବଂ ପଲକମାତ୍ରେ ମୋ ସାମନାରେ ଡେଇଁ ଚାଲିଗଲା । ଏକ ଝଲକ ପ୍ରାୟ ତା’ ଉପରେ ମୋର ଦୃଷ୍ଟି ପଡ଼ିଛି । ଏ ଆକସ୍ମିକ ଦୁର୍ଘଟନା ପାଇଁ ମୁଁ ପ୍ରସ୍ତୁତ ନଥିଲି । ଏଥିରେ ମୁଁ ଧଡ଼୍‍ କରି ଚମକିପଡ଼ିଲି । କେତେ ମିନିଟ ପରେ ମୁଁ ପ୍ରକୃତିସ୍ଥ ହେଲି ।

 

ବାଘଟା କୁଟ୍ରା ଉପରେ ଲକ୍ଷ୍ୟ ରଖି ଛପିଥିଲା ପଶ୍ଚିମ ପାଖରେ । କୁଟ୍ରା ମଧ୍ୟ ଅପର ପାର୍ଶ୍ୱରେ ଥାଇ ବାଘ ଉପରେ ଦୃଷ୍ଟି ରଖିଥାଏ । କୁଟ୍ରା ବାଘର ପ୍ରକୃତି ଭଲ ଭାବରେ ଜାଣେ । ବାଘ ଯେତେବେଳେ ତାକୁ ଛକିଲାଣି, ସେ ତା’ ଉପରୁ ମୁହଁ ଫେରେଇବାମାତ୍ରେ ଧରିପକେଇବ । ଦୁହେଁ ଦୁହିଁଙ୍କର ସୁଯୋଗ ଅପେକ୍ଷାରେ ଥାଆନ୍ତି । ଏହି ସମୟରେ ମୋର ଆକସ୍ମିକ ଉପସ୍ଥିତି ବାଘକୁ ଚମକେଇ ଦେଲା । ଆମ ଓଡ଼ିଆରେ ଗୋଟିଏ କଥା ଅଛି–‘‘ବାଘର ଫାଘକୁ ଭୟ ।” ପୁଣି ବାଘ ଶିକାରୀଙ୍କୁ ଭଲ ଭାବରେ ଚିହ୍ନେ । ତେଣୁ ସେ ବାଟ ଭାଙ୍ଗି ପଳାଇଲା ।

 

ମୁଁ ପ୍ରସଙ୍ଗ ଛାଡ଼ି ଅନେକ ଦୂର ଚାଲିଆସିଲିଣି । ଏବାର ଶୁଣନ୍ତୁ । ମାଙ୍କଡ଼ ଚିତ୍କାର ଶୁଣି ହରିଣ ପଲଟା ହୁରୁଡ଼ି ପଳାଇଲେ । ତା’ପରେ ଚିତାଟା ଗୋଟାଏ ଡାକ ଡାକି ସେମାନଙ୍କୁ ଆହୁରି ସତର୍କ କରିଦେଲା । ମୟୂରପଲଟା ତା’ର ଡାକ ଶୁଣି ସମସ୍ତେ ଏକ ସଙ୍ଗେ ରାବିଉଠିଲେ । ଏଥିରୁ ଧାରଣା କରିବା ଯୁକ୍ତିସଙ୍ଗତ ଯେ, ଚିତାଟା ଭରପେଟ ଭୋଜନ କରି ତା’ର ଆଶ୍ରୟସ୍ଥଳକୁ ଫେରୁଛି-। ତା’ର ଆଉ ଶିକାର ଲୋଡ଼ା ନାହିଁ । କିଛି ସମୟ ପରେ ସବୁ ନୀରବ ନିସ୍ତବ୍ଧ ।

 

ପ୍ରାୟ ଘଣ୍ଟାଏ ସମୟ ଅତିବାହିତ ହୋଇଗଲା । ସେତେବେଳକୁ ଦିନ ଆଠଟା ହେଲାଣି-। ପକ୍ଷୀମାନଙ୍କର ଗହଳି ଚହଳି କ୍ରମେ କମିଆସୁଛି । ଏହି ସମୟରେ ପଲେ ମୟୂର ଆସି ଗଛ ମୂଳରେ ବିଛେଇ ହୋଇଗଲେ । ଗଛ ଚାରିପାଖରେ ବୁଲି, ପଡ଼ିଥିବା ଫୁଲର ପାଖୁଡ଼ା ଖାଇବାରେ ବ୍ୟସ୍ତ । ସେମାନଙ୍କର ଦୃଶ୍ୟ ଆମେ ମନଭରି ଉପଭୋଗ କରୁଥାଉ । ଅନ୍ଦାଜ ଅଧଘଣ୍ଟାଏ ବିତିଗଲା । ଏହି ସମୟରେ ମୟୂର ପଲଟା ଚରା ବନ୍ଦ କରିଦେଲେ । ବେକ ଟେକି ଏଣେତେଣେ ଚାହୁଁଥାନ୍ତି । କ’ଣ ବାରିଲେ କେଜାଣି ଗୋଟି ଗୋଟି ହୋଇ ପୂର୍ବଦିଗକୁ ଚାଲିଗଲେ-

 

ଏଥିରୁ ବେଶ୍ ଅନୁମାନ ହେଲା ଯେ, ମୟୂରପଲଟା ପଶ୍ଚିମଦିଗରୁ କୌଣସି ବିପଦର ଆଶଙ୍କା ପାଇ ପୂର୍ବଦିଗକୁ ଚାଲିଗଲେ । ଆମେ ପଶ୍ଚିମଦିଗକୁ ତୀକ୍ଷ୍ଣ ଦୃଷ୍ଟି ରଖି ବସିଛୁ । ମାତ୍ର ମିନିଟ ପରର କଥା । ୬ଟା ମାଈ ବାର୍‍ହା ପଶ୍ଚିମ ଦିଗରୁ ବାହାରିପଡ଼ିଲେ । ସେମାନେ ଗଛମୂଳରୁ ଶିମୁଳି ଫୁଲ ନିର୍ଧୂମ ଖାଇବାରେ ଲାଗିଲେ । ସେଗୁଡ଼ାକ ଗର୍ଭବତୀ ଥିବାର ସ୍ପଷ୍ଟ ଜଣାଗଲା । ଏଡ଼େ ଏଡ଼େ ପେଟ ଭୂଇଁକୁ ଝୁଲିପଡ଼ିଥାଏ । ଚିରଗୁଡ଼ାକ ଟାଙ୍କିଗଲାଣି । ପ୍ରସବ ସମୟ ବେଶି ଡେରି ନାହିଁ । କଥା ଅଛି–“ସ୍ତିରୀ, ଗର୍ଭିଣୀ, ଶିଶୁବଧ, ପାପଙ୍କ ମଧ୍ୟେ ଏ ପ୍ରମାଦ ।” ଜ୍ଞାତସାରରେ ଏପରି ପାପ କରିବା ଉଚିତ ନୁହେଁ । ଏ ଦଳର ସର୍ଦ୍ଦାର ଦନ୍ତା ଥାଇପାରେ । ମୁଁ ତା’ର ଅପେକ୍ଷାରେ ରହିଲି ।

 

ଏଣେ ନବଘନ ମତେ ଚିମୁଟିବାରେ ଲାଗିପଡ଼ିଥାଏ, ମୁଁ କାହିଁକି ଗୁଳି ଚଳଉନାହିଁ । ତା’ର କାନ ପାଖରେ କାରଣଟା ସୂଚାଇଦେଲି । ସେ କହିଲା, ‘‘ଦନ୍ତା ଏଇନା ଗଡ଼ିବ । ହୁସିଆର ଥାଅ ।” ମୁଁ ତୀକ୍ଷ୍ଣ ଦୃଷ୍ଟି ରଖି ବସିଛି । ହଠାତ ଠକ୍ କରି ଗୋଟାଏ ଶବ୍ଦ ଶୁଣାଗଲା । ଯେତେଦୂର ସମ୍ଭବ ଏହା ବାର୍‍ହା ଚେରମୂଳ ତାଡ଼ିବା ଶବ୍ଦ । ଥରେ ମାତ୍ର ଶବ୍ଦରୁ ତାହାର ଦୂରତା ଓ ସ୍ଥାନ ସଠିକ ନିର୍ଣ୍ଣୟ କରିବା ବଡ଼ କଠିନ । ୧୦।୧୫ ମିନିଟ ପରେ ମସ୍ତବଡ଼ ଦନ୍ତା ବାର୍‍ହା ଦେଖା ପଡ଼ିଲା ।

 

ବାର୍‍ହାଟା ବନ୍ଧୁକ ରେଞ୍ଜର ୨।୩ ଗୁଣ ଦୂରରେ ଥିଲା । ତାଳମୂଳୀ ତାଡ଼ି ଖାଉଥାଏ । ନିଶ୍ଚୟ ଖଦା ଉପରକୁ ଆସିବ । ମୁଁ ଆଶାୟୀ ହୋଇ ବସିଛି । ସେ କ୍ରମେ ମୂଳ ତାଡ଼ି ତାଡ଼ି ଆସୁଛି-। ଏତିକିବେଳେ କେତେକ ଲୋକଙ୍କର ଚଳପ୍ରଚଳ ଓ କଥୋପକଥନର ମୃଦୁ ଶବ୍ଦ ଶୁଣାଗଲା । ଏଥିରେ ବାର୍‍ହାପଲଟା ସତର୍କ ହୋଇଯାଇ ଖାଇବା ବନ୍ଦ କରିଦେଲେ । କାନ ଟେକି ସ୍ଥିର ନିଶ୍ଚଳ ଭାବରେ ଠିଆହୋଇ ରହିଥାଆନ୍ତି । ମାତ୍ର ମିନିଟକ ପରେ ଘିଡ଼୍‍ଘାଡ଼୍ ହୋଇ ଦଉଡ଼ି ଲଗାଇଦେଲେ; ତାଙ୍କ ସହିତ ଦନ୍ତା ବାର୍‍ହାଟା ମଧ୍ୟ । ମନଟା ଘୋର ତିକ୍ତତାରେ ଭରିଗଲା ।

 

ଆଜି କି ଯୋଗରେ ବାହାରିଥିଲି ଦୁଇ ଦୁଇଟା ସୁଯୋଗ ପାଇ ମଧ୍ୟ ନିରାଶ ହୋଇ ଫେରିବାକୁ ପଡ଼ିଲା । ପରେ ଜଣାଗଲା କେତେକ ଶବରୁଣୀ ଲଇ ସଂଗ୍ରହ କରିବାକୁ ଆସିଥିଲେ । ସେମାନଙ୍କର ଗହଳରେ ବାର୍‍ହାପଲ ହୁରୁଡ଼ିଗଲେ ।

Image

 

ଏକ ସ୍ମରଣୀୟ ଅଭିଯାନ

 

ସେତେବେଳେ ଆଶ୍ଵିନ ମାସ । ପୂର୍ଣ୍ଣମୀ ଦିନେ ଦୁଇଦିନ ବାକି । ରଣିଫୁଲ ପରି ଜହ୍ମ ପଡ଼ିଛି । ଆଠଟା ବାଜିବ । ଏହି ସମୟରେ ମୋର ପରିବାଣୁଆ ଉପସ୍ଥିତ । ଶିକାରକୁ ଯିବାକୁ ହେବ । ହରିଣ ଶିକାର । ରାଶିଖଦାରେ ଜଗିବାକୁ ହେବ । ରାଶିପତ୍ର ଓ ଫୁଲ ହରିଣଙ୍କର ଅତି ପ୍ରିୟ ଖାଦ୍ୟ । ଜଙ୍ଗଲର ଆକର୍ଷଣ ମୋତେ ଟାଣିଲା । ଜଙ୍ଗଲରେ ଶାରଦୀୟ ଜ୍ୟୋତ୍ସ୍ନା ଉପଭୋଗ କରିବାର ଜିନିଷ । ଶରତକାଳୀନ ପୁଷ୍ପର ସୁଗନ୍ଧରେ ଚଉଦିଗ ସୌରଭମୟ । କେତେ ଜାତିର ପଶୁ ଓ ପକ୍ଷୀଙ୍କର କଣ୍ଠସ୍ଵରରେ ଜଙ୍ଗଲ ସଙ୍ଗୀତ ମୁଖର । ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇ ବାହାରିପଡ଼ିଲି ।

 

ସମତଳ ରାଶି କ୍ଷେତ୍ରଟି ତିନିଚାରି ଏକର ଭୂମି ଉପରେ ବିସ୍ତୃତ ଥିଲା । କିଆରିର ଦକ୍ଷିଣ-ପଶ୍ଚିମ ପାର୍ଶ୍ଵରେ ଗୋଟିଏ ଝଙ୍କା ବରଗଛ । ଏହି ଗଛର ମୋଟାଗଣ୍ଡିଟା ୧୦ଫୁଟ ଉଚ୍ଚ । ସେଠାରୁ ଚତୁର୍ଦ୍ଦିଗକୁ ବଡ଼ ବଡ଼ ଡାଳ ପ୍ରସାରିତ ହୋଇଯାଇଛି । ସୁତରାଂ ଗଛର ଗଣ୍ଡି ଉପରଟା ବସିବା ସକାଶେ ବେଶ୍ ଆରାମଦାୟକ ସ୍ଥାନ ଥିଲା । ଆମେ ଗଛକୁ ଉଠିଯାଇ ବସିପଡ଼ିଲୁ । ଉଚ୍ଚସ୍ଥାନ ଓ ଚତୁର୍ଦ୍ଦିଗ ଖୋଲା ଥିବାରୁ ବହୁତ ଦୂର ପର୍ଯ୍ୟନ୍ତ ଦୃଷ୍ଟି ପରିଚାଳିତ ହେଉଥାଏ ।

 

ଅଦୂରରେ ହରିଣ ଶିଙ୍ଘାଳର ଭେସାରିବା ଶବ୍ଦ ଓ ହରିଣୀମାନଙ୍କର କୁଆଇବା ଶବ୍ଦ ଶୁଣାଯାଉଥାଏ । ଏହାର ଅର୍ଥ ସେମାନେ ଏକତ୍ର ହେବାପାଇଁ ପରସ୍ପର ଡକାହକା ହେଉଛନ୍ତି । ଶାନ୍ତ ସୁନ୍ଦର ପରିସ୍ଥିତିରେ ଆମେ ବସିଛୁ । ପବନର ପ୍ରତି ତରଙ୍ଗରେ ଭାସି ଆସୁଛି ଫୁଲର ସୌରଭ । ଏଠାରେ ବସିଲେ କିଛି ସମୟପାଇଁ ଦୈନନ୍ଦିନ ଜୀବନଯାତ୍ରାର ଦୁଃଖ କଷ୍ଟ ଭୁଲିହୋଇଯାଏ ।

 

ରାତ୍ରି ଏଗାରଟା ପାଖାପାଖି । ପଲେ ହରିଣ କିଆରିରେ ପଶି ରାଶି ଖାଇବାରେ ଲାଗିଲେ । ଆମ ପାଖରୁ ସେମାନଙ୍କର ଦୂରତ୍ଵ ପ୍ରାୟ ଶହେଗଜ ଊର୍ଦ୍ଧ୍ଵ ହେବ । ପ୍ରାୟ ଏକ ଘଣ୍ଟା ଅତିବାହିତ ହୋଇଗଲା । ଆଖର ସେମାନେ ବନ୍ଧୁକର ରେଞ୍ଜ ଭିତରକୁ ଆସିଲେ ନାହିଁ ।

 

କିଛି ସମୟପରେ ଆଉ ଏକ ହରିଣପଲ ଆସି ସେ କିଆରିରେ ପ୍ରବେଶ କଲେ । ଏମାନେ ମଧ୍ୟ ବନ୍ଧୁକ ରେଞ୍ଜର ବାହାରେ ଥିଲେ । ନୀରବ ଦର୍ଶକ ଭାବରେ ବସିବା ବ୍ୟତୀତ ମୋର ଅନ୍ୟ ଉପାୟ ନଥିଲା ।

 

ଶିକାରରେ ହତାଶ ହେବାର ପ୍ରଶ୍ନ ନଥିଲା । ମୁଁ ପ୍ରାକୃତିକ ଦୃଶ୍ୟରେ ନିମଗ୍ନ ହୋଇପଡ଼ିଥିଲି । ଏ ମଧ୍ୟରେ ବହୁତ ସମୟ ଗତ ହୋଇଗଲାଣି । ସେତେବେଳକୁ ରାତ୍ରି ଶେଷ ପ୍ରାୟ । ଚନ୍ଦ୍ର ମ୍ଳାନ ହୋଇ ଶିଖରଚଣ୍ଡୀ ପର୍ବତର ଆଢ଼ୁଆଳରେ ଲୁଚିଯିବାକୁ ବସିଲେଣି । ନିଶାଚର ପକ୍ଷୀମାନେ ସେ ଯାହାର ନୀଡ଼କୁ ଫେରିବାପାଇଁ ତତ୍ପର ହେଉଛନ୍ତି । ଏହି ସମୟରେ ମଡ଼୍ ମଡ଼୍ ଶବ୍ଦ ଶୁଣାଗଲା । ତା’ପରେ ପତ୍ରଫୁଲ ଟୁଙ୍କିବାର ଶବ୍ଦ–-ଟୁକ୍‍ଟାକ୍ । କ୍ରମେ ଏହି ଶବ୍ଦ ଆମର ନିକଟବର୍ତ୍ତୀ ହେଲା । ମୁଁ ଅତି ସତର୍କତା ଅବଲମ୍ବନ ପୂର୍ବକ ଦେଖିଲି, ମସ୍ତବଡ଼ ଶିଙ୍ଘାଳ । ବନ୍ଧୁକ ରେଞ୍ଜ ମଧ୍ୟରେ ଆସି ପହଞ୍ଚିଗଲାଣି । ବିଳମ୍ବ କଲେ ହୁଏତ ଖସିଯାଇପାରେ । ମୁଁ ଉତ୍ତେଜନାର ବଶବର୍ତ୍ତୀ ହୋଇ ହଠାତ ଫାୟାର କରିଦେଲି ।

 

ଶିଙ୍ଘାଳଟା ମାଡ଼େ ମାଡ଼େ ପଡ଼ିଗଲା; କିନ୍ତୁ ସଙ୍ଗେ ସଙ୍ଗେ ଉଠି ପଳାଇଲା । ଗୁଳିଟା ଲାଗିଛି, କିନ୍ତୁ ଦାଉ ହେଲା ନାହିଁ । ମୁଁ ଠିକ୍ ତା’ର ଛାତିକୁ ଲକ୍ଷ୍ୟ କରିଥିଲି, ବୋଧହୁଏ ଟିକିଏ ତଳକୁ ହୋଇଗଲା । ଯାହାହେଉ ସକାଳ ହେଲେ ଦେଖାଯିବ । ସକାଳ ହେବାକୁ ଆଉ ଡେରି ନାହିଁ-। ଏତକ ସମୟ ଆଶା ନିରାଶା ମଧ୍ୟରେ କଟିଗଲା । ଦିବସର ଆଲୋକ ପ୍ରକାଶ ପାଇବାମାତ୍ରେ ଆମେ ମାଡ଼ ସ୍ଥାନଟା ପରୀକ୍ଷା କରିନେଲୁ । ଦେଖାଗଲା, ଗୁଳିଟା ତା’ ଦେହରେ ଲାଗି ଫୁଟି ବାହାରିଯାଇଛି । ଗୁଳିଟା ଅପର ପାର୍ଶ୍ଵରେ ମାଟି ତାଡ଼ି ଚାଲିଯିବାର ସ୍ପଷ୍ଟ ପ୍ରମାଣ ମିଳିଲା । ଶିଙ୍ଘାଳର ଉଭୟ ପାର୍ଶ୍ଵରେ ରୁମ ଓ ରକ୍ତ ମଧ୍ୟ ପଡ଼ିଥିଲା I ଗୁଳିଟା ଠିକ୍ ଛାତିରେ ଲାଗିଥିଲେ ସେ ଟିପ କାଢ଼ି ନ ଥାନ୍ତା I

 

ଆମେ ରକ୍ତର ଦାଗ ଓ ଖୋଜଚିହ୍ନକୁ ସମ୍ବଳ କରି ପିଛାଧରି ଚାଲିଲୁ । କେତେବେଳେ ଖୋଲା ଜଙ୍ଗଲ, କେତେବେଳେ ଘଞ୍ଚ ଜଙ୍ଗଲ ମଧ୍ୟଦେଇ କେବେ ବା ଆଗକାଟି ଆମେ ତା’ର ପିଛା ଧରିଥାଉ । ଏବାର ଶିଙ୍ଘାଳଟା ଗୋଟାଏ ଡଗରରାସ୍ତା ଧରି ଯାଉଛି । ତା’ର ଶାରୀରିକ ଦୁର୍ବଳତା କୌଣସି ଲକ୍ଷଣ ଜଣାଯାଉନାହିଁ । ଆମେ ଏହି ଡଗରରାସ୍ତାରେ ଯାଉ ଯାଉ ଗୋଟିଏ ମସ୍ତବଡ଼ ଚିତାର ଖୋଜଚିହ୍ନ ଦେଖିବାକୁ ପାଇଲୁ । ଚିତାଟା ଜଙ୍ଗଲରୁ ବାହାରି ସେଠାରେ ଡଗର ଉପରକୁ ଉଠିଛି । ଡଗର ଉପରେ କେତେ ପାହୁଣ୍ଡ ଆଗକୁ ପଛକୁ ଫେରାଫେରି ହେବାପରେ, ସେ କୁଆଡ଼େ ଯେ ଅନ୍ତର୍ଦ୍ଧାନ ହୋଇଯାଇଛି ତା’ର ପତ୍ତା ମିଳିଲା ନାହିଁ ।

 

ଏଥିରୁ ଅନୁମାନ କରାଯାଇପାରେ ଯେ, ଚିତାଟା ଆହତ ଶିଙ୍ଘାଳର ପିଛା ଧରିଲାଣି । ଶିଙ୍ଘାଳଟା ଡଗର ରାସ୍ତାରେ କିଛି ଦୂର ଯାଇ ବାଟ ଭାଙ୍ଗିଛି । ଏଣିକି ସେ ଅପେକ୍ଷାକୃତ ପତଳା ଜଙ୍ଗଲରେ ପ୍ରବେଶ କରି ଅବାଟରେ ଚାଲିଛି । ବେଳକୁ ବେଳ ତା’ର ରକ୍ତସ୍ରାବ ବଢ଼ିବାରେ ଲାଗିଥାଏ । ଏଣୁ ତା’ର ପିଛା କରିବାରେ କୌଣସି କଷ୍ଟ ନଥିଲା । ଆମର ଗନ୍ତବ୍ୟ ପଥର କିଞ୍ଚିତ୍ ଡାହାଣକୁ ଗୋଟିଏ ଛୋଟ ବୁଦା । ଚିତାଟା କିଛି ସମୟପାଇଁ ସେ ବୁଦା ପାଖରେ ଶୋଇଥିବାର ପ୍ରମାଣ ମିଳିଲା । ଏବାର ଆଉ ସନ୍ଦେହର ଅବକାଶ ନାହିଁ । ଆମେ ଶିଙ୍ଘାଳକୁ ଧରିବା ପୂର୍ବରୁ ଚିତାଟା ତାକୁ ଧରିନେଇଥିବ ।

 

ଏଣିକି ଆମେ ଅଧିକ ସତର୍କତା ଅବଲମ୍ବନପୂର୍ବକ ଅଗ୍ରସର ହେବାରେ ଲାଗିଲୁ । ଚିତାଟା ଆମ ଆଗେ ଆଗେ ଚାଲିଛି । ଅଥଚ ତା’ର କୌଣସି ସୋରଶବ୍ଦ ମିଳୁନାହିଁ । ଜଙ୍ଗଲଟା ଏକବାରକେ ନୀରବ ନିସ୍ପନ୍ଦ । ଜଙ୍ଗଲର ସତର୍କ ପ୍ରହରୀ କୁଟ୍ରା, କୁକୁଡ଼ା, ମୟୂର, ତେଣ୍ଟେଇ–କାହାରି ଶବ୍ଦ ଶୁଭୁନାହିଁ । ବାଘ ବା ଚିତାବାଘର ଗତିବିଧି ସମ୍ବନ୍ଧରେ ସେମାନେ ନିଜେ ସତର୍କ ହେବା ସଙ୍ଗେ ସଙ୍ଗେ ଅନ୍ୟ ପ୍ରାଣୀଙ୍କୁ ମଧ୍ୟ ସତର୍କ କରାଇଦିଅନ୍ତି । ଏଥିରୁ ନିଶ୍ଚିତ ଅନୁମାନ, ଚିତାଟା ସମସ୍ତଙ୍କ ଦୃଷ୍ଟି ଏଡ଼ାଇ ଲୁଚି ଲୁଚି ଚାଲିଛି । ସୁଯୋଗ ପାଇବାମାତ୍ରେ ଶିଙ୍ଘାଳକୁ ଧରିବ । ମୋର ଉତ୍ସାହ ଓ ଉତ୍ତେଜନା ଆହୁରି ବଢ଼ିଗଲା ।

 

ଖୋଜଚିହ୍ନରୁ ଜଣାଗଲା ଶିଙ୍ଘାଳଟା ବେଳକୁବେଳ ଅଶକ୍ତି ହୋଇପଡ଼ିଛି । ସେ ଚିତାର ଟେର ସୁଦ୍ଧା ପାଇନାହିଁ । ତା’ ହୋଇଥିଲେ ତା’ର ଗତି ଦ୍ରୁତ ହୋଇଯାଇଥାନ୍ତା । ବହୁ କଷ୍ଟରେ ଦୁଇ ଫର୍ଲଙ୍ଗ ଦୂର ଆଗେଇ ଯିବାପରେ ଖଣ୍ଡିଏ ଘଞ୍ଚ ଜଙ୍ଗଲ ପଡ଼ିଲା । ସେତେବେଳେ ଦିନ ୧୦ଟା ସମୟ । ଆମେ ନାକେଦମ୍ ହୋଇଗଲୁଣି । ଟିକିଏ ଦମ୍ ନେବାକୁ ସେଠାରେ ବସିଗଲୁ । ସାମାନ୍ୟ ସୁସ୍ଥ ହେବାପରେ ପୁଣି ଅଭିଯାନ ଆରମ୍ଭ କଲୁ । ନଇଁ ନଇଁ, ଗଳିଗଳି ଚାଲିଥାଉ । କଣ୍ଟକାକୀର୍ଣ୍ଣ ଜଙ୍ଗଲ । ତେଣୁ ଆମର ଅଗ୍ରଗତିରେ ଘୋର ବାଧା ସୃଷ୍ଟି ହେଉଥାଏ ।

 

କିଛି ଦୂର ଯିବାପରେ ଆହତ ଶିଙ୍ଘାଳଟା ହଠାତ ଦୌଡ଼ିଯିବାର ଚିହ୍ନ ଦୃଷ୍ଟିଗୋଚର ହେଲା । ସେ ହୁଏତ ଚିତାକୁ ଦେଖି କିମ୍ବା ତା’ର ଗନ୍ଧ ପାଇ ହୁରୁଡ଼ିଛି । ଆମେ ଶ୍ରମ ଅପନୋଦନ ପାଇଁ ସେ କେତେ ମିନିଟ ବସି ଗଲୁ ତାହା ଏଇ ଅମାର୍ଜନୀୟ ଭଲ ହୋଇଗଲା । ତା’ ନ ହୋଇଥିଲେ ଶିଙ୍ଘାଳଟା ହୁରୁଡ଼ିଯିବା ପୂର୍ବରୁ ଆମେ ତାକୁ ଧରିନେଇଥାଆନ୍ତୁ । ପ୍ରାୟ ଦୁଇ ଫର୍ଲଙ୍ଗ ପଥ ଅତିକ୍ରମ କଲା ପରେ ଟିକିଏ ଫାଙ୍କା ଜଙ୍ଗଲ ପଡ଼ିଲା ।

 

ଏ ଜଙ୍ଗଲରେ କିଛି ଦୂର ଯିବାପରେ ଦଳେ ପକ୍ଷୀଙ୍କର ସମବେତ ଚହଳ ପ୍ରତି ସ୍ଵତଃ ଦୃଷ୍ଟି ଆକର୍ଷିତ ହେଲା । ଏହାର କାରଣ କ’ଣ ହୋଇପାରେ ? କୌଣସି ହିଂସ୍ର ପ୍ରାଣୀକୁ ଦେଖିଲେ ପକ୍ଷୀମାନେ ଚିତ୍କାର କରି ତାହାର ତୀବ୍ର ବିରୋଧ କରିଥାନ୍ତି । ଏ ସ୍ଥଳରେ ତାହାହିଁ ହୋଇପାରେ । ଚିତାଟା ଶିଙ୍ଘାଳର ଅନୁସରଣ କରୁଥିଲା । ହୁଏତ ତାକୁ ଦେଖି ପକ୍ଷୀମାନେ ମେଳ ବାନ୍ଧି ରାବ କରୁଥିଲେ ।

 

ବିନକୁ ଗୋଟିଏ ଜାଗାରେ ରଖାଇଦେଇ । ମୁଁ ଏକାକୀ ଶିଙ୍ଘାଳର ଖୋଜ ଧରି ସନ୍ଧାନରେ ବ୍ୟାପୃତ ହୋଇଗଲି ପ୍ରାୟ ଶହେ ଗଜ ଖଣ୍ଡେ ଅତିକ୍ରମ କଲାପରେ ହଠାତ ଖଡ଼୍ କରି ଏକ ଶବ୍ଦ ଶୁଣାଗଲା । ଏ ଶବ୍ଦଟା ମୋର ଡାହାଣ ପାଖରେ ପ୍ରାୟ ପଚାଶ ଗଜ ଦୂରରେ ହେଲା । ମୁଁ ସେହିଠାରେ ଶବ୍ଦଟାକୁ ଲକ୍ଷ୍ୟ କରି ରହିଗଲି । ଏକ ମିନିଟ ପରେ ପୁଣି ସେହିପରି ଏକ ଶବ୍ଦ । ମୁଁ ଅତି ସନ୍ତର୍ପଣେ ସେ ଦିଗକୁ ଆଗେଇ ଚାଲିଲି । ମଝିରେ ମଝିରେ ରହି ରହି, ଖଡ଼୍‍ଖାଡ଼୍, ଭଡ଼୍‍ଭାଡ଼୍ ଶବ୍ଦ ହେଉଥାଏ । ଏ ଶବ୍ଦଟା ସେ ମାଂସାଶୀ ପ୍ରାଣୀଙ୍କର ମାଂସ ଖାଇବା ଶବ୍ଦ, ଏଥିରେ ମୋର ସନ୍ଦେହ ରହିଲା ନାହିଁ ।

 

ମୁଁ ନଇଁ ନଇଁ ବସି ବସି ଯାଇ ଗୋଟିଏ ଛୋଟ ନିରେଇଶ ବୁଦା ପାଖରେ ପହୁଞ୍ଚିଗଲି । ବୁଦା ଫାଙ୍କରେ ଦେଖିଲି ଏକ ଚମତ୍କାର ପୁରୁଷ ଚିତା ବୀରବିକ୍ରମରେ ବସିଯାଇ ଭୋଜନରେ ଲାଗିପଡ଼ିଛି । ଏପରି ଖୋଲା ଜାଗାରେ ବାଘ କିମ୍ବା ଚିତା ଶିକାର ଖାଇବା କ୍ୱଚିତ୍ ଦେଖାଯାଏ । ସମ୍ଭବତଃ ଚିତାଟା ଏତେବଡ଼ ଶିଙ୍ଘାଳକୁ ସ୍ଥାନାନ୍ତରିତ କରିନେବା ସମ୍ଭବ ହେଲା ନାହିଁ । ସେ ମୋର କଡ଼ପଟ ଭାବରେ ଥିଲା । ତେଣୁ ମୁଁ ତା’ର କାନମୁଣ୍ଡକୁ ନିଶାଣ ଲଗାଇଲି । ଯଥାରୀତି ଲକ୍ଷ୍ୟ ଠିକ୍‍ କରି ଘୋଡ଼ା ଟିପିଦେଲି । ଚିତାଟା ସଙ୍ଗେ ସଙ୍ଗେ ଏକ ଲମ୍ଫ ପ୍ରଦାନ୍ତ କଲା ଯେ ଆସି ମୋ ପାଖରୁ ପାଞ୍ଚହାତ ଦୂରରେ ପଡ଼ିଲା । ତା’ର ଲବେମାତ୍ର ଜୀବନଶକ୍ତି ଥିଲେ ଘଟନାଟା ନିତାନ୍ତ ବିୟୋଗାନ୍ତକ ହୋଇଥାନ୍ତା ।

 

ଏହା ମୋର ଗୋଟିଏ ଅତି ସ୍ମରଣୀୟ ଅଭିଯାନ ।

Image

 

ଜଙ୍ଗଲରେ ଏକ ହାସ୍ୟମୟୀ ରଜନୀ

 

ଚୈତ୍ର ମାସ । ଏ ମାସରେ ଚତୁର୍ଦ୍ଦିଗରୁ ପତନ ରହେ । ସାଧାରଣତଃ ଏହାକୁ ଚଇତାଳି ପବନ କହିଥାନ୍ତି । ଶିକାରରେ ପବନର ଗୁରୁତ୍ୱ କମ୍ ନୁହେଁ । ପବନ ବେଗରେ ବଢ଼ିଲେ ବନ୍ୟଜନ୍ତୁ ଭୀତତ୍ରସ୍ତ ହୋଇ ଘନ ଜଙ୍ଗଲରେ ଆତ୍ମଗୋପନ କରି ରହନ୍ତି । ଚରାବୁଲା କରିବାକୁ ଖୋଲା ଜଙ୍ଗଲକୁ ବାହାରନ୍ତି ନାହିଁ । ସେ ସମୟରେ ଶିକାର ମିଳିବା ସମ୍ଭବ ନୁହେଁ । ଏବେ କେତେଦିନ ହେଲା କ୍ରମାଗତ ପବନ ବହୁଥିବାରୁ ମୁଁ ଶିକାରକୁ ଯିବା ଛାଡ଼ିଦେଇଛି ।

 

ପାୟ ୮।୧୦ ଦିନ ପରେ ପାଗ ସମ୍ପୂର୍ଣ୍ଣ ବଦଳିଗଲା । ପବନର ଝଙ୍କାର ଆଉ ନାହିଁ । ବେଶ୍ ଗରମ ପଡ଼ିଗଲାଣି । ଶିକାରକୁ ଯିବାର ପ୍ରବଳ ଇଚ୍ଛା ଜାଗରିତ ହୋଇଉଠିଲା । ମୋର ପରିବାଣୁଆ ନବଘନକୁ ସାଙ୍ଗରେ ଧରି ଦିନେ ଖୁବ୍ ଭୋରରୁ ଶିକାରକୁ ବାହାରିପଡ଼ିଲି । ଆମେ ଘନ ଜଙ୍ଗଲ ମଧ୍ୟଦେଇ ଯାଇଥିବା ଏକ ଡଗର ରାସ୍ତା ଧରି ଚାଲିଲୁ । ବସନ୍ତ ଋତୁ । ବୃକ୍ଷଲତା ସବୁ ପତ୍ରଝଡ଼ା ଦେଉଛନ୍ତି । ଶୁଖିଲା ପତ୍ର ଉପରେ ଯେତେ ସାବଧାନରେ ଚାଲିଲେ ମଧ୍ୟ ଶବ୍ଦ ହେଉଥାଏ । ଦୁଇଟି କୁଟ୍ରା ଓ ଗୋଟିଏ ବାର୍‍ହା ଦୃଷ୍ଟିଗୋଚର ହେଲେ; କିନ୍ତୁ ସେମାନେ ଦୂରରୁ ଆମର ଶଙ୍କା ପାଇ ଚମ୍ପଟ କଲେ ।

 

ଏ ଡଗର ରାସ୍ତାଟା ମାଇଲିଏ ଦୂର ଲମ୍ବିଯାଇ ଗୋଟିଏ ସରହ୍ରଦ ଲାଇନ୍ ସହିତ ମିଳିତ ହୋଇଛି । ମିଳନ ସ୍ଥାନଟି ଗୋଟିଏ ତିଛକି ଜାଗା, ‘ଗୟଳ ଲଞ୍ଜି’ ପାହାଡ଼ର ପାଦଦେଶରେ ଅବସ୍ଥିତ । ଆମେ ଯାଇ ସେଠାରେ ଉପସ୍ଥିତ ହେଲୁ । ସେଠାରେ ଗୋଟିଏ ବୃହତ୍ ତେନ୍ତୁଳି ଗଛ ଅଛି । ଏ ସ୍ଥାନଟି ପଟିଆ ଜଙ୍ଗଲରେ ‘ତେନ୍ତୁଳି ଗୋଠ’ ନାମରେ ପରିଚିତ ।

 

ଉକ୍ତ ତେନ୍ତୁଳି ଗଛରେ ଭରା ଫଳ ପାଚି ଝଡ଼ୁଛି । ସମ୍ବର, ହରିଣ ଓ କୁଟ୍ରାଙ୍କ ଖୋଜରେ ଗଛମୂଳରୁ ଧୂଳି ଉଠିଗଲାଣି । ଏଥରୁ ସ୍ପଷ୍ଟ ପ୍ରତୀୟମାନ ହେଲା ଯେ, ଏମାନେ ପାଚିଲା ତେନ୍ତୁଳି ଖାଇବାକୁ ବରାବର ଆସୁଛନ୍ତି । ଏଠାରେ ଦୁଇରାତି ଜଗିଲେ ନିଶ୍ଚୟ ହଳେ ପଟେ ଶିକାର ମିଳିଯିବ ।

 

ଗଛର ପନ୍ଦର ଫୁଟ ଉଚ୍ଚରେ ଶାଖା ପ୍ରଶାଖା ମେଲିଯାଇଥିଲା । ସେଠାରେ ବାଉଁଶ ଫାଳିଆ ବାନ୍ଧି ବେଶ୍ ଆରାମଦାୟକ ଏକ ମଞ୍ଚା ପ୍ରସ୍ତୁତ କରିନେଲୁ । ମଞ୍ଚା ବାନ୍ଧିବା ଓ ତେନ୍ତୁଳି ଝାଡ଼ିବାରେ ବେଳ ଗଡ଼ିଗଲା । ସେଦିନ ଆଉ ଶିକାର ଆଶା ନଥିଲା । ଆମେ ବୋଝେ ବୋଝେ ତେନ୍ତୁଳି ଓ ଭାବୀ ଶିକାରର ଆଶା ଘେନି ଘରକୁ ଫେରିଲୁ ।

 

ଶିକାର ମିଳିବାର ସମ୍ଭାବନା ନାହିଁ । ଆମେ ଧମାଧମ୍ ଚାଲିଆସୁଛୁ । ଅନେକ ଦୂର ଆସିବା ପରେ ହଠାତ ନବଘନ ରହିଯିବାକୁ ସଙ୍କେତ ଦେଲା । ମୁଁ ରହିଗଲି । ଆମର ଅନତିଦୂରରେ ଗୋଟିଏ ଆମ୍ବଗଛ ଥିଲା । ସେ ଗଛଟା ଆମ୍ବ କଷିରେ ଭରା । ନବଘନ ମୋ କାନରେ କହିଲା, “ମିରିଗ କି ଖୁରୁଙ୍ଗ ଆମ୍ବକଷି ଖାଉଛି । ମୁଁ ଟିକିଏ କାନେଇଲି । ସତରେ ଗଛମୂଳରେ କ’ଣ ଖୁଡ଼୍‍ଖାଡ଼୍ ଶୁଭୁଛି । ମୁଁ ବନ୍ଧୁକର ଗୋଟିଏ ନଳାରୁ ଏଲ. ଜି. କାର୍ତ୍ତୋସ ବାହାର କରି ତା’ ପରିବର୍ତ୍ତେ ଏକ ନମ୍ବର ଛରରାଟିଏ ଲୋଡ଼୍‍ କରିନେଲି । କାରଣ ଯଦି ଖୁରାଣ୍ଟି ହୋଇଥିବା ଛରରା କାମ ଦେବ । ନବଘନ ତେନ୍ତୁଳି ବୋଝ ଓହ୍ଲାଇ ସେଠାରେ ବସିଗଲା । ମୁଁ ବୁଦା ଆପଟରେ ଦେହକୁ ଛପାଇ ଅଗ୍ରସର ହେବାକୁ ଲାଗିଲି ।

 

କିଛିଦୂର ଯିବା ପରେ ହଳେ ଖୁରାଣ୍ଟି ଆମ୍ବକଷି ଖାଉଥିବା ଦୃଷ୍ଟିଗୋଚର ହେଲା । ସେମାନଙ୍କୁ ବନ୍ଧୁକର ରେଞ୍ଜ ମଧ୍ୟକୁ ଆଣିବାକୁ ହେଲେ ଅନ୍ତତଃ ଆହୁରି ୨୦।୨୫ ପାହୁଣ୍ଡ ଆଗେଇଯିବାକୁ ପଡ଼ିବ । ମୁଁ ଅତି ସତର୍କତା ସହ ପାଦେ ପାଦେ କରି ଆଗେଇବାକୁ ଲାଗିଲି । ମୁଁ ବୁଦା ଆଡ଼ୁଆଳରେ ବସି ମୋର ଆସ୍ଥାନ ଠିକ୍ କରିନେଲି । ଦୁଇଟିଯାକ ଅଣ୍ଡିରା । ସେମାନେ ଏକତ୍ର ବା ଏକ ଲାଇନ୍‍ରେ ରହିଲେ ହୁଏତ ଏକା ଗୁଳିକେ ଦୁଇଟିଯାକ ପଡ଼ିଯିବେ । ଏହି ଅପେକ୍ଷାରେ ମୁଁ କିଛି ସମୟ ବସିରହିଲି । ଆଖର ସେମାନେ ଏକତ୍ର ହେଲେ ନାହିଁ । ଶେଷରେ ମୁଁ ବଡ଼ଟିକୁ ଲକ୍ଷ୍ୟ କରି ଫାୟାର କରିଦେଲି । ସେ ସେଇଠି ଛଟଛାଟ ହୋଇ ପଡ଼ିଗଲା । ନବଘନ ଦଉଡ଼ି ଆସି ସେଇଟିକୁ ଉଠାଇନେଲା । ଆମେ ମହା ଆନନ୍ଦରେ ଘରକୁ ଫେରିଲୁ ।

 

ମୁଁ କ୍ଳାନ୍ତ ହୋଇପଡ଼ିଥିଲି । ସ୍ନାନ ଆହାର ପରେ ଦମେ ଖୁବ୍ ଶୋଇଗଲି । ଅପରାହ୍ନ ୩ଟା ବେଳକୁ ଉଠି ପୁଣି ଶିକାରକୁ ଯିବା ସକାଶେ ସଜବାଜ ହେବାକୁ ପଡ଼ିଲା । ସାରା ରାତି ଜଙ୍ଗଲରେ କଟାଇବାକୁ ହେବ । ରାତ୍ରି ଭୋଜନପାଇଁ ଚକୁଳି ପିଠା, ମାଂସ ତରକାରୀ, ପାଣିବ୍ୟାଗ୍ ଆଦି ଧରି ଶିକାର ଅଭିଯାନରେ ବାହାରିପଡ଼ିଲି । ପରିବାଣୁଆ ନବଘନ ମଧ୍ୟ ସଙ୍ଗରେ ଗଲା । ଆମେ ପୂର୍ବକଥିତ ‘ତେନ୍ତୁଳି ଗୋଠ’ରେ ପହୁଞ୍ଚିବାବେଳକୁ ଦୁଇଟି କୁଟ୍ରା ତେନ୍ତୁଳି ଖାଉଥିଲେ । ଆମର ଧଡ଼ସ ପାଇ ଭାଉ...ଭାଉ ରଡ଼ି ଛାଡ଼ି ପଳାଇଲେ ।

 

ଯାହାହେଉ ଆମେ ସୂର୍ଯ୍ୟାସ୍ତ ପୂର୍ବରୁ ମଞ୍ଚାରେ ବସିଗଲୁ । ନବଘନ କିଛି ତେନ୍ତୁଳି ଗଛ ମୂଳରେ ବିଛାଇଦେଲା । କାରଣ ଜନ୍ତୁମାନେ ଖାଇବାପାଇଁ ଆକୃଷ୍ଟ ହୋଇ ଆସିବେ । ଆମେ ଦକ୍ଷିଣ ଦିଗକୁ ମୁହଁ କରି ବସିଥିଲୁ । ଆମର ଚତୁଃପାର୍ଶ୍ଵରେ ବଣମିଲ୍ଲୀ, କୋରୁହାଁ, ଫିରିକ ଆଦି ବସନ୍ତକାଳୀନ ଫୁଲ ଫୁଟି ଦିଗ ଚହଟାଉଥାଏ । ଆମର ସମ୍ମୁଖ ଦିଗଟା ଖୋଲା । ଅନେକ ଦୂର ପର୍ଯ୍ୟନ୍ତ ଦୃଷ୍ଟି ପରିଚାଳିତ ହେଉଥାଏ । କ୍ରମେ ସୂର୍ଯ୍ୟ ଅସ୍ତାଚଳରେ ବୁଡ଼ିଗଲେ । ଅସ୍ତ ସୂର୍ଯ୍ୟର ରକ୍ତ ଆଭା ପାହାଡ଼ରୁ ମିଳେଇ ଗଲା । ତଥାପି ଆକାଶରୁ ଶେଷ ଆଲୋକ ଲିଭିଯିବାକୁ ଆହୁରି ଘଣ୍ଟାଏ ଡେରି ଅଛି ।

 

ଆମେ ବେଶ୍ ଆରାମରେ ଆଶାୟୀ ହୋଇ ବସିଛୁ । ଏହି ସମୟରେ ଗୋଟିଏ କୁଟ୍ରା ଆମର ବାମଦିଗରୁ ବାହାରିପଡ଼ିଲା । ସେ କାନ ଡେରି ଚାରି ଦିଗରେ ଦୃଷ୍ଟି ଫେରାଇ ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଉଥାଏ । ପ୍ରତ୍ୟେକ ବନ୍ୟ ଜୀବ ପାଣି ହେଉ ବା ଫଳ ହେଉ ଖଦା ଉପରକୁ ଏହିପରି ଶଙ୍କିତ ଭାବରେ ଆସିଥାନ୍ତି । ଏହି ସମୟରେ ସେମାନଙ୍କର ଚାଲି ଚାହାଣି ଉପଭୋଗ କରିବାର ଜିନିଷ । ସେ କ୍ରମେ ଗଛ ମୂଳକୁ ଆସି ଫଳ ଖାଇବାରେ ଲାଗିପଡ଼ିଲା । ସମ୍ଵର, ହରିଣ ମାରିବା ମୋର ଅଭିପ୍ରାୟ l ତେଣୁ କୁଟ୍ରାକୁ ପଚାରେ କିଏ ? ସେ ଫଳଗୁଡ଼ାକ ଖାଇଯାଉଥିଲା । ମୁଁ ତାକୁ ଜାଣିଶୁଣି ହୁରୁଡ଼େଇ ଦେଲି ।

 

କ୍ରମେ ସନ୍ଧ୍ୟା ନଇଁଆସିଲା । ପ୍ରାଚୀ ଗଗନରେ ପୂର୍ଣ୍ଣିମା ଚନ୍ଦ୍ର ହସିଉଠିଲେ । ଜ୍ୟୋତ୍ସ୍ନାଲୋକରେ ବଣରାଇଜ ଭଦ୍ଭାସିତ ହୋଇଉଠିଲା । ରଜତବୋଳା ବନଲତା ଜାଗରିତ ହୋଇଉଠିଲେ । ଶୀତଳ ସ୍ନିଗ୍‍ଧ ପରିବେଶ ମଧ୍ୟରେ ମନପ୍ରାଣ ପୁଲକିତ ହୋଇଉଠିଲା । ଶିକାର କଥା ମୁଁ ଏକବାରକେ ଭୁଲିଯାଇଥିଲି । ଏହି ସମୟରେ ଗୋଟିଏ ହରିଣୀ ଲାଗ ଲାଗ ଦୁଇବାର କୁଆଇଲା । ଏଥିରେ ମୋର ଧ୍ୟାନ ଭଗ୍ନ ହେଲା । ହରିଣଟି ଡାକିବାର କେତେ ମିନିଟ ପରେ ଆଉ ଗୋଟିଏ ହରିଣୀ ତାହାର ଜବାବ ଦେଲା । ପୂର୍ବ ପାଖ ଜଙ୍ଗଲରେ ଏହିପରି କେତୋଟି ହରିଣୀ କୁଃ..କଃ ହେଉଥାନ୍ତି । ହରିଣ ଓ ହରିଣୀଙ୍କ ଡାକରେ ପ୍ରଭେଦ ଅଛି, ତାହା ପ୍ରତ୍ୟେକ ଶିକାରୀଙ୍କୁ ଜଣା । ହରିଣୀମାନେ ଏକତ୍ରିତ ହେବାପାଇଁ ପରସ୍ପର ଡକାହକା ହେଉଛନ୍ତି । ଖୁବ୍ ଶୀଘ୍ର ଖଦା ଉପରକୁ ଆସିଯିବେ । ଆମେ ସତର୍କ ହୋଇ ବସିଥାଉ ।

 

ମୁଁ ପୂର୍ବଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖି ବସିଛି । ପ୍ରାୟ ଅଧଘଣ୍ଟାଏ କାଳ ବିତିଗଲା । ଏହି ସମୟରେ ପଲକଯାକ ହରିଣ ଜଙ୍ଗଲ ଭିତରୁ ପଦାକୁ ବାହାରିପଡ଼ିଲେ । ସେମାନେ ଆଗିଲି ପିଛିଲି ହୋଇ ଧୀର ମନ୍ଥର ଗତିରେ ଚାଲିଆସୁଛନ୍ତି । ନିର୍ମଳ ଚନ୍ଦ୍ରାଲୋକରେ ସେମାନଙ୍କର କମନୀୟ ଭଙ୍ଗି ଦେଖିଲେ କିଏ ମୁଗ୍ଧ ନ ହେବ ? ସେ ଦଳଟିରେ ଛୋଟ ବଡ଼ ହୋଇ ଦଶଟି ଥିଲେ । ବଡ଼ ଶୋଚନାର ବିଷୟ ଯେ, ସେମାନଙ୍କ ଦଳରେ ଗୋଟିଏ ହେଲେ ଶିଙ୍ଘାଳ ନଥିଲା । ସେମାନଙ୍କ ମଧ୍ୟରେ ଅଣ୍ଡିରା ଛୁଆ ଥାଇପାରନ୍ତି । କିନ୍ତୁ ଚିହ୍ନିବା ସମ୍ଭବ ନୁହେଁ । ପଲଟାଯାକ ଆସି ତେନ୍ତୁଳି ଗଛ ଚାରିପାଖ ବେଢ଼ିଗଲେ । ମହାଆନନ୍ଦରେ ବୁଲି ତେନ୍ତୁଳି ଖାଉଥାନ୍ତି । ମୁଁ ସେମାନଙ୍କର ସରଳ ସ୍ୱଚ୍ଛନ୍ଦ ଆହାର ବିହାର ଦେଖି ବିଭୋର ହୋଇଗଲି । ନବଘନର ବିଚାର, ସେମାନଙ୍କୁ ଘଉଡ଼ିଦେବା-। କାରଣ ସେମାନେ ତେନ୍ତୁଳିଯାକ ଖାଇଗଲେ ଅନ୍ୟ ଜନ୍ତୁ ଆସିବେ ନାହିଁ । କିଛି ସମୟ ଗତ ହୋଇଗଲା ମୋର ଅଜ୍ଞାତରେ ନବଘନ ଖଣ୍ଡିକାଶ ମାରି ସେମାନଙ୍କୁ ହୁରୁଡ଼େଇଦେଲା-। ସ୍ତ୍ରୀ ଜନ୍ତୁ ମାରିବା ଶିକାରୀ ନିୟମର ବିରୁଦ୍ଧ । ତେଣୁ ସେମାନେ ଚାଲିଯିବାରେ ମୋର ଦୁଃଖ ନଥିଲା ।

 

ପ୍ରାୟ ରାତି ଦଶଟା ହେବ । ଆମେ ରାତ୍ରି ଭୋଜନଟା ଶେଷ କରିନେଲୁ । ଚତୁର୍ଦ୍ଦିଗ ନୀରବ ନିଃଶବ୍ଦ । ଏହି ସମୟରେ ସର୍...ସର୍ ଶବ୍ଦ ଶୁଣାଗଲା । ସେ’ଟା ଶୁଖିଲା ପତ୍ର ଉପରେ ଗୋଟିଏ ଭାରୀ ଜନ୍ତୁ ଚାଲିଆସିବାର ଶବ୍ଦ । କିନ୍ତୁ ସେ ଖୁରା ଥିବା ଜନ୍ତୁ ନୁହେଁ–ଏହା ମୁଁ ସ୍ପଷ୍ଟ ବୁଝିପାରିଲି । ସେ ଜନ୍ତୁଟା ବାଘ କିମ୍ଵା ଭାଲୁ ହୋଇପାରେ । ପାହାଡ଼ ଉପରୁ କ୍ରମେ ଗଡ଼ିଆସୁଛି । କେତେ ମିନିଟ ପରେ ଏକ ମସ୍ତବଡ଼ ଶଙ୍ଖପାଟିଆ ଭାଲୁ ଆସି ଗଛମୂଳରେ ହାଜର । ସେ ଗଛ ଚାରିପାଖେ ଘେରାଏ ବୁଲିଗଲା । ତା’ପରେ ଗଛମୂଳଟାକୁ ଶୁଙ୍ଘି ଉପରକୁ ଚାହିଁ ରହିଲା । ମୁଁ ତା’ର ଆକ୍ରମଣାତ୍ମକ ଭାବ ଦେଖି ମୁକାବିଲା କରିବାପାଇଁ ପ୍ରସ୍ତୁତ ହୋଇଗଲି । ବନ୍ଧୁକରେ ଘୋଡ଼ା ଚଢ଼ାଇ ନିଶାଣ ଲଗାଇଥାଏ । ଗୋଟିଏ ପାଦ ଆଗକୁ ବଢ଼ିଲେ ମୁଣ୍ଡଟା ଚୂନା କରିଦେବି । କିନ୍ତୁ ସେ ଚୁପ୍‍ଚାପ୍ ପୂର୍ବପାଖ ଜଙ୍ଗଲରେ ପ୍ରବେଶ କରି ଅଦୃଶ୍ୟ ହୋଇଗଲା ।

 

ଆହୁରି କିଛି ସମୟ ପରେ ରାତ୍ରିର ନିସ୍ତବ୍ଧତା ଭଙ୍ଗ କରି ମଇଁଷି ଟିପାର କର୍ଣ୍ଣରସାୟନ ଶବ୍ଦ ଭାସିଆସିଲା । ସେତେବେଳକୁ ଅର୍ଦ୍ଧରାତ୍ର । ଟିପାଶବ୍ଦ ଆମ ପାଖରୁ ବହୁତ ଦୂରରେ ଶୁଣାଯାଉଥିଲା । ଆମେ ଜାଗ୍ରତ ରହି ଜଙ୍ଗଲର ସମସ୍ତ ଖବର ପାଇପାରୁଥାଉ । ଏଭଳି ପତିଆରା ଖଦା ଉପରକୁ ଏତେବେଳ ପର୍ଯ୍ୟନ୍ତ କୌଣସି ଜନ୍ତୁ ଆସିଲେ ନାହିଁ, ବଡ଼ ଆଶ୍ଚର୍ଯ୍ୟର କଥା ! ତେଣୁ ଆମର ସରସତା ଟିକିଏ ମ୍ଳାନ ପଡ଼ିଗଲା ।

 

ଆମେ ଅତି ସନ୍ତର୍ପଣରେ ବସିଛୁ । ଏହି ସମୟରେ ପୂର୍ବପାଖ ବାଉଁଶବଣରେ ମୟୂରପଲଟା ଭୀତିଜନକ ଡାକ ଛାଡ଼ିଲେ । ଚିତା କିମ୍ବା ବାଘ ନ ଦେଖିଲେ ମୟୂର ରାତିରେ ଡାକନ୍ତି ନାହିଁ । ପ୍ରାୟ ଅଧଘଣ୍ଟାଏ ସମୟ ଅତିବାହିତ ହୋଇଗଲା । ଚତୁର୍ଦ୍ଦିଗ ନୀରବ ନିଃଶବ୍ଦ । ଏହି ସମୟରେ ହଠାତ ମଇଁଷିପଲଙ୍କର ଲମ୍ବା ରଡ଼ି ଓ ଖୁରାନାଦରେ ଗୋଟାଏ ଚହଳ ପଡ଼ିଗଲା । ବାଘ ବା ଚିତାର ଗନ୍ଧ ପାଇ ମଇଁଷିପଲ ଏପରି ହୁରୁଡ଼ିବା କୁହାଯାଇପାରେ । ବାଘ କୌଣସି ମଇଁଷିକୁ ଧରିନାହିଁ । ଧରିଥିଲେ ଗର ପାରିବା ନିଶ୍ଚୟ ଶୁଣାଯାଇଥାନ୍ତା । ମଇଁଷିଆଳ କୁହାଟ ଛାଡ଼ି ମଇଁଷିଙ୍କୁ ଏକତ୍ର ଠୁଳ କରିବାରେ ଲାଗିପଡ଼ିଲା । ବସି ବସି ରାତି ଦୁଇଟା ହେଲା । ଏ ପର୍ଯ୍ୟନ୍ତ ଶିକାରର ଦର୍ଶନ ମିଳିଲା ନାହିଁ । ତଥାପି ଯଥେଷ୍ଟ ସମୟ ଅଛି । ଶିକାରରେ ହତାଶ ହେବାର ନୁହେଁ । ଯୋଗ ପଡ଼ିଲେ ଏକମିନିଟ ମଧ୍ୟରେ ଶିକାର ହୋଇଯିବ । ସେତେବେଳକୁ ଦେହ ଟିକିଏ ଶୀତେଇଲାଣି । ମୁଁ ମୋର କୋଟ୍‍ଟା ପିନ୍ଧିନେଲି । ନବଘନ ଚାଦର ଘୋଡ଼ିହେଲା । ଦେହ ଓ ମନକୁ ସତେଜ କରିବାପାଇଁ ଖିଲେ ଲେଖା ପାନ ଚଢ଼ାଇ ନବୋତ୍ସାହରେ ଜାଗିଉଠିଲୁ ।

 

ପୁଣି କିଛି ସମୟ ଗତ ହୋଇଗଲା । ଦୁଇଟି ଟିଟ୍ଟିଭ ପକ୍ଷୀ ଘନ ଘନ ଚିତ୍କାର କରି ଆକାଶ ଫଟାଇ ପଳାଇଲେ । ଏହା କୌଣସି ଜନ୍ତୁ ଆଗମନର ସତର୍କ ଘଣ୍ଟି । ଆମେ ପରସ୍ପର ସଙ୍କେତଦ୍ୱାରା ସତର୍କ ହୋଇଗଲୁ । ୧୦।୧୫ ମିନିଟ ପରେ ‘ଗୟଳ ଲାଞ୍ଜି’ ପାହାଡ଼ ଉପରେ ସମ୍ବର ଶିଙ୍ଘାଳ ଦୁଇବାର ଡାକି ଚୁପ୍ ହୋଇଗଲା । ମୁଁ ବନ୍ଧୁକଟା ଭଣ୍ଡରେ ରଖି ପ୍ରସ୍ତୁତ ହୋଇଗଲି-। କିଛି ସମୟ ପରେ ପାହାଡ଼ ଉପରୁ ଗଡ଼ିବାର ଶବ୍ଦ ସ୍ପଷ୍ଟ ଶୁଣାଗଲା । ମୁଁ ଅପେକ୍ଷାରେ ବସିଛି ।

 

ସମ୍ବରଟା ଆସି ଆମ ପଛ ପାଖରେ ତେନ୍ତୁଳି ଖାଇଲା । ମୋତେ ଦେଖାଯାଉ ନ ଥାଏ-। ସେ ଖାଇ ଖାଇ ଆସି ଠିକ୍ ମୋର ସାମନାରେ ବାହାରି ପଡ଼ିଲା । ଶିଙ୍ଘାଳଟି ଯୁବକ । ଶିଙ୍ଘାଳଦୁଇଟା ଗଜା । ଖଣ୍ଡେ ଦୁଇ ଖଣ୍ଡ ତେନ୍ତୁଳି ଖାଏ, ବେକ ଟେକି ଟିକିଏ ଚତୁର୍ଦ୍ଦିଗ ନିରୀକ୍ଷଣ କରିନିଏ । ସେତେବେଳେ ତା’ର ଚାହାଣି, ଚଙ୍ଗଚଙ୍ଗ ଭାବ ଓ ସତର୍କ ଚାଲି ଦେଖିବାର ଜିନିଷ । ନବଘନର ବାର ବାର ସୂଚନାପାଇଁ ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ଠିକ୍ ତା’ର ଚଟୁଆ ଉପରକୁ ଲକ୍ଷ୍ୟକରି ବୁଲେଟ୍‍ କାଟ୍ରିଜ୍‍ଟି ଫାୟାର କରିଦେଲି । ସମ୍ବରଟା ସଙ୍ଗେ ସଙ୍ଗେ ଖୁବ୍ ଦ୍ରୁତ ଗତିରେ ଦୌଡ଼ି ପଳାଇଲା । ମୁଁ ଅବାକ । ମାତ୍ର କେତେ ସେକେଣ୍ଡ ପରେ ନବଘନ କହିଲା–ପଡ଼ିଛି । କିରେ କ’ଣ ପଡ଼ିଛି ? ମୁଁ ପଚାରିଲି । ସେ କହିଲା, “ଶୁଣିଲ ନାହିଁ, ସମ୍ବରଟା ପରା ଗଛ କଟିଲା ପରି ପଡ଼ିଲା ।” ବନ୍ଧୁକ ଆବାଜରେ ବୋଧହୁଏ ମୁଁ ବାରିପାରିଲି ନାହିଁ । ନିର୍ମଳ ଚନ୍ଦ୍ରାଲୋକରେ ଲକ୍ଷ୍ୟଭ୍ରଷ୍ଟ ହେବାର ତ ନୁହେଁ । ଯାହାହେଉ ରାତି ପାହିଲେ ଦେଖାଯିବ ।

 

ରାତି ପାହିବାକୁ ଆହୁରି ଦୁଇଘଣ୍ଟା ସମୟ ବାକି ଅଛି । ଏହି ସମୟ ମଧ୍ୟରେ ଖଦା ଉପରକୁ ଜନ୍ତୁ ଆସିପାରନ୍ତି । କିନ୍ତୁ ଶିକାର ପ୍ରତି ମୋର ଆଉ ସ୍ପୃହା ନଥିଲା । ଏବାର ନବଘନ ଉପରେ ଶିକାର ଭାର ଛାଡ଼ିଦେଲି । ରାତ୍ରି ଜାଗରଣ ଜନିତ କ୍ଳେଶ ଦୂର କରିବାପାଇଁ ଦୁଇଘଣ୍ଟା ସମୟ ଯଥେଷ୍ଟ । ମୁଁ ବେଶ୍ ଆରାମରେ ଶୋଇଗଲି । ଭୋର ହେଲା । ନବଘନ ମୋତେ ଉଠାଇଲେ । କିନ୍ତୁ ମୁଁ ନ ଶୁଣିଲା ଭଳି ଗାଲେଇ ପଡ଼ି ଥାଏ । ଏହି ସମୟରେ ବାଘ ହେଣ୍ଟାଳ ଛାଡ଼ିଲା । ମୁଁ ଧଡ଼ପଡ଼ ଉଠିପଡ଼ିଲି । ବାଘଟା ପ୍ରାୟ ମାଇଲିଏ ଖଣ୍ଡେ ଦୂରରେ ୨।୪ ଡାକ ଡାକି ଚାଲିଗଲା । ଆମେ ମଞ୍ଚାରୁ ଓହ୍ଲାଇଲୁ । ମୁଁ ମାଡ଼ ସ୍ଥାନଟା ତଦାରଖରେ ଲାଗିଛି, ନବଘନ ସମ୍ବରର ଖୋଜଚିହ୍ନ ଧରି ଚାଲିଗଲା । ଅଳ୍ପ ସମୟ ପରେ ଡାକ ପକାଇଲା ସମ୍ବର ଏଇଠି ପଡ଼ିଛି । ମୁଁ ଯାଇ ଦେଖିଲି । ସେତେବେଳେ ମୋର ମନର ଭାବ ପାଠକେ ଅନୁମାନ କରିପାରୁଥିବେ । ଏତେବଡ଼ ଜାନୁଆରକୁ ବୋହିନେବା କଷ୍ଟକର । ମୁଁ ଶଗଡ଼ ପଠାଇବା ସକାଶେ ଗ୍ରାମକୁ ଚାଲିଆସିଲି । ନବଘନ ଆମର ଅର୍ଜିତ ଶିକାରକୁ ଜଗିକରି ସେଠାରେ ରହିଲା । ଶିଙ୍ଘ ଯୋଡ଼ାକ ଏକ ସ୍ମାରକ ଯୋଗ୍ୟ; କିନ୍ତୁ ତାହା ମୋ ଭାଗ୍ୟରେ ଯୁଟିଲା ନାହିଁ । ଆମର ରାଜାସାହେବ ପ୍ରଲୋଭିତ ହୋଇ ଶିଙ୍ଘ ଯୋଡ଼ିକ ନେଇଗଲେ । ମୋର ଦୁଃଖ ରହିଗଲା ।

Image

 

ସାବାସ୍ ଭଅଁରା

 

ମୋର ବଡ଼ବାପା ଜଣେ ପ୍ରବୀଣ ଶିକାରୀ । ସେ ବାର୍ଦ୍ଧକ୍ୟରେ ପଦାର୍ପଣ କଲେ । ତାଙ୍କର ଶାରୀରିକ ଅକ୍ଷମତା ଓ ଦୃଷ୍ଟିଶକ୍ତିର କ୍ଷୀଣତା ଯୋଗୁଁ ଶିକାରକ୍ଷେତ୍ରରେ ତାଙ୍କର ସାମର୍ଥ୍ୟ କମିଗଲା । ତଥାପି ଶିକାରନିଶା ଛାଡ଼ିଲା ନାହିଁ । ସେତେବେଳେକୁ ମୋର ଶିକାର କ୍ଷେତ୍ରରେ ପ୍ରଥମ ପ୍ରବେଶ । ବଡ଼ବାପା ଶିକାରରେ ମୋର ସାହାଯ୍ୟ ଲୋଡ଼ିଲେ । ମୁଁ ମଧ୍ୟ ତାହାହିଁ ଚାହୁଁଥିଲି-

 

ଥରେ ଆମର ବିଚାର ହେଲା, ଭୋରରୁ ଶିକାରକୁ ଯିବା । ବୋଧହୁଏ ସେଟା ନଭେମ୍ବର ମାସ । ଶୀତ ବେଶ୍ ପଡ଼ିଗଲାଣି । ଭୋର ହେଲା, ବଡ଼ବାପା ଆସି ମୋତେ ଡାକିଲେ । ମୁଁ ନ ଉଠିବାରୁ ସେ ବିରକ୍ତ ହୋଇ କହିଲେ–“ଏ କୁଆଡ଼େ ବାଣୁଆ ହେବେ !” ତା’ପରେ ସେ ଚାଲିଗଲେ ।

 

ପରଦିନ ବଡ଼ବାପା ଡାକିବା ପୂର୍ବରୁ ମୁଁ ପ୍ରସ୍ତୁତ ହୋଇପଡ଼ିଲି । ତାଙ୍କର ଡାକ ପଡ଼ିବାମାତ୍ରେ ମୁଁ ଅଭିଯାନ ଆରମ୍ଭ କରିଦେଲି । ଜଙ୍ଗଲରେ ପ୍ରବେଶ କରିବା ପରେ ବନ୍ଧୁକରେ କାର୍ତ୍ତୋସ ଭରି ମୋ ହାତକୁ ଦେଲେ । ବାମନଳାରେ ଏଲ୍. ଜି. ଓ ଡାହାଣ ନଳାରେ ବୁଲେଟ୍ ଦିଆଯାଇଛି । ହରିଣ, କୁଟ୍ରାଙ୍କ ଉପରକୁ ଏଲ୍. ଜି., ସମ୍ବର ଓ ବାର୍‍ହାଙ୍କ ଉପରକୁ ବୁଲେଟ୍ ନାଛିବାକୁ ନିର୍ଦ୍ଦେଶ ଦେଲେ । ତା’ପରେ ଆମେ ଧମାଧମ୍ ଗତି ଦ୍ରୁତ କରି ‘ରାଢ଼ବା ମୁଣ୍ଡିଆ’ ଲକ୍ଷ୍ୟରେ ଚାଲିଲୁ ।

 

ସେ ସମୟକୁ ଲଘୁଧାନ ପାଚିଯାଇଥିଲା । ଜଙ୍ଗଲମାଳ ଜମିରେ ବାର୍‍ହା ପଲ ଧାନ ଖାଉଛନ୍ତି । ଆମର ବିଚାର–ବାର୍‍ହା ଧାନ ଖାଇ ସେମାନଙ୍କର ବିଶ୍ରାମସ୍ଥଳୀ ‘ରାଢ଼ବା ମୁଣ୍ଡିଆ’କୁ ଫେରିଲାବେଳେ ସାକ୍ଷାତ ମିଳିଯାଇପାରେ । ଆମେ ସିଧା ଯାଇ ମୁଣ୍ଡିଆ ତଳ ଗୋଟିଏ ଛକଜାଗାରେ ଆତ୍ମଗୋପନ କରି ବସିଗଲୁ । ମୋ ଆଖିରେ ଖାଲି ବାର୍‍ହା ନାଚୁଥାଏ । କେତେବେଳେ ବାର୍‍ହା ଆସିବ, ଗୁଳି କରିବି । ଡଗର ରାସ୍ତାରେ ଜଗିକରି ବସିଲେ ସର୍ବଦା ପ୍ରସ୍ତୁତ ହୋଇ ବସିବା ଆବଶ୍ୟକ । ତାହାର କାରଣ, ଜନ୍ତୁମାନେ ସାଧାରଣତଃ ଖଦାରୁ ଫେରିବା ସମୟରେ ଦ୍ରୁତଗତିରେ ଚାଲନ୍ତି । ବଣବୁଦା ପରିବେଷ୍ଟିତ କ୍ଷୁଦ୍ର ପରିସର ମଧ୍ୟରେ ମାତ୍ର କେତୋଟି ମୁହୂର୍ତ୍ତପାଇଁ ଦେଖାଦିଅନ୍ତି । ସେହି ମୁହୂର୍ତ୍ତ ମଧ୍ୟରେ ଫାୟାର କରି ନ ପାରିଲେ ବନଗହଳରେ ଲୁଚିଯିବେ । ମୁଁ ସେଫ୍‍ଟିକ୍ୟାରରେ ଅଙ୍ଗୁଳି ରଖି, ଚକ୍ଷୁକର୍ଣ୍ଣ ସଜାଗ କରି ବସିଥାଏ ।

 

କିଛି ସମୟ ଗତ ହୋଇଗଲା । ଆମ ପାଖରୁ ଅଳ୍ପଦୂରରେ କେତୋଟି ବାର୍‍ହା ମୁଣ୍ଡିଆ ଉପରକୁ ଉଠିଲେ । ଆମେ ସ୍ପଷ୍ଟ ସୂଚନା ପାଇଲୁ; କିନ୍ତୁ ଦେଖାଗଲା ନାହିଁ । ଆମେ ନିରୁପାୟ । ଧ୍ୟାନ ଲଗାଇ ବସିଛୁ । ଏହି ସମୟରେ ବଡ଼ବାପା ମୋ ଦେହରେ ଅଙ୍ଗୁଳି ସ୍ପର୍ଶ କରି ପ୍ରସ୍ତୁତ ରହିବାକୁ ସଙ୍କେତ ଦେଲେ । ଆମେ ଏକ ସ୍ଥାନରେ ବସିଛୁ । ପୁଣି ତାଙ୍କ ଅପେକ୍ଷା ମୋର ଶ୍ରବଣଶକ୍ତି ପ୍ରଖର । ତଥାପି ମୁଁ ବାର୍‍ହାର ଟେର ସୁଦ୍ଧା ପାଇନାହିଁ । ଏହା ତାଙ୍କର ଅଭିଜ୍ଞତାର ଫଳ-। ମୁଁ ବନ୍ଧୁକର ସେଫ୍‍ଟିକ୍ୟାର ଉଠାଇ ଡଗର ଉପରକୁ ନିଶାଣ ଲଗାଇଲି ।

 

ସାମାନ୍ୟ କେତେ ମିନିଟ ପରେ ବାର୍‍ହାଟା ଦୃଷ୍ଟିଗୋଚର ହେଲା । ମସ୍ତବଡ଼ ଦନ୍ତା ବାର୍‍ହା ଧମାଧମ୍ ଚାଲିଆସୁଛି । ମୋ’ଠାରୁ ମାତ୍ର ଦଶଗଜ ଦୂରରେ ପହୁଞ୍ଚିଗଲାଣି । ସତ କହିବାକୁ ଗଲେ, ମୁଁ ଟିକେ ଘାବରେଇଗଲି । ତା’ର ଦ୍ରୁତ ଚାଲି ଆଉ ଅତି ନିକଟରେ ଆକସ୍ମିକ ଉପସ୍ଥିତି ମୋର ଘାବରେଇବାର କାରଣ ହେଲା । ଆଉ ୨।୩ ହାତ ଅତିକ୍ରମ କରିଗଲେ ବନଗହଳରେ ଅଦୃଶ୍ୟ ହୋଇଯିବ । ମୁଁ ଜଲ୍‍ଦିବାଜି ହୋଇ ତା’ର ଚଟୁଆ ଉପରକୁ ଲକ୍ଷ୍ୟକରି ଫାୟାର କରିଦେଲି ।

 

ବାର୍‍ହାଟା ମଡ଼େ ମଡ଼େ ପଡ଼ିଗଲା । ମାତ୍ର ପଲକମାତ୍ରେ ଉଠିପଡ଼ି ଚମ୍ପଟ । ଏଣେ ମୋ ଗାଲରେ ଧାଏଁ କରି ଏକ ଥାପଡ଼ । ମୁଁ ନିର୍ବାକ । ବଡ଼ବାପା ଅଗ୍ନିଶର୍ମା ହୋଇ କହିଲେ, “ଏତେ ପାଖରୁ ବାର୍‍ହାଟା ଦେଖିପାରିଲୁ ନାହିଁ ! ଆଉ କି ବାଣୁଆ ହବୁ ?” ତା’ପରେ ମାଡ଼ସ୍ଥାନ ତଦାରଖ କରିବାରେ ଜଣାଗଲା, ଗୁଳିଟା ବାହାବେଣ୍ଟିଆ ହୋଇ ଲାଗିଛି । ଅର୍ଥାତ୍ ଆଗ ଦୁଇଟା ଗୋଡ଼କୁ ଭାଙ୍ଗିଦେଇ ଗୁଳିଟା ଫିଟିଯାଇଛି । ସେ କେତେଦିନ ବଞ୍ଚିଯାଇପାରେ । ତା’ର ଆକ୍ରମଣ କରିବା ଶକ୍ତି ମଧ୍ୟ ଯଥେଷ୍ଟ ଅଛି । ଏହାର ପିଛା କରିବା ବଡ଼ ବିପଜ୍ଜନକ ଓ ତାକୁ ଠାବ କରିବା ମଧ୍ୟ ସମୟସାପେକ୍ଷ ।

 

ଗୋଡ଼ରେ ଗୁଳି ଲାଗିଥିବାରୁ ରକ୍ତସ୍ରାବ ଛିଞ୍ଚାଡ଼ିଲା ପରି ଟିକିଏ ଟିକିଏ ହେଉଥାଏ । କେବଳ ଖୋଜଚିହ୍ନକୁ ସମ୍ବଳ କରି ଆମେ ତା’ର ପିଛା କରିବାରେ ଲାଗିପଡ଼ିଲୁ । ସେ କେଉଁଠି ଅଦୃଶ୍ୟ ଭାବରେ ଥାଏ, ଆମେ ତା’ର ନିକଟବର୍ତ୍ତୀ ହେବାମାତ୍ରେ ଭୀଷଣ ଗର୍ଜନ କରି ଭୀମ ବେଗରେ ଆକ୍ରମଣ କରେ । ବାପ୍‍ରେ ! ତା’ର ଯେଉଁ ଆକ୍ରମଣ ତା’ର ମୁକାବିଲା କରିବାକୁ ଆମର ସାହସ କୁଳାଇଲା ନାହିଁ । ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲୁ । ଦନ୍ତା ବାର୍‍ହା ଘାଉଆ ହେଲେ ଯେ ଏପରି ଭୟଙ୍କର ହୋଇପଡ଼େ, ମୁଁ ସେ ଦିନ ଅଙ୍ଗେ ଲିଭାଇଲି । ପରେ ଆମେ ସଂଗଠିତ ହୋଇ ନୂଆ ନୂଆ କୌଶଳମାନ ପ୍ରୟୋଗ କଲୁ । ଦିନ ୧୧ଟା ବାଜିଲା । ଆମେ ଏକ ପ୍ରକାର ଥକିପଡ଼ିଲୁ । ମାତ୍ର ହତାଶ ହେଇ ନ ଥାଉ । ଟିକିଏ ବିଶ୍ରାମ ନେବାକୁ ଗୋଟିଏ ଛାଇରେ ବସିପଡ଼ିଲୁ । ଆମେ ବସିଛୁ ଏହି ସମୟରେ ଆମ ଗ୍ରାମର ଚାରିଜଣ କାଠୁରିଆ କାଠ କାଟିବାକୁ ଆସି ଆମ ପାଖରେ ପହୁଞ୍ଚିଲେ । ସେମାନେ ମଧ୍ୟ ଆମ ସହିତ ଯୋଗଦେଲେ । ନାନା କଳ୍ପନା ଜଳ୍ପନା ମଧ୍ୟରେ ବଡ଼ବାପା କହିପକାଇଲେ, “ଆଜି ଭଅଁରା ଥାଆନ୍ତା କି ! ଛାର ବାର୍‍ହାଟା ଆମକୁ ଏତେ ହଇରାଣ କରି ନ ଥାନ୍ତା ।”

 

ବଡ଼ବାପା ଏପରି କହିବାର ଦଶମିନିଟ ପରେ ବାର୍‍ହାଟା କେଁ କେଁ ରଡ଼ି ଛାଡ଼ିଲା ଯେ, ବଣରାଇଜ କମ୍ପି ଉଠିଲା । ତା’ ସଙ୍ଗେ ସଙ୍ଗେ ଗୋଡ଼ ବାଡ଼େଇବା ଶବ୍ଦ ଠକ୍-ଠକ୍ । ଏଥିରୁ ଆମେ ନିଶ୍ଚୟ କରିନେଲୁ, ଚିତାବାଘ ଘାଉଆ ବାର୍‍ହାକୁ ଧରିଲାଣି । ମହାବଳ ବାଘ ହୋଇଥିଲେ ଧରିବା ସଙ୍ଗେ ସଙ୍ଗେ ଉଠାଇନେଇଥାନ୍ତା । ଶବ୍ଦଟା ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଆସୁଛି । ଏଥିରୁ ଚିତାର ବାର୍‍ହାଟାକୁ ଉଠାଇନେବାର ଅସାମର୍ଥ୍ୟ ସ୍ପଷ୍ଟ ଜଣାପଡ଼ିଥିଲା । ବର୍ତ୍ତମାନ ତା’ ପ୍ରତି ଅଗ୍ରସର ହେଲେ ଆମର ଧଡ଼ସ ପାଇ ଚିତାଟା ପଳାଇବ କିମ୍ବା ଆମକୁ ଆକ୍ରମଣ କରିବ । ତା’ ସଙ୍ଗେ ସଙ୍ଗେ ବାର୍‍ହାଟା ମଧ୍ୟ ଚମ୍ପଟ ଦେବ । ଆମର ବିଚାର, ଅପେକ୍ଷା କରିବା, ଦେଖାଯାଉ କୋଉ ପାଣି କୋଉଆଡ଼େ ଯାଉଛି ।

 

ଶବ୍ଦଟା ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଆସୁଥିବାରୁ ଆମେ ନିଶ୍ଚିନ୍ତ । ପ୍ରାୟ କୋଡ଼ିଏ ମିନିଟ ସମୟ ଅତିବାହିତ ହୋଇଗଲା । ବାର୍‍ହାର ରଡ଼ି ଓ ଛଟପଟ ହେବା ଶବ୍ଦ କ୍ରମେ କ୍ଷୀଣରୁ କ୍ଷୀଣତର ହୋଇଆସୁଥାଏ । ଆମେ ଅର୍ଦ୍ଧଚନ୍ଦ୍ରାକାରରେ ଗୋଟିଏ ବ୍ୟୂହ ରଚନା କରି କ୍ରମେ ଅଗ୍ରସର ହେବାକୁ ଲାଗିଲୁ । ବଡ଼ବାପା ମୋର ପଛେ ପଛେ ଥାଆନ୍ତି । ବୁଦା ଆପଟରେ ଚମତ୍କାର ଦୃଶ୍ୟଟା ମୋର ଦୃଷ୍ଟି ଆକର୍ଷଣ କଲା । ଭଅଁରା ବାର୍‍ହାର ବେକକୁ ଧରି ଝାଡ଼ୁଛି ପକେଇ । ମୁଁ ଟିକିଏ ସାମନାରୁ ଆଡ଼େଇଯାଇ ବଡ଼ବାପାଙ୍କୁ ଦୃଶ୍ୟଟା ଦେଖାଇଦେଲି । ସେ ଆନନ୍ଦରେ ଉଛୁଳିଉଠି କହିପକେଇଲେ–“ଆରେ, ଭଅଁରା କିରେ ! “ଭଅଁରା ବାର୍‍ହା ବେକରୁ କାମୁଡ଼ା ଛାଡ଼ି ଟିକିଏ ତାକୁ ଭଲକରି ଦେଖିନେଲା, ତା’ପରେ ଦି’ ଖେପାରେ ଆସି ବଡ଼ବାପାଙ୍କ ଛାତିରେ ଗୋଡ଼ ଲଗେଇଦେଇ ମୁହଁ ପାଖରେ କୁଉଁ...କୁଉଁ ହେବାକୁ ଲାଗିଲା । ବଡ଼ବାପା କାନ୍ଦକାନ୍ଦ ହୋଇ ତା’ ମୁଣ୍ଡ ଆଉଁଶୁଥାଆନ୍ତି । ଆନନ୍ଦାଶ୍ରୁ ବହିଯାଉଥାଏ । ମାସେକାଳ ବିଚ୍ଛେଦ ପରେ ପାଳକ ଓ ପାଳିତର ମିଳନ କି ଅପୂର୍ବ !

 

କିଛି ସମୟ ଗତ ହୋଇଗଲା । ବଡ଼ବାପା କହିଲେ–“ହଉ, ହଉ, ସେତିକି ହୋଇଥାଉ-। ଚାଲ ଘରକୁ ଯିବା ।” ଏତକ କହି ତା’ର ଗୋଡ଼ ଦୁଇଟିକୁ ଛାତିରୁ ଖସାଇଦେଲେ । ଭଅଁରା ବୀରଦର୍ପରେ ପୁଣି ବାର୍‍ହା ନିକଟକୁ ଦୌଡ଼ିଲା । ବାର୍‍ହାର ମୁହଁ ପାଖରେ ମୁହଁ ଲଗାଇ କ’ଣ ବାରିଲା, ତା’ପରେ କାନରୁ ଧରି ଟାଣିବାକୁ ଚେଷ୍ଟା କଲା; କିନ୍ତୁ ପାରିଲା ନାହିଁ । ସେତେବେଳକୁ ବାର୍‍ହାର ଅଣଚାଶ ବହିଲାଗି । ଆଉ ଡେରି କରିବା ଦରକାର କା’ଣ ? ସାଥୀଲୋକେ ତା’ ଉପରେ ଦୁଇ ଚାରି ପାହର ଦେଇ ଶେଷ କରିଦେଲେ । ଆନନ୍ଦରେ ସାଥୀଲୋକଙ୍କର ଗୋଡ଼ ତଳେ ଲାଗୁ ନ ଥାଏ । ବାର୍‍ହାକୁ ଧରି ଘରକୁ ଫେରିଲୁ ।

 

ଆମ ଭଅଁରାର ଗୋଟିଏ ଗୌରବମୟ ଇତିହାସ ଅଛି । ତାହା ଏଠାରେ ଟିକିଏ ନ ଦେଲେ ବୋଧହୁଏ ବିଷୟଟି ଅପୂର୍ଣ୍ଣ ରହିଯିବ । ଭଅଁରାର ଜନ୍ମ କେଉଁ ଅଜଣା ଶବରପଲ୍ଲୀରେ । ସେତେବେଳକୁ ସେ ମାତ୍ର ଦୁଇମାସର ଛୁଆ । ଖାଇବାକୁ ନ ପାଇ ଗଡ଼ି ମରୁଥିଲା । ବଡ଼ବାପାଙ୍କର ତା’ ଉପରେ କାହିଁକି ଦୟା ହେଲା କେଜାଣି ସେ ତାକୁ ନେଇଆସି ଅତି ଯତ୍ନରେ ପାଳିଲେ । ତାଙ୍କ ଘରେ ମାଂସ ଭାତ ଖାଇ ଅଳ୍ପଦିନ ଭିତରେ ବେଶ୍ ହୃଷ୍ଟପୁଷ୍ଟ ହୋଇଗଲା । କ୍ରମେ ସେ ଦେଶୀ କୁକୁରଙ୍କ ମଧ୍ୟରେ ଏକ ବଡ଼ କାଟ୍‍ର ବଳିଷ୍ଠ କୁକୁରରେ ପରିଣତ ହେଲା । ସେ ଅନ୍ୟ କୁକୁରଙ୍କ ପରି କଳି ଝଗଡ଼ା କରେ ନାହିଁ । ଅନ୍ୟମାନେ ମଧ୍ୟ ତା’ ସହିତ ଲଢ଼େଇ ଭିଡ଼େଇ କରିବାକୁ ସାହସ କରନ୍ତି ନାହିଁ । ଭଅଁରା କେବଳ ଜାଣେ ତା’ର କର୍ତ୍ତବ୍ୟ । ବଡ଼ବାପାଙ୍କ ବାରଣ ସତ୍ତ୍ୱେ ସେ ତାଙ୍କ ସଙ୍ଗରେ ଶିକାରକୁ ଯାଏଁ । ବଡ଼ବାପାଙ୍କର ଆଶଙ୍କା ଥିଲା ଭଅଁରା ଶିକାରରେ ବାଧା ସୃଷ୍ଟି କରିବ; କିନ୍ତୁ ସେ ଆଶଙ୍କା ଅମୂଳକ ପ୍ରମାଣିତ ହେଲା । ସେ ଶିକାରରେ ବଡ଼ବାପାଙ୍କୁ ବହୁତ ସାହାଯ୍ୟ କରେ । ଅଳ୍ପଦିନ ମଧ୍ୟରେ ସେ ଏକ ଉତ୍କୃଷ୍ଟ ତାଲିମପ୍ରାପ୍ତ କୁକୁରଠାରୁ ଶ୍ରେଷ୍ଠ ବିବେଚିତ ହେଲା । ସମସ୍ତେ ତା’ର ଗୁଣରେ ମୁଗ୍ଧ ।

 

ଘାଉଆ ଜନ୍ତୁର ଠାବ କରିବାରେ ଭଅଁରା ଖୁବ୍ ଦକ୍ଷ । ସେ ଘାଉଆ ଜନ୍ତୁକୁ ଏପରି ସାହସ ଓ କୌଶଳର ସହ ଧରିନେବ ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଶିକାର ସମୟରେ ବାଘ, ଭାଲୁଠାରୁ ବିପଦର ଆଶଙ୍କା ପାଇ ଶିକାରୀଙ୍କୁ ସତର୍କ କରିଦିଏ । ସ୍ଥଳରେ ହେଉ ବା ଜଳରେ ହେଉ ପକ୍ଷୀ ଶିକାର କଲାବେଳେ ଫାୟାର ହେବାମାତ୍ରେ ସେ ଦୌଡ଼ିଯାଇ ପକ୍ଷୀଟାକୁ ଉଠାଇଆଣି ଗୋଡ଼ତଳେ ହାଜର କରିବ । ଏହିପରି ଅନେକ ଆଶ୍ଚର୍ଯ୍ୟଜନକ ଘଟନା ତା’ ଇତିହାସ ପୃଷ୍ଠାରେ ଲେଖାଯାଇପାରେ ।

 

ଥରେ ବଡ଼ବାପାଙ୍କର ଜଣେ ଅତି ପ୍ରିୟ ବନ୍ଧୁ ବାଙ୍କୀ ଗଡ଼ରୁ ଆସିଥିଲେ । ସେ ଭଅଁରାର ଗୁଣଗ୍ରାମ ଦେଖି ତାକୁ ନେବାକୁ ଇଚ୍ଛା ପ୍ରକାଶ କଲେ । ବଡ଼ବାପା ବନ୍ଧୁଙ୍କର ସ୍ନେହ ଏଡ଼ି ନ ପାରି ନିତାନ୍ତ ଅନିଚ୍ଛାସତ୍ତ୍ୱେ ଦେଇଦେଲେ । ସେ ନେବାର ପ୍ରାୟ ମାସକ ପରେ ଯେଉଁଦିନ ଆମେ ଉପର ଲିଖିତ ବାର୍‍ହାକୁ ଘାଉଆ କଲୁ, ଠିକ୍ ସେହିଦିନ ଭଅଁରା ବାଙ୍କୀରୁ ପଳାଇଆସି ଘରେ ପହଞ୍ଚିଛି ସକାଳ ସମୟରେ । ସେତେବେଳକୁ ଆମେ ଜଙ୍ଗଲରେ । ସେ ବଡ଼ବାପାଙ୍କୁ ନ ଦେଖି ଛୁଟିଲା ଜଙ୍ଗଲ ଅଭିମୁଖେ । ବୋଧହୁଏ ମାଡ଼ ସ୍ଥାନରେ ପହୁଞ୍ଚି ରୁମ ରକ୍ତ ଶୁଙ୍ଘି ବାର୍‍ହାର ପିଛା କରିଛି । ଶେଷରେ ବାର୍‍ହାକୁ ଧରି ମାରିଲା । ସେଇଠି ଭଅଁରା ସହିତ ପୁନର୍ମିଳନ ।

 

ଭଅଁରା ବେଶ୍ ସୁସ୍ଥ ସବଳ ଥିଲା । ଦିନେ ରାତିରେ ଚିତାବାଘ ଗ୍ରାମରେ ପଶି ଗୋଟିଏ କୁକୁରକୁ ଧରିଲା । ଭଅଁରା ସେ କୁକୁରକୁ ଉଦ୍ଧାର କରିବାକୁ ଯାଇ ଚିତା ସାଙ୍ଗେ ବୀରତ୍ୱର ସହ ଲଢ଼ି ଶେଷରେ ବୀରଗତି ପ୍ରାପ୍ତ ହେଲା । ଅବଶ୍ୟ ବଡ଼ବାପା ସେ ଚିତାଟାକୁ ଭଅଁରାର ମଢ଼ ଉପରୁ ମାରି ମନର ଓରମାନ ମେଣ୍ଟାଇଥିଲେ ।

Image